Unknown

 

 

 

 

 

 

 

 

 

କାହାର ଓଡ଼ିଶା ?

ଗୌରହରି ଦାସ

 

ନିଜ କଥା

 

ଦୈନିକ ‘ସମ୍ବାଦ’ରେ ଅନିୟମିତ ଭାବେ ମୁଁ ଲେଖୁଥିବା ତେଇଶଟି ପ୍ରବନ୍ଧକୁ ନେଇ ଦଶ ବର୍ଷ ତଳେ ‘ଓଡ଼ିଶା ଡାଏରି’ ବହି ପ୍ରକାଶ ପାଇଥିଲା । ସେ ବହିରେ ସନ୍ନିବେଶିତ କେତେକ ପ୍ରବନ୍ଧ ମୋର ପାଠକପାଠିକାଙ୍କୁ ଭଲ ଲାଗିଥିଲା ଏବଂ ସେମାନେ ଅନ୍ୟାନ୍ୟ ପ୍ରବନ୍ଧଗୁଡ଼ିକୁ ନେଇ ଆଉ ଏକ ବହି ପ୍ରକାଶ କରିବା ଲାଗି ମୋତେ ମଝିରେ ମଝିରେ ସଶ୍ରଦ୍ଧ ଉତ୍ସାହ ଜଣାଉଥିଲେ । ଏଇ ପ୍ରବନ୍ଧଗୁଡ଼ିକ ମଧ୍ୟରେ ୨୦୦୭ରେ ଶ୍ରୀମନ୍ଦିରରେ ଭୋଗ ଫିଙ୍ଗାକୁ ନେଇ ଲେଖାଯାଇଥିବା ‘ଭୋଗ ନ ହେଲା ଭାତ ତ ?’ ‘ସମସ୍ତେ ପରିବାରକୁ ଭଲ ପାଆନ୍ତି’, ‘ଓଡ଼ିଶାକୁ କିଏ କାହିଁକି ଆସିବ’ ଏବଂ ‘ସକ୍ରିୟ ଅନ୍ଧବିଶ୍ୱାସ, ନିଷ୍କ୍ରିୟ ପ୍ରଶାସନ’ ଆଦି ଅନ୍ତର୍ଭୁକ୍ତ ।

 

ଉଲ୍ଲେଖ କରିବାରେ ଦ୍ୱିଧା ନାହିଁ ଯେ କେବଳ ଲେଖିବା ପାଇଁ ଲେଖିବାରେ ବା ଛାପିବା ପାଇଁ ଲେଖିବାରେ ମୁଁ ବିଶ୍ୱାସ କରେ ନାହିଁ । କୌଣସି ଗୋଟିଏ ସମସ୍ୟା ମୋତେ ବ୍ୟସ୍ତ ନ କଲା ପର୍ଯ୍ୟନ୍ତ ମୁଁ ତା’ ଉପରେ ଲେଖିବା ପାଇଁ ଚାହେଁ ନାହିଁ । ସେଇ ଦୃଷ୍ଟିରୁ, ଏ ବହିରେ ସ୍ଥାନୀତ ପ୍ରତିଟି ଲେଖା ପଛରେ ମୋର ମାନସିକ ସଂଘାତ ଯେ ନିଶ୍ଚୟ ରହିଛି ଏ କଥା ମୁଁ ଦୃଢ଼ ଭାବରେ କହିପାରେ । ‘ସେମାନେ କୁଆଡ଼େ ଯିବେ’ ଓ ‘ସେମାନଙ୍କ କଥା କେଉଁଠି ଛପାଯିବ’ ପରି ସମସ୍ୟା ଯେ କୌଣସି ସଚେତନ ଓଡ଼ିଶାବାସୀଙ୍କୁ ଆନ୍ଦୋଳିତ କରିବ ଏ ନେଇ ମୋର ସନ୍ଦେହ ନାହିଁ ।

 

ଏଇ ବହିରେ ସ୍ଥାନୀତ ଦୁଇ ତିନିଟି ପ୍ରବନ୍ଧ ପୂର୍ବରୁ ‘ଓଡ଼ିଶା ଡାଏରି’ରେ ପ୍ରକାଶ ପାଇଥିଲା । ପ୍ରାସଂଗିକତା ଦୃଷ୍ଟିରୁ ମୁଁ ସେଇ ଗୁଡ଼ିକୁ ଏଥିରେ ସ୍ଥାନୀତ କରିଅଛି । ଯେଉଁ ପାଠକମାନେ ଦଶ ବର୍ଷ ତଳର ‘ଓଡ଼ିଶା ଡାଏରି’ ବହି ପଢ଼ି ନ ଥିବେ ସେମାନେ ଏଥିରୁ ସେ ପୁରୁଣା ପ୍ରବନ୍ଧଗୁଡ଼ିକ ପଢ଼ିପାରିବେ ।

 

‘କାହାର ଓଡ଼ିଶା’ ବହିଟି ପ୍ରକାଶ ପାଇବା ଅବସରରେ ‘ସମ୍ବାଦ’ର ସଂପାଦକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଏଭଳି ଲେଖା ସବୁ ଲେଖିବା ଦିଗରେ ଉତ୍ସାହିତ କରିଥିବା ମୋର ଶୁଭେଚ୍ଛୁମାନଙ୍କୁ ମୁଁ କୃତଜ୍ଞତା ଜଣାଉଅଛି । ଏହା ସହିତ ବହିଟିର ପ୍ରକାଶନ ଭାର ଗ୍ରହଣ କରିଥିବା ଯୋଗୁଁ ମୁଁ ଉଦୀୟମାନ ପ୍ରକାଶକ ତଥା ‘ପକ୍ଷୀଘର’ର ସଂପାଦକ ଶ୍ରଦେ୍ଧୟ ବନୋଜ ତ୍ରିପାଠୀଙ୍କୁ ଧନ୍ୟବାଦ ଜଣାଉଛି ।

 

ଇଂରାଜୀ ନୂଆବର୍ଷ ୨୦୧୨ର ଅଭିନନ୍ଦନ ସହ,

ଗୌରହରି ଦାସ,

‘ଅନୁଭବ’, ୩୭୮ ବରମୁଣ୍ଡା ଗାଁ, ଭୁବନେଶ୍ୱର ୭୫୧ ୦୦୩

Image

 

ସୂଚୀପତ୍ର

 

୧.

ଭୋଗ ନ ହେଲା ଭାତ ତ ?

୨.

ଓଡ଼ିଶାକୁ କିଏ କାହିଁକି ଆସିବ (୧)

୩.

ଓଡ଼ିଶାକୁ କିଏ କାହିଁକି ଆସିବ (୨)

୪.

କାହାର ଓଡ଼ିଶା

୫.

ଅନ୍ଧ ଓଡ଼ିଶା

୬.

ରଡ୍‌ ବଙ୍କା କରିପାରୁନାହାନ୍ତି ଓଡ଼ିଆ

୭.

ଅରକ୍ଷିତ ଓଡ଼ିଆ ଭାଷା ପାଇଁ କୁମ୍ଭୀର କାନ୍ଦଣା

୮.

ସେମାନେ କୁଆଡ଼େ ଯିବେ

୯.

ସେମାନଙ୍କ କଥା କେଉଁଠି ଛପାଯିବ

୧ ୦.

ଲୋକେ ଖୁସି ହେବେ କାହିଁକି

୧୧.

ଦାୟୀ କିଏ

୧୨.

ପ୍ୟାରୀବାବୁ ଓ ଇତିହାସର ବିଭ୍ରାନ୍ତୀକରଣ

୧୩.

ଚତୁର ଚାଣକ୍ୟ

୧୪.

କେମିତି ଅଛି କନ୍ଧମାଳ

୧୫.

ଖେଳର ନାମ ଦଳବଦଳ

୧୬.

ସମସ୍ତେ ପରିବାରକୁ ଭଲ ପାଆନ୍ତି

୧୭.

ଖାକି ପୋଷାକ, ନାଲିଫିତା ଓ ଖାସି ମାଉଁସ

୧୮.

ଗୋଟେ ଗରିବ ଝିଅର କଥା

୧୯.

ରାଜକ୍ଷମା କାହିଁକି

୨୦.

ଯଥେଷ୍ଟ ହେଲାଣି

୨୧.

ଭୋକିଲା ଲୋକକୁ ରଗେଇବା ସହଜ

୨୨.

ଓଡ଼ିଆ ସମାଜ: ଶିକ୍ଷା ଓ ସଂସ୍କୃତି

୨୩.

ଉତ୍କଳ ଦିବସ: ଉଜୁଡ଼ା ପାଦଟୀକା

୨୪.

ନିରୁଦ୍ଦିଷ୍ଟ ଶ୍ରବଣକୁମାର

୨୫.

ପାପ ନା ପୁଣ୍ୟ

୨୬.

ଠାକୁର ଅଛନ୍ତି କି ?

୨୭.

ମଣିଷ ସବୁଦିନେ ଠାକୁରଙ୍କଠୁଁ ବଡ଼

୨୮.

ସକ୍ରିୟ ଅନ୍ଧବିଶ୍ୱାସ ଓ ନିଷ୍କ୍ରିୟ ପ୍ରଶାସନ

୨୯.

ଶହେ ବର୍ଷ ବିତିଗଲା, ରେବତୀର ଭାଗ୍ୟ ବଦଳିଲା ନାହିଁ

୩୦.

କବି ହଳଧର, ବାଟୁଆ ବାସ୍‌ ଓ ଗର୍ଭଣା ଗାଁ

୩୧.

ଖବରକାଗଜରେ ଖବର କାହିଁ

୩୨.

ସମ୍ବାଦପତ୍ର କେତେ ସ୍ୱାଧୀନ

୩୩.

ସନ୍ଦେହ-ଅବିଶ୍ୱାସ

୩୪.

ଶ୍ରୀମନ୍ଦିରକୁ ନେଇ ଗୋଟେ ଭଲ ଖବର

Image

 

ଭୋଗ ନ ହେଲା, ଭାତ ତ ?

 

୨୦୦୭ ମାର୍ଚ ୧ ତାରିଖ ଦିନ ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଗଲା । ପ୍ରାୟ ସାତ ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ମହାପ୍ରସାଦ ଭୋଗକୁ ସେଦିନ ମାଟିରେ ପୋତି ଦିଆଗଲା । ସାରା ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଆସିଥିବା ହଜାର ହଜାର ଭକ୍ତଙ୍କ ମନସ୍କାମନା ଅପୂର୍ଣ୍ଣ ରହିଗଲା । କେହି ମୁଠାଏ ମହାପ୍ରସାଦ ପାଇଲେ ନାହିଁ । ଆନନ୍ଦ ବଜାରରେ ତାଟି କବାଟ ପଡ଼ି ରହିଲା । ଭକ୍ତମାନେ ନିରାଶରେ ଫେରିଲେ । ଅନେକ ଲୋକ ସେଦିନ ଦିଅଁ ଦର୍ଶନ ସୁଦ୍ଧା କରିପାରିଲେ ନାହିଁ । ଅନ୍ୟ କେଉଁ ରାଜ୍ୟ ହୋଇଥିଲେ ଏହି ଘଟନାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଆନ୍ତାଣି । ମାତ୍ର ଆମ ରାଜ୍ୟର ଅବସ୍ଥା ଦାନ୍ତୁରୀର ହସ କାନ୍ଦ ପରି ସମାନ । ୧୮୭୬ରେ ଜନ୍‌ ବିମ୍‌ସ ଓଡ଼ିଆଙ୍କ ସମ୍ବନ୍ଧରେ ଯାହା ଲେଖି ଯାଇଥିଲେ ଆଜି ସୁଦ୍ଧା ତହିଁରେ କିଛି ପରିବର୍ତନ ହୋଇନାହିଁ । ସେ ଲେଖିଥିଲେ ଯେ ଓଡ଼ିଆମାନେ ବାସ୍ତବ କ୍ଷେତ୍ରରେ ବିଦ୍ରୋହ ଉଦ୍‌ଗାରଣ କରିବା ବିଷୟରେ ଖୁବ୍‌ ଭୟାଳୁ । ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ରମାକାନ୍ତ ରଥଙ୍କ ଭିନ୍ନ ଅନ୍ୟ କାହାରି ପ୍ରତିକ୍ରିୟା ଏହି ଲେଖକର ଦୃଷ୍ଟିକୁ ଆସିନାହିଁ । କେହି କେହି ଏହାକୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ବ୍ୟବସ୍ଥା ପ୍ରତି ଅଟଳ ବିଶ୍ୱାସ ବୋଲି ଅଭିହିତ କରିପାରନ୍ତି, କେତେକ ମନେ କରିପାରନ୍ତି ଯେ ସଂଖ୍ୟାଧିକ ଲୋକଙ୍କର ଏ କଥା ନେଇ କୌଣସି ଆଗ୍ରହ ନାହିଁ । ତାଙ୍କ ପାଇଁ ଶ୍ରୀ ମନ୍ଦିରରୁ ପଥର ଖସିଲେ କି ଭୋଗ ମାରା ହେଲେ କୌଣସି ଫରକ ପଡ଼େ ନାହିଁ । ଆଉ କେତେଜଣ ହୁଏତ ଏଭଳି ଅଘଟନ ଦେଖି ଦେଖି ଉଦାସୀନ ହୋଇ ପଡ଼ିଲେଣି । ସେହି ଦୃଷ୍ଟିରୁ ପାଟି ଫିଟାଇବାକୁ ଚାହୁଁ ନାହାନ୍ତି । ସେ ଯାହାହେଉ, ଏ ପ୍ରକାର ଉଦାସୀନତା ଶୁଭଙ୍କର ନୁହେଁ ।

 

୧ ତାରିଖ ଘଟଣା ଏହିପରି । ସେଦିନ ପଲ୍‌ ରୋଡିଗର ନାମଧ୍ୟେୟ ଜଣେ ଆମେରିକା ବାସିନ୍ଦା ତାଙ୍କର ଦୁଇ ହିନ୍ଦୁ ବନ୍ଧୁ ଭି. କେ. ଶୁକ୍ଳା ଏବଂ ଏ. ସାକ୍ସେନାଙ୍କ ସାଙ୍ଗରେ ଶ୍ରୀ ମନ୍ଦିର ଭିତରକୁ ପଶି ଯାଇଥିଲେ । ଆମେ ଶ୍ରୀଜଗନ୍ନାଥଙ୍କୁ ଯେଉଁ ଜଗତର ନାଥ ବୋଲି କହୁ, ସେହି ଜଗତଟି ହିନ୍ଦୁ ସମାଜ ଭିତରେ ହିଁ ସୀମାବଦ୍ଧ ବୋଲି ଭାବି ନେଇଛୁ । ତେଣୁ ଅନ୍ୟ ଧର୍ମାବଲମ୍ବୀଙ୍କୁ ଶ୍ରୀମନ୍ଦିର ମନା । ତେବେ ସେମାନେ ଭିତରକୁ ଯିବେ କି ନାହିଁ ସେ ଏକ ଭିନ୍ନ ପ୍ରସଙ୍ଗ ଏବଂ ସେକଥା ଏଠି ଆଲୋଚନା କରାଯାଉ ନାହିଁ । ଏହି ଆମେରିକୀୟ ଭଦ୍ରବ୍ୟକ୍ତି ଜଣକ, ଶ୍ରୀମନ୍ଦିର ଏକ ରକ୍ଷଣଶୀଳ ହିନ୍ଦୁ ମନ୍ଦିର ବୋଲି ଜାଣିଥିଲେ ନା ଜାଣି ନଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ-। ଆମର ମନେହୁଏ, ସେ ଜାଣିନଥିଲେ । କାରଣ ଇଚ୍ଛାକୃତ ଭାବେ ଅପରାଧ କରିଥିଲେ, ତାଙ୍କୁ ଯେତେବେଳେ ରତ୍ନ ସିଂହାସନ ପାଖରେ ତାଙ୍କର ଗୋତ୍ର କ’ଣ ବୋଲି ପଚରାଗଲା ସିଏ କିଛି ଗୋଟାଏ ଗୋତ୍ର ନାମ ଯଥା କାଶ୍ୟପ କି ଭରଦ୍ୱାଜ କହି ଦେଇ ଖସି ଯାଇଥାଆନ୍ତେ । କାରଣ ସେତେବେଳକୁ ସେ ରତ୍ନ ସିଂହାସନ ପାଖରେ ପହଞ୍ଚି ତିନି ଠାକୁରଙ୍କୁ ଦର୍ଶନ କରି ସାରିଥିଲେ । ସେହି କାରଣରୁ ଭାବୁଛି, ସେ ଏହି ମନ୍ଦିରର ନିୟମ ବିଷୟରେ ଜାଣି ନଥିଲେ । କେତେକ ସମ୍ବାଦପତ୍ରରେ ବାହାରିଛି ଯେ ଏହି ତିନି ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିରର ଜଣେ ସେବକ ଦର୍ଶନ କରାଇବାକୁ ନେଇଥିଲେ । ଯଦି ଏକଥା ସତ ହୋଇଥାଏ, ତାହାହେଲେ ସେହି ସେବକଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯିବା କଥା । କାରଣ ତାଙ୍କର ଅସାବଧାନତା ବା ଅର୍ଥଲୋଭ ଯୋଗୁଁ ଏତେ ବଡ଼ ଅଘଟନ ଘଟିଲା ।

 

ମୂଳ ପ୍ରସଙ୍ଗକୁ ଆସୁଛି । ଏକ ତାରିଖ ଅପରାହ୍‌ଣ ୨ଟା ୭ ମିନିଟ୍‌ରେ ବିଦେଶୀ ଜଣେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା କଥା ଜଣାପଡ଼ିବା ପରେ ମନ୍ଦିର ପରିସରରେ ଚହଳ ପଡ଼ିଗଲା । ତା’ପରେ ସବୁ ରୀତିନୀତି ବନ୍ଦ ହେଲା । ସେତେବେଳକୁ ତିନି ଠାକୁରଙ୍କ ଭୋଗ ବେଳ କେତେକ ସେବକ କହିଲେ ଭୋଗ ମାରା ହୋଇଗଲା, ତାହା ଆଉ ପ୍ରସାଦ ପଦବାଚ୍ୟ ନୁହେଁ । ଏହି କଥାକୁ ଅଳ୍ପ କେତେଜଣ ବିଚାରବନ୍ତ ସେବକ ପ୍ରତିବାଦ କରିଥିଲେ । ସେମାନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ହେଉଛନ୍ତି ଭିତରଛୁ ମହାପାତ୍ର । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ତାଙ୍କ ନିର୍ଦେଶ ସର୍ବମାନ୍ୟ । ସେ କହିଥିଲେ ଯେ ବିଦେଶୀ ଭକ୍ତ ପ୍ରବେଶ କଲାବେଳକୁ ରୋଷଘରୁ ଭୋଗ ବାହାରି ନଥିଲା । ତେଣୁ ଏହାକୁ ପୋତିବାର କୌଣସି ଯୁକ୍ତି ନାହିଁ । ମାତ୍ର ଅନ୍ୟ ପୂଜାପଣ୍ଡା ଓ ସୁଆରଙ୍କ ଦାବି ଆଗରେ ତାଙ୍କର ମତ ନ୍ୟୁନ ହୋଇଗଲା । ଅଠର ଘଣ୍ଟାର ବାଦାନୁବାଦ ପରେ ମନ୍ଦିର ପ୍ରଶାସନର ନିର୍ଦେଶ ମୁତାବକ ୫ ଲକ୍ଷ ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ପ୍ରସାଦ ଆବର୍ଜନା ଫିଙ୍ଗିଲା ପରି ଫିଙ୍ଗି ଦିଆଗଲା । କେବଳ ସେତିକି ନୁହେଁ ସେଦିନ ଅପରାହ୍‌ଣ ୨ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ଠାକୁରଙ୍କର ସବୁ ରୀତିନୀତି ବନ୍ଦ ହେଲା । ଭକ୍ତମାନଙ୍କ ଭାଷାରେ, ଦିଅଁ ଭୋକ ଉପାସରେ ରହିଲେ ।

 

ଯେଉଁ ସେବକମାନେ କହୁଛନ୍ତି ଯେ ଜଣେ ବିଧର୍ମୀ ଲୋକ ପ୍ରବେଶ କରିବା ଦ୍ୱାରା ଭୋଗ ମାରା ହୋଇଗଲା, ସେମାନେ ଶ୍ରୀମନ୍ଦିରର ଚଟାଣ ଏବଂ ରତ୍ନବେଦୀକୁ କେବଳ ଜଳଶୋଧନ ଦ୍ୱାରା କିଭଳି ପୁନଃପବିତ୍ର କରିପାରିଲେ ? କାରଣ ତାହାକୁ ପରିବର୍ତନ କିମ୍ବା ତ୍ୟାଗ କରାଯାଇ ପାରିବ ନାହିଁ । ଅଥଚ ଯେଉଁ ଭୋଗ ହାଣ୍ଡିକୁ ସେ ଆଦୌ ଛୁଇଁ ନଥିଲେ କି ଦେଖି ନଥିଲେ ତାହାକୁ ଅପବିତ୍ର ମଣି ଫିଙ୍ଗି ଦିଆଗଲା । ତା’ର କାରଣ ସେହି ଆର୍ଥିକ କ୍ଷତି ମନ୍ଦିର ପ୍ରଶାସନ ପୁଣି ଭରଣା କରିଦେବ । ଧର୍ମ ରହିଲା, ଅର୍ଥ ବି ରହିଲା । ତା’ ସାଙ୍ଗକୁ ମୁଷ୍ଟିମେୟ ସେବକଙ୍କର ଜିଦ୍‌ ବି ରହିଲା । ଅଥଚ ଶ୍ରୀମନ୍ଦିର ଭିତରକୁ ବିଦେଶୀ ଭକ୍ତ ପଶିବା ଏହି ପ୍ରଥମ ନୁହେଁ । ଏହା ଆଗରୁ ୧୯୬୨, ୧୯୭୨ ଏବଂ ୧୯୮୫-୮୬ରେ ମଧ୍ୟ ବିଦେଶୀ ଭକ୍ତ ମନ୍ଦିରକୁ ଯାଇଥିଲେ ବୋଲି ଏବେ ବିଭିନ୍ନ ଖବର କାଗଜରେ ବାହାରୁଛି । ମାତ୍ର ସେତେବେଳେ ଅହ୍ମୁଣିଆ ପ୍ରସାଦ ପୋତା ଯାଇ ନଥିଲା ।

 

ଶ୍ରୀମନ୍ଦିରର ପୂଜାବିଧି କିମ୍ବା ତା ପଛର ଆଧ୍ୟାତ୍ମିକ ଦର୍ଶନ ସମ୍ପର୍କରେ ଆଲୋଚନା ଏହି ଲେଖକର ଉଦ୍ଦେଶ୍ୟ ନୁହେଁ । କେବଳ ଗୋଟିଏ ନମ୍ର ପ୍ରଶ୍ନ, ସାତହଜାର ଲୋକଙ୍କ କ୍ଷୁଧା ମେଣ୍ଟାଇବା ଲାଗି ଉଦ୍ଦିଷ୍ଟ ଭୋଗତକ ଆବର୍ଜନା ଭଳି ଫିଙ୍ଗି ଦେବା କି ପ୍ରକାର ମାନସିକତାର ପରିଚୟ ଦେଲା ? ଯେଉଁ ଶ୍ରୀମନ୍ଦିର ନୀଳାଚଳ ଉପବନରେ ଏସବୁ ଫିଙ୍ଗି ଦିଆଗଲା, ସେଇ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ କ୍ଷୁଧା, ତୃଷା ଏବଂ ଅସହାୟତାର ଭିଡ଼ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତେ ଦେଖୁଛନ୍ତି । ଆମ ବିଶ୍ୱାସରେ ଯାହା ଦିଅଁଯୋଗ୍ୟ ତାହା ପ୍ରସାଦ ବା ମହାପ୍ରସାଦ । ଯାହା ସାଧାରଣ ଲୋକର ଭୋଜ୍ୟ ତାହା ଭାତ । ଯଦି ଏହି କୁଡୁଆ କୁଡୁଆ ଅନ୍ନ, ଡାଲି, ମହୁର, ବେସର ଭୋଗ ପଦବାଚ୍ୟ ନହେଲା ତାହାହେଲେ ଠିକ୍‌ ଅଛି । ତାହା ତ ଭାତ, ଡାଲି ତରକାରି ଭାବେ ଭୋକିଲା ମଣିଷଙ୍କୁ ବିତରଣ କରି ଦିଆଯାଇ ପାରିଥାନ୍ତା । ଯେଉଁ ଦେଶର ଭକ୍ତମାନେ ନିଜର ମନସ୍କାମନା ପୂରଣ ପାଇଁ ଆଖିବୁଜି ପାଣି ଭିତରୁ ଦରାଣ୍ଡି ଅଖାଦ୍ୟ ଖାଇ ଦେଉଛନ୍ତି, ଭୋଗ ଏବଂ ପାଦୁକା ନାମରେ ମୁହଁରେ ଦେବାର ଯୋଗ୍ୟତା ନଥିବା ପାଣି ପଣା ପିଇ ଯାଉଛନ୍ତି ସେଠାରେ ଶ୍ରୀମନ୍ଦିରର ରୋଷଘରେ ସଯତ୍ନେ ରନ୍ଧା ଖାଦ୍ୟକୁ ଆବର୍ଜନା ବୋଲି ଧରାଗଲା କାହିଁକି ? ମହାପ୍ରସାଦର ଅମୃତତ୍ୱ କ’ଣ ଏତେ ଦୁର୍ବଳ ଯେ ତେଣେ କିଏ ଜଣେ ମନ୍ଦିର ହତାରେ ପଶୁ ପଶୁ, ଏପଟେ ରୋଷଘରେ ଥିବା ଭୋଗ ସବୁ ସାଙ୍ଗେ ସାଙ୍ଗେ ମାରା ହୋଇଗଲା ?

 

ଦ୍ୱିତୀୟ ପ୍ରଶ୍ନଟି ହେଲା, ଏଠାରେ ଦୋଷ କଲେ ବିଦେଶୀ ଭକ୍ତ । ସେ ଦୋଷ ପାଇଁ ସ୍ୱୟଂ ଶ୍ରୀ ଜଗନ୍ନାଥ ଓ ତାଙ୍କର ଭକ୍ତମାନେ କାହିଁକି ଦଣ୍ଡିତ ହେବେ ? ସେମାନେ କାହିଁକି ଭୋକରେ ରହିବେ ? ଏହା କି ପ୍ରକାର ନ୍ୟାୟ ? ଆମର ଏହି ପ୍ରକାର ଚିନ୍ତାଧାରା ଯୋଗୁଁ ଆମେ ଉପହସିତ ହେବା ସାର ହେଉଛି ! ଏ ପର୍ଯ୍ୟନ୍ତ ଆମ ଶ୍ରୀମନ୍ଦିରରେ ଯାତ୍ରୀମାନଙ୍କ ପ୍ରତି ପଣ୍ଡା, ପଢ଼ିଆରୀମାନେ ଭଲ ବ୍ୟବହାର ଦେଖଉନଥିବା କଥା ଚର୍ଚ୍ଚା ହେଉଥିଲା । କତିପୟ ନିମ୍ନରୁଚିର ଲୋକଙ୍କ ବ୍ୟବହାର ଯୋଗୁଁ ଅନେକ ଭଦ୍ରବ୍ୟକ୍ତି ଏବଂ ଭଦ୍ରମହିଳା ବିମର୍ଷ ଚିତ୍ତରେ ଶ୍ରୀମନ୍ଦିରରୁ ବାହୁଡ଼ି ଆସିଛନ୍ତି । ଗତ ୪ ତାରିଖରେ ଶହ ଶହ ଆଦିବାସୀ ମହିଳାଙ୍କୁ ସାଙ୍ଗରେ ଧରି ଆସିଥିବା ରାୟଗଡ଼ାର ସଂଯୁକ୍ତା ଦାସଙ୍କୁ ମନ୍ଦିର ଭିତରେ ତଣ୍ଟିଆ ମରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କର ଅପରାଧ ଥିଲା ଯେ ସେ ପୂଜକଙ୍କ ଖୁସି ମୁତାବକ ଦକ୍ଷିଣା ଦେଇ ପାରିଲେ ନାହିଁ । ଏଣିକି ମହାପ୍ରସାଦ ପୋତା ଅଘଟନ ସେଥିରେ ଯୋଡ଼ି ହୋଇଗଲା ।

 

କିଛି ମାସ ତଳେ କଟକ ସହରର ଦୁଗ୍‌ଧ ଉତ୍ପାଦକ ସଂଘର କିଛି ସଦସ୍ୟ ଏହି ପ୍ରକାର ଏକ ପଦକ୍ଷେପ ନେଇ ସମାଲୋଚିତ ହୋଇଥିଲେ । ତାଙ୍କ କ୍ଷୀରର ମୂଲ୍ୟ ବଢ଼ା ନ ଯିବାରୁ ତା’ର ପ୍ରତିବାଦ ସ୍ୱରୂପ ସେମାନେ ପ୍ରଚୁର ପରିମାଣର କ୍ଷୀର କାଠଯୋଡ଼ି ପାଣିରେ ଆଣି ଢାଳି ଦେଇଥିଲେ । ଶ୍ରୀମନ୍ଦିରର ଘଟନା ତାହାକୁ ମଧ୍ୟ ବଳିଗଲା । ଆମର ମନେ ରଖିବା ଉଚିତ ଯେ ଖାଦ୍ୟ ଉପରେ ଅଧିକାର ଭୋକର, ଭୋକିଲା ମଣିଷର । ଯେ ପର୍ଯ୍ୟନ୍ତ ଆମେ ମଣିଷର ଭୋକକୁ ଦୂରେଇ ପାରିନାହୁଁ ସେ ପର୍ଯ୍ୟନ୍ତ ଆମର ଭାର ଭାର ଖାଦ୍ୟ ଫିଙ୍ଗାଫୋପଡ଼ା କରିବାର ଅଧିକାର ନାହିଁ । ଦରିଦ୍ରର ସାଥୀ ଜଗନ୍ନାଥ । ଏଠାରେ ଚଣ୍ଡାଳୁଣୀ ଘରକୁ ଯାଇଥିବା ଲକ୍ଷ୍ମୀଙ୍କୁ ଅପମାନ ଦେଇ ସ୍ୱୟଂ ଶ୍ରୀ ଜଗନ୍ନାଥ ହଟହଟା ହୋଇଥିଲେ । ଦାସିଆ ବାଉରୀର ନଡ଼ିଆ ପାଇଁ ପ୍ରଭୁ ନିଜେ ହାତ ବଢ଼େଇ ଦେଇଥିଲେ । ସାଲବେଗଙ୍କ ପାଇଁ ଅଟକି ଯାଇଥିଲା ରଥ । ଏତେ ବାଗରେ ଓ ଏତେ ବାଟରେ ଜଗନ୍ନାଥ ତାଙ୍କର ପୂଜକ ଓ ଭକ୍ତମାନଙ୍କୁ ଏସବୁ ବୁଝେଇ ସାରିବା ପରେ ସୁଦ୍ଧା ସେମାନେ ତାହା ନ ବୁଝି ଧର୍ମର ଭିନ୍ନ ବ୍ୟାଖ୍ୟା କରିବା ଧର୍ମାନ୍ଧତା ଭିନ୍ନ କିଛି ନୁହେଁ । ଏହା ଏ ପ୍ରକାର ଶେଷ ଅଘଟନ ହେଉ ଏବଂ ଆଉ କେବେ ଯେମିତି ଏହାର ପୁନରାବୃତ୍ତି ନ ହେବ ସେଥିପାଇଁ ଗଜପତିଙ୍କଠାରୁ ପୂଜକ, ପ୍ରଶାସନ ଏବଂ ବୁଦ୍ଧିଜୀବୀ ସମସ୍ତେ ଉଦ୍ୟମ କରନ୍ତୁ । ତାହା ନହେଲେ ଯେଉଁ ଜଗନ୍ନାଥଙ୍କ ନାଁ ନେଇ ଏସବୁ କରାଯାଉଛି, ସେ କଦାପି କ୍ଷମା ଦେବେ ନାହିଁ ।

 

ସମ୍ବାଦ, ୭ ମାର୍ଚ, ୨୦୦୭

Image

 

ଓଡ଼ିଶାକୁ କିଏ କାହିଁକି ଆସିବ ?

 

ଆଣ୍ଡାମାନ୍‌ ନିକୋବର ଦ୍ୱୀପପୁଞ୍ଜରେ ଅବସ୍ଥିତ ଏକ କଲେଜର ଇଂରାଜୀ ଅଧ୍ୟାପକ ଅଶୋକ ଶର୍ମା । ତାଙ୍କ ପାରିବାରିକ ଜୀବନରେ ଅନେକ ଦୁଃଖ । ମାଆ ଛଡ଼ା ତାଙ୍କ ପରିବାରରେ କେହି ନାହାନ୍ତି । ତିନି ବର୍ଷ ବୟସ ହୋଇଥିବା ବେଳେ ବାପା ଚାଲିଯାଇଥିଲେ । ଉପର ଭାଇ ବି ଅନେକ ଦିନୁଁ ସ୍ୱର୍ଗବାସୀ । ଏଭଳି ପରିବାରର ଜଣେ ଯୁବକ ଭାଗ୍ୟବାଦୀ ଓ ଈଶ୍ୱର ବିଶ୍ୱାସୀ ହେବା ସ୍ୱାଭାବିକ । ଅଶୋକ ଶର୍ମା ବି ଈଶ୍ୱର ବିଶ୍ୱାସୀ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତାଙ୍କର ଗୋଟେ ସାକ୍ଷାତକାର ଥିଲା । ସେଇଟି ସାରି ସେ ପୁରୀ ଯାଇଥିଲେ ଜଗନ୍ନାଥଙ୍କୁ ସାକ୍ଷାତ କରିବା ପାଇଁ । ଘରୁ ଆସିବା ବେଳେ ମା’ ବାରମ୍ବାର କରି କହିଥିଲେ, ‘ଯେମିତି ହେଲେ ଶ୍ରୀଜଗନ୍ନାଥ ଧାମରୁ ମହାପ୍ରସାଦ ନେଇ ଆସିବୁ ।’

 

ଅଶୋକ ଶର୍ମା ପୁରୀରୁ ଭୁବନେଶ୍ୱରକୁ ଫେରିବା ପାଇଁ ଟ୍ୟାକ୍ସିଟିଏ ଯୋଗାଡ଼ କଲେ । ଟ୍ୟାକ୍ସିବାଲା ପ୍ରଥମେ ଭଡ଼ା ବାବଦକୁ ହଜାରେ ଟଙ୍କା ହାଙ୍କିଥିଲା । ତା’ପରେ ଖସି ଆସିଲା ପାଞ୍ଚଶହ ଟଙ୍କାକୁ । ଓଡ଼ିଶାର ଟ୍ୟାକ୍ସିବାଲାଙ୍କ ଉପରେ କୌଣସି ଅଙ୍କୁଶ ନାହିଁ । କାରଣ ବସ୍‌, ଟ୍ୟାକ୍ସି, ଅଟୋରିକ୍ସା ସମସ୍ତଙ୍କର ସଂଘ ଅଛି, ସଂଗଠନ ଅଛି, ମାତ୍ର ଯାତ୍ରୀଙ୍କର ନାହିଁ । ତେଣୁ ଅଟୋରିକ୍ସାବାଲାଏ ଯଦି କହିବେ, ଆମେ ମିଟର ଲଗାଇବୁ ନାହିଁ ତାହା ବି ଏଠି ମଞ୍ଜୁର । ଟ୍ୟାକ୍ସିବାଲା ଯଦି ଘଣ୍ଟାକୁ ଦୁଇ ଶହ ଟଙ୍କା ହାଙ୍କିବେ ତାକୁ ବାରଣ କରିବାକୁ କେହି ନାହିଁ । ପୁରୀରୁ ଫେରିବା ବାଟରେ ଉତ୍ତରା ଛକ ପାଖରେ ଡ୍ରାଇଭର ଖାଇବା ପାଇଁ ଅଟକିଲା । ଡ୍ରାଇଭର ତା’ ସାଙ୍ଗରେ ତା’ର ଜଣେ ସାଙ୍ଗକୁ ପୁରୀରୁ ଡାକି ଆଣିଥିଲା । ସେ ଦୁହେଁ ଖାଇଲେ ଓ ଅଶୋକ ଶର୍ମାଙ୍କୁ ଗୋଟେ କୋଲ୍‌ଡ ଡ୍ରିଙ୍କ୍‌ ପିଇବାକୁ ଦେଲେ । ସେଥିରେ ଯେ ନିଶା ମିଶିଛି ସେକଥା ଈଶ୍ୱରବିଶ୍ୱାସୀ ଅଶୋକ ଜାଣିପାରିଲେ ନାହିଁ । ନିଶା ମିଶା କୋଲ୍‌ଡ ଡ୍ରିଙ୍କ୍‌ ପିଇବା ପରେ ଅଶୋକ ଅନୁଭବ କଲେ ଯେ ତାଙ୍କର ତଣ୍ଟି ଶୁଖି ଯାଉଛି । ସେ ପିଇବା ଲାଗି ପାଣି ଲୋଡ଼ିଲେ । କିନ୍ତୁ ଧୂର୍ତ ଡ୍ରାଇଭର ଓ ତା’ର ସାଙ୍ଗ ପାଣି ଯୋଗାଡ଼ କରିଦେବେ କ’ଣ ତାଙ୍କୁ ଗାଡ଼ିରୁ ଘୋଷାରି ବାହାର କରିଦେଲେ । ତାଙ୍କ ଜିନିଷପତ୍ର ସବୁ ଛଡ଼େଇ ତାଙ୍କୁ ମାରଧର କଲେ ଓ ଅଧବାଟରେ ରାତିରେ ପକେଇ ଦେଇ ଚାଲି ଆସିଲେ ।

 

ଅନେକ ସମୟ ପରେ ଅଶୋକଙ୍କର ହୋସ୍‌ ଆସିଲା । ରାସ୍ତା ଅଣ୍ଡାଳି ସେ ଯାଇ କୋଣାର୍କରେ ପହଞ୍ଚିଲେ । ହାତରେ ଘଣ୍ଟା ନାହିଁ, ଟଙ୍କା ନାହିଁ, ପିନ୍ଧିବାକୁ ଲୁଗାପଟା ନାହିଁ । ସବୁଠୁ ଦୁଃଖର କଥା ହେଉଛି ଇଣ୍ଟର୍ଭ୍ୟୁ ପାଇଁ ନିଜର ପକେଟ୍‌ରେ ଯେଉଁ ଅରିଜିନାଲ୍‌ ସାର୍ଟିଫିକେଟ୍‌ଗୁଡ଼ିକ ଆଣିଥିଲେ, ସେଗୁଡ଼ିକୁ ମଧ୍ୟ ଦୁର୍ବୃତ୍ତ ନେଇ ପଳେଇଥିଲେ । କୋଣାର୍କରେ ପହଞ୍ଚିବା ପରେ ଜଣେ ସ୍ଥାନୀୟ ସମାଜସେବୀଙ୍କ ସହାୟତାରେ ସେ କୋଣାର୍କ ଥାନାରେ ଯାଇ ପହଞ୍ଚିଲେ । ମାତ୍ର ସେତିକିବେଳେ ନିର୍ବାଚନ ବେଳ । ପୋଲିସଙ୍କ ପାଖରେ ସମୟ ନାହିଁ । ଅଶୋକ ଶର୍ମା ଅପେକ୍ଷା କରି ରହିଲେ ।

 

ଏ ଘଟଣା ଗତ ସପ୍ତାହର ଖବରକାଗଜମାନଙ୍କରେ ବାହାରିଥିଲା । ଏହା ଭିତରେ ଅଶୋକ ଶର୍ମା ନିଜ ଘରକୁ ଫେରି ଯାଇଥିବା ପୁରୀ ଏସ୍‌.ପି.ଙ୍କ ସୂତ୍ରରୁ ଜଣାପଡ଼ିଛି । କିନ୍ତୁ ଧୂର୍ତ ଟ୍ୟାକ୍ସି ଡ୍ରାଇଭର ଓ ତା’ର ସାଙ୍ଗ ଧରାପଡ଼ି ନାହାନ୍ତି । ଆଣ୍ଡାମାନ୍‌ରେ ପହଞ୍ଚିବା ପରେ ଅଶୋକ ଶର୍ମାଙ୍କୁ ତାଙ୍କ ମା’ ‘ମହାପ୍ରସାଦ କାହିଁ’ ବୋଲି ପଚାରିଥିବେ । ଓଡ଼ିଶା କିପରି ଜାଗା ବୋଲି ବନ୍ଧୁମାନେ ମଧ୍ୟ ତାଙ୍କଠୁଁ ଜାଣିବାକୁ ଚାହିଁଥିବେ । ମାତ୍ର ସେ ସେମାନଙ୍କୁ କ’ଣ କହିଥିବେ ?

 

ଏହାର ଦୁଇଦିନ ପୂର୍ବରୁ ଆଉ ଗୋଟିଏ ଖବର ବାହାରିଥିଲା କେତେକ କାଗଜରେ - ଲିଙ୍ଗରାଜ ମନ୍ଦିର ଭିତରେ ଅସାମାଜିକ ଯୁବକଙ୍କ ରାଜୁତି । ଏ ପ୍ରକାର ସମ୍ବାଦ କେବଳ ଏବେ ନୁହେଁ, ବିଭିନ୍ନ ସମୟରେ ବାହାରେ । ଭୁବନେଶ୍ୱରରେ ରହୁଥିବା ଓ ଲିଙ୍ଗରାଜ ମନ୍ଦିର ଯାଉଥିବା ଅଧିକାଂଶ ଯାତ୍ରୀଙ୍କର ଏ ପ୍ରକାର ଘଟଣା ପ୍ରତ୍ୟକ୍ଷ କରିବାର ଦୁର୍ଭାଗ୍ୟ ହୁଏତ ହୋଇଥିବ । ଏହି ଲେଖକର ମଧ୍ୟ ହୋଇଛି । ଲିଙ୍ଗରାଜ ମନ୍ଦିର ଭିତରେ ଈଶ୍ୱରଙ୍କ ପାଖ ଲୋକ ବୋଲି ଦାବି କରୁଥିବା ମଣିଷମାନେ ବାହାରୁ ଆସିଥିବା ଯାତ୍ରୀମାନଙ୍କ ପ୍ରତି ଯେଉଁଭଳି ବ୍ୟବହାର ଦେଖାନ୍ତି, ପାଞ୍ଚ ଟଙ୍କା, ଦଶ ଟଙ୍କା ଲାଗି ଯୋଉଭଳି ଅଶ୍ଳୀଳ ଶବ୍ଦରେ ସେମାନଙ୍କୁ ପୋତିପକାନ୍ତି, ସେ ଦୃଶ୍ୟ ଦେଖିଲେ ଯେ କୌଣସି ସ୍ୱାଭିମାନୀ ଓଡ଼ିଆର ମୁହଁ ଲଜ୍ଜାରେ ତଳକୁ ହୋଇଯିବ ।

 

ପୁରୀର ଶ୍ରୀମନ୍ଦିର ଓଡ଼ିଶାର ସବୁଠୁ ବଡ଼ ପର୍ଯ୍ୟଟନ କ୍ଷେତ୍ର । ଯିଏ ଯାହା ପରିସଂଖ୍ୟାନ ଦିଅନ୍ତୁ ନା କାହିଁକି, ଶ୍ରୀଜଗନ୍ନାଥ ମନ୍ଦିର ଯୋଗୁଁ ଯେତିକି ଯାତ୍ରୀ ବାହାରୁ ଆସୁଛନ୍ତି, ଅନ୍ୟ କୌଣସି ସ୍ଥାନ ଯୋଗୁଁ ସେତିକି ଆସୁନାହାନ୍ତି । ଗୋଟିଏ ମନ୍ଦିର ଓ ଚିରୁଡ଼ାଏ ସମୁଦ୍ରକୂଳ ଅଛି ବୋଲି ପୁରୀର ଅର୍ଥନୀତି ବଞ୍ଚିଛି । ବାହାରୁ ଯାତ୍ରୀମାନେ ଆସୁଛନ୍ତି, ପଣ୍ଡା ପଢ଼ିଆରୀଙ୍କଠାରୁ ହୋଟେଲ୍‌ ପର୍ଯ୍ୟନ୍ତ ସବୁ ତାଙ୍କରି ଅର୍ଥରେ ପୁଷ୍ଟ ହେଉଛନ୍ତି । ମାତ୍ର ସେହି ଯାତ୍ରୀମାନଙ୍କୁ ଏଠି କି ପ୍ରକାର ବ୍ୟବହାର ମିଳିଥାଏ ! ଶ୍ରୀମନ୍ଦିର ଭିତରେ ଝିଅବୋହୂମାନଙ୍କୁ, ସରଳ ଭକ୍ତମାନଙ୍କୁ ଯେଉଁ ପରି କିଲିବିଲି କରାଯାଏ, ତାକୁ ଅଙ୍ଗେ ନିଭେଇଥିବା ଲୋକ ସେକଥା ଜୀବନଯାକ ଭୁଲିପାରିବ ନାହିଁ । ଅଥଚ ପୁରୀ ମନ୍ଦିରର ଥାଟପାଟ ସେଇ ସାଧାରଣ ଭକ୍ତଜନଙ୍କ ପାଇଁ ତିଷ୍ଠି ରହିଛି; ନାଲିବତି ଗାଡ଼ିର ମହାମହିମ ମନ୍ତ୍ରୀ ବା ପ୍ରଭାବଶାଳୀ ଯନ୍ତ୍ରୀ, ହାକିମହୁକୁମାଙ୍କ ପାଇଁ ନୁହେଁ । ଏହି ଲେଖକ ଅନେକବାର ପ୍ରତ୍ୟକ୍ଷ କରିଛି, ଠାକୁରଙ୍କ ସାମ୍ନାରେ ପହେଲମ୍ୟାନ୍‌ ମୁଦ୍ରାରେ ଛିଡ଼ା ହୋଇଥିବା ଜଣେ ଜଣେ ପୂଜାରୀ ଭକ୍ତଙ୍କ ବେକ ଧରି ଘୋଷାଡ଼ି ନିଅନ୍ତି, ପକା ଏଠି.. କହି ଏକପ୍ରକାର ବଳାତ୍କାର କରନ୍ତି । ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଯାତ୍ରୀଙ୍କ ସହ କଥାବାର୍ତ୍ତା କରିବାର ଅବକାଶ ବି ଆସିଛି କେତେଥର । ସେମାନଙ୍କ ଆଖିରେ ଲୁହ, ଛାତି ଭିତରେ ଅପମାନର ଜ୍ୱାଳା, ଅନ୍ତରରେ କ୍ଷୋଭ । ଥମ ଥମ ମୁହଁରେ ସେମାନେ ମନର ଦୁଃଖକୁ ମନରେ ରଖି ଚାଲିଯାଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏକଥା ବି କହିଛନ୍ତି, ପୁଣି କେବେ ଯଦି ଆସିବାକୁ ପଡ଼େ, ଏଇ ଅରୁଣସ୍ତମ୍ଭ ପାଖରୁ ପଛେ ପତିତପାବନଙ୍କ ଦର୍ଶନ କରି ଫେରିଯିବେ, କିନ୍ତୁ ମନ୍ଦିର ଭିତରକୁ ପଶିବେ ନାହିଁ ।

 

ଏ ସମସ୍ୟା ନେଇ ଖବରମାନ ବାରମ୍ବାର ଖବରକାଗଜରେ ବାହାରୁଛି । ପ୍ରତ୍ୟହ ପ୍ରଶାସକ, ମନ୍ତ୍ରୀ, ସାଂସଦ ଓ ବିଧାୟକ ମନ୍ଦିରକୁ ଯାଉଛନ୍ତି । ନିର୍ବାଚନ ସମୟ ଆସିଲେ ସବୁ ରାଜନୈତିକ ଦଳ ସିଂହଦ୍ୱାରରୁ ନିର୍ବାଚନ ପ୍ରଚାର ଆରମ୍ଭ କରୁଛନ୍ତି । ସେମାନେ ସମସ୍ତେ ସବୁ ଜାଣୁଛନ୍ତି ମାତ୍ର ତା’ର ପ୍ରତିକାର ହେଉନାହିଁ । ଏହି ଲେଖକ କେରଳ, ତାମିଲନାଡୁ, ଗୁଜୁରାଟ, ମହାରାଷ୍ଟ୍ର ପ୍ରଭୃତି ବିଭିନ୍ନ ରାଜ୍ୟର ବହୁ ମନ୍ଦିରକୁ ଯିବାର ସୁଯୋଗ ପାଇଛି । ଓଡ଼ିଶାର ହଜାର ହଜାର ଲୋକ ପ୍ରତ୍ୟହ ସେସବୁ ତୀର୍ଥ ଜାଗାକୁ ଯାଉଛନ୍ତି । ମାତ୍ର ଏଭଳି ଅଶ୍ଳୀଳ, ଆପତ୍ତିଜନକ ବ୍ୟବହାର ସେମାନେ କେଉଁଠାରେ ହେଲେ ବି ଦେଖି ନଥିବେ, ଅନ୍ତତଃ ଏହି ଲେଖକ ଦେଖିନାହିଁ । ତାହାହେଲେ ପର୍ଯ୍ୟଟକମାନେ ଓଡ଼ିଶାକୁ କାହିଁକି ଆସିବେ ? ଏଇଥିପାଇଁ ଆସିବେ ଯେ, ଉଡ଼ାଜାହାଜ, ଟ୍ରେନ୍‌ କି ବସ୍‌ରୁ ଓହ୍ଲାଉ ଓହ୍ଲାଉ ଟ୍ୟାକ୍ସି ଡ୍ରାଇଭର୍‌ର ଠକାମିର ଶିକାର ହେବେ ? ମନ୍ଦିର ଭିତରେ ଅପମାନିତ ହେବେ ? ସାଧାରଣ ଲୋକଙ୍କ ଠାରୁ ନେଇ ପ୍ରଶାସନ ପର୍ଯ୍ୟନ୍ତ ସବୁରି ଉଦାସୀନତାର ପ୍ରତ୍ୟକ୍ଷଦର୍ଶୀ ଅନୁଭବ ସଂଗ୍ରହ କରିବେ ?

Image

 

ଓଡ଼ିଆମାନେ କ’ଣ କୃପଣ ?

 

କିଛି ମାସ ତଳେ କଟକର ‘ୟୁନିଭର୍ସ’ଠାରେ ଗୋଟିଏ ସଭା ହୋଇଥିଲା । ସେ ସଭାରେ ଯୋଗ ଦେଇଥିବା ଜଣେ ବିଶିଷ୍ଟ ବ୍ୟକ୍ତି ଏକଥା କହି କ୍ଷୋଭ ପ୍ରକାଶ କରିଥିଲେ ଯେ, ଇଂଲଣ୍ଡ କି ଆମେରିକା ଗଲେ ମଧ୍ୟ ଓଡ଼ିଆ ଲୋକଙ୍କ ମନ ବଦଳୁ ନାହିଁ । ସେମାନେ କୃପଣ ଓ ସଂକୀର୍ଣ୍ଣମନା । ରେଭେନ୍‌ସା କଲେଜର ବିକାଶ ନିମିତ୍ତ ଏକ ଟ୍ରଷ୍ଟ୍‌ ଗଠନ କରାଯାଇଥିଲା । ସେ ଟ୍ରଷ୍ଟ୍‌କୁ ସାହାଯ୍ୟ କରିବା ପାଇଁ ବହୁ ପ୍ରବାସୀ ଓ ପ୍ରାକ୍ତନ-ରେଭେନ୍‌ସା ଛାତ୍ରଛାତ୍ରୀଙ୍କୁ ନିବେଦନ କରାଯାଇଥିଲା । ମାତ୍ର ଅଧିକାଂଶ ଉତ୍ତର ଦେଲେ ନାହିଁ । କେତେକ ଏ କଥାଟିକୁ ଏତେ ହାଲୁକା ଭାବରେ ନେଲେ ଯେ, ସେମାନେ ପାଞ୍ଚ ଡଲାର ବା ଦଶ ଡଲାରର ଗୋଟିଏ ଲେଖାଏଁ ଚେକ୍‌ ପଠେଇ ଦେଇ ନିଜ ଦାୟିତ୍ୱ ତୁଟେଇଦେଲେ ।

 

ଏ ଖବର ଶୁଣିବା ଲୋକର ମନ ଦୁଃଖ ହେବା ସ୍ୱାଭାବିକ । ଓଡ଼ିଶାର ରେଭେନ୍‌ସା ଓ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ୍‌ କଲେଜ ପରି ଶିକ୍ଷାନୁଷ୍ଠାନର ଅବଦାନ ଆକଳନ କରାଯାଇ ପାରିବ ନାହିଁ । ଆମେରିକାର ଜଣେ କଲେଜ ଛାତ୍ର ପାଇଁ ତା’ ବାପା ମାଆଙ୍କୁ ବାର୍ଷିକ ଚାଳିଶ ହାଜର ଡଲାର ଖର୍ଚ କରିବାକୁ ପଡ଼ିଥାଏ । ଚାଳିଶ ହଜାର ଡଲାରର ଏବର ବିନିମୟ ଟଙ୍କା ମୂଲ୍ୟ ପ୍ରାୟ ୧୬ ଲକ୍ଷ ଟଙ୍କା । ଅଥଚ ଓଡ଼ିଶାର ରେଭେନ୍‌ସା କଲେଜରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ଛାତ୍ର ପାଇଁ ବା କଟକ ମେଡିକାଲ କଲେଜରୁ ଡାକ୍ତରୀ ଡିଗ୍ରୀ ସଂଗ୍ରହ କରିଥିବା ଛାତ୍ରଙ୍କୁ ଲକ୍ଷେ ଟଙ୍କା ସୁଦ୍ଧା ଖର୍ଚ କରିବାକୁ ପଡ଼ିଥିବ କି ନାହିଁ ସନ୍ଦେହ । ତା’ ସତ୍ତ୍ୱେ ନିଜ ଶିକ୍ଷାନୁଷ୍ଠାନକୁ ସାହାଯ୍ୟ କରିବା ପାଇଁ ଏତେ କୁଣ୍ଠା ଓ କାର୍ପଣ୍ୟ କାହିଁକି ?

 

ଏହି ସଭାର ଆଲୋଚ୍ୟ ବିଷୟ ମନରେ ଥିବା ବେଳେ ବାଣୀବିହାର ହଷ୍ଟେଲ୍‌ରେ ଥିବା ଲାବଣ୍ୟ ପଟ୍ଟନାୟକଙ୍କ ମସ୍ତିଷ୍କ ଜ୍ୱରରେ ମରିଯିବା ଖବର ଶୁଣିବାକୁ ମିଳିଲା । ଲାବଣ୍ୟ ପଟ୍ଟନାୟକଙ୍କ ବୟସ କୋଡ଼ିଏ କି ଏକୋଇଶ ହୋଇଥିବ । ମାଲକାନଗିରିରୁ ଆସି ବାଣୀବିହାରରେ ପଢୁଥିଲେ । ଖୁବ୍‌ ମେଳାପୀ ଓ ମେଧାବୀ ଛାତ୍ର । ଅଥଚ ହଷ୍ଟେଲ୍‌ର ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ତାଙ୍କର ଏ ଦୁର୍ଦଶା ହେଲା । ତାଙ୍କ ଆଗରୁ ମାସକ ତଳେ ଆଉ ଜଣେ ପିଲାଙ୍କର ବି ଏଠି ମୃତ୍ୟୁ ଘଟିଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସର୍ବ ପ୍ରଥମ ବିଶ୍ୱବିଦ୍ୟାଳୟ ଏବଂ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଏହି ଅନୁଷ୍ଠାନ ଗଢ଼ିଉଠିଛି । ଯଦି ଏଠିକା ପରିବେଶର ଏହି ଅବସ୍ଥା, ତାହା ହେଲେ ଅନ୍ୟ ବିଶ୍ୱବିଦ୍ୟାଳୟ ପରିସରରେ କି ପ୍ରକାର ଅବସ୍ଥା ହୋଇଥିବ, ତାହା ସହଜରେ ଅନୁମେୟ ।

 

ଏ ପରିସ୍ଥିତିର କିପରି ସଂସ୍କାର ଆସିବ ? କର୍ତ୍ତୃପକ୍ଷ ଉଦାସୀନ, ସରକାରଙ୍କ ପାଖେ ପାଣ୍ଠି ନାହିଁ ଓ ଜନସାଧାରଣ କୃପଣ । ଏତିକିବେଳେ ‘ଆଉଟ୍‌ଲୁକ୍‌’ ପତ୍ରିକାର ଗତ ଜୁନ୍‌ ସଂଖ୍ୟାରେ ପ୍ରକାଶ ପାଇଥିବା ଗୋଟିଏ ଖବର କଥା ମନେ ପଡ଼ିଥିଲା । ଖବରଟି ଥିଲା, ‘ଇନ୍‌ଫୋସିସ୍‌’ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ନାନ୍ଦନ ନିଲେକାନୀ ବମ୍ବେ ଆଇ.ଆଇ.ଟି.ରେ ଏକଦା ଛାତ୍ର ଥିଲେ । ଏବେ ସେ ତାଙ୍କର ପୁରୁଣା ଓ ପ୍ରିୟ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ କିଛି ସାହାଯ୍ୟ ଦେବାକୁ ଚାହିଁଲେ । ସେ ସାହାଯ୍ୟ ପରିମାଣ କେତେ ଟଙ୍କା ହୋଇଥିବ ? ଶ୍ରୀଯୁକ୍ତ ନିଲେକାନୀ ବମ୍ବେ ଆଇ.ଆଇ.ଟି.କୁ ୫ କୋଟି ୬୦ ଲକ୍ଷ ଟଙ୍କା ଚାନ୍ଦା ଦେଇଥିଲେ । ଖବରଟି ସେତିକିରେ ସରି ନଥିଲା । ସେଥିରେ ଏକଥା ବି ପ୍ରକାଶ ପାଇଥିଲା ଯେ ଇନ୍‌ଫୋସିସ୍‌ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମୂର୍ତ୍ତିଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଧା ମୂର୍ତ୍ତି ମଧ୍ୟ ୩୦ଟି ହଷ୍ଟେଲ୍‌ ରୁମ୍‌ ତିଆରି ପାଇଁ ଆହୁରି କୋଟିଏ ଟଙ୍କା ସେହି ଅନୁଷ୍ଠାନକୁ ଦାନ କରିଥିଲେ ।

 

ବିଭିନ୍ନ ସଭ୍ୟ ଦେଶରେ ଗୋଟିଏ ପରମ୍ପରା ଅଛି । ସେହି ପରମ୍ପରା ଅନୁଯାୟୀ ନିଜର ପୁରୁଣା ଶିକ୍ଷାନୁଷ୍ଠାନ ପାଇଁ ପ୍ରତ୍ୟେକ କୃତୀ ଛାତ୍ରଛାତ୍ରୀଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ପରିମାଣର ଚାନ୍ଦା ଦେବାକୁ ହୁଏ । କିନ୍ତୁ ନାନ୍ଦନ ନିଲେକାନୀ ଜଣେ ବିଦେଶୀ ନୁହନ୍ତି, ସେ ଜଣେ ଭାରତୀୟ । ତାହା ହେଲେ ଓଡ଼ିଶା କ୍ଷେତ୍ରରେ ଏହାର ଏକ ଶତାଂଶ ସାହାଯ୍ୟ ଦେବାକୁ କେହି ଆଗେଇ ଆସୁନାହାନ୍ତି କାହିଁକି ? ଓଡ଼ିଶାରେ କ’ଣ କେହି ସଫଳ ଲୋକ ନାହାନ୍ତି ?

 

ଏହା ପଛରେ ନିଶ୍ଚୟ କିଛି କାରଣ ରହିଛି । ହୋଇପାରେ ଲୋକଙ୍କର ଧାରଣା ହେଉଛି ଯେ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ପାଇଁ ଧ୍ୟାନ ଦେଉନଥିବା ସରକାର ଅନ୍ୟ ତୁଚ୍ଛ ଓ ନଗଣ୍ୟ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ବିନର୍ବ୍ୟୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ରାଜ୍ୟ ସରକାରଙ୍କ ଉଡ଼ାଜାହାଜକୁ ସାଇକେଲ୍‌ ରିକ୍ସା ପରି ବ୍ୟବହାର କରୁଛନ୍ତି । ଭୂମିପୂଜା, ଶିଳାନ୍ୟାସ ଓ ଉନ୍ମୋଚନ ଉଦ୍‌ଯାପନ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । ହୋଇପାରେ, ଓଡ଼ିଆ ସଂଗଠକମାନେ ନିଜ କାର୍ଯ୍ୟଧାରାରେ ସ୍ୱଚ୍ଛତା ରଖୁନାହାନ୍ତି । ସେଥିଯୋଗୁଁ ସେମାନେ ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିପାରୁ ନାହାନ୍ତି । ହୋଇପାରେ, ଏସବୁ କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନର ସୁନାମ ନାହିଁ । ଫଳରେ ଲୋକମାନେ ତାଙ୍କୁ ସନ୍ଦେହ କରୁଛନ୍ତି । ସର୍ବସାଧାରଣଙ୍କ କାମ ପାଇଁ ପଇସା ନେଇ ନିଜ କାମରେ ଖର୍ଚ କରିଦେବେ ବୋଲି ତାଙ୍କର ଆଶଙ୍କା ହେଉଛି । କାର୍‌ଗିଲ୍‌ ଯୁଦ୍ଧ ବେଳେ ଅନେକ ଓଡ଼ିଆ ଅର୍ଥଦାନ କରିବାକୁ ଆଗେଇ ଆସିଥିଲେ । ଏମାନେ ତ ସେହି ଓଡ଼ିଆ । ଅନ୍ୟ କାମ ବେଳକୁ କାହିଁକି ସେମାନେ ଆଗକୁ ଆସୁନାହାନ୍ତି ?

 

ଓଡ଼ିଶାର ବୁଦ୍ଧିଜୀବୀ ଓ ସମାଜସେବୀମାନେ ଏ ଦିଗରେ ଚିନ୍ତା କରିବେ ବୋଲି ଆଶା କରାଯାଏ । କାରଣ ଓଡ଼ିଆମାନେ କୃପଣ ନୁହନ୍ତି ବା ସଂକୀର୍ଣ୍ଣମନା ନୁହନ୍ତି–ଏ ଧାରଣା ସୃଷ୍ଟି ହେବା ଆମ ସମସ୍ତଙ୍କର ଧ୍ୟେୟ । ସେମାନେ ଭଦ୍ରଲୋକ ଓ ଅତିଥିପରାୟଣ ଏ ବିଶ୍ୱାସ ଫେରି ଆସିବା ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରୟୋଜନ ।

 

ସମ୍ବାଦ, ୧୮ ଅକ୍‌ଟୋବର, ୧୯୯୯

Image

 

ଓଡ଼ିଶାକୁ କିଏ କାହିଁକି ଆସିବ ?

 

ଗତ ମାସକ ଭିତରେ ଓଡ଼ିଶାରେ ଚାରି ଚାରିଟି ମର୍ମନ୍ତୁଦ ଘଟନା ଘଟିଯାଇଛି । ପ୍ରଥମଟି ହେଲା ବାଲିମେଳା ଜଳଭଣ୍ଡାରରେ ଆନ୍ଧ୍ରର ଗ୍ରେହାଉଣ୍ଡ ବାହିନୀ ଫେରୁଥିବା ଲଞ୍ଚ୍‌ ଉପରେ ଆକ୍ରମଣ ଓ ସେଥିରେ ୩୮ ଜଣଙ୍କ ମୃତ୍ୟୁ, ଦ୍ୱିତୀୟଟି ପୁରୀ ରଥଯାତ୍ରା ସମୟରେ ଦଳାଚକଟା ଘଟି ଛଅ ଜଣ ଭକ୍ତଙ୍କ ଶୋଚନୀୟ ମୃତ୍ୟୁ ଏବଂ ତୃତୀୟଟି ମାଲକାନଗିରିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟି ୧୭ଜଣ ଜବାନଙ୍କ ଦୁଃଖଦାୟକ ମୃତ୍ୟୁ । ଏ ତିନିଟିଯାକ ଦୁର୍ଘଟନା ଯେତିକି କରୁଣ, ଏସବୁ ଘଟନାରେ ଆମ ସରକାରଙ୍କ ପ୍ରତିକ୍ରିୟା ତାହାଠାରୁ ଅଧିକ ଦୁଃଖଦାୟକ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ହାକିମମାନଙ୍କ ବ୍ୟବହାରକୁ ନେଇ ସର୍ବତ୍ର ଅସନ୍ତୋଷ । ଯେକୌଣସି ମୁହୂର୍ତ୍ତରେ ଏହା ବିସ୍ଫୋରକ ରୂପନେବା ବିଚିତ୍ର ନୁହେଁ । ତେବେ ଏହି ତିନିଟି ଘଟନାକୁ ଗଣମାଧ୍ୟମ ଗୁଡ଼ିକ ଗୁରୁତ୍ୱ ଦେଇ ପ୍ରସାରିତ କରିଥିବାବେଳେ ଚତୁର୍ଥ ଦୁର୍ଘଟନାଟି ବିଷୟକୁ କେବଳ ଗୋଟିଏ ଯୋଡ଼ିଏ ଖବରକାଗଜ ଛାଡ଼ିଦେଲେ ଅନ୍ୟମାନେ ସେଭଳି ଗୁରୁତ୍ୱ ଦେଇନାହାନ୍ତି । ଏହି ଲେଖକ ବିଚାରରେ ଏ ଘଟନାଟି ମଧ୍ୟ ଅତ୍ୟନ୍ତ କରୁଣ ଓ ଲଜ୍ଜାଜନକ ।

 

ଏହି ଘଟନାଟି ୪ ଜୁଲାଇ, ରଥାଯାତ୍ରା ଦିନ ପୁରୀ ବଡ଼ଦାଣ୍ଡରେ ଘଟିଛି । ସେଦିନ ପୁରୀର କିଛି ଅସାମାଜିକ ଯୁବକ ଜାପାନରୁ ଆସିଥିବା ପାଞ୍ଚଜଣ ମହିଳା ପର୍ଯ୍ୟଟକଙ୍କ ପ୍ରତି ସ୍ପଷ୍ଟ ଦିବାଲୋକରେ ଓ ସର୍ବସମ୍ମୁଖରେ ଶାରୀରିକ ନିର୍ଯାତନା ଦେବା ସହ ଯୌନ ଉତ୍ପୀଡ଼ନ କରିଥିଲେ । ହଜାର ହଜାର ଲୋକ ଏବଂ ଶହ ଶହ ପୁଲିସ୍‌ଙ୍କ ସାମ୍ନାରେ ଏହି ଅସାମାଜିକମାନେ ଜାପାନୀ ଝିଅମାନଙ୍କ ସହ ଏଭଳି ଦୁର୍ବ୍ୟବହାର କରିବା ସହ ସେମାନଙ୍କ ଜାମାପଟା ଚିରି ଦେଇଥିଲେ । ସେମାନେ ଲହୁଲୁହାଣ ହୋଇ ଚିତ୍କାର କରୁଥିବାବେଳେ ଅସାମାଜିକ ଯୁବକମାନେ ତାଙ୍କର ଟଙ୍କା ପଇସା, ଡିଜିଟାଲ କ୍ୟାମେରା ଓ ମୋବାଇଲ୍‌ ଫୋନ୍‌ ଛଡ଼େଇ ନେଇ ଯାଇଥିଲେ । ଏହି ପାଞ୍ଚଜଣ ଝିଅ ଜାପାନରୁ ଆସିଥିବା ୨୭ ଜଣିଆ ପର୍ଯ୍ୟଟକ ଦଳର ସଦସ୍ୟା ଥିଲେ । ସେମାନେ ଇଣ୍ଟରନେଟ୍‌ ଓ ଅନ୍ୟ ଗଣମାଧ୍ୟମରୁ ଓଡ଼ିଶାର ସୌନ୍ଦର୍ଯ୍ୟ ଓ ପୁରୀ ରଥଯାତ୍ରାର ପ୍ରସିଦ୍ଧି ସଂପର୍କରେ ପଢ଼ି ଓଡ଼ିଶା ବୁଲି ଆସିଥିଲେ । ଏହି ଓଡ଼ିଶାକୁ ତାଙ୍କର ପ୍ରଥମ ଗସ୍ତ ଥିଲା । ଗତ ଜୁନ୍‌ ୧୭ ତାରିଖ ଠାରୁ ଓଡ଼ିଶା ସହ କଲିକତାର ରେଳ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ସେମାନେ ବହୁ କଷ୍ଟ ଓ ଅର୍ଥବ୍ୟୟ କରି ବୁଲାଣି ସଡ଼କ ପଥରେ ଆସିଥିଲେ ଓ ପୁରୀରେ ପହଞ୍ଚିଥିଲେ ।

 

ପୁରୀ ବଡ଼ଦାଣ୍ଡର ଯେଉଁ ଜାଗାରେ ଦଳାଚକଟା ଘଟି ଛଅଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଲା, ସେଇ ଜାଗାଠାରୁ ଅଳ୍ପ ଦୂରରେ ଜାପାନୀ ବାଳିକାମାନଙ୍କ ପ୍ରତି ଏହି ଅତ୍ୟାଚାର ଘଟନା ଘଟିଥିଲା । ସେମାନେ ରଥ ଦେଖିବାକୁ ଆସୁଥିବାବେଳେ ତିରିଶରୁ ଊର୍ଧ୍ୱ ଯୁବକ ଜାଣିଶୁଣି ସେମାନଙ୍କ ବାଟ ଓଗାଳିଥିଲେ । ତା’ପରେ ସେମାନଙ୍କୁ ଚାରିପଟୁ ଘେରି ଯାଇଥିଲେ ଓ ଯୌନ ଉତ୍ପୀଡ଼ନ ଆରମ୍ଭ କରିଦେଇଥିଲେ । ଏହି ବାଳିକାମାନେ ଅସାମାଜିକମାନଙ୍କ ଘେର ଭିତରେ ଥାଇ ଶ୍ୱାସରୁଦ୍ଧ ହୋଇପଡୁଥିବାବେଳେ ଅଭିଜ୍ଞ ତସ୍କରମାନେ ସେମାନଙ୍କ ବିକୃତ ବାସନା ଚରିତାର୍ଥ କରୁଥିଲେ ଓ ଜିନିଷପତ୍ର ଲୁଟି ନେଉଥିଲେ ।

 

ଏହି ଘଟନା ପରେପରେ ଅତ୍ୟାଚାରିତା ଜାପାନୀ ଝିଅମାନେ କାନ୍ଦି କାନ୍ଦି ତାଙ୍କର ସମ୍ପର୍କୀୟମାନଙ୍କ ସହ ପୁରୀରୁ ଫେରି ଯାଇଛନ୍ତି । ଯିବା ଆଗରୁ ସେମାନେ ପୁଲିସ୍‌ରେ ଏତଲାଟିଏ ବି ଦେବାକୁ ଚାହିଁ ନାହାନ୍ତି । ତା’ର କାରଣ ଭାବେ ସେମାନେ କହିଛନ୍ତି ଯେ, ଏ ଦୁର୍ଘଟନା ଘଟୁଥିବାବେଳେ ଚାରିପଟେ ମାଳ ମାଳ ପୁଲିସ୍‌ ଠିଆହୋଇ ଏସବୁ ଦେଖୁଥିଲେ । ମାତ୍ର ସେମାନେ ଅପରାଧୀମାନଙ୍କୁ ବାଧା ଦେଇ ନଥିଲେ । ପୁରୀର ଅସାମାଜିକମାନଙ୍କ ଦୁର୍ବ୍ୟବହାର ସେମାନଙ୍କୁ ଯେତିକି କଷ୍ଟ ଓ ଅପମାନ ଦେଇଥିଲା, ପୁଲିସ୍‌ର ନିଷ୍କ୍ରିୟତା ସେମାନଙ୍କୁ ତା’ଠାରୁ ଅଧିକ ଯନ୍ତ୍ରଣା ଦେଇଥିଲା । ଯେହେତୁ ଏହି ପୁଲିସ୍‌ମାନଙ୍କ ଉପରେ ତାଙ୍କର ଆଦୌ ଭରସା ନାହିଁ, ତେଣୁ ସେମାନେ ଏତଲା ଦେଉନାହାନ୍ତି । ଭାରତର କୌଣସି ଜାଗାକୁ ଆସିବା ପାଇଁ ପଡ଼ିଲେ ସେମାନେ ଦି’ଥର ଚିନ୍ତା କରିବେ ବୋଲି କହିଛନ୍ତି ।

 

ଏହି ଘଟନାର ରିପୋର୍ଟ କେତୋଟି ଖବରକାଗଜରେ ବାହାରିବା ପରେ ପର୍ଯ୍ୟଟନ ମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଘଟନା କ’ଣ ତଦନ୍ତ କରିବା ଲାଗି କୁଆଡ଼େ ନିର୍ଦେଶ ଦେଇଥିଲେ । ଯେଉଁ ରାଜ୍ୟରେ ତଦନ୍ତ ରିପୋର୍ଟ କୁଆଡ଼େ ଗଲା ଜାଣିବାଲାଗି ପୁଣି ଗୋଟେ ତଦନ୍ତ କମିଟି ବସୁଛି, ସେଠି ପର୍ଯ୍ୟଟନ ମନ୍ତ୍ରୀଙ୍କ ଏ ନିର୍ଦେଶର ଯେ କିଛି ମାତ୍ର ମୂଲ୍ୟ ନାହିଁ, ତାହା ବୁଝିବା କଷ୍ଟ ନୁହେଁ । ଏହାଠାରୁ ଭଲ ହୋଇଥାଆନ୍ତା, ସେ ଯଦି ଜାପାନୀ ଯାତ୍ରୀଙ୍କ ପାଇଁ ଦୁଃଖ ପ୍ରକାଶ କରି କ୍ଷମା ପ୍ରାର୍ଥନା କରିଥାଆନ୍ତେ । ମାତ୍ର ସେଭଳି ନୈତିକ ସାହସ ଓ ଦାୟିତ୍ୱବୋଧ ଆମର ମନ୍ତ୍ରୀମାନଙ୍କଠାରୁ ଆଶା କରିବା ବୃଥା ।

 

ଓଡ଼ିଶାର ଘରୋଇ ବିଭାଗ ଦାୟିତ୍ୱରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଅଛନ୍ତି । ପୁଲିସ୍‌ ବିଭାଗ ମହାନିର୍ଦେଶକଙ୍କ ନିଜ ଘର ପୁରୀରେ । ସେମାନେ କହିବେ କି, ଏହି ନିରୀହା ଜାପାନୀ ଝିଅମାନଙ୍କ ଉପରେ ଘଣ୍ଟାଏ କାଳ ଅତ୍ୟାଚାର ଚାଲିଥିବାବେଳେ ତାଙ୍କ ପୁଲିସ୍‌ମାନେ କାହିଁକି ନିଷ୍କ୍ରିୟ ଥିଲେ ? ବଡ଼ଦାଣ୍ଡର ନିରୀହ ଭକ୍ତମାନଙ୍କୁ ଗୋରୁ ଭଳିଆ ବାଡ଼ଉଥିବା ପୁଲିସ୍‌ ଏହି ଅସାମାଜିକମାନଙ୍କୁ ଦେଖି କାହିଁକି ଲାଙ୍ଗୁଡ଼ ଜାକି ହିଞ୍ଜଡ଼ାଙ୍କ ପରି ଠିଆ ହୋଇଥିଲେ ? ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ମନ୍ତ୍ରୀ ଏବଂ ତାଙ୍କ ଅନ୍ୟ ମନ୍ତ୍ରୀମାନେ କହିବେ କି ସେମାନଙ୍କ ପରିବାର କି ସମ୍ପର୍କୀୟଙ୍କ ଉପରେ ଏଭଳି ଘଟଣାର ଶହେ ଭାଗରୁ ଭାଗେ ଘଟିଥିଲେ ସେମାନେ ଅପରାଧୀଙ୍କୁ ନଧରି ଆଜି ପର୍ଯ୍ୟନ୍ତ ଏଭଳି ନିରବରେ ବସିଥାଆନ୍ତେ ? ଏଇ ପାଞ୍ଚଜଣ ଜାପାନୀ ଝିଅଙ୍କ ବଳାତ୍କାର ଘଟଣାରେ ଓଡ଼ିଶାର ଭାବମୂର୍ତ୍ତି ଯେତିକି କ୍ଷୁଣ୍ଣ ହେଲା, ସେତିକି ଫେରେଇ ଆଣିବାଲାଗି ଏ ରାଜ୍ୟକୁ କେତେବର୍ଷ ଲାଗିବ ତାହା ‘ପ୍ରବାସୀ’ ମୁଖ୍ୟମନ୍ତ୍ରୀ କହିବେ କି ? ପୁରୀ ବଡ଼ଦାଣ୍ଡ ଉପରେ, ବିଦେଶୀ ଝିଅ ଖଣ୍ଡିଆଖାବରା ହୋଇ ଆଖିରୁ ଲୁହ ନିଗାଡୁଥିବା ବେଳେ ଏ ରାଜ୍ୟ, ରାଜ୍ୟବାସୀ ଓ ଏହାର ଶାସନ ବ୍ୟବସ୍ଥାକୁ କୋଉ ଭାଷାରେ ଧିକ୍କାର କରିଥିବେ ତାହା ସେ ଅନୁମାନ କରିପାରୁଛନ୍ତି ? ଜଗନ୍ନାଥଙ୍କୁ ପିଠି କରି ଏଠୁ ଫେରିଯିବା ପରେ ସେମାନେ ନିଜ ନିଜ ସଂପର୍କୀୟମାନଙ୍କୁ ଓଡ଼ିଶା ବିଷୟରେ କ’ଣ ସବୁ କହିଥିବେ ତାହା ଆମେ ଓ ଆମର ସରକାର କଳ୍ପନା କରିପାରୁଛନ୍ତି କି ?

 

କିଛି ବର୍ଷ ହେଲା, ପୁରୀ ଓ ତା’ର ଆଖପାଖ ଅଞ୍ଚଳରେ ଏହିପରି ଘଟଣା ଘଟି ଚାଲିଛି-। ଏହି ଅଞ୍ଚଳ ଯେହେତୁ ପର୍ଯ୍ୟଟନ ଅଞ୍ଚଳ, ଏଠି ଅପରାଧୀମାନେ ସକ୍ରିୟ ହେବା ସ୍ୱାଭାବିକ-। ମାତ୍ର ସରକାର ଏତେ ନିଷ୍କ୍ରିୟ କାହିଁକି ତାହା ବୁଝା ପଡୁନାହିଁ । ଆମର ମୁଖ୍ୟମନ୍ତ୍ରୀ ଅଦ୍ଭୁତ ପ୍ରକାର ମାନସିକତା ଭିତରେ ବୁଡ଼ି ରହୁଛନ୍ତି । ଗତକାଲି ପର୍ଯ୍ୟନ୍ତ ସେ କହୁଥିଲେ ଯେ ଓଡ଼ିଶାରେ ନକ୍ସଲ ଗଣ୍ଡଗୋଳ କମ୍‌, ଅପରାଧ ମଧ୍ୟ କମ୍‌ । ଏବେ ସମମ୍ଭତଃ ସେ ନିଜର ମତ ବଦଳେଇବେଣି-। ଆମର ମନ୍ତ୍ରୀ ଓ ହାକିମମାନେ ସଭା ସମିତିରେ ପର୍ଯ୍ୟଟନର ବିକାଶ ଲାଗି ଅନେକ ସମୟରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆମର ଚିଲିକା, ଭିତରକନିକା, ତପ୍ତପାଣି, ଚାନ୍ଦିପୁର, ପୁରୀ ଓ କୋଣାର୍କ ସତ୍ତ୍ୱେ କାହିଁକି ଏଠିକି ପର୍ଯ୍ୟଟକ ଆସୁନାହାନ୍ତି ? କାହିଁକି ସର୍ବନିମ୍ନ ସୁରକ୍ଷା ଟିକକ ଆମେ ଦେଇପାରୁନାହୁଁ ।

 

ପ୍ରସଙ୍ଗତଃ ୧୯୯୯ ଅକ୍‌ଟୋବରର ଆଉ ଗୋଟିଏ ଘଟନା ମନେ ପଡୁଛି । ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ଆସିଥିବା ଇଂରାଜୀ ଅଧ୍ୟାପକ ଅଶୋକ ଶର୍ମାଙ୍କୁ ପୁରୀ କୋଣାର୍କ ବେଳାଭୂମି ରାସ୍ତାରେ ଗୋଟିଏ ଟାକ୍ସି ଡ୍ରାଇଭର ମୃଦୁ ପାନୀୟର ନିଶା ଦେଇ ତାଙ୍କର ସର୍ବସ୍ୱ ଲୁଟି ନେଇଥିଲା । ସେ କୋଣାର୍କ ଥାନାରେ ଫେରାଦ ଦେବାପାଇଁ ଗଲାବେଳକୁ ବାବୁମାନେ ସମସ୍ତେ ଇଲେକ୍ସନ ଡ୍ୟୁଟିରେ । ସେତେବେଳେ ଏଇ ଲେଖକ ‘ଓଡ଼ିଶାକୁ କିଏ କାହିଁକି ଆସିବ’ ବୋଲି ଗୋଟେ ପ୍ରବନ୍ଧ ଲେଖିଥିଲା । ଏହା ଭିତରେ ନଅବର୍ଷ ବିତିଗଲାଣି । ନଅବର୍ଷ ଭିତରେ ପରିସ୍ଥିତିରେ କିଛି ଉନ୍ନତି ଦେଖାଦେବା ତ ଦୂରର କଥା ବରଂ ଦିନକୁ ଦିନ ଅବନତି ଘଟିଚାଲିଛି । ଶେଷକୁ ଆସି ଏହା ଏପରି ଅବସ୍ଥାରେ ପହଞ୍ଚିଲାଣି ଯେ ଦିନ ଦ୍ୱିପହରେ ଚଳନ୍ତା ବସ୍‌ରୁ ଘୋଷାରି ଆଣି ମହିଳାଙ୍କୁ ଧର୍ଷଣ କରାଯାଉଛି, ବଡ଼ଦାଣ୍ଡରେ ହଜାର ହଜାର ଲୋକଙ୍କ ଆଗରେ ନିରୀହ ବିଦେଶିନୀମାନଙ୍କୁ ନିର୍ଯାତନା ଦିଆଯାଉଛି । ଇଏ ହେଉଛି ଅତିଥିପରାୟଣ ଓଡ଼ିଶା, ଧର୍ମକ୍ଷେତ୍ର ପୁରୀ ଓ ପାରଂଗମ ସରକାର !

 

କିଛିମାସ ତଳେ ଓଡ଼ିଶାର ଜଣେ ଲୋକ ତାଙ୍କ ପରିବାର ସହ କେରଳ ବୁଲିଯାଇଥିଲେ-। ପତ୍ନୀ ଏବଂ କନ୍ୟାଙ୍କୁ ନେଇ ଉତ୍ତୀର୍ଣ୍ଣ ସନ୍ଧ୍ୟାରେ କୋଭଳମ୍‌ ବେଳାଭୂମିରେ ବୁଲିବା ନିରାପଦ କି ନୁହେଁ ତାହା ଜାଣିବାଲାଗି ସେଠାକାର ଜଣେ ଅଫିସରଙ୍କୁ ସେ ଫୋନ୍‌ କରି ପଚାରିଥିଲେ । ଉତ୍ତରରେ ଅଫିସର ଜଣକ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସେମାନେ ସ୍ୱଚ୍ଛନ୍ଦରେ ସମୁଦ୍ରକୂଳ ଭ୍ରମଣ କରିପାରନ୍ତି । ସେଠାରେ ତାଙ୍କର କୌଣସି କ୍ଷତି ଘଟିବ ନାହିଁ । ପୁରୀ କି କୋଣାର୍କ ସଂପର୍କରେ ଓଡ଼ିଶାର ପୁଲିସ୍‌ ମହାନିର୍ଦେଶକ, ସ୍ୱରାଷ୍ଟ୍ର ସଚିବ, ପୁରୀ ଜିଲ୍ଲାପାଳ କି ଏସ୍‌.ପି. ଏଭଳି ପ୍ରତିଶ୍ରୁତି ଦେଇପାରିବେ କି ?

 

ଅନେକ ବର୍ଷ ପରେ ଓଡ଼ିଶା ବିଦେଶୀ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିବାଲାଗି କିଛି ପରିମାଣରେ ସମର୍ଥ ହେଉଛି । ଏହି ପର୍ଯ୍ୟଟକମାନଙ୍କ ମଧ୍ୟରେ ବୌଦ୍ଧଧର୍ମାବଲମ୍ବୀ ପର୍ଯ୍ୟଟକମାନଙ୍କର ସଂଖ୍ୟା ଅଧିକ । ଏହାର କାରଣ ହେଲା, ସେମାନେ ଓଡ଼ିଶାର ଲଳିତଗିରି, ରତ୍ନଗିରି ଓ ଉଦୟଗିରି ପ୍ରଭୃତି ସ୍ଥାନକୁ ଗୁରୁତ୍ୱ ଦିଅନ୍ତି । ଓଡ଼ିଶାର ଧଉଳିଗିରି ତ ସେମାନଙ୍କ ଅନୁଦାନରେ ପ୍ରତିଷ୍ଠିତ । ଅବଶ୍ୟ ସେମାନେ ଯେତେ ପରିମାଣରେ ବୋଧଗୟା, କି ସାରନାଥ ଯାଆନ୍ତି, ସେତେ ପରିମାଣରେ ଓଡ଼ିଶାକୁ ଆସନ୍ତି ନାହିଁ । ଏହାର କାରଣ ହେଲା ଓଡ଼ିଶାର ଏହିସବୁ ସ୍ଥାନକୁ ଯିବାପାଇଁ ସେଭଳି ସୁବିଧା ହୋଇନାହିଁ ବା ସେଠାରେ ରହଣିଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଇ ପାରିନାହିଁ । ଅନ୍ୟକଥା ଦୂରେ ଥାଉ ଭୂବନେଶ୍ୱର-ପୁରୀ-କୋଣାର୍କ ରାସ୍ତାରେ ଭଲ ଶୌଚାଳୟ ମଧ୍ୟ ନାହିଁ । ଆମ ରାଜ୍ୟପାଳ କି ମୁଖ୍ୟମନ୍ତ୍ରୀ କେଉଁ ସଭାକୁ ଘଣ୍ଟାଏ କି ଦୁଇଘଣ୍ଟା ପାଇଁ ଗଲେ ସେଠାରେ ଗୋଟାଏ ଅସ୍ଥାୟୀ ଶୌଚାଳୟ ତିଆରି ହେଉଛି । ମାତ୍ର ଦୂରରୁ ଆସୁଥିବା ମହିଳା ପର୍ଯ୍ୟଟକମାନଙ୍କ ପାଇଁ ସେତକ ସୁବିଧା କଥା ଚିନ୍ତା କରାଯାଉନାହିଁ । ବର୍ତ୍ତମାନ ସର୍ବନିମ୍ନ ସୁରକ୍ଷା ପ୍ରଶ୍ନ ତା’ଠାରୁ ଗୁରୁତ୍ୱପୂର୍ଣ୍ଣ ହେଲାଣି । କାରଣ, ବାରମ୍ବାର ଗୋଟିଏ କଥା ପ୍ରମାଣିତ ହୋଇ ଚାଲିଛି ଯେ ଏଠିକି ଆସୁଥିବା ପର୍ଯ୍ୟଟକଙ୍କ ପିଠିରେ ପଡ଼ିବାଲାଗି କେହି ନାହିଁ । ଏ ପରିସ୍ଥିତିରେ କିଏ କାହିଁକି ଓଡ଼ିଶା ଆସିବ ?

 

ସମ୍ବାଦ, ୧୨୩ ଜୁଲାଇ ୨୦୦୮

Image

 

କାହାର ଓଡ଼ିଶା ?

 

ଆଜି ଏପ୍ରିଲ୍‌ ପହିଲା । ସବୁବର୍ଷ ପରି ଏ ବର୍ଷ ମଧ୍ୟ ଆଜି ଆମେ ଓଡ଼ିଶା ଦିବସ ପାଳିବା । ସଭା, ସମିତି ଓ ଆଲୋଚନା ଚକ୍ରରେ ପ୍ରଶ୍ନ ଉଠିବ- ୧୯୩୬ରେ ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ ବେଳେ ଏ ରାଜ୍ୟ ପାଇଁ ସେତେବେଳକାର ନେତାମାନେ ଯେଉଁ ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନ ପୂରଣ ହୋଇଛି ନା ନାହିଁ । ଅନେକ ନେତା ଏବଂ ସେମାନଙ୍କ ଉତ୍ତରାଧିକାରୀ ନିଜ ନିଜ ନେତାଙ୍କ ସ୍ୱପ୍ନ ଆଜି ପର୍ଯ୍ୟନ୍ତ ଅଧୁରା ରହିଥିବା କଥା କହନ୍ତି । ମାତ୍ର ସାଧାରଣ ଓଡ଼ିଆଙ୍କୁ ସେମାନଙ୍କ ସ୍ୱପ୍ନ ସଂପର୍କରେ କେହି ପଚାରନ୍ତି ନାହିଁ । ପଚାରିଲେ ସେମାନେ ହୁଏତ କୁହନ୍ତେ, ତାଙ୍କ ସ୍ୱପ୍ନର ଅଧା କ’ଣ ଅଧୁଲିଟିଏ ବି ଆଜି ପର୍ଯ୍ୟନ୍ତ ପୂରଣ ହେଇନାହିଁ ।

 

ଓଡ଼ିଶାର ଅନେକ ସମସ୍ୟା ରହିଛି ଏବଂ ସମସ୍ୟା ରହିବା କିଛି ଅସ୍ୱାଭାବିକ ନୁହେଁ । ମାତ୍ର ଆଜି ଯେଉଁ ସମସ୍ୟାଟି ଅନ୍ୟ ସବୁ ସମସ୍ୟାକୁ ଜଟିଳ କରୁଛି ତାହା ହେଉଛି ସରକାରୀ କଳର ହୃଦୟହୀନତା ଓ ନାଗରିକ ସମାଜର ଉଦାସୀନତା । ଗୋଟେ ସମ୍ବେଦନାଶୂନ୍ୟ ପ୍ରଶାସନ କେବେ କୌଣସି ରାଜ୍ୟକୁ ସମୃଦ୍ଧ କରିପାରେ ନାହିଁ । ଆମର ଏ ପ୍ରଶାସନର ଚେହେରା ଏତେ ନିର୍ମମ ଏବଂ ହୃଦୟଶୂନ୍ୟ ଯେ ତା ତୁଳନାରେ ବିଦେଶୀ ଶାସନ ଭଲ ଥିଲା ବୋଲି କେତେକ କହୁଛନ୍ତି । ଆଜି ଓଡ଼ିଶାର ଲୋକ ହିଁ ଓଡ଼ିଶାର ଶତ୍ରୁ । ସେଦିନ ତ ଚମଡ଼ାର ଚେହେରା ଓ ମୁହଁର ଭାଷାରୁ ବିଦେଶୀ ଶତ୍ରୁଙ୍କୁ ଚିହ୍ନି ହେଉଥିଲା । ମାତ୍ର ଆମରି ଭାଷା କହୁଥିବା ଓ ଆମରି ପରି ଦିଶୁଥିବା ଆଜିର ଏହି ଶତ୍ରୁମାନଙ୍କୁ ଚିହ୍ନିବା ଅସମ୍ଭବ । ପ୍ରଶାସନର ହୃଦୟହୀନତା ସାଙ୍ଗକୁ ନାଗରିକ ସମାଜର ଉଦାସୀନତା ଆଜି ଓଡ଼ିଶାର ଦୁର୍ଦଶାକୁ ବଢ଼େଇ ଚାଲିଛି ।

 

ବଲାଙ୍ଗୀର ଜିଲ୍ଲାର ଝିଣ୍ଟୁ ବରିହାର ଅନାହାର ମୃତ୍ୟୁ ଏବେ ଏକ ଚର୍ଚିତ ପ୍ରସଙ୍ଗ । ଏ ପ୍ରସଙ୍ଗ ପୁଣିଥରେ ଚେତେଇ ଦେଇଛି ଯେ ଅଶୀ ଦଶକର ଫାନସ୍‌ ପୁଞ୍ଜି ଘଟଣା ପାଖରେ ଏବେ ବି ଆମେ ଅଟକି ରହିଛୁ, ଉପରକୁ ଉଠିନାହୁଁ । ବାରମ୍ବାର ପ୍ରଧାନମନ୍ତ୍ରୀ ମାନଙ୍କ ଗସ୍ତ ଓ ଭିନ୍ନ ଭିନ୍ନ ଯୋଜନାର ଘୋଷଣା ସତ୍ତ୍ୱେ ସମସ୍ୟା ଯୋଉଠି ଥିଲା ଆଜି ବି ସେଇଠି ଅଛି । ତେବେ ଏହି ଘଟଣାରେ ସବୁଠାରୁ ଲଜ୍ଜାଜନକ ଉପଲବ୍ଧି ହେଉଛି ପ୍ରଶାସନର ହୃଦୟହୀନତା । ପାଟଣାଗଡ଼ ସବ୍‌ଡିଭିଜନ୍‌ର ଖପ୍ରାଖୋଲ ବ୍ଲକ୍‌ ଅଧୀନରେ ଥିବା ଚାବିରିପାଲିର ଝିଣ୍ଟୁ ବରିହା ଦାଦନ ଖଟିବାକୁ ଯାଇ ହାତଟି ହରେଇଥିଲେ । ଅକର୍ମଣ୍ୟ ହୋଇ ଘରେ ବସିଯିବାରୁ ପରିବାର ପୋଷଣ ସମ୍ଭବ ହେଲା ନାହିଁ । ସ୍ତ୍ରୀ ବିମଳା ଭିକ ମାଗିଲେ । ମାତ୍ର ବଡ଼ ପରିବାର ପାଇଁ ତାହା ଯଥେଷ୍ଟ ହେଲା ନାହିଁ-। ଦାରିଦ୍ର୍ୟ, ଅନାହାର ଓ ସ୍ୱାସ୍ଥ୍ୟସେବାର ଅଭାବରୁ ଜଣକ ପରେ ଜଣେ ହୋଇ ଝିଣ୍ଟୁ, ତା ସ୍ତ୍ରୀ ଓ ପୁଅଝିଅ ସମସ୍ତେ ଗତ ସେପ୍‌ଟେମ୍ବରରୁ ଡିସେମ୍ବର ଏହି ଚାରି ମାସ ଭିତରେ ମରିଗଲେ । ଏବେ ବୁଢ଼ା ବାପ ଚମ୍ପେ ବରିହା ଅଛନ୍ତି - ଆଶ୍ରୟ ନେଇଛନ୍ତି ସାଲେପାଲି ଅନାଥାଶ୍ରମରେ । ଯେଉଁ ବୁଢ଼ା ଲୋକଟିର ଆଖି ଆଗରେ ପୁଅ ବୋହୂ ଓ ନାତିନାତୁଣୀମାନେ ଜଣକ ପରେ ଜଣେ ସୁକୁସୁକୁ ହୋଇ ମରିଥିବେ ସେ ଲୋକଟିର ମନର ଅବସ୍ଥା କ’ଣ ହୋଇଥିବ, ତାହା ବୁଝେଇ କହିବା ଦରକାର ନାହିଁ । ଏବେ ସେ ସେଇ ଦୁଃଖଗୁଡ଼ିକୁ ଭୁଲିଯିବା ପାଇଁ ଚାହାନ୍ତି । ମାତ୍ର ପ୍ରତିଦିନ କେହି ନା କେହି ଅଫିସର, କେହି ନା କେହି ସାମ୍ବାଦିକ ତାଙ୍କ ପାଖକୁ ଯାଇ ଏଇସବୁ କଥା ପଚାରୁଛନ୍ତି । ପୁରୁଣା ଘା’ ଉଖୁରେଇ ରକ୍ତ ଝରଉଛନ୍ତି । ଏଣେ ଏତେ ସବୁ କରୁଣ ମୃତ୍ୟୁ ସତ୍ତ୍ୱେ ଅଫିସରମାନେ ମାନିବାକୁ ନାରାଜ ଯେ, ଝିଣ୍ଟୁ ବରିହାର ପରିବାର ଲୋକେ ଭୋକରେ ଆଉଟୁପାଉଟୁ ହୋଇ ମରିଛନ୍ତି । ଗତ ୨୬ ତାରିଖରେ ଜାତୀୟ ମାନବିକ ଅଧିକାର କମିସନର ‘ରାର୍ପୋଟିଅର’ ସେ ଅଞ୍ଚଳକୁ ଯାଇଥିଲେ । ଲୋକମାନେ ତାଙ୍କୁ ମହୁଲ, ଶୁଖାକେନ୍ଦୁ ଓ ବାଞ୍ଜଫୁଲ ଦେଖେଇଲେ । ଏଇଆ ଆମର ଖାଦ୍ୟ, ଦେଖ । ତା ସତ୍ତ୍ୱେ ଅଫିସର ମାନେ ଅନାହାର ମୃତ୍ୟୁକୁ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି । ଦୁଇବର୍ଷ ତଳେ, କୋରାପୁଟରେ ଲୋକେ ଆମ୍ବଟାକୁଆ ଜାଉ ଖାଉଥିବା କଥା ସାରା ରାଜ୍ୟର ଖବରକାଗଜରେ ଚର୍ଚ୍ଚା ହେଲା । ଗରିବ ଲୋକମାନେ ଆମ୍ବକୋଇଲିକୁ ଶୁଖେଇ, ଚୂରି ସେଥିରେ ଜାଉ କରି ଖାଆନ୍ତି । କାରଣ ସେମାନଙ୍କ ପାଖେ ଆଉ କିଛି ନାହିଁ । କେତେଜଣ ଅଫିସର ମନ୍ତବ୍ୟ ଦେଲେ, ସେସବୁ ତାଙ୍କର ପାରମ୍ପରିକ ସୁସ୍ୱାଦୁ ଖାଦ୍ୟ । ନହେଲେ ଓଡ଼ିଶାରେ ଦି’ ଟଙ୍କାରେ ଚାଉଳ ମିଳୁଛି । ଚିନ୍ତା କ’ଣ ? ଗୋଟିଏ ମଣିଷ ମାରିଲେ ଯାବଜ୍ଜୀବନ କାରାଦଣ୍ଡ କି ଫାଶୀ ଆଦେଶ ମିଳେ । ଝିଣ୍ଟୁ ବରିହା ପରିବାରର ପାଞ୍ଚ ପାଞ୍ଚଟି ଲୋକ ମରିଗଲେ । ଜଣେ କେହି ଦାୟୀ ହେଲେ ନାହିଁ !

 

ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକ୍‌ର ବାଲିଚୁଆଁପଡ଼ା ଗୋଟେ ଛୋଟ ଗାଁ । ଲହୁଣିପଡ଼ା ଥାନା ଅଧୀନରେ ଏଇଟି ଅଛି । ସେଇ ଗାଁର ବୈଦେହୀ ପାତ୍ର ଗରିବ ବୁଢ଼ୀଟିଏ । ଗୋଟେ ଝିଅ ଆଗରୁ ବାହା ହେଇଯାଇଛି । ସେ ଗାଁରେ ୧୦ଟି ମୁଣ୍ଡା ସଂପ୍ରଦାୟ ଘର ଓ ୧୫ଟି ପାତ୍ର ଘର । ପାତ୍ରମାନେ ହରିଜନ । ବୁଢ଼ୀ ବୈଦେହୀଙ୍କ ଘରଡିହ ଉପରେ ପଡ଼ୋଶୀର ନଜର । ବହୁ ଦିନୁ ବାଟ ଖୋଜୁଥିଲେ, ସେଦିନ ଲୋକଙ୍କୁ ଜୁଟେଇ ପ୍ରଚାର କରିଦେଲେ- ବୈଦେହୀ ଗୋଟେ ଡାଆଣୀ । ସେ ପିଲାଙ୍କ ରକ୍ତ ଶୋଷି ନେଉଛି । ଲୋକଙ୍କୁ ମେଳେଇ ଗତ ୧୪ ତାରିଖ ରାତି ୮ଟାରେ ବୈଦେହୀଙ୍କ ଘରେ ପଶିଲେ । ତାଙ୍କୁ ଭିଡ଼ିନେଇ ଉଧୁଲଙ୍ଗଳା କରିଦେଲେ । ଅଣ୍ଟାରେ ଝାଡୁ ବାନ୍ଧି ଘୋଷାରି ଘୋଷାରି ନେଲେ କିଛି ଲୋକ । ଘୁଷୁରି ଖାଉଥିବା କୁଣ୍ଡରେ ବିଷ୍ଠା ରଖି ବୈଦେହୀଙ୍କୁ ଖାଇବା ଲାଗି ବାଧ୍ୟ କରାଗଲା । ତାଙ୍କୁ ବାଡ଼େଇ ବାଡ଼େଇ ଲହୁଲୁହାଣ କରାଗଲା । କିଛିଲୋକ ଏସବୁ ନିର୍ଯାତନା ଦେଉଥିବାବେଳେ ଅନ୍ୟମାନେ ବାଜା ବଜେଇ ସଂକୀର୍ତନ କରୁଥିଲେ । ରାତି ପାହିବା ବେଳକୁ ବୈଦେହୀଙ୍କୁ ଗାଁ ପାର୍‌ କରାଗଲା । ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଦି’ଜଣ ଗିରଫ ହେଇଛନ୍ତି, ମାତ୍ର ଅସଲ ଆସାମୀ ଏପର୍ଯ୍ୟନ୍ତ ନିରୁଦ୍ଦିଷ୍ଟ ।

 

ଆଦିବାସୀ ଝିଅମାନଙ୍କୁ ଶିକ୍ଷାଦୀକ୍ଷା ଦେବା ପାଇଁ ତିଆରି ହୋଇଥିଲା ସେବାଶ୍ରମ । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଶିକ୍ଷାଶ୍ରମରେ ଘଟୁଥିବା ଘଟଣାରୁ ଜଣାପଡ଼ିସାରିଲାଣି ଯେ ଏହି ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକ୍ରମ ତଦାରଖ କରିବା ପାଇଁ କାହାର ଆଗ୍ରହ ନାହିଁ । ଅଥଚ ପ୍ରତି ପୁଅ ପିଲା ପିଛା ୪୦୦ ଟଙ୍କା ଓ ଝିଅ ପିଲା ପିଛେ ୫୩୦ ଟଙ୍କା ହୋଇ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ଏ ବାବଦରେ ଖର୍ଚ ହେଉଛି । ସାନ ସାନ ଝିଅମାନଙ୍କୁ କେବଳ ଯେ ଯୌନ ନିର୍ଯାତନା ଦିଆଯାଉଛି ତାହା ନୁହେଁ ସରକାରୀ ଅନୁଦାନ ହାତେଇବା ପାଇଁ ଏ ସେବାଶ୍ରମ ଗୁଡ଼ିକରେ ମିଛ ରେଜିଷ୍ଟର ଉତ୍ପାଦନ କରାଯାଉଛି । ଏହିଭଳି ଏକ ବିଦ୍ୟାଳୟର ଜଣେ ସାହସିନୀ ଶିକ୍ଷୟତ୍ରୀ କାଞ୍ଚନପ୍ରଭା ନାୟକ ଏ ଘଟନାଟିକୁ ଲୋକଲୋଚନକୁ ଆଣିଲେ । ମାତ୍ର ପରିଣତି ହେଲା ଏଇଆ ଯେ, ସ୍ୱାର୍ଥାନ୍ୱେଷୀ ଅଫିସର, ପୁଲିସ୍‌, ଫାର୍ମାସିଷ୍ଟ ଓ କିଛି ଶିକ୍ଷକ ମିଶି ତାଙ୍କୁ ଜୀବନରୁ ମାରିଦେବା ଲାଗି ଧମକଚମକ ଦେଲେ । ତାଙ୍କର ସେ ସ୍କୁଲ୍‌ରେ ରହିବା ଅସମ୍ଭବ ହୋଇପଡ଼ିଲା । ତାଙ୍କୁ ଏବେ ଅନ୍ୟତ୍ର ବଦଳି କରିଦିଆଯାଇଛି ।

 

କେନ୍ଦ୍ରାପଡ଼ାର ରଞ୍ଜିତ କୁମାର ସେଠୀ ୨୦୦୮ ମସିହାରେ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ପରୀକ୍ଷା ଫଳ ବାହାରିଲା, ରଞ୍ଜିତ ଦେଖିଲେ ସେ ଫେଲ୍‌ । ଭାଗ୍ୟକୁ ଆଦରି ପଡ଼ିରହିଲେ । ଦୀର୍ଘ ଦୁଇ ବର୍ଷ ପରେ ଜଣାପଡ଼ିଲା ଯେ ସେ ପ୍ରକୃତରେ ପାସ୍‌ ହୋଇଥିଲେ । ମାତ୍ର ବୋର୍ଡ଼ କର୍ତୃପକ୍ଷ ତାଙ୍କ ନାଁ ଉତ୍ତୀର୍ଣ୍ଣ ତାଲିକାରେ ରଖି ନଥିଲେ । ଦୁଇବର୍ଷ ଭିତରେ ରଞ୍ଜିତଙ୍କ ସାଙ୍ଗମାନେ ଆଇଏସ୍‌ସି ପାସ୍‌ କରିସାରିଲେଣି । ବିନା ଦୋଷରେ ତାଙ୍କ ଜୀବନର ଦୁଇଟି ମୂଲ୍ୟବାନ ବର୍ଷ ନଷ୍ଟ ହୋଇଗଲା । ତଥାପି ଆଶ୍ୱସ୍ତ ହେବାର କଥା, ସେ ବାଲେଶ୍ୱରର ରାଉଳକୁଣ୍ଟା ଗାଁର ରଶ୍ମିରଞ୍ଜନ ପାତ୍ର ପରି ସେ ଆତ୍ମହତ୍ୟା କରିଦେଇ ନାହିଁ । ଏହି ରଶ୍ମିରଞ୍ଜନ ସପ୍ତମ ପରୀକ୍ଷାରେ ତୃତୀୟ ଶ୍ରେଣୀ ପାଇଥିବାରୁ ତାକୁ ଅପମାନ ଲାଗିଥିଲା । ହୁଏତ କେହି କିଛି ଛିଗୁଲେଇ କହିଥିବେ । ତେଣୁ ସେ ଆତ୍ମହତ୍ୟା କରି ମରିଗଲା । ଯଦି କେନ୍ଦ୍ରାପଡ଼ାର ରଞ୍ଜିତ ସେଠୀ ସେଇମିତି କିଛି କରି ବସିଥାଆନ୍ତେ ତାହାହେଲେ ସେଥିପାଇଁ କିଏ ଦାୟୀ ହୋଇଥାଆନ୍ତେ କି ?

 

ଅନ୍ୟ ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାରେ । ଏହି ଜିଲ୍ଲାର କୁସୁମଦର ଗାଁରେ ମଥୁରା ଶବର ଜଣେ ୪୦ ବର୍ଷୀୟା ମହିଳା । ତାଙ୍କ ସ୍ୱାମୀ ରତନ ଶବର ସ୍ଥାନୀୟ ବ୍ୟାଙ୍କ୍‌ରେ କାମ କରନ୍ତି-। ମଥୁରା ଜଣେ ପରିଶ୍ରମୀ ମହିଳା । ସିଏ ନିଜ ବୁଦ୍ଧି ବିବେକ ଖଟେଇ ଛତୁଚାଷ କରି ସଫଳ ହୋଇଥିଲେ । ସରକାର ମଥୁରାଙ୍କ ନାଁ ସୁପାରିସ କରିବାରୁ ଦିଲ୍ଲୀରେ ତାଙ୍କୁ ସମ୍ବର୍ଧନା ଦେବା ପାଇଁ ଚିଠି ଆସିଲା । ମଥୁରା ଏବଂ ଅନ୍ୟ କେତେଜଣ ମହିଳା ଉଡ଼ାଜାହାଜରେ ଦିଲ୍ଲୀ ଗଲେ । ସାଙ୍ଗରେ କେତେଜଣ ଅଫିସର ମଧ୍ୟ ଯାଇଥିଲେ । ସେଠାରେ କେନ୍ଦ୍ର କୃଷିମନ୍ତ୍ରୀ ସେମାନଙ୍କୁ ସମ୍ବର୍ଧନା ଜଣାଇଲେ । ଏଭଳି ଘଟନା ମଥୁରା ପରି ଦୁର୍ଗମ ଅଞ୍ଚଳରୁ ଆସିଥିବା ଜଣେ ସାଧାରଣ ନାରୀ ପାଇଁ କେତେ ସମ୍ମାନର କଥା । ଏଭଳି ଜଣେ ସ୍ତ୍ରୀ ପାଇଁ ଯେକୌଣସି ସ୍ୱାମୀ ଗର୍ବ କରିବା କଥା । ମାତ୍ର ମଥୁରାର ସ୍ୱାମୀଙ୍କ ପାଇଁ ସେଭଳି କଥା ନ ଥିଲା । ଦିଲ୍ଲୀରୁ ଫେରିଥିବା ସ୍ତ୍ରୀକୁ ଆନନ୍ଦରେ କୋଳେଇ ନେବା ବଦଳରେ ସେ କବାଟ କିଳିଦେଲେ । ଅଭିଯୋଗ- ତୁ ଅନ୍ୟ ପୁରୁଷଙ୍କ ସାଙ୍ଗରେ ଯାଇଥିଲୁ । ତୋର ସତୀତ୍ୱ ଚାଲିଯାଇଛି, ତୁ ଏଠୁ ପଳା ! ମଥୁରା ପାଟିରୁ କଥା ବାହାରିଲା ନାହିଁ । ସ୍ୱାମୀ ଘରୁ ବିଦା କରିଦେଲେ । ଘରେ ବଡ଼ ବଡ଼ ପିଲା, ମାଟ୍ରିକ୍‌ ପରୀକ୍ଷା ଦେବେ । ତାଙ୍କୁ ମଧ୍ୟ ମା’ ସାଙ୍ଗରେ ବିଦା କରିଦେଲେ ନିର୍ଦୟ ବାପ । ଏଥିରେ ହସ୍ତକ୍ଷେପ କରିବାକୁ ସମସ୍ତେ ଡରିଲେ ।

 

ଗତ ମାସେ ଦି’ ମାସ ଭିତରେ ଘଟିଥିବା ଏହା କେତୋଟି ଘଟନାମାତ୍ର । ଏଭଳି ଘଟନା ଆଜିକାଲି ଆଉ ବିରଳ ଘଟନା ନୁହେଁ । ଓଡ଼ିଶା ପାଇଁ ଏସବୁ ସ୍ୱାଭାବିକ । ଏତେ ସ୍ୱାଭାବିକ ଯେ, ଏସବୁ ଖବରକୁ ଆଉ ଖବରକାଗଜମାନେ ଭଲ ଭାବେ ପ୍ରକାଶ କରୁନାହାନ୍ତି । ବିଧାନସଭାରେ ଏସବୁ ଆଲୋଚନା ହେଉନାହିଁ କି କୌଣସି ମନ୍ତ୍ରୀ ବିବୃତି ଦେଉନାହାନ୍ତି । ଗରିବ ଓ ମୂର୍ଖ ଲୋକଙ୍କ ସମସ୍ୟା କହି ଅନ୍ୟମାନେ ମଧ୍ୟ ଏଡ଼େଇ ହୋଇଯାଉଛନ୍ତି । ସତେ କି ଏ ଓଡ଼ିଶା ଏଭଳି ଭିକମଗା, ‘ଡାଆଣୀ’, ‘ଚରିତ୍ରହୀନା’ ଓ ହତଭାଗ୍ୟ ମାନଙ୍କର ରାଜ୍ୟ ନୁହେଁ । ତାହାହେଲେ ଏ ଓଡ଼ିଶା କାହାର ? କାହାର ଓଡ଼ିଶା ଇଏ ?

 

ସମ୍ବାଦ, ୧ ଅପ୍ରେଲ୍‌, ୨୦୧୦

Image

 

ଅନ୍ଧ ଓଡ଼ିଶା

 

ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅଞ୍ଚଳର କୋଚିଆ କୋଇଲି ଗୋଟେ ଗାଁ । ସେଇ ଗାଁରେ ସୁବ୍ରତ କୁମାର ଉପାଧ୍ୟାୟ ତାଙ୍କର ପରିବାର ସହ ରହନ୍ତି । ସେ ପାଖ ଥାଲସଢ଼ା ପୋଷ୍ଟ ଅଫିସ୍‌ରେ ପୋଷ୍ଟ ମାଷ୍ଟର । ଗଲା ୯ତାରିଖରେ ସୁବ୍ରତଙ୍କ ଦୁଇଝିଅ ଝୁମୁ ଓ ମୁନୁଙ୍କ ସହ ଦି’ବର୍ଷର ପୁଅ ସୌଭାଗ୍ୟ ଘର ଆଗ ଦାଣ୍ଡରେ ଖେଳୁଥିଲେ । ପଡ଼ୋଶୀ ସୁଦାମ ଉପାଧ୍ୟାୟ କ’ଣ ଗୋଟାଏ ପୂଜା କରୁଥିଲେ । ପିଲାମାନଙ୍କୁ ଠାକୁର ପୂଜା ଦେଖିବ ଆସ କି ଭୋଗ ଖାଇବ ଆସ କହି ସୁଦାମ ଏ ତିନି ଭାଇଭଉଣୀଙ୍କୁ ଡାକିନେଲେ । ଝିଅ ଦି’ଜଣ ସେଠୁ ଫେରି ଘରକୁ ଆସିଲେ । କିନ୍ତୁ ୨ ବର୍ଷର ପୁଅ ସୌଭାଗ୍ୟ ଫେରିଲା ନାହିଁ । ପୁଅ କୁଆଡ଼େ ଗଲା ବୋଲି ବାପ-ମା’ ଖୋଜିବା ବେଳକୁ ଗାଁ ଲୋକଙ୍କଠୁ ଜାଣିଲେ ପଡ଼ୋଶୀ ସୁଦାମ ତାଙ୍କ ଦୁଧଖିଆ ଛୁଆଟାର ବେକକୁ ଛୁରୀରେ କାଟି ପୂଜା ଯଜ୍ଞରେ ବଳି ଦେଇ ଦେଇଛି । ଆଗରୁ ସେ ଦି’ଦି’ ଥର ସୌଭାଗ୍ୟକୁ ବଳି ପକେଇବା ଲାଗି ଯୋଜନା କରି ବିଫଳ ହୋଇଥିଲା । ଏଥର ସୌଭାଗ୍ୟର ଦୁର୍ଭାଗ୍ୟ, ସେ ବଳି ପଡ଼ିଗଲା, ମରିଗଲା ।

 

ଏହାପରେ ଘଟନା ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ନାହିଁ । ପୁଲିସ ଆସିଥିବ, ସୁଦାମକୁ ବାନ୍ଧିଥିବ । ହୁଏତ ତାକୁ ଜେଲ ହେବ ବା ନ ହେବ । ଜେଲ୍‌ ହେଲେ କୋର୍ଟ କଚେରିକୁ କଥା ଯିବ । ପୁଅକୁ ହରେଇଥିବା ବାପ-ମା’ ଜମିବାଡ଼ି ବିକି କେଶ୍‌ ଲଢ଼ିବେ । କିନ୍ତୁ ଶେଷକୁ ଯଦି ସୁଦାମ ଦୟାନିଧି ପରି ରାଜକ୍ଷମା ପାଇଯାଏ ତାହାହେଲେ ଏଇ ଲେଖକ ଏବଂ ଲେଖକ ପରି ଏ ରାଜ୍ୟର ଲକ୍ଷ ଲକ୍ଷ ସାଧାରଣ ଲୋକ ବିସ୍ମିତ ହେବେ ନାହିଁ । କ୍ଷମା ତ ସବୁଠାରୁ ମହତ ଗୁଣ !

 

କୋଚିଆ କୋଇଲି ଗାଁର ଏଇ ଘଟନା ନୂଆ ନୁହେଁ । ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ଯୋଗୁଁ ପ୍ରତି ସପ୍ତାହରେ, ଓଡ଼ିଶାରେ ଜଣେ ଦି’ ଜଣ ବଳି ପଡୁଛନ୍ତି । କେତେକ କଥା ଖବରକାଗଜ ରିପୋର୍ଟରଙ୍କ ଦୃଷ୍ଟିକୁ ଆସୁଛି । କେତେକ ଆସୁନାହିଁ । ପୁଣି ପୁଲିସରେ ଏଫଆଇଆର ଦାୟର ନ ହେବାଯାଏ ଖବରକାଗଜଗୁଡ଼ିକ ଏସବୁ ଜାଣିବାକୁ ପାଆନ୍ତି ନାହିଁ । ଦି’ ବର୍ଷ ତଳେ ଜଗତସିଂହପୁରରେ ଗୋଟିଏ ପରିବାରଏହି ଧରଣର ତନ୍ତ୍ରପୂଜାରେ ନିଶ୍ଚିହ୍ନ ହୋଇଥିବା ଖବର ସାରା ରାଜ୍ୟକୁ କିଛି ମୁହୂର୍ତ୍ତ ପାଇଁ ଚହଲେଇ ଦେଇଥିଲା । ବେଶି ଦୂରକୁ ଯିବା ଦରକାର ନାହିଁ । ଗଲା ଜୁଲାଇ/ଅଗଷ୍ଟ ମାସରେ ଏ ଧରଣର ଏକାଧିକ ଘଟନା ଘଟିଛି । ବଳି ବ୍ୟବସ୍ଥା ସାଙ୍ଗକୁ ସୁନ୍ଦରଗଡ଼ ଓ କେନ୍ଦୁଝର ପରି ଜିଲ୍ଲାରେ ଡାଆଣୀ ସନ୍ଦେହରେ ନରହତ୍ୟା ଏକ ଜଣାଶୁଣା ବ୍ୟାଧି । ଗଲା ଜୁଲାଇ ମାସରେ କେନ୍ଦୁଝର ବାଉଁଶଝର ବସ୍ତିରେ ଜଣେ ଯୁବକ ଡାଆଣୀ ସନ୍ଦେହରେ ତା ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ସେହିଦିନ ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ପିଓ ନାଏକ ନାମକ ୬୦ ବର୍ଷର ବୁଢ଼ୀକୁ ଅନୁରୂପ ସନ୍ଦେହରେ ହତ୍ୟା କରାଯାଇଥିଲା । ୬ ମାସର ଝିଅକୁ ଅନ୍ଧବିଶ୍ୱାସ ବଶବର୍ତୀ ମାଆ ପାଣିରେ ବୁଡେଇ ମାରିଦେଇଥିବା ଖବର ଗତ ଜୁଲାଇ ୨୪ ତାରିଖ ‘ସମ୍ବାଦ’ରେ ବାହାରିଥିଲା । ଏ ଘଟନା ନୂଆପଡ଼ା ଜିଲ୍ଲା ଖରିଆରରୋଡ୍‌ରେ ଘଟିଥିଲା । ଗଲା ଅଗଷ୍ଟ ୨ ତାରିଖରେ ସୁନାହଣ୍ଡା ପାଇବା ଲୋଭରେ କଣ୍ଟାମାଳ ପାଖ ଜାଗିତିଆ ଗାଁର ଜଣେ ଯୁବକକୁ ଆଉ ଦି’ ଜଣ ଲୋକ ଠାକୁରାଣୀ ନିକଟରେ ବଳି ପକେଇ ମାରି ଦେଇଥିଲେ । ଦେବୀଙ୍କୁ ଖୁସି କଲେ ସୁନାହଣ୍ଡା ମିଳିବ ବୋଲି ସେମାନେ ବିଶ୍ୱାସ କରୁଥିଲେ । ଏମିତି ଉଦାହରଣ ଦେଇ ଚାଲିଲେ ଲମ୍ବା ପୋଥିଟାଏ ହେବ ।

 

ସାଧାରଣ ଲୋକେ ମତ ଦିଅନ୍ତି, ଦାରିଦ୍ର୍ୟ ଏବଂ ଶିକ୍ଷାର ଅଭାବ ଏଇ ଧରଣର ଅନ୍ଧବିଶ୍ୱାସ ପାଇଁ ଦାୟୀ । ମାତ୍ର କଥାଟି ସଂପୂର୍ଣ୍ଣ ସତ୍ୟ ନୁହେଁ । ଓଡ଼ିଶାର ବହୁ ତଥାକଥିତ ପାଠୁଆ ଏବଂ ଧନୀ ଲୋକ ଏପରି ବଳି, ଡାଆଣୀ, ତନ୍ତ୍ରପୂଜା ଓ ପୂଜାର୍ଚନାରେ ବିଶ୍ୱାସ କରନ୍ତି । ଉଦାହରଣସ୍ୱରୂପ ଗୋଟିଏ କଥା ଉଲ୍ଲେଖ କରୁଛି । ଗତ ସପ୍ତାହରେ ଓଡ଼ିଶା ସରକାରଙ୍କ ଅଧୀନରେ କାମ କରୁଥିବା ଜଣେ ଆଇଏଏସ ଅଫିସର ଓ ଗୁରୁତ୍ୱପୂର୍ଣ୍ଣ ସେକ୍ରେଟାରୀ କଟକ ମେଡ଼ିକାଲର ନର୍ସିଂହୋମ୍‌ରେ ତାଙ୍କର ଗୋଡ଼ଫୁଲା ରୋଗ ଯୋଗୁଁ ଭର୍ତି ହୋଇଥିଲେ । ଡାକ୍ତରମାନେ ଚିକିତ୍ସା କଲେ । ମାତ୍ର ଅଫିସରଙ୍କର ଏକା ଜିଦ୍‌, ଅଡ଼ସପୁର ଅଞ୍ଚଳର ଜନୈକ ଝଡ଼ାଫୁଙ୍କା ଜାଣିଥିବା ଲୋକଙ୍କୁ ଡକାଯାଉ । ସିଏ ମନ୍ତ୍ର କରି ତାଙ୍କ ବ୍ୟାଧି ଭଲ କରିଦେବେ । ସେତେବେଳକୁ ଅଡ଼ସପୁର ଅଞ୍ଚଳ ବନ୍ୟା ପାଣିରେ ବୁଡ଼ି ରହିଛି । ସେ ଲୋକ କୋଉଠି ମିଳିବେ ? ଅଧସ୍ତନ କର୍ମଚାୀମାନେ ଡଙ୍ଗା ଓ ଲୋକ ପଠେଇ ତାଙ୍କୁ ଦି’ ଦିନ କାଳ ଖୋଜୁଥିଲେ । ତା’ପରେ କ’ଣ ହେଲା ସେ ଖବର ଏ ଲେଖକ ରଖିବାକୁ ଚାହିନାହିଁ । ୧୯୯୯ ମହାବାତ୍ୟା ବେଳେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ଅଭିଜ୍ଞ ନେତାଜଣକ କେମିତି ଗଣିତ ବିଦ୍ୟା ଓ ଦୈବୀଶକ୍ତି ବଳରେ ମହାବାତ୍ୟାର ପ୍ରଭାବକୁ ତିନି ଭାଗରେ ବିଭକ୍ତ କରି ଭାଗେ ପଶ୍ଚିମବଙ୍ଗ, ଆଉ ଭାଗେ ଆନ୍ଧ୍ରପ୍ରଦେଶକୁ ପଠେଇ ଦେଇ ଓଡ଼ିଶାକୁ ‘ବଞ୍ଚେଇ’ ଦେବାରେ ସମର୍ଥ ହେଲେ ସେ କଥା ସାମ୍ବାଦିକ ରୁବେନ ବାନାର୍ଜୀ ତାଙ୍କ ‘ଓଡ଼ିଶା ଟ୍ରାଜେଡି’ ବହିରେ ଲେଖିଛନ୍ତି ! ଏହି ଦୁଇଟି ଉଦାହରଣ ଦେବାର ଉଦ୍ଦେଶ୍ୟ ହେଉଛି, କେବଳ ଅପାଠୁଆ ଓ ଗରିବ ଲୋକମାନେ ତନ୍ତ୍ରମନ୍ତ୍ର, ପୂଜାପାଠରେ ବିଶ୍ୱାସ କରନ୍ତି ବୋଲି ଯେଉଁ କଥା କୁହାଯାଉଛି, ତାହା ସତ ନୁହେଁ । ଆମ ରାଜ୍ୟର ଅଧିକାଂଶ ବଡ଼ ନେତା, ଅଫିସର, ଯନ୍ତ୍ରୀ ଓ ବିଶିଷ୍ଟ ଲୋକ ଏହି ଅନ୍ଧବିଶ୍ୱାସ ରୋଗରେ ରୋଗୀ । ତା’ର କୁପ୍ରଭାବ ଯୋଗୁଁ ରାସ୍ତାଘାଟରେ ପ୍ରତିଦିନ ନୂଆ ନୂଆ ବାବା, ମାତା ଓ ଗୁରୁ ଆବିର୍ଭୂତ ହେଉଛନ୍ତି । ସେମାନଙ୍କ ମଠ ମନ୍ଦିର ଆଗରେ ଗାଡ଼ି ମଟର ଜମା ହେଉଛି ଏବଂ ଜମି ଜବରଦଖଲ ମଧ୍ୟ ସୁରୁଖୁରୁରେ ଚାଲୁଛି । ସବୁଠାରୁ ବଡ଼ କ୍ଷତି ହେଉଛି, ସମାଜର ନିମ୍ନବର୍ଗରେ ଥିବା ଲୋକେ ଏସବୁ ଦ୍ୱାରା ଖୁବ୍‌ ପ୍ରଭାବିତ ହେଉଛନ୍ତି । ବଡ଼ ବଡ଼ ଲୋକମାନେ ବୁଝୁନାହାନ୍ତ ଯେ ସେମାନେ ସମାଜର ‘ମହାଜନ’ ହୋଇଥିବାରୁ ତାଙ୍କ ଚାଲିବାପଥକୁ ‘ହୀନଜନ’ମାନେ ଅନୁସରଣ କରୁଛନ୍ତି । ଗଲା ୫ ତାରିଖ ଥିଲା ଗୁରୁଦିବସ, ଦାର୍ଶନିକ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୟନ୍ତୀ । ଭୁବନେଶ୍ୱରରୁ କଟକ ଯିବା ବାଟରେ, ପ୍ରତାପନଗରୀ ପାଖାପାଖି ରାସ୍ତା ବନ୍ଦ ଥିବା ଦେଖିବାକୁ ମିଳିଲା । ଘଟଣା କ’ଣ ବୁଝିବାକୁ ଗଲାବେଳକୁ ଜଣାଗଲା, ଜଣେ ବାବା ଆଗରେ ମାରୁତି ଭ୍ୟାନରେ ବସି ଶୋଭାଯାତ୍ରାରେ ଯାଉଛନ୍ତି । ତାଙ୍କରି ଶିଷ୍ୟ ଓ ସଂକୀର୍ତନମଣ୍ଡଳି ଲାଗି ରାସ୍ତା ଭିଡ଼ । ପାଖ ସ୍କୁଲ୍‌ର ପିଲାମାନଙ୍କୁ ଡକେଇ ଆଣି ବୟସ୍କ ଲୋକମାନେ ବାବାଙ୍କ ପାଦ ଛୁଆଁଉଥାନ୍ତି ଏବଂ ସଂକୀର୍ତନରେ ପାଳି ଧରିବାକୁ ପରାମର୍ଶ ଦେଉଥାନ୍ତି । ରାସ୍ତା ଦି’ କଡ଼େ ପାଣି । ମହାନଦୀ କାଠଯୋଡ଼ି କୂଳ ଖାଉଥାଏ ! ସେତେବେଳେ ବୁଡ଼ି ଅଞ୍ଚଳକୁ ଯାଇ ଲୋକଙ୍କ ପାଖରେ ଛିଡ଼ା ହେବା ବଦଳରେ ବାବା ଓ ତାଙ୍କର ଶିଷ୍ୟମାନେ ରାଜପଥ ଅବରୋଧ କରି ଖୋଳ, କରତାଳ ଓ ଗିନି ବଜେଇ ଶୋଭାଯାତ୍ରାରେ ଯିବାର କି ପ୍ରୟୋଜନ ଥିଲା ବୁଝି ହେଲା ନାହିଁ । ପୁଣି ଛୋଟଛୋଟ ସ୍କୁଲ୍‌ପିଲାଙ୍କୁ ପାଠ ପାଖରୁ ଘୋଷାରି ଆଣି ଏଇ ସଂକୀର୍ତନରେ ସାମିଲ କରାଯାଇଥିଲା କାହିଁକି, ତାହା ମଧ୍ୟ ବୁଝିହେଲା ନାହିଁ ।

 

କିଛି ମାସ ତଳେ ଓଡ଼ିଶାକୁ ସ୍ୱାମୀ ଅଗ୍ନିବେଶ ଆସିଥିଲେ । ସେ ଜଣେ ହେତୁବାଦୀ ଜନନେତା । ତାଙ୍କ ସଂପର୍କରେ ଅନ୍ୟ କାହାର ଅଲଗା ଅଭିଜ୍ଞତା ଥିବ, ତାହା ଏ ଲେଖକ ଜାଣେ ନାହିଁ । ମାତ୍ର ତାଙ୍କର ଗୋଟିଏ କଥା ଲେଖକକୁ ଛୁଇଁଥିଲା । ଏ ଦେଶର ବାବା, ମାତା, ସାଧୁ, ସନ୍ନ୍ୟାସୀଙ୍କ ଭିତରୁ ଅଧିକାଂଶ ଦେଶର ଲାଭ ବଦଳରେ କ୍ଷତି କରୁଛନ୍ତି । ଦାରିଦ୍ର୍ୟ, ଅଶିକ୍ଷା ସାଙ୍ଗକୁ ଭାଗ୍ୟବାଦ ଓ ଅନ୍ଧବିଶ୍ୱାସ ହଜାର ହଜାର ଲୋକଙ୍କୁ ସର୍ବସ୍ୱାନ୍ତ କରୁଛି । ଓଡ଼ିଶା ଗରିବ ରାଜ୍ୟ ହୋଇଥିବାରୁ ଏଠି ଏ ବ୍ୟାଧି ସଂକ୍ରାମକ ପରି ବ୍ୟାପି ଚାଲିଛି । ଯେଉଁମାନେ ଏହାର ଶିକାର ହେଉଛନ୍ତି ସେମାନେ ଅନ୍ଧ ପରି ବ୍ୟବହାର କରୁଛନ୍ତି । ଯେଉଁମାନେ ଏକଥା ଭୁଲ୍‌ ବୋଲି ଜାଣୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଖିବୁଜି ରହିବା ଉଚିତ ମଣୁଛନ୍ତି । ଫଳରେ ସମଗ୍ର ଓଡ଼ିଶା ‘ଅନ୍ଧ ଓଡ଼ିଶା’ ପାଲଟିଯାଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀ ସେମାନଙ୍କ ବ୍ୟଭିଚାରକୁ ଲୁଚାଇବା ଲାଗି କଳାବଜାରୀ ବ୍ୟବସାୟୀଙ୍କ ସାହାଯ୍ୟରେ ବାବା, ମାତା, ଠାକୁର-ଠାକୁରାଣୀଙ୍କ ନାଁ ନେଇ ସମୁଦାୟ କାରବାରକୁ ରହସ୍ୟମୟ କରି ଥୋଇଦେଉଛନ୍ତି । ଅଧିକାଂଶ ବାବା ମାତା ବ୍ରହ୍ମ ସତ୍ୟ ଓ ଜଗତ ମିଥ୍ୟା ବୋଲି କ୍ୟାସେଟ୍‌ ଜରିଆରେ ବାଣୀ ଶୁଣଉଛନ୍ତି । ମାତ୍ର ସେଇ ବାବା, ମାତାମାନେ ଛୋଟବଡ଼ ସହର ଓ ବଜାର ଉପକଣ୍ଠରେ ଏକର ଏକର ଜମି ମାଡ଼ି ବସୁଛନ୍ତି । ଜଗତ ମିଥ୍ୟା ବୋଲି ଯଦି ସେମାନଙ୍କର ଏତେ ବିଶ୍ୱାସ, ତାହାହେଲେ ଏସବୁ ବିଳାସବ୍ୟସନ କାହିଁକି ଆବୋରି ବସୁଛନ୍ତି ? ମିଥ୍ୟା ମାୟାରେ ପଡ଼ି କାହିଁକି ବାୟା ହେଉଛନ୍ତି ? କୌଣସି ଧର୍ମର ସମାଲୋଚନା କରିବା ବା ଆଧ୍ୟାତ୍ମିକତାର ଅସ୍ୱୀକାର ଏ ଆଲୋଚନାର ଲକ୍ଷ୍ୟ ନୁହେଁ । ମାନାବିକତା ହିଁ ଶ୍ରେଷ୍ଠ ଧର୍ମ ଏବଂ ବିଶ୍ୱ ସମାଜର କଲ୍ୟାଣ ହିଁ ବଡ଼ ଆଧ୍ୟାତ୍ମିକତା । ଆମର ଅବବୋଧ ବାହାରେ ଯେଉଁସବୁ ଶକ୍ତି ରହିଛନ୍ତି ସେସବୁକୁ ଭାରତର ବେଦ ଉପନିଷଦ ପ୍ରାଚୀନ ସମୟରୁ ଆରାଧନା କରି ଆସିଛି । କାହାର ଭାବାବେଗକୁ ଆଘାତ ଦେବା ଆଉ ଏକ ପ୍ରକାର ଅପରାଧ । ଈଶ୍ୱର ଅଛନ୍ତି ବୋଲି କହିବା ଯେମିତି ବିବଦମାନ, ଈଶ୍ୱରଙ୍କୁ ଧରି ଆଣିଲେ ଲକ୍ଷେ ଟଙ୍କା ଦେବୁ ବୋଲି ଘୋଷଣା କରିବା ସେମିତି ବିବଦମାନ । ଏରିକ୍‌ ହଫର ଗୋଟେ ଭଲ କଥା କହିଛନ୍ତି, ‘ଯେଉଁମାନେ ସତ୍ୟର ସନ୍ଧାନ କରୁଛନ୍ତି, ସେମାନଙ୍କୁ ବିଶ୍ୱାସ କର । କିନ୍ତୁ ଯେଉଁମାନେ କହୁଛନ୍ତି ସତ୍ୟକୁ ପାଇଗଲେଣି, ସେମାନଙ୍କୁ ସନ୍ଦେହ କର । ଓଡ଼ିଶାର ଅଧିକାଂଶ ଲୋକ ଧର୍ମାନୁରାଗୀ ଏବଂ ଈଶ୍ୱରବିଶ୍ୱାସୀ । ତେଣୁ ଈଶ୍ୱର ନାହାନ୍ତି ପରି କଥା କହିଲେ ସେମାନେ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ । ମଣିଷର ଜ୍ଞାନର ବାହାରେ ଅନେକ ରହସ୍ୟ ରହିଛି । ବହୁ ବୈଜ୍ଞାନିକ ଓ ଦାର୍ଶନିକ ସେ ରହସ୍ୟ ଉନ୍ମୋଚନ କରିବା ପାଇଁ ଚେଷ୍ଟା କରିଛନ୍ତି, ଏବେ ବି କରୁଛନ୍ତି । ସିଏ ଅଲଗା କଥା । କିନ୍ତୁ ଧର୍ମାନ୍ଧତା ଏବଂ ଅନ୍ଧବିଶ୍ୱାସ ଅଲଗା କଥା । କୌଣସି ପରିସ୍ଥିତିରେ ସୁଦ୍ଧା ଏ ପ୍ରକାର ତନ୍ତ୍ରମନ୍ତ୍ର, ନରବଳି ବା ପଶୁବଳିକୁ ଯଥାର୍ଥ ବୋଲି କୁହାଯାଇପାରିବ ନାହିଁ । ଯେଉଁମାନେ ଏ ପ୍ରକାର କାର୍ଯ୍ୟକୁ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ସମର୍ଥନ, ସହଯୋଗ କିମ୍ବା ସ୍ୱୀକାର କରୁଛନ୍ତି ସେମାନେ ମଣିଷ ସମାଜର ଜଣେ ଜଣେ ଶତ୍ରୁ ।

 

ବଢ଼ି, ଝଡ଼ି, ମରୁଡ଼ି, ବେକାରୀ ଓ ଦାରିଦ୍ର୍ୟ ଭିତରେ ଓଡ଼ିଶା ଦିନୁ ଦିନୁ ଦୁର୍ବଳ ହୋଇଚାଲିଛି । କେବେ ଯେ ଏ ରାଜ୍ୟର ଭାଗ୍ୟ ରବି ଉଦୟ ହେବ ସେ କଥା କେହି ଜାଣନ୍ତି ନାହିଁ-। ଏତେବେଳେ ଶିକ୍ଷିତ ଲୋକ, ସରକାରୀ କଳ ଓ ଏହି ରାଜ୍ୟକୁ ଭଲ ପାଉଥିବା ଲୋକମାନେ ଅନ୍ଧବିଶ୍ୱାସ ଏବଂ କୁସଂସ୍କାରକୁ ହଟେଇବା ଲାଗି ଆଗେ ଅଣ୍ଟାଭିଡ଼ିବା ଦରକାର । କୌଣସି ଦେବାଦେବୀ, ଯଦି ସତରେ ଥାଆନ୍ତି, କଦାପି ସେ ମଣିଷ ରକ୍ତରେ ଖୁସି ହୁଅନ୍ତି ନାହିଁ । ଏସବୁ କେବଳ ବିକୃତ ମାନସିକତାର ବ୍ୟବସାୟ । ନୂଆ ପ୍ରକାର ବେପାର ବଣିଜର ଫନ୍ଦି ଫିକର । ଅସଲ ସମସ୍ୟା ଉପରୁ ଦୃଷ୍ଟି ଘୁଞ୍ଚେଇ ଦେବାର ଯୋଜନା । ଏ କଥାଟି ଆମର ଏ ଅନ୍ଧ ଓଡ଼ିଶା କେବେ ବୁଝିବ ଏବଂ ଆଉ କେତେ ନିରୀହ ବୁଢ଼ାବୁଢ଼ୀ, ଯୁବକ, ଯୁବତୀ ଓ ଦୁଧଖିଆ କଅଁଳାଛୁଆଙ୍କ ଜୀବନ ବଳି ପଡ଼ିଲା ପରେ ଚେତା ପଶିବ ?

 

ସମ୍ବାଦ, ୧୮ ସେପ୍‌ଟେମ୍ବର, ୨୦୦୩

Image

 

‘ରଡ୍‌ ବଙ୍କା କରି ପାରୁନାହାନ୍ତି ଓଡ଼ିଆ’

 

ରେଳବାଇ ବୋର୍ଡର ପ୍ରଥମ ଓଡ଼ିଆ ଅଧ୍ୟକ୍ଷ ଶ୍ରୀ କଲ୍ୟାଣ କୁମାର ଜେନା ନିକଟରେ ଓଡ଼ିଶା ଆସିଥିଲେ । ତାଙ୍କ ଗସ୍ତ ସମୟରେ ସେ ଦେଇଥିବା ଗୋଟିଏ ବିବୃତି ଆମ ମନରେ ନୈରାଶ୍ୟ ଏବଂ ଅସହାୟତା ସୃଷ୍ଟି କରିଛି । ଓଡ଼ିଶାର ରେଳ ଚାକିରି ଗୁଡ଼ିକରେ ବିହାର ପ୍ରଦେଶର ଯୁବକମାନେ ଆସି ନିଯୁକ୍ତି ପାଉଥିବା ଏବଂ ଏ ପ୍ରକାର ନିଯୁକ୍ତିରୁ ଓଡ଼ିଆ ଯୁବକ ବଞ୍ଚିତ ହେଉଥିବା କଥା ପ୍ରତି ଅଧ୍ୟକ୍ଷଙ୍କର ଦୃଷ୍ଟି ଆକର୍ଷଣ କରାଯିବାରୁ ଶ୍ରୀ ଜେନା କହିଥିଲେ ଯେ ଓଡ଼ିଆ ପ୍ରାର୍ଥୀଙ୍କର ପ୍ରତିଯୋଗିତା କରିବାର ଦକ୍ଷତା ନାହିଁ । ରେଳବାଇ କାମ ପାଇଁ ରାଜ୍ୟରେ ଶ୍ରମିକ ମିଳୁ ନାହାନ୍ତି । ଯେଉଁମାନେ ମିଳୁଛନ୍ତି ସେମାନଙ୍କର ରଡ୍‌ ବଙ୍କା କରିବାର ଦକ୍ଷତା ନାହିଁ । ସେଥିପାଇଁ ରେଳବାଇକୁ ବାହାରୁ ଲୋକ ଆଣି ଏଠାରେ କାମ କରିବାକୁ ପଡୁଛି । ଶ୍ରୀ ଜେନାଙ୍କର ଏହି ମନ୍ତବ୍ୟ କେବଳ ଆମକୁ ନୁହେଁ ଅନେକ ସ୍ୱାଭିମାନୀ ଓଡ଼ିଆଙ୍କୁ କଷ୍ଟ ଦେଇଥିବ । କାରଣ ଯେଉଁ ରାଜ୍ୟର ଜଣେ ବ୍ୟକ୍ତିଙ୍କର ରେଳବାଇର ସର୍ବୋଚ୍ଚ ଅଧ୍ୟକ୍ଷ ପଦରେ ବସିବାର ଦକ୍ଷତା ରହିଛି ସେଇ ରାଜ୍ୟର ଯୁବକମାନଙ୍କର ରଡ୍‌ ବଙ୍କା କରିବାର ଦକ୍ଷତା ନ ରହିବା ଏକ ବିଡ଼ମ୍ବନା । ପୁଣି ଯେଉଁ ଓଡ଼ିଆଏ କଥା କଥାରେ ନିଜକୁ ଉତ୍କୃଷ୍ଟ କଳାର ରାଜ୍ୟର ଲୋକ ଓ ପଥର ଦେହରେ ଛୁଞ୍ଚିକାମ ପରି କଳା ଫୁଟେଇଥିବା ମହାରଣାଙ୍କ ଦାୟାଦ ବୋଲି ଦାବି କରିଥାଆନ୍ତି ତାଙ୍କ ପାଇଁ ଏହି ମନ୍ତବ୍ୟ ଅତ୍ୟନ୍ତ କଷ୍ଟଦାୟକ ।

 

ତେବେ କେବଳ ଆବେଗଚାଳିତ ହୋଇ ଶ୍ରୀ ଜେନାଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ଏକଥା ସତ ଯେ, ରେଳବାଇ ଚାକିରି କ୍ଷେତ୍ରରେ ବିହାରର ଯୁବକମାନେ ଯେଉଁଭଳି ଭାବରେ ସୁବିଧା ସୁଯୋଗ ପାଉଛନ୍ତି ତାହା ପଛରେ ଧାତବ ଲୁହାରଡ୍‌କୁ ବଙ୍କେଇବାର ଯେତିକି ଦକ୍ଷତା ରହିଛି, ଭାରତ ରାଜନୀତିର ଲୁହାରଡ୍‌କୁ ବିହାରର ରାଜନେତାମାନେ ଅକ୍ଳେଶରେ ବଙ୍କେଇ ପାରିବାର ଦକ୍ଷତା ପ୍ରଶ୍ନ ସେତିକି ରହିଛି । କେବଳ ନୀତୀଶ କୁମାର କି ଲାଲୁପ୍ରସାଦ ଯାଦବ ନୁହନ୍ତି ବିହାରର ରାଜନେତାମାନେ ଅଧିକାଂଶ ସମୟରେ ରେଳବାଇ ମନ୍ତ୍ରାଳୟ ନିଜ ହାତରେ ରଖି ଆସିଛନ୍ତି ଏବଂ ନିଜ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଏହାର ଯେପରି ଯଥାର୍ଥ ଉପଯୋଗ କରିଛନ୍ତି ସେପରି ସୁଯୋଗ କୌଣସି ଦିନ ଓଡ଼ିଆଙ୍କ ଭାଗ୍ୟରେ ଆସିନାହିଁ ।

 

ଆଜି ରେଳବାଇ ବୋର୍ଡର ଅଧ୍ୟକ୍ଷ ଯାହା କହିଲେ ତାହା ଯେ ଓଡ଼ିଶାର ଯୋଜନା ପ୍ରଣେତା ବା ଉଚ୍ଚଅଧିକାରୀମାନେ ଜାଣନ୍ତି ନାହିଁ, ଏପରି ଭାବି ହେଉନାହିଁ । ବିଭିନ୍ନ ମଞ୍ଚରେ ଏ ସମ୍ପର୍କରେ ବହୁବାର ଆଲୋଚନା ହୋଇଛି । ରାଉରକେଲା ଇସ୍ପାତ କାରଖାନା ଆରମ୍ଭ ହେବା ଆଗରୁ ସେଇ କାରଖାନାରେ ଯେଉଁ ପଦପଦବୀ ସୃଷ୍ଟି ହେବ, ସେଥିପାଇଁ ଆମ ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ ଲାଗୁ କରାଗଲା ନାହିଁ । ଫଳରେ ଓଡ଼ିଆଏ ଭଲ ନିଯୁକ୍ତି ପାଇଲେ ନାହିଁ । ତା’ପରେ ସୁଦ୍ଧା ଆମର ନିଦ୍ରାଭଙ୍ଗ ହେଲା ନାହିଁ । ଆଜି ସରକାର ଅନେକ ଗୁଡ଼ିଏ ନୂଆ ପ୍ରକଳ୍ପ ସହ ରାଜିନାମା କଥା କହି ଗୌରବ ଅର୍ଜନ କରୁଛନ୍ତି । ମାତ୍ର ଏସବୁ ସଂସ୍ଥାରେ ଯେଉଁ ଜନବଳ ନିଯୁକ୍ତ ହେବେ ସେଥିରେ ଓଡ଼ିଆଏ କେତେ ନିଯୁକ୍ତି ପାଇବେ ? ପୁରୀଠାରେ ଗୋଟିଏ ଷ୍ଟିଲ୍‌ ଟେକ୍‌ନୋଲଜି ସଂସ୍ଥା ପ୍ରତିଷ୍ଠା ହୋଇଥିଲା । ମାତ୍ର କେଉଁ କାରଣରୁ ସେ ଅନୁଷ୍ଠାନଟି ଆରମ୍ଭ ବେଳୁ ସଙ୍କଟରେ ପଡ଼ିଛି ତାହା ସରକାର ଜାଣିଥିବେ । ବିହାରର ଶାରୀରିକ ଦକ୍ଷତା ଓ ରାଜନୈତିକ ଦକ୍ଷତା ସମ୍ପର୍କରେ ପୂର୍ବରୁ ଦିପଦ କହିଛୁ । ଏବେ କେରଳର ଗୋଟିଏ ଉଦାହରଣ । ଷାଠିଏ ଦଶକରେ, ଯେତେବେଳେ କେରଳରେ ସାକ୍ଷରତା ହାର ଆଶାନୁରୂପକ ଭାବେ ବଢ଼ିଲା ସେତେବେଳେ ଏହି ଶିକ୍ଷିତମାନଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ସେ ରାଜ୍ୟ ସରକାର ଯୋଜନା କଲେ । ବଡ଼ବଡ଼ିଆଙ୍କ ପୁଅଝିଅଙ୍କ ତାଲିମ ପାଇଁ ତାଙ୍କ ପରିବାର ବ୍ୟବସ୍ଥା କରିପାରିବେ-। ମାତ୍ର ସାଧାରଣ ପରିବାରର ପୁଅଝିଅଙ୍କ ଲାଗି ସରକାର ବ୍ୟବସ୍ଥା ନକଲେ କିଏ କରିବ ? କେରଳରେ ଗୁଡ଼ିଏ ନର୍ସିଂ ଓ ଷ୍ଟେନୋଗ୍ରାଫି ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲାଗଲା । ହଜାର ହଜାର କେରଳୀ ଝିଅ ନର୍ସ ହୋଇ ବାହାରିଲେ ଓ ପୁଅମାନେ ଷ୍ଟେନୋଗ୍ରାଫର ହେଲେ । ଗତକାଲି ପର୍ଯ୍ୟନ୍ତ ଭାରତର ଯେକୌଣସି ହସ୍‌ପିଟାଲରେ ଯେ ଆମେ କେରଳୀ ସ୍ୱାସ୍ଥ୍ୟସେବିକା ଓ କୌଣସି ଦପ୍ତରରେ କେରଳୀ ଷ୍ଟେନୋଗ୍ରାଫରଙ୍କୁ ଭେଟୁଥିଲୁ ତା ପଛରେ ସେ ରାଜ୍ୟର ସରକାର ଓ ଯୋଜନା ପ୍ରଣେତା ମାନଙ୍କର ଦୂରଦୃଷ୍ଟି ଥିଲା ।

 

ଏହି ପରିପ୍ରେକ୍ଷୀରେ ଆଉ ଗୋଟିଏ କଥା ଆଲୋଚନା କରାଯାଇପାରେ । ବର୍ତ୍ତମାନ ଦେଖାଯାଉଛି ଯେ ଓଡ଼ିଆ ପିଲାମାନଙ୍କର ଭବିଷ୍ୟତ ଲାଗି ଭଲ ଯୋଜନା କରାଯିବା ବଦଳରେ ସେମାନଙ୍କୁ ଅଧିକ ଅଯୋଗ୍ୟ କରିବାଲାଗି ଉଭୟ ସରକାର ଓ ସମାଜ ମିଳିତ ଭାବେ ଲାଗି ପଡ଼ିଛନ୍ତି । ଓଡ଼ିଶାର ଶିକ୍ଷା ପ୍ରଣାଳୀ ଉପରୁ ତଳ ଦି’ ଗଡ଼ ହେଲାପରି ଦି’ ଭାଗରେ ବିଭକ୍ତ । ଗୋଟିଏ ପଟେ ଇଂରାଜୀ ମିଡିୟମ୍‌ ସ୍କୁଲ ଓ ଆରପଟେ ଓଡ଼ିଆ ମିଡିୟମ୍‌ ସ୍କୁଲ । ଗୋଟାଏ ପଟେ ଯେଉଁମାନେ ପଢ଼ିବେ ସେମାନଙ୍କ ଭିତରୁ କେହି ଚାକିରି କରିବେ, ଡାକ୍ତର, ଇଞ୍ଜିନିୟର ଓ ଆଇଏଏସ୍‌, ଆଇପିଏସ୍‌ ଓ ରେଳବାଇ ଅଧ୍ୟକ୍ଷ ହେବେ । ଆରପଟେ ଯେଉଁମାନେ ପଢ଼ିବେ ସେମାନଙ୍କ ଭିତରୁ କେହି ଭାଗ୍ୟବାନ କିଛି ଭଲ ନିଯୁକ୍ତି ପାଇବେ, ନହେଲେ ‘ରଡ୍‌ ବଙ୍କା କରି ପାରୁନଥିବା’ ଅପବାଦ ମୁଣ୍ଡେଇ ଗାଁ ମୁଣ୍ଡରେ ବସି ବସି କପାଳକୁ ନିନ୍ଦିବେ । ରାଜ୍ୟର ବୟାଳିଶ ହଜାର ପ୍ରାଥମିକ ସ୍କୁଲ୍‌ରେ ଦୁଇଲକ୍ଷ ଦଶହଜାର ଶ୍ରେଣୀ କକ୍ଷ ଅଛି, ଯାହା ପାଇଁ ଏକଲକ୍ଷ ଶିକ୍ଷକ ସୁଦ୍ଧା ନାହାନ୍ତି । ସରକାର ଶିକ୍ଷାକର୍ମୀମାନଙ୍କୁ ନିଯୁକ୍ତି ଦେଇ ଦୋଷ ଛଡ଼େଇବା ଲାଗି ଉଦ୍ୟମ କରୁଛନ୍ତି, ମାତ୍ର ଥରେ ସେ ସ୍କୁଲଗୁଡ଼ିକ ଗଲେ ଦେଖନ୍ତେ କିପରି ପଞ୍ଚମ ଶ୍ରେଣୀର ପିଲା ମଧ୍ୟ ସରଳ ଓଡ଼ିଆ ବାକ୍ୟଟିଏ ପଢ଼ି ପାରୁନାହିଁ କିମ୍ବା ସାଧାରଣ ମାନସାଙ୍କଟିଏ ସମାଧାନ କରି ପାରୁନାହିଁ । ନିକଟରେ ସ୍ୱେଚ୍ଛାସେବୀ ସଂସ୍ଥା ‘ପ୍ରଥମ’ ପକ୍ଷରୁ ଏ ସମ୍ପର୍କରେ ଏକ ସର୍ଭେ ହୋଇଥିଲା ଏବଂ ସେହି ରିପୋର୍ଟରେ ଏଭଳି ଉଦ୍‌ବେଗଜନକ ତଥ୍ୟ ସ୍ଥାନିତ ହୋଇଥିଲା । ଅନ୍ୟପକ୍ଷରେ ବର୍ତ୍ତମାନ ସ୍କୁଲଗୁଡ଼ିକରେ ଆଉ ପାସ୍‌-ଫେଲ୍‌ ନାହିଁ । ଫେଲ୍‌ ବ୍ୟବସ୍ଥା ଉଠିଯାଇଛି । ତା’ର କାରଣ ଭିନ୍ନ । ଗୋଟିଏ କାରଣ ହେଲା ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନ ଭୋଜନରେ ଡାଲି, ଚାଉଳ, ଅଣ୍ଡା, କଦଳୀ ଯାହା ଦିଆଯାଉଛି ସେସବୁ ପୂରା ଉପସ୍ଥାନ ଶ୍ରେଣୀ ପାଇଁ ନିଆଯାଉଛି । ଅର୍ଥାତ୍‌ କ୍ଲାସ୍‌ରେ ସମସ୍ତେ ଉପସ୍ଥିତ । ତେଣେ ପିଲାଯାଇ ଗାଈ ଚରାନ୍ତୁ କି କବାଡ଼ି ଖେଳନ୍ତୁ ସ୍କୁଲ ଉପସ୍ଥାନ ଖାତାରେ ‘ଉପସ୍ଥିତ’ । ନହେଲେ ଚାଉଳ ଡାଲି କମିଯିବ । ପିଲାଏ ଯଦି ସବୁଦିନ ମଧ୍ୟାହ୍ନ ଭୋଜନ ଖାଉଛନ୍ତି, ସେମାନେ ସବୁଦିନ ଉପସ୍ଥିତ ରହୁଛନ୍ତି । ଆଉ ବର୍ଷସାରା କ୍ଲାସରେ ଉପସ୍ଥିତ ରହିବା ପିଲା ବାର୍ଷିକ ପରୀକ୍ଷାରେ ଫେଲ୍‌ ହେବ କିପରି ? ତେଣୁ ସମସ୍ତେ ପାସ୍‌ । ମାତ୍ର ମାଟ୍ରିକ୍‌ ପରୀକ୍ଷା ବେଳକୁ ସେ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହେଉଛନ୍ତି । ଶହେରେ ପଚାଶ ଫେଲ୍‌ । ଚାରିଲକ୍ଷ ପିଲାଙ୍କ ଭିତରୁ ଶତକଡ଼ା ପଚାଶ ହିସାବରେ ଯଦି ୨ ଲକ୍ଷ ପିଲାଏ ଫେଲ୍‌ ହୁଅନ୍ତି ତାହାହେଲେ ପରିସ୍ଥିତି କି ପ୍ରକାର ଗମ୍ଭୀର ସେ ସମ୍ପର୍କରେ ଚିନ୍ତା କରାଯିବା ଦରକାର । ଏହି ପିଲାମାନଙ୍କ ଭବିଷ୍ୟତ କ’ଣ ? ସେମାନେ କୁଆଡ଼େ ଯାଆନ୍ତି, ତାଙ୍କ ପିତାମାତାଙ୍କ ମାନସିକ ଅବସ୍ଥା କ’ଣ ହୁଏ ? ସେମାନେ ନେତାମାନଙ୍କ ଶୋଭାଯାତ୍ରାରେ ସାମୟିକ କୋଳାହଳ ହୁଅନ୍ତି ନହେଲେ ଅସାମାଜିକ ତତ୍ତ୍ୱମାନଙ୍କର ଖେଳ ସାମଗ୍ରୀ । ସେଇମାନେ ପହଞ୍ଚନ୍ତି ଗସ୍‌ମା ପାହାଡ଼ ଓ ନକ୍ସଲ- ମାଓବାଦୀ ଶିବିରରେ । ଅଥଚ ସେମାନଙ୍କୁ ରଡ୍‌ ବଙ୍କା କରିବାର କଳା ଶିଖେଇବା ପାଇଁ ସୁଦ୍ଧା ଆମର କୌଣସି ତତ୍ପରତା ନାହିଁ ।

 

ଓଡ଼ିଶାର ଅତୀତକୁ ବିଶ୍ୱାସ କଲେ ଭବିଷ୍ୟତକୁ ବିଶ୍ୱାସ କରିହୁଏ ନାହିଁ । ଓଡ଼ିଶାରେ ଯେଉଁ ଦୁଇଟି କଥା କୃଷି ଓ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା କଥା ତା ଉପରେ ଦିଆଯାଉ ନାହିଁ । କିଛି ବର୍ଷ ହେଲା, ଆମ ମୁଖ୍ୟମନ୍ତ୍ରୀ ଗୋଟିଏ କଥା ରଟି ଚାଲିଛନ୍ତି, କେନ୍ଦ୍ରର ଅବହେଳା । ନିକଟରେ ‘ସମ୍ବାଦ’ ଖବରକାଗଜକୁ ଜଣେ ପତ୍ର ପ୍ରେରକ (୧୧ ଅପ୍ରେଲ୍‌୨୦୦୮) ଚିଠି ଲେଖି ଜଣାଇଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିଯୋଗ କେବଳ ରାଜନୈତିକ ଉଦ୍ଦେଶ୍ୟ ଯୋଗୁଁ । ସେ ହିସାବ କରି ଦେଖେଇ ଦେଇଛନ୍ତି ଯେ କେନ୍ଦ୍ରରେ ଏନ୍‌ଡିଏ ସରକାର ଥିବା ସମୟରେ ରେଳ ବଜେଟ୍‌ରେ ଓଡ଼ିଶା କେତେ ପାଇଥିଲା, ୟୁପିଏ ସରକାର ଆସିବା ବେଳେ କେତେ ପାଇଛି । ଭାରତ ସରକାରଙ୍କ ଅତି ଗୁରୁତ୍ୱପୂର୍ଣ୍ଣ ପଦବିରେ ଥିବା ଜଣେ ଓଡ଼ିଆ ଏହି ଲେଖକଙ୍କୁ କହିଛନ୍ତି ଯେ, ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ କିପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରତି ସପ୍ତାହରେ ଯାଇ ସାଇଲକ୍‌ ପରି ବସି ତାଙ୍କ ରାଜ୍ୟର ଯାହା ଯାହା ଦରକାର ତାହା ନେଇକି ଆସୁଥିଲେ । ମାତ୍ର ଆମ ମୁଖ୍ୟମନ୍ତ୍ରୀ ଚା’ ବିସ୍କୁଟ ଖାଇ ଓ ହସଖୁସି ଗପ କରି ଭୁବନେଶ୍ୱର ଫେରି ଆସୁଥିଲେ । ଓଡ଼ିଶାର ଭୋକିଲା ଲୋକଙ୍କୁ ଉତ୍ତେଜିତ କରିବା କି ରଗେଇବା ସହଜ ମାତ୍ର ଲୋକଙ୍କ ପାଇଁ କାମ କରିଯିବା କଷ୍ଟ ।

 

ଶ୍ରୀ ଜେନା ଯାହା କହିଛନ୍ତି, ସେଥିପ୍ରତି ଆମର ହାକିମ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକର ମୁଖ୍ୟମାନେ ଧ୍ୟାନ ଦେବା କଥା । କେବଳ ରେଳବାଇ ନିଯୁକ୍ତି ନୁହେଁ, ପ୍ରତି କ୍ଷେତ୍ରରେ, ଆଇଏଏସ୍‌ରୁ ନେଇ ପ୍ରତିରକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଓଡ଼ିଆଙ୍କ ନିଯୁକ୍ତି କମି କମି ଚାଲିଛି । ବାହାରେ ଅଭିଯୋଗ ଯେ ଆମ ରାଜ୍ୟର ଅମଲାତନ୍ତ୍ର ଆଦୌ ମନଯୋଗୀ ନୁହେଁ । ଏହା କେତେଦୂର ସତ, କେତେଦୂର ଅତିରଞ୍ଜନ ତାହା ଅଲଗା ପ୍ରସଙ୍ଗ । ମାତ୍ର ଏହା ପଛରେ ସତ୍ୟତା ରହିଛି । କୃଷି କ୍ଷେତ୍ର କଥା ଯତେ କମ୍‌ କୁହାଯିବ ସେତେ ଭଲ । ଆଜି ସୁଦ୍ଧା ୨୦ ଭାଗ ଜମି ଜଳସେଚିତ ହୋଇ ପାରିନାହିଁ । ଯୁକ୍ତି ହେଲାଣି, ଜଳସେଚିତ ବରଗଡ଼ ଚାଷୀ ତ ଅଭାବୀ ବିକ୍ରିରେ ହନ୍ତସନ୍ତ । ସମସ୍ତେ ଭଲ ଅମଳ କଲେ ବିକିବେ କେଉଁଠି ? ମାତ୍ର ସମସ୍ତେ କେବଳ ଧାନ ଚାଷ କରିବେ କାହିଁକି ? ଆନ୍ଧ୍ରର ପାଣି, ପବନ, ମାଟି ଓ ଲୋକଙ୍କ ଚମଡ଼ାର ରଙ୍ଗ କ’ଣ ଓଡ଼ିଶାର ସେହି ସବୁଠାରୁ ସମ୍ପୂର୍ଣ୍ଣ ଭିନ୍ନ ? ଯେଉଁମାନେ ଏ ପ୍ରକାର ଅଭିଯୋଗ କରୁଛନ୍ତି ସେମାନେ ଆନ୍ଧ୍ର ପାଖରୁ ତା’ର ଉତ୍ତର ପାଇବା ଦରକାର ।

 

ଓଡ଼ିଶା ପଛରେ ପଡ଼ିବାର ଅନେକ କାରଣ ଅଛି । ଏ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି କେନ୍ଦ୍ର ଅବହେଳା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ଆତ୍ମବିଶ୍ୱାସର ସଙ୍କଟ ପରି ନାନା ସଙ୍କଟର ସମ୍ମୁଖୀନ । ଓଡ଼ିଶାର ବଡ଼ ପରିଚୟ ଓଡ଼ିଆ ଭାଷା । ମାତ୍ର ବର୍ତ୍ତମାନ ବାପା-ମା’ ତାଙ୍କ ଛୁଆ ଜନ୍ମଦିନୁ ଚିନ୍ତିତ, କାଳେ ମାଟି ଗୋଡ଼ି ପରି ଓଡ଼ିଆ ଶବ୍ଦ ଛୁଆ ପାଟିରେ ପଶିଯିବ । ଯେଉଁଠି ନିଜ ରାଜ୍ୟ ଲୋକ ନିଜ ଭାଷା ପ୍ରତି ଏତେ ଉଦାସୀନ, ସେଠି ଅନ୍ୟ ରାଜ୍ୟ ଲୋକ ଏ ଭାଷା କାହିଁକି ଶିଖିବେ ?

 

ରାଜନୈତିକ ନେତୃତ୍ୱ କେବଳ ପରସ୍ପରକୁ ଗାଳିମନ୍ଦ କରିବାରେ ନିଜ ନିଜର ସବୁ ଶକ୍ତି ସାରୁଛନ୍ତି । ଓଡ଼ିଶାରେ ଗୋଟିଏ ଭଲ କଥା ହୋଇଛି, କିଛି ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠିତ ହୋଇଛି । ମାତ୍ର ସେଠାରେ ମଧ୍ୟ ଓଡ଼ିଆ ପିଲାଙ୍କ ସଂଖ୍ୟା ବଢୁନାହିଁ । ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ଲାଗି ସୈନିକ ସ୍କୁଲ ତାଲିମ ସହାୟକ ହୋଇଥାଏ । ଓଡ଼ିଶା ସରକାର, ଏଠି ପଢ଼େଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଆୟସୀମା ପରିବର୍ତନ କରୁନଥିବାରୁ ଓଡ଼ିଆ ପିଲାଙ୍କ ସଂଖ୍ୟା ନଗଣ୍ୟ ହୋଇ ଆସିଲାଣି । ଏବେ ଏପରି ପରିସ୍ଥିତି ହେଲାଣି ଯେ, ଆମରି ଲୋକ ଉଚ୍ଚ ପଦବିରେ ବସିଲେ ମଧ୍ୟ ସାହାଯ୍ୟ କରିବାକୁ ଅସହାୟ । କାରଣ ଓଡ଼ିଆ ଯୁବକଙ୍କର ତାଲିମ ନାହିଁ ଓ ସେ ରଡ୍‌ ବଙ୍କା କରିପାରୁ ନାହିଁ । ଶ୍ରୀ ଜେନାଙ୍କର ଏ ମନ୍ତବ୍ୟ କମ୍‌ କ୍ରୋଧ ଏବଂ ଅଧିକ ତତ୍ପରତା ସୃଷ୍ଟି କରିପାରିଲେ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ରକ୍ଷା ହେବ ।

 

ସମ୍ବାଦ, ୧୪ ଅପ୍ରେଲ, ୨୦୦୮

Image

 

ଅରକ୍ଷିତ ଓଡ଼ିଆ ଭାଷା ପାଇଁ କୁମ୍ଭୀର କାନ୍ଦଣା

 

ସବୁଦିନ ତା’ର ସୁରକ୍ଷା ପାଇଁ ବ୍ୟାକୁଳତା ପ୍ରକାଶ ପାଉଥିବା ସତ୍ତ୍ୱେ ଓଡ଼ିଆ ଭାଷା ପରି ଅରକ୍ଷିତ ଭାଷା ଏ ଦେଶରେ ଦ୍ୱିତୀୟ ଥିବା ସନ୍ଦେହ । ଏକ ହଜାର ବର୍ଷରୁ ଊର୍ଧ୍ୱ ଗୋଟିଏ ପୁରୁଣା ଏବଂ ସମୃଦ୍ଧ ଭାଷାର ଏଭଳି ଦୁର୍ଦଶା ପାଇଁ କେଉଁ କେଉଁ କାରଣଗୁଡ଼ିକ ଦାୟୀ ତାହା ଊଣାଅଧିକେ ସମସ୍ତେ ଜାଣନ୍ତି । ମାତ୍ର ତା ସତ୍ତ୍ୱେ କୌଣସି ଅର୍ଥପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ମନେହେଉଛି ଏ ଭାଷାକୁ କେବଳ ଏକ କଥିତ ଭାଷା ରୂପେ ଗ୍ରହଣ କରିନେବା ପାଇଁ ଆମେମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଲୁଣି ।

 

ଯେଉଁମାନେ ଭାବନ୍ତି ଯେ କୌଣସି ଗୋଟିଏ ଭାଷା ମରିପାରେ ନାହିଁ, ସେମାନେ ଯୁକ୍ତି ଅପେକ୍ଷା ଆବେଗ ଦ୍ୱାରା ପରିଚାଳିତ ହୋଇ ଏଭଳି କହନ୍ତି ବୋଲି ମୋର ବ୍ୟକ୍ତିଗତ ମତ । ତା’ର କାରଣ ହେଉଛି ଆମେମାନେ ଏଇଠି ବସି ଆମମାନଙ୍କର ଭାଷା ସଂପର୍କରେ ଆଲୋଚନା କରୁଥିବାବେଳେ ଏହି ପୃଥିବୀର ଆଉ କୋଉଠି ହୁଏତ ଗୋଟିଏ ଭାଷାର ମୃତ୍ୟୁ ଅବଶ୍ୟମ୍ଭାବୀ ହୋଇପଡ଼ିବଣି । ୨୦୦୦ ମସିହା ଜୁନ୍‌ ସଂଖ୍ୟ ‘ହାଇଲାଇଫ୍‌’ ପତ୍ରିକାରେ ଡାଭିଡ୍‌ କ୍ରିଷ୍ଟାଲଙ୍କର ଗୋଟିଏ ପ୍ରବନ୍ଧ ପ୍ରକାଶ ପାଇଲା ଯାହାର ଶିରୋନାମା ହେଲା ‘ହାଓ ଡଜ୍‌ ଏ ଲାଙ୍ଗୁଏଜ୍‌ ଡାଇ ?’ ସେଥିରେ ସେ ଲେଖିଲେ ଯେ ଭାଷାଟିଏ ମରିଯିବା ଆଦୌ ଆଶ୍ଚର୍ଯ୍ୟଜନକ ଘଟନା ନୁହେଁ । ପୃଥିବୀ ଇତିହାସରେ ଏମିତି ଅନେକ ଭାଷା ମରିଯାଇଛନ୍ତି । ହାଇତି ଭାଷା ସେତିକିବେଳେ ମରିଗଲା, ଯେତିକିବେଳେ ‘ଓଲ୍‌ଡ ଟେଷ୍ଟାମେଣ୍ଟ’ ଯୁଗର ହାଇତି ସଭ୍ୟତା ଲୋପ ପାଇଗଲା । ତେବେ ଆଜି ସଭ୍ୟତାର ବିଲୋପ ପର୍ଯ୍ୟନ୍ତ ଭାଷାର ଆୟୁଷ ଆଉ ଅପେକ୍ଷା କରୁନାହିଁ । ଏସ୍କିମୋମାନଙ୍କ ଭାଷାର ଦୁର୍ଦଶା ଏହାର ଏକ ବଡ଼ ଉଦାହରଣ । ଟୋକିଓ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ମିସାଓକା ଓସାହିତୋ ଏସ୍କିମୋମାନଙ୍କର ଭାଷା ସମ୍ବନ୍ଧରେ ଦୀର୍ଘକାଳ ଗବେଷଣା କରିଛନ୍ତି । ସେ ମତ ଦେଇଛନ୍ତି, ହାରାହାରି ହିସାବରେ ପ୍ରତି ବର୍ଷ ପୃଥିବୀରୁ ଗୋଟିଏ ଭାଷା ଲୋପ ପାଇଯାଉଛି । ଆମର ଏହି ପୃଥିବୀରେ ବର୍ତ୍ତମାନ ୬୭୦୦ଟି ଭାଷା ଅଛି । ଏହା ଭିତରୁ ୯୬ ଭାଗ ଭାଷାର ବ୍ୟବହାରକାରୀ ଅଳ୍ପସଂଖ୍ୟକ । ପୃଥିବୀର ୯୬ ଭାଗ ଲୋକ, ସମୁଦାୟ ଭାଷା ଭିତରୁ ୪ ଭାଗ ଭାଷା ବ୍ୟବହାର କରୁଥିବାବେଳେ ମାତ୍ର ୪ ଭାଗ ଲୋକଙ୍କ ଭିତରେ ଅବଶିଷ୍ଟ ୯୬ ଭାଗ ଭାଷା ରହିଛି । ଆସନ୍ତା ଶହେ ବର୍ଷ ଭିତରେ ଏଗୁଡ଼ିକ ଭିତରୁ ପ୍ରାୟ ୬ ହଜାର ଭାଷା ସଂପୂର୍ଣ୍ଣ ଲୋପ ପାଇଯିବ ଏବଂ ପୃଥିବୀରେ କେବଳ ୩୦୦ ଟି ଭାଷା ରହିବ । କିଛି ଭାଷାର ବ୍ୟବହାରକାରୀଙ୍କ ସଂଖ୍ୟା କମି କମି ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିଲାଣି । ପ୍ରଫେସର ଓସାହିତୋଙ୍କ ମତରେ ପଶୁପକ୍ଷୀ ଓ ଉଦ୍ଭିଦ କ୍ଷୟଠାରୁ ଅଧିକ ଦ୍ରୁତଗତିରେ ଭାଷାର କ୍ଷୟ ହୋଇ ଚାଲିଛି । ଏହି ସମସ୍ୟା ପରିବେଶର କ୍ଷୟଠାରୁ ଅଧିକ ବିପଜ୍ଜନକ ବୋଲି ତାଙ୍କର ମତ । କାରଣ ଗୋଟିଏ ଭାଷା ଲୋପ ପାଇଯିବା ଅର୍ଥ ତାର ଧର୍ମଧାରଣା, ପୁରାଣ-ପରଂପରା, କିମ୍ବଦନ୍ତୀ ଓ ଆଧ୍ୟାତ୍ମିକ ଆଗ୍ରହ ମଧ୍ୟ ସବୁଦିନ ପାଇଁ ଲୋପ ପାଇଯିବା ଏବଂ କୌଣସି ଗୋଟିଏ ସଭ୍ୟତାର କ୍ଷତି ସାମଗ୍ରିକ ଭାବରେ ମଣିଷ ସଭ୍ୟତାର ବୌଦ୍ଧିକ କ୍ଷତି ।

 

ଭାଷାର କ୍ଷୟ ପାଇଁ କେଉଁ କେଉଁ କାରଣ ଦାୟୀ ? ପ୍ରଫେସର ଓସାହିତୋଙ୍କ ମତରେ ପରିବେଶର କ୍ଷୟ ଲାଗି ଯେମିତି ଶିଳ୍ପୀକରଣ ଦାୟୀ, ସାଂସ୍କୃତିକ ଅବକ୍ଷୟ ଲାଗି ସେମିତି ଉପନିବେଶବାଦ ଏବଂ ଜଗତ୍‌କରଣ ଦାୟୀ । କେତେକ କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଏଥିପାଇଁ ଦାୟୀ ହୋଇଥାଏ । ତେବେ ସବୁଠାରୁ ଜଟିଳ ସମସ୍ୟା ହେଉଛି ସଂପୃକ୍ତ ଭାଷାର ବ୍ୟବହାରକାରୀଙ୍କ ଉଦାସୀନତା ଓ ଭାଷା ପ୍ରତି ଆନୁଗତ୍ୟର ଅଭାବ । କାରଣ କେତେ ଲୋକ ଗୋଟିଏ ଭାଷାର ବ୍ୟବହାର କରୁଛନ୍ତି ଅପେକ୍ଷା ସେହି ଭାଷାଭାଷୀ ନିଜର ଭାଷାକୁ କେତେ ଗୁରୁତ୍ୱ ଦିଅନ୍ତି ତାହା ବଡ଼ କଥା । ଥରେ ଯଦି ବାହାରର ଲୋକମାନେ ଜାଣନ୍ତି ଯେ ଗୋଟିଏ ପ୍ରଦେଶର ସ୍ଥାୟୀ ଅଧିବାସୀ ସୁଦ୍ଧା ତାଙ୍କ ନିଜର ଭାଷାକୁ ଗୁରୁତ୍ୱ ଦିଅନ୍ତି ନାହିଁ, ତାହାହେଲେ ସେ ଭାଷାର ପ୍ରଚାର ପ୍ରସାର ଲାଗି ଯେତେ ଆଲୋଚନାଚକ୍ର - କର୍ମଶାଳା ହେଲେ ମଧ୍ୟ ବିଶେଷ କିଛି ଲାଭ ହେବନାହିଁ । ଏହାପରେ ସେ ଭାଷାର ଅବସ୍ଥା ସେଇଆ ହେବ, ଯେଉଁ ଅବସ୍ଥା ବଂଶବୃଦ୍ଧି କରିବାକୁ ଅସମର୍ଥ ପଶୁ ବା ପକ୍ଷୀରୁ ହୁଏ । କୌତୂହଳର କଥା ହେଉଛି ଗୋଟିଏ ଭାଷାର ଅବକ୍ଷୟ ସହଜରେ ଅନୁଭବ କରିହୁଏ ନାହିଁ । ଯେମିତି କୌଣସି ସ୍ଥାନର ପରିବେଶ ଅତି ଦୁର୍ଗନ୍ଧ ବା ସୁଗନ୍ଧମୟ ହେବା ପର୍ଯ୍ୟନ୍ତ ଆମେ ସେ ବିଷୟରେ ସଚେତନ ହୋଇପାରୁନା, ଏହା ଠିକ୍‌ ସେହିପରି କଥା ।

 

ଏହି ପୃଷ୍ଠଭୂମିରେ ଓଡ଼ିଆ ଭାଷାର ସ୍ଥିତି ଆଲୋଚନା କରିବା । କେହି ମନା କରୁନାହିଁ ଯେ ଇଣ୍ଡୋ-ୟୁରୋପିଆନ ପରିବାରର ଏହି ଭାଷା ଏକ ପ୍ରାଚୀନ ଭାଷା । ଏହି ଭାଷାରେ ସାରଳା ଦାସ, ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁଙ୍କ ଠାରୁ ଗୋପୀନାଥ ମହାନ୍ତି ଏବଂ ସଚ୍ଚି ରାଉତରାୟ ଅତ୍ୟନ୍ତ ପ୍ରଭାବଶାଳୀ ସାହିତ୍ୟ ଲେଖି ଯାଇଛନ୍ତି । ପୃଥିବୀର ଅଧିକାଂଶ ଭାଷାର ଲିପି ନାହିଁ । ପୃଥିବୀର ସବୁଠାରୁ ଶକ୍ତିଶାଳୀ ଇଂରାଜୀ ଭାଷା ରୋମାନ ଲିପି ବ୍ୟବହାର କରେ । ଜର୍ମାନ, ଇଟାଲିଆନ୍‌, ଫ୍ରେଞ୍ଚ୍‌, ସ୍ପାନିଶ ଓ ଡ୍ୟାନିସ୍‌ ମଧ୍ୟ ଏହି ଲିପି ବ୍ୟବହାର କରନ୍ତି । ଆମ ଦେଶର ମରାଠୀ ଓ ହିନ୍ଦୀ ଉଭୟ ନାଗରୀ ଲିପି ବ୍ୟବହାର କରନ୍ତି । ସିନ୍ଧୀ, କାଶ୍ମିରୀ ଓ ଉର୍ଦୁ ଆରବିକ ହରଫ୍‌, ବଙ୍ଗଳା ଓ ଅହମୀୟ ଉଭୟେ ଗୋଟିଏ ଲିପି ବ୍ୟବହାର କରନ୍ତି । ମାତ୍ର ଓଡ଼ିଆର ଏକ ସୁନ୍ଦର ଲିପି ରହିଛି । ଭାଷା ଭିତ୍ତିରେ ୧୯୩୬ରୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଛି । ଏହି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ମିଳିଛି ଏବଂ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ୱୀକୃତ ୧୫ଟି ଭାଷା ଭିତରୁ ଓଡ଼ିଆ ଅନ୍ୟତମ-। ୧୯୫୪ରୁ ଏହି ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାଲାଗି ଓଡ଼ିଶା ସରକାର ନିଷ୍ପତ୍ତି ନେଇସାରିଛନ୍ତି ଏବଂ ୧୯୮୫ରେ ଏ ସଂପର୍କରେ ଖୁବ୍‌ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଭାଷାଭାଷୀଙ୍କ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ସ୍ଥାନ ପୃଥିବୀର ଭାଷା ତାଲିକାରେ ତେତିଶ ନମ୍ବର ସ୍ଥାନରେ ଏବଂ ଏବେ ବି ଏ ରାଜ୍ୟର ୮୦ ଭାଗ ଲୋକ ଏହି ଭାଷା ବୁଝନ୍ତି । ଓଡ଼ିଶାରେ ଯେଉଁ ପ୍ରାଚୀନ କଳାକୀର୍ତ୍ତି ଅଛି ସେସବୁ ଓଡ଼ିଆଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ସମର୍ଥ । ଓଡ଼ିଶାର ଲୋକେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ଲୋକସଭାର ବାଚସ୍ପତି ଓ ଆମେରିକାର ରାଷ୍ଟ୍ରଦୂତ ହୋଇଛନ୍ତି । ଏ ରାଜ୍ୟର ଖଣିଜ ସମ୍ପଦ, ବେଳାଭୂମି, ପ୍ରାକୃତିକ ସୌନ୍ଦର୍ଯ୍ୟ ବରାବର ସମ୍ବାଦପତ୍ରର ଶିରୋନାମା ମଣ୍ଡନ କରେ । ମାତ୍ର ଏସବୁ ଶ୍ରୁତିମଧୁର ତଥ୍ୟ ସତ୍ତ୍ୱେ ଓଡ଼ିଶାର ଦାରିଦ୍ର୍ୟ ପ୍ରସଙ୍ଗ ପରି ଓଡ଼ିଆ ଭାଷାର ଦ୍ରୁତ ଅବକ୍ଷୟ ଏକ ବାସ୍ତବ ଘଟନା । ଏ କଥାଟିକୁ ପ୍ରମାଣିତ କରିବା ପାଇଁ ଦୀର୍ଘ ପ୍ରସ୍ତାବନାର ପ୍ରୟୋଜନ ନାହିଁ । କେବଳ କେତୋଟି ଉଦାହରଣ ଦେଲେ ତାହା ଯଥେଷ୍ଟ ହେବ ।

 

ମନେ କରାଯାଉ ଆଜି ଇଂଲଣ୍ଡର ପାଞ୍ଚଟି ସ୍ଥାନରେ ପାଞ୍ଚଟି କାର୍ଯ୍ୟକ୍ରମ ଚାଲିଛି, ସେ ପାଞ୍ଚଟି ସ୍ଥାନରେ ଇଂରାଜୀ ବ୍ୟବହୃତ ହେଉଥିବ । ଭାରତର ପାଟଣା କି ତ୍ରିଭେନ୍ଦ୍ରମରେ ପାଞ୍ଚଟି ସଭା ଚାଲିଥିଲେ ସେଠାରେ ସର୍ବନିମ୍ନ ଚାରିଟିରେ ତାଙ୍କ ମାତୃଭାଷା ଏବଂ ଗୋଟିଏରେ ହୁଏତ ଇଂରାଜୀ ଭାଷା ବ୍ୟବହାର ହେଉଥିବ । ମାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ଦପ୍ତର, ରାଉରକେଲା ଇସ୍ପାତ କାରଖାନା, ଜିଲ୍ଲା ଜଜକୋର୍ଟ, ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଶାଳା ଏପରିକି ସୂଚନା ଓ ଲୋକସମ୍ପର୍କ ବିଭାଗରେ ସୁଦ୍ଧା ଓଡ଼ିଆ ଭାଷାରେ କାମ ଚାଲେ ନାହିଁ । ଓଡ଼ିଶାର ରାଜରାସ୍ତାରେ ଗଲେ କୌଣସି ଦୋକାନ କି ବାଣିଜ୍ୟ ପ୍ରତିଷ୍ଠାନର ସାଇନ୍‌ବୋର୍ଡରେ ଓଡ଼ିଆ ଅକ୍ଷର ଦିଶିବା ଦୁର୍ଲଭ ଘଟନା । ଓଡ଼ିଆ ଲୋକମାନଙ୍କର ବାହା ବ୍ରତରେ ଇଂରାଜୀ ନିମନ୍ତ୍ରଣପତ୍ର ସର୍ବପ୍ରଥମ ପ୍ରୟୋଜନ ! ପିଲାଟିଏ ପାଟି ଖୋଲିବା ଦିନରୁ କାଳେ ତା ପାଟିରେ ଓଡ଼ିଆ ଅକ୍ଷର ପଶିଯିବ ସେ ଚିନ୍ତାରେ ପିତା-ମାତା ବ୍ୟତିବ୍ୟସ୍ତ ଏବଂ ସେହିଦିନଠାରୁ ତା ମନରେ ଇଂରାଜୀ ପ୍ରତି ଆଗ୍ରହ ଓ ଓଡ଼ିଆ ପ୍ରତି ଅନାଗ୍ରହ ସୃଷ୍ଟି କରିବାରେ ସେମାନେ ନିଷ୍ଠାପର ଭାବେ ସକ୍ରିୟ । ଓଡ଼ିଆ ଭାଷାରେ ପ୍ରକାଶ ପାଉଥିବା ବହିପତ୍ର ଏକହଜାରରୁ ଖସି ଖସି ପାଞ୍ଚଶହ ଓ କବିତା କ୍ଷେତ୍ରରେ ଦୁଇଶହରେ ପହଞ୍ଚିଲାଣି । ଓଡ଼ିଶାର ଲୋକମାନେ ଇଂରାଜୀ ଭୁଲ୍‌ କହୁଛନ୍ତି ବୋଲି କେହି କହିଦେଲେ ଯେତିକି ଅପମାନିତ ବୋଧ କରନ୍ତି, ଓଡ଼ିଆ ଭୁଲ୍‌ କହୁଛନ୍ତି ବୋଲି ସୂଚେଇ ଦେଲେ, ସେତିକି ଉଲ୍ଲସିତ ହୁଅନ୍ତି । ଓଡ଼ିଆ ଭାଷାରେ ଛପାଯାଉଥିବା ବହିପତ୍ରଠାରୁ ନେଇ ବସ୍‌ର ସୂଚନାଫଳକ ଓ ସାଇନ୍‌ବୋର୍ଡ ପର୍ଯ୍ୟନ୍ତ ଯେଉଁ ପ୍ରକାରର ବର୍ଣାଶୁଦ୍ଧି ଦେଖାଯାଏ ତାହା ଅନ୍ୟ କେଉଁ ଭାଷାରେ ଦେଖାଯାଏ ନାହିଁ । ଓଡ଼ିଶାରେ ରହୁଥିବା ଅଣଓଡ଼ିଆମାନେ ଓଡ଼ିଆ ଭାଷା ଶିଖିବା ଜରୁରି ମଣନ୍ତି ନାହିଁ ଏବଂ ବୋଧହୁଏ ଆମ ଭାଷାର ସାହିତ୍ୟ, ସଂଗୀତ ବା ସିନେମା ସେଭଳି ଉଚ୍ଚ ଦରର ହୋଇପାରି ନଥିବାରୁ ଏସବୁ ଉପଭୋଗ କରିବାଲାଗି ଓଡ଼ିଆ ଭାଷା ଶିଖିବାର ଅନିବାର୍ଯତା ଅନ୍ୟମାନେ ଅନୁଭବ କରନ୍ତି ନାହିଁ । ବାରମ୍ବାର ବଦଳି କିମ୍ବା ସେଭଳି ବ୍ୟକ୍ତିଗତ ଅସୁବିଧା ନଥିଲେ ଓଡ଼ିଶାର ଜଣେ ସାଧାରଣ କର୍ମଚାରୀ ସୁଦ୍ଧା ତାଙ୍କ ପୁଅକୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼େଇବାକୁ ଚାହାନ୍ତି ନାହିଁ । ଏଥିପାଇଁ ଇଂରାଜୀ ଓ ଅନ୍ୟ ଭାଷାର ଧ୍ରୁତରାଷ୍ଟ୍ରୀ ଆଲିଙ୍ଗନ ଭିନ୍ନ ଆମ ନିଜର ଅବହେଳା ଓ ଉଦାସୀନତା ଅଧିକ ଦାୟୀ ।

 

ଇଂରାଜୀ ଭାଷା କେବଳ ଓଡ଼ିଆ ନୁହେଁ, ବହୁ ଭାରତୀୟ ଭାଷାର ଦୁର୍ଦଶା ପାଇଁ ଦାୟୀ-। ଭାରତ ହେଉଛି ପୃଥିବୀରେ ଇଂରାଜୀ କହୁଥିବା ତୃତୀୟ ବୃହତ୍ତମ ଦେଶ । ତା ଆଗରେ କେବଳ ଆମେରିକା ଓ ଯୁକ୍ତରାଜ୍ୟ ଅଛନ୍ତି । ଇଂରାଜୀ ହେଉଛି କ୍ଷମତାର ଭାଷା ଓ ଅର୍ଥ ଉପାର୍ଜନର ଭାଷା-। ପ୍ରତ୍ୟେକ ବାପ-ମା’ ତାଙ୍କ ପିଲାଙ୍କୁ ଇଂରାଜୀ ପଢ଼ାଇବାକୁ ଚାହାନ୍ତି, କାରଣ ସେମାନେ ନିଜ ନିଜର ପିଲାଙ୍କୁ କ୍ଷମତାର ଉତ୍ସ ସହିତ ଯୋଡ଼ିବାକୁ ଚାହାନ୍ତି, ସାମାଜିକ ପ୍ରତିଷ୍ଠାର ଉଚ୍ଚ ସୋପାନରେ ପହଞ୍ଚେଇବାକୁ ଚାହାନ୍ତି । ଆଜି ଯଦି କେହି ସେକ୍ସପିଅର୍‌ କି ହେମିଂୱେ ପଢ଼ିବା ପାଇଁ ଇଂରାଜୀ ଭାଷା ଶିକ୍ଷା କରୁଛି ବୋଲି କହେ ତାହାହେଲେ ତାଙ୍କୁ ବିରଳ ପ୍ରଜାତିର ପ୍ରାଣୀ ବୋଲି ଧରିନେବାକୁ ହେବ । ଆଜି ଇଂରାଜୀ କୋକାକୋଲା କଂପାନିର ଭାଷା, ବିଲ୍‌ ଗେଟ୍‌ସ, ଆପୋଲୋ ପ୍ରୋଗ୍ରାମ ଓ ଡିସ୍‌ନିଲ୍ୟାଣ୍ଡର ଭାଷା । ସେଥିପାଇଁ ଇଂରାଜୀ ଶିକ୍ଷା ପାଇଁ ଆମ ଭିତରେ ଏତେ ବ୍ୟାକୁଳତା । ଯେତେବେଳେ ବ୍ରିଟିଶ୍‌ମାନେ ଏ ଦେଶ ଶାସନ କରିବାଲାଗି ଆସିଥିଲେ ସେତେବେଳେ ସେମାନେ କଳ୍ପନା କରି ନଥିଲେ ସେ ଇଂରାଜୀ ଭାଷା ଏ ଦେଶରେ ଏତେ ଦୃଢ଼ ହୋଇପାରିବ । ପ୍ରଥମେ ସେମାନେ ବ୍ୟାଖ୍ୟାକାରମାନଙ୍କ ଜରିଆରେ କାମ ଚଳଉଥିଲେ । ତା’ପରେ ସେମାନେ ପର୍ସି ଓ ସଂସ୍କୃତ ଭାଷା ଶିଖିଲେ । ଊନବିଂଶ ଶତାବ୍ଦୀରେ ସେମାନେ ଏ ଦେଶରେ ଇଂରାଜୀ ଶିକ୍ଷା ଆରମ୍ଭ କରାଇଲେ ଯାହାର ପ୍ରାଥମିକ ଉଦ୍ଦେଶ୍ୟ ଥିଲା କିରାଣି ଉତ୍ପାଦନ-। ମାତ୍ର ଭାରତୀୟମାନେ ଥରେ ଇଂରାଜୀ ଶିଖିବା ପରେ ସେ ଭାଷାର ଝରକା ଦେଇ ପାଶ୍ଚାତ୍ୟ ଶିକ୍ଷା ସଭ୍ୟତା, ଦର୍ଶନ ଓ ବିଜ୍ଞାନର ବହୁ ମୂଲ୍ୟବାନ ତଥ୍ୟ ହାସଲ କରିଚାଲିଲେ । ଆଜି ଏହି ଭାଷାର ପ୍ରଭାବ ପ୍ରାୟ ବିଶ୍ୱବ୍ୟାପୀ । ବିଶ୍ୱର ସବୁ ବଡ଼ ବଡ଼ କଂପାନି, ଉଡ଼ାଜାହାଜ ଓ ଜଳଜାହାଜ ଏହି ଭାଷା ବ୍ୟବହାର କରନ୍ତି । ୨୦୦୧ରେ ଯେତେବେଳେ ପୋପ୍‌ ପଲ୍‌ ୩ୟ ମଧ୍ୟପ୍ରାଚ୍ୟ ଗସ୍ତରେ ଗଲେ ସେତେବେଳେ ସେ ଖ୍ରୀଷ୍ଟିଆନ, ଇହୁଦୀ, ହିବ୍ରୁ, ଆରବିକ୍‌ କିମ୍ବା ତାଙ୍କ ନିଜ ଦେଶ ପୋଲାଣ୍ଡର ପୋଲିସ୍‌ ଭାଷାରେ ଭାଷଣ ନଦେଇ ଇଂରାଜୀରେ ଭାଷଣ ଦେଇଥିଲେ । ତେଣୁ ସେ ଭାଷାର ଗୁରୁତ୍ୱ ବୁଝିବା କଷ୍ଟ ନୁହେଁ । ମାତ୍ର ଇଂରାଜୀ ପାଇଁ ନିଜ ଭାଷାକୁ ତଳିତଳାନ୍ତ କରିବା ଉଦ୍ୟମ ହେଉଛି ଦୁର୍ଭାଗ୍ୟଜନକ ।

 

ଇଂରାଜୀ ପରେ ଅନ୍ୟ ଯେଉଁ ଭାଷାଟି ଓଡ଼ିଆ ଭାଷାର ବିକାଶ ପଥରେ ଅନ୍ତରାୟ ବୋଲି ଅଭିଯୋଗ ହୁଏ, ତାହା ହେଲା ଆମର ହିନ୍ଦୀ । ଭାରତ ସରକାରଙ୍କ ଅପେକ୍ଷା ହିନ୍ଦୀ ଭାଷାର ବଡ଼ ପ୍ରଚାରକ ହିନ୍ଦୀ ସିନେମା, ହିନ୍ଦୀ ଗୀତ ଏବଂ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ୍‌ । ହିନ୍ଦୀ ଭାଷାର ପ୍ରଭାବରେ ମୈଥିଳୀ, ଭୋଜପୁରୀ, ବ୍ରଜଭାଷା, ଅୱଧି, ମାରୱାଡ଼ି, ମେୱାଡ଼ି, ଚମ୍ବେଆଲୀ, ପାହାଡ଼ୀ, ବନଜାରୀ, ସୁଗାଲି ଓ ଲରିଆ ଇତ୍ୟାଦି ଭାଷାଗୁଡ଼ିକ କେବଳ ଗୋଟିଏ ଗୋଟିଏ କଥିତ ଭାଷା ହୋଇ ରହିଛନ୍ତି । ଓଡ଼ିଶାର ଯେଉଁ ବଡ଼ ବଡ଼ କଂପାନି ତାଙ୍କର ଜିନିଷ ବିକ୍ରୟ କରୁଛନ୍ତି ସେମାନେ ତାଙ୍କର ଖୋଳରେ ବି ବ୍ୟବହାର ନିର୍ଦେଶାବଳୀରେ ଇଂରାଜି ନହେଲେ ହିନ୍ଦୀ ଭାଷା ବ୍ୟବହାର କରୁଛନ୍ତି । ଓଡ଼ିଶାର ବଜାର ଲାଗି ଓଡ଼ିଆ ଭାଷା ବ୍ୟବହାର କରାଯାଉନାହିଁ ।

 

ଭାରତବର୍ଷରେ ଆର୍ଯ୍ୟଗୋଷ୍ଠୀ ଭାଷାଗୁଡ଼ିକ ଭିତରୁ ଓଡ଼ିଆ ଭାଷା ଦକ୍ଷିଣ ପ୍ରାନ୍ତର ଶେଷ ଭାଷା । ଏହାର ଗୋଟିଏ ପାଖରେ ଉତ୍ତର ଆର୍ଯ୍ୟଗୋଷ୍ଠୀ ଭାଷା ବଙ୍ଗଳା ଓ ହିନ୍ଦୀ, ଅନ୍ୟପଟେ ଦ୍ରାବିଡ଼ଗୋଷ୍ଠୀ ଭାଷା ତେଲୁଗୁ । ୧୯୭୧ ଜନଗଣନା ଅନୁସାରେ ଓଡ଼ିଶାରେ ଶତକଡ଼ା ୮୪.୧୫ ଭାଗ ଲୋକ ଓଡ଼ିଆକୁ ମାତୃଭାଷା ରୂପେ ବ୍ୟବହାର କରୁଥିଲେ । ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ଭାରତର ଭାଷାଗୁଡ଼ିକ ଭିତରେ ଓଡ଼ିଆର କ୍ରମିକ ସଂଖ୍ୟା ଦଶ । ଓଡ଼ିଆ ମାତୃଭାଷୀଙ୍କ ଛଡ଼ା ଅନ୍ୟ କିଛି ଭାଷାଭାଷୀ ମଧ୍ୟ ଏହାକୁ ଦ୍ୱିତୀୟ ଭାଷା ରୂପେ ଜାଣନ୍ତି । ମାତ୍ର ସେମାନଙ୍କ ସଂଖ୍ୟା ନଗଣ୍ୟ । ଯେଉଁ ପରିମାଣର ଓଡ଼ିଆ ଲୋକ ହିନ୍ଦୀ, ବଙ୍ଗଳା କି ତେଲୁଗୁ ଶିକ୍ଷା କରନ୍ତି ସେହି ପରିମାଣର ବଙ୍ଗଭାଷୀ, ହିନ୍ଦୀଭାଷୀ ବା ତେଲୁଗୁଭାଷୀ ଓଡ଼ିଆ ଶିକ୍ଷା କରନ୍ତି ନାହିଁ । ଓଡ଼ିଶା ବାହାରେ ଓଡ଼ିଶୀ ନୃତ୍ୟ, ତାରକସି କାମ ଓ ସମ୍ବଲପୁରୀ ଶାଢ଼ିର ପ୍ରଚାର ପ୍ରସାର ଥିଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର କୌଣସି ପ୍ରଚାର ନାହିଁ କି ଏ ଦିଗରେ ଉଦ୍ୟମ ନାହିଁ । ଥରେ ଏହି ଲେଖକ କେରଳର ସାହିତ୍ୟ ଏକାଡେମି ବହିଦୋକାନରୁ କିଛି ବହି କିଣିଥିଲା । ସେ ବହିଗୁଡ଼ିକ ମାଲୟାଲମ ବହିର ଇଂରାଜୀ ଅନୁବାଦ । କାଉଣ୍ଟରରେ ବସିଥିବା କ୍ୟାସିଅର ଶତକଡ଼ା ପଚାଶ ରିହାତିରେ ସେ ବହିଗୁଡ଼ିକର ବିଲ୍‌ ତିଆରି କଲେ । ଲେଖକ ଲକ୍ଷ୍ୟ କରିଥିଲା ଯେ ପୂର୍ବ ଗ୍ରାହକଙ୍କୁ ସେ ୧୫ ପ୍ରତିଶତ ରିହାତି ଦେଇଥିଲେ । ଲେଖକକୁ ପଚାଶ ପ୍ରତିଶତ ରିହାତି ଦେବାର କାରଣ ପଚାରିବାରୁ ସେ ଯେଉଁ ଉତ୍ତର ଦେଇଥିଲେ ତାହା ଶୁଣି ଏହି ଲେଖକ ମୁଗ୍ଧ ହୋଇଯାଇଥିଲା । ସେ କହିଥିଲେ, ଯେଉଁ ଭଦ୍ରଲୋକ ମାଲୟାଲମ ବହି କିଣିଲେ ସେ ମାଲୟାଲମ ଭାଷାଭାଷୀ । ତେଣୁ ତାଙ୍କୁ ୧୫ ପ୍ରତିଶତ ରିହାତି ଦିଆଗଲା । ମାତ୍ର ଆପଣଙ୍କ ପରି ଯେଉଁମାନେ କେରଳ ସାହିତ୍ୟର ଇଂରାଜି ଅନୁବାଦ କିଣୁଛନ୍ତି, ସେମାନଙ୍କର ମାତୃଭାଷା ମାଲୟାଲମ ନୁହେଁ । ଏ ଭାଷାର ସାହିତ୍ୟ ପ୍ରତି ଶ୍ରଦ୍ଧା ପାଇଁ ସେମାନେ ଇଂରାଜି ଅନୁବାଦ କିଣୁଛନ୍ତି । ଆପଣଙ୍କ ଜରିଆରେ କେରଳର ସାହିତ୍ୟ ବାହାର ରାଜ୍ୟ ଓ ଦେଶକୁ ଯିବ । ତେଣୁ ଆମେ ଆପଣଙ୍କୁ ୫୦ ପ୍ରତିଶତ ଦେଉଛୁ ।’

 

ଅନେକ ଭାବିଥାନ୍ତି ଯେ ସାହିତ୍ୟର ପ୍ରଚାର ଅର୍ଥ ଭାଷାର ପ୍ରଚାର । ଏହା କିଛି ପରିମାଣରେ ସତ ହେଲେ ମଧ୍ୟ ସଂପୂର୍ଣ୍ଣ ସତ ନୁହେଁ । କବିତା, ଗପ ଓ ଉପନ୍ୟାସର ପ୍ରଚାର ପ୍ରସାର ହେଉ; ମାତ୍ର ଭାଷାର ପ୍ରଚାର ଲାଗି ଯଥେଷ୍ଟ କାର୍ଯ୍ୟ ହେବା ଦରକାର । ଏହି ଭାଷାକୁ ବୁଝି ବୁଝେଇବାର ଦାୟିତ୍ୱ ଯେଉଁ ଭାଷାବିଜ୍ଞାନୀମାନେ ନେଇଥାଆନ୍ତି, ସେମାନଙ୍କୁ ଆମେ ଆବଶ୍ୟକ ସ୍ୱୀକୃତି ଦେଇପାରିନାହୁଁ । ଓଡ଼ିଶାରେ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉର୍ଦୁ ଏକାଡେମି ଓ ହିନ୍ଦୀ ପ୍ରଚାର ସମିତି ହେବାରେ କୌଣସି ବାଧାନାହିଁ । ମାତ୍ର ତା ଆଗରୁ ଓଡ଼ିଆ ଭାଷା ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ଜରୁରି ଥିଲା । ବିଳମ୍ବରେ ହେଲେ ମଧ୍ୟ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠା ସେ ଦିଗରେ ଏକ ବଳିଷ୍ଠ ଉଦ୍ୟମ । ମାତ୍ର ଏହି ଅନୁଷ୍ଠାନ ଏପର୍ଯ୍ୟନ୍ତ ବିଶେଷ କିଛି କାର୍ଯ୍ୟ କରିଛି ବୋଲି ଓଡ଼ିଶାର ବୁଦ୍ଧିଜୀବୀ ଭାବୁ ନାହାନ୍ତି ।

 

୨୦୦୧ର ଜନଗଣନା ଅନୁସାରେ ଓଡ଼ିଶାର ମୋଟ ଲୋକସଂଖ୍ୟା ୩,୬୭,୦୬,୯୨୦ ଓ ସାକ୍ଷରତା ହାର ୬୩.୦୮ । ଏ ରାଜ୍ୟରେ ପ୍ରସାରିତ ସବୁ ସମ୍ବାଦପତ୍ରର ପ୍ରସାର ସଂଖ୍ୟାକୁ ହିସାବକୁ ନେଲେ ତାହା ଆଠଲକ୍ଷ ଭିତରେ ସୀମିତ ରହିବ । ଯଦିଓ ଅନ୍ୟ ଭାଷାଭାଷୀ ରାଜ୍ୟ ତୁଳନାରେ ଓଡ଼ିଆ ସମ୍ବାଦପତ୍ରର କିଛିଟା ଆଖିଦୃଶିଆ ଅଭିବୃଦ୍ଧି ହୋଇଛି ତଥାପି ଓଡ଼ିଶାର ସାକ୍ଷରତା ହାର ଓ ପଠନ ସାମଗ୍ରୀର ଆଦର ଅନେକ ତଳେ ରହିଛି । ଓଡ଼ିଶାରେ ରହୁଥିବା ମୁସଲମାନ ଭାଇଭଉଣୀମାନଙ୍କ ମଧ୍ୟରୁ ଅନେକ ଓଡ଼ିଆ ଭାଷାକୁ ମାତୃଭାଷା ରୂପେ ଗ୍ରହଣ କରନ୍ତି ନାହିଁ । ଡ. ବିଜୟ ପ୍ରସାଦ ମହାପାତ୍ରଙ୍କ ମତରେ ପଶ୍ଚିମାଞ୍ଚଳବାସୀ ଯଦି ନିଜକୁ ଓଡ଼ିଆ ଭାଷାଭାଷୀ ଭାବେ ନ ଦେଖନ୍ତି, ଓଡ଼ିଆ ଜାତୀୟତା ଭାଙ୍ଗି ଖଣ୍ଡ ଖଣ୍ଡ ହେବାର ଯଥେଷ୍ଟ ଆଶଙ୍କା ରହିଛି । ପୁଣି ଓଡ଼ିଆମାନେ ଯଦି ମାତୃଭାଷାକୁ ଭିନ୍ନ ଭିନ୍ନ ନାଁରେ ଚିହ୍ନିତ କରାନ୍ତି, ତାହାହେଲେ ଏକଦା ଷଢ଼େଇକଳା ଖରସୁଆଁ ଯେମିତି ବିଚ୍ଛିନ୍ନ ହୋଇଥିଲା, ଓଡ଼ିଶାର ପଶ୍ଚିମାଞ୍ଚଳ ସେଭଳି ବିଚ୍ଛିନ୍ନ ହୋଇଯିବାର ଅବକାଶ ସୃଷ୍ଟି ହେବ ।

 

ଜଣେ କେବଳ ସାହିତ୍ୟ ପଢ଼ିବା ଲାଗି ଭାଷା ଶିଖିବାର ସମୟ ଏବେ ନାହିଁ । ଏ ଭାଷା ଯଦି ତାକୁ ଜୀବନ ଜୀବିକା ନିର୍ବାହରେ ସାହାଯ୍ୟ କରିପାରିଲା ତାହା ହେଲେ ସେ ତାହା ଶିକ୍ଷା କରିବ । ଅନ୍ୟ କଥା ଦୂରେ ଥାଉ ଆମର ଭିନ୍ନ ଭିନ୍ନ ବିଷୟ ଶିକ୍ଷା ପାଇଁ ଆବଶ୍ୟକ ଅଭିଧାନ ମଧ୍ୟ ନାହିଁ । ଓଡ଼ିଆ ବ୍ୟାକରଣ ନାମରେ ଏ ପର୍ଯ୍ୟନ୍ତ ଆମେ ସଂସ୍କୃତ ବ୍ୟାକରଣ ପଢ଼ିଚାଲିଛୁ ବୋଲି ଭାଷାବିଜ୍ଞାନୀମାନେ ଅଭିଯୋଗ କରୁଛନ୍ତି । ଓଡ଼ିଆ ଶବ୍ଦ ଭଣ୍ଡାର ନୂଆ ନୂଆ ଶବ୍ଦ ଆହରଣ ପାଇଁ କୁଣ୍ଠିତ । ଅଥଚ ଇଂରାଜି ପରି ପୃଥିବୀର ଦ୍ୱିତୀୟ ବୃହତ୍ତମ ଓ ସବୁଠୁ ଶକ୍ତିଶାଳୀ ଭାଷା ଅଭିଧାନର ୮୦ ଭାଗ ଶବ୍ଦ ଲାଟିନ୍‌, ଫ୍ରେଞ୍ଚ, ସ୍ପେନ ଓ ଭାରତୀୟ ଭାଷାରୁ ଆସିଅଛି । କଂପ୍ୟୁଟର ଉପଯୋଗୀ ହେବା ନିମନ୍ତେ ଆମର ବନାନ ଶୈଳୀ ସମରୂପୀ ଏବଂ ଶବ୍ଦଗୁଡ଼ିକର ମାନକୀକରଣ ସର୍ବାଦୌ ପ୍ରୟୋଜନ । ଉଦାହରଣ ସ୍ୱରୂପ ଗୋଟିଏ ଗୋଟିଏ ଶବ୍ଦ ଭିନ୍ନ ଭିନ୍ନ ଭାବରେ ଲେଖାଯାଉଛି ଓ ଗୋଟିଏ ଗୋଟିଏ ଶବ୍ଦର ସ୍ଥାନଭେଦରେ ଏକାଧିକ ଅର୍ଥ ରହିଛି । ସେହିଭଳି ଓଡ଼ିଆ ଭାଷାକୁ କେତେ ଅଧିକ ଲୋକ କିପରି ଦ୍ୱିତୀୟ ଭାଷା ରୂପେ ଗ୍ରହଣ କରିବେ ସେ ଦିଗରେ ଉଦ୍ୟମ ହେବା ଜରୁରି । ଏ ଭାଷା ଶିଖିଲେ ଯଦି ଚାକିରି କି ପଦୋନ୍ନତି ମିଳିବ କିମ୍ବା ସାମାଜିକ ସମ୍ମାନ ବଢ଼ିବ ବା ଉଚ୍ଚାଙ୍ଗ ସାହିତ୍ୟ ପଢ଼ିବାର ଅବକାଶ ମିଳିବ ତାହାହେଲେ ଅନ୍ୟମାନେ ଓଡ଼ିଆ ଭାଷା ଶିଖିବେ । ଶତକଡ଼ା ଅନେଶତଭାଗ ଲୋକ ଏହିସବୁ କାରଣରୁ ଇଂରାଜିକୁ ଦ୍ୱିତୀୟ ଭାଷା ରୂପେ ଶିକ୍ଷା କରିଥାନ୍ତି । କର୍ଣାଟକରେ କନ୍ନଡ଼, କେରଳରେ ମାଲୟାଲମ ଓ ଆସାମରେ ଅହମୀୟା ଶିକ୍ଷା କ୍ଷେତ୍ରରେ ଏହା ୨୦ ପ୍ରତିଶତ ହୋଇଥିବାବେଳେ ଓଡ଼ିଶାରେ ମାତ୍ର ୫ ଭାଗ ।

 

ଓଡ଼ିଶାରେ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦିଆଯାଇଥିବା ସତ୍ତ୍ୱେ ଏହାକୁ ଯେପରି ସବୁ କ୍ଷେତ୍ରରେ ଅବହେଳା କରାଯାଉଛି ତାହା ଅତ୍ୟନ୍ତ ଦୁଃଖଦାୟକ । ଅନ୍ୟକଥା ଥାଉ, ଖୋଦ୍‌ ଓଡ଼ିଶା ସରକାର ତାଙ୍କ ବିଜ୍ଞାପନଗୁଡ଼ିକ ଇଂରାଜିରେ ପ୍ରକାଶ କରୁଛନ୍ତି । ଓଡ଼ିଶାର କୋର୍ଟ କଚେରି, ଜିଲ୍ଲା କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଦପ୍ତରରେ ଓଡ଼ିଆ ଭାଷା ବ୍ୟବହାର ହେଉନାହିଁ-। ଏହି କାରଣରୁ ଓଡ଼ିଶା ଦେଇ ଯାତାୟାତ କରୁଥିବା ରେଳ ଠାରୁ ଆରମ୍ଭ କରି ବଡ଼ କଂପାନିର ସାଇନ୍‌ବୋର୍ଡରୁ ଓଡ଼ିଆ ଭାଷା ନିରୁଦ୍ଦିଷ୍ଟ । ଯେଉଁ ସରକାରୀ କର୍ମଚାରୀ ଫାଇଲ୍‌ରେ ଶୁଦ୍ଧ ଓ ବ୍ୟବହାର ଉପଯୋଗୀ ଓଡ଼ିଆ ଭାଷା ବ୍ୟବହାର କରୁଛନ୍ତି ତାଙ୍କୁ ଉତ୍କଳ ଦିବସ ଅବସରରେ ପୁରସ୍କୃତ କରାଯାଉ । ତାମିଲନାଡୁରେ ଏ ପ୍ରକାର ବ୍ୟବସ୍ଥା ଅଛି ।

 

ମାତୃଭାଷାର ପ୍ରାଥମିକ ଶିକ୍ଷା ଦେବାଲାଗି ସବୁ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇଛି । ମାତ୍ର ସେଗୁଡ଼ିକର ଦୁରବସ୍ଥା କହିଲେ ନସରେ । ସ୍କୁଲମାନଙ୍କରେ ଚଳୁଥିବା ପାଠ୍ୟପୁସ୍ତକଗୁଡ଼ିକରେ ମୂଲ୍ୟବୋଧର ଗରିଷ୍ଠ ତତ୍ତ୍ୱ ଅଧିକ ଦୃଶ୍ୟମାନ । ପଢ଼ାବହିଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କ ଭିତରେ ସୃଜନଶୀଳତା ବୃଦ୍ଧି କରିପାରୁଛି କି ନାହିଁ ତାହାର ଚର୍ଚ୍ଚା କରାଯିବା ଆବଶ୍ୟକ ।

 

ଶବ୍ଦ ଆହରଣରେ ଆମର କୁଣ୍ଠା ଆମ ଭାଷାର ଗ୍ରହଣୀୟତା ବୃଦ୍ଧି ଦିଗରେ ଏକ ଅନ୍ତରାୟ । ନିକଟରେ ରେଭେନ୍‌ସା କଲେଜର ଉପାଧ୍ୟୁତ୍ତର ଓଡ଼ିଆ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଓଡ଼ିଶାର ଗଣମାଧ୍ୟମଗୁଡ଼ିକରେ ଓଡ଼ିଆ ଭାଷାର ବ୍ୟବହାର ନେଇ ସର୍ଭେର ଏକ ରିପୋର୍ଟରେ କୁହାଯାଇଥିଲା ଯେ ଓଡ଼ିଆ ସମ୍ବାଦପତ୍ରଗୁଡ଼ିକ ଭାବ ସଂପ୍ରସାରଣକ୍ଷମ ଶବ୍ଦ ବ୍ୟବହାରରେ ଉଲ୍ଲେଖନୀୟ ସଫଳତା ପାଇନାହାନ୍ତି । ଅନ୍ୟପକ୍ଷରେ ଭଲ ଓଡ଼ିଆ ଶବ୍ଦ ଥିବା ସତ୍ତ୍ୱେ ସେମାନେ ଟାଣିଓଟାରି ହିନ୍ଦୀ କିମ୍ବା ଇଂରାଜି ଶବ୍ଦ ବ୍ୟବହାର କରୁଛନ୍ତି । ଓଡ଼ିଶାର ଭାଷାର ପ୍ରସାର ଦିଗରେ ରାଜ୍ୟ ଶାସନର ପଦାଧିକାରୀ, ରାଜନେତା, ଲେଖକ ଓ ଗଣମାଧ୍ୟମଗୁଡ଼ିକର ଭୂମିକା ସର୍ବଜନବିଦିତ । ଲୋକସଭା ବା ବିଧାନସଭାରେ ଗୃହୀତ ସବୁ ଆଦେଶ, ନିୟମକାନୁନ ଓଡ଼ିଆ ଭାଷାରେ ମିଳିବା କଥା । ମାତ୍ର ଏହା କାହିଁକି ମିଳୁନାହିଁ ସେ ଦିଗରେ କେବେ ବିଧାନସଭାରେ ଚର୍ଚ୍ଚା ହେଉ ନାହିଁ । ଓଡ଼ିଆ ଭାଷା ପ୍ରତି ଆମେ ମୁଖ୍ୟମନ୍ତ୍ରୀଙ୍କ ଉଦାସୀନତା ଏକ ଅଶ୍ୱସ୍ତିକର ଅଭିଜ୍ଞତା । ଷ୍ଟାଣ୍ଡାର୍ଡ ଭାଷାର ପ୍ରସାରରେ ସମ୍ବାଦପତ୍ରଗୁଡ଼ିକର ଭୂମିକା ଯଥେଷ୍ଟ । ମାତ୍ର ବିଭିନ୍ନ ବୈଷୟିକ ସମ୍ବାଦ ପରିବେଷଣ ଓ ବିଶ୍ଳେଷଣାତ୍ମକ ସାମ୍ବାଦିକତା ଅଭାବରୁ ଅନେକ ଓଡ଼ିଆ ପାଠକ ଇଂରାଜି ସମ୍ବାଦପତ୍ର ପଠନର ଆବଶ୍ୟକତା ଅନୁଭବ କରନ୍ତି । ସେମାନେ କହନ୍ତି ଯେ ଓଡ଼ିଆ ଖବରକାଗଜ ପାଠ କଲେ ତାଙ୍କ ମନରେ ପୂର୍ଣ୍ଣତା ଆସୁନାହିଁ । ସେହିଭଳି ଆକାଶବାଣୀରେ ସଂସ୍କୃତାୟିତ ଶବ୍ଦ ଓ ଓଡ଼ିଆ ଟିଭି ଚ୍ୟାନେଲ୍‌ଗୁଡ଼ିକରେ ଓଡ଼ିଆର ବିକୃତ ପ୍ରଚାର ବିଚିତ୍ର ପରିସ୍ଥିତି ସୃଷ୍ଟି କରନ୍ତି । ଓଡ଼ିଶାରେ ଓଡ଼ିଆ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଓ ଅଧ୍ୟାପକମାନଙ୍କୁ ନ୍ୟୂନ ଦୃଷ୍ଟିରେ ଦେଖାଯାଇଥାଏ ବୋଲି ଅଭିଯୋଗ ହୁଏ । ସମ୍ଭବତଃ ଓଡ଼ିଆ ବିଭାଗର ଜଣେ କେହି ଅଧ୍ୟାପକ ଏ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟର କୁଳପତି ପଦ ମଣ୍ଡନ କରିନାହାନ୍ତି । ଅଧିକ ଓଡ଼ିଆ ଅଧ୍ୟାପକ ପଦବି ସୃଷ୍ଟି କରି ଏହି ଭାଷା ସାହିତ୍ୟର ଶିକ୍ଷା ପ୍ରସାରକୁ ବଢ଼େଇବା ବଦଳରେ ଉଚ୍ଚଶିକ୍ଷା ବିଭାଗ ସରକାରୀ କଲେଜରୁ ଓଡ଼ିଆ ଇଚ୍ଛାଧୀନ ବିଷୟ ଉଠେଇ ଦେବା ଲାଗି ନିର୍ଦେଶନାମା ଜାରି କରିବାର ଘଟନା ଦୁଇବର୍ଷ ତଳେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବା ସରକାରଙ୍କର କାମ ଓ ତାହା ସମ୍ଭବ ହେଲେ ଏହି ଭାଷା ଶିଖିବା ଲାଗି ଆଗ୍ରହ ବଳେ ବଳେ ବଢ଼ିବ-

 

ଓଡ଼ିଆ ଭାଷାର ପ୍ରସାର ଓ ସମୃଦ୍ଧି ପାଇଁ ସବା ଆଗେ ଏ ରାଜ୍ୟର ଶିକ୍ଷିତବର୍ଗକୁ ସାଂସ୍କୃତିକ ଦାସତ୍ୱରୁ ମୁକ୍ତ ହେବାକୁ ପଡ଼ିବ । କେବଳ ଭାଷାପ୍ରୀତିର ଭାଷଣ ଦେଇ ମାତୃଭାଷା ପ୍ରତି ଆମର ଦାୟିତ୍ୱ ସଂପାଦନ କରିପାରିବା ନାହିଁ । ତାହା ନହେଲେ ଏବେ ଯେମିତି ଆମର ସବୁଯାକ ରଚନାର ପ୍ରଥମ ବାକ୍ୟ ‘ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ ହିଁ ଓଡ଼ିଶାର ବିଶେଷତ୍ୱ’ ବୋଲି ଲେଖାଯାଉଛି, ସେମିତି ‘ସବୁ ସମ୍ଭାବନା ଭିତରେ ଓଡ଼ିଆ ଭାଷାର ବିଲୋପ ଅନିବାର୍ଯ୍ୟ’ ବୋଲି ଲେଖାଯିବ ।

 

ସମ୍ବାଦ, ୧୩ ମେ, ୨୦୦୮

Image

 

Unknown

ସେମାନେ କୁଆଡ଼େ ଯିବେ

 

ସେମାନଙ୍କୁ ଆପଣ ଖଣ୍ଡେ ରସିଦ ବହି ଧରି ଗଶେଶପୂଜା, ଦୁର୍ଗାପୂଜା କି ଲକ୍ଷ୍ମୀପୂଜା ଚାନ୍ଦା ମାଗିବାକୁ ଆସୁଥିବା ଦଳ ଭିତରେ ଦେଖିଥିବେ । ସଦ୍ୟ ସମାପ୍ତ ମ୍ୟୁନିସିପାଲିଟି ନିର୍ବାଚନ ପ୍ରଚାର ସମୟରେ କେଉଁ ଗୋଟିଏ ଅଟୋ କି ଆମ୍ବାସାଡର ଭିତରେ ବସି ‘ଜିନ୍ଦାବାଦ’, ‘ମୁର୍ଦାବାଦ’ କହୁଥିବାର ଶୁଣିଥିବେ । ଗାଁ ଛକ ଓ ହାଟବଜାର ମୁଣ୍ଡରେ ତାସ୍‌ପାଲି ପକେଇବାର ନ ହେଲେ ନିଜର ବାପମାଆଙ୍କୁ, ‘‘ଆମକୁ ଖାଇବା- ପିନ୍ଧିବାଲାଗି ଯଦି ଦେଇ ନ ପାରୁଛ ତାହାହେଲେ କାହିଁକି ଜନ୍ମ କରୁଥିଲ’’ ଭଳି ପ୍ରଶ୍ନ ପଚାରିବାର ମଧ୍ୟ ଶୁଣିଥିବେ । କିନ୍ତୁ ନିଜେ ଭୁକ୍ତଭୋଗୀ ହୋଇ ନଥିଲେ କିମ୍ବା ଏ ପ୍ରକାର ପ୍ରଶ୍ନ ଦ୍ୱାରା ନିଜେ ଲହୁଲୁହାଣ ହେବାର ଆଶଙ୍କା ନ ଥିଲେ, ସେମାନଙ୍କୁ ମନେ ରଖି ନ ଥିବେ । ମାତ୍ର ଆପଣ, ମୁଁ କିମ୍ବା ଆମର ପ୍ରଶାସନ ଭୁଲୁ କି ନ ଭୁଲୁ, ମନେ ରଖୁ କି ନ ରଖୁ ସେମାନେ ଓଡ଼ିଶାରେ ରହନ୍ତି, ରହିବେ । ପରିବାର ଦୃଷ୍ଟିରେ ‘ଅପଦାର୍ଥ’, ‘ଅଯୋଗ୍ୟ’ ଓ ସମାଜ ଦୃଷ୍ଟିରେ ‘ଅକୃତକାର୍ଯ୍ୟ’ ସେଇ ହତଭାଗାମାନଙ୍କର ପରିଚୟକୁ ମୁଁ ଆଉ ଟିକିଏ ନିର୍ଦ୍ଦିଷ୍ଟ କରିଦିଏ ।

 

ବର୍ଷ

ପରୀକ୍ଷା ଦେଇଥିଲେ

ପାସ୍‌ କଲେ

ଫେଲ୍‌ ହେଲେ

ଉତ୍ତୀର୍ଣ୍ଣ ହାର

୨୦୦୦

୩,୭୬,୬୬୭

୧,୪୩,୫୫୩

୨,୩୩,୧୧୪

୩୮.୧୧ ପ୍ରତିଶତ

୨୦୦୧

୩.୪୫,୨୫୨

୧,୧୯,୫୫୫

୨,୨୫,୬୯୭

୩୪.୬୨ ପ୍ରତିଶତ

୨୦୦୨

୩,୨୭,୭୬୨

୧,୨୩,୧୯୨

୨,୦୪,୫୭୦

୩୭.୫୮ ପ୍ରତିଶତ

୨୦୦୩

୩,୧୬,୮୮୪

୧,୪୬,୧୭୬

୧,୭୦,୭୦୮

୪୬.୧୨ ପ୍ରତିଶତ

 

ପ୍ରତିବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହେଉଥିବା ଲକ୍ଷ ଲକ୍ଷ ପିଲା ହିଁ ଏଇ ଅଯୋଗ୍ୟ ଗୋଷ୍ଠୀ । ଏ କଥା ଭାବିଲେ ଅବଶ୍ୟ ଆଶ୍ଚର୍ଯ୍ୟ ଲାଗେ ଯେ ସରକାରଙ୍କର କୋଟି କୋଟି ଟଙ୍କାର ଯୋଜନା, ଲକ୍ଷ ଲକ୍ଷ ଶିକ୍ଷକଙ୍କ ଶ୍ରମଦାନ ଓ ଶିକ୍ଷାର ଗୁରୁତ୍ୱ ସମ୍ବନ୍ଧୀୟ ବିରାଟ ବିରାଟ କର୍ମଶାଳା ସତ୍ତ୍ୱେ ମାଟ୍ରିକ୍‌ ପରୀକ୍ଷାରେ କାହିଁକି ଫେଲ୍‌ ହୁଅନ୍ତି ବେଶି ପିଲା ଓ ପାଶ୍‌ ହୁଅନ୍ତି କମ୍‌ ପିଲା ?

 

ଏପରି ନୈରାଶ୍ୟଜନକ ପରିସ୍ଥିତି ପାଇଁ ଯେ କୌଣସି ପ୍ରଶାସନ ଉତ୍ତରଦାୟୀ ରହିବା କଥା । ସମ୍ପୃକ୍ତ ସ୍କୁଲ୍‌ର ଶିକ୍ଷକ, ଶିକ୍ଷା ନିରୀକ୍ଷକଙ୍କଠୁ ନେଇ ନିର୍ଦେଶକ ମଧ୍ୟ ଉତ୍ତରଦାୟୀ ହେବା ଦରକାର । କିନ୍ତୁ ସେମାନେ ଏ ପରିଣତି ଲାଗି ସମ୍ପୂର୍ଣ୍ଣ ଦାୟୀ ନୁହନ୍ତି । ଦାରିଦ୍ର୍ୟ, ପାରିବାରିକ ସମସ୍ୟା, ଯୋଗାଯୋଗ ଓ ଭିତ୍ତିଭୂମିର ଅଭାବ ପରି ଅନେକ କାରଣ ଏ ଅବସ୍ଥା ଲାଗି ଦାୟୀ । ସେ ପ୍ରସଙ୍ଗ ଭିତରକୁ ଆଜି ଏ ଲେଖକ ଯାଉ ନାହିଁ । ମାଟ୍ରିକ୍‌ ପରୀକ୍ଷାରେ ଯେଉଁମାନେ ପାଶ୍‌ କଲେ ସେମାନଙ୍କ ପାଇଁ ଆଗକୁ ଆଗକୁ ବ୍ୟବସ୍ଥା ରହିଛି । ସେମାନେ କଲେଜରେ ପଢ଼ିବେ, ତା’ପରେ ଏଣ୍ଟ୍ରାନ୍‌ସ ଦେବେ, ତା’ପରେ ଯିଏ ଯେଉଁ ଦିଗରେ ଯିବା କଥା ଯିବେ । ମାତ୍ର ଯେଉଁ ସଂଖ୍ୟାଗରିଷ୍ଠ ଅକୃତକାର୍ଯ୍ୟ ଛାତ୍ର ଗୋଷ୍ଠୀଟି ପଛରେ ରହିଲା ସେମାନେ କ’ଣ କରିବେ ? କୁଆଡ଼େ ଯିବେ ? ତାଙ୍କ ପାଇଁ ଏ ସରକାରଙ୍କର କିଛି ବ୍ୟବସ୍ଥା ଅଛି କି ? ନିକଟରେ ଓଡ଼ିଶା ସରକାରଙ୍କ ଧନ୍ଦାମୂଳକ ଶିକ୍ଷା ଯୋଜନା ସହ ସମ୍ପୃକ୍ତ ଜଣେ ଅଧିକାରୀଙ୍କୁ ଏହି ପ୍ରଶ୍ନ ଏ ଲେଖକ ପଚାରିଥିଲା । ସେ ଉତ୍ତର ଦେଲେ, ମାଟ୍ରିକ୍‌ ଫେଲ୍‌ ପିଲାଙ୍କ ପାଇଁ ସରକାରଙ୍କ କିଛି ବ୍ୟବସ୍ଥା ନାହିଁ । ତାହାହେଲେ ଏମାନଙ୍କର ଭବିଷ୍ୟତ କ’ଣ ?

 

ଯେଉଁମାନେ ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହେଲେ ସେମାନେ ନିଶ୍ଚୟ ତାଙ୍କ ନିଜ ଦୋଷରୁ କେବଳ ଫେଲ୍‌ ହେଲେ ନାହିଁ । ପ୍ରସଙ୍ଗତଃ ଗୋଟିଏ କଥା ମନକୁ ଆସୁଛି । ୧୯୭୬ ମସିହାରେ ଏ ଲେଖକ ବାଲେଶ୍ୱର (ବର୍ତ୍ତମାନ ଭଦ୍ରକ) ଜିଲ୍ଲାର ଗୋଟେ ମଫସଲୀ ହାଇସ୍କୁଲରୁ ମାଟ୍ରିକ୍‌ ପରୀକ୍ଷା ଦେଇଥିଲା । ମୋଟ ୧୧ ଜଣ ପିଲା ସେ ବର୍ଷ ପରୀକ୍ଷା ଦେଇଥିଲେ ଓ ଏଇ ଲେଖକଟିକୁ ଛାଡ଼ି ଅନ୍ୟ ୧୦ ଜଣ ସହପାଠୀ ଅକୃତକାର୍ଯ୍ୟ ହୋଇଥିଲେ । ନିଜେ ଲେଖକ ଜାଣେ, ଏଥିପାଇଁ ସେଇ ପିଲାମାନେ ସମ୍ପୂର୍ଣ୍ଣ ଦାୟୀ ନୁହନ୍ତି । ବନ୍ୟା ଯୋଗୁଁ ଚାରିମାସ ସ୍କୁଲ ବନ୍ଦ ରହେ, ସ୍କୁଲ ଖୋଲିବା ପରେ ବହି ମିଳେ ନାହିଁ, ବହି ମିଳିଲେ ଶିକ୍ଷକ ଆସନ୍ତି ନାହିଁ, ଯେଉଁ ଶିକ୍ଷକ ଯାହା ପଢ଼ାନ୍ତି ତାହା ପିଲାମାନଙ୍କ ଚାହିଦା ମୁତାବକ ହୁଏ ନାହିଁ । ଏସବୁ ସ୍କୁଲ ସମସ୍ୟା ବାହାରେ ଅନ୍ୟାନ୍ୟ ପାରିବାରିକ ସମସ୍ୟା ମଧ୍ୟ ଥାଏ ।

 

ବର୍ତ୍ତମାନ ପ୍ରଶ୍ନ ଉଠୁଛି, କୌଣସି ରାଜ୍ୟ ଯଦି ତା’ର ଏ ପ୍ରକାର ବିପୁଳ ମାନବସମ୍ବଳର ଉପଯୋଗ ପାଇଁ କିଛି ପଦକ୍ଷେପ ଗ୍ରହଣ ନ କରେ ତାହାହେଲେ ତା’ର ପରିଣତି କ’ଣ ହେବ ? କୃତକାର୍ଯ୍ୟ ପିଲାମାନଙ୍କର ଡେଣା ଲାଗିଗଲା ଓ ସେମାନେ ଦୂରକୁ ଉଡ଼ିଗଲେ । ମାତ୍ର ଅକୃତକାର୍ଯ୍ୟ ପିଲାଏ ଏଇଠି ରହିବେ । ସେମାନଙ୍କର ଖାଦ୍ୟ, ବସ୍ତ୍ର ଓ ଭରଣପୋଷଣ ପାଇଁ ଓଡ଼ିଶା ଉପରେ ନିର୍ଭର କରିବେ । ସେମାନେ କି କାମରେ ଲାଗିବେ ଯାହା ଫଳରେ କିଛି ଉପାର୍ଜନ କରିପାରିବେ ? ବିଲବାଡ଼ି କାମ ପାଇଁ ଆଗ୍ରହ ସ୍କୁଲ ଶିକ୍ଷା ଛଡ଼େଇ ନେଇଥାଏ । ସହର ଯାଇ ଚାକିରି ବାକିରି କରିବା ପାଇଁ ସାମର୍ଥ୍ୟ କି ସୁଯୋଗ ନ ଥାଏ । ଫଳରେ ସେମାନେ କାନରେ ନୋଳି ପିନ୍ଧି ଦାଦାଗିରି କରିବେ, ବର୍ଷସାରା ମିଛିମିଛିକା ପୂଜାବ୍ରତ ଆୟୋଜନ କରି ଚାନ୍ଦା ମାଗିବେ, ଗାଁ ସରପଞ୍ଚ କି ୱାର୍ଡମେମ୍ବର ପାଇଁ ନିର୍ବାଚନ ପ୍ରଚାର କରିବେ । ବେଳେବେଳେ ଜନସମାବେଶ ଲାଗି ଟ୍ରକ ଡାଲାରେ ଗାଈଗୋରୁ ପରି ବୁହାହୋଇ ଯିବେ ଓ ପଚିଶ ତିରିଶ ଟଙ୍କା ମଜୁରି ଧରି ଫେରିବେ-। ଅନ୍ୟ ସମୟରେ ଘରେ ପାଟିତୁଣ୍ଡ କଳିକଜିଆ କରିବେ । କ୍ରମେ ବାହା ହେବେ, ବାପା ହେବେ ଓ ଏଇ ପ୍ରକ୍ରିୟାରେ ପୁଣି ଅକୃତକାର୍ଯ୍ୟ ଆଉ ଗୋଟିଏ ପିଢ଼ି ସମାଜକୁ ଆସିବ ।

 

ସମୁଦାୟ ଓଡ଼ିଶାର ଗାଁଗଣ୍ଡାକୁ ବର୍ତ୍ତମାନ ଲକ୍ଷ୍ୟ କରାଯାଉ । ଚାଷ ଲାଭଜନକ ହେଉନାହିଁ ବନ୍ୟା, ବାତ୍ୟା ଓ ମରୁଡ଼ି ଯୋଗୁଁ । ଯେଉଁ ଚାଷୀଘରର କୌଣସି ପିଲା ବାହାରେ ଚାକିରି କରି କିଛି କଞ୍ଚାପଇସା ଗାଁକୁ ପଠଉଛନ୍ତି ସେମାନଙ୍କ କଥା ଭିନ୍ନ, କେବଳ ଚାଷ ଉପରେ ନିର୍ଭର କରୁଥିବା ଲୋକ ପାଖରେ ବିହନ, ସାର ଓ ମୂଲମଜୁରି ପାଇଁ ଟଙ୍କା ନାହିଁ । ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ଯେତେ କମ୍‌ କୁହାଯିବ ସେତେ ଭଲ । ବୁଦ୍ଧିମାନ ସମର୍ଥ ଲୋକ ସହରକୁ ଉଠି ଆସୁଛନ୍ତି । ଫଳରେ ଗାଁଗଣ୍ଡାଗୁଡ଼ିକ ଅନ୍ଧବିଶ୍ୱାସ, ସଂକୀର୍ଣ୍ଣ ରାଜନୀତି ଓ ବ୍ୟାଧି-ବାର୍ଧକ୍ୟର ଅପନ୍ତରା ହୋଇଯାଉଛି । ଏ ପରିସ୍ଥିତିରେ ପ୍ରତିବର୍ଷ କର୍ମହୀନ ମାଟ୍ରିକ୍‌ଫେଲ୍‌ ଲକ୍ଷ ଲକ୍ଷ ଯୁବକଙ୍କ ଯୋଗଦାନ ସମସ୍ୟାକୁ ଜଟିଳ କରିବ ହିଁ କରିବ । ମାତ୍ର ପରିତାପର କଥା ହେଉଛି ଏ ସମସ୍ୟାଟି ପ୍ରତି ନା କେନ୍ଦ୍ର ନା ରାଜ୍ୟ ସରକାର କେହି ଯେତିକି ଗୁରୁତ୍ୱ ଦେବା କଥା ଦେଉନାହାନ୍ତି । ଫଳରେ ସମୁଦାୟ ଗ୍ରାମୀଣ ଓଡ଼ିଶା କ୍ରମେ ନିରକ୍ଷର, ମୂକ ଓ ବଧିର ଓଡ଼ିଶା ପାଲଟିଯାଉଛି । ଗାଁର ଲୋକମାନେ ଯଦି ନିଜ ଅସାମର୍ଥ୍ୟ ଯୋଗୁଁ ସରକାରଙ୍କ ଯୋଜନା ସମ୍ବନ୍ଧରେ ନ ଜାଣିପାରିବେ, ସେମାନଙ୍କ ପାଇଁ କି କି ସୁବିଧା କେନ୍ଦ୍ରରୁ ଆସୁଛି ସେକଥା ନ ବୁଝିବେ ତାହାହେଲେ ସେମାନେ କାହାକୁ କିଛି ପ୍ରଶ୍ନ ପଚାରିପାରିବେ ନାହିଁ । ମୁଷ୍ଟିମେୟ ଲୋକ ଅଳ୍ପ କିଛି ବୁଦ୍ଧି କିମ୍ବା ଅର୍ଥ ଖର୍ଚ କରି ସେମାନଙ୍କୁ ଶୋଷଣ କରିବେ । ଓଡ଼ିଶାର ଦୁର୍ଗତି ପାଇଁ ଏ କଥାଟି ଅଧିକ ଦାୟୀ ।

 

ଯେଉଁମାନେ ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଗଲେ ସେମାନେ ଯେ ବଞ୍ଚିବାର ରାହା ପାଇଗଲେ ସେ କଥା ନୁହେଁ । ଶହେରେ ତେତିଶ ଚଉତିରିଶ ନମ୍ବର ରଖି ପାଶ୍‌ କରିଥିବା ଛାତ୍ରଛାତ୍ରୀମାନଙ୍କର ଅବସ୍ଥା ଯେ ନିଶ୍ଚୟ ଜଟିଳ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଯେଉଁମାନେ ମାଟ୍ରିକ୍‌ ‘ହିଡ଼’ ସୁଦ୍ଧା ଟପି ପାରିଲେ ନାହିଁ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଯୋଜନା ରହିବା ଦରକାର । ସେ ଯୋଜନାର ରୂପରେଖ କ’ଣ ହେବ ତାହା ବିଧାନସଭା ଓ ସରକାର ପ୍ରସ୍ତୁତ କରନ୍ତୁ । ଯେଉଁ ନେତାମାନେ ପାଞ୍ଚ ବର୍ଷରେ ଦି’ଥର କି ତିନିଥର ଭିନ୍ନ ଭିନ୍ନ ନିର୍ବାଚନ ଲାଗି ଏଇ ମାନବସମ୍ବଳର ଉପଯୋଗ କରୁଛନ୍ତି ସେମାନେ ନିର୍ବାଚିତ ହୋଇ ଦିଲ୍ଲୀ ବା ଭୁବନେଶ୍ୱର ଚାଲି ଆସିଲା ପରେ, ତାଙ୍କର ନିର୍ବାଚନ ପ୍ରଚାରରେ ଗଳାଫଟେଇ ଚିତ୍କାର କରିଥିବା ଯୁବକମାନଙ୍କର କି ହାଲ୍‌ ହେଲା ସେ କଥା ପ୍ରତି ନଜର ଦେବା ନିଶ୍ଚୟ ଦରକାର । କୌଣସି ଯୁବକକୁ କେବଳ ମାଇକ୍‌ ଚୁଙ୍ଗା ପରି ବ୍ୟବହାର କରିବାର ମାନସିକତା ଅନ୍ୟାୟ । ଗାଁ ଗଣ୍ଡା ପାଇଁ କୋଟି କୋଟି ଟଙ୍କା ରେକର୍ଡ ପତ୍ରରେ ଖର୍ଚ ହେଉଛି । ଯେତିକି ଖର୍ଚ ହେଉଛି ତାହାଠାରୁ ଅଧିକ ଖର୍ଚ ହୋଇପାରୁ ନାହିଁ । ଏ ପିଲାମାନେ ସେସବୁ କାମରେ ନିଶ୍ଚୟ ଲାଗିପାରିବେ । ଫୁଲ ଓ ମାଛଚାଷଠୁଁ ନେଇ ସିକ୍ୟୁରିଟି ସଂସ୍ଥା ଏପରିକି ସହରର ବଡ଼ ବଡ଼ ଲୋକଙ୍କ ଘରୋଇ କର୍ମଚାରୀ ଭାବେ ସେମାନେ କାମ କରିପାରିବେ । ବର୍ତ୍ତମାନ ସହରରେ ଗୃହକର୍ମରେ ସାହାଯ୍ୟ କରିବା ଲାଗି ସହାୟକ ବା ସହାୟିକା ମିଳୁ ନାହାନ୍ତି । ଏହାର ଗୋଟିଏ କାରଣ ହେଲା ଘରୋଇ ଚାକର ଓ ଚାକରାଣୀ ନାଁରେ ଖଟୁଥିବା ଲୋକଙ୍କ ଦୁର୍ଦଶାର ଚିଠା ଏଭଳି ମନ ଭିତରେ ରହିଛି ଯାହା ଫଳରେ କେହି ଏ କାମ କରିବାକୁ ଚାହୁ ନାହାନ୍ତି । ଅଇଁଠା ଖାଦ୍ୟ, ଗଇଣ୍ଠା ପୁରୁଣା ଲୁଗା ଓ ମାସକୁ ଟଙ୍କା ଦି’ଶହ ଏଇ ଯେମିତି ସେମାନଙ୍କର ଭାଗ୍ୟ ? ଅଥଚ ବଡ଼ ବଡ଼ ଲୋକଙ୍କ ଘରେ ସହାୟକ ରୂପେ କାମ କରୁଥିବା ଲୋକ ଯେକୌଣସି ସରକାରୀ ସଂସ୍ଥାର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଭଲ ରୋଜଗାର କରନ୍ତି, ଆରାମରେ ରହନ୍ତି । ସହରର ଜୀବନ ଆଜିକାଲି ନିଃସଙ୍ଗ ହୋଇପଡ଼ିଲାଣି । ପ୍ରତିଷ୍ଠିତ ଲୋକଙ୍କ ପୁଅ ବା ଝିଅ ବାହାରକୁ ଚାଲିଯିବା ପରେ ସେମାନଙ୍କ ଦେଖାଶୁଣା କରିବାକୁ କେହି ନାହାନ୍ତି । ସ୍ୱାସ୍ଥ୍ୟସେବା ସମ୍ପର୍କରେ ସାଧାରଣ ତାଲିମ ଥିବା ସହାୟିକା ବା ସହାୟକଙ୍କୁ ଅନେକ ନିଯୁକ୍ତି ମିଳିବ-। ବର୍ତ୍ତମାନ କେତେକ ସ୍ୱେଚ୍ଛାସେବୀ ସଂସ୍ଥା ସ୍ୱାମୀ ପରିତ୍ୟକ୍ତା ଅସହାୟା ମହିଳାଙ୍କୁ ଏ ପ୍ରକାର ତାଲିମ ଦେବାର ବ୍ୟବସ୍ଥା କରୁଛନ୍ତି, ମାତ୍ର ବହୁତ ଆଗରୁ ଏସବୁ କରାଯିବା ଉଚିତ ଥିଲା । ଓଡ଼ିଶାର ବୁଦ୍ଧିଜୀବୀମାନେ ଜ୍ଞାନକୃପଣ । ବହୁତ ଟଙ୍କା ପଇସା ଥିବା ଲୋକ ଅନ୍ୟକୁ ଦି’ପଇସା ସାହାଯ୍ୟ ନକଲେ ଯେମିତି ତାକୁ ଧନକୃପଣ କହନ୍ତି, ସେମିତି ନାନା ପାଠ ପଢ଼ିଥିବା ଓ ବୁଦ୍ଧିବାଟ ଜାଣିଥିବା ଲୋକ ଅନ୍ଧାରରେ ପଡ଼ି ବାଡ଼ି ବୁଲଉଥିବା ଲୋକକୁ କଥା ପଦକର ସାହାଯ୍ୟ ନ କଲେ ତାକୁ ଜ୍ଞାନକୃପଣ କହିବା ଠିକ୍‌ ହେବ । ଠିକଣା ସମୟରେ ଠିକଣା ବୁଦ୍ଧି ଖଟଉ ନ ଥିବାରୁ ଆମେ କିପରି ପଛରେ ପଡ଼ିଯାଇଛୁ ସେ କଥା ବହୁବାର ଆଲୋଚିତ ହୋଇଛି । ବମ୍ବେ ସହରରେ ଟିଫିନ୍‌ କ୍ୟାରିୟର୍‌ ପରିବହନ କରୁଥିବା ‘ଅନ୍ନପୂର୍ଣା’ ସଂସ୍ଥା କଥା ସମସ୍ତେ ଜାଣନ୍ତି । କିନ୍ତୁ ଠାକୁର ଫୁଲ ନେଇ ଯୋଗାଉଥିବା ଲୋକଙ୍କ କଥା ଅଧିକ ଚର୍ଚ୍ଚା ହୋଇନାହିଁ । ବଡ଼ ବଡ଼ ଫ୍ଲାଟ୍‌ରେ, ଯେଉଁଠି ଦୁଇ ଶହ, ତିନିଶହ ପରିବାର ରହୁଛନ୍ତି, ସେମାନଙ୍କୁ ପ୍ରତିଦିନ ଫୁଲ, ତୁଳସୀ, ବେଲପତ୍ର, ହୋମ ପାଇଁ ଗାଈଗୋବର ଯୋଗେଇବାକୁ ଲୋକ ଦରକାର । ଭାରତର ଲୋକ ଠାକୁର ପୂଜା ତ ନିଶ୍ଚୟ କରିବେ ! ମଙ୍ଗଳବାର ନାଲି ଫୁଲ ଦରକାର, ସୋମବାର ବେଲପତ୍ର । ସେ ଜିନିଷ ଯୋଗେଇ ଲୋକେ ଗୁଜୁରାଣ ମେଣ୍ଟଉଛନ୍ତି । ଯାହାର ପେଟଟିଏ ଅଛି ସେ ଦିନରେ ଦି’ ଓଳି ନିଶ୍ଚୟ ଖାଇବ । ତା’ର ଚିକେନ୍‌, ମଟନ୍‌, କାଜୁ କି ରସଗୋଲା ଦରକାର ନାହିଁ । ଭାତ, ଡାଲି ଓ ରୁଟି ତରକାରୀ ତ ସେ ପାଇବା ଦରକାର । ମାତ୍ର ଆମ ଯୋଜନାରେ ଏଭଳି ହତଭାଗ୍ୟଙ୍କ ପାଇଁ କୋଉଠି ଟିକିଏ ଦରଦ ନାହିଁ କି ଆବେଗ ନାହିଁ । କି ଉପାୟ ଚିନ୍ତା କଲେ ଏମାନଙ୍କୁ କାମରେ ଲଗେଇ ହେବ ସେ କଥାଟି କୌଣସି ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାରରେ ସୁଦ୍ଧା ଦେଖିବାକୁ ମିଳୁ ନାହିଁ ।

 

ଆମକୁ ମନେ ରଖିବାକୁ ହେବ, ଯେ ପର୍ଯ୍ୟନ୍ତ ସମାଜର ନିମ୍ନବର୍ଗରେ ଥିବା ଏହି ଲୋକମାନେ ବଞ୍ଚିବାର ଅର୍ଥପୂର୍ଣ୍ଣ ରାହା ପାଇନାହାନ୍ତି ସେ ପର୍ଯ୍ୟନ୍ତ ଆମେ ବିକାଶ କରିପାରିବୁ ନାହିଁ । ଗୋଟିଏ ପରିବାରରେ ତିନିଭାଇଙ୍କ ଭିତରୁ ଜଣେ ଯଦି ଅଯୋଗ୍ୟ ହୋଇଯାଏ, ତାହାର ଦାୟିତ୍ୱ ବୁଝିବା ଅନ୍ୟ ଦି’ ଭାଇଙ୍କ କର୍ତ୍ତବ୍ୟ । ଯଦି ଦି ଜଣ ଅଯୋଗ୍ୟ ହୁଅନ୍ତି ତାହାହେଲେ ଯୋଗ୍ୟ ଭାଇଟିର ଦାୟିତ୍ୱ ଜଟିଳ । ମାତ୍ର ଅଯୋଗ୍ୟ କୁହାଯାଉଥିବା ଲୋକଟି ବ୍ୟବସ୍ଥିତ ନହେଲେ ସେ ନାନା ଅଘଟଣ ଘଟେଇବ । ତା’ର ନୈରାଶ୍ୟ, ତା’ର ବିଫଳତା ଏବଂ ନ୍ୟୂନମଣ୍ୟତା ପରିବାରର ଶାନ୍ତିକୁ ବ୍ୟାହତ କରିବ । ଦିନେ ଦେଖାଯିବ ସେ ଘରଟିରେ ଖାଇବା ଲାଗି ଯଥେଷ୍ଟ ଖାଦ୍ୟ, ପିନ୍ଧିବା ଲାଗି ଯଥେଷ୍ଟ ଲୁଗାପଟା ଏବଂ ଖର୍ଚ କରିବା ପାଇଁ ଆବଶ୍ୟକ ମୁତାବକ ଟଙ୍କା ପଇସା ଥିବା ସତ୍ତ୍ୱେ କାହାରି ମନରେ ଶାନ୍ତି ନାହିଁ, ସୁଖ ନାହିଁ । ଓଡ଼ିଶା କଥା ସେହିପରି । ଆପଣ ମାଛଚାଷ କରନ୍ତୁ, ଅମଳ ଆଗରୁ ତାହା ଚୋରି ହୋଇଯାଇଥିବ । ପନିପରିବା ଲଗେଇଥିବେ, ଆଉ କିଏ କାଟି ନେବେ । ଘରୁ ଗ୍ରୀଲ୍‌ତାଡ଼ି ଜିନିଷ ଚୋରି ହେଉଛି । ଏସବୁ ବ୍ୟକ୍ତି ନିରାପତ୍ତା ପ୍ରଶ୍ନ ସହ ଜଡ଼ିତ ବିଭିନ୍ନ ସମସ୍ୟା । ସାନ ସାନ ଚୋର ତ ପୁଣି ଯୁକ୍ତି କଲେଣି, କୋଟି କୋଟି ଟଙ୍କା ଚୋରି କରିଥିବା ଲୋକ ମନ୍ତ୍ରୀ ହଉଛନ୍ତି । ଆମେ କଲୁ କ’ଣ ହେଲା ? ଅବଶ୍ୟ ଏ କଥା ସତ ଯେ ଶାସନ ବ୍ୟବସ୍ଥାରେ ଯେଉଁ ସ୍ୱଚ୍ଛତା ରହିବା କଥା ରହୁନାହିଁ ।

 

ଶାରୀରିକ ଶ୍ରମକୁ ଆମ ଦେଶରେ ଯେତେ ନ୍ୟୂନ ଦୃଷ୍ଟିରେ ଦେଖାଯାଏ ଅନ୍ୟ କୌଣସି ଦେଶରେ ସେଭଳି ଦେଖାଯାଉ ନଥିବ । ଏ ଲେଖକ ଯେଉଁ ଦି’ ତିନିଟି ବାହାର ଦେଶ ଦେଖିଛି, ସେଠାରେ ଶାରୀରିକ ଶ୍ରମ କରୁଥିବା ଲୋକଙ୍କ ପ୍ରତି ଆମ ଧରଣର ଖରାପ ମନୋଭାବ ନଥିବା ଅନୁଭବ କରିଛି । ଯେଉଁ ଦେଶର ପୋଷାକପତ୍ର ଆମେ ଧାର ଆଣିଛୁ ସେ ଦେଶର ରାସ୍ତାକାମ କରୁଥିବା କର୍ମଚାରୀ ଓ ସହରର ଅଧିକାରୀ ଏକା ପ୍ରକାର ପୋଷାକ ପିନ୍ଧନ୍ତି । ଆମରି ଦେଶରେ କିନ୍ତୁ ନେତା-ହାକିମ ଓ କର୍ମୀ-ଜନତାଙ୍କ ମଧ୍ୟରେ ପୋଷାକ, ଖାଦ୍ୟ, ବାସଗୃହ ସବୁଠି ତାରତମ୍ୟ । ଯେମିତି ଦୁଇଟି ଗୋଷ୍ଠୀ ଅଲଗା ଅଲଗା ଗ୍ରହରୁ ଆସିଥାନ୍ତି । ଆମର ଏଠି ଲୋକ ବେଶି, କାମ କମ୍‌ । ପୁଣି ଧନୀ ଲୋକ କମ୍‌, ଗରିବ ବେଶି । ଧନୀ ଲୋକ ଅଳସୁଆ ହେବାକୁ ଚାହିବା ଗରିବ ଲୋକଙ୍କ ପାଇଁ ବରଂ ଭଲ ଖବର । କିନ୍ତୁ ସେମାନଙ୍କ କାମରେ ଆସିବା ପାଇଁ ମଧ୍ୟ ତାଲିମ ଥିବା ଦରକାର । କଥାକଥାକେ ପୁରୁଣା ଲୋକେ କହୁଛନ୍ତି, କେରଳର ପିଲାଏ ଟାଇପିଙ୍ଗ୍‌ ଓ ଝିଅମାନେ ନର୍ସିଂ କାମରେ ଆଗତୁରା ତାଲିମ୍‌ ନେଇଥିବାରୁ ଓଡ଼ିଶା ସମେତ ଯୁଆଡ଼େ ଗଲେ କେରଳୀ ନର୍ସ ଓ ଟାଇପିଷ୍ଟ ଦେଖିବାକୁ ମିଳନ୍ତି । ସେ ରାଜ୍ୟର ଦୂରଦୃଷ୍ଟି ସମ୍ପନ୍ନ କିଛି ନେତା ଓ ପ୍ରଶାସକଙ୍କ ଯୋଗୁଁ ଏ କଥା ସମ୍ଭବ ହୋଇଥିବ । ଆମ ରାଜ୍ୟରେ ମଧ୍ୟ ସେଭଳି ଯୋଗ୍ୟ ପ୍ରଶାସକ ଅଛନ୍ତି । ସେମାନେ ସବୁବେଳେ ଉପରକୁ ନ ଚାହିଁ ବେଳେବେଳେ ତଳକୁ ଚାହାନ୍ତୁ । ଉପରେ ଅଳ୍ପ ଲୋକ ଖୁସିରେ ଚିତ୍କାର କରୁଛନ୍ତି, ତଳେ ବେଶି ଲୋକ କିନ୍ତୁ ଆର୍ତନାଦ କରୁଛନ୍ତି । ପରିବାରରେ ଦୁର୍ବଳ ପିଲାଙ୍କୁ ବାପା ଅଯୋଗ୍ୟ ଓ ଭାଇଭଉଣୀ ଅପଦାର୍ଥ କହି ମୁହଁମୋଡ଼ି ଚାଲିଯାଇପାରନ୍ତି । ମାତ୍ର ମାଆଟି ସେଇ ବାରବୁଲା ଅଯୋଗ୍ୟ ପୁଅଟି ପାଇଁ ଥାଳିରେ ଭାତଡାଲି କି ରୁଟି ତରକାରୀ ରଖି ରାତିସାରା ଅପେକ୍ଷା କରିଥାଏ । ପାଚେରି ଡେଇଁ ଆସୁ କି ଗେଟ୍‌ ଖୋଲି, ପୁଅ ଆସିଲେ ଖାଇବ । ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରର ଭୂମିକା ମାଆର ଭୂମିକା ପରି । ସେ ଯଦି ଏଇ ଲକ୍ଷ ଲକ୍ଷ ମାଟ୍ରିକ୍‌ ଫେଲ୍‌ଙ୍କ କଥା ନ ଶୁଣିବେ ତାହାହେଲେ କିଏ ଶୁଣିବ ?

 

ସମ୍ବାଦ, ୧୬ ଅକ୍‌ଟୋବର, ୨୦୦୩

Image

 

ସେମାନଙ୍କ କଥା କେଉଁଠି ଛପାଯିବ

 

‘‘ଆମ ଗାଁରେ କିଛି ଗରିବ ଲୋକଙ୍କର ବି.ପି.ଏଲ୍‌. କାର୍ଡ ନ ଥିବାରୁ ଚାଉଳ ନ ପାଇ ଆମ୍ବ ଟାଙ୍କୁ(ଟାକୁଆ)ରୁ କୋଇଲି ବାହାର କରି ତାକୁ ଛେଚି ପାଣିରେ ବତୁରାଇ ଶୁଖେଇ ଚୂନା କରି ପିଠା କରି ଖାଆନ୍ତି ।’’ - ରୋଜାଲିନ୍‌ ସାହୁ, ବାଣୁଆଗୁଡ଼ା, କୋରାପୁଟ

 

‘‘ସପ୍ତମ ଶ୍ରେଣୀରେ ପଢୁଥିବା ମୋର ଜଣେ ସାଙ୍ଗର ବାହାଘର ହୋଇଗଲା । ଆମେ ପଚାରିଲୁ, ଶାନ୍ତି, ତୁ ଏତେ କମ୍‌ ବୟସରେ ବାହା ହେଲୁ କାହିଁକି ? ସେ କହିଲା ମୋ ବାପ, ମାଆ, ଭାଇ, ଭଉଣୀ ମିଶି ମୋତେ ବାହା କରାଇ ଦେଇଛନ୍ତି-।’’-–ସୁନୀତା ଗାମେଲ, ମାଳିପୁଟ, କୋରାପୁଟ

 

‘‘ଗଉଡ଼ରାମଜୀ ଗାଁର ଝିଅ ପାଠ ପଢ଼ୁନାହାନ୍ତି । ଏଠି କିଛି ଜଙ୍ଗଲ ଅଛି । ଏଠି ମାଂସ ରଖି ଖାଉନାହାନ୍ତି । ଏଠି ଚଇତିପରବ, ମାଣ୍ଡିରାଶି, ନୂଆଖାଇ ପରବ ପାଳିତ ହେଉଛି । ରାସ୍ତା ଖରାପ । ଏଠି ଗଉଡ଼ ଲୋକ ଅଛନ୍ତି । ଗୋଟିଏ ପିଲା ଆଠଦିନ ହେଲା ଜନ୍ମହୋଇ ମରିଗଲା ଏବଂ ତା’ପରେ ତା’ର ମା’ ମରିଗଲା । ଏ.ଏନ୍‌.ଏମ୍‌. ଦିଦି ଆସିଥିଲେ ସେ ହୁଏତ ବଞ୍ଚିଯାଇଥାଆନ୍ତା ।’’ - ଶଙ୍କର ମୁଦୁଲି, ମୁର୍କାର, କୋରାପୁଟ

 

‘‘ଆମ ଗାଁରେ ସ୍କୁଲ୍‌ ଅଛି । କିନ୍ତୁ ସାର୍‌, ଦିଦି ଅନ୍ୟ ଗାଁରେ ରୁହନ୍ତି । ସ୍କୁଲ୍‌କୁ ଆସନ୍ତିନି-।’’-–ବିଭୂତି ଭୂଷଣ ମାଝୀ, ଗାଙ୍ଗରାଜପୁର, କୋରାପୁଟ

 

ମୁଁ ଜଣେ ସ୍ତ୍ରୀଲୋକକୁ କହିଲି, ତମ ଝିଅକୁ କାହିଁକି ସ୍କୁଲ୍‌କୁ ଛାଡୁନ ? ସେ କହିଲେ, ‘‘ମୋ ଝିଅକୁ ସିନା ଡ୍ରେସ୍‌ ଓ ଖାଇବାକୁ ମିଳିବ, ମୋତେ କ’ଣ ମିଳିବ ?’’ - ଚିନ୍ମୟୀ ସୁବୁଦ୍ଧି, ମୁର୍କାର, କୋରାପୁଟ

 

‘‘ଆଜି ସକାଳେ ଧନଖିଲଙ୍କ ଘରକୁ ଯାଇଥିଲି । ତାଙ୍କ ପୁଅକୁ ସ୍କୁଲ୍‌କୁ ପଠାଇବା ପାଇଁ କହିଲାରୁ ତାଙ୍କ ଗାଈ ଚରାଇବା ପାଇଁ ଘରେ ଆଉ କେହି ନଥିବା ଯୋଗୁଁ ସ୍କୁଲ୍‌କୁ ପୁଅ ଯାଇପାରିବ ନାହିଁ ବୋଲି କହିଲେ ।’’ - ଜଗଦୀଶ ମଣ୍ଡଳ, ମାଳିପୁଟ, କୋରାପୁଟ

 

‘‘ଆମ ଗାଁର କିଛି ଲୋକଙ୍କ ପାଖରେ ପଇସା ନଥିବାରୁ ଚାଉଳ ଗାଡ଼ି ଆସିଲେ ଚାଉଳ କିଣି ପାରୁନାହାନ୍ତି ।’’ - ବଳରାମ ଚୌଧୁରୀ, ଲମତାପୁଟ

 

‘‘ଆମ ଗାଁର ଧନ ହନ୍ତାଳଙ୍କ ଦୁଇଟିଯାକ ଆଖି ଖରାପ ହୋଇଯାଇଛି । ତାଙ୍କୁ ପେନ୍‌ସନ୍‌ ମଧ୍ୟ ମିଳୁ ନଥିବା ଯୋଗୁଁ ବହୁତ ଅସୁବିଧାରେ ଅଛନ୍ତି ।’’ - ଜୟସେନ ନାୟକ, ମାଳିପୁଟ

 

‘‘ଆମ ଗାଁର ଗୋଟେ ପିଲାର ପାଟିରେ ଆମ୍ବ ଲସି ଲାଗିଯିବାରୁ ଘାଆ ହୋଇଗଲା । ତମ ପୁଅକୁ ମେଡ଼ିକାଲ୍‌ ନିଅ ବୋଲି କହିବାରୁ, ଡାକ୍ତର ଇଞ୍ଜେକ୍‌ସନ୍‌ ଦେଲେ ୧୦ ଟଙ୍କା ଓ ବଟିକା ଦେଲେ ତ ୫ ଟଙ୍କା ମାଗୁଛନ୍ତି । ମୋ ପାଖରେ ତ ପଇସା ନାହିଁ । କେମିତି ନେବି ବୋଲି ତା ବାପା କହିଲେ ।’’ - ବଳରାମ ଚୌଧୁରୀ, ଲମତାପୁଟ

 

‘‘ଆମ ଗାଁର କିଛି ଲୋକ ମଦ ପିଇ ଭଲ ଲୋକମାନଙ୍କୁ ଗାଳି କରୁଛନ୍ତି । ପୁଲିସ୍‌ମାନଙ୍କୁ ଲାଞ୍ଚ ଦେଇ ମଦ ରାନ୍ଧୁଛନ୍ତି । ଆମ ଗାଁକୁ ଜଣେ କମ୍ପାଉଣ୍ଡର ଆସିଥିଲେ । ଜଣେ ରୋଗୀକୁ ଦେଖି ସାଲାଇନ୍‌ ଦେବାକୁ ପଡ଼ିବ ବୋଲି କହିଲେ ଓ ଦେଲେ । ସେହି ସାଲାଇନ୍‌ ବୋତଲ ଉପରେ Govt. Supply, Not for sale ବୋଲି ଲେଖାଥିଲା । କିନ୍ତୁ ସେ ରୋଗୀର ଘରୁ ୪୦୦ ଟଙ୍କା ନେଲେ ।’’ - ରାଜ ସୁବୁଦ୍ଧି, ମୁର୍କାର, କୋରାପୁଟ ।

 

ନା, ଭୁବନେଶ୍ୱର କି କଟକରୁ ପ୍ରକାଶିତ କୌଣସି ସମ୍ବାଦପତ୍ରର ଖବର ଏସବୁ ନୁହେଁ । ଏସବୁ ଚୂନା ଚୂନା ଖବର, ୟୁନିସେଫ୍‌ ଆନୁକୂଲ୍ୟରେ ପ୍ରକାଶ ପାଉଥିବା ‘ଅଙ୍କୁରୋଦ୍‌ଗମ’ ମାସିକ ପତ୍ରିକାରେ ୨୦୦୫ ଜୁନ୍‌ରୁ ନଭେମ୍ବର ଭିତରେ ପ୍ରକାଶ ପାଇଥିଲା । ଏହି ସାମ୍ବାଦିକମାନେ ସବୁ ଶିଶୁ ସାମ୍ବାଦିକ । ୟୁନିସେଫ୍‌, ଓଡ଼ିଶା ସରକାର ତଥା କୋରାପୁଟ ଜିଲ୍ଲା ପ୍ରଶାସନ ମିଶି ଗତବର୍ଷ ମେ ମାସରେ ‘ଅଙ୍କୁର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମେ ଦଶମନ୍ତପୁର ଏବଂ ପଟାଙ୍ଗୀ ପଞ୍ଚାୟତ ସମିତିରେ ଆରମ୍ଭ ହୋଇଥିଲା ଏ ଯୋଜନା ଏବଂ ପ୍ରସ୍ତାବ ଥିଲା କ୍ରମେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ଏହା ସଂପ୍ରସାରିତ ହେବ । ଏହି ଦୁଇଟି ପଞ୍ଚାୟତର ବାଣୁଆଗୁଡ଼ା, ପଦାବାଗ୍ରୀ, ବନାସିଲ, ମୁର୍କାର, ଲମତାପୁଟ, ପଟାଙ୍ଗୀ, ମାଳିପୁଟ, ଦେଓପଟାଙ୍ଗୀ, ଗାଙ୍ଗରାଜପୁର ଏବଂ ସୁକି ଗ୍ରାମରୁ ତୃତୀୟଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପଢୁଥିବା ଦଶଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥିଲା-। ଏହିପରି ସମୁଦାୟ ୧୦୦ ଜଣ ଶିଶୁଙ୍କୁ ନେଇ ଏକ ଦୁଇଦିନିଆ ତାଲିମ ଶିବିରର ଆୟୋଜନ ପରେ ସେମାନଙ୍କୁ ‘ଅଙ୍କୁର’ ମାଧ୍ୟମରେ ହେଉଥିବା ଅଣୁଯୋଜନା ଏବଂ ଅନ୍ୟାନ୍ୟ କ୍ଷେତ୍ରର ସମସ୍ୟାକୁ ଲିପିବଦ୍ଧ କରିବା ପାଇଁ ‘ଅଙ୍କୁରୋଦ୍‌ଗମ’ ପତ୍ରିକାର ଆରମ୍ଭ କରାଯାଇଥିଲା । ଇତି ମଧ୍ୟରେ ଏହି ଶିଶୁ ସାମ୍ବାଦିକଙ୍କ ମଧ୍ୟରୁ କେତେଜଣ ଆସି ଭୁବନେଶ୍ୱରରେ ନିଜ ନିଜ ବକ୍ତବ୍ୟ ରଖି ଫେରିଯାଇଛନ୍ତି ଏବଂ ସୁନୀତା ଗେଗେଲ ଏବଂ ଅନୁପମା ନାୟକ ନାମକ ଦି’ଜଣ ଝିଅ ଚୀନ୍‌ର ବେଜିଂ ଯାଇ ଫେରିଆସିଛନ୍ତି । ଥାଉ, ସେ ଆଉ ଗୋଟିଏ ପ୍ରସଙ୍ଗ ।

 

କୋରାପୁଟ ଜିଲ୍ଲାର ଯେଉଁ ଯେଉଁ ସମସ୍ୟା କଥା ଏହି ଶିଶୁ ସାମ୍ବାଦିକମାନେ ଲେଖିଛନ୍ତି ତାହା ସେ ଅଞ୍ଚଳର ବଡ଼ ସାମ୍ବାଦିକମାନେ ସେମିତି ଲେଖି ନଥାନ୍ତେ କିମ୍ବା ଲେଖିପାରି ନଥାନ୍ତେ । ଲେଖି ନଥାନ୍ତେ ଏଇଥିପାଇଁ ଯେ, କୋରାପୁଟରେ ଦାରିଦ୍ର୍ୟ କ’ଣ ଗୋଟେ ନୂଆ କଥା ! ଏଠି ଦାରିଦ୍ର୍ୟ ରହିବ ନାହିଁ ତ ରହିବ ଯାଇ ଆଉ କେଉଁଠି ? ଦୂର ଦୂରାନ୍ତ ଅଞ୍ଚଳର ସାମ୍ବାଦିକମାନଙ୍କ ମଧ୍ୟରୁ ଅଧିକାଂଶ ଏ ପ୍ରକାର ଉଦାସୀନତାରେ ପୀଡ଼ିତ । ବର୍ଷ ବର୍ଷ ଧରି ସେହି ଏକାପ୍ରକାର ଘଟନାକ୍ରମ ତାଙ୍କୁ ଉଦାସୀନ ଏବଂ ଦାର୍ଶନିକ କରିଦେଲାଣି । ମଝିରେ ମଝିରେ କଟକ ଓ ଭୁବନେଶ୍ୱରରୁ କିଛି କିଛି ସାମ୍ବାଦିକ କୋରାପୁଟ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ପ୍ରତିବଦ୍ଧ ସାମ୍ବାଦିକ ଦୁର୍ଗମ ଅଞ୍ଚଳକୁ ମଧ୍ୟ ଯାଉଛନ୍ତି । ମାତ୍ର ସେମାନଙ୍କ ସଂଖ୍ୟା ହାତଗଣତି, ଅନ୍ୟମାନେ ସେଇ ପର୍ଯ୍ୟନ୍ତ ଯାଉଛନ୍ତି ଯେଉଁ ପର୍ଯ୍ୟନ୍ତ ପିଚୁରାସ୍ତା ଯାଇଛି । ଯେଉଁଠିକୁ ପିଚୁରାସ୍ତା ଯାଇନାହିଁ, ଗାଡ଼ି ମଟର ଯାଉନାହିଁ, ସରକାରୀ ଯୋଜନା ଏବଂ ଅଧିକାରୀ ଯାଉନାହାନ୍ତି; ସେଠିକା କଥା କିଏ ବୁଝୁଛି ?

 

ଭାରତବର୍ଷର ଦାରିଦ୍ର୍ୟ ଏବଂ ପ୍ରାଚୁର୍ଯ୍ୟକୁ ଆଖି ଆଗରେ ରଖି ଅନେକ ଲୋକ ଏହି ଦେଶକୁ ଇଣ୍ଡିଆ ଓ ଭାରତ ଏମିତ ଦି’ ଭାଗରେ ବିଭକ୍ତ କରିଥାଆନ୍ତି । ଇଣ୍ଡିଆରେ ଜଣେ ବଡ଼ବାପର ପୁଅ ରାହୁଳ ଦିନକୁ ପକେଟ୍‌ ମନି ଭାବରେ ଷାଠିଏ, ସତୁରି ହଜାର ଖର୍ଚ କଲାବେଳେ ଭାରତର ଆଉ ଗରିବ ବାପର ଛୁଆ କୋରାପୁଟର ବାଣୁଆଗୁଡ଼ାରେ ଆମ୍ବ ଟାକୁଆ ପିଠା ଖଣ୍ଡେ ପାଇଁ ଚୁଲି ପାଖରେ ରସ ଗିନା ପତେଇଥାଏ ।

 

‘ଅଙ୍କୁରୋଦ୍‌ଗମ’ ପତ୍ରିକାରେ ଏହିସବୁ ଖବର ବାହାରିବାର ବର୍ଷେ ପୂରିଗଲାଣି । ଆଶା କରାଯାଉଥିଲା, ଏ ଖବରଗୁଡ଼ିକ ସରକାର ଏବଂ ସାଧାରଣ ଲୋକଙ୍କ ନଜରକୁ ଆସିବା ପରେ ତତ୍ପରତା ପ୍ରକାଶ ପାଇବ । ମାତ୍ର ବାସ୍ତବରେ ସେଭଳି କିଛି ହୋଇନାହିଁ । ଏହା ଭିତରେ ସେଠାରେ ଥିବା କିଛି ଅଫିସର ଅନ୍ୟତ୍ର ବଦଳିହୋଇ ଆସିଛନ୍ତି । ଯେଉଁମାନେ ବଦଳି ହୋଇ ଆସିପାରି ନାହାନ୍ତି ସେମାନେ ନିଜକୁ ହତଭାଗ୍ୟ ଭାବି ଅପେକ୍ଷା କରିଛନ୍ତି । ନିଜକୁ ହତଭାଗ୍ୟ ଭାବୁଥିବା ଲୋକ ଅନ୍ୟ ଭାଗ୍ୟର ପରିବର୍ତନ ପାଇଁ କାହିଁକି ବା ଉଦ୍ୟମ କରିବ ?

 

ଏହା ଭିତରେ କୋରାପୁଟର ଜଣେ ସାମ୍ବାଦିକଙ୍କ ସହ ଦେଖାହେଲା । ସେ କହିଲେ ଯେ, ‘ଅଙ୍କୁରୋଦ୍‌ଗମ୍‌’ ପରି ଛୋଟିଆ ଏବଂ ସାମୟିକ ପତ୍ରିକାରେ ଏହି ଖବର ବାହାରିଲେ ସରକାର କ’ଣ ଶୁଣିବ ? କୋରାପୁଟ ଏବଂ କଳାହାଣ୍ଡିର ଦଶନ୍ଧି ଦଶନ୍ଧି ଦୁର୍ଭାଗ୍ୟ ସତ୍ତ୍ୱେ ଏ ପର୍ଯ୍ୟନ୍ତ ତ କେବିକେ ମୁଖ୍ୟ ଦପ୍ତର ରାଜଧାନୀରୁ ଉଠିଲା ନାହିଁ । ସାାମ୍ବାଦିକ ବନ୍ଧୁ ଭୁଲ୍‌ କହୁ ନ ଥିଲେ । କଟକ ଓ ଭୁବନେଶ୍ୱରରୁ ପ୍ରକାଶିତ ବଡ଼ ବଡ଼ ଖବରକାଗଜର ଗତ କେଇ ଦିନର ସଂଖ୍ୟା ଦେଖିଲେ ଉପଲବ୍ଧି ହେବ, କୋରାପୁଟର ଏ ପ୍ରକାର ଖବର ଛାପିବା ଲାଗି ପ୍ରକୃତପକ୍ଷେ ସେମାନଙ୍କର ଜାଗା ନାହିଁ । ସେମାନେ କ’ଣ କରିବେ ? କାରଣ ବୁଦ୍ଧିଆ ଓ ତା’ର କୋଚ୍‌ଙ୍କ ସମସ୍ୟା, ବିଉଟି ପାର୍ଲର, ବାଣୀବିହାର ଅଧ୍ୟାପକଙ୍କ ଆପତ୍ତିଜନକ କାରବାର, ରାକ୍ଷୀ ସାୱାନ୍ତ - ମିକାଙ୍କ ଜନ୍ମଦିନ ପାର୍ଟି ନାଚ ଏବଂ ମୁଖ୍ୟ ଶାସନ ସଚିବ ରହିବେ ନା ଦିଲ୍ଲୀ ପଳେଇବେ ପରି ଅତି ‘ଗୁରୁତ୍ୱପୂର୍ଣ୍ଣ’ ପ୍ରସଙ୍ଗ ପାଖରେ ସରକାରୀ ସାଲାଇନ୍‌କୁ ସରକାରୀ ଲୋକ ଖୋଲା ବଜାରରେ ବିକିବା, କମ୍‌ ବୟସର ଝିଅକୁ ଜବରଦସ୍ତ ବାହା କରାଇ ଦିଆଯିବା, ସର୍ବନିମ୍ନ ସମ୍ବଳ ନଥିବା ଯୋଗୁଁ ପାଖରେ ଚାଉଳ ପହଞ୍ଚିବା ସତ୍ତ୍ୱେ ତାହା କିଣି ନପାରିବା ଭଳି ଛୋଟିଆ ଲୋକଙ୍କ ଅତି ‘ଛୋଟ ଛୋଟ’ ସମସ୍ୟା ନିଶ୍ଚୟ ଗୁରୁତ୍ୱହୀନ । ଏ ଦିଗରେ ଜାତୀୟ ସମ୍ବାଦପତ୍ରମାନଙ୍କ ବ୍ୟବହାର ମଧ୍ୟ ଭିନ୍ନ ନୁହେଁ । ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଗେହ୍ଲା କୁକୁରଛୁଆ ହଜିଯିବା ଖବର ଏ ଦେଶର ସବୁଠୁ ବଡ଼ କାଗଜର ପ୍ରଥମ ପୃଷ୍ଠାରେ ଯେତିକି ସ୍ଥାନ ଅଧିକାର କରୁଛି ତା’ର ଏକ ଦଶମାଂଶ ଜାଗାରେ ଦାରିଦ୍ର୍ୟ, ବେକାରୀ, ବୟସ୍କ ନାଗରିକଙ୍କ ସମସ୍ୟା ବା ଚାଷୀଙ୍କ ଆତ୍ମହତ୍ୟା ଖବର ପ୍ରକାଶ ପାଉନାହିଁ । ଏହାର କାରଣ ସେସବୁ କଥାର ପୃଷ୍ଠପୋଷକତା ପାଇଁ ବଡ଼ ବଡ଼ କମ୍ପାନି ଅଛନ୍ତି । ଅଭିନେତ୍ରୀ ଓ କ୍ରିକେଟ୍‌ ଷ୍ଟାର୍‌ଙ୍କ ଗ୍ଲାମର ଅଛି । ତାହାହେଲେ କୋରାପୁଟ ପରି ଜିଲ୍ଲାର ହତଭାଗ୍ୟ ମଣିଷ କଥା ଛପାଯିବ କେଉଁଠି ?

 

ଓଡ଼ିଶାର ଅଢ଼େଇ ହଜାରରୁ ଊର୍ଧ୍ୱ ଗାଁକୁ ସବୁଦିନିଆ ରାସ୍ତା ନାହିଁ । ଏହି ସାମ୍ବାଦିକ ଯେଉଁ ଗାଁରୁ ଆସିଛି, ଭଦ୍ରକ ଜିଲ୍ଲାର ସେଇ ଗାଁଟିକୁ ଆଜିଯାଏଁ ରାସ୍ତାଟିଏ ନାହିଁ । ରାସ୍ତା ନଥିବା ଗାଁର ଦୁଃଖ ଏହି ସାମ୍ବାଦିକ ଜାଣେ । ଡାକ୍ତରଖାନା କଥା ନ କହିଲେ ଭଲ । ଅଧିକାଂଶ ସ୍ଥାନରେ ଟୁଣୁକାଟୁଣିକି କାମ ଜାଣିଥିବା ଲୋକମାନେ ଡାକ୍ତର । ଏବେ ପଞ୍ଚାୟତିରାଜ ଉପରେ ଜାତୀୟ ସମ୍ମିଳନୀ ଓଡ଼ିଶାରେ ହେଉଛି । ମାତ୍ର ଓଡ଼ିଶାରେ ଇନ୍ଦିରା ଆବାସ ଯୋଜନାରେ ସବୁଠୁ ବଡ଼ ଦୁର୍ନୀତି ହୋଇଛି ଯାହାର ପରିମାଣ ଏକହଜାର କୋଟି ଟଙ୍କା ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ବଡ଼ ଆହ୍ୱାନ । ଗରିବ ଲୋକଙ୍କ ପାଇଁ ଟଙ୍କା ଆସିଛି, କିନ୍ତୁ ସେମାନେ ପାଇନାହାନ୍ତି । ପୁଣି କୋରାପୁଟକୁ ଫେରିଯାଉଛି । ସେଠୁ ବୁଝିଲୁ, ସରକାରୀ ଚାକିରିରେ ରହୁଥିବା ଲୋକମାନେ ନିଜ ନିଜ ଜାଗାର ଭିତ୍ତିଭୂମି ଅଭାବ ଦର୍ଶାଇ ରହୁନାହାନ୍ତି । ସ୍ଥାନୀୟ ଲୋକଙ୍କୁ ପାଳିଆ ଭାବେ ରଖେଇ ଅଫିସରମାନେ ନିଜ ନିଜ ଗାଁକୁ ବା ସହରକୁ ଚାଲିଆସୁଛନ୍ତି । ବଦଳରେ ପାଳିଆମାନଙ୍କୁ କିଛି ଟଙ୍କା ଦେଉଛନ୍ତି । କିଛି ମାସ ତଳେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଗଲା । କୋରାପୁଟ ଜିଲ୍ଲାର ଜଣେ ପଶୁ ସ୍ୱାସ୍ଥ୍ୟ ଅଧିକାରୀ କହିଲେ, ଏହି ଦୁର୍ନୀତି ନିବାରଣ ସପ୍ତାହ ଭିତରେ ବେଶି ଦୁର୍ନୀତି ହୁଏ । ମନ୍ତ୍ରୀ ଓ ବଡ଼ ଅଫିସରଙ୍କ ପାଇଁ ଡିନର୍‌ ବନ୍ଦୋବସ୍ତ କରିବାକୁ ପଡ଼େ । ମନ୍ତ୍ରୀ ଯିବାପରେ ତାଙ୍କର ପଚାଶ ଷାଠିଏ କର୍ମୀ ଆସି ଦୋହରା ଭୋଜି ଦାବି କରନ୍ତି । ସେମାନଙ୍କ କଥା ବୁଝିବାକୁ ହୁଏ । କଥା ପ୍ରସଙ୍ଗରେ ଓଡ଼ିଶା ବିଧାନସଭାରେ ‘ଖୁଚୁରା ପଇସା ନାଟକ’ର ଅନ୍ୟତମ ପାଶ୍ୱର୍ ଅଭିନେତାଙ୍କ ନାମ ନେଇ ସେ ଭଦ୍ରଲୋକ କହିଲେ, ଆମେ ଯଦି କର୍ମୀଙ୍କ କଥା ନଶୁଣିବୁ ତାହାହେଲେ ନେତା ଆମକୁ ଏଭଳି ଭାଷାରେ ଗାଳିଦେବେ ଯାହା ଇତର ଲୋକ ସୁଦ୍ଧା ମୁହଁରେ ଧରିବ ନାହିଁ । ଏହି ସାମ୍ବାଦିକ ପଚାରିଲା, ଆପଣ କୋଉଠୁ ଆଣି ଟଙ୍କା ଦିଅନ୍ତି ? ସେ କହିଲେ, ମାସର ପନ୍ଦର ଦିନ ଆମେ ତ ସେଠାରେ ରହୁନାହୁଁ । ତେଣୁ ଚାନ୍ଦାଭେଦା ବାବଦକୁ ନେତା ଓ ସାମ୍ବାଦିକମାନଙ୍କୁ କିଛି କିଛି ଦେଉ । ଏମିତିରେ କାମ ଚଳେ । ଏଇ ହେଲା ବିଷଚକ୍ର । ପଶୁ ଚିକିତ୍ସା ଅଧିକାରୀମାନେ ଜିଲ୍ଲାର ନ ରହିଲେ ଗାଈଗୋରୁ ନିଜ କଥା ନିଜେ ବୁଝିବେ । ନହେଲେ ମରିବେ ।

 

‘ୟୁନିସେଫ୍‌’ର ‘ଅଙ୍କୁରୋଦ୍‌ଗମ୍‌’ ମୁଖପତ୍ର ଓଡ଼ିଶାର ବଡ଼ ବଡ଼ ସମସ୍ୟାର ସୀମିତ ଚିତ୍ର ଦେଇଛି । ପ୍ରକୃତ ସମସ୍ୟା ଏହାଠାରୁ ଢେର୍‌ ବଡ଼ । ଓଡ଼ିଶାର ସମ୍ବାଦପତ୍ର ଏବଂ ସରକାର ଏକଥା ପ୍ରତି ଧ୍ୟାନ ଦେବା ଦରକାର । ନହେଲେ ସାରା ଓଡ଼ିଶାକୁ ଆମେ ମାଲକାନଗିରି, ଗଜପତିରେ ପରିଣତ ହେବାକୁ ଛାଡ଼ିବା ପାଇଁ ବାଧ୍ୟ ହେବା । ଅନାହାର ମୃତ୍ୟୁ ଘଟି ସାରିବା ପରେ ତାଙ୍କ ଫଟୋ ଛାପି ଆମର ମାଲଭାଇ ଦାୟିତ୍ୱ ନିର୍ବାହଣ ସେମାନେ ଅନେକ ଦେଖିଲେଣି ।

 

ସମ୍ବାଦ, ୧୬ ଜୁନ୍‌, ୨୦୦୬

Image

 

ଲୋକେ ଖୁସି ହେବେ କାହିଁକି ?

 

ଚଳିତବର୍ଷ ଇଣ୍ଡିଆନ୍‌ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଶାର ସୋରୋ ଅଞ୍ଚଳର ବିଜୟକେତନ ଉପାଧ୍ୟାୟଙ୍କ ସହ ଆଉ ଛଅଜଣ କୃତିତ୍ୱ ଅର୍ଜନ କରିଥିବା ଖବର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ସେହି ଯୁବକ ଯୁବତୀମାନେ ହେଲେ ପ୍ରିୟଙ୍କା ଦାସ, ତରୁଣ ନାୟକ, ଅର୍ଚନା ନାୟକ, ଦେବସ୍ମିତା ଦାସ, ଚିନ୍ମୟ ବିଶ୍ୱାଳ, ସନ୍ତୋଷ କୁମାର ମିଶ୍ର ଏବଂ ସ୍ମାରକ ସ୍ୱାଇଁ । ଶ୍ରୀମାନ ଉପାଧ୍ୟାୟ କୃତିତ୍ୱ ତାଲିକାରେ ସାରା ଦେଶରେ ପଞ୍ଚମ ସ୍ଥାନ ଅଧିକାର କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି; ଅନ୍ୟମାନଙ୍କ ଅଞ୍ଚଳରେ ଅନୁରୂପ ଆନନ୍ଦ ପ୍ରକାଶ ପାଇଥିବ । ଆମେ ଏହି କୃତୀ ଯୁବକ ଯୁବତୀଙ୍କୁ ଅଭିନନ୍ଦନ ଜଣାଉଛୁ । ବର୍ଷ ପରେ ବର୍ଷ ଦେଖାଯାଇ ଆସୁଛି ଯେ ଜଣେ କେହି ଏଭଳି ସିଭିଲ ସର୍ଭିସ୍‌ ପରୀକ୍ଷାରେ କୃତିତ୍ୱ ଅର୍ଜନ କଲେ ସ୍ଥାନୀୟ ଲୋକମାନେ ଖୁବ୍‌ ଖୁସି ହୁଅନ୍ତି । ତେବେ ସେମାନେ ଖୁସି ହୁଅନ୍ତି କାହିଁକି ? ଏହା ପଛରେ ଯେତେ ସବୁ କାରଣ ଅଛି ତା ଭିତରୁ ଗୋଟିଏ ହେଲା, ସେମାନେ ମଧ୍ୟ ନିଜକୁ ଏ ସଫଳତାର ଜଣେ ଜଣେ ଅଂଶୀଦାର ବୋଲି ଭାବନ୍ତି ଏବଂ ତାହାଠାରୁ ବଡ଼କଥା ହେଲା, ସିଭିଲ ସର୍ଭିସ୍‌ରେ ପ୍ରବେଶ କରୁଥିବା ବାବୁ ଜଣକ ଭବିଷ୍ୟତରେ, ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ, ସେମାନଙ୍କର ସମସ୍ୟା ସମାଧାନରେ ସହାୟକ ହେବେ ବୋଲି ସେମାନେ ମନ ଭିତରେ ଗୋଟେ ଆଶା ପୋଷଣ କରନ୍ତି । ସେଇ କାରଣରୁ ଖାଲି ଆଇ.ଏ.ଏସ୍‌ କିମ୍ବା ଆଇ.ପି.ଏସ୍‌ ନୁହେଁ, ଡାକ୍ତର କି ଇଂଜିନିୟର ହେଉଥିବା ଶିକ୍ଷିତ ଯୁବକ ଯୁବତୀଙ୍କ ସଫଳତାରେ ମଧ୍ୟ ସ୍ଥାନୀୟ ଲୋକେ ଖୁସି ହୁଅନ୍ତି । ସେମାନେ ଆଲୋଚନା କରନ୍ତି ଯେ, ଏଇ ଯୋଉ ଅମୁକ ବାବୁଙ୍କ ପୁଅଟି ହାକିମ ସେ ନିଶ୍ଚୟ ଆମର ଉପକାର କରିବେ । ଏଇ ପ୍ରକାର ପ୍ରତ୍ୟାଶା ରହୁଥିବା ଯୋଗୁଁ ସଫଳ ଯୁବକ ଯୁବତୀଙ୍କୁ ନେଇ ସାହିପଡ଼ିଶା ଏବଂ ସ୍ଥାନୀୟ ସମାଜ ଗର୍ବ କରିଥାଏ । ସିଭିଲ ସର୍ଭିସ୍‌ ଅଧିକାରୀଙ୍କ ଠାଣିବାଣୀକୁ ଦୂରରୁ ଦେଖି ଆସିଥିବା ନିରକ୍ଷର ମଣିଷ କେବଳ ନୁହନ୍ତି, ସମାଜର ଶିକ୍ଷିତ ବର୍ଗ ମଧ୍ୟ ଏମାନଙ୍କୁ ଅଧିକ ସମ୍ମାନ ଦିଅନ୍ତି । ସମୟେ ସମୟେ ଏଇ ସମ୍ମାନ ଓ ସ୍ୱୀକୃତି ପର୍ବ ଏପରି ଉଦ୍ଭଟ ସ୍ତରକୁ ଚାଲିଯାଏ, ଯାହା ଖବରକାଗଜମାନଙ୍କର ପୃଷ୍ଠା ମଣ୍ଡନ କରେ ।

 

ଗତ ମାର୍ଚ ୨୭ ତାରିଖ ‘ଫ୍ରଣ୍ଟ୍‌ଲାଇନ୍‌’ ପତ୍ରିକାରେ ଏଇପରି ଏକ ଖବର ବାହାରିଥିଲା । ଖବରଟି ହେଲା ଯେ ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ, ନାରୀଧର୍ଷଣ ଏବଂ ଆତ୍ମହତ୍ୟାର କାରଣ ହୋଇଥିବା ଅପରାଧରେ ଅଭିଯୁକ୍ତ ଜଣେ ଆସାମୀଙ୍କ ଦଣ୍ଡ କୋହଳ ପାଇଁ ସୁପାରିସ କରିଥିଲେ । ଆସାମୀ ପ୍ରତି କୋର୍ଟଙ୍କର ଏପରି ଅନୁଗ୍ରହ ପ୍ରଦର୍ଶନର କାରଣ ହେଲା, ସିଏ ବାବୁ ଜଣକ ସିଭିଲ ସର୍ଭିସ୍‌ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି ! ୨୦୦୩ରେ ଘଟନାର ଆରମ୍ଭ । ଅଶୋକ ରାୟ ନାମକ ଯୁବକ ରସାୟନ ବିଜ୍ଞାନର ଜଣେ ଶିକ୍ଷୟିତ୍ରୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ମାତ୍ର ପରେ ତାଙ୍କ ସହ ସେ ପ୍ରତାରଣା କଲେ । ଏଥିରେ ମର୍ମାହତ ହୋଇ ଝିଅଟି ଗୁଡ଼ାଏ ‘ସଲ୍‌ଫା’ ଟାବ୍‌ଲେଟ୍‌ ଖାଇ ଆତ୍ମହତ୍ୟା କଲା । ମରିବା ପୂର୍ବରୁ ସେ ସୁଇସାଇଡ୍‌ ନୋଟ୍‌ରେ ତା ମୃତ୍ୟୁର କାରଣ ସମ୍ବନ୍ଧରେ ସବୁକଥା ବିଶଦ ଭାବେ ଲେଖିଯାଇଥିଲା । ସେଥିରେ ସେ ଲେଖିଥିଲା ଯେ ତାକୁ ଭଲ ପାଇବାର ଛଳନା କରୁଥିବା ଲୋକଟି ତାକୁ ନିଶା ଔଷଧ ଖୁଆଇ କେବଳ ଯେ ତା ଦେହକୁ ନିଜେ ଉପଭୋଗ କରିଥିଲା ସେତିକି ନୁହେଁ, କାର୍ଯ୍ୟ ହାସଲ ନିମନ୍ତେ ତାକୁ ବ୍ଲାକ୍‌ମେଲ୍‌ କରି ଅନ୍ୟ ପୁରୁଷ ପାଖକୁ ଯିବାପାଇଁ ବାଧ୍ୟ କରୁଥିଲା । ତା କଥା ନମାନିଲେ ସିଏ ତାକୁ ବଦନାମ କରିଦେବ ବୋଲି ବାରମ୍ବାର ଧମକ ଦେଉଥିଲା । ତା’ର ବ୍ଲାକ୍‌ମେଲିଂ ଯୋଗୁ ଝିଅଟି ଅନ୍ୟ ଦ୍ୱାରା ମଧ୍ୟ ବ୍ୟବହୃତ ହୋଇଥିଲା । ଏଇ ଘଟନା ଶାରୀରିକ ଓ ମାନସିକ ଦୃଷ୍ଟିରୁ ତାକୁ ଏଭଳି ବିଚଳିତ କଲା ଯ ସେ ଶେଷକୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା । ଏ ମାମଲା କୋର୍ଟକୁ ଯିବାପରେ ଆସାମୀକୁ ଆଜୀବନ କାରାଦଣ୍ଡ ଏବଂ ପାଞ୍ଚହଜାର ଟଙ୍କା ଜୋରିମାନା ଆଦେଶ ହୋଇଥିଲା । ମାତ୍ର ପରେ ସେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତିତ୍ୱ ହାସଲ କଲାରୁ ହାଇକୋର୍ଟ ତାକୁ ଖଲାସ କରିଦେବାକୁ ନିର୍ଦେଶ ଦେଇଥିଲେ । ଏହା ଯେ କେବଳ ସେଇ କୋର୍ଟଙ୍କ ଦୃଷ୍ଟିଭଙ୍ଗୀ ତାହା ନୁହେଁ, ଏହା ଭିତରେ ସମାଜର ସାମୂହିକ ଦୃଷ୍ଟିଭଙ୍ଗୀ ‘ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ’ କଥାଟି ପ୍ରତିଫଳିତ । ତେବେ ସୌଭାଗ୍ୟର କଥା ୨୦୦୯ ଫେବ୍ରୁଆରି ୯ ତାରିଖରେ ଏହି ରାୟ ବିରୋଧରେ ମହିଳା ସ୍ୱେଚ୍ଛାସେବୀମାନେ ସ୍ୱର ଉଠେଇଛନ୍ତି-

 

ଉଲ୍ଲେଖ କରିବାରେ ଦ୍ୱିଧା ନାହିଁ ଯେ ଅଶୋକ କୁମାର ଜଣେ ବିକୃତ ମାନସିକତାର ମଣିଷ । ତେଣୁ ତା ଅପରାଧକୁ ନେଇ ବିଶେଷ ଚର୍ଚ୍ଚା କରିବାର ପ୍ରୟୋଜନ ନାହିଁ । ମାତ୍ର ସିଭିଲ ସର୍ଭିସ୍‌ ଅଫିସରଙ୍କ ପ୍ରତି ନ୍ୟାୟାଳୟଙ୍କ ଏହି ଦୃଷ୍ଟିଭଙ୍ଗୀ ଅବଶ୍ୟ ଆଲୋଚନାର ଅପେକ୍ଷା ରଖେ ।

 

ଏ ସଂପର୍କରେ ଦ୍ୱିତୀୟ ଉଦାହରଣଟି ଏଇ ଓଡ଼ିଶା ମାଟିରେ ନିକଟରେ ଘଟିଲା । ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇ ଆଇ.ଏ.ଏସ୍‌ ଅଫିସର ବି.ଏସ୍‌.ନ୍ୟୁଭା ଓ ଶୈଳବାଳା ମାର୍ଟିନ ଓଡ଼ିଶା ଆସିଥିଲେ । ସେମାନଙ୍କର ଡ୍ୟୁଟି ବଲାଙ୍ଗୀର ଜିଲ୍ଲାରେ ପଡ଼ିଥିଲା । ଖରାଦିନେ ବଲାଙ୍ଗୀର ଜିଲ୍ଲାର ଉତ୍ତପ୍ତ ପରିବେଶ । ଲୋକେ ବଲାଙ୍ଗୀରର ଟିଟିଲାଗଡ଼କୁ ତତଲାଗଡ଼ କହନ୍ତି । ପର୍ଯ୍ୟବେକ୍ଷକ ଦୁଇଜଣଙ୍କ ଲାଗି ବାତାନୁକୂଳିତ କୋଠରିରେ ରହିବା ବ୍ୟବସ୍ଥା ହୋଇଥିଲା । ଏଥିରେ କିଛି ଅସ୍ୱାଭାବିକତା ନାହିଁ । ମାତ୍ର ସେମାନେ ଘୋଡ଼ିହେବାକୁ କମ୍ବଳ ମାଗିଲେ । ଖାଇବାକୁ ମାଗିଲେ ମକା ରୁଟି । ଏ ଦୁଇଟି ଜିନିଷ ନମିଳିବାରୁ ସେମାନେ ଜିଲ୍ଲାପାଳଙ୍କ ସମେତ ଅନ୍ୟମାନଙ୍କୁ ଗାଳିମନ୍ଦ କଲେ । ଅଧଘଣ୍ଟା ଆଗରୁ ଟ୍ୟାକ୍ସିର ଏ.ସି ଚଲେଇ ନରଖିଲେ ଡ୍ରାଇଭର୍‌ଙ୍କୁ ମଧ୍ୟ ଗାଳିଗୁଲଜ କଲେ । ଏ ଘଟନା ମୁଖ୍ୟ ନିର୍ବାଚନ କମିସନରଙ୍କ ଦୃଷ୍ଟିକୁ ଗଲା । ତା’ପରେ ସେମାନଙ୍କୁ ଜିଲ୍ଲା ଓ ରାଜ୍ୟ ଛାଡ଼ିଯିବା ପାଇଁ ନିର୍ଦେଶ ଦିଆଗଲା । ତେବେ କେବଳ ଯେ ବାହାରୁ ଆସିଥିବା ଏହି ଅଫିସର ଦି’ ଜଣ ଏପରି ବ୍ୟବହାର ଦେଖେଇଲେ ତାହା ନୁହେଁ, ଏଇଠି ମଧ୍ୟ କିଛି ହାକିମ ଏହାଠାରୁ ଅଧିକ ଉଦାସୀନ ବ୍ୟବହାର ଦେଖାନ୍ତି । ତା’ର କାରଣ ହେଲା ଏହି ଅଫିସରମାନେ ନିଜକୁ ସାଧାରଣ ଲୋକଙ୍କଠାରୁ ସ୍ୱତନ୍ତ୍ର ବୋଲି ଭାବୁଛନ୍ତି ଓ ଏଭଳି ଭାବିବା ଲାଗି ସମାଜ ତାଙ୍କୁ ଆବଶ୍ୟକ ପରିବେଶ ଯୋଗାଉଛି । ତେଣୁ ବାହାରର ଖରା, ବର୍ଷା, ଶୀତ, କାକର ଏପରିକି ଝଡ଼ତୋଫାନ ସତ୍ତ୍ୱେ ତାଙ୍କର ସବୁକଥା ଠିକ୍‌ଠାକ୍‌ ହେବା ଦରକାର ବୋଲି ସେମାନେ ଧରିନେଇଛନ୍ତି ।

 

ସବୁ ପ୍ରଶାସକଙ୍କ ଭିତରେ ଯେ ଏହିଭଳି ଆତ୍ମକୈନ୍ଦ୍ରିକ, ଅହଙ୍କାରୀ ଏବଂ ସ୍ୱାର୍ଥପର ମାନସିକତା ରହିଛି ତାହା ଆମର ବକ୍ତବ୍ୟ ନୁହେଁ । କିଛି ଉଜ୍ଜ୍ୱଳ ଉଦାହରଣ ରହିଛି । କର୍ଣାଟକର ଏମ୍‌.ଏନ୍‌.ବିଜୟ କୁମାର ଓ ଆନ୍ଧ୍ରପ୍ରଦେଶର ରାଜୁନାରାୟଣ ସ୍ୱାମୀଙ୍କ ପରି ଅଫିସର, ଓଡ଼ିଶାରେ ମଧ୍ୟ ଅନେକ ଅଫିସର ଥିଲେ ଓ ଅଛନ୍ତି । ମାତ୍ର ସେମାନେ ଖୁବ୍‌ ବିରଳ । କିନ୍ତୁ ଅଧିକାଂଶ ଆଇ.ଏ.ଏସ୍‌ଙ୍କର ଦୃଷ୍ଟିଭଙ୍ଗୀର ପ୍ରାଥମିକତା ସାଧାରଣ ଲୋକଙ୍କ ସେବା ପାଖରୁ ଦୂରେଇ ଗଲାଣି-। ସେମାନେ ନିଜକୁ ସାଧାରଣ ଲୋକଙ୍କ ସମସ୍ୟା ସହ ସାମିଲ କରିବାକୁ ଚାହୁନାହାନ୍ତି । ସେମାନଙ୍କ ନିକଟକୁ ସାଧାରଣ ଲୋକ ଗଲେ ସେମାନେ ତାଙ୍କୁ ଘଉଡ଼େଇ ଦେଉଛନ୍ତି । ପ୍ରଶ୍ନ ଉଠିପାରେ ଅନ୍ୟ ସର୍ଭିସ୍‌ର ଅଫିସର ଯଥା ଡାକ୍ତର, ଇଂଜିନିୟର କି ପୁଲିସମାନେ କ’ଣ ସବୁ ଦେବଦୂତଙ୍କ ପରି କାମ କରୁଛନ୍ତି ? ଆଦୌ ନୁହେଁ । ପୁଲିସ୍‌ମାନଙ୍କ ସମ୍ପର୍କରେ ତ ଧାରଣା ସବୁଠାରୁ ଖରାପ ଓ ସେହି କାରଣରୁ ସାଧାରଣ ଲୋକଙ୍କର ଧାରଣା ଯେ ପ୍ରତି ଉଚ୍ଚଶିକ୍ଷିତ ମଣିଷ ଜଣେ ଜଣେ ସ୍ୱାର୍ଥପର । ସିଏ କେବଳ ନିଜ କ୍ୟାରିୟର, ନିଜ ପରିବାର ଏବଂ ନିଜ ବନ୍ଧୁବାନ୍ଧବ ଛଡ଼ା ଅନ୍ୟ କାହାର ସମସ୍ୟାକୁ ହୃଦୟ ଦେଇ ବୁଝିବାକୁ ଚାହାନ୍ତି ନାହିଁ । ତେବେ ଅନ୍ୟମାନଙ୍କୁ ଛାଡ଼ି ଏଠି ଆଇ.ଏ.ଏସ୍‌ ଅଫିସରଙ୍କ କଥା ଏଇଥିପାଇଁ କୁହାଯାଉଛି କାରଣ, ସମାଜ ଦୃଷ୍ଟିଭଙ୍ଗୀରେ ସେମାନେ ଏବେବି ଶ୍ରେଷ୍ଠ, ଏପରିକି ନ୍ୟାୟାଳୟ ଦୃଷ୍ଟିରେ ମଧ୍ୟ !

 

୧୮୫୭ ସିପାହୀ ବିଦ୍ରୋହ ପରେ ଭାରତ ଶାସନ ଦାୟିତ୍ୱ ଇଷ୍ଟ୍‌ ଇଣ୍ଡିଆ କଂପାନି ହାତରୁ ଇଂଲଣ୍ଡ ରାଜାଙ୍କ ହାତକୁ ହସ୍ତାନ୍ତର ପରେ ଇଣ୍ଡିଆନ୍‌ ସିଭିଲ ସର୍ଭିସ୍‌ ପ୍ରତିଷ୍ଠା ହୋଇଥିଲା । ୧୯୨୦ ପର୍ଯ୍ୟନ୍ତ ଏହି ପଦ କେବଳ ଗୋରା ସାହେବମାନଙ୍କ ପାଇଁ ସଂରକ୍ଷିତ ଥିଲା । ୧୯୨୦ରେ, ସମ୍ବିଧାନର ସଂଶୋଧନ ପରେ ଭାରତୀୟମାନେ ଏ ଚାକିରିରେ ପ୍ରବେଶ ଅଧିକାର ପାଇଲେ । ଭାରତର ସମ୍ବିଧାନ ଏଇ ବର୍ଗର ଅଫିସରମାନଙ୍କୁ ପ୍ରଚୁର ସୁବିଧା ଓ ସୁରକ୍ଷା ଦେଇଛି । ଯେତେବେଳେ ବ୍ରିଟିଶ୍‌ ଅମଳର ଆଇ.ସି.ଏସ୍‌ ଢାଞ୍ଚାରେ ଆଇ.ଏ.ଏସ୍‌ ଢାଞ୍ଚା ଗଢ଼ାଗଲା ସେତେବେଳେ କିଛି ମୁଖ୍ୟମନ୍ତ୍ରୀ ଏହାର ବିରୋଧ କରିଥିଲେ । ମାତ୍ର ସର୍ଦାର ବଲ୍ଲଭ ଭାଇ ପଟେଲ୍‌ ସିଭିଲ ସର୍ଭାଣ୍ଟମାନଙ୍କୁ ସାମ୍ବିଧାନିକ ସୁରକ୍ଷା ଦେବାରେ ସଫଳ ହୋଇଥିଲେ । ଏହି ଅଫିସରମାନେ ସ୍ୱାଧୀନତା, ନିରପେକ୍ଷତା ଓ ଭୟଶୂନ୍ୟତା ଭିତରେ ଲୋକଙ୍କ କାର୍ଯ୍ୟ କରିବେ - ଏଇ ଆଶା ରଖି ସମ୍ବିଧାନ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ଦେଇଥିଲା । ମାତ୍ର ସେ ସ୍ୱପ୍ନ ସଫଳ ହୋଇନାହିଁ । ଯେଉଁମାନେ ସାଧାରଣ ଲୋକଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟ ଯୋଗାଇଦେବା କଥା ସେମାନେ ଉତ୍ପୀଡ଼କ ଶାସକ ହୋଇପଡୁଛନ୍ତି ଓ ଅଧିକାଂଶ ସମୟରେ ଶଠ ରାଜନେତାଙ୍କ ମନ୍ତ୍ରଣାଦାତା ହୋଇ ସମାଜର କ୍ଷତି କରୁଛନ୍ତି ।

 

ଏସବୁ ଉଲ୍ଲେଖ କରିବାର କାରଣ ନୁହେଁ ଯେ ଶ୍ରୀ ଉପାଧ୍ୟାୟ ଏବଂ ତାଙ୍କର ବନ୍ଧୁମାନେ ଏହି ରାସ୍ତାରେ ଯିବେ । ଏହାକୁ ସେମାନେ ନିଶ୍ଚୟ ଭୁଲ୍‌ ପ୍ରମାଣିତ କରିବେ । ମାତ୍ର ସମାଜର ସାଧାରଣ ଲୋକମାନେ, ଏହି ପ୍ରକାର ହାକିମମାନଙ୍କର ସଫଳତାରେ ଉତ୍ସବ ପାଳନ କରି ସେମାନଙ୍କ ପାଖରୁ ଗୁଡ଼ିଏ ପ୍ରତ୍ୟାଶା ରଖିବାର କିଛି କାରଣ ନାହିଁ । ପ୍ରତ୍ୟାଶା ରହିଲେ ମୋହଭଙ୍ଗ ଘଟିବ ଏବଂ ତା’ର ପରିଣତି ଦୁଃଖଦାୟକ ହେବ ।

 

ସମ୍ବାଦ, ୧୩ ମେ, ୨୦୦୯

 

(ଏ ବହି ପ୍ରକାଶ ପାଇବା ପାଇଁ ଗଲା ବେଳକୁ ଖବରକାଗଜରୁ ପଢ଼ୁଛି, ୧୯୮୮ର ଆଇ.ଏ.ଏସ୍‌. ଟପ୍ପର ଶ୍ରୀଲକ୍ଷ୍ମୀ ଦୁର୍ନୀତି ଅଭିଯୋଗରେ ଜେଲ୍‌ ଯାଇ ପାରନ୍ତି । ସେ ଆନ୍ଧ୍ର ପ୍ରଦେଶର ଖଣି ଦୁର୍ନୀତିକୁ ପ୍ରୋତ୍ସାହନ ଦେଇଥିଲେ ।)

Image

 

ଦାୟୀ କିଏ ?

 

ନିଜର ଜଟିଳ ସମସ୍ୟାର ସରଳ ସମାଧାନ ଲାଗି କାହାକୁ ବଳି ପକାଇବା କିମ୍ବା ନିଜର ବିପଦ ଲାଗି କେହି ଗୁଣିଟୁଣି କରିଛି ଭାବି ଗୁଣିଆକୁ ମାରି ଦେବା ଭଳି ଖବର ଓଡ଼ିଶା ପାଇଁ ନୂଆ ନୁହେଁ । ବଳି ଘଟନାରେ ନିରୀହ ଓ ନାବାଳକ ଶିଶୁମାନେ ମରୁଥିବା ବେଳେ ଗୁଣିଆ କ୍ଷେତ୍ରରେ ବେଶି ମହିଳା, ନହେଲେ ବୁଢ଼ାବୁଢ଼ୀ । ଏମାନଙ୍କର ପ୍ରତିରୋଧ କରିବାର ସାମର୍ଥ୍ୟ ନ ଥିବାରୁ ସେମାନେ ବେଶି ନିର୍ଯାତନା ଭୋଗନ୍ତି । ନିୟମିତ ବ୍ୟବଧାନରେ ଏଭଳି ଘଟନା ଘଟୁଛି ଓ କିଛି ଦିନ ଲାଗି ଚର୍ଚ୍ଚାର ବଳୟରେ ରହି ତାହା ପୁଣି ହଜି ଯାଉଛି । ଯେଉଁ ପରିବାରଟି କ୍ଷତିଗ୍ରସ୍ତ ହେଉଛି ତାହାକୁ ଛାଡ଼ି ଆଉ କେହି ଏ ପ୍ରକାର ଅନ୍ଧବିଶ୍ୱାସର ଭୟାବହତାକୁ ମନେ ରଖୁନାହାନ୍ତି । କାରଣ, ଏପ୍ରକାର ଘଟନାରେ ଯେଉଁମାନେ ସଂପୃକ୍ତ ସେମାନେ ସମାଜର ବିଶିଷ୍ଟ ବର୍ଗ ନୁହନ୍ତି । ଗୋଟିଏ ହିସାବରୁ ଜଣାପଡ଼ିଛି ଯେ ମୟୂରଭଂଜ, ସୁନ୍ଦରଗଡ଼, ଗଂଜାମ ଏବଂ କେନ୍ଦୁଝର ପରି ଜିଲ୍ଲାରେ ମିଶି ପ୍ରତି ବର୍ଷ ଅନ୍ୟୁନ ୮୦ ଜଣ କେବଳ ଏହି ଅନ୍ଧବିଶ୍ୱାସର ବେଦିରେ ବଳି ପଡୁଛନ୍ତି ।

 

ଓଡ଼ିଶାରେ ଘଟୁଥିବା ଏ ପ୍ରକାର ଘଟନା ଯେଉଁ ଦରିଦ୍ର ଏବଂ ପଛୁଆ ଅଞ୍ଚଳରେ ଦେଖା ଦେଉଛି, ସେଠାରେ ଦାରିଦ୍ର୍ୟର ଚେହେରା ଭୟଙ୍କର । ତା ସାଙ୍ଗକୁ ଶିକ୍ଷା ଓ ସ୍ୱାସ୍ଥ୍ୟର ଅବହେଳା ସ୍ପଷ୍ଟ ବିଦ୍ୟମାନ । ଏ କଥା କହିବାର ଉଦ୍ଦେଶ୍ୟ ନୁହେଁ ଯେ ଶିକ୍ଷିତ ଓ ସ୍ୱଚ୍ଛଳ ସମାଜରେ ବଳି ବା ଗୁଣିଆ ବ୍ୟବସ୍ଥା ଉପରେ ଭରସା ନାହିଁ । ବରଂ ଏହାର ମୂଳ ଜଡ଼ ଆମ ସମାଜର ବିଶ୍ୱାସ ଓ ପରମ୍ପରାରେ ରହିଛି ଏବଂ ବହୁ ଶିକ୍ଷିତ ଓ ସ୍ୱଚ୍ଛଳ ଲୋକଙ୍କର ଏହା ଉପରେ ଭରସା ରହିଥିବା ଜଣାଶୁଣା । ଯଦି ପର୍ବପର୍ବାଣି ଦିନମାନଙ୍କରେ ଦେବୀ ମନ୍ଦିରରେ କୁକୁଡ଼ା, ଛେଳି କି ପୋଢ଼ ବଳି ଦେଲେ ଅଭୀଷ୍ଟ ପୂରଣ ହେଉଛି, ତାହାହେଲେ ଅମାବାସ୍ୟା କି ସେମିତି ସନ୍ଧି ତିଥିରେ ମଣିଷ ବଳି ଦେଲେ ଅସମ୍ଭବ ସମ୍ଭବ ହେବ- ଏହା ହେଉଛି ଅନ୍ଧବିଶ୍ୱାସୀଙ୍କ ଯୁକ୍ତି । ମାତ୍ର ଅର୍ଥନୈତିକ ପଛୁଆପଣ ସହ ଅନ୍ଧବିଶ୍ୱାସର ନିବିଡ଼ ସମ୍ପର୍କ ରହିଛି । ଦୁଃଖର କଥା ବଳି-ଡାଆଣି ଭଳି ଅନ୍ଧବିଶ୍ୱାସ ବିରୋଧରେ ଯେଉଁଭଳି ପଦକ୍ଷେପ ନିଆଯିବା କଥା ସେପରି ଆଦୌ ନିଆଯାଉ ନାହିଁ-। ସରକାର କିମ୍ବା ସ୍ୱେଚ୍ଛାସେବୀ ସଂସ୍ଥା ଏହାକୁ ସେମାନଙ୍କ କାର୍ଯ୍ୟକ୍ରମରେ ଯେଉଁଭଳି ପ୍ରାଥମିକତା ଦେବା କଥା ଦେଉ ନାହାନ୍ତି । ସେଥିପାଇଁ ଆମେ ଓ ଆମ ସରକାର ଦୋଷୀ ।

 

ଗତ ମାସ ୮ ତାରିଖରେ କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକ ଏଲକଣିଆ ଗାଁର ପାଞ୍ଚ ବର୍ଷର ଝିଅ ରଶ୍ମିତାକୁ ଅପହରଣ କରି ନିଆଯାଇ ବଳି ପକେଇ ଦିଆଗଲା । ନଞ୍ଜିପଦା ଥାନାର ଅଧିକାରୀ ଠିକଣା ସମୟରେ ପଦକ୍ଷେପ ନେଇଥିଲେ ପିଲାଟି ଘରକୁ ଫେରି ଆସିଥାନ୍ତା ବୋଲି ସେ ଅଞ୍ଚଳର ସମସ୍ତେ କହୁଛନ୍ତି । ମାତ୍ର ପୁଲିସ କିଛି ପଦକ୍ଷେପ ନେଲା ନାହିଁ । କାହିଁକି ନେଲା ନାହିଁ ତାହା ଏକ ଅସ୍ୱସ୍ତିକର ପ୍ରଶ୍ନ । ସେ ଅଞ୍ଚଳର ଜଣେ ଲୋକ କୁଆଁରି କନ୍ୟା ବଳି ଦେଲେ ଅମାପ ଧନସମ୍ପତ୍ତିର ଅଧିକାରୀ ହେବ ବୋଲି ଭାବି ଗୋଟିଏ ଗୁଣିଆ ଡକାଇ ପୂଜାପାଠ କରିଥିଲା ଓ ସେହି ପୂଜାପାଠରେ ବଳି ପଡ଼ିଗଲା ବିଚାରି ପାଞ୍ଚ ବର୍ଷର ରଶ୍ମିତା । ଏହି ନିର୍ଦ୍ଦିଷ୍ଟ ଘଟନାରେ ସରକାରଙ୍କ ପୁଲିସ ବିଭାଗ ଦାୟୀ । ଭଣ୍ଡ ଗୁଣିଆଟି ଏ ପର୍ଯ୍ୟନ୍ତ ଧରା ପଡ଼ିଲାଣି କି ନାହିଁ ଜଣାପଡ଼ି ନାହିଁ ।

 

ଏହି ଘଟନାରେ ପିଲାଟି ବଳି ପଡ଼ିବା ଓ ତା’ର ବାପ-ମା’ ଅପୂରଣୀୟ କ୍ଷତି ସହିଥିବା ବେଳେ ଆଉ କେତେକ ଘଟନାରେ ନିରୀହ ଲୋକ ନିର୍ଯାତିତ ହେଉଛନ୍ତି । ପ୍ରତିବର୍ଷ ଗଞ୍ଜାମ ଜିଲ୍ଲା ରଂଜନପଲ୍ଲି ଗାଁର କିଛି ଲୋକଙ୍କୁ ଗୁଣିଆ ସନ୍ଦେହରେ ଅକଥନୀୟ ନିର୍ଯାତନା ଦିଆଯାଉଛି । ଅକଥନୀୟ କେବଳ କହିଲେ ନିର୍ଯାତନାଟି ଭଲ ଭାବେ ବୁଝି ହେବ ନାହିଁ । ସେ ଲୋକମାନଙ୍କୁ ବାନ୍ଧି ନିର୍ଦୟ ଭାବରେ ପିଟାଯାଉଛି, ତାଙ୍କ ପାଟିରେ ବିଷ୍ଠା ଭର୍ତି କରି ଦିଆଯାଉଛି, ବେକରେ ଜୋତାମାଳ ପକେଇ ବୁଲାଯାଉଛି । କାରଣ କିଛି ଲୋକ ଭାବୁଛନ୍ତି ଯେ ଏହି ଲୋକଙ୍କ ପାଇଁ ସେମାନଙ୍କ ପିଲାଏ ବେମାର ପଡୁଛନ୍ତି । ଗାଁ ପାଖରେ ଚିକିତ୍ସା ସୁବିଧା ନଥିବାରୁ ରୋଗରେ ପଡ଼ି କାହାର ଛୁଆ ମରିଗଲେ ତା ବାପ-ମାଆଙ୍କର ରାଗ ଯାଇ କେନ୍ଦ୍ରୀଭୂତ ହେଉଛି ଏହି ତଥାକଥିତ ଗୁଣିଆ ପରିବାର ଉପରେ । ମଣିଷର ସ୍ୱଭାବ ଏମିତି ଯେ ସେ ତା’ର ବିପର୍ଯ୍ୟୟ ଲାଗି କାହାକୁ ନା କାହାକୁ ଦାୟୀ କରିବ; ସେ ଦେବତା ହେଉ କି ଗୁଣିଆ । ଦେବତା ହୋଇଥିଲେ ତାଙ୍କୁ ଭୋଗ ବା ବଳି ଦେବ, ଗୁଣିଆ ହୋଇଥିଲେ ପ୍ରାଣଦଣ୍ଡ । ଅଥଚ ଏ ଉଭୟ ମଣିଷର ଅନ୍ଧବିଶ୍ୱାସରୁ ଜନ୍ମ । ଗତ ଜୁନ୍‌ ୯ ତାରିଖରେ ଗୁଣିଗାରେଡ଼ି କରିଥିବା ସନ୍ଦେହରେ ଏହି ପରିବାରର ଲୋକଙ୍କ ଉପରେ ଅତ୍ୟାଚାର କରାଯିବା ସହ ୮୦ ହଜାର ଟଙ୍କା ଜୋରିମାନା କରାଯାଇଥିଲା । ମାତ୍ର ଗରିବ ଲୋକମାନେ ତାହା ନ ଦେଇ ପାରିବାରୁ ବାଧ୍ୟ ହୋଇ ଗାଁ ଛାଡ଼ି ପଳାଇ ଯାଇଥିଲେ ।

 

ସେମିତି ଗତ ମାସ ୧୭ ତାରିଖରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନାର ଗୁରୁତୁହାଁ ଗାଁରେ ଗୁଣିଆ ସନ୍ଦେହରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା । ସେମାନେ ହେଲେ ଘାସି ମାଝୀ, ତା ସ୍ତ୍ରୀ ଗୀତା ମାଝୀ ଓ ସେମାନଙ୍କ ପୁଅ ସୋରେନ ମାଝୀ । ଗୋଟିଏ ପରିବାରର ବାପ-ମା’-ପୁଅ ସମସ୍ତଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କରାଯାଇଛି । ଅଭିଯୋଗ, ଏମାନେ ସେ ଗାଁର ଗୋଟିଏ ଝିଅକୁ ଗୁଣି କରି ମାରି ଦେଇଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ଏ ଧରଣର ଘଟନା ବେଶି ଘଟେ । ଦୁଇ ବର୍ଷ ତଳେ, ରାଉରକେଲା ନିକଟରେ ଗୋଟିଏ ବସ୍ତିର ବାସିନ୍ଦା ତିନି ଜଣ ମହିଳା (ଝାଲ ଭେଙ୍ଗ୍ରା, ମୁନି ଭଦ୍ର ଓ ରାଣୀ ବିରୁଆ)ଙ୍କୁ ଭାତ ନିଦରୁ ଉଠେଇ ଆଣି ପିଟି ପିଟି ହତ୍ୟା କରାଯାଇଥିବା ଖବରକାଗଜରେ ବାହାରି ଥିଲା । ମୁନି ଉପରେ ବଳାତ୍କାର କରାଯାଇଥିଲା ଓ ପରେ ତା ଦେହରେ କିରାସିନି ଢାଳି ତାକୁ ରେଳ ଲାଇନ ଉପରେ ନେଇ ପକେଇ ଦିଆଯାଇଥିଲା-। ୨୦୦୫ ସେପ୍‌ଟେମ୍ବର ଶେଷ ସପ୍ତାହରେ ସେମିତି ମୟୂରଭଞ୍ଜ ଜିଲ୍ଲା ଜାଡ଼ିଧାର ଗାଁର ଗୋଟିଏ ଦମ୍ପତିକୁ ହତ୍ୟା କରାଯାଇଥିଲା । ଦି’ ବର୍ଷ ତଳେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଞ୍ଚଳର ଜଣେ ମହିଳାଙ୍କୁ ଡାଆଣି ସନ୍ଦେହରେ ନିର୍ଯାତିତ କରାଯାଇ ତା’ର ଛାମୁଦାନ୍ତ ଉପାଡ଼ି (କାଳେ ସେଇ ଦାନ୍ତ ଲଗେଇ ସେ ସମସ୍ତଙ୍କ ରକ୍ତ ଶୋଷିନେଇ ଯାଉଥିବ !) ତାକୁ ଗାଁରୁ ତଡ଼ି ଦିଆଯାଇଥିଲା । ଏଭଳି ଉଦାହରଣ ଦେଇ ବସିଲେ ଏ ତାଲିକା ଦୀର୍ଘ ହୋଇ ଚାଲିଥିବ । ପୁଣି ଏସବୁ ତାଲିକା, ଖବରକାଗଜରେ ପ୍ରକାଶିତ ତଥ୍ୟ ଉପରେ ପର୍ଯ୍ୟବେସିତ ତାଲିକା । ଏହା ବାହାରେ ଏଭଳି ଅନେକ ଘଟନା ଅଜ୍ଞାତ ରହି ଯାଉଥିବା ଅସ୍ୱାଭାବିକ ନୁହେଁ ।

 

ଏହିସବୁ ଘଟନାର ପୃଷ୍ଠଭୂମିକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ ବ୍ୟାଧି ଓ ଦାରିଦ୍ର୍ୟ ହିଁ ଏଭଳି ଅନ୍ଧବିଶ୍ୱାସର ମୂଳ କାରଣ । ସଚେତନତାର ଅଭାବ ସାଙ୍ଗକୁ ଏଥିପାଇଁ ବେଶି ଦାୟୀ ହେଉଛି ଆମ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା । ଗୋଟିଏ ଉଦାହରଣ ଦିଆଯାଉ । ଆନ୍ଧ୍ର ଓ ଓଡ଼ିଶା ସୀମାରେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକରେ ଆଜିକୁ ତିନି ବର୍ଷ ହେବ କୌଣସି ଡାକ୍ତର ନାହାନ୍ତି । ତିନି ବର୍ଷ ତଳେ ଏହି ଡାକ୍ତରଖାନାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନୀତ ହୋଇଥିଲା । ମାତ୍ର ସେହିଦିନ ଠାରୁ ଏଠାରେ କେହି ଡାକ୍ତର ନାହାନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ୫ଟି ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ସେଗୁଡ଼ିକରେ ମଧ୍ୟ କୌଣସି ଡାକ୍ତର ନାହାନ୍ତି-। ଏଭଳି କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର କେହି ବେମାର ପଡ଼ିଲେ ସେ ଗୁଣିଆ ବା ଭଣ୍ଡ ଡାକ୍ତର ପାଖକୁ ନ ଯାଇ କୁଆଡ଼େ ଯିବ ! ପ୍ରସଙ୍ଗକ୍ରମେ ଉଲ୍ଲେଖ କରାଯାଇପାରେ ଯେ ଏହି ଲେଖକ କିଛିଦିନ ତଳେ ଜନନୀ ସୁରକ୍ଷା ଯୋଜନା ସମ୍ପର୍କୀୟ ଦିଇଟି ଟି.ଭି କାର୍ଯ୍ୟକ୍ରମରେ ଭାଗ ନେଇଥିଲା-। ସେଥିରେ ଭାଗ ନେବା ଲାଗି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଶହେ ପାଖାପାଖି ପୁରୁଷ, ମହିଳା ଆସିଥିଲେ । ସେମାନେ ସେଠାରେ ନିଜ ନିଜ ଅଞ୍ଚଳରେ ଥିବା ଡାକ୍ତରଖାନାର ଯେଉଁ ଚିତ୍ର ଦେଲେ ତାହା ଉପସ୍ଥିତ ମନ୍ତ୍ରୀ ଓ ଅଫିସର ମାନଙ୍କୁ ଅସ୍ୱସ୍ତିରେ ପକାଇ ଦେଇଥିଲା । ସେମାନଙ୍କ ପ୍ରଶ୍ନରୁ ହିଁ ଜଣା ପଡୁଥିଲା ଯେ ଆମ ଶାସନ ବ୍ୟବସ୍ଥା କିଭଳି ଉଦାସୀନ ଏବଂ ଦୂରଦୃଷ୍ଟିହୀନ । ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଯେଉଁଠି ଡାକ୍ତର ଅଛନ୍ତି, ସେଠାରେ ପଇସା ନ ଦେଲେ ଗରିବ ଲୋକଙ୍କୁ ଦେଖାଯାଉ ନାହିଁ । ରାତିରେ ଡାକ୍ତରଖାନା ଯିବାକୁ ପଡୁଥିବା ରୋଗୀ ମାନଙ୍କର ସମସ୍ୟା କହିଲେ ନ ସରେ । ଗତ ୧୦ ତାରିଖରେ ଜଗତସିଂହପୁର କୁଜଙ୍ଗ ଡାକ୍ତରଖାନାରେ ଏହି ପ୍ରକାର କରୁଣ ଘଟନାଟିଏ ଘଟିଛି । ସେଦିନ ଗନ୍ଧର୍ବ ସେଠୀ ତାଙ୍କର ସ୍ତ୍ରୀ ରଂଜୁ ସେଠୀଙ୍କୁ ଧରି ଡାକ୍ତରଖାନାକୁ ଆସିଥିଲେ । ଡାକ୍ତର ପ୍ରଥମେ ତାଙ୍କୁ ଅଲ୍‌ଟ୍ରାସାଉଣ୍ଡ୍‌ ପାଇଁ ରାହାମା ପଠାଇଲେ । ପାଞ୍ଚ କିଲୋମିଟର ଯାଇ ଓ ପାଞ୍ଚ ଶହ ଟଙ୍କା ଖର୍ଚ କରି ଫେରିଲା ପରେ ପ୍ରସବ କରାଇବା ଲାଗି ଡାକ୍ତର ଆଉ ୨ ହଜାର ଟଙ୍କା ମାଗିଲେ । ମାତ୍ର ଏତେ ପଇସା ଗନ୍ଧର୍ବ ପାଖରେ ନଥିଲା । ତେଣୁ ଡାକ୍ତର ତାକୁ ଆଡମିଟ୍‌ କଲେ ନାହିଁ । ଏଣେ ରଂଜୁଙ୍କର ବିକଳ ଅବସ୍ଥା । ସେ ଡାକ୍ତରଖାନା ଠାରୁ କିଛି ଦୂର ଗୋଟିଏ ଗଛମୂଳେ ଯାଇ ବସି ପଡ଼ିଲେ । ସେଇ ଗଛ ମୂଳେ ଖୋଲା ପଡ଼ିଆ ଠାରେ ହିଁ ପିଲାଟିଏ ପ୍ରସବ କଲେ ରଂଜୁ । ଏ ହେଉଛି ଉପକୂଳ ଓଡ଼ିଶାର ଜନନୀ ସୁରକ୍ଷା ଯୋଜନା । କୋରାପୁଟ ଓ ମାଲକାନଗିରିର ଅବସ୍ଥା କ’ଣ ତାହା ଚିନ୍ତା କରାଯାଇ ପାରିବ ନାହିଁ । ଅନେକ ଡାକ୍ତରଖାନା ଯାଇ ଏହି ସମ୍ବାଦିକ ଦେଖିଛି । କେଉଁଠି କେବଳ ହାଜିରା ପକେଇ ଡାକ୍ତର ଚାଲି ଗଲେଣି ତ କେଉଁଠି ଡାକ୍ତର ଆଦୌ ନାହାନ୍ତି ।

 

ପୁଣି ଥରେ ଗୁଣିଆ ପ୍ରସଙ୍ଗକୁ ଫେରୁଛି । ଓଡ଼ିଶାର ସ୍ୱାସ୍ଥ୍ୟସେବା ଅବସ୍ଥା ଯାହା, ତହିଁରେ ଉନ୍ନତି ଅଣା ନ ଗଲେ ୨୦୨୬ ବେଳକୁ ଏ ରାଜ୍ୟ ଶିଶୁ ମୃତ୍ୟୁ ହାରରେ ସବୁଠାରୁ ଆଗରେ ଥିବ । ଏ ଦୁର୍ଦଶାରେ ରାଜଧାନୀର ବିଧାୟକ, ମନ୍ତ୍ରୀ, ସଚିବ କି ବଡ଼ ବାବୁମାନେ ପଡୁନଥିବାରୁ ସେମାନେ ତା’ର ଭୟାବହତା ଚିନ୍ତା କରିପାରୁ ନାହାନ୍ତି । ମାତ୍ର ଏଭଳି ପରିସ୍ଥିତିରେ ଗରିବ ଓ ଅସହାୟ ଲୋକ ଗୁଣିଆ ଓ ମିଛ ଡାକ୍ତରମାନଙ୍କ ପାଖକୁ ନଯାଇ ଯିବେ କୁଆଡ଼େ ? ସେମାନେ ତ ଚୁପ୍‌ଚାପ୍‌ ବସି ସେମାନଙ୍କ ପିଲାର ମରଣ ଦେଖି ପାରିବେ ନାହିଁ ! ଅଥଚ ମିଛ ଡାକ୍ତର ବା ଗୁଣିଆଙ୍କ ପାଖକୁ ଯାଉଥିବା ରୋଗୀ ମରନ୍ତି ବେଶି, ବଞ୍ଚନ୍ତି କମ୍‌ । ମ୍ୟାଲେରିଆ, କଳାଜ୍ୱର, ଯକ୍ଷ୍ମା କି ଝାଡ଼ାବାନ୍ତି ରୋଗୀ କେବଳ ଝଡ଼ାଫୁଙ୍କାରେ ଭଲ ହେବା ଅସମ୍ଭବ ।

 

ପ୍ରତିବର୍ଷ ଗୁଣିଆ ସନ୍ଦେହରେ ବଳି ପଡ଼ିବା ଭଳି ଭୟଙ୍କର ଘଟନାରେ ଶତାଧିକ ଲୋକ ମରୁଥିବା ଓଡ଼ିଶା କେବେହେଲେ ଏକବିଂଶ ଶତାବ୍ଦୀର ଓଡ଼ିଶା ନୁହେଁ । ଶିକ୍ଷା ଓ ସ୍ୱାସ୍ଥ୍ୟ ନାଁରେ ସବୁଠାରୁ ଅଧିକା ଟଙ୍କା ଆସୁଛି । ମାତ୍ର ସେ ଦୁଇଟି କ୍ଷେତ୍ର ସବୁଠାରୁ ଅବହେଳିତ । ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡୁଥିବା ପ୍ରତିଟି ବ୍ୟକ୍ତି ପାଇଁ ସରକାର ଦାୟୀ ରହିବା ଉଚିତ । ସେମିତି ଗୁଣିଆ ସନ୍ଦେହରେ ପ୍ରାଣ ହରଉଥିବା ପ୍ରତିଟି ମୃତ୍ୟୁ ପାଇଁ ମଧ୍ୟ କେହି ନା କେହି ଉତ୍ତରଦାୟୀ ରହିବା ଦରକାର । ଏ ମାରାତ୍ମକ ଅନ୍ଧବିଶ୍ୱାସକୁ କିଭଳି ଦୂର କରାଯିବ, ସେ ବିଷୟରେ ସରକାର ଆଜି ପର୍ଯ୍ୟନ୍ତ ଆଦୌ ଧ୍ୟାନ ଦେଇନାହାନ୍ତି । ଏବେ ଠାରୁ ତା’ ପାଇଁ କିଛି ନିର୍ଦ୍ଦିଷ୍ଟ ଉପାୟ ସ୍ଥିର କରନ୍ତୁ ।

ସମ୍ବାଦ, ୧୭ ଜୁଲାଇ, ୨୦୦୭

Image

 

ପ୍ୟାରୀବାବୁ ଓ ଇତିହାସର ବିଭ୍ରାନ୍ତୀକରଣ

 

୨୦୦୮ ଜୁଲାଇ ୩୦ ତାରିଖରେ, ଭୁବନେଶ୍ୱରଠାରେ ଅନୁଷ୍ଠିତ ବିଜୁ ଯୁବ ଛାତ୍ର ଜନତାର ବିକାଶ ସମାବେଶରେ ଉଦ୍‌ବୋଧନ ଦେଇ ରାଜ୍ୟସଭା ସଦସ୍ୟ ତଥା ବିଜୁ ଜନତା ଦଳର ତୁଙ୍ଗ ନେତା ଶ୍ରୀ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ଯେ ବିଜୁବାବୁଙ୍କ ସମୟରେ ରାଉରକେଲା ଇସ୍ପାତ କାରଖାନା ହୋଇ ନଥିବା କଥା କେତେକ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଥିଲା ତାହା ମିଛ ବୋଲି ପ୍ରମାଣିତ ହୋଇଛି । ବିଜୁବାବୁ ତାଙ୍କ ଶାସନ ସମୟରେ ଜର୍ମାନ ଯାଇ ସେଠାରେ ରହୁଥିବା ତାଙ୍କର ସାଥୀ ଜନ୍‌ କୁକ୍‌ସଙ୍କ ସହ ପରାମର୍ଶ କରି ଏଭଳି ଇସ୍ପାତ କାରଖାନା ପରିକଳ୍ପନା କରିଥିଲେ । ତାଙ୍କରି ସମୟରେ ହିଁ ରାଉରକେଲାରେ ଏଇ କାରଖାନା ପ୍ରତିଷ୍ଠା ହୋଇଥିଲା । (ଓଡ଼ିଶା ଭାସ୍କର, ୩ ଜୁଲାଇ ୨୦୦୮, ୧ମ ପୃଷ୍ଠା) ।

 

ଏକଥା ସତ ଯେ ବିଜୁବାବୁ ଓଡ଼ିଶାର ସବୁଠାରୁ ଡେଙ୍ଗା ଜନନେତା ଥିଲେ ଏବଂ ତାଙ୍କ ସମୟରେ ଅନେକ ବଡ଼କାମ ହୋଇଛି । ମାତ୍ର ତା ସତ୍ତ୍ୱେ ନା ଏ ରାଜ୍ୟର ପ୍ରଥମ ଇସ୍ପାତ କାରଖାନା ନା ଦ୍ୱିତୀୟ ଇସ୍ପାତ କାରଖାନା (ଯଦି ନୀଳାଚଳ ଇସ୍ପାତ କାରଖାନାକୁ ସେଭଳି ମାନ୍ୟତା ଦିଆଯାଏ); କୌଣସିଟି ତାଙ୍କ ସମୟରେ ସମ୍ଭବ ହୋଇ ନଥିଲା । ପ୍ରଥମ ଇସ୍ପାତ କାରଖାନା ପ୍ରତିଷ୍ଠା ବେଳକୁ ସେ ମୁଖ୍ୟମନ୍ତ୍ରୀ ହୋଇ ନଥିଲେ ଏବଂ ନୀଳାଚଳ ଇସ୍ପାତ ନିଗମ ପ୍ରତିଷ୍ଠା ହେବାବେଳକୁ ସେ ପୃଥିବୀରୁ ବାହୁଡ଼ି ଯାଇ ସାରିଥିଲେ ।

 

ଶ୍ରୀ ପ୍ୟାରୀମୋହନ ମହାପାତ୍ର ଯେ ଏସବୁ ତଥ୍ୟ ନଜାଣି ବିଜେଡି ସଭାରେ କହିଛନ୍ତି ତାହା ଆମେ ବିଶ୍ୱାସ କରିପାରୁ ନାହୁଁ । ଏ ପ୍ରସଙ୍ଗରେ ଶ୍ରୀ ନୀଳମଣି ରାଉତରାୟ ତାଙ୍କ ଜୀବନସ୍ମୃତି ‘ସ୍ମୃତି ଓ ଅନୁଭୂତି’ରେ ଲେଖିଥିବା ଦିଇଟି ବାକ୍ୟ ଉଦ୍ଧାର କରାଯାଇପାରେ । ଡ. ମହତାବ ଥରେ ନୀଳମଣି ରାଉତରାୟଙ୍କୁ କହିଥିଲେ, ‘ଲୋକମାନଙ୍କର ସ୍ମରଣଶକ୍ତି ଖୁବ୍‌ କମ୍‌ ଓ ତାହାର ସୁଯୋଗ ନେଇ ଗୋଟିଏ ମିଛ କଥାକୁ ବାରମ୍ବାର କୁହାଗଲେ ଏବଂ ଖବରକାଗଜରେ ଲେଖାଗଲେ ତାହା ସତ୍ୟରେ ପରିଣତ ହୋଇଯାଏ ।’ ଆମ ବିଚାରରେ ଶ୍ରୀ ମହାପାତ୍ର ମହତାବଙ୍କର ଏହି ମତ ଦ୍ୱାରା ଅଧିକ ଉଦ୍‌ବୁଦ୍ଧ ।

 

ଅନ୍ୟ ଅନେକଙ୍କ ପରି ବହୁଦିନ ପର୍ଯ୍ୟନ୍ତ ଏହି ଲେଖକର ମଧ୍ୟ ଧାରଣା ଥିଲା ଯେ ବିଜୁବାବୁ ହିଁ ରାଉରକେଲା ଇସ୍ପାତ କାରଖାନା ବସେଇ ଥିଲେ । ତା’ର କାରଣ ହେଲା ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ଅମଳରେ ଏହି କାରଖାନା ବସିଥିଲେ ସୁଦ୍ଧା ଶ୍ରୀ ଚୌଧୁରୀ, ତାଙ୍କ ପରିବାର କିମ୍ବା ତାଙ୍କର କର୍ମୀ କେହି କେବେ ଏଥିରୁ ସାବାସି ନେବାକୁ ଉଦ୍ୟମ କରିନାହାନ୍ତି-। ଏ ସଂକ୍ରାନ୍ତରେ ବିଖ୍ୟାତ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ (ପୁନା ଇଣ୍ଡିଆନ ସ୍କୁଲ୍‌ ଅଫ୍‌ ପଲିଟିକାଲ ଇକନମିର ଅନରାରି ଫେଲୋ)ଙ୍କ ମତ ଉଦ୍ଧାର କରାଯାଇପାରେ । ପ୍ରଫେସର ରଥ ସ୍ପଷ୍ଟ ଭାଷାରେ ଲେଖିଛନ୍ତି Rourkela Steel Plant, the first steel plant in the public sector in India, was decided to be located where it is now, in 1954. At that time Nabakrushna Choudhury was the Chief Minister of Orissa. The German expert group (the Germans were the collaborators for this steel plant) after examining various sites in different states, submitted a report in which they had listed the various sites in different states, in descending order of stability for the location of the steel plant. The present site of Rourkela in Orissa was at the top.

 

ପ୍ରଫେସର ରଥ ପୁଣି ଲେଖିଛନ୍ତି ଯେ ଜର୍ମାନ ବିଶେଷଜ୍ଞମାନେ ଯେଉଁ ଅଞ୍ଚଳଗୁଡ଼ିକର ତାଲିକା ଦେଇଥିଲେ ସେଇ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଦିଲ୍ଲୀର ଏକ ବୈଠକକୁ ଡକେଇଥିଲେ । ପଶ୍ଚିମବଙ୍ଗ, ବିହାର, ସେଣ୍ଟ୍ରାଲ ପ୍ରଭିନ୍‌ସ ଏବଂ ବେରାର ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏଇ ବୈଠକରେ ଯୋଗ ଦେଇଥିବାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏଥିରେ ଯୋଗ ଦେବା ଲାଗି ତାଙ୍କ ଅର୍ଥମନ୍ତ୍ରୀଙ୍କୁ ପଠେଇଥିଲେ (ବିଜୁ ପଟ୍ଟନାୟକ ନୁହନ୍ତି) । ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମୟରେ ହିଁ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇଥିଲା ।

 

ମୁଖ୍ୟମନ୍ତ୍ରୀ ପଦରୁ ଶ୍ରୀ ନବକୃଷ୍ଣ ଚୌଧୁରୀ ଇସ୍ତଫା ଦେବାପରେ ଡଃ ହରେକୃଷ୍ଣ ମହତାବ ବମ୍ବେରୁ ଆସି ପୁଣି ମୁଖ୍ୟମନ୍ତ୍ରୀ ହେଲେ । ସେ ୧୯ ଅକ୍ଟୋବର ୧୯୫୬ରୁ ୨୨ ମେ ୧୯୫୯ ଓ ତା’ପରେ ୨୪ ଫେବ୍ରୁଆରି ୧୯୬୧ ପର୍ଯ୍ୟନ୍ତ (ମିଳିତ ମନ୍ତ୍ରୀମଣ୍ଡଳ) ମୁଖ୍ୟମନ୍ତ୍ରୀ ରହିଲେ । ୧୯୬୧ ଜୁନ୍‌ ୨୩ ତାରିଖରେ ବିଜୁବାବୁ ଓଡ଼ିଶାର ପଞ୍ଚମ ବିଧାନସଭାର ନେତା ବା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ସେତେବେଳକୁ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇ ଉତ୍ପାଦନ ଆରମ୍ଭ କରି ସାରିଥିଲା । ବିଜୁବାବୁ ମାତ୍ର ଅଢ଼େଇବର୍ଷ କ୍ଷମତାରେ ରହି ୧୯୬୩ ଅକ୍ଟୋବରରେ କାମରାଜ ଯୋଜନାରେ ଇସ୍ତଫା ଦେଲେ ।

 

କେବଳ ପ୍ରଫେସର ନୀଳକଣ୍ଠ ରଥ ନୁହନ୍ତି, ଓଡ଼ିଶା ଷ୍ଟେଟ୍‌ ଗେଜେଟିୟର (Vol-I, Ed, N.C. Behuria, Page-240)ରେ ମଧ୍ୟ ଏହି ତଥ୍ୟ ଉଲ୍ଲେଖ ରହିଛି । ଶ୍ରୀ ପ୍ୟାରୀମୋହନ ମହାପାତ୍ର ଦୀର୍ଘକାଳ ଭାରତୀୟ ପ୍ରଶାସନିକ ସେବାର ସଦସ୍ୟ ଥିଲେ । ତେଣୁ ଷ୍ଟେଟ୍‌ ଗେଜେଟିୟର ସେ ଅବଶ୍ୟ ପଢ଼ିଥିବେ । ଏଥିରେ ଉଲ୍ଲେଖ ଅଛି ଯେ ‘‘Nabakrushna Choudhury headed the second ministry in Orissa after the induction of Dr.Harekrushna Mahatab to the Central Cabinet. x x It was a crucial period for reorienting independent India’s economic and administrative structure by the introduction of the first five-year plan (1952-56). Construction of the Multi-purpose Hirakud Dam Project, Machhkund Hydro Electric Project and Rourkela Steel Plant were almost completed during this ministry, thus paving the way for the future economic developement of Orissa.

 

ରାଉରକେଲା ଇସ୍ପାତ କାରଖାନା ୧୯୫୩-୫୪ରେ ପ୍ରତିଷ୍ଠା ହୋଇଥିବାବେଳେ, ତା’ର ଦୀର୍ଘ ୮ ବର୍ଷ ପରେ, ୧୯୬୧ରେ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୁବାବୁ କିଭଳି ତାହା ପ୍ରତିଷ୍ଠା କରିଥିଲେ ବୋଲି ପ୍ୟାରୀବାବୁ କହୁଛନ୍ତି ? ଏହା ଇତିହାସର ବିଭ୍ରାନ୍ତୀକରଣ ନୁହେଁ କି ? ୧୯୫୨ରେ ବିଜୁବାବୁ ଭଂଜନଗର ନିର୍ବାଚିତ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଓ ଜଣେ ସାଧାରଣ ବିଧାୟକ ଥିଲେ । ଅବଶ୍ୟ ସେ ଚୌଧୁରୀ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ, ମାତ୍ର ସେଥିରେ ସେ ସଫଳ ହୋଇପାରି ନଥିଲେ । ବିଜୁବାବୁଙ୍କର ଘନିଷ୍ଠ ସହଯୋଗୀ ଶ୍ରୀ ନୀଳମଣି ରାଉତରାୟ ଲେଖିଛନ୍ତି ‘‘ନିର୍ବାଚନ ଫଳାଫଳ ଘୋଷଣା ପରେ ଯେତେବେଳେ ମନ୍ତ୍ରୀମଣ୍ଡଳ ଗଠନ ବିଷୟରେ ଆଲୋଚନା ଚାଲିଥାଏ ସେତିକିବେଳେ ଶ୍ରୀ ବିଜୁ ପଟ୍ଟନାୟକ ଶିଳ୍ପ ଓ ଅନ୍ୟ କେତେକ ବିଭାଗର ମନ୍ତ୍ରୀ ହେବାପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଶ୍ରୀ ଚୌଧୁରୀଙ୍କ ସହିତ ତାଙ୍କର ଖୁବ୍‌ ସଦ୍‌ଭାବ ଥିଲା । ମାତ୍ର ତାଙ୍କର ମନ୍ତ୍ରୀ ହେବାର ଇଚ୍ଛାଟାକୁ ଶ୍ରୀ ଚୌଧୁରୀ ପସନ୍ଦ କରୁନଥିଲେ । ସେତେବେଳେ ଶ୍ରୀ ପଟ୍ଟନାୟକ କେତେକ ଶିଳ୍ପ ସହିତ ବିଶେଷ ଭାବରେ ଜଡ଼ିତ ଥିଲେ ଏବଂ ସେ ଅବସ୍ଥାରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ନେଲେ ସୁନ୍ଦର ଓ ସମୀଚୀନ ହେବ ନାହିଁ ବୋଲି ଶ୍ରୀ ଚୌଧୁରୀ ମତ ବ୍ୟକ୍ତ କରିଥିଲେ । (ସ୍ମୃତି ଓ ଅନୁଭୂତି–ଶ୍ରୀ ନୀଳମଣି ରାଉତରାୟ, ଦ୍ୱିତୀୟ ସଂସ୍କରଣ, ପୃ-୨୩୦) ୧୯୫୬ ମସିହା ଅକ୍ଟୋବର ୧୯ ତାରିଖରେ ଶ୍ରୀ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । ସେହିଦିନ ମହତାବ ବମ୍ବେ ରାଜ୍ୟପାଳ ପଦବି ତ୍ୟାଗ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ମହତାବ ବିଜୁବାବୁଙ୍କୁ ତାଙ୍କ ମନ୍ତ୍ରୀଭାବେ ନେବାକୁ ଚାହିଁଥିଲେ ସୁଦ୍ଧା ତାଙ୍କ ସହଯୋଗୀ ଦଳ ଗଣତନ୍ତ୍ର ପରିଷଦର ବିରୋଧ ଯୋଗୁଁ ତାହା ସମ୍ଭବ ହୋଇନଥିଲା । ଏହାପରେ ମହତାବ ଓ ବିଜୁବାବୁଙ୍କ ଭିତରେ ମତଭେଦ ଦେଖା ଦେଲା । ତା’ପରେ କଂଗ୍ରେସ ସଭାପତି ପଦ ଦଖଲ କରିବାଲାଗି ବିଜୁବାବୁ ଉଦ୍ୟମ ଆରମ୍ଭ କଲେ । ‘ପ୍ରଦେଶ କଂଗ୍ରେସ ସଦସ୍ୟମାନଙ୍କୁ ସନ୍ତୁଷ୍ଟ କରିବାଲାଗି ଗାଡ଼ି, ବାଡ଼ି, ଶାଢ଼ି କେଉଁଥିରେ ଊଣା ହୋଇ ନଥିଲା ।’ (ଓଡ଼ିଶା ରାଜନୀତିର ଗୋପନ କଥା - ବସନ୍ତ ଦାସ) ବନମାଳୀ ବାବୁଙ୍କୁ ହଟେଇ ବିଜୁବାବୁ ପ୍ରଦେଶ କଂଗ୍ରେସ ସଭାପତି ହେଲେ । ତା’ପରେ ରାଷ୍ଟ୍ରପତି ଶାସନ, ନିର୍ବାଚନ ଓ ୧୯୬୧ରେ ବିଜୁଙ୍କର ମୁଖ୍ୟମନ୍ତ୍ରୀତ୍ୱ । ସୁତରାଂ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା (୧୯୫୩-୫୪) ସମୟରେ ବିଜୁବାବୁ କୌଣସି ପ୍ରକାର ଶାସନ ଦାୟିତ୍ୱରେ ନଥିଲେ । ଉଲ୍ଲେଖଯୋଗ୍ୟ ଯେ ବିଜୁବାବୁ ପ୍ରଥମଥର ୧୯୬୧ ନିର୍ବାଚନରେ ୧୪୦ କଂଗ୍ରେସ ପ୍ରାର୍ଥୀମାନଙ୍କ ନିର୍ବାଚନ ପ୍ରଚାର ପାଇଁ ୧୪୦ଟି ନୂଆ ଜିପ୍‌ ଅଣାଇ ସେ ରାଜନୀତିର ‘ନବକଳେବର’ କରାଇଥିଲେ ଓ ନିର୍ବାଚନ ଜିଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ସମୟରେ ପାରାଦୀପ ବନ୍ଦର, ଏକ୍ସପ୍ରେସ ହାଇୱେ, ବାଲିମେଳା ଏବଂ ତାଳଚେର ପ୍ରକଳ୍ପ, ସୁନାବେଡ଼ା ମିଗ୍‌ କାରଖାନା ଇତ୍ୟାଦି ବଡ଼ ବଡ଼ କାମ ହୋଇଥିଲା । ମାତ୍ର ତାଙ୍କର ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ (୧୯୬୧-୬୩) କିମ୍ବା ଦ୍ୱିତୀୟ ମୁଖ୍ୟମନ୍ତ୍ରୀତ୍ୱ (୧୯୯୦-୯୫) ସମୟରେ କୌଣସି ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇ ନଥିଲା । ତାଙ୍କ ପରି ବିଖ୍ୟାତ ବ୍ୟକ୍ତିଙ୍କ ସଂପର୍କରେ ମିଥ୍ୟା ତଥ୍ୟ ଦେଇ ତାଙ୍କୁ କବର ଭିତରୁ ଭିଡ଼ି ଓଟାରି ହଲାପଟା କରିବା ପ୍ୟାରୀବାବୁଙ୍କ ପକ୍ଷେ ଉଚିତ ନୁହେଁ ।

 

ସମ୍ବାଦ, ୫ ଅଗଷ୍ଟ, ୨୦୦୮

Image

 

ଶ୍ରୀ ପ୍ୟାରୀମୋହନ ମହାପାତ୍ରଙ୍କ ପ୍ରତିବାଦ

 

ବିଜୁବାବୁଙ୍କ ଅମଳରେ ରାଉରକେଲା ଇସ୍ପାତ କାରଖାନା ହୋଇଛି ବୋଲି ମୁଁ କେବେ ବି କହିନାହିଁ ।

 

(୨୦୦୮ ଅଗଷ୍ଟ ୫ ତାରିଖ ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାରେ ଶ୍ରୀ ଗୌରହରି ଦାସଙ୍କ ‘ଓଡ଼ିଶା ଡାଏରି’ ସ୍ତମ୍ଭରେ ‘ପ୍ୟାରୀବାବୁ ଓ ଇତିହାସର ବିଭ୍ରାନ୍ତୀକରଣ’ ଶୀର୍ଷକ ଏକ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ଏହାର ପ୍ରତିକ୍ରିୟାରେ ସାଂସଦ ଶ୍ରୀ ପ୍ୟାରୀମୋହନ ମହାପାତ୍ର ‘ସମ୍ବାଦ’କୁ ପତ୍ର ଲେଖିଥିଲେ । ପ୍ୟାରୀବାବୁଙ୍କ ସେଇ ପ୍ରତିକ୍ରିୟା ଏବଂ ‘ଓଡ଼ିଶା ଡାଏରି’ର ଲେଖକଙ୍କ ଉତ୍ତରକୁ ଆମେ ଏଠାରେ ସ୍ଥାନିତ କରିବା ଉଚିତ ବୋଧ କଲୁ । - ସଂପାଦକ ‘ସମ୍ବାଦ’)

 

ଅଗଷ୍ଟ ୫, ୨୦୦୮ ‘ସମ୍ବାଦ’ର ଷଷ୍ଠ ପୃଷ୍ଠାରେ ‘ଓଡ଼ିଶା ଡାଏରି’ ସ୍ତମ୍ଭରେ ଲେଖକ ଗୌରହରି ଦାସଙ୍କ ଲିଖିତ ‘ପ୍ୟାରୀବାବୁ ଓ ଇତିହାସର ବିଭ୍ରାନ୍ତୀକରଣ’ ଶୀର୍ଷକ ଲେଖାଟି ମୋର ଦୃଷ୍ଟିଗୋଚର ହୋଇଛି । ସମଗ୍ର ଲେଖାଟିକୁ ତନ୍ନତନ୍ନ କରି ପାଠ କଲା ପରେ ମୋର ଅନୁଭବ ହେଲା, ମୋର ବିକାଶ ସମାବେଶରେ ଉପସ୍ଥାପିତ ତଥ୍ୟକୁ ବିଭ୍ରାନ୍ତୀକରଣ କରାଯାଇଛି । ସମଗ୍ର ଲେଖାଟିରେ ଲେଖକ ବିଭିନ୍ନ ତଥ୍ୟର ଅବତାରଣା କରି ପ୍ରତିପାଦିତ କରିବାକୁ ଚାହିଁଛନ୍ତି ଯେ, ରାଉରକେଲା ଇସ୍ପାତ କାରଖାନା ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ହିଁ ପ୍ରତିଷ୍ଠା ହୋଇଛି । ଲେଖାଟିରେ ପ୍ୟାରୀମୋହନ ମହାପାତ୍ର କେବଳ ଭୁଲ୍‌ ତଥ୍ୟ ଦେଉଛନ୍ତି - ଏହାହିଁ ପ୍ରମାଣିତ କରିବାକୁ ଉଦ୍ଦେଶ୍ୟମୂଳକ ଭାବେ ଚେଷ୍ଟା କରାଯାଇଛି ।

 

ମୁଁ ଏଠାରେ ସ୍ପଷ୍ଟ ଭାବେ କହି ରଖିବାକୁ ଚାହେଁ ଯେ, ଗତ ୨୦୦୮, ଜୁଲାଇ ୩୦ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ବିଜୁ ଯୁବ ଛାତ୍ର ଜନତାର ବିକାଶ ସମାବେଶରେ ମୋର ବକ୍ତବ୍ୟ ଯାହାକି ‘ଓଡ଼ିଶା ଭାସ୍କର’, ୩ ଜୁଲାଇ ୨୦୦୮, ୧ମ ପୃଷ୍ଠାରେ ପ୍ରକାଶ ପାଇଛି ବୋଲି ଗୌରହରି ବାବୁ ଲେଖିଛନ୍ତି, ତାହା ମଧ୍ୟ ଏକ ବିଭ୍ରାନ୍ତୀକରଣ । କାରଣ, ଜୁଲାଇ ୩୦ ତାରିଖର ମୋର ମନ୍ତବ୍ୟ କିପରି ୨୭ ଦିନ ପୂର୍ବରୁ ଜୁଲାଇ ୩ ତାରିଖରେ ‘ଓଡ଼ିଶା ଭାସ୍କର’ରେ ପ୍ରକାଶ ପାଇଲା ? ଏହା ବୁଝାପଡୁ ନାହିଁ । ଦ୍ୱିତୀୟ କଥା ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ହୋଇ ମଧ୍ୟ ସେ ତାଙ୍କ ନିଜ ଖବରକାଗଜର ରିପୋର୍ଟିଂକୁ ବିଶ୍ୱାସକୁ ନେଇ ନାହାନ୍ତି । ମୋର ଦୃଢ଼ ବିଶ୍ୱାସ ବିକାଶ ସମାବେଶରେ ମୋର ବକ୍ତବ୍ୟ ଗୌରହରିବାବୁ ନିଜେ ମଧ୍ୟ ଶୁଣି ନାହାନ୍ତି । କାରଣ ‘ଓଡ଼ିଶା ଭାସ୍କର’ରେ ପ୍ରକାଶିତ ତଥ୍ୟକୁ ଆଧାର କରି ସେ ତାଙ୍କ ସ୍ତମ୍ଭ ଲେଖିଛନ୍ତି । କେଉଁ ଖବରକାଗଜ କ’ଣ ଭୁଲ୍‌ ଲେଖିଲା, ତାକୁ ଆଧାର କରି ଆଉ ଜଣେ ଏକ ସ୍ତମ୍ଭ ଲେଖିଲେ ମୁଁ କହିଲି ବୋଲି ପ୍ରମାଣିତ ହୋଇଯିବ ନାହିଁ ।

 

ଏଥର ଆସିବା ପ୍ରକୃତ ତଥ୍ୟକୁ । ବିକାଶ ସମାବେଶରେ ମୁଁ କେଉଁଠାରେ କେବେ ବି କହିନାହିଁ ଯେ ବିଜୁବାବୁଙ୍କ ଅମଳରେ ରାଉରକେଲା ଇସ୍ପାତ କାରଖାନା ହୋଇଛି ବୋଲି । ମୁଁ କହିଥିଲି ଯେ, ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠାରେ ବିଜୁବାବୁଙ୍କର ଅବଦାନ ନାହିଁ ବୋଲି କେତେକ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି, ତାହା ମିଥ୍ୟା । ଯେତେବେଳେ ଭାରତବର୍ଷରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ବ୍ରିଟେନ୍‌, ରୁଷିଆ ଓ ଜର୍ମାନୀ ଆଗ୍ରହ ପ୍ରକାଶ କରିଥିଲେ, ସେତେବେଳେ ବିଜୁବାବୁ ତାଙ୍କ ବନ୍ଧୁ ଜେନେରାଲ୍‌ କୃପ୍‌ (କୃପ୍‌, ଯାହାଙ୍କୁ କି ଗୌରହରିବାବୁ ଜନ୍‌ କୁକ୍‌ସ ବୋଲି ଲେଖିଛନ୍ତି)ଙ୍କୁ ପ୍ରଭାବିତ କରି ଜର୍ମାନ୍‌ ଜ୍ଞାନକୌଶଳରେ ଓଡ଼ିଶାରେ ଇସ୍ପାତ କାରଖାନା ହେଉ ବୋଲି ଚେଷ୍ଟା କରି ସଫଳ ହୋଇଥିଲେ ଏବଂ ‘କୃପ୍‌ ଆଣ୍ଡ୍‌ ଡିମାଗ୍‌’ ଓଡ଼ିଶାର ରାଉରକେଲାକୁ ବାଛିବା ପଛରେ ବିଜୁବାବୁଙ୍କ ହାତ ଥିଲା । ଏଣୁ କାହା ଶାସନ କାଳରେ କାରଖାନା ପ୍ରତିଷ୍ଠା ହେବା ଓ କାରଖାନା ପ୍ରତିଷ୍ଠାରେ କାହାର ଅବଦାନ ରହିବା; ଏ ଦୁଇଟି ହେଉଛି ଭିନ୍ନ ଭିନ୍ନ କଥା - ଏହା ଅନ୍ତତଃ ଗୌରହରିବାବୁଙ୍କୁ ବୁଝାଇ କହିବାର ଆବଶ୍ୟକତା ନାହିଁ । ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇଥିଲା । ଏହା ସମସ୍ତେ ଜାଣନ୍ତି ଓ ମୁଁ ମଧ୍ୟ ମୋର ଭାଷଣରେ କହିଥିଲି । ଇତିହାସକୁ ବିକୃତ କରିବାର ଧୃଷ୍ଟତା ଆଉ କାହାର ଥାଇପାରେ, ମୋର ନାହିଁ । ପ୍ରଫେସର ନୀଳକଣ୍ଠ ରଥ, ଓଡ଼ିଶା ଗେଜେଟିୟର୍‌ ଓ ସାମ୍ବାଦିକ ବସନ୍ତ ଦାସଙ୍କର ‘ଓଡ଼ିଶା ରାଜନୀତିର ଗୋପନ କଥା’ ଇତ୍ୟାଦିର ଅବତାରଣା କରି ଗୌରହରିବାବୁ କିଏ କେବେ ମୁଖ୍ୟମନ୍ତ୍ରୀ ଥିଲେ ଓ କିପରି ହେଲେ ତାହାର ବିସ୍ତାର ବର୍ଣ୍ଣନା ଅନାବଶ୍ୟକ ଭାବେ କରିଛନ୍ତି । କଥା ହେଉଛି ରାଉରକେଲା ଇସ୍ପାତ କାରଖାନା ଜର୍ମାନ ଜ୍ଞାନକୌଶଳରେ ଓଡ଼ିଶାରେ ସ୍ଥାପିତ ହେବାରେ ବିଜୁବାବୁଙ୍କର ଅବଦାନ ଥିଲା ନା ନ ଥିଲା ? ଏବେ ମଧ୍ୟ ମୋର ସ୍ପଷ୍ଟ ଉତ୍ତର ବିଜୁବାବୁଙ୍କର ଯଥେଷ୍ଟ ଅବଦାନ ଥିଲା । ଗୌରହରିବାବୁ ତଥ୍ୟ ସଂଗ୍ରହରେ ଆଗ୍ରହୀ ଥିଲେ ସବୁ ଜାଣିପାରିବେ । କିପରି ଡକ୍ଟର ମହତାବ କେନ୍ଦ୍ରରେ ଶିଳ୍ପମନ୍ତ୍ରୀ ଥିବା ବେଳେ ବିଜୁବାବୁ କଳିଙ୍ଗ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ କର୍ପୋରେସନ୍‌ ଦ୍ୱାରା ଇସ୍ପାତ କାରଖାନା କରିବାର ପ୍ରକଳ୍ପ ରିପୋର୍ଟ ଦାଖଲ କରିଥିଲେ ଓ ତାହାର ଅଟକଳ ମୂଲ୍ୟ ସେତେବେଳେ ପାଖାପାଖି ୩୦୦ କୋଟି ଟଙ୍କା ଥିଲା । ଏହା ରାଉରକେଲା ଇସ୍ପାତ କାରଖାନା ସ୍ଥାପନର ସିଦ୍ଧାନ୍ତ ନେବାର ୩/୪ ବର୍ଷ ପୂର୍ବର କଥା । ନବବାବୁଙ୍କ ମନ୍ତ୍ରୀମଣ୍ଡଳର ଅର୍ଥମନ୍ତ୍ରୀ ସ୍ୱର୍ଗତ ରାଧାନାଥ ରଥ (ପ୍ରଫେସର ନୀଳକଣ୍ଠ ରଥଙ୍କର ପିତା) କେବଳ ଯେ ପଣ୍ଡିତ ନେହରୁ ଡାକିଥିବା ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଇଥିଲେ, ତାହା ନୁହେଁ, ସେ ବିସ୍ଥାପିତଙ୍କ ପୁନର୍ବାସ ପାଇଁ ଓ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା ରାଜକୋଷରୁ ୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ । ରାଧାନାଥ ବାବୁ ମଧ୍ୟ ବିଜୁ ବାବୁଙ୍କର ଅବଦାନ ବିଷୟରେ କିପରି ଜ୍ଞାତ ଥିଲେ ତାହା ପ୍ରଫେସର ରଥଙ୍କୁ ପଚାରି ଗୌରହରିବାବୁ ବୁଝିପାରିଥାନ୍ତେ ।

 

୧୯୫୨ ମସିହାରେ ବିଜୁବାବୁ ଜଣେ ‘ସାଧାରଣ ବିଧାୟକ’ ନ ଥିଲେ ବରଂ ଅତି ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସାରିୟାରଙ୍କୁ ଦୁଃସାହସିକ ଭାବେ ଉଦ୍ଧାର, ଚୌଦ୍ୱାର ଓଟିଏମ୍‌ ପ୍ରତିଷ୍ଠା, କଶ୍ମୀରର ପାକିସ୍ତାନ ଆକ୍ରମଣ ସମୟରେ ପ୍ରଥମେ ଅବତରଣ, କଳିଙ୍ଗ ଇଣ୍ଡଷ୍ଟ୍ରିଜ୍‌ର ପ୍ରତିଷ୍ଠା, କଳିଙ୍ଗ ଏୟାର ଲାଇନ୍‌ସର ପ୍ରତିଷ୍ଠା ଏସବୁ କ’ଣ ଜଣେ ‘ସାଧାରଣ ବିଧାୟକ’ କରିଥାନ୍ତି ? ଆଜି କୋଇଲାରୁ ପେଟ୍ରୋଲ୍‌ ଓ ଡିଜେଲ୍‌ ବାହାର କରିବା ପାଇଁ ଯେଉଁ ଅଭିନବ ପ୍ରକଳ୍ପ କରାଯାଉଛି, ତାହାର ପରିକଳ୍ପନା ଏହି ‘ସାଧାରଣ ବିଧାୟକ’ ଜଣକ ହିଁ କରିଥିଲେ । ତାଙ୍କର ‘ସିନ୍ଥେଟିକ୍‌ ପ୍ରେଟୋଲ୍‌ ଫ୍ରମ୍‌ କୋଲ୍‌’ ଜରିଆରେ ଏହି ପ୍ରକଳ୍ପ ପାଇଁ ଯେଉଁ ୪/୫ ଜଣ ଓଡ଼ିଆ ଇଞ୍ଜିନିୟରଙ୍କୁ ବିଜୁବାବୁ ପ୍ୟାରିସ୍‌ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପେଟ୍ରୋଲିୟମ୍‌କୁ ପ୍ରଶିକ୍ଷଣ ପାଇଁ ପଠାଇଥିଲେ । ତାଙ୍କ ଭିତରୁ ମୁଁ ଜାଣିବାରେ ଦୁଇ ଜଣ ବର୍ତ୍ତମାନ ବଞ୍ଚିଛନ୍ତି । ଅତ୍ୟାଧୁନିକ ଜ୍ଞାନକୌଶଳ ବୁଝି ନ ପାରି ତଥା ଈର୍ଷା ଓ ଅବିଶ୍ୱାସର ବଶବର୍ତୀ ହୋଇ ଯେପରି ୫୬ ବର୍ଷ ତଳେ ଦିଲ୍ଲୀ ଓ ଓଡ଼ିଶାର ରାଜନେତା ତଥା ପ୍ରଶାସକମାନେ ଏହି ପ୍ରକଳ୍ପ କରାଇ ଦେଲେ ନାହିଁ, ସେହି ଈର୍ଷା ଓ ଅବିଶ୍ୱାସର ଗନ୍ଧ ମୁଁ ପାଉଛି ଗୌରହରିବାବୁଙ୍କ ‘ଓଡ଼ିଶା ଡାଏରି’ରେ । କାର୍ଯ୍ୟାରମ୍ଭ କରି ନ ଥିବା ନୀଳାଚଳ ଇସ୍ପାତ ନିଗମକୁ କେନ୍ଦ୍ର ସରକାରଙ୍କଠାରୁ ଏକ ଟଙ୍କା ମୂଲ୍ୟରେ ଆଣି ତାହା କାର୍ଯ୍ୟକ୍ଷମ କରିବା ପାଇଁ ଇଟାଲୀରୁ ବ୍ଲାଷ୍ଟ ଫର୍ନେସ୍‌ ମଗାଇଥିଲେ ବିଜୁବାବୁ ଓ ତାହା ଓଡ଼ିଶାରେ ପହଞ୍ଚିଥିଲା ୧୯୯୫ ମସିହା ଫେବ୍ରୁଆରି ମାସରେ । ଏ ବିଷୟରେ ବିଜୁବାବୁଙ୍କ ପ୍ରଚେଷ୍ଟାରେ ଟିକିନିଖି ବିବରଣୀ ଗୌରହରିବାବୁ ଓଡ଼ିଶା ସ୍ପଞ୍ଜ ଆଇରନ୍‌ର ଏମ୍‌.ଡି. ଡ. ପି.କେ. ମହାନ୍ତିଙ୍କଠାରୁ ପାଇ ପାରିଥାନ୍ତେ । କିନ୍ତୁ ଗୌରହରିବାବୁ ସତ୍ୟର ଅପଳାପ କରି ଓଡ଼ିଶାର ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କୁ ନ୍ୟୂନ କରି ଦେଖାଇବାର ଅପଚେଷ୍ଟା କରିବା ପାଇଁ ନୀଳମଣିବାବୁ, ଡ. ମହତାବ, ପ୍ରଫେସର ନୀଳକଣ୍ଠ ରଥ, ବସନ୍ତବାବୁ ଇତ୍ୟାଦିଙ୍କ ନାମର ଯେପରି ଅପବ୍ୟବହାର କଲେ, ତାହା ଦ୍ୱାରା ସତ୍ୟ କେବେ ମିଥ୍ୟା ହୋଇଯିବ ନାହିଁ ।

 

ମହତାବଙ୍କର ନୀଳମଣିବାବୁଙ୍କୁ ଯେଉଁ ଉପଦେଶ କଥା ଗୌରହରିବାବୁ ଅବତାରଣା କରିଛନ୍ତି, ବୋଧହୁଏ ଲେଖକ ମହାଶୟ ସେଥିରେ ନିଜେ ଉଦ୍‌ବୁଦ୍ଧ । କାରଣ ଲେଖକ ମହାଶୟ ନିଜେ ମୋ ମନ୍ତବ୍ୟ ଶୁଣିନାହାନ୍ତି । ‘ଓଡ଼ିଶା ଭାସ୍କର’ରେ ପ୍ରକାଶିତ ତଥ୍ୟକୁ ଅନୁସନ୍ଧାନ କରିନାହାନ୍ତି ଓ ସର୍ବଶେଷରେ ମୋ ମତାମତ ମଧ୍ୟ ଲୋଡ଼ି ନାହାନ୍ତି । ଏଣୁ ଏହାର ସୁଯୋଗ ନେଇ ଗୋଟିଏ ମିଛ କଥାକୁ ବାରମ୍ବାର କୁହାଇ, ଖବରକାଗଜରେ ଲେଖାଗଲେ ତାହା ସତ୍ୟରେ ପରିଣତ ହୋଇଯିବ ଭାବି ଗୌରହରିବାବୁ ନିଜେ ମହତାବଙ୍କ ମତ ଦ୍ୱାରା ଉଦ୍‌ବୁଦ୍ଧ ହୋଇଯାଇଛନ୍ତି ବୋଲି ମୋର ଧାରଣା । ବିଜୁବାବୁଙ୍କ ପରି ବିଖ୍ୟାତ ବ୍ୟକ୍ତିଙ୍କ ସମ୍ପର୍କରେ ଏଣୁ କିଏ ମିଥ୍ୟ ତଥ୍ୟ ଦେଉଛି ? ଓ କିଏ ତାଙ୍କୁ କବର ଭିତରୁ ଭିଡିଓଟାରି ହଲାପଟା କରୁଛି ତାହା ଗୌରହରିବାବୁ ତାଙ୍କ ନିଜ ବିବେକକୁ ପଚାରନ୍ତୁ ।

 

ପ୍ୟାରୀମୋହନ ମହାପାତ୍ର

ସାଂସଦ, ବିଜୁ ଜନତା ଦଳ

ସମ୍ବାଦ, ୫ ଅଗଷ୍ଟ, ୨୦୦୮

 

ଲେଖକଙ୍କ ସ୍ପଷ୍ଟୀକରଣ :

 

ବିଜୁବାବୁଙ୍କୁ ବଡ଼ କରିବାକୁ ଯାଇ ନବକୃଷ୍ଣ ଚୌଧୁରୀଙ୍କୁ ଛୋଟ କରା ନ ଯାଉ

 

ରାଜ୍ୟସଭା ସାଂସଦ ଶ୍ରୀ ପ୍ୟାରୀମୋହନ ମହାପାତ୍ର ତାଙ୍କ ପ୍ରତିବାଦପତ୍ରରେ ଲେଖିଛନ୍ତି ଯେ ବିଜୁବାବୁଙ୍କ ଅମଳରେ ରାଉରକେଲା ଇସ୍ପାତ କାରଖାନା ହୋଇଛି ବୋଲି ସେ କେବେ ବି କହିନାହାନ୍ତି । ‘ଓଡ଼ିଶା ଭାସ୍କର’ ଭୁଲ୍‌ ଲେଖିଥିଲା । ଶ୍ରୀ ମହାପାତ୍ର ଆହୁରି ମଧ୍ୟ ଲେଖିଛନ୍ତି ଯେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇଥିଲା - ଏହା ସମସ୍ତେ ଜାଣନ୍ତି ଓ ସେ ମଧ୍ୟ ତାଙ୍କ ଭାଷଣରେ ତାହା କହିଥିଲେ । ଏହି ଲେଖକ କାହିଁକି ନିଜେ କାମ କରୁଥିବା ‘ସମ୍ବାଦ’ ରିପୋର୍ଟିଂକୁ ବିଶ୍ୱାସକୁ ନ ନେଇ ଅନ୍ୟ ଏକ ଖବରକାଗଜକୁ ବିଶ୍ୱାସକୁ ନେଇଛନ୍ତି ସେଥିପାଇଁ ସେ ବିରକ୍ତି ପ୍ରକାଶ କରିଛନ୍ତି । ଚିଠିର ଆରମ୍ଭରେ ଏକ ମୁଦ୍ରଣ ପ୍ରମାଦକୁ ଠିକ୍‌ ବୋଲି ଧରି ନ ପାରି ଶ୍ରୀ ମହାପାତ୍ର ଏହା ବିଭ୍ରାନ୍ତିକର ବୋଲି କହିଛନ୍ତି ।

 

ବିଜୁ ଯୁବ ଛାତ୍ର ଜନତାର ବିକାଶ ସମାବେଶ ୨୦୦୮ ଜୁଲାଇ ୩୦ ତାରିଖରେ ହୋଇଥିଲା ଏବଂ ଏ ସମ୍ପର୍କରେ ରିପୋର୍ଟ ପର ଦିନ ଅର୍ଥାତ୍‌ ୩୧ ଜୁଲାଇ (୩ ତାରିଖ ନୁହେଁ) ‘ଓଡ଼ିଶା ଭାସ୍କର’ରେ ପ୍ରକାଶ ପାଇଥିଲା । ଏହି କାଗଜର ରିପୋର୍ଟକୁ ଉଦ୍ଧାର କରିବାର ଏକମାତ୍ର କାରଣ ହେଲା, ସାଧାରଣ ଦୃଷ୍ଟିରେ ଏହା ଶ୍ରୀ ମହାପାତ୍ରଙ୍କୁ ଗୁରୁତ୍ୱ ଦେଇଥାଏ ଓ ତାଙ୍କ ଭାଷଣକୁ କଦର୍ଥ କରିବାର ଆଶଙ୍କା ଶୂନ୍‌ । ସେହି ସମ୍ବାଦପତ୍ରଟିର ଆରମ୍ଭରୁ ନେଇ ବିଭିନ୍ନ ପ୍ରତିଷ୍ଠା ଉତ୍ସବରେ ଶ୍ରୀ ମହାପାତ୍ରଙ୍କ ଯୋଗଦାନ ଯୋଗୁଁ ତାଙ୍କ ପ୍ରତି ସେ ସମ୍ବାଦପତ୍ରର ଦୃଷ୍ଟିଭଙ୍ଗୀ ନିର୍ମଳ । ପୁଣି ସେହି ସମ୍ବାଦପତ୍ରର ସମ୍ପାଦକ ବିଜୁବାବୁଙ୍କ ସମ୍ପର୍କରେ ଇଂରାଜୀରେ ଏକ ସୁନ୍ଦର ଜୀବନୀଗ୍ରନ୍ଥ ଲେଖିଥିବାରୁ ସେ ସଂପୃକ୍ତ ଥିବା ସମ୍ପାଦନାମଣ୍ଡଳୀ ବିଜୁବାବୁଙ୍କ ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରକାଶ କରିବେ ନାହିଁ ବୋଲି ଏ ଲେଖକର ଦୃଢ଼ ବିଶ୍ୱାସ । ତୃତୀୟତଃ, ‘ଓଡ଼ିଶା ଭାସ୍କର’ ଶ୍ରୀ ମହାପାତ୍ରଙ୍କ ଭାଷଣକୁ ଯଥୋଚିତ ଗୁରୁତ୍ୱ ଦେଇ ପ୍ରଥମ ପୃଷ୍ଠାରେ ପ୍ରକାଶ କରିଥିବାରୁ ଏହା ଅଧିକ ପାଠକଙ୍କ ଦୃଷ୍ଟିକୁ ଆସିଥିଲା ।

 

ଶ୍ରୀ ମହାପାତ୍ରଙ୍କ ଭଳି ଅଭିଜ୍ଞ ପ୍ରଶାସକ, ତୁଙ୍ଗନେତା ଏବଂ ବୟସ୍କ ବୁଦ୍ଧିଜୀବୀଙ୍କୁ ନ୍ୟୂନ ପ୍ରତିପାଦନ କରିବା ଅଗଷ୍ଟ ୫ ତାରିଖ ଲେଖାର ଉଦ୍ଦେଶ୍ୟ ନ ଥିଲା । ଆନନ୍ଦର କଥା ଯେ ଶ୍ରୀ ମହାପାତ୍ର ଏଇ ଲେଖକ ଉପରେ ଅନାସ୍ଥା ପ୍ରକାଶ କରିବା ବେଳେ ‘ସମ୍ବାଦ’ର ରିପୋର୍ଟିଂ ପ୍ରତି ଆସ୍ଥା ପ୍ରକାଶ କରିଛନ୍ତି । ତେବେ ‘ସମ୍ବାଦ’ର ଯେଉଁ ପ୍ରତିନିଧି ସେଇ ସଭାକୁ ରିପୋର୍ଟିଂ ପାଇଁ ଯାଇଥିଲେ ସେ ମଧ୍ୟ ‘ଓଡ଼ିଶା ଭାସ୍କର’ରେ ପ୍ରକାଶିତ ରିପୋର୍ଟର ପୁଷ୍ଟୀକରଣ କରିଛନ୍ତି । ୩୧ ଜୁଲାଇ ‘ପ୍ରଗତିବାଦୀ’ରେ ମଧ୍ୟ ପ୍ରକାଶ ପାଇଛି ଯେ ପ୍ୟାରୀବାବୁ କହିଥିଲେ, ‘ରାଉରକେଲା ଇସ୍ପାତ କାରଖାନା ବିଜୁବାବୁ କରି ନ ଥିଲେ ବୋଲି ଏକ ଅପପ୍ରଚାରର ମାୟାଜାଲ ସୃଷ୍ଟି କରାଯାଇଛି । ସତ୍ୟ ଜାଣି ନ ଥିବା ଲୋକମାନେ ଏହି ଅପପ୍ରଚାର କରୁଛନ୍ତି ।’ ଶ୍ରୀ ମହାପାତ୍ର ତାଙ୍କ ଭାଷଣରେ କେଉଁଠାରେ ହେଲେ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ନାମ ନେଇଥିବା କେହି ଜଣେ ହେଲେ କହିନାହାନ୍ତି ବା କୌଣସି ସମ୍ବାଦପତ୍ରରେ ପ୍ରକାଶ ପାଇ ନାହିଁ । ଶ୍ରୀ ମହାପାତ୍ର ଉପଲବ୍ଧି କରିଥିବେ ଯେ ବିଜୁବାବୁଙ୍କୁ ଅସମ୍ମାନିତ କରିବା ଲେଖାଟିର ଉଦ୍ଦେଶ୍ୟ ନ ଥିଲା । ସେହି ପ୍ରବନ୍ଧରେ ବିଜୁବାବୁଙ୍କୁ ଓଡ଼ିଶାର ସବୁଠାରୁ ଡେଙ୍ଗା ନେତା ବୋଲି ଉଲ୍ଲେଖ କରାଯାଇଛି । ‘ସମ୍ବାଦ’ ଅନୁଷ୍ଠାନ ଏବଂ ଗୌରହରି ଦାସ ବ୍ୟକ୍ତି ଉଭୟ ବିଜୁବାବୁଙ୍କର ପ୍ରଶଂସକ ଏବଂ ଏ କଥା ବିଜୁବାବୁଙ୍କ ମହାପ୍ରୟାଣ ପରେ ପ୍ରକାଶିତ ସ୍ୱତନ୍ତ୍ର ବିଶେଷାଙ୍କରୁ ପ୍ରମାଣିତ । ମାତ୍ର ବିଜୁବାବୁଙ୍କୁ ବଡ଼ କରିବାକୁ ଯାଇ ନବକୃଷ୍ଣ ଚୌଧୁରୀଙ୍କୁ ଛୋଟ କରିଦେବା ଭଳି ରାଜନୈତିକ ମତବାଦକୁ ‘ସମ୍ବାଦ’ କିମ୍ବା ଏଇ ଲେଖକ ଗ୍ରହଣ କରନ୍ତି ନାହିଁ । ତଥ୍ୟ ହେଉଛି, ବିଜୁବାବୁଙ୍କ ଶାସନ ସମୟରେ କୌଣସି ଇସ୍ପାତ କାରଖାନା ବସି ପାରି ନ ଥିଲା ।

 

୫ ଅଗଷ୍ଟରେ ଏଇ ଲେଖକର ଲେଖା ପ୍ରକାଶ ପରେ ଶ୍ରୀ ମହାପାତ୍ର ଦୀର୍ଘ ପ୍ରତିବାଦ ପଠାଇଛନ୍ତି । ମାତ୍ର ‘ଓଡ଼ିଶା ଭାସ୍କର’ର ପ୍ରଥମ ପୃଷ୍ଠାରେ ଓ ବକ୍ସ-ଆଇଟମ୍‌ ଭାବେ ତାଙ୍କର ଏହି ବିବୃତି ପାଞ୍ଚ ଦିନ ଆଗରୁ ପ୍ରକାଶ ପାଇଥିଲେ ସୁଦ୍ଧା ସେ ତା’ର ପ୍ରତିବାଦ କରିନାହାନ୍ତି କାହିଁକି ? ଏଇ ଲେଖକ ଯଦି ଏପରି ଲେଖାଟିଏ ଲେଖି ନ ଥାନ୍ତା ତା’ହେଲେ, ‘ଓଡ଼ିଶା ଭାସ୍କର’ ପଢ଼ିଥିବା ପାଠକ ପାଠିକାଙ୍କର ଧାରଣା କିପରି ବଦଳିଥାନ୍ତା ?

 

ଏଇ ଲେଖକ ପାଇଁ ଆନନ୍ଦର କଥା ଯେ ଅଗଷ୍ଟ ୫ ତାରିଖରେ ତା’ର ଲେଖାଟି ପ୍ରକାଶ ପାଇବା ପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ଛାତ୍ର, ଯୁବକ ଏବଂ ବୁଦ୍ଧିଜୀବୀ ପ୍ରତିକ୍ରିୟା ଜଣାଇଛନ୍ତି-। ସେମାନଙ୍କର ଗୋଟିଏ ଭୁଲ୍‌ ଧାରଣା ଥିଲା ଯେ ବିଜୁବାବୁଙ୍କ ଅମଳରେ ହିଁ ରାଉରକେଲା ଇସ୍ପାତ କାରଖାନା ବସିଥିଲା । ଅବଶ୍ୟ ଏହି ପାଠକଙ୍କ ଭିତରେ ସେ ସମୟର ଶିଳ୍ପମନ୍ତ୍ରୀ ତଥା ଦଶପଲ୍ଲାର ରାଜା ବାହାଦୁର କିଶୋର ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ର ବିଜୟ ଚନ୍ଦ୍ର ଭଞ୍ଜଦେଓଙ୍କ ପରି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଅଛନ୍ତି, ଯେଉଁମାନେ ପ୍ରକୃତ ତଥ୍ୟ ଜାଣିଥିଲେ । ସେଥିରୁ କେତୋଟି ନିମ୍ନରେ ପ୍ରଦତ୍ତ ହେଲା- ତେବେ ଶ୍ରୀ ମହାପାତ୍ର ନିଜେ ସ୍ପଷ୍ଟ ଭାବରେ ତଥ୍ୟ ପ୍ରକାଶ କରିଥିବାରୁ ଏଇ ଲେଖକ ତାଙ୍କ ନିକଟରେ କୃତଜ୍ଞ ।

 

ଗୌରହରି ଦାସ

Image

 

Unknown

ଶ୍ରୀ ବିଜୟ ଚନ୍ଦ୍ର ଭଂଜଦେଓଙ୍କ ଚିଠି

 

Dear Sir,

 

With reference to your article ‘Orissa Diary’ in your esteemed Newspaper dated 5th, August, I am mentioning certain facts to keep the record straight.

 

Negotiation were going on between the German Steel giant M/S Demag and Krupps and the government of India for setting up of the first public sector heavy steel plant in India. Pressure on New Delhi was coming from Pandit Ravi Shankar Sukla and Dr. Bidhan Chandra Roy, the erstwhile Chief Minister of Madhya Pradesh and West Bengal to have the Steel Plant located at Bhilai and Durgapur respectively. Nabakrushna Choudhuri was our Chief Minister and Radhanath Rath was the Minister for Finance. My, Father Raja Bahadur Kishore Chandra Bhanja Deo of Daspalla was the Minister of Industries. I must mention here, that Nilamani Routrai whose book ‘SMRUTI O ANUBHUTI’, which you have referred to, was then the Deputy Minister of Home. Our team of Orissa successfully argue the case in Delhi and convinced Pandit Nehru. I remember that day in 1954, while I was a student of Ravenshaw College at Cuttack. Everyone rejoiced on learning from Radio and evening newspaper. The rest is history. It’s of no use trying to identify individuals who sincerely played their parts. I feel that the credit goes to our state which finally got the first heavy Steel Plant of India.

 

Your’s Faithfully

 

Bijay Chandra Bhanj Deo,

Dasapall House, Bapuji Nagar,

Bhubaneswar

 

(ସମ୍ବାଦ, ୧୮ ଅଗଷ୍ଟ, ୨୦୦୮)

Image

 

ନବ ବାବୁ ଓ ବିଜୁ ବାବୁ

ଡ. ଦାମୋଦର ରାଉତ

 

ଅଗଷ୍ଟ ୫ ତାରିଖରେ ‘ସମ୍ବାଦ’ରେ ପ୍ରକାଶିତ ‘ଓଡ଼ିଶା ଡାଏରି’ର ଆଲେଖ୍ୟରେ ଲେଖକ ଗୌରହରି ଦାସ ଯାହା ଲେଖିଛନ୍ତି, ତାହା ସତ୍ୟ । ବାସ୍ତବରେ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ଦିଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଋଷିପ୍ରତିମ ରାଜନେତା ନବକୃଷ୍ଣ ଚୌଧୁରୀଙ୍କ ଅବଦାନ ଅତୁଳନୀୟ । ସେତେବେଳେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଥିବାରୁ କେନ୍ଦ୍ର ସରକାରରେ ବିହାର ଲବିର ଗୁରୁତ୍ୱ ଅଧିକ ଥିଲା । ତେଣୁ ପ୍ରସ୍ତାବିତ ବୃହତ୍‌ ଇସ୍ପାତ ପ୍ରକଳ୍ପଟି ବିହାରକୁ ଚାଲିଯିବା ଏକରକମ ସ୍ଥିର ହୋଇ ସାରିଥିଲା । ଯେଉଁ ବୈଠକରେ ଏହା ସ୍ଥିର ହେଲା ସେହି ବୈଠକରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଓ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଯେତେବେଳେ ନିଷ୍ପତ୍ତି ହେଲା ଯେ ବିହାରରେ ହିଁ ଇସ୍ପାତ କାରଖାନା ହେବ, ସେତେବେଳେ ନବକୃଷ୍ଣ ଚୌଧୁରୀ କେବଳ ପଦେ ମାତ୍ର କଥା କହି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ଯଦି ଚାହୁଛନ୍ତି ଗରିବ ଓଡ଼ିଶାରେ ଇସ୍ପାତ କାରଖାନା ନ ହୋଇ ଧନୀ ବିହାରରେ ହେଉ, ତେବେ ମୋର କିଛି କହିବାର ନାହିଁ ।

 

ଓଡ଼ିଶା ଗରିବ ଥିଲା ଗରିବ ହୋଇ ରହିବ । ଏହା କହି ସେ ବୈଠକ ଛାଡ଼ି ଉଠି ଆସିବା ବେଳକୁ ପଣ୍ଡିତ ନେହରୁ ତାଙ୍କୁ ଡାକି ବୁଝାଇଥିଲେ ଏବଂ ରାଉରକେଲାରେ ଇସ୍ପାତ କାରଖାନା କରିବାକୁ ପୁନର୍ବାର ନିଷ୍ପତ୍ତି ନେଇଥିଲେ । ଏ ସଂପର୍କରେ ମୁଁ ନୀଳମଣି ରାଉତରାୟଙ୍କଠାରୁ ଅନେକ ବାର ଶୁଣିଛି । ତାଙ୍କର ‘ସ୍ମୃତି ଓ ଅନୁଭୂତି’ରେ ମଧ୍ୟ ଏ କଥାର ଉଲ୍ଲେଖ ରହିଛି । ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ପରେ ୧୯୫୨ ମସିହାରେ ନବକୃଷ୍ଣ ଚୌଧୁରୀ ହେଲେ ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ । ତାଙ୍କରି ମୁଖ୍ୟମନ୍ତ୍ରୀତ୍ୱ କାଳରେ ଉଭୟ ରାଉରକେଲା ଇସ୍ପାତ କାରଖାନା ଓ ହୀରାକୁଦ ନଦୀବନ୍ଧ ଯୋଜନା ଚୂଡ଼ାନ୍ତ ହୋଇଥିଲା । ଏ ଦୁଇଟି ଯୋଜନା ଦେଶର ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲା-। ଏଥିପାଇଁ ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସହିତ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ନିକଟରେ ଓଡ଼ିଶାବାସୀ କୃତଜ୍ଞ । ତେବେ ଓଡ଼ିଶାର ଶିଳ୍ପାୟନ ପାଇଁ ବିଜୁ ପଟ୍ଟନାୟକ ଯେ ଅନେକ କିଛି କରିଛନ୍ତି ଏହା ସ୍ୱୀକାର କରିବାକୁ ପଡ଼ିବ । ସେ ୧୯୬୧ ମସିହାରେ ସଂଖ୍ୟାଗରିଷ୍ଠ କଂଗ୍ରେସ ଦଳର ନେତା ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ର୍ପୂବରୁ ୧୯୪୭ ମସିହାରୁ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହେଉଥିଲେ । ଏହି ସମୟରେ ସେ ପଣ୍ଡିତ ନେହରୁଙ୍କ ସହିତ ନିଜ ସଂପର୍କକୁ ବ୍ୟବହାର କରି ବ୍ୟକ୍ତିଗତ ଉଦ୍ୟମରେ କଳିଙ୍ଗ ଏୟାରଲାଇନ୍‌ସ, ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍‌ସ, କଳିଙ୍ଗ ଟିଉବ୍‌ସ ଆଦି ଅନେକ କଳକାରଖାନା ନିର୍ମାଣ କରିଥିଲେ । ଏହି ସମୟରେ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ହୋଇଥିବାରୁ ଏହା ପଛରେ ତାଙ୍କର ପ୍ରଚ୍ଛନ୍ନ ସହଯୋଗ ରହିଥାଇପାରେ । କିନ୍ତୁ ଏହାର ପୂର୍ଣ୍ଣ ଶ୍ରେୟ ନବକୃଷ୍ଣ ଚୌଧୁରୀ ଓ ପଣ୍ଡିତ ନେହରୁ ପାଇବା ଉଚିତ-

 

ଏଠାରେ ମୁଁ ଗୋଟିଏ କଥା କହିବାକୁ ଚାହେ ଯେ ଉଭୟ ନବକୃଷ୍ଣ ଚୌଧୁରୀ ଓ ବିଜୁ ପଟ୍ଟନାୟକ ନିଜ ନିଜ ଢଙ୍ଗରେ ଓଡ଼ିଶାର ଯଥେଷ୍ଟ ଉନ୍ନତି କରିଛନ୍ତି ଓ ନିଜସ୍ୱ ଆଦର୍ଶ ପ୍ରତିଷ୍ଠା କରିଯାଇଛନ୍ତି । ନବକୃଷ୍ଣ ଚୌଧୁରୀ ହେଲେ ଜଣେ ଋଷିପ୍ରତିମ ନେତା । ତାଙ୍କର ସମଗ୍ର ଜୀବନ ଥିଲା ସେବା ଓ ତ୍ୟାଗର ସାଧନା । ଲୋକମାନଙ୍କୁ ସାମୂହିକ ଉନ୍ନତି ପାଇଁ ତାଙ୍କ ଜୀବନ ଥିଲା ଉତ୍ସର୍ଗୀକୃତ । ଓଡ଼ିଶାରେ କୃଷି ଓ କୃଷକର ବିକାଶ ନ ହେଲେ ଏ ରାଜ୍ୟର ଆର୍ଥିକ ପ୍ରଗତି ସମ୍ଭବ ନୁହେଁ ବୋଲି ସେ ହୃଦ୍‌ବୋଧ କରିଥିଲେ ଏବଂ କୃଷକ ହାତକୁ ଚାଷ ଜମି ପ୍ରଦାନ କରିବା ପାଇଁ ସେ ଭୂସଂସ୍କାର ଆଇନ ପ୍ରଣୟନ କରିଥିଲେ ।

 

ଏହା ଥିଲା ତତ୍କାଳୀନ ଭାରତ ବର୍ଷର ଏକ ବୈପ୍ଳବିକ ପଦକ୍ଷେପ । ଓଡ଼ିଶାରେ ଅନେକ ସ୍ୱାର୍ଥପର ନେତାଙ୍କ ଚକ୍ରାନ୍ତ ଫଳରେ ଏ ଆଇନ କାର୍ଯ୍ୟକାରୀ ହୋଇ ନ ଥିଲେ ମଧ୍ୟ ଉତ୍ତରପ୍ରଦେଶ ଓ ପରେ ପଶ୍ଚିମବଙ୍ଗ ସରକାର ଏହି ଆଇନକୁ ଆଦର୍ଶ ଭାବେ ଗ୍ରହଣ କରି ଏହିପରି ଏକ ଭୂସଂସ୍କାର ଆଇନ କାର୍ଯ୍ୟକାରୀ କରିଥିଲେ । ଯେଉଁଥିପାଇଁ ଏ ଉଭୟ ରାଜ୍ୟର କୃଷକମାନେ ଓଡ଼ିଶାର ଚାଷୀଙ୍କ ଅପେକ୍ଷା ଅପେକ୍ଷାକୃତ ଉନ୍ନତି ଓ ଧନୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାବାସୀଙ୍କ ପାଇଁ ସାହସ ଓ ସ୍ୱାଭିମାନର ପ୍ରତୀକ । ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଓଡ଼ିଶାର ଶିଳ୍ପସମୃଦ୍ଧି ପାଇଁ ସେ ସଫଳତାର ସହିତ ଅନେକ ଉଦ୍ୟମ କରିଥିଲେ । ବିଜୁବାବୁ ଓଡ଼ିଶାର ପ୍ରଥମ ଦଫା ମୁଖ୍ୟମନ୍ତ୍ରୀ ହେଲା ପରେ ପାରାଦୀପ ବନ୍ଦର ସମେତ ଅନ୍ୟ ବହୁ ଶିଳ୍ପ ପ୍ରକଳ୍ପ ଆରମ୍ଭ କରିଥିଲେ । ସେତେବେଳେ ଏ ରାଜ୍ୟର ଅନେକ କମ୍ୟୁନିଷ୍ଟ ନେତା ପାରାଦୀପ ବନ୍ଦର ସମେତ ଓଡ଼ିଶାର ଏହି ଶିଳ୍ପାୟନ ପ୍ରକ୍ରିୟାକୁ ତୀବ୍ର ବିରୋଧ କରୁଥିଲେ ।

 

ସେତେବେଳେ ଯେଉଁ ଛାତ୍ରମାନେ କମ୍ୟୁନିଷ୍ଟ ଆନ୍ଦୋଳନରେ ସାମିଲ ଥିଲେ ସେମାନେ ମଧ୍ୟ ବିଜୁବାବୁଙ୍କୁ ନିନ୍ଦିତ କରିବା ପାଇଁ ଅନେକ ପ୍ରକାର ମିଥ୍ୟା ଅଭିଯୋଗ ଆଣିଥିଲେ । ସେହି କମ୍ୟୁନିଷ୍ଟମାନଙ୍କ ମଧ୍ୟରୁ ଅନେକ ଆଜି ବିଜୁ ଲିଗାସିର ପ୍ରବକ୍ତା ସାଜିଛନ୍ତି; ଏହା ଏକ ବିଡ଼ମ୍ବନା ।

 

ପ୍ରସଙ୍ଗତଃ ଏଠାରେ କହିବାକୁ ଚାହେ ଯେ ଓଡ଼ିଶାର ଏହି ଦୁଇ ପ୍ରାତଃସ୍ମରଣୀୟ ନେତାଙ୍କୁ ନେଇ ଗଣସଭା କିମ୍ବା ଗଣମାଧ୍ୟମରେ ବିବାଦ ସୃଷ୍ଟି କରିବା ଆଦୌ ସ୍ପୃହଣୀୟ ନୁହେଁ । ଏମାନଙ୍କ ସଂପର୍କରେ ମିଥ୍ୟା ପ୍ରଚାର କରିବା ମଧ୍ୟ ସୁସ୍ଥ ପରମ୍ପରା ନୁହେଁ ।

 

ବିଧାୟକ, ଏରସମା ସମ୍ବାଦ, ୨୫ ଅଗଷ୍ଟ, ୨୦୦୮

Image

 

ଚତୁର ଚାଣକ୍ୟ

 

ପ୍ୟାରୀମୋହନ ମହାପାତ୍ରଙ୍କ ସହ ନବୀନ ପଟ୍ଟନାୟକ ପଥମ ସାକ୍ଷାତ କିଭଳି ପରିବେଶରେ ହୋଇଥିଲା ଜଣାନାହିଁ, ମାତ୍ର ଇତିହାସର ଚାଣକ୍ୟଙ୍କ ସହ ଚନ୍ଦ୍ରଗୁପ୍ତଙ୍କ ପ୍ରଥମ ସାକ୍ଷାତ ଏକ ନାଟକୀୟ ପରିବେଶରେ ହୋଇଥିଲା । ନନ୍ଦ ରାଜଦରବାରରୁ ଅପମାନିତ ଚାଣକ୍ୟ ଦ୍ରୁତ ପାଦରେ ରାସ୍ତାରେ ଯାଉ ଯାଉ ଗୋଟେ ଘାସମୂଳକୁ ଝୁଣ୍ଟି ତଳେ ପଡ଼ିଯାଇଥିଲେ । ତାଙ୍କ ଜାଗାରେ ଆଉ କେହି ଥିଲେ, ଗୋଡ଼ ଆଉଁସି ଆଉଁସି ସେଠୁ ପଳେଇ ଯାଇଥାଆନ୍ତେ । ମାତ୍ର ଚାଣକ୍ୟ ତାହା କଲେ ନାହିଁ । ସେଇ ଉଦୁଉଦିଆ ଖରାଟାରେ ସୁଦ୍ଧା ସେ ନୋଇଁ ପଡ଼ି ଘାସବୁଦାଟାକୁ ଉପାଡ଼ି ବସିଲେ । ଘାସବୁଦା ଉପୁଡ଼ିଯିବା ପରେ ସେ ଛାଡ଼ିଗଲେ ନାହିଁ । ଲୁହା ଖଣତିଟେ ସଂଗ୍ରହ କରି ମାଟି ତଳେ ଥିବା ଘାସର ମୂଳତକ ଗୋଟି ଗୋଟି କରି ନିର୍ମୂଳ କଲେ । ଡହଡହ ଖରାଟାରେ ଚାଣକ୍ୟଙ୍କର ଘାସ ଉପାଡ଼ିବା ଦୃଶ୍ୟକୁ ଲକ୍ଷ୍ୟ କରୁଥିଲେ, କିଛି ଦୂରରେ ବସିଥିବା ଚନ୍ଦ୍ରଗପ୍ତ । ସେ ଯାଇ ଏଇ ବ୍ରାହ୍ମଣଙ୍କୁ ପରିଚୟ ମାଗିଲେ ଏବଂ ଘାସକୁ ଏପରି ନିର୍ମୂଳ କରିବାର କାରଣ ପଚାରିଲେ । ଚାଣକ୍ୟ କହିଥିଲେ, ‘କରଜକୁ ଯେମିତି ଶେଷ ପାହୁଲା ପର୍ଯ୍ୟନ୍ତ ପରିଶୋଧ କରିବା ଦରକାର, ଶତ୍ରୁକୁ ସେମିତି ସଂପୂର୍ଣ୍ଣ ଭାବରେ ନିର୍ମୂଳ କରିବା ଦରକାର ।’ ଏହା ପରର କଥା ଇତିହାସ ।

 

ନନ୍ଦ ଦରବାରରୁ ଅପମାନିତ ହୋଇ ଚାଣକ୍ୟ ଚାଲିଗଲା ଆଗରୁ ରାଜା ନନ୍ଦଙ୍କୁ ସେ କହିଥିଲେ, ‘ତୁମେ ମୋତେ ମୋର ନ୍ୟାଯ୍ୟ ସମ୍ମାନରୁ ବଞ୍ଚିତ କରିଅଛ । ମୁଁ ତୁମକୁ ତୁମର ସିଂହାସନରୁ ଓହ୍ଲେଇ ଆଣିବି’ ଏବଂ ସେ ସେଇଆ କରି ଦେଖାଇ ଦେଇଥିଲେ ।

 

ସାଧାରଣ ଗଣିତରେଏକରେ ଏକ ମିଶିଲେ ଦୁଇ ହୁଏ । ମାତ୍ର କିଛି ଅସାଧାରଣ ମୁହୂର୍ତ୍ତରେ ଏକରେ ଏକ ମିଶି ଏଗାର ହୁଏ । ଦି’ଜଣ ବ୍ୟକ୍ତିଙ୍କର ସାଧାରଣ ଦେଖାସାକ୍ଷାତ ଅସାଧାରଣ ସଂପର୍କ ଗଢ଼ିଦିଏ । ନବୀନ ପଟ୍ଟନାୟକ ଏବଂ ପ୍ୟାରୀମୋହନ ମହାପାତ୍ରଙ୍କ ଦେଖାସାକ୍ଷାତ ଏହି ପର୍ଯ୍ୟାୟର । ଏମାନଙ୍କର ପ୍ରଥମ ସାକ୍ଷାତ ଯେଉଁ ମୁହୂର୍ତ୍ତରେ ହୋଇଥାଉନା କହିଁକି, ତାହା ଯେ ଏକ ଐତିହାସିକ ମୁହୂର୍ତ୍ତ ଥିଲା, ଏଥିରେ ଆମ ଦ୍ୱିମତ ନାହିଁ ।

 

୨୦୦୯ ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ଅନେକ ଜ୍ୟୋତିଷ, ଦଳୀୟ ନେତା ଏବଂ ରାଜନୈତିକ ବିଶ୍ଳେଷକ ଅନେକ କଥା କହିଥିଲେ । ମାତ୍ର କେବଳ ଜଣଙ୍କର କଥା ଛାଡ଼ିଦେଲେ ଆଉ କାହାରି କଥା ସତ ହୋଇନାହିଁ ଏବଂ ସେ ଜଣକ ହେଉଛନ୍ତି ପ୍ୟାରୀମୋହନ ମହାପାତ୍ର । ମଇ ୧୬ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବାର ବହୁ ଆଗରୁ ସେ ଏକଥା ମଧ୍ୟ କହିଥିଲେ ଯେ, ‘‘ମୁଁ କ’ଣ କରିବି ? ସଂଖ୍ୟାଗୁଡ଼ିକ ତ ତଳକୁ ଯିବାପାଇଁ ଚାହୁନାହାନ୍ତି । ବିଜୁ ଜନତା ଦଳ ସର୍ବନିମ୍ନ ୮୫ ବିଧାନସଭା ଏବଂ ବାରଟି ଲୋକସଭା ଆସନ ପାଇବ । ଏହାଠାରୁ ଅଧିକ ଆସନ ସୁଦ୍ଧା ଆମକୁ ମିଳିପାରେ ।’’ ତାଙ୍କର ଏହି କଥାକୁ ସେତେବେଳେ ବାହାସ୍ଫୋଟ ବୋଲି କହି ହସରେ ଉଡ଼େଇ ଦେଇଥିବା ଲୋକମାନେ ଆଜି ଅବଶ୍ୟ ଅଭିଯୋଗ କରୁଛନ୍ତି- ପ୍ୟାରୀବାବୁ ଇଭିଏମ୍‌ କାରସାଦି କରି ଏହି ଅସମ୍ଭବକୁ ସମ୍ଭବ କରେଇ ପାରିଛନ୍ତି । ମାତ୍ର ସେମାନଙ୍କର ଏହି ଅଭିଯୋଗ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ । ଆଉ ବାସ୍ତବରେ ଯଦି ତାହା ସତ୍ୟ ହୋଇଥାଏ, ତାହାହେଲେ ଶ୍ରୀ ମହାପାତ୍ର କେତେଦୂର ପାରଙ୍ଗମ ତାହା ମଧ୍ୟ ଚିନ୍ତା କରିବାପାଇଁ ପଡ଼ିବ ।

 

କିମ୍ବଦନ୍ତୀ ଅନୁସାରେ, ଜନ୍ମହେଲା ବେଳକୁ ବି ଚାଣକ୍ୟଙ୍କର ସବୁଯାକ ଦାନ୍ତ ଉଠି ସାରିଥିଲା । ଲୋକ ବିଶ୍ୱାସ ଅନୁସାରେ, ଯେଉଁ ଶିଶୁ ପାଖରେ ଏପ୍ରକାର ଲକ୍ଷଣ ଦେଖାଯାଏ, ସିଏ ଖୁବ୍‌ ବୁଦ୍ଧିମାନ ହୁଏ ଏବଂ ବଡ଼ ହୋଇ ରାଜ୍ୟ ଶାସନ କରେ । ମାତ୍ର ସେତେବେଳର କ୍ଷତ୍ରିୟ ବଂଶରେ ଜନ୍ମ ହେଉଥିବା ଲୋକ ହିଁ କେବଳ ରାଜ୍ୟର ରାଜା ହେଉଥିଲେ । ତେଣୁ ଚାଣକ୍ୟଙ୍କର ଦାନ୍ତଗୁଡ଼ିକ ଅଧା ଭାଙ୍ଗି ଦିଆଯାଇଥିଲା । ତା ସତ୍ତ୍ୱେ ଜ୍ୟୋତିଷମାନେ ଭବିଷ୍ୟବାଣୀ କରିଥିଲେ ଯେ, ପ୍ରତ୍ୟକ୍ଷ ଭାବରେ ନହେଲେ ସୁଦ୍ଧା ଚାଣକ୍ୟ ପରୋକ୍ଷ ଭାବେ ରାଜ୍ୟ ଶାସନ କରିବେ ଏବଂ ସେମାନଙ୍କର ସେହି ଭବିଷ୍ୟବାଣୀ ସତ୍ୟ ହୋଇଥିଲା । ପ୍ୟାରୀମୋହନ ମହାପାତ୍ରଙ୍କ କଥା ଊଣାଅଧିକେ ସେଇଆ । ପ୍ରଥମେ ଜଣେ ପ୍ରଶାସକ ଭାବେ ସେ ଦୀର୍ଘବର୍ଷ ପରୋକ୍ଷ ଶାସନ କଲାପରେ ଗତ ଏଗାର ବର୍ଷ ହେଲା ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି ଏବଂ ତାଙ୍କ ଭବିଷ୍ୟବାଣୀ ଯଦି ସତ୍ୟ ହୁଏ ଆହୁରି ୧୦ ବର୍ଷ କାଳ ତାଙ୍କ ବିଜୁ ଜନତା ଦଳ ଓଡ଼ିଶା ଶାସନ ଦାୟିତ୍ୱରେ ରହିବ-

 

ପ୍ୟାରୀମୋହନ, ନିଜ ସଂପର୍କରେ ‘ଚାଣକ୍ୟ’ ଇମେଜ୍‌କୁ ଗ୍ରହଣ କଲେ ସୁଦ୍ଧା କଂଗ୍ରେସ ନେତା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସହ ତାଙ୍କର ତୁଳନାକୁ ନାପସନ୍ଦ କରନ୍ତି । ସେ କହନ୍ତି, ଜାନକୀବାବୁଙ୍କୁ ଚାଣକ୍ୟ ବୋଲି କୁହାଯିବା ଠିକ୍‌ ନୁହେଁ । କାରଣ, ଚାଣକ୍ୟ କେତେବେଳେ ସିଧାସଳଖ ଶାସନ ଗାଦିରେ ବସି ନଥିଲେ । ସିଏ କେବଳ ‘କିଙ୍ଗ୍‌ ମେକର୍‌’ ଭୂମିକାରେ କାମ କରୁଥିଲେ । ନିଜ ସମ୍ପର୍କରେ ସେ କହନ୍ତି ଯେ ସେ ବିଜୁ ଜନତା ଦଳର କର୍ମୀ । ତାଙ୍କ ଦାୟିତ୍ୱ ହେଲା କାମ କରିଯିବା । ତେବେ ଶ୍ରୀ ମହାପାତ୍ର ଛଦ୍ମ-ବିନୟ ଭାବ ଯୋଗୁଁ ନିଜକୁ ଜଣେ କର୍ମୀ ବୋଲି କହିଲେ ମଧ୍ୟ ସିଏ ଯେ ନବୀନ ପଟ୍ଟନାୟକଙ୍କର ଜଣକିଆ ‘ଥିଙ୍କ୍‌ ଟ୍ୟାଙ୍କ୍‌’ ଏକଥା ସମସ୍ତେ ଜାଣନ୍ତି । ତେବେ ସେ ଦିଗକୁ ଯିବା ଆଗରୁ ପ୍ୟାରୀବାବୁଙ୍କ ଶବ୍ଦରେ ‘କର୍ମୀ’ର ପରିଭାଷା କ’ଣ ତାହା ଶୁଣିବା ଉଚିତ । ଶ୍ରୀ ମହାପାତ୍ର କହନ୍ତି, ‘ଯିଏ ହାରିକି କାମ କରେ ସିଏ କର୍ମୀ, ଯିଏ ଜିତିକି ସୁଦ୍ଧା କାମ କରେ ନାହିଁ ସିଏ ନେତା ।’’ ଏ ମନ୍ତବ୍ୟ ପଛରେ ତଥାକଥିତ ନେତାମାନଙ୍କ ପ୍ରତି ତାଙ୍କର ବିଦ୍ରୂପ ଅବଶ୍ୟ ଅସ୍ପଷ୍ଟ ନୁହେଁ ।

 

ପାଟଳିପୁତ୍ରର ଚାଣକ୍ୟଙ୍କ ସଂପର୍କରେ କୁହାଯାଏ ଯେ, ସେ ଯାହା ପଢୁଥିଲେ ତାହା ତାଙ୍କର ମୁଖସ୍ଥ ହୋଇଯାଉଥିଲା । ବିଜୁ ଜନତା ଦଳର ଚାଣକ୍ୟ ପ୍ୟାରୀମୋହନ ମହାପାତ୍ର ମଧ୍ୟ ସଂଖ୍ୟାଗୁଡ଼ିକ ମୁଖସ୍ଥ କରି ରଖିପାରନ୍ତି । ୨୦୦୭ର ପଞ୍ଚାୟତ ନିର୍ବାଚନ ପାଖରୁ ଆରମ୍ଭ କରି କଟକ, ଭୁବନେଶ୍ୱର ଏବଂ ବାରିପଦା ପୌର ନିର୍ବାଚନ ପର୍ଯ୍ୟନ୍ତ ପ୍ରତିଟି ନିର୍ବାଚନରେ ତାଙ୍କର ନିଜ ଦଳ ସହ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି କେଉଁଠୁ କେତେ ଭୋଟ ପାଇଛି ତାହା ପ୍ରାୟତଃ ତାଙ୍କର ମୁଖସ୍ଥ । ସେଇଥିପାଇଁ ସିଏ, ଭାରତୀୟ ଜନତା ପାର୍ଟିର ହାତ ଛାଡ଼ିଦେବା ଲାଗି ନବୀନବାବୁଙ୍କୁ ଏକରକମର ବାଧ୍ୟ କରିଥିଲେ । ଏଥିନିମନ୍ତେ ନବୀନବାବୁ ପ୍ରଥମେ କୁଣ୍ଠିତ ଥିଲେ ମଧ୍ୟ ପ୍ୟାରୀମୋହନଙ୍କ ଦକ୍ଷତା ସଂପର୍କରେ ଭଲ ଭାବେ ଅବଗତ ଥିବାରୁ ସେ ମାର୍ଚ ୭ ତାରିଖରେ ଭାରତୀୟ ଜନତା ପାର୍ଟିକୁ ‘ସାଂପ୍ରଦାୟିକ’ ଦଳ କହି ମେଣ୍ଟ ଭାଙ୍ଗିଦେଲେ । ସେତେବେଳେ ପର ପାଟିରେ ପିଠା ଖାଉଥିବା ଭାରତୀୟ ଜନତା ପାର୍ଟି ଅବଶ୍ୟ ବଡ଼ ପାଟିରେ ନବୀନବାବୁଙ୍କୁ ‘ବିଶ୍ୱାସଘାତକ’ ବୋଲି ଭର୍ତ୍ସନା କରିବା ସହ, ଆଗରୁ କାହିଁକି ମେଣ୍ଟ ଛାଡ଼ିଲ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏ ସଂପର୍କରେ ନବୀନବାବୁ ସ୍ପଷ୍ଟ ଭାବରେ କିଛି କହି ନଥିଲେ ସୁଦ୍ଧା ଏସବୁ ଯେ ପ୍ୟାରୀମୋହନଙ୍କ ସ୍ଥିରୀକୃତ ତିଥି ଓ ବାର ଅନୁଯାୟୀ ସଂପନ୍ନ ହୋଇଥିଲା ତାହା କାହାରିକୁ ଅଛପା ନାହିଁ । ଚାଣକ୍ୟ ନୀତିରେ କୁହାଯାଇଛି, କ’ଣ କରୁଛ ଅପେକ୍ଷା କେତେବେଳେ ସେ କର୍ମଟି କରୁଛ ତାହା ଗୁରୁତ୍ୱପୂର୍ଣ୍ଣ । ବାସ୍ତବ ପକ୍ଷେ ନବୀନ ପଟ୍ଟନାୟକଙ୍କର ସବୁଯାକ ପଦକ୍ଷେପ ପଛରେ ‘ଠିକଣା ସମୟ’ ନୀତିର ପ୍ରୟୋଗ ଲକ୍ଷଣୀୟ । ୨୦୦୪ରେ ବିଜୟ ମହାପାତ୍ରଙ୍କ ଟିକେଟ୍‌ କାଟିବାଠାରୁ ନେଇ ୨୦୦୯ରେ କନ୍ଧମାଳ ଘଟନାକୁ ନେଇ ମେଣ୍ଟ ଭାଙ୍ଗି କମ୍ୟୁନିଷ୍ଟ ପାର୍ଟି ଓ ଏନ୍‌.ସି.ପି ସହ ସଂପର୍କ ଯୋଡ଼ିବା ପର୍ଯ୍ୟନ୍ତ ସବୁକଥାରେ ଏହି ତତ୍ତ୍ୱ ଲକ୍ଷ୍ୟ କରାଯାଇପାରେ ।

 

ଚାଣକ୍ୟଙ୍କର ଅନ୍ୟ ଗୋଟିଏ ନୀତି ହେଲା, ସବୁବେଳେ ନିୟମ ମାନି ଚାଲିବା ବୁଦ୍ଧିମତ୍ତାର ପରିଚୟ ନୁହେଁ । ଜଙ୍ଗଲରେ ସିଧାସଳଖ ବଢ଼ିଥିବା ଗଛକୁ ଶୀଘ୍ର କାଟି ଦିଆଯାଏ, ମାତ୍ର ବଙ୍କାତେଢ଼ା ଗଛଗୁଡ଼ିକ ସେମିତି ନିରାପଦରେ ଜଙ୍ଗଲରେ ବଢୁଥାଆନ୍ତି । ପ୍ୟାରୀମୋହନ ରାଜନୀତିରେ ଏହି ନୀତିର ପ୍ରୟୋଜନୀୟତାକୁ ଭଲ ଭାବେ ବୁଝନ୍ତି । ତେଣୁ ୨୦୦୯ ମାର୍ଚ ୧୦ ତାରିଖରେ ବିଧାନସଭାର ଆସ୍ଥା ଲୋଡ଼ିବାବେଳେ ସେ ନିୟମକୁ ଯେମିତି ବଙ୍କେଇବାକୁ କୁଣ୍ଠା କରିନାହାନ୍ତି ସେମିତି ନର୍ବାଚନ ପରିଚାଳନାରେ ସରକାରୀ କଳ, ତନ୍ତ୍ର ଓ ଯନ୍ତ୍ରର ‘ସଦୁପଯୋଗ’ କରିବା ଦିଗରେ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି । ଏହାଙ୍କର ଆଉ ଏକ ନୀତି ହେଲା, ଶତ୍ରୁକୁ ସଂପୂର୍ଣ୍ଣ ଭାବେ ଶେଷ କରି ତା’ପରେ ନିଶ୍ୱାସ ନେବ । ଦରମଲା ଭାବି ଶତ୍ରୁକୁ ଛାଡ଼ିଦେବା ବୋକାମି । ସେଥିପାଇଁ ପ୍ୟାରୀମୋହନ ସର୍ବସମକ୍ଷରେ ଘୋଷଣା କରନ୍ତି, ସେ ବଞ୍ଚିଥିବା ଯାଏ ବିଜୟ ମହାପାତ୍ରଙ୍କୁ ଓଡ଼ିଶା ବିଧାନସଭା ଭିତରକୁ ପୂରେଇ ଦେବେ ନାହିଁ । ନିର୍ବାଚନ ପ୍ରଚାର ବେଳେ ତାଙ୍କର ଏହି ଘୋଷଣା ଶୂନ୍ୟଗର୍ଭ ମନେହେଉଥିଲା । ମାତ୍ର ବର୍ତ୍ତମାନ ନୁହେଁ ।

 

୬୯ ବର୍ଷ ବୟସ୍କ ପ୍ୟାରୀମୋହନଙ୍କ ଦିନ ଆରମ୍ଭ ହୁଏ ସକାଳ ପାଞ୍ଚଟାରୁ । କିଛି ସମୟ ସକାଳବୁଲା ସାରିବା ପରେ ସେ ଘରକୁ ଫେରି ପ୍ରାୟ ଚଉଦ ପନ୍ଦର ଖଣ୍ଡ ଖବରକାଗଜ ଉପରେ ଆଖି ବୁଲେଇ ଆଣନ୍ତି । ସେତେବେଳକୁ ଦର୍ଶନାର୍ଥୀଙ୍କ ଭିଡ଼ ବଢ଼ି ସାରିଥାଏ । ପ୍ୟାରୀମୋହନଙ୍କ ଦିନ ସେତିକିବେଳୁ ଆରମ୍ଭ ହୋଇଯାଏ । ଚାଣକ୍ୟ ନୀତିଶାସ୍ତ୍ରରେ କହିଛନ୍ତି ସକାଳ ଜୁଆଖେଳ, ଅପରାହ୍‌ଣ ନାରୀ ଚର୍ଚ୍ଚା ଏବଂ ରାତି ଚୋରି ବିଦ୍ୟା ଆଲୋଚନାରେ ବିତିବା ଦରକାର । ସାଧାରଣ ଲୋକେ ଲୌକିକ ଅର୍ଥରେ ଏସବକୁ ଗ୍ରହଣ କରିପାରନ୍ତି । ମାତ୍ର ଏସବୁର ମର୍ମାର୍ଥ ହେଲା ଜୁଆଖେଳର ଅର୍ଥ ମହାଭାରତ ବା ରାଜନୀତି, ନାରୀ ଚର୍ଚ୍ଚା ଅର୍ଥ ରାମାୟଣ ଓ ନୀତିଶାସ୍ତ୍ର ଏବଂ ଚୋରିବିଦ୍ୟା ଅର୍ଥ ଶ୍ରୀମଦ୍‌ ଭାଗବତ ବା ଦର୍ଶନ ଚର୍ଚ୍ଚା । ମହାଭାରତରେ ଯୁଧିଷ୍ଠିରଙ୍କ ଜୁଆଖେଳ, ରାମାୟଣରେ ସୀତାଙ୍କ ପରାକାଷ୍ଠା ଏବଂ ଭାଗବତରେ ଲହୁଣି ଚୋରି କରିଥିବା କୃଷ୍ଣଙ୍କ ବ୍ୟାଖ୍ୟାନ ହୋଇଥିବାରୁ, ଚାଣକ୍ୟ ଏହି ଶାସ୍ତ୍ରତ୍ରୟକୁ ଏପରି ସାଙ୍କେତିକ ଢଙ୍ଗରେ ଉଲ୍ଲେଖ କରିଛନ୍ତି । ପ୍ୟାରୀମୋହନ ମହାପାତ୍ର ରାଜନୀତି ଚର୍ଚ୍ଚା ସହ ଶତ୍ରୁ ଶିବିରରେ ଥିବା ନିଜର ଗୁଇନ୍ଦାମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରନ୍ତି, ତା’ପରେ ରଣକୌଶଳ ସ୍ଥିର କରନ୍ତି ଏବଂ ଶେଷରେ କି ପଦକ୍ଷେପ ନେବାକୁ ପଡ଼ିବ ସେକଥା ନବୀନ ପଟ୍ଟନାୟକଙ୍କୁ ଜଣାଇ ଦିଅନ୍ତି । ନବୀନ ପଟ୍ଟନାୟକ କୁଆଡ଼େ ପ୍ୟାରୀମୋହନଙ୍କ ନିର୍ଦେଶିତ ସ୍ଥାନରେ ହିଁ କେବଳ ଦସ୍ତଖତଟି କରନ୍ତି । ପ୍ୟାରୀମୋହନଙ୍କୁ ନିକଟରୁ ଜାଣିଥିବା ଜଣେ ବିଧାୟକ କହନ୍ତି ଯେ ଶ୍ରୀ ମହାପାତ୍ର ଖୁବ୍‌ ସ୍ପଷ୍ଟବାଦୀ ଏବଂ ଦକ୍ଷତାକୁ ମୂଲ୍ୟ ଦିଅନ୍ତି । ଅନ୍ୟପକ୍ଷେ ବୁଲେଇ ବଙ୍କେଇ କଥା କହୁଥିବା ଲୋକଙ୍କୁ ସେ ପସନ୍ଦ କରନ୍ତି ନାହିଁ । ସେହିପରି ନିକଟରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ପ୍ୟାରୀମୋହନଙ୍କର ଏକାନ୍ତ ଅନୁଗତଙ୍କ ମତ ହେଲା, କଥା କହିବା ବେଳେ ‘ସାର୍‌’ କାହାରି ମୁହଁକୁ ଅନାନ୍ତି ନାହିଁ । ମନରଖା କଥା ବା ମିଛ କହିବା ତାଙ୍କୁ ଜଣାନାହିଁ । ଉଲ୍ଲେଖନୀୟ ଯେ ଇତିହାସର ଚାଣକ୍ୟଙ୍କର ମଧ୍ୟ ଏହି ଗୁଣ ବା ଅବିଗୁଣ ଥିଲା । ଶ୍ରୀ ମହାପାତ୍ରଙ୍କର ଆଉ ଏକ ଭଲ ଗୁଣ ହେଲା, ବ୍ୟସ୍ତବହୁଳ ରାଜନୈତିକ ଜୀବନ ସତ୍ତ୍ୱେ ସେ ପାରିବାରିକ ସମ୍ପର୍କ ଓ ଲୋକାଚାରକୁ ଯଥୋଚିତ ଗୁରୁତ୍ୱ ଦିଅନ୍ତି । ଆତ୍ମୀୟସ୍ୱଜନଙ୍କ ବାହା ବ୍ରତଘରେ ସେ ସପରିବାର ଯୋଗ ଦେଇଥାଆନ୍ତି ।

 

ପ୍ୟାରୀମୋହନ ଏବଂ ନବୀନଙ୍କ ଭିତରେ ଅନେକ ବୈଷମ୍ୟ ରହିଛି । ନବୀନବାବୁ ସବୁବେଳେ ଧଳା ରଙ୍ଗର ପଞ୍ଜାବୀ ପିନ୍ଧନ୍ତି, ମାତ୍ର ପ୍ୟାରୀମୋହନଙ୍କୁ ସବୁଜ ଓ ନାରଙ୍ଗୀ ରଙ୍ଗର ପଞ୍ଜାବୀ ଭଲ ଲାଗେ । ନବୀନ ଧୀରସ୍ଥିର ଓ ମିତବାକ୍‌, ମାତ୍ର ପ୍ୟାରୀମୋହନ କ୍ଷଣକୋପୀ ଏବଂ ମନକଥା ତୁରନ୍ତ କହି ପକାନ୍ତି । ନବୀନ ଗହଳିକୁ ଆଦୌ ସୁଖ ପଆନ୍ତି ନାହିଁ ମାତ୍ର ପ୍ୟାରୀମୋହନବାବୁ କର୍ମୀମାନଙ୍କ ସମାବେଶକୁ ଭଲ ପାଆନ୍ତି । ଉଭୟଙ୍କ ମଧ୍ୟରେ ବୈଚାରିକ ସିଦ୍ଧାନ୍ତକୁ ନେଇ ମଧ୍ୟ ତଫାତ ରହିଛି । ତେବେ ଉଭୟେ ଧର୍ମନିରପେକ୍ଷ । ନବୀନବାବୁ ବ୍ରାହ୍ମ ଏବଂ ମୂର୍ତ୍ତିପୂଜା ବିରୋଧୀ, ପ୍ୟାରୀମୋହନ ସାମ୍ୟବାଦୀ । ବାର୍ଧକ୍ୟ, ହାର୍ଟ ସର୍ଜରି କିମ୍ବା ଅନ୍ୟ କିଛି ବ୍ୟକ୍ତିଗତ କାରଣ ଯୋଗୁଁ କିଛି ବର୍ଷ ହେଲା ପ୍ୟାରୀମୋହନ ନିଜକୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିଦେଇଥିବା କହନ୍ତି । (କୋରାପୁଟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପଛରେ ତାଙ୍କର ଅବଦାନ ସର୍ବଜନ ସ୍ୱୀକୃତ) । ତେବେ ନବୀନ ଏବଂ ପ୍ୟାରୀମୋହନଙ୍କ ମଧ୍ୟରେ ବଡ଼ ପାର୍ଥକ୍ୟ ହେଲା, ନବୀନଙ୍କ ଭିତରେ କିଛି ଆବେଗ ଅଛି, ମାତ୍ର ପ୍ୟାରୀମୋହନ ନିର୍ମମ ଏବଂ କ୍ଷମାହୀନ । ତାଙ୍କ ସହ ସାମାନ୍ୟ ଶତ୍ରୁତା ଆଚରଣ କରିଥିବା ବ୍ୟକ୍ତିକୁ ସେ କଦାପି କ୍ଷମା କରନ୍ତି ନାହିଁ । ଆଜି ପର୍ଯ୍ୟନ୍ତ, ରାଜ୍ୟର ମୁଖ୍ୟ ଶାସନ ସଚିବ ନହୋଇ ପାରିଥିବା ଯୋଗୁଁ ସେ ଯେମିତି କଂଗ୍ରେସ ଦଳ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଠାରୁ ଦୂରେଇ ଦେଇଥିବା କାରଣ ଯୋଗୁଁ ସେ ବିଜୟ ମହାପାତ୍ର, ନଳିନୀ ମହାନ୍ତି ଏବଂ ଦିଲୀପ ରାୟ ପ୍ରମୁଖଙ୍କୁ ଭୁଲି ନାହାନ୍ତି ।

 

ପ୍ୟାରୀମୋହନଙ୍କ ଜନ୍ମ ୧୯୪୦ ଜାନୁଆରି ୨୫ରେ ତାଳଚେରରେ । ରାଜନୀତି ବିଜ୍ଞାନ ଏବଂ ଅର୍ଥଶାସ୍ତ୍ରରେ ଅଧ୍ୟୟନ ରେଭେନ୍‌ସା, ଆଲାହାବାଦ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ ଅଫ୍‌ ଇକନମିକ୍ସରୁ । ୧୯୬୩ରେ ଆଇ.ଏ.ଏସ୍‌ରେ ଯୋଗଦାନ । ଚାକିରି କାଳ ଭିତରେ ସେ ତୁଲେଇଥିବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱଗୁଡ଼ିକ ହେଲା କେନ୍ଦୁଝରରେ ଜିଲ୍ଲାପାଳ, ଦଣ୍ଡାକାରଣ୍ୟ ପ୍ରକଳ୍ପରେ ମୁଖ୍ୟ ପ୍ରଶାସକ, ରାଜସ୍ୱ ବିଭାଗର କମିସନର, ମୁଖ୍ୟ ନିର୍ବାଚନ ଅଧିକାରୀ, ଖଣି-ଇସ୍ପାତ ବିଭାଗର ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ରାଜସ୍ୱ ପରିଷଦ ସଭ୍ୟ ଏବଂ ଗୋପବନ୍ଧୁ ପ୍ରଶାସନିକ ଅକାଦେମୀର ମହାନିର୍ଦେଶକ । ମାନସିକ ସ୍ତରରେ ବିଜୁ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ ଖୁବ୍‌ ଭଲ ଥିଲା ବୋଲି ଉଭୟଙ୍କୁ ଜାଣିଥିବା ରାଜନେତାମାନେ ମତ ଦିଅନ୍ତି । ତେବେ ବିଜୁବାବୁଙ୍କ ମୃତ୍ୟୁ ସମୟରେ ପ୍ୟାରୀମୋହନ ତାଙ୍କ ପାଖରେ ନଥିଲେ । ୧୯୯୭ରେ ବିଜୁବାବୁଙ୍କ ପରଲୋକ ପରେ ତାଙ୍କର ତତ୍କାଳୀନ ଅନୁଗତମାନେ ଯଥା ବିଜୟ ମହାପାତ୍ର, ଦିଲୀପ ରାୟ, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ ଏବଂ ଶରତ କର ପ୍ରମୁଖ ବିଜୁବାବୁଙ୍କ ପରିବାରରୁ ଜଣେ କେହି ଓଡ଼ିଶା ଆସନ୍ତୁ ବୋଲି ଅଡ଼ିବସିଥିଲେ । ବିଜୁବାବୁଙ୍କ ବଡ଼ପୁଅ ପ୍ରେମ ପଟ୍ଟନାୟକ ଏବଂ ଝିଅ ଗୀତା ମେହେଟ୍ଟା ଓଡ଼ିଶା ଆସିବାଲାଗି ମନା କରିବା ପରେ ସେ ଦାୟିତ୍ୱ ପଡ଼ିଥିଲା ରାଜନୀତି-ଉଦାସୀନ ନବୀନଙ୍କ ଉପରେ । ନବୀନ ଆସି ନବଗଠିତ ବିଜୁ ଜନତା ଦଳର ସଭାପତି ହେଲେ । ୨୦୦୦ ଲୋକସଭା ନିର୍ବାଚନ ବେଳକୁ ପ୍ୟାରୀମୋହନ ସ୍ୱର୍ଗତ ବିଜୁବାବୁଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ମାଧ୍ୟମରେ ନବୀନବାବୁଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରିସାରିଥିଲେ । କୁହାଯାଏ, ଜ୍ଞାନଦେବୀ ତାଙ୍କ ସାନପୁଅର ଦାୟିତ୍ୱ ପ୍ୟାରୀମୋହନଙ୍କ ହାତରେ ନ୍ୟସ୍ତ କରିଥିଲେ । ଅନ୍ୟପକ୍ଷରେ କିଛି ବରିଷ୍ଠ ନେତାଙ୍କ ଦାବି ଯେ ସେମାନେ ନେଇ ପ୍ୟାରୀବାବୁଙ୍କୁ ଜ୍ଞାନଦେବୀଙ୍କ ପାଖେ ପହଞ୍ଚାଇଥିଲେ । ଏହା ଭିତରୁ ସତ କଥାଟି ଯାହାହେଉନା କାହିଁକି ୨୦୦୪ ମସିହା ଏବଂ ନିର୍ଦ୍ଦିଷ୍ଟ ଭାବେ କହିଲେ ବିଜୟ ମହାପାତ୍ରଙ୍କ ଟିକେଟ୍‌ଟିକୁ ଶେଷ ମୁହୂର୍ତ୍ତରୁ କାଟିବା ପର୍ଯ୍ୟନ୍ତ ସମଗ୍ର ଓଡ଼ିଶା ପ୍ୟାରୀବାବୁଙ୍କ ଦକ୍ଷତା ଏବଂ ନବୀନବାବୁଙ୍କ ଉପରେ ତାଙ୍କ ପ୍ରଭାବ ସଂପର୍କରେ ସ୍ପଷ୍ଟ ଚିତ୍ର ପାଇ ନଥିଲା । ଟିକେଟ୍‌କଟା ଘଟନା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କଲା ଓ ତା’ପରଠାରୁ ପ୍ୟାରୀମୋହନଙ୍କ ସଂପର୍କରେ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଗଲା ଆଜି ପର୍ଯ୍ୟନ୍ତ ତାହା ବନ୍ଦ ହୋଇନାହିଁ । ଏହା ଭିତରେ ଯେଉଁମାନେ ପ୍ରଥମେ ତାଙ୍କୁ ନଜରଅନ୍ଦାଜ କରି ଏଡ଼େଇ ଦେବାକୁ ଚାହୁଁଥିଲେ ସେମାନେ ଦଳୀୟ ନେତା ହୁଅନ୍ତୁ କି ପ୍ରଶାସକ, ମନ୍ତ୍ରୀ ହୁଅନ୍ତୁ କି କର୍ମଚାରୀ ନେତା ସମସ୍ତେ ଘୂରି ଘୂରି ଆସି ତାଙ୍କର ବଶ୍ୟତା ସ୍ୱୀକାର କରିଛନ୍ତି । ସେ ବିଜୟ ଶ୍ରୀ ରାଉତରାୟ, ଦାମୋଦର ରାଉତ, ରଣେନ୍ଦ୍ର ପ୍ରତାପ, ଦେବାଶିଷ ନାୟକ କି ଦେବୀ ମିଶ୍ର ସମସ୍ତେ ପ୍ୟାରୀମୋହନଙ୍କ ଶରଣ ପଶିଛନ୍ତି । ଏପରିକି ଚିନ୍ତାଧାରା ଦୃଷ୍ଟିରୁ ତାଙ୍କର ଶତ୍ରୁ ବୈଜୟନ୍ତ ପଣ୍ଡା ନିଜର ନବୀନଙ୍କ ସହ ନିକଟ ସଂପର୍କ ଏବଂ ନିଜର ଅର୍ଥନୈତିକ ପ୍ରଭାବ ପ୍ରତିଷ୍ଠା ସତ୍ତ୍ୱେ ପ୍ୟାରୀମୋହନଙ୍କୁ ଖୋଲାଖୋଲି ସମାଲୋଚନା କରିବାକୁ ସାହସ କରିପାରନ୍ତି ନାହିଁ । ଯେଉଁମାନେ ପ୍ୟାରୀମୋହନଙ୍କ ବଶ୍ୟତା ସ୍ୱୀକାର କରିନାହାନ୍ତି ସେମାନେ ରାମକୃଷ୍ଣ ପଟ୍ଟନାୟକଙ୍କ ପରି ଦଳ ଛାଡ଼ି ଚାଲିଯିବା ଲାଗି ବାଧ୍ୟ ହୋଇଛନ୍ତି-। ୨୦୦୦ ମସିହାରୁ ବିଜୁ ଜନତା ଦଳ ଏକ୍‌ଜିକ୍ୟୁଟିଭ୍‌ କମିଟିର ସଦସ୍ୟ ଥିବା ପ୍ୟାରୀବାବୁ ୨୦୦୪ ପର୍ଯ୍ୟନ୍ତ ନବୀନଙ୍କର ପରାମର୍ଶଦାତା ଭାବେ ପରିଚିତ ଥିଲେ । ୨୦୦୪ ମସିହାରେ ହିଁ କୃତଜ୍ଞ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଲା ।

 

୨୦୦୯ ନିର୍ବାଚନ ହେବା ଆଗରୁ ଯେତେବେଳେ ଭାରତୀୟ ଜନତା ପାର୍ଟି ସହ ବିଜୁ ଜନତା ଦଳର ଏଗାର ବର୍ଷର ମେଣ୍ଟ ଭାଙ୍ଗିଗଲା, ସେତେବେଳେ କୁହାଗଲା ଯେ, ଏମିତି କରି ପ୍ୟାରୀବାବୁ ଦଳର ନିୟନ୍ତ୍ରଣକୁ ନିଜ ହାତକୁ ନେଇଗଲେ । ଏହାପରେ ସେ ବେଳ ଦେଖି ନବୀନଙ୍କ ପାଦତଳୁ କାର୍ପେଟ୍‌ ଘୋଷାରି ନେବେ । ଓଡ଼ିଶାର ଭାଷା ଓ ଓଡ଼ିଆଲୋକଙ୍କ କାରବାର ଜାଣି ନଥିବା ନବୀନ ପଟ୍ଟନାୟକ ଶେଷକୁ ହଟହଟା ହେବେ ଓ ଶିଶୁପାଳ ହୋଇ ଦିଲ୍ଲୀ ଫେରିଯିବେ । ଏକଥା ମଧ୍ୟ କେହି କେହି କହିଲେ ଯେ, ଏଥର ପ୍ୟାରୀମୋହନ ହିଁ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ତାହାହିଁ ତାଙ୍କର ‘ଗେମ୍‌ପ୍ଲାନ୍‌ ।’

 

ବସ୍ତୁତଃ ରାଜନୀତି ଓ ପ୍ରତାରଣା ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ କହିଲେ ଭୁଲ୍‌ ହେବ ନାହିଁ । ଆନ୍ଧ୍ରପ୍ରଦେଶରେ ଏନ୍‌.ଟି.ରାମାରାଓ-ଚନ୍ଦ୍ରବାବୁ ନାଇଡୁ ଉପାଖ୍ୟାନ ଏହାର ଦୃଷ୍ଟାନ୍ତ । ରାମାରାଓ ହିଁ ତାଙ୍କ ଜ୍ୱାଇଁ ଚନ୍ଦ୍ରବାବୁଙ୍କୁ ରାଜନୀତିକୁ ଆଣିଥିଲେ । ମାତ୍ର ଶେଷରେ ଜ୍ୱାଇଁ ଚନ୍ଦ୍ରବାବୁ ହେଲେ ରାମାରାଓଙ୍କ ପ୍ରତିପକ୍ଷ । ଭାରତର ରାଜନୀତିରେ ଏପରି ଦୃଷ୍ଟାନ୍ତ ବିରଳ ନୁହେଁ । ତେଣୁ ଓଡ଼ିଶାରେ ସେଭଳି ହେବା ବିଚିତ୍ର ନୁହେଁ ବୋଲି ଆଲୋଚନା ହେବା ସ୍ୱାଭାବିକ । ମାତ୍ର ଏପ୍ରକାର ଆଲୋଚନାର ଉତ୍ତରରେ ପ୍ୟାରୀମୋହନ କହନ୍ତି, ‘‘ମୁଁ ଏବଂ ନବୀନବାବୁ ଉଭୟ ଅବିଚ୍ଛେଦ୍ୟ । ଯେତେ ଯାହା ଚେଷ୍ଟା କଲେ ବି ଆମକୁ ପରସ୍ପରଠାରୁ କେହି ଅଲଗା କରିପାରିବେ ନାହିଁ ।’’

 

ତେବେ ପ୍ୟାରୀମୋହନଙ୍କ ଉପରେ ନବୀନବାବୁଙ୍କର ଏଭଳି ଅଗାଧ ବିଶ୍ୱାସର କାରଣ କ’ଣ ? ଏ ସମ୍ପର୍କରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳେ । ନିଜ ପରିଚୟ ଗୋପନ ରଖିବାକୁ ଚାହୁଁଥିବା ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା କହନ୍ତି, ନବୀନବାବୁ ବାଜପେୟୀ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିବା ସମୟରେ ଗୋଟିଏ ଘଟନା ଘଟିଥିଲା । ମୁକୁନ୍ଦ ଷ୍ଟିଲ୍‌ସର ଗୋଟିଏ ଫାଇଲ୍‌ ନବୀନବାବୁଙ୍କ ପାଖକୁ ଆସିଥିଲା । ସେଇ ସମୟରେ ପ୍ୟାରୀମୋହନବାବୁ ତାଙ୍କ ଆଡୁ ଯାଇ ‘ଡିଲ୍‌’ଟି ସ୍ଥିର କରିଦେଇଥିଲେ । ଏହି ଘଟଣା ପରେ ନବୀନବାବୁ ପ୍ୟାରୀବାବୁଙ୍କୁ ‘ବିଶ୍ୱାସଯୋଗ୍ୟ’ ବୋଲି ଭାବିଥିଲେ ଏବଂ ପ୍ୟାରୀବାବୁ ଭାବିଲେ ନବୀନବାବୁ ‘ବ୍ୟବହାର ଉପଯୋଗୀ’ । (ଏହି ପ୍ରସଙ୍ଗକୁ ଶ୍ରୀ ପ୍ୟାରୀମୋହନ ମହାପାତ୍ର ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ।) ସେତେବେଳକୁ ପ୍ୟାରୀବାବୁ ୧୯୯୦ରୁ ୧୯୯୪ ପର୍ଯ୍ୟନ୍ତ ବିଜୁବାବୁଙ୍କର ବଡ଼ ଅନୁଗତ ପ୍ରମୁଖ ସଚିବ ଥିଲେ ବୋଲି କଥାଟା ସୁପାରିସ ଭାବେ ନବୀନଙ୍କ ପାଖରେ ପହଞ୍ଚିଥିଲା ଏବଂ ଶେଷରେ ମାଆଙ୍କ ସାର୍ଟିଫିକେଟ୍‌ । ସ୍ୱଭାବ ଦୃଷ୍ଟିରୁ ନବୀନବାବୁ ନେତାଙ୍କ ଅପେକ୍ଷା ବ୍ୟୁରୋକ୍ରାଟ୍‌ଙ୍କୁ ଅଧିକ ବିଶ୍ୱାସ କରନ୍ତି ଏବଂ ବ୍ୟାବହାରିକ ଉପଯୋଗିତା ଦୃଷ୍ଟିରୁ ଓଡ଼ିଆ କହୁଥିବା ଲୋକଙ୍କ ଅପେକ୍ଷା ଇଂରାଜି କହୁଥିବା ଲୋକଙ୍କ ଉପରେ ଅଧିକ ନିର୍ଭର କରନ୍ତି । ସେଇ କାରଣରୁ ପ୍ୟାରୀମୋହନ ତାଙ୍କର ବିଶ୍ୱାସଭାଜନ ହୋଇଥିଲେ । ପୁଣି ପ୍ୟାରୀମୋହନଙ୍କ ମନରେ, ନନ୍ଦବଂଶ ପ୍ରତି ଚାଣକ୍ୟଙ୍କ ଘୃଣା ପରି କଂଗ୍ରେସ ଦଳ ପ୍ରତି ସମ ପରିମାଣରେ ଘୃଣା ଉଭୟଙ୍କ ଭିତରର ସଂପର୍କକୁ ନୂଆ ରସାୟନ ତତ୍ତ୍ୱରେ ମଜଭୁତ କରିଥିଲା ।

 

ଏକଥା ଦିବାଲେକ ପରି ସତ୍ୟ ଯେ ୨୦୦୯ରେ ଓଡ଼ିଶା ରାଜନୀତି ଅବସ୍ଥା ଯାହା ୨୦୦୦ ମସିହାରେ ତାହା ସେପରି ଥିଲା । ୧୯୯୦ରେ ୧୪୭ରୁ ୧୨୩ ବିଧାନସଭା ଆସନ ପାଇ ଆସିଥିବା ବିଜୁ ପଟ୍ଟନାୟକ ୫ ବର୍ଷ ପରେ ୧୯୯୫ରେ କ୍ଷମତାଚ୍ୟୁତ ହୋଇଥିଲେ । ୧୯୯୫ରୁ୨୦୦୦ ପର୍ଯ୍ୟନ୍ତ ଓଡ଼ିଶାରେ ଥିଲା କଂଗ୍ରେସ ଶାସନ । ଚତୁର ପ୍ୟାରୀମୋହନ ନବୀନଙ୍କ ପରାମର୍ଶଦାତା ଭୂମିକାକୁ ଆସି ଲକ୍ଷ୍ୟ କରିଥିଲେ ଯେ ବାଜପେୟୀଙ୍କ ଲାଗି ସାରାଦେଶରେ ଲୋକପ୍ରିୟତା ହାସଲ କରୁଥିବା ଭାରତୀୟ ଜନତା ପାର୍ଟିକୁ ‘ଜୁନିଅର ପାର୍ଟନର’ ଭାବେ ସାଙ୍ଗରେ ନେଲେ ବିଜେଡିର ବିଶେଷ କ୍ଷତି ନାହିଁ । ସେହିପରି ୨୦୦୪ ବେଳକୁ ‘ଇଣ୍ଡିଆ ସାଇନିଂ’ର ସମୟ । ତେଣୁ ଭାଜପା-ବିଜେଡି ମେଣ୍ଟ ରହିବା ନେଇ ପ୍ୟାରୀମୋହନଙ୍କର କୌଣସି ସମସ୍ୟା ନଥିଲା । ତେବେ ସେତେବେଳଠାରୁ ସେ ଲକ୍ଷ୍ୟ କରିଥିଲେ ଯେ, ନାଲି ଗାଡ଼ି ଓ ସରକାରୀ ବଙ୍ଗଳା ମୋହରେ ପଡ଼ି ଭାଜପାର ନେତାଏ ଲୋକଙ୍କଠାରୁ ଦୂରକୁ ଆସିଗଲେଣି । ସେତେବେଳେ ସେ ମନମୋହନ ସାମଲଙ୍କୁ ରାଜସ୍ୱ ମନ୍ତ୍ରୀ କରାଇ ଉପମୁଖ୍ୟମନ୍ତ୍ରୀ ପଦ ଆଶାୟୀ ବିଶ୍ୱଭୂଷଣଙ୍କୁ କଡ଼କିଆ କରି ଦେଇଥିଲେ । ସେତେବେଳକୁ ଆଉ ଗୋଟିଏ କଥା ମଧ୍ୟ ଘଟି ଚାଲିଥିଲା । ମେଣ୍ଟଧର୍ମ ଯୋଗୁଁ ଭାଜପା ମନ୍ତ୍ରୀମାନଙ୍କୁ ନବୀନ-ପ୍ୟାରୀ ଗାଦିଚ୍ୟୁତ କରିନପାରୁଥିଲେ ସୁଦ୍ଧା, ସମାନ କିମ୍ବା ତା’ଠାରୁ କମ୍‌ ଅପରାଧରେ ଅଭିଯୁକ୍ତ ନିଜ ଦଳର ମନ୍ତ୍ରୀମାନଙ୍କୁ ଗାଦିଚ୍ୟୁତ କରି ସେ ଭାଜପା ମନ୍ତ୍ରୀଙ୍କ ଅପକର୍ମଗୁଡ଼ିକୁ ଲୋକଙ୍କ ଆଗରେ ପକେଇ ଦେଇ ପାରୁଥିଲେ । ବିରାଡ଼ି କପାଳକୁ ଶିକା ଛିଣ୍ଡିବା ପରି ୨୦୦୮ ଅଗଷ୍ଟ ୨୩ ତାରିଖ (ଜନ୍ମାଷ୍ଟମୀ) ରାତିରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟନା ଘଟିଗଲା । କ୍ଷମତାଲୋଭୀ ଭାଜପାର ମନ୍ତ୍ରୀମାନେ ଏହା ସତ୍ତ୍ୱେ ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ନାହିଁ । ୨୦୦୭ ପଞ୍ଚାୟତ ନିର୍ବାଚନରେ ଅଲଗା ଅଲଗା ଓ ‘ବନ୍ଧୁତ୍ୱପୂର୍ଣ୍ଣ’ ନିର୍ବାଚନ ଲଢ଼ି ସଫଳ ହୋଇଥିବା ପ୍ୟାରୀମୋହନ ୨୦୦୯ ଜାନୁଆରିରେ ବଲାଙ୍ଗୀର ସଭାରେ ସ୍ପଷ୍ଟ ଶବ୍ଦରେ ଘୋଷଣା କଲେ, ବିଜେଡିର ଅନ୍ୟ କାହା ସହଯୋଗ ଆଉ ଆଦୌ ଲୋଡ଼ା ନାହିଁ । ସେ ଏକାକୀ ନିଜ ବଳରେ ୧୪୭ଟି ବିଧାନସଭା ଆସନ ଏବଂ ୨୧ଟି ଲୋକସଭା ଆସନରୁ ନିର୍ବାଚନ ଜିଣି ଆସିପାରିବ । ତାଙ୍କର ଏହି କଥାକୁ ସେ କଟକ, ଭୁବନେଶ୍ୱର ଏବଂ ବାରିପଦା ପୌର ନିର୍ବାଚନରେ ପ୍ରମାଣିତ କରି ଦେଖାଇଦେଲେ । ଯେତେବେଳେ ପ୍ୟାରୀବାବୁ ସାଧାରଣ ଗଣିତ ଓ ଜଟିଳ ଆଞ୍ଚଳିକ ପ୍ରସଙ୍ଗକୁ ନେଇ ରାଜୀନତିର ନୂଆ ସମୀକରଣ ବାହାର କରୁଥିଲେ, ସେତେବେଳେ ଭାରତୀୟ ଜନତା ପାର୍ଟି ଭାବୁଥିଲା ଯେ କଂଗ୍ରେସକୁ କ୍ଷମତାଠାରୁ ଦୂରେଇ ରଖିବାକୁ ଚାହୁଁଥିବା ପ୍ୟାରୀ- ନବୀନ କଦାପି ସେମାନଙ୍କ ହାତ ଛାଡ଼ିବେ ନାହିଁ । ନିର୍ବାଚନ ଆଗରୁ ପ୍ୟାରୀବାବୁଙ୍କ ରଣକୌଶଳକୁ ଭାରତୀୟ ଜନତା ପାର୍ଟି ଯେମିତି ଭୁଲ୍‌ ଭାବିଥିଲା, ନିର୍ବାଚନ ତାରିଖ ଘୋଷଣା ଓ ମେଣ୍ଟ ଭାଙ୍ଗିବା ପରେ, ନିଜର ସାମର୍ଥ୍ୟକୁ ନେଇ କଂଗ୍ରେସ ଦଳ ମଧ୍ୟ ସେମିତି ଭୁଲ୍‌ କରି ବସିଲା । ନିଜ ଆଡୁ କୌଣସି ଉଦ୍ୟମ ନକରି, କେବଳ ମେଣ୍ଟ ଭାଙ୍ଗିଯିବା କାରଣରୁ ହିଁ ଦ୍ୱୟ ବିବାଦେନ ତୃତୀୟସ୍ୟ ଲାଭ ଫର୍ମୁଲାରେ ସେମାନେ ଅବଶ୍ୟ ବିଜୟୀ ହେବେ ଏବଂ ଓଡ଼ିଶାର ଶାସନ କ୍ଷମତାକୁ ଫେରିବେ ବୋଲି କଂଗ୍ରେସ ସ୍ୱପ୍ନ ଦେଖିବାକୁ ଲାଗିଲେ । କଂଗ୍ରେସ ନେତାମାନଙ୍କର ଏହି ସ୍ୱପ୍ନ ଯେ କେବଳ ଦିବାସ୍ୱପ୍ନ ଥିଲା ତାହା ଆଜି ଜଳଜଳ କରି ଦିଶିଯାଉଛି ।

 

୨୦୦୯ ନିର୍ବାଚନରେ ପ୍ରାୟ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ ଯେମିତି ପ୍ୟାରୀମୋହନଙ୍କ ରଣକୌଶଳର ଗୋଟିଏ ବଡ଼ ଉଦାହରଣ, ରାଜନୈତିକ ଶତ୍ରୁ ବିଜୟ ମହାପାତ୍ରଙ୍କୁ ପ୍ରଥମେ ଏନ୍‌ସିପି ଭିତରେ ଏକଘରକିଆ କରି ପରେ ବିତାଡ଼ିତ କରାଇବା ଏବଂ ଶେଷରେ ପରାସ୍ତ କରାଇବା ମଧ୍ୟ ତାଙ୍କ ଚତୁରପଣର ଆଉ ଏକ ଉଦାହରଣ । ପ୍ୟାରୀମୋହନଙ୍କର ଏହି ରଣକୌଶଳ ପାଖରେ ଚାଣକ୍ୟଙ୍କ ଘାସମୂଳ ଉତ୍ପାଟନ କୌଶଳ ସୁଦ୍ଧା ଫିକା ପଡ଼ିଯିବାର ଆଶଙ୍କା ଚାଲିଛି ।

 

ସ୍ୱାଭାବିକ ଭାବରେ, ଏବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଅପେକ୍ଷା ପ୍ୟାରୀମୋହନଙ୍କ ବାସଭବନ ୧୧୧ ସହିଦନଗର ଆଗରେ ବେଶି ଭିଡ଼ । ବିଶିଷ୍ଟ ବ୍ୟକ୍ତିମାନେ କହୁଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ଆପଏଣ୍ଟ୍‌ମେଣ୍ଟ୍‌ ପାଇବା ସହଜ ମାତ୍ର ପ୍ୟାରୀବାବୁଙ୍କ ସହ ଆପଏଣ୍ଟ୍‌ମେଣ୍ଟ୍‌ ପାଇବା କଷ୍ଟ । ଏକଥାରୁ ଜଣାପଡ଼ିଯାଉଛି ଯେ, ଦିନକୁ ଦିନ ଏହି ଚତୁର ଚାଣକ୍ୟ କିପରି ନିଜର ଯୋଗ୍ୟତା ଏବଂ ରଣକୌଶଳ ନିର୍ଣ୍ଣୟରେ ଦକ୍ଷତା ଯୋଗୁଁ କ୍ଷମତାଶାଳୀ ହୋଇଉଠୁଛନ୍ତି ।

 

‘ରବିବାର ସମ୍ବାଦ’, ୨୪ ମେ, ୨୦୦୯

Image

 

କେମିତି ଅଛି କନ୍ଧମାଳ

 

ଜି.ଉଦୟଗିରି ପାଖରୁ ଗ୍ରେସିଙ୍ଗିଆ, ଗୁଡୁରିନାଜୁ ଓ ଗଦଗୁଡ଼ାକୁ ଯିବା ଲାଗି ରାସ୍ତା ଖଣ୍ଡେ ଅଛି । କିନ୍ତୁ ଆଜିକାଲି ସେ ରାସ୍ତାରେ ଗାଡ଼ି ନେବାକୁ ଡ୍ରାଇଭର ଅମଙ୍ଗ ହୁଅନ୍ତି । କାରଣଟା ଅବଶ୍ୟ କେବଳ ଭୟ ନୁହେଁ, ରାସ୍ତା ଦି’ କଡ଼ର ଜଙ୍ଗଲିଆ ବୁଦା ବଢ଼ି ବଢ଼ି ରାସ୍ତାକୁ ଘୋଡ଼େଇ ପକେଇଲେଣି । ଗଲା ଦି’ ମାସ ହେଲା ଏ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ଥିବା ଯୋଗୁଁ ବଣୁଆ ବୁଦା ଅନେକ ବଢ଼ିଯାଇଛି । କଣ୍ଟାଝଣ୍ଟା ଲାଗି ଗାଡ଼ିରେ ଗୁଡ଼ାଏ ଦାଗ ହୋଇଯାଏ । ତେଣୁ ଡ୍ରାଇଭର ଅମଙ୍ଗ । ସେମିତି ଲେବଗୁଡ଼ା, ଲିକରିମାହା, ଡକେଡ଼ି ଗାଁ କ୍ଷେତରେ ଧାନଗଛ ପାଚି ଆସିଲାଣି । ମାତ୍ର ଅମଳ କରିବାକୁ ଲୋକ ନାହାନ୍ତି । ଗାଁର ଲୋକମାନେ ଯାଇ କିଏ କୁଆଡ଼େ ରିଲିଫ୍‌ କ୍ୟାଂପ୍‌ରେ । ଘରକୁ ଫେରିଗଲେ ଘରଭଙ୍ଗା ଟଙ୍କା ମିଳିବ ବୋଲି ପ୍ରଶାସନର ଘୋଷଣା ସତ୍ତ୍ୱେ ସେମାନେ ଫେରୁନାହାନ୍ତି । ଡରୁଛନ୍ତି ।

 

କନ୍ଧମାଳ କଲେକ୍‌ଟର ଡାକ୍ତର କ୍ରିଷନ କୁମାର କିନ୍ତୁ କହନ୍ତି, ଚାରି ମାସ ଭିତରେ ଶାନ୍ତି ଫେରିଆସିବ । ଗଲା ଦି’ ମାସରୁ ଊଧ୍ୱର୍କାଳ ହେଲା ନିଜ କ୍ୟାରିୟରର ସବୁଠାରୁ କଷ୍ଟଦାୟକ ପରିସ୍ଥିତିକୁ ସାମ୍ନା କରିଥିବା ଏଇ ତରୁଣ ଆଇଏଏସ୍‌ ଅଫିସର ଜଣକ ବହୁ ପ୍ରକାର ସମାଲୋଚନାର ସମ୍ମୁଖୀନ । ତାଙ୍କ ବିରୋଧରେ ବଡ଼ ସମାଲୋଚନା ହେଲା, ଅଗଷ୍ଟ ୨୩ ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ ସେ ସ୍ୱାମୀଜୀଙ୍କର ଶବର ଶୋଭାଯାତ୍ରା ଲାଗି କାହିଁକି ଅନୁମତି ଦେଲେ । ୨୪ ତାରିଖ ଦିନ ବାରଟାରୁ ଏହି ଶୋଭାଯାତ୍ରା ଜଲେଶପଟା ଆଶ୍ରମରୁ ବାହାରି ତୁମୁଡ଼ିବନ୍ଧ, ବାଲିଗୁଡ଼ା, କ. ନୂଆଗାଁ, ରାଇକିଆ, ଘୁ. ଉଦୟଗିରି, ସାରଙ୍ଗ, ଫିରିଙ୍ଗିଆ, ଫୁଲବାଣୀ ଓ ଟିକାବାଲି ଦେଇ ଚକାପାଦ ଆଶ୍ରମରେ ପହଞ୍ଚିବା ବେଳକୁ ପ୍ରାୟ ୧୯୦ କିଲୋମିଟର ରାସ୍ତା ବୁଲିଥିଲା । ଫୁଲବାଣୀର କିଛି ବୁଦ୍ଧିଜୀବୀଙ୍କ ମତ ହେଲା, କର୍ଫ୍ୟୁ ବଳବତ୍ତର ରହିଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଶବ ଶୋଭାଯାତ୍ରା ଲାଗି ଅନୁମତି ଦେଇ ହିନ୍ଦୁମାନଙ୍କ ଭାବାବେଗକୁ ଆହୁରି ବଢ଼େଇ ଦେଲା । ତା’ପରେ ପରେ ଯେଉଁ ଯେଉଁ ବାଟ ଦେଇ ଶୋଭାଯାତ୍ରା ଯାଇଥିଲା ସେଇ ସେଇ ବାଟ ଦେଇ ଦଙ୍ଗା ପହଞ୍ଚିଲା । ଆରମ୍ଭ ହୋଇଗଲା ଚର୍ଚଭଙ୍ଗା, ଜଳାପୋଡ଼ା, ଲୁଟ୍‌ତରାଜ ଏବଂ ହତ୍ୟା । ଚକାପାଦରୁ ରାଇକିଆ ଫେରିବାବେଳେ ଦଙ୍ଗାକାରୀମାନେ ରୁପା ଗାଁର ପାରାଲିସିସ୍‌ ରୋଗୀ ରସାନନ୍ଦ ପ୍ରଧାନଙ୍କୁ ମଧ୍ୟ ଛାଡ଼ି ନଥିଲେ । ସରକାରୀ ହିସାବରେ ଜିଲ୍ଲାର ମୃତ୍ୟୁ ସଂଖ୍ୟା ୩୭ ବୋଲି କୁହାଯାଉଥିଲେ ହେଁ ପ୍ରକୃତ ମୃତ୍ୟୁ ଏହାଠାରୁ ଯଥେଷ୍ଟ ଅଧିକ ବୋଲି ସାଧାରଣ ଲୋକଙ୍କ ମତ । ସେହିଭଳି ୨୪ ତାରିଖରେ କେ. ନୂଆଗାଁଠାରେ ନନ୍‌ ଧର୍ଷଣ ଘଟନା ବର୍ତ୍ତମାନ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାପରି ଏକ ବିରାଟ ପ୍ରସଙ୍ଗ ହୋଇସାରିଛି । ଏହି ଘଟନା ମୁଖ୍ୟମନ୍ତ୍ରୀ ଦାବି କରୁଥିବା ତାଙ୍କ ଧର୍ମନିରପେକ୍ଷ ଚେହେରାକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛି ।

 

ଶବ ଶୋଭାଯାତ୍ରା ଲାଗି ଜିଲ୍ଲା ପ୍ରଶାସନ କାହିଁକି ଅନୁମତି ଦେଲା ବୋଲି ପ୍ରଶ୍ନରେ କନ୍ଧମାଳ କଲେକ୍‌ଟର କହିଥିଲେ ଯେ, ପ୍ରଶାସନ ବିଧିବଦ୍ଧ ଅନୁମତି ଦେଇ ନଥିଲା । ଅନ୍ୟପକ୍ଷରେ ସେତେବେଳର ପରିସ୍ଥିତିରେ ଲକ୍ଷ୍ମଣାନନ୍ଦଙ୍କ ଭକ୍ତ ଏବଂ ଅନୁଗତମାନଙ୍କୁ ଅଟକେଇବା ସମ୍ଭବ ନଥିଲା । ଆମ ହାତରେ ଆବଶ୍ୟକ ଫୋର୍ସ ନଥିଲେ । କେନ୍ଦ୍ରକୁ ଅଧିକ ସିଆର୍‌ପିଏଫ୍‌ ଯବାନ ମାଗିଥିଲେ ମଧ୍ୟ ସେମାନେ ଆସି ପହଞ୍ଚି ନଥିଲେ । ସେ ପରିସ୍ଥିତିରେ ଯଦି ଆମେ ସ୍ୱାମୀଜୀଙ୍କ ପ୍ରସେସନ୍‌କୁ ବାଧା ଦେଇଥାଆନ୍ତୁ, ତାହାହେଲେ ପରିଣତି ଅଧିକ ଭୟାବହ ହୋଇଥାଆନ୍ତା ଏବଂ ମୃତାହତ ସଂଖ୍ୟା ଆହୁରି ବଢ଼ିଯାଇଥାଆନ୍ତା । ଅଗଷ୍ଟ ୨୪ ତାରିଖରେ ପରିସ୍ଥିତିକୁ ଚିନ୍ତା କଲେ, ଜିଲ୍ଲାପାଳଙ୍କର ଏହି ଉତ୍ତର ଗ୍ରହଣଯୋଗ୍ୟ ମନେ ହୋଇପାରେ । ମାତ୍ର ସ୍ୱାମୀଜୀଙ୍କ ଶବ ଶୋଭାଯାତ୍ରା ସମଗ୍ର ଜିଲ୍ଲା ପରିକ୍ରମା କଲା ବୋଲି ଦଙ୍ଗା ଏଭଳି ଗୁରୁତର ହେବା ଅଭିଯୋଗର ସତ୍ୟତାକୁ ପ୍ରାୟ ସମସ୍ତେ ସ୍ୱୀକାର କରୁଛନ୍ତି ।

 

ଜିଲ୍ଲାପାଳ କହିଥିଲେ, ‘‘କନ୍ଧମାଳରେ ଶାନ୍ତି ଫେରି ଆସୁଛି । କେତେକ ଜାଗାରେ ଶାନ୍ତି କମିଟି ବସୁଛି । ସରକାର ନିଷ୍ଠାର ସହ ଆଦିବାସୀମାନଙ୍କ ଅଭିଯୋଗର ଶୁଣାଣି ଓ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରୁଛନ୍ତି ।’’

 

ଫୁଲବାଣୀ ସହରଟିର ପରିସ୍ଥିତିକୁ ଦେଖିଲେ କଲେକ୍‌ଟରଙ୍କ ଏହି କଥା ବିଶ୍ୱାସଯୋଗ୍ୟ ମନେହୁଏ । କାରଣ, ଗତ ଦି’ ସପ୍ତାହ ହେଲା ଏଠାରେ କୌଣସି ଗଣ୍ଡଗୋଳ ଘଟିନାହିଁ । ସେଥିଲାଗି ଫୁଲବାଣୀ ସହରରେ ଚଉକିଦାରି କରୁଥିବା ସିଆର୍‌ପିଏଫ୍‌ ଯବାନମାନେ ବସି ବସି ବିରକ୍ତ ହୋଇଗଲେଣି । ‘‘ଆମ ରହଣିକୁ ଡିସେମ୍ବର ଶେଷଯାଏ ଘୁଞ୍ଚେଇ ଦିଆଯାଇଛି । ତା’ପରେ ଆଉ ଯେ ନ ବଢ଼ିବ କହିହେବ ନାହିଁ ।’’ - ‘ସମ୍ବାଦ’ ଗାଡ଼ିରେ ଖଜୁରିପଡ଼ାରୁ ଫୁଲବାଣୀ ପର୍ଯ୍ୟନ୍ତ ଲିଫ୍‌ଟ ମାଗିଥିବା ସିଆର୍‌ପିଏଫ୍‌ ଯବାନ ଦି’ ଜଣ କହିଥିଲେ ।

 

ମାତ୍ର ପରିସ୍ଥିତି ଏତେ ସହଜ ନୁହେଁ । ଆଗକୁ ବଡ଼ଦିନ ଆସୁଛି । ଗତବର୍ଷ ଏଇ ସମୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହା ଖ୍ରୀଷ୍ଟିଆନ ସଂପ୍ରଦାୟର ବଡ଼ ପର୍ବ । ସେମାନେ ଧୁମ୍‌ଧାମ୍‌ରେ ଏ ପର୍ବ ପାଳନ୍ତି । ମାତ୍ର ଜିଲ୍ଲାସାରା ଏବେ ଭଙ୍ଗା ଚର୍ଚ ଓ ବିପର୍ଯ୍ୟସ୍ତ ପ୍ରାର୍ଥନା ଗୃହ । ଅଧିକାଂଶ ଖ୍ରୀଷ୍ଟିଆନ ରିଲିଫ୍‌ କ୍ୟାଂପ୍‌ରେ । ସେମାନଙ୍କୁ ନିଜ ନିଜ ଘରକୁ ଫେରିଯିବାଲାଗି ଜିଲ୍ଲା ପ୍ରଶାସନ ପରାମର୍ଶ ଦେଉଛି । ବାଲିଗୁଡ଼ାର ରିଲିଫ୍‌ କ୍ୟାଂପ୍‌ରୁ କିଛି ଲୋକ ଫେରିଗଲେଣି ବୋଲି ମଧ୍ୟ ଜିଲ୍ଲାପାଳ ‘ସମ୍ବାଦ’କୁ ସୂଚନା ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ବାଲିଗୁଡ଼ା ନିକଟ କେ.ନୂଆଗାଁରେ ନନ୍‌ ବଳାତ୍କାର ଘଟନା ଘଟିଥିଲା । ଆମେ କେ. ନୂଆଗାଁରେ ଅଟକି ଏ ବିଷୟରେ ବୁଝିବାକୁ ଚାହିଥିଲୁ । ମାତ୍ର କେହି ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି । ସେଦିନ ସକାଳୁ କଲେକ୍‌ଟରଙ୍କୁ ଏ ବିଷୟ ପଚାରିବାରୁ ସେ ଘଟନାର ‘କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ଚାଲିଛି’ କହି ଏଡ଼ାଇ ଯାଇଥିଲେ । ଗୋଟିଏ ପଟେ ସରକାର ଏ ବିଷୟରେ ସତ ଲୁଚଉଥିବାବେଳେ ଅନ୍ୟପଟେ ସରକାରଙ୍କ ସପକ୍ଷ ସମ୍ବାଦପତ୍ର ଓ ସାମ୍ବାଦିକମାନେ ନନ୍‌ ବଳାତ୍କାର ଘଟନାକୁ ଗୁରୁତ୍ୱହୀନ ସାବ୍ୟସ୍ତ କରିବାଲାଗି ଉଦ୍ୟମ କରିଚାଲିଛନ୍ତି । ସଂପୃକ୍ତ ନନ୍‌ ଜଣକ ‘ଚରିତ୍ରହୀନା’ ଥିଲେ ବୋଲି ମଧ୍ୟ ଧର୍ଷଣ ଘଟନା ସହ ଆଦୌ ସଂପର୍କ ରଖୁ ନଥିବା ଏକ ଉଦ୍ଭଟ ତଥ୍ୟର ନିର୍ମାଣ ଲାଗି ଜୋର୍‌ସୋର୍‌ ଉଦ୍ୟମ ଚାଲିଛି । ବହୁ ପ୍ରକାର ଅନୁରୋଧ କରିବା ପରେ ପରେ ଜଣେ ସ୍ଥାନୀୟ ଲୋକ କହିଥିଲେ, ‘‘ନନ୍‌ଙ୍କୁ ଏହି ଟାଉନ୍‌ରେ ଭିଡ଼ାଓଟରା କରି ବୁଲଉଥିବାବେଳେ ତାଙ୍କ ଦେହରେ ବ୍ରା କି ବ୍ଲାଉଜ୍‌ କିଛି ନଥିଲା ।’’ ସେ ଅଧିକ କିଛି କହିବା ପାଇଁ ମନା କରିଦେଇଥିଲେ । କେ. ନୂଆଗାଁରୁ ବାଲିଗୁଡ଼ା ଦେଇ ଜଲେଶପଟା ପର୍ଯ୍ୟନ୍ତ ସବୁଠି ସିଆର୍‌ପିଏଫ୍‌ ଯବାନଙ୍କ ସତର୍କ ପ୍ରହରା । ବଡ଼ପାଟିରେ କଥାବାର୍ତ୍ତା କରିବା ପାଇଁ ମଧ୍ୟ ସ୍ଥାନୀୟ ଲୋକେ ଭୟ କରୁଛନ୍ତି । ସମୁଦାୟ ଜିଲ୍ଲାରେ ଏବେ ନିଜ ପୁଲିସ୍‌ ଛାଡ଼ି ୩୮ କଂପାନି ସିଆର୍‌ପିଏଫ୍‌, ୪ କଂପାନି ରାପିଡ୍‌ ଆକ୍ସନ ଫୋର୍ସ, ୧୬ ପ୍ଲାଟୁନ୍‌ ଓଏସ୍‌ଏପି, ୧୦ ସେକ୍ସନ ଏପିଆର୍‌, ଗୋଟିଏ ସ୍ପେଶାଲ ଅପରେସନ୍‌ ଗ୍ରୁପ୍‌ ଏବଂ ଗୋଟିଏ ୟୁନିଟ୍‌ ବିପର୍ଯ୍ୟୟ ପ୍ରଶମନ ଦଳ ଅଛନ୍ତି । ମାତ୍ର କଲେକ୍‌ଟର ଆଶାବାଦୀ ଖୁବ୍‌ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରିଆସିବ ।

 

କଲେକ୍‌ଟର ‘‘ଦଙ୍ଗା ଦବିଛି’’ ବୋଲି କହୁଥିବାବେଳେ ତାଙ୍କ ଅଫିସ୍‌ଠାରୁ ସାତଶହ ମିଟର ଦୂରତାରେ ଥିବା କୁଇନେତା ଲମ୍ବୋଦର କଅଁର ଆଉ ପ୍ରକାରେ କହନ୍ତି । ‘‘ଦଙ୍ଗା ଦବି ନାହିଁ, ଦବେଇ ଦିଆଯାଇଛି’’ ବୋଲି ଶ୍ରୀ କଅଁର କହିବାବେଳେ, କୁଇ ସମାଜ ଉପରେ ତାଙ୍କର ନିୟନ୍ତ୍ରଣ ରହିଥିବା ଅନୁଭବ କରି ଆତ୍ମପ୍ରସାଦ ଅନୁଭବ କରନ୍ତି । ଜିଲ୍ଲା ପ୍ରଶାସନ ନିଷ୍ଠାର ସହ ଏଇ ସମସ୍ୟାର ସମାଧାନ ଲାଗି ବ୍ୟଗ୍ର ବୋଲି କଲେକ୍‌ଟର କହୁଥିବାବେଳେ ଶ୍ରୀ କଅଁର ରୋକ୍‌ଠୋକ୍‌ ଭାବେ କହନ୍ତି, ‘‘ଆମର ଏ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଦୌ ଭରସା ନାହିଁ ।’’

 

ଲମ୍ବୋଦର କଅଁର ଆଜିକାଲି ଜଣେ ବ୍ୟସ୍ତ ଲୋକ । ବୃତ୍ତିରେ ଓକିଲ ଶ୍ରୀ କଅଁର କୁଇ ସମନ୍ୱୟ ସମିତିର ସାଧାରଣ ସଂପାଦକ । ଗତବର୍ଷ ଡିସେମ୍ବର ଗଣ୍ଡଗୋଳଠାରୁ ସେ ଲଗାତର ଭାବେ ସମ୍ବାଦପତ୍ର ଓ ଗଣମାଧ୍ୟମର ଶିରୋନାମାରେ ରହି ଆସିଛନ୍ତି । ‘‘ହଠାତ୍‌ ଆପଣମାନେ ଏଭଳି ଉତ୍ତ୍ୟକ୍ତ ହୋଇ ଉଠିଲେ କାହିଁକି ?’’ ପ୍ରଶ୍ନରେ ଶ୍ରୀ କଅଁର ରୋକ୍‌ଠୋକ୍‌ ଉତ୍ତର ଦିଅନ୍ତି, ‘‘ଆପଣମାନେ ଆମ ଜମି ନେଲେ, ଚାକିରି ନେଲେ, ଝିଅବୋହୂଙ୍କ ଇଜ୍ଜତ ନେଲେ, ଶେଷକୁ ଆମ ଘରେ ପଶି ଆମର ସର୍ବସ୍ୱ ଲୁଟିନେବାକୁ ବସିଲେ । ଆମେ ପ୍ରତିବାଦ ନକରି କ’ଣ କରିଥାନ୍ତୁ ?’’

 

ମାତ୍ର ଗଣ୍ଡଗୋଳ ହେଲେ ନିରୀହ ଆଦିବାସୀ ମଧ୍ୟ ମରିବେ-ଆମର ଏ ପ୍ରକାର ଚେତାବନୀରେ ଆଦୌ ପ୍ରଭାବିତ ହେଉ ନଥିବା ଲମ୍ବୋଦର କହନ୍ତି, ‘‘ଏପରି ବଞ୍ଚିବାଠାରୁ ମରିଯିବା ଭଲ ।’’ ଶ୍ରୀ କଅଁର ଆମ ସହ ଆଲୋଚନାରେ ଯାହା କହିଥିଲେ ସଂକ୍ଷେପରେ ତାହା ହେଲା, ପ୍ରଥମେ ସେମାନେ ମିଛ ସାର୍ଟିଫିକେଟ୍‌ ଦେଖେଇ ଚାକିରି କରୁଥିଲେ, ଜମି କିଣୁଥିଲେ । ଏବେ ସେଇ ମିଛକୁ ଚିରକାଳୀନ ସତ୍ୟ ଭାବେ ପ୍ରମାଣିତ କରିବା ଲାଗି ସେମାନେ ମଧ୍ୟ କୁଇଭାଷୀ ଆଦିବାସୀ ବୋଲି କହୁଛନ୍ତି । ଏହା କରିବାର କାରଣ, ସେମାନେ କଳବଳ କରି ହଡ଼ପ (କିଣି) କରି ନେଇଥିବା ଆଦିବାସୀଙ୍କ ଜମି ଆଉ ଫେରେଇବେ ନାହିଁ । ଚାକିରିରେ ବାହାରେ ରହିବେ ଏବଂ ଆମକୁ ଏଠୁ ତଳିତଳାନ୍ତ କରିଦେବେ । ‘‘ଆପଣ ଏତେ ଦିନ ଧରି ଏହାର ପ୍ରତିବାଦ କରୁ ନଥିଲେ କାହିଁକି ?’’ -ଏ ପ୍ରଶ୍ନ ଉତ୍ତରରେ ଶ୍ରୀ କଅଁର କହନ୍ତି, ‘‘ଆମ କଥା କିଏ ଶୁଣୁଛି ? ଏ ଜିଲ୍ଲା ନାଁ କନ୍ଧମାଳ । କନ୍ଧଙ୍କ ଜିଲ୍ଲା । ମାତ୍ର ଏଠି ସବୁବେଳେ ପାଣମାନେ ରାଜନୀତି କରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଦି’ ଦି’ ଥର ଏଠିକି ଆସିଥିଲେ ମଧ୍ୟ ଆମକୁ ଭେଟିବାକୁ ଚାହିନାହାନ୍ତି ।’’ -ଅତ୍ୟନ୍ତ କ୍ଷୋଭର ସହ ଶ୍ରୀ କଅଁର କହନ୍ତି ।

 

ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଶ୍ରୀ କଅଁର ଅଭିଯୋଗ କରିବା ପରେ ଶ୍ରୀ କଅଁରଙ୍କୁ ପୁଲିସ୍‌ ନିରାପତ୍ତା ଯୋଗାଇ ଦିଆଯାଇଛି । ସେ ଏହା ଭିତରେ ଦି’ ଦିଇଟି ଧମକପୂର୍ଣ୍ଣ ଚିଠି ପାଇଛନ୍ତି ଓ ତା’ର ନକଲ ସେ ଆମକୁ ଦେଇଥିଲେ । ପ୍ରଥମ ଚିଠିଟି ‘ପାହାଡ଼ି ଗ୍ରୁପ୍‌’ ପକ୍ଷରୁ ଆସିଥିବାବେଳେ ଦ୍ୱିତୀୟଟି ‘ଜନ ବିକାଶ ସଂସ୍ଥା’ ପକ୍ଷରୁ ଆସିଥିବା ଲେଖାଯାଇଥିଲା ।

 

ଗୋଟିଏ ପଟେ ଶ୍ରୀ କଅଁରଙ୍କର ସରକାର ଉପରେ ଅନାସ୍ଥା ଏବଂ ଅନ୍ୟପଟେ ରିଲିଫ୍‌ ଶିବିରରେ ଦୁଃଖପୂର୍ଣ୍ଣ ଜୀବନ କାଟୁଥିବା ଆଦିବାସୀଙ୍କ ଆଶଙ୍କା ପରିପ୍ରେକ୍ଷୀରେ ସେ କହନ୍ତି ‘ଏଇ ଜିଲ୍ଲାକୁ ଏତେ ଶୀଘ୍ର ଶାନ୍ତି ଫେରିବ ବୋଲି ଆଶା କରିବା ନିର୍ବୋଧତା ।’ ଯେଉଁଦିନ ସକାଳେ, ଫୁଲବାଣୀ କଲେକ୍‌ଟରିଏଟ୍‌ରେ ଜିଲ୍ଲାପାଳ ଆମକୁ ‘‘ସବୁ କିଛି ସ୍ୱାଭାବିକ’’ ହେଉଛି ବୋଲି କହିଥିଲେ ସେହିଦିନ ଆମେ ଜି. ଉଦୟଗିରି ଧାଙ୍ଗଡ଼ାମା ଗାଁରେ ଦୁଇଟି ଖ୍ରୀଷ୍ଟିଆନ ପରିବାର ଉପରେ ଆକ୍ରମଣ ହୋଇଥିବା ଦେଖିଥିଲୁ । ଏଇ ଗାଁର ଜନ୍‌ ନାୟକ ଏବଂ ଶ୍ରୀକୃଷ୍ଣ ନାୟକଙ୍କ ଘରେ କିଛି ଲୋକ ପଶି ତାଙ୍କର ଦୁଆରବନ୍ଧ ଭାଙ୍ଗି ଦେବା ସହ ଘର ଭିତରେ ଥିବା ପୁରୁଣା ଖଟ, ଲୁହା ଆଲମିରା ଇତ୍ୟାଦି ଭାଙ୍ଗି ସେଥିରେ ଥିବା ଜିନିଷପତ୍ର ଲୁଟି ନେଇଥିଲେ । ଯାହା ନେଇ ପାରି ନଥିଲେ ସେଗୁଡ଼ିକୁ ଭାଙ୍ଗି ବାଡ଼େଇ ଚୁନାଚୁନା କରିଦେଇ ଯାଇଥିଲେ । ଆମେ ପହଞ୍ଚିବାବେଳକୁ ଜନ୍‌ ମା’ ଶ୍ରୀମତୀ ନାୟକ ଭୟରେ ଥରୁଥାଆନ୍ତି । ଲଟାରେ ଫଳିଥିବା କଖାରୁ କଷି ସୁଦ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରୁ ବଞ୍ଚି ନଥାଏ ।

 

ଫୁଲବାଣୀ ଜିଲ୍ଲାରେ ଏବେ ଗେରୁଆ ପତାକାର ଅଧିକ ପ୍ରଚଳନ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ମୃତ୍ୟୁ ପରେ ଜିଲ୍ଲାର ଲୋକେ ଦି’ ଭାଗରେ ବିଭକ୍ତ । ଯିଏ ନିଜ ଘର ଉପରେ ଗେରୁଆ ପତାକା ନ ଟାଙ୍ଗିବ ସିଏ ନିର୍ଯାତନା ଭୋଗିବ - ଏହା ହେଲା ସ୍ପଷ୍ଟ ଚେତାବନୀ । ଜି.ଉଦୟଗିରି ପାଖରୁ ଆମେ ସେ ପଞ୍ଚାୟତର ଅନେକ ଗୁଡ଼ିଏ ଗାଁ ଯାଇଥିଲୁ । ରଟିଙ୍ଗିଆ, ଡକେଡ଼ି, ଗ୍ରେସିଙ୍ଗିଆ, ଗୁଡୁରିନାଜୁ, ଲେବଗୁଡ଼ା, ଲିକିରିମାହା ଓ ଗଦଗୁଡ଼ା ପ୍ରଭୃତି ଗାଁ ଘରଗୁଡ଼ାକ ଫାଙ୍କା, ପୁରୁଷଶୂନ୍ୟ ଓ ଖାଁ ଖାଁ ଗୋଡ଼ଉଛି । ଗାଁର ନଳକୂଅ ତଳେ ଶିଉଳି ଶୁଖି ଧୂଳି ହୋଇଗଲାଣି, ଠାଏ ଠାଏ ଘାସ । ତେଲିଙ୍ଗିଆ ଗାଁର ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନ୍ଦର ସିଂହ ନାୟକଙ୍କ ଘର ଅଗଣା ଦେଇଗଲୁ । ତାଙ୍କ ଛାତ ଉପର ଡିସ୍‌ ଆଣ୍ଟିନା ଯୋଡ଼ାକ ଭାଙ୍ଗିଛି ଓ ଘର ଜଖମ । ଶ୍ରୀ ନାୟକ କେଉଁଠି ଅଛନ୍ତି ଖବର ମିଳିଲା ନାହିଁ ।

 

କନ୍ଧମାଳ ଜିଲ୍ଲାରେ ଚାଲିଥିବା ରିଲିଫ ଶିବିର ଗୁଡ଼ିକର ପରିଚାଳନା ସଂପର୍କରେ କିଛି ଅପପ୍ରଚାର ଶୁଣାଯିବା ପରେ ଜିଲ୍ଲା ପ୍ରଶାସନ ଏଇ ଶିବିରଗୁଡ଼ିକୁ ପ୍ରବେଶାଧିକାର ଉପରେ ନିୟନ୍ତ୍ରଣ ଜାରି କରିଛନ୍ତି । ଏବେ ବି ସ୍ପର୍ଶକାତର ଅଞ୍ଚଳକୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ଛଡ଼ାଯାଉ ନାହିଁ । ଜିଲ୍ଲାପାଳଙ୍କ ଅନୁମତି ଯୋଗୁଁ ‘ସମ୍ବାଦ’ ଟିମ୍‌କୁ ଘୁ.ଉଦୟଗିରି ହବାକ୍‌ ହାଇସ୍କୁଲ କ୍ୟାଂପ୍‌କୁ ଛଡ଼ା ଯାଇଥିଲେ ମଧ୍ୟ ଗଦଗୁଡ଼ା ଯିବାପାଇଁ ଅନୁମତି ମିଳି ନଥିଲା । ଏଇ ଶିବିରଗୁଡ଼ିକରେ ଦୁଇଟି ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥିଲା । ହବାକ୍‌ ହାଇସ୍କୁଲ୍‌ରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ସକାଳ ଆଠଟାରେ କିଛି ଚୁଡ଼ା, ଅପରାହ୍ନ ତିନିଟାବେଳକୁ ଭାତ ଡାଲମା ଏବଂ ରାତି ଆଠଟାରେ ଆଉଥରେ ଭାତ ଡାଲମା ‘ଯଥେଷ୍ଟ’ ପରିମାଣରେ ଦିଆଯାଉଥିବା ସେଠା ରିଲିଫ୍‌ ଦାୟିତ୍ୱରେ ଥିବା ଅଫିସର୍‌ କହିଥିଲେ । ମାତ୍ର ଆଶ୍ରୟ ନେଇଥିବା ଲୋକମାନଙ୍କ ଅଭିଯୋଗ ଦୀର୍ଘ । ସେମାନଙ୍କୁ ସମସ୍ତଙ୍କୁ ଶୋଇବା ଲାଗି ‘ପଟି’ (ପଲିଥିନ୍‌ ସିଟ୍‌) ମିଳିନାହିଁ, ରାତିରେ ଲଣ୍ଠନ ପାଇଁ ଯେଉଁ କିରୋସିନି ମିଳୁଛି ତାହା ସେଇ ସଞ୍ଜକୁ କୁଳଉ ନାହିଁ । ରାତିସାରା ମଶା କାମୁଡୁଛନ୍ତି, ମଶାରି ନାହିଁ । ଅଫିସରମାନେ କମ୍ବଳ ବାଣ୍ଟୁଥିବାବେଳେ ଶୌଚାଳୟ ଯାଇଥିବା ଲୋକେ ପରବର୍ତୀ ସମୟରେ ଆସି ଯେତେ ନେହୁରା ହେଲେ ବି ତାଙ୍କୁ ତାହା ମିଳୁନାହିଁ । ଗୋଟିଏ ପଟେ ସରକାରୀ ଅଫିସରମାନଙ୍କ ଧାରଣା- ‘ଆମେ ବହୁତ ଦେଉଛୁ’, ହିନ୍ଦୁ ସଂଖ୍ୟାଗରିଷ୍ଠଙ୍କ ଅଭିଯୋଗ ‘ଏ ଗୁଡ଼ାଙ୍କୁ ସରକାର ଅଯଥାରେ ପୋଷୁଛି’ ଏବଂ ଅନ୍ୟପକ୍ଷେ ‘ଆମେ ପଶୁ ପରି ଅଛୁ, କେବେ ପୁଣି ଭଲଦିନ ଆସିବ ଓ ଆମେ ଫେରିବୁ’ - ଏହି ପ୍ରକାର ପରସ୍ପର ବିରୋଧୀ ଅଭିଯୋଗ, ଅବସୋସ ଓ ଦୀର୍ଘଶ୍ୱାସ ଭିତରେ ଜିଲ୍ଲାର ରିଫ୍ୟୁଜି କ୍ୟାଂପ୍‌ଗୁଡ଼ାକର ପରିବେଶ ଓଜନିଆ ଲାଗେ । ହବାକ୍‌ ସ୍କୁଲ୍‌ରେ ପ୍ରାୟ ତିନିହଜାର ଶିବିରାର୍ଥୀ । ସେମାନଙ୍କର ନିତ୍ୟକର୍ମ, ଶୌଚ ସବୁ ସେଇଠି । ଦି’ ମାସ ଭିତରେ ପରିବେଶ ଏପରି ହେଲାଣି ଯେ ଦଶମିନିଟ୍‌ ଛିଡ଼ାହେବା କଷ୍ଟ । ମାତ୍ର ସେଠି ଖୋଲା ଯାଇଥିବା ସ୍ୱାସ୍ଥ୍ୟ ଚିକିତ୍ସା କାଉଣ୍ଟରର ମହିଳା କର୍ମୀଙ୍କ ମତ, ‘ଏବେ ତ ପରିସ୍ଥିତି ଢେର୍‌ ଭଲ ଅଛି !’

 

ହବାକ୍‌ ସ୍କୁଲର ଶିବିରାର୍ଥୀଙ୍କ ଠାରୁ ରଦାଙ୍ଗିଆ ଶିବିରାର୍ଥୀଙ୍କ ଅବସ୍ଥା ଗୋଟିଏ ଦୃଷ୍ଟିରୁ ଭଲ । ଏମାନେ ନିଜ ଗାଁ ଛାଡ଼ି ଦୂରକୁ ଯାଇନାହାନ୍ତି । ଘର ଦୁଆର ବନ୍ଦ କରି ଗାଁ ବାହାର ପଡ଼ିଆକୁ ପଳେଇଆସି ସେଠି ଗୋଟିଏ ଜାଗାରେ ଅଛନ୍ତି । ପାଖରେ କ୍ଷତବିକ୍ଷତ ବାପ୍‌ଟିଷ୍ଟ ଚର୍ଚ । ୧୯୩୪ରେ ପ୍ରତିଷ୍ଠିତ ଏହି ଚର୍ଚର ଟିକିଏ ଦୂରରେ ଚାଲିଛି ଏଇ କ୍ୟାଂପ୍‌ । ଆମେ ପହଞ୍ଚିବାବେଳକୁ ପନ୍ଦର ଷୋଳଜଣ ମହିଳା ଚାଉଳ ପାଛୁଡୁଥିଲେ । ‘‘ଏହା କ’ଣ କ୍ୟାଂପ୍‌ ଚାଉଳ-?’’ ଆମ ପ୍ରଶ୍ନର ଉତ୍ତରରେ ରାଜୀବ ପ୍ରସାଦ କହିଥିଲେ, ‘ନା, ଜଣକୁ ବିପିଏଲ୍‌ ଚାଉଳ ମିଳିଥିଲା । ସିଏ ଆଜି ଆମ ଖାଇବାଲାଗି ଏସବୁ ଦେଇଛନ୍ତି ।’ ‘‘ତୁମେମାନେ ଏଠି କାହିଁକି ରହିଛ, ଦୂରକୁ ଚାଲିଗଲ ନାହିଁ ?’’ ପ୍ରଶ୍ନର ଉତ୍ତରରେ ରାଜୀବ ପ୍ରସାଦ କହନ୍ତି, ‘‘ସେମାନେ ଆମ ଘର ଭିତରେ ପଶି ଆମର ଜିନିଷପତ୍ର ଲୁଟି ନେଇଥାଆନ୍ତେ । ସେଇଥିପାଇଁ ଏଠି ଅଛୁ ଓ ପାଳିକରି ଜଗୁଛୁ ।’’

 

ଜିଲ୍ଲାର ଅଧିକାଂଶ ଶିକ୍ଷାନୁଷ୍ଠାନ ଏବେ ରିଲିଫ ଶିବିର ପାଲଟିଛି । ସେଥିପାଇଁ ପିଲାଙ୍କ ପାଠପଢ଼ା ମଧ୍ୟ କ୍ଷତିଗ୍ରସ୍ତ । କଟକ, ଭୁବନେଶ୍ୱର ଏବଂ ଅନ୍ୟ ଅଞ୍ଚଳରୁ ଯାଇଥିବା ଅଫିସର, କର୍ମଚାରୀ ଏବଂ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଫେରିବାକୁ ବ୍ୟସ୍ତ । ଧୀରେ ଧୀରେ ଫୁଲବାଣୀରେ ଶୀତ ବଢ଼ୁଛି । ମାତ୍ର ସ୍ୱାଭାବିକ ପରିସ୍ଥିତି କେବେ ଆସିବ ତାହା କେହି କହିପାରୁନାହାନ୍ତି ।

 

ବାଲିଗୁଡ଼ା ବଜାରରେ ଜଣେ ହିନ୍ଦୁ ଯୁବକଙ୍କ ସହ ଦେଖାହେଲା । ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଭାଙ୍ଗିଯାଇଥିବା ଚର୍ଚଗୁଡ଼ିକ ମରାମତି ପାଇଁ ଅର୍ଥ ଦେବେ । - ଏ ସଂପର୍କରେ ତାଙ୍କ ପ୍ରତିକ୍ରିୟା ଲୋଡ଼ିବାରୁ ସେ ଯାହା କହିଥିଲେ ତା’ର ସାରମର୍ମ ହେଲା, ‘ସରକାରଙ୍କର ଏହି ନିଷ୍ପତ୍ତି ଘା’ ଉପରେ ଲୁଣଛିଟା ଦେବାପରି ହେବ ।’ ଯୁବକ ଜଣକ ଖୁବ୍‌ କ୍ଷୁବ୍ଧ ଦିଶୁଥିଲେ । ତେବେ ଏପରି ମନୋଭାବ ପୋଷଣ କରୁଥିବା ଯୁବକ ସେ ଏକାକୀ ନୁହନ୍ତି । ତାଙ୍କ ପରି ଅନେକ ଅଛନ୍ତି । ଲକ୍ଷ୍ମଣାନନ୍ଦଙ୍କ ମୃତ୍ୟୁକୁ ରାଜନୈତିକ ଇସ୍ୟୁ ଭାବେ ଗ୍ରହଣ କରିସାରିଥିବା ଭାରତୀୟ ଜନତା ପାର୍ଟି ଓ ତା’ର ସହଯୋଗୀ ଦଳ ଏହି ଘଟନାକୁ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଜିଆଁଇ ରଖିବାକୁ ବ୍ୟସ୍ତ ବୋଲି ମଧ୍ୟ ଫୁଲବାଣୀର କିଛି ବୁଦ୍ଧିଜୀବୀ ଅଭିଯୋଗ କରିଥିଲେ । ଏବେ ଆର୍‌ଏସ୍‌ଏସ୍‌ କର୍ମୀ ଧନୁ ପ୍ରଧାନଙ୍କ ହତ୍ୟା ପୁଣି ପରସ୍ତେ ଗଣ୍ଡଗୋଳ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ । ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ଭଙ୍ଗା ଚର୍ଚ ମରାମତି ଘୋଷଣା ପୁଣି ଜଟିଳ ପରିସ୍ଥିତି ସୃଷ୍ଟି କରିବ । କାରଣ ପ୍ରଥମ କଥା ହେଉଛି, ଅଧିକାଂଶ ଚର୍ଚ ସରକାରୀ, ଅନାବାଦି ବା ଗୋଚର ଜମିରେ ଗଢ଼ି ଉଠିଥିବାବେଳେ ତା’ର କ୍ଷତିପୂରଣ ହିସାବ କିପରି ହେବ ? ଦ୍ୱିତୀୟ କଥା ହେଉଛି, ଖ୍ରୀଷ୍ଟିଆନମାନେ ଯଦି ସେମାନଙ୍କ ଚର୍ଚ ଗଢ଼ିବା ଲାଗି ସରକାରୀ ଜାଗା ଦାବି କରନ୍ତି ଓ ସରକାର ତାଙ୍କ ଅନୁରୋଧ ଗ୍ରହଣ କରନ୍ତି, ତାହାହେଲେ ହିନ୍ଦୁମାନେ ଉତ୍ତ୍ୟକ୍ତ ହୋଇ ପୁଣି ଗଣ୍ଡଗୋଳ ସୃଷ୍ଟି କରିବେ । କାରଣ ଏହି ଗୋଷ୍ଠୀର ଦୃଢ଼ ବିଶ୍ୱାସ, ଖ୍ରୀଷ୍ଟିଆନମାନେ ହିଁ ଲକ୍ଷ୍ମଣାନନ୍ଦଙ୍କୁ ମାରିଛନ୍ତି । ତେବେ ‘ମାଓବାଦୀମାନେ ନିଜ ତରଫରୁ ଏହି ଦୋଷ ମୁଣ୍ଡଉଥିବା କଥା କହିବାବେଳେ ତୁମେମାନେ କାହିଁକି ଖ୍ରୀଷ୍ଟଆନମାନଙ୍କୁ ଦୋଷ ଦେଉଛ’ ବୋଲି ପ୍ରଶ୍ନ କରାଗଲେ ଲମ୍ବୋଦର କଅଁର ଏବଂ ତାଙ୍କ ସମର୍ଥକମାନେ ଆଉ ଗୋଟିଏ କଥା କହନ୍ତି । ତାଙ୍କ ବିଚାରରେ, ମାଓବାଦୀମାନଙ୍କ ମଧ୍ୟରେ କିଛି ପାଣ ଖ୍ରୀଷ୍ଟିଆନ ଅଛନ୍ତି । ସେଇମାନେ ଏ କାଣ୍ଡ ଭିଆଇଛନ୍ତି ।

 

ଏ ଅଭିଯୋଗକୁ ଜଲେଶପଟା ଆଶ୍ରମର ଅନ୍ତେବାସୀ ହରିଶ ଚନ୍ଦ୍ର ପ୍ରଧାନ ମଧ୍ୟ ସମର୍ଥନ କରନ୍ତି । ଜିଲ୍ଲା ପୁଲିସ୍‌ ଉପରେ ଅତ୍ୟନ୍ତ କ୍ଷୁବ୍ଧ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ଯେ ସ୍ୱାମୀଜୀଙ୍କ ହତ୍ୟା ଦିନ ତାଙ୍କ ପିଏସ୍‌ଓ ଛୁଟିରେ ରହିଗଲେ କାହିଁକି ? ଏ ଘଟନା ସଂପର୍କରେ ପାଖ ଥାନା ଅଧିକାରୀ ସବୁ ଜାଣିଥିଲେ ଓ ଏହା ପଛରେ ଏକ ବୃହତ୍‌ ଷଡ଼ଯନ୍ତ୍ର ରହିଛି । ଶ୍ରୀ ପ୍ରଧାନ ସ୍ୱାମୀଜୀଙ୍କ ହତ୍ୟାକୁ ସୁବୁଠୁ ଦୁର୍ଭାଗ୍ୟଜନକ ଘଟନା ବୋଲି କହୁଥିବାବେଳେ କେ. ନୂଆଗାଁର ନନ୍‌ ଧର୍ଷଣ ଘଟନାକୁ ଅଯଥା ଗୁରୁତ୍ୱ ଦିଆଯାଉଛି ବୋଲି କହିଥାଆନ୍ତି ।

 

‘ରବିବାର ସମ୍ବାଦ’, ୯ ନଭେମ୍ବର, ୨୦୦୮

Image

 

ଖେଳର ନାମ ଦଳବଦଳ

 

ଓଡ଼ିଶାରେ ୨୦୦୯ ନିର୍ବାଚନ ଦୁଇ ଦଫାରେ ଅନୁଷ୍ଠିତ ହେଉଛି । ଗଲା ୧୬ ତାରିଖରେ ୧୦ଟି ଲୋକସଭା ଆସନ ଏବଂ ସେଇ ଲୋକସଭା ଆସନ ଅନ୍ତର୍ଗତ ୭୦ଟି ବିଧାନସଭା ପାଇଁ ନିର୍ବାଚନ ସରିଛି । ଆସନ୍ତା ୨୩ ତାରିଖ ଦିନ ଅବଶିଷ୍ଟ ୧୧ଟି ଲୋକସଭା ଏବଂ ୭୭ଟି ବିଧାନସଭା ପାଇଁ ନିର୍ବାଚନ ହେବ ।

 

ଅନେକ ସମୟରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଏବଂ ସମାଜଶାସ୍ତ୍ରୀମାନେ କହନ୍ତି ଯେ ଭାରତବର୍ଷର ଗଣତନ୍ତ୍ର ଆଦର୍ଶ ସ୍ଥାନୀୟ । ଏଡ଼େ ବିଶାଳ ଦେଶ, ଶହେ କୋଡ଼ିଏ କୋଟିରୁ ଅଧିକ ଲୋକ- ଏସବୁ ସତ୍ତ୍ୱେ ଗଣତନ୍ତ୍ର ଦିନକୁ ଦିନ ବିକଶିତ ହେବା କିଛି କମ୍‌ କଥା ନୁହେଁ ! ପ୍ରକୃତପକ୍ଷେ ଭାରତର ଗଣତନ୍ତ୍ର ଏକ ଅଦ୍ଭୁତ ଗଣତନ୍ତ୍ର । ପ୍ରଚୁର କଳାଟଙ୍କା, ମିଛ ପ୍ରତିଶ୍ରୁତି, ହଜାରେରୁ ଅଧିକ ରାଜନୈତିକ ଦଳର ଭିଡ଼, ସଂକୀର୍ଣ୍ଣ ଜାତିଆଣ ରାଜନୀତି ଏବଂ ଶସ୍ତା ଚାଉଳ ଯୋଜନା ଭିତରେ ଆମ ଦେଶର ନିର୍ବାଚନ ଗୁଡ଼ିକ ଦିନକୁ ଦିନ ଅର୍ଥହୀନ କସରତ ହେବାରେ ଲାଗିଛି । ନିକଟରେ ପ୍ରକାଶିତ ଇକନମିଷ୍ଟ ଇଣ୍ଟେଲିଜେନ୍‌ସ ୟୁନିଟ୍‌ (ଇଆଇୟୁ)ର ପୃଥିବୀର ୩୦ଟି ସଫଳ ଗଣତନ୍ତ୍ର ତାଲିକାରେ ଭାରତର ନାଁ ନାହିଁ । ଏହି ରିପୋର୍ଟ ଭାରତକୁ ଏକ ଫ୍ଲ’ଡ୍‌ ଡେମୋକ୍ରାସି ବା ଗଣ୍ଡଗୋଳିଆ ଗଣତନ୍ତ୍ର ବୋଲି ଅଭିହିତ କରିଛି । ଭାରତବର୍ଷର ମାନଚିତ୍ରରେ ଓଡ଼ିଶାର ସ୍ଥାନ ପୁଣି ଅତ୍ୟନ୍ତ ଦୟନୀୟ । ୧୯୨୧ ମସିହାରେ ମହାତ୍ମା ଗାନ୍ଧି ଏ ରାଜ୍ୟକୁ ଆସି କହିଥିଲେ, ଓଡ଼ିଶା ହେଉଛି ଭାରତର ସବୁଠାରୁ ଗରିବ ରାଜ୍ୟ । ଆଜି ୮୮ ବର୍ଷ ପରେ ଆଉ ଜଣେ ତରୁଣ ଗାନ୍ଧି (ରାହୁଳ) ଆସି କହୁଛନ୍ତି ଯେ ଓଡ଼ିଶା ଏବେ ବି ଦେଶର ସବୁଠାରୁ ଦରିଦ୍ର ରାଜ୍ୟ । ମହାତ୍ମା ଗାନ୍ଧିଙ୍କ ଦୃଷ୍ଟି ଏବଂ ରାହୁଳ ଗାନ୍ଧିଙ୍କ ଦୃଷ୍ଟି ଭିତରେ ହେଲିକପ୍ଟର ଏବଂ ରେଳଗାଡ଼ି ଦୂରତ୍ୱର ବ୍ୟବଧାନ ଥିଲେ ମଧ୍ୟ ସେମାନଙ୍କର ମନ୍ତବ୍ୟକୁ କେହି ଭୁଲ୍‌ ବୋଲି କହୁନାହନ୍ତି । ଏପରିକି ଏ ରାଜ୍ୟର କୋଟିପତି ମୁଖ୍ୟମନ୍ତ୍ରୀ ମଧ୍ୟ ଏହାର ପଦୁଟିଏ ପ୍ରତିବାଦ କରି ନାହାନ୍ତି । ଏହି ପୃଷ୍ଠଭୂମିରେ ୨୦୦୯ ସାଧାରଣ ନିର୍ବାଚନର ପରିଣତି କ’ଣ ହେବ, ତା ଅପେକ୍ଷା ଏଥର ଯେଉଁ ଧରଣର ବ୍ୟାପକ ଦଳ ବଦଳ ହୋଇଛି ସେ ବିଷୟରେ ବେଶି ଆଲୋଚନା ହେଉଛି ।

 

୨୦୦୯ ମାର୍ଚ ୪ ତାରିଖ ବେଳକୁ ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ତଥାପି ଭାଙ୍ଗି ନଥାଏ । କୁଳିଅଣାର ବିଜେପି ବିଧାୟକ ସାନନ୍ଦ ମାରାଣ୍ଡି ତାଙ୍କ ଦଳ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଉଥିବା କଥା ବିଧାନସଭାର ବାଚସ୍ପତିଙ୍କୁ ଜଣାଇଦେଲେ । ତାଙ୍କ ଅଭିଯୋଗ ହେଲା, ଭାଜପାରେ ଆଉ କେହି ଯୁଧିଷ୍ଠିର ନାହାନ୍ତି । ଏଠି ଦିନକୁ ଦିନ ଦୁର୍ଯ୍ୟୋଧନମାନଙ୍କ ସଂଖ୍ୟା ବଢ଼ି ଚାଲିଛି । ତେଣୁ ସେ ଦଳ ତ୍ୟାଗ କରୁଛନ୍ତି । କିନ୍ତୁ କ’ଣ ହେଲା କେଜାଣି ଗୋଟାଏ ଦିନ ପରେ ଶ୍ରୀ ମାରାଣ୍ଡି ସାମ୍ବାଦିକମାନଙ୍କୁ କହିଲେ, ‘ମୁଁ ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କ ପ୍ରରୋଚନାରେ ଦଳ ଛାଡ଼ି ପଳେଇଥିଲି । ନିଜ ଭୁଲ୍‌ ବୁଝି ଦଳକୁ ଫେରିଆସିଲି ।’ ତେବେ ତାଙ୍କର ଏ ଆତ୍ମସମୀକ୍ଷାର ପ୍ରଭାବ ମାତ୍ର ୪୮ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିଲା । ଏହାପରେ ଶ୍ରୀ ମାରାଣ୍ଡି ଯାଇ ପୁଣି ବିଜେଡିରେ ଯୋଗଦେଲେ । ଚଳିତ ନିର୍ବାଚନରେ ସେ ବାରିପଦା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲଢୁଛନ୍ତି । ଶ୍ରୀ ମାରାଣ୍ଡିଙ୍କୁ ସ୍ୱାଧୀନଚେତା କୁହାଯିବ ନା ସୁବିଧାବାଦୀ ସେକଥା ରାଜନୀତିଜ୍ଞମାନେ ବୁଝିବେ । ତେବେ ଶ୍ରୀ ମାରାଣ୍ଡିଙ୍କର ଏପ୍ରକାର ଆଚରଣ ୧୯୫୮ର ‘ଆୟାରାମ ଗୟାରାମ, ଘାସିରାମ ରାମ ରାମ’ ଘଟନାକୁ ନିଶ୍ଚୟ ମନେ ପକେଇଦେଇଛି । ୧୯୫୮ରେ ନୂଆପଡ଼ା ବିଧାନସଭା ସଦସ୍ୟ ଘାସିରାମ ମାଝୀ ଗୋଟିଏ ଦିନରେ କଂଗ୍ରେସ ଦଳ ଛାଡ଼ି ଗଣତନ୍ତ୍ର ପରିଷଦରେ ଯୋଗ ଦେଇଥିଲେ ଓ ପୁଣି କଂଗ୍ରେସକୁ ଫେରି ଆସିଥିଲେ । କଂଗ୍ରେସରୁ ଗଣତନ୍ତ୍ର ପରିଷଦକୁ ଯିବାଲାଗି ଚାହୁଥିବା ଅନୁପ ସିଂହଦେଓଙ୍କୁ ବିଜୁ ପଟ୍ଟନାୟକ ଯାଇ ଉଦିତ ପ୍ରତାପ ଶେଖର ଦେଓଙ୍କ ବାସଭବନରୁ ଏକରକମ ଟେକିଟେକି ନେଇଆସିବା ଘଟନା ବୋଧହୁଏ ଘାସିରାମଙ୍କୁ ଭୟଭୀତ କରିଥିବ । ତେଣୁ ଘାସିରାମ ମାଝୀ କାଳବିଳମ୍ବ ନକରି କଂଗ୍ରେସକୁ ଫେରି ଆସିଥିଲେ । ତାକୁ ହିଁ - ଲକ୍ଷ୍ୟ କରି ସେତେବେଳେ କାନ୍ଥବାଡ଼ରେ ଲେଖାଯାଇଥିଲା - ଆୟାରାମ, ଗୟାରାମ, ଘାସିରାମ ରାମ ରାମ ।

 

ରାଜନୀତିର ଏଇ ଦଳବଦଳ ବ୍ୟାଧିକୁ ନିୟନ୍ତ୍ରଣ କରିବା ଲାଗି ସମ୍ବିଧାନର ଦଶମ ଅନୁଚ୍ଛେଦରେ ସଂଶୋଧନ (୯୭ତମ) ଅଣାଯାଇ ୨୦୦୪ ଜାନୁଆରିରୁ ଦଳବଦଳ ନିରୋଧ ଆଇନକୁ ମଜଭୁତ କରାଯାଇଛି । ଏହି ଆଇନର ନିୟମ ଅନୁସାରେ କୌଣସି ଦଳର ମୋଟ ସଭ୍ୟ ସଂଖ୍ୟାର ଏକତୃତୀୟାଂଶ ଯଦି ଏକାଥରେ ଅନ୍ୟ ଦଳକୁ ଯିବେ ତାହାହେଲ ଭିନ୍ନ କଥା, ମାତ୍ର ତା’ଠାରୁ କମ୍‌ ଗଲେ ସେମାନଙ୍କ ସଭ୍ୟ ପଦ ନାକଚ ହୋଇଯିବ । ସେମାନେ ନିର୍ବାଚିତ ପ୍ରତିନିଧି ପାଉଥିବା ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହେବେ । ମାତ୍ର ନୀତି ଡାଳେ ଡାଳେ ଗଲେ ନେତାଏ ପତ୍ରେ ପତ୍ରେ ଯାଆନ୍ତି । ସୁତରାଂ ଆଇନ ତା ବାଟରେ ଅଛି, ଦଳ ବଦଳ ପାଇଁ ନେତାମାନେ ନାନା ପ୍ରକାର ଚୋରାବାଟ ଖୋଜୁଛନ୍ତି । ଗତ ବିଧାନସଭାର ତିନିଜଣ ଭାଜପା ବିଧାନସଭା ସଦସ୍ୟ ଏହିପରି ଲୁଚିଛପି ଯାଇ ବିଜେଡିକୁ ସମର୍ଥନ କରିଥିଲେ ବୋଲି ଭାଜପା ଦଳର ନେତା ବିଶ୍ୱଭୂଷଣ ହରିଚନ୍ଦନ ଅଭିଯୋଗ କରି ସେମାନଙ୍କ ସଭ୍ୟପଦ ନାକଚ କରିବାକୁ ଦାବି କରିଥିଲେ । ମାତ୍ର ଶାସକ ଦଳ ଚିତ୍କାରର ବୁଲ୍‌ଡୋଜର ଚକ ତଳେ ବିଶ୍ୱଭୂଷଣଙ୍କ ଦାବି- ଦୁବଘାସ ଦୟନୀୟ ଭାବେ ଚାପି ହୋଇଗଲା ।

 

୨୦୦୯ ଓଡ଼ିଶା ନିର୍ବାଚନ ଯେଉଁ ତିନିଟି କାରଣରୁ ବହୁଦିନ ପର୍ଯ୍ୟନ୍ତ ସ୍ମରଣରେ ରହିବ ତା ଭିତରୁ ପ୍ରଥମ ହେଲା, ଏଗାରବର୍ଷର ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା, ଦ୍ୱିତୀୟ ହେଲା ସଂଖ୍ୟାଧିକ ନେତାଏ ନିଜ ପରିବାରବର୍ଗଙ୍କୁ ଦଳୀୟ ଟିକେଟ୍‌ ଦେଇ ପାରିବାରିକ ଶାସନକୁ ଗଣସ୍ୱୀକୃତି ଦେବା ଏବଂ ତୃତୀୟ ହେଲା ରେକର୍ଡ ସଂଖ୍ୟକ ନେତା ଏ ଦଳରୁ ସେ ଦଳକୁ ଚଟାପଟ୍‌ ଡିଆଁ ମାରି ଟିକେଟ୍‌ ପାଇବା ।

 

୨୦୦୯ ମାର୍ଚ ୭ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଦେଲେ - ମେଣ୍ଟ ଭାଙ୍ଗିଲା । ପୂର୍ବରୁ ଏକଥା ଜଣାପଡ଼ିଥିଲେ ମଧ୍ୟ ଭାଜପା ନେତାଏ ଶେଷ ପର୍ଯ୍ୟନ୍ତ ନବୀନଙ୍କ ଉପରେ ଭରସା କରି ରହିଥିଲେ । ମାତ୍ର ନବୀନ ସେମାନଙ୍କ ମୁହଁକୁ ଅନେଇଲେ ନାହିଁ । ସାମ୍ବାଦିକମାନଙ୍କୁ ଡାକି ସେ ଏକଥା ପଦକ କହିଦେବା ପରେ ଭାଜପା ଦଳର ନେତାଏ ଯାଇ ରାଜ୍ୟପାଳଙ୍କୁ ଜଣେଇଦେଲେ - ଆମେ ଆମର ସମର୍ଥନ ପ୍ରତ୍ୟାହାର କଲୁ, ନବୀନ ସରକାରଙ୍କୁ ବରଖାସ୍ତ କରନ୍ତୁ । ମାତ୍ର ଭାଜପାର ଏପ୍ରକାର ଚାଲ୍‌ ସମ୍ପର୍କରେ ଆଗରୁ ପୂର୍ବାନୁମାନ କରି ସାରିଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ପରାମର୍ଶଦାତା ପ୍ୟାରୀମୋହନ ମହାପାତ୍ର ନିଜ ରଣକୌଶଳ ପ୍ରସ୍ତୁତ କରି ରଖିଥିଲେ । ୭୬ ଜଣ ବିଧାୟକଙ୍କୁ ନେଇ ନିଜର ସଂଖ୍ୟାଗରିଷ୍ଠତାର ପରିଚୟ ଦେବାଲାଗି ମୁଖ୍ୟମନ୍ତ୍ରୀ ରାଜଭବନରେ ପହଞ୍ଚିଗଲେ । ରାଜ୍ୟପାଳ କହିଲେ, ‘ଏଠି ନୁହେଁ, ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଦରକାର ।’ ରାଜ୍ୟପାଳଙ୍କ ନିର୍ଦେଶ ଅନୁସାରେ ୧୩ ମାର୍ଚରେ ନବୀନ ପଟ୍ଟନାୟକ ବିଧାନସଭାରେ ଆସ୍ଥା ଭୋଟ୍‌ ଲୋଡ଼ିଲେ । ଏକ ବିବଦମାନେ ପରିସ୍ଥିତିରେ ବାଚସ୍ପତି ଘୋଷଣା କଲେ, ବାଚନିକ ଭୋଟ୍‌ରେ ମୁଖ୍ୟମନ୍ତ୍ରୀ ଗୃହର ଆସ୍ଥା ଜିଣିଲେ । ବାଚସ୍ପତିଙ୍କର ଏହି ପଦକ୍ଷେପକୁ ନେଇ ଏପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଛି । ଏ ଘଟନାର ଦଶଦିନ ପରେ ଖବର ପ୍ରକାଶ ପାଇଲା, ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ କୁଆଡ଼େ ରାଷ୍ଟ୍ରପତିଙ୍କୁ ଜଣାଇ ଦେଇଛନ୍ତି ଯେ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଲୋଡ଼ିଥିବା ଆସ୍ଥା ଭୋଟ୍‌ର ପ୍ରକ୍ରିୟା ତ୍ରୁଟିଶୂନ୍ୟ ନଥିଲା । ତା ସତ୍ତ୍ୱେ ଶାସନ ଗାଦିରେ ନବୀନ ରହିଗଲେ । ରାଷ୍ଟ୍ରପତି ଶାସନ ଜାରି ହେଲାନାହିଁ । ଜାଣିବା ଶୁଣିବା ମହଲରେ ଚର୍ଚ୍ଚା ହେଲା, କେନ୍ଦ୍ର କଂଗ୍ରେସ ନେତାଙ୍କ ସହ ନବୀନଙ୍କର ‘ଡିଲ୍‌’ ହୋଇଗଲା । ସାଧାରଣ ନିର୍ବାଚନ ପରେ ଯଦି କେନ୍ଦ୍ରରେ ବିଜେଡିର ସମର୍ଥନ ପ୍ରୟୋଜନ ପଡ଼େ ତାହା ନବୀନ ଯୋଗାଇଦେବେ । ତା ବଦଳରେ ନିର୍ବାଚନ ସମୟତକ ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରହିବେ ।

 

ଆସ୍ଥା ଭୋଟ୍‌ବେଳକୁ ନେତାମାନଙ୍କର ଲଙ୍ଗ୍‌ଜମ୍ପ୍‌ ଆରମ୍ଭ ହୋଇଗଲାଣି । କାରଣ ମାର୍ଚ ୨ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ନେତାମାନଙ୍କ ମେଳରେ ତତ୍ପରତା ଦେଖାଯାଇଥିଲା । ଭାଜପାର ଲାଇକେରା ବିଧାୟକ ବୃନ୍ଦାବନ ମାଝୀ ତାଙ୍କ ଦଳ ଛାଡ଼ି ସମୃଦ୍ଧ ଓଡ଼ିଶାରେ ଯୋଗ ଦେଇଥିଲେ । ‘ସମୃଦ୍ଧ ଓଡ଼ିଶା’ ଦଳ ଶ୍ରୀ ମାଝୀଙ୍କ ଯୋଗଦାନକୁ ଏକ ସ୍ମରଣୀୟ ଘଟନା ବୋଲି ବିଚାର କରି ତାହାଙ୍କୁ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ । ମାତ୍ର ଶ୍ରୀ ମାଝୀ ସମୃଦ୍ଧ ଓଡ଼ିଶାରେ ରହିଲେ ନାହିଁ । ସେ ମଉକା ଦେଖି ବିଜେଡିକୁ ଚାଲିଆସିଲେ । ବିଜେଡି ତାଙ୍କୁ କୁଚିଣ୍ଡା ଆସନରୁ ଲଢ଼ିବାଲାଗି ଟିକେଟ୍‌ ଦେଲା ଓ ସେ ଏଥର ନିର୍ବାଚନ ଲଢୁଛନ୍ତି । ଶ୍ରୀ ମାଝୀଙ୍କର ଧାରଣା, ଓଡ଼ିଶାରେ ଭାଜପାର ଆଉ ଭବିଷ୍ୟତ ନାହିଁ ।

 

ଚଳିତ ନିର୍ବାଚନରେ ଦଳବଦଳୁଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାର ଦୁଇଟି ବଡ଼ କାରଣ ଅଛି । ପ୍ରଥମ ହେଲା, ନିର୍ବାଚନମଣ୍ଡଳୀ ଗୁଡ଼ିକ ପୁନର୍ଗଠିତ ହେଲାପରେ କେତେକ ନିର୍ବାଚନମଣ୍ଡଳୀ ଉଠିଯାଇ ନୂଆ ଆସନ ଗଢ଼ି ଉଠିଲା । ପୁଣି କେତେକ ସଂରକ୍ଷିତ ଆସନ ସାଧାରଣବର୍ଗ ଆସନ ହୋଇଗଲା ତ କିଛି ସାଧାରଣବର୍ଗ ଆସନ ସଂରକ୍ଷିତ ହୋଇଗଲା । ଏସବୁ ଆସନରୁ ଲଢୁଥିବା ପାରମ୍ପରିକ ପ୍ରାର୍ଥୀମାନେ ନୂଆ ଜାଗା ଖୋଜିଲେ । ମାତ୍ର ଦଳ ସେମାନଙ୍କୁ ତାଙ୍କ ମନୋନୀତ ନିର୍ବାଚନ ମଣ୍ଡଳୀରେ ଲଢ଼ିବାଲାଗି ସୁଯୋଗ ନଦେବାରୁ ସେମାନେ ବାଧ୍ୟହୋଇ ଦଳ ଛାଡ଼ିଦେଲେ ବୋଲି ଏହି ନେତାମାନେ କହନ୍ତି । କଂଗ୍ରେସ ନେତା ତଥା ପାଲଲହଡ଼ାର ବିଧାୟକ ନୃସିଂହ ଚରଣ ସାହୁ ପର୍ଜଙ୍ଗରୁ ଲଢ଼ିବା ପାଇଁ ଚାହୁଁଥିଲେ । ମାତ୍ର କଂଗ୍ରେସ ତାଙ୍କୁ ସେ ସୁଯୋଗ ନଦେବାରୁ ସେ ଆସିଲେ ବିଜେଡିକୁ । ଏବେ ସେ ପର୍ଜଙ୍ଗରୁ ବିଜେଡିର ପ୍ରାର୍ଥୀ । ସେମିତି ଯାଜପୁର ଆସନରୁ ଲଢ଼ିବାକୁ ଚାହୁଁଥିବା ଯୁବନେତା ଗୌତମ ରାୟଙ୍କୁ ତାଙ୍କ ଦଳ କୋରେଇ ପଠେଇବାରୁ ସେ ଦଳ ଛାଡ଼ି ଭାଜପାରେ ଯୋଗ ଦେଲେ ।

 

ତାଙ୍କର ଅଭିଯୋଗ ହେଲା ତାଙ୍କୁ କୋରେଇ ପଠାଯାଇ ଅଯଥାରେ ବଳିଛାଗ କରାଯାଉଥିଲା । ଅନ୍ୟପକ୍ଷରେ ବିଜେଡି ଦଳ ଯାଜପୁର ବିଧାନସଭା ଆସନ ପାଇଁ ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ପ୍ରଣବଙ୍କୁ ଟିକେଟ୍‌ ଦେଇଛି । ବ୍ୟାପକ ଦଳବଦଳର ଦ୍ୱିତୀୟ କାରଣ ହେଲା, ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ଅଧିକାଂଶ ବିଜେପି ନେତା ସେମାନଙ୍କ ନିଜ ନିଜର ବିଜୟ ନେଇ ସନ୍ଦିହାନ ହୋଇପଡ଼ିଲେ । ଡିସେମ୍ବରରେ ଅନୁଷ୍ଠିତ ଭୁବନେଶ୍ୱର କର୍ପୋରେସନ୍‌ ଏବଂ ଫେବ୍ରୁଆରିରେ କଟକ ଓ ବାରିପଦା ପୌର ନିର୍ବାଚନରେ ବିଜେପିର ଶୋଚନୀୟ ପରିଣତି ସେମାନଙ୍କୁ ନିରୁତ୍ସାହିତ କରିଥିଲା । ତା ସାଙ୍ଗକୁ ବିଜେପିର କିଛି ଟାଣୁଆ ନେତା ଯଥା ମନମୋହନ ସାମଲ ଏବଂ ସମୀର ଦେ ଭିନ୍ନ ଭିନ୍ନ କାରଣରୁ ମନ୍ତ୍ରୀ ପଦରୁ ଯିବା ପରେ ଦଳର ନୈତିକ ମନୋବଳ ଭାଙ୍ଗି ପଡ଼ିଥିଲା । ସେଥିପାଇଁ ଅନେକ ଭାଜପା ବିଧାୟକ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲେ । ତେବେ ଏ ନିର୍ବାଚନରେ କେବଳ ବିଜେପି ନୁହେଁ କି କେବଳ ବିଜେଡି ନୁହେଁ, କଂଗ୍ରେସ ଦଳରୁ ଢେର୍‌ ନେତା ଅନ୍ୟ ଦଳକୁ ଯାଇଛନ୍ତି । ଭଦ୍ରକର ପୁରୁଣା କଂଗ୍ରେସ ନେତା ଯୁଗଳ କିଶୋର ପଟ୍ଟନାୟକ ନିଜ ଦଳରୁ ଯାଇ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବା ଏଥରର ଉତ୍କଣ୍ଠାପୂର୍ଣ୍ଣ ଦଳ ବଦଳ ଖେଳର ଏକ ଆଦର୍ଶ ଉଦାହରଣ !

 

ଚଳିତ ବର୍ଷର ଯେଉଁ ପ୍ରମୁଖ ନେତାମାନେ ଦଳବଦଳ କରିଛନ୍ତି ସେମାନଙ୍କୁ ମୋଟାମୋଟି ଦି’ ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ହେଲା ସ୍ୱାଧୀନଚେତା ଓ ଦ୍ୱିତୀୟ ସୁବିଧାବାଦୀ ।

 

ପ୍ରଥମେ ସ୍ୱାଧୀନଚେତା ବିଜୟ ମହାପାତ୍ରଙ୍କ କଥା ନିଆଯାଉ । ନବୀନ ପଟ୍ଟନାୟକଙ୍କ ‘ପଛପଟୁ ଛୁରିକାଘାତ’ ଫର୍ମୁଲାର ପ୍ରଥମ ସହିଦ ରୂପେ ଏକ୍ସପେରିମେଣ୍ଟ ବିଜୟ ମହାପାତ୍ର ବିଜେଡିରୁ ଯିବାପରେ ଓଡ଼ିଶା ଗଣପରିଷଦ ଗଠନ କରିଥିଲେ । ୨୦୦୭ ସେପ୍‌ଟେମ୍ବର ୨୭ ତାରିଖରେ ସେ ତାଙ୍କ ଦଳକୁ ଶରଦ ପାୱାରଙ୍କ ଏନ୍‌ସିପିରେ ମିଶେଇ ଦେଲେ । ନବୀନ ବିରୋଧୀ ଚିନ୍ତାଧାରା ହିଁ ଥିଲା ତାଙ୍କ ଦଳର ମୂଳଦୁଆ । ମାତ୍ର ଚଳିତ ନିର୍ବାଚନରେ ତାଙ୍କୁ ବିଶ୍ୱାସକୁ ନନେଇ ଏନ୍‌ସିପିର ମୁଖ୍ୟ ଶରଦ ପାୱାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରିବେ ବୋଲି ନିଷ୍ପତ୍ତି ନେବା ପରେ ତାଙ୍କ ପାଇଁ ସେ ଦଳରେ ରହିବା ସମ୍ଭବପର ହେଲା ନାହିଁ । ବାଧ୍ୟହୋଇ ‘ଏକ ଘରକିଆ’ ବିଜୟ ମହାପାତ୍ର ଆସି ବିଜେପିରେ ଯୋଗଦେଲେ । ଏଥର ସେ ପାଟକୁରା ଆସନରୁ ଲଢୁଛନ୍ତି । ଅନ୍ୟପକ୍ଷରେ ସେଇ ଆସନରୁ ବିଜେଡି ଟିକେଟ୍‌ରେ ଲଢୁଥିବା ବେଦପ୍ରକାଶ ଅଗ୍ରୱାଲଙ୍କୁ ଜଣେ ସୁବିଧାବାଦୀ ନେତା ବୋଲି ଗ୍ରହଣ କରାଯାଇପାରେ । ଶ୍ରୀ ଅଗ୍ରୱାଲ ୨୦୦୪ର ନିର୍ବାଚନ ହାରିଯାଇଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟି ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ କରାଇଥିଲା । ମାତ୍ର ଚଳିତ ବର୍ଷ ସେ ଭାଜପା ଦଳ ଛାଡ଼ି ବିଜେଡିରେ ଆସି ଯୋଗ ଦେଇଛନ୍ତି ।

 

ପୁରୀ ଲୋକସଭା ଆସନରୁ କ୍ରମାଗତ ଭାବେ ବିଜୟୀ ହୋଇ ଏନ୍‌ଡିଏ ସରକାର ଅମଳରେ କେନ୍ଦ୍ରମନ୍ତ୍ରୀ ହୋଇଥିବା ଟାଣୁଆ ବିଜେଡି ନେତା ବ୍ରଜକିଶୋର ତ୍ରିପାଠୀ ଏଥର ଭାରତୀୟ ଜନତା ପାର୍ଟିର ଟିକେଟ୍‌ରେ ନିର୍ବାଚନ ଲଢୁଛନ୍ତି । ଶ୍ରୀ ତ୍ରିପାଠୀଙ୍କ ଯେଉଁଭଳି ଭାବେ ଏଥର ବିଜେଡି ଟିକେଟ୍‌ରୁ ବଂଚିତ କରାଗଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି । କେବଳ ଯେ ଟିକେଟ୍‌ ନ ଦିଆଯାଇ ତାଙ୍କୁ ଅପମାନିତ କରାଯାଇଛି ସେତିକି ନୁହେଁ, ପୁରୀ ଆସନରୁ ବିଜେଡିର ପୁରୁଣା ଶତ୍ରୁ ଏବଂ ବ୍ରଜ ତ୍ରିପାଠୀଙ୍କ ପରୁଣା ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତା ପିନାକୀ ମିଶ୍ରଙ୍କୁ ଏଥର ବିଜେଡି ସେଠୁ ପ୍ରାର୍ଥୀ କରାଇଛି । ଶ୍ରୀ ପିନାକୀ ମିଶ୍ର ଏଥର କଂଗ୍ରେସ ଟିକେଟ୍‌ ପାଇଁ ପୁରୀରୁ ଲଢ଼ିବେ ବୋଲି ଶୁଣାଯାଉଥିଲା । ସିଏ ପିସିସି ସଭାପତି କାମାକ୍ଷାପ୍ରସାଦ ସିଂହଦେଓଙ୍କ ଘନିଷ୍ଠ ଲୋକ । ଏପରିକି କାମାକ୍ଷାପ୍ରସାଦ ପିସିସି ସଭାପତି ହେବା ପରେ ଭୁବନେଶ୍ୱରର ସାମ୍ବାଦିକମାନଙ୍କୁ ଯେଉଁ ଭୋଜି ଦେଇଥିଲେ ତାହା ପିନାକୀ ମିଶ୍ରଙ୍କ ଫରେଷ୍ଟ ପାର୍କ ବାସଭବନରେ ଆୟୋଜିତ ହୋଇଥିଲା । ମାତ୍ର କ’ଣ ହେଲା କେଜାଣି ତାଙ୍କୁ ପୁରୀ ଆସନରୁ ଟିକେଟ୍‌ ମିଳିଲା ନାହିଁ । ସିଏ କାଳବିଳମ୍ବ ନକରି ତୁରନ୍ତ ଯାଇ ବିଜେଡିରେ ମିଶିଲେଏବଂ ବିଜେଡି ଯଥାଶୀଘ୍ର ତାଙ୍କୁ ପୁରୀରୁ ଦଳର ଲୋକସଭା ପ୍ରାର୍ଥୀ ରୂପେ ଘୋଷଣା କଲା । ଏହାପରେ ବ୍ରଜ ତ୍ରିପାଠୀ ବିଜେଡିରେ ରହିବା ଆଉ ସମ୍ଭବ ହୋଇ ନଥାନ୍ତା । ତେଣୁ ସେ ବାଧ୍ୟ ହୋଇ ଭାଜପାରେ ଯୋଗ ଦେଲେ । ପୁରୀ ଜିଲ୍ଲାର ଆଉ ଜଣେ ନେତା, କୃଷିମନ୍ତ୍ରୀ ସୁରେନ୍ଦ୍ର ନାୟକ ମଧ୍ୟ ଏଥର ନବୀନଙ୍କ ଦ୍ୱାରା ପ୍ରତାରିତ ହୋଇଛନ୍ତି । ତେବେ ପରିଣତ ବୟସରେ ଉପନୀତ ସୁରେନ୍ଦ୍ର ନାୟକ ଦଳ ନେତାଙ୍କ ଅପମାନକୁ ହଜମ କରି ପଡ଼ିରହିଛନ୍ତି । ସେ ନିଜ ଦଳ ଛାଡ଼ି ନାହାନ୍ତି । ପୁରୀ ଜିଲ୍ଲାର ଆଉ ଜଣେ ଟାଣୁଆ ଯୁବନେତା ଥିଲେ ଉମାବଲ୍ଲଭ ରଥ । ଗତ ତିନିବର୍ଷ ଧରି ସେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ଆନ୍ଦୋଳନ ଜୋର୍‌ସୋର୍‌ରେ ଚଳେଇଥିଲେ । ଏଥର ସେ ପୁରୀ ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ ପାଇବେ ବୋଲି ସ୍ଥିର ନିଶ୍ଚିତ ଥିଲେ । ମାତ୍ର କଂଗ୍ରେସ ତାଙ୍କୁ ଟିକେଟ୍‌ ଦେଲା ନାହିଁ । ସିଏ ମଧ୍ୟ କାଳବିଳମ୍ବ ନକରି ଭାଜପାରେ ମିଶିଗଲେ ଓ ଭାଜପା ତାଙ୍କୁ ପୁରୀ ଆସନଲାଗି ଟିକେଟ୍‌ ଦେଲା । ସେ ଏଥର ବିଜେଡିର ମହେଶ୍ୱର ମହାନ୍ତି ଏବଂ କଂଗ୍ରେସର ଉତ୍ତର ଆଚାର୍ଯ୍ୟଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ।

 

ଚଳିତବର୍ଷ ଅନ୍ୟ ଯେଉଁ ନେତାମାନେ ଦଳ ବଦଳ କରିଛନ୍ତି ସେମାନେ ହେଲେ ଅନାଦି ସାହୁ, ତାରାପ୍ରସାଦ ବାହିନୀପତି, ରୋହିତ ପୂଜାରୀ, ଦିଲୀପ ରାୟ, ଅର୍ଚନା ନାୟକ, ମହେଶ୍ୱର ସାହୁ, ଧନେଶ୍ୱର ମାଝୀ, ଅଜୟ ଜେନା,ପ୍ରମିଳା ଗିରି, ମୁସ୍ତାଫିଜ ଅହମ୍ମଦ, ଦିଲୀପ ଶ୍ରୀଚନ୍ଦନ, ରଘୁନାଥ ସାହୁ, ଅଜିତ ଦାସ, ନୃସିଂହ ସାହୁ, ଭବାନୀଶଙ୍କର ହୋତା, ଅରବିନ୍ଦ ଢାଲି, ପ୍ରହ୍ଲାଦ ଦୋରା, ରାମମୂର୍ତ୍ତି ଗମାଙ୍ଗ, ଜନ୍ମେଜୟ ଲେଙ୍କା, ରାଧାରାଣୀ ପଣ୍ଡା, ଉଦୟ ନାରାୟଣ ଦେଓ, ହରି ସ୍ୱାଇଁ ଏବଂ ବିଭୁପ୍ରସାଦ ତରାଇ । ଅନାଦି ସାହୁ ପୁଲିସ୍‌ ଚାକିରିରୁ ଆସି କଂଗ୍ରେସରେ ଯୋଗ ଦେଇଥିଲେ । ସେଠୁ ଆସିଥିଲେ ଭାଜପା । ଭାଜପା ଟିକେଟ୍‌ରେ ସେ ଏମ୍‌.ପି. ହୋଇଥିଲେ ମଧ୍ୟ ପରବର୍ତୀ ସମୟରେ ଆସି ବିଜୟ ମହାପାତ୍ରଙ୍କ ସହ ଏନ୍‌ସିପିରେ ଯୋଗ ଦେଇଥିଲେ । ଏବେ ବିଜୟବାବୁଙ୍କ ସହ ସିଏ ମଧ୍ୟ ଭାଜପାକୁ ଆସିଛନ୍ତି । ଅର୍ଚନା ନାୟକ କଂଗ୍ରେସର ନେତ୍ରୀ ଥିଲେ । ଗଲା ୨୦୦୪ ମସିହାରେ ପ୍ୟାରୀମୋହନ ମହାପାତ୍ର ତାଙ୍କୁ ଡକେଇନେଇ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରାଇଥିଲେ ଏବଂ ଅର୍ଚନା ସେହି ନିର୍ବାଚନ ଜିଣିଥିଲେ । ତାଙ୍କ ଜାଗାରେ ଏଥର କେନ୍ଦ୍ରାପଡ଼ା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ‘ଇମ୍ଫା’ ଗ୍ରୁପ୍‌ର ମାଲିକ ବୈଜୟନ୍ତ ପଣ୍ଡା । ଅର୍ଚନା ଏଥର ଟିକେଟ୍‌ ପାଇବେ ନାହିଁ ଜାଣି ଭାଜପାରେ ଯୋଗ ଦେଇଛନ୍ତି । ସେ ବିଜେଡି ଛାଡ଼ିବାପରେ ଏକ ବିସ୍ଫୋରକ ମନ୍ତବ୍ୟ ଦେଇ କହିଥିଲେ ଯେ, ବିଜେଡି ଦଳ ଏବେ ସଂପୂର୍ଣ୍ଣ ଭାବେ ପ୍ୟାରୀମୋହନ ମହାପାତ୍ରଙ୍କ କବ୍‌ଜାରେ, ନିଜେ ନବୀନ ପଟ୍ଟନାୟକ ଅସହାୟ । ଅର୍ଚନାଙ୍କର ଏହି ଅଭିଯୋଗ ମନ୍ତ୍ରୀ ସୁର ନାୟକଙ୍କ ଟିକେଟ୍‌ କଟାଯିବା ଘଟନାରେ ଅଧିକ ସ୍ପଷ୍ଟ ହୋଇଗଲା । ଶ୍ରୀ ନାୟକଙ୍କ କାକଟପୁର ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଆସନ ହୋଇଯାଇଥିବାରୁ ତାଙ୍କୁ ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀରୁ ଟିକେଟ୍‌ ଦିଆଯାଇଥିଲା । ମାତ୍ର ସେ ପ୍ରାର୍ଥୀପତ୍ର ଦାଖଲ କରିବାର ପରଦିନ ତାଙ୍କ ଟିକେଟ୍‌ ପ୍ରତ୍ୟାହାର କରି ନିଆଯାଇ ତାଙ୍କ ଜାଗାରେ ଭାଗିରଥୀ ବଡ଼ଜେନାଙ୍କୁ ଠିଆ କରାଗଲା । ଭାଗିରଥୀ ବଡ଼ଜେନା ଗତ ୨୦୦୪ ନିର୍ବାଚନବେଳେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିଲେ । ଶ୍ରୀ ରୋହିତ ପୂଜାରୀ ଯୁବ କଂଗ୍ରେସ ଦଳର ସଭାପତି ଥିଲେ । କାମାକ୍ଷାପ୍ରସାଦ ପିସିସି ସଭାପତି ହେବାପରଠାରୁ ତାଙ୍କ ଆସନ ଅସୁରକ୍ଷିତ ହୋଇପଡ଼ିଥିଲା । ସେ ବିଜେଡିରେ ଯୋଗ ଦେଲେ ଏବଂ ବିଜେଡି ତାଙ୍କୁ ତୁରନ୍ତ ଗ୍ରହଣ କରିନେଲା-। ସେ ଏଥର ସମ୍ବଲପୁର ଲୋକସଭା ଆସନରୁ ଲଢୁଛନ୍ତି । କଂଗ୍ରେସ ଦଳର ଛାମୁଆଁ ସଂଗଠନ ଯୁବ କଂଗ୍ରେସ କେବଳ ନୁହେଁ ସେବାଦଳ ସଭାପତି ରଘୁ ସାହୁ ସୁଦ୍ଧା ଏଥର ଯାଇ ବିଜେଡିରେ ମିଶି ବାଲୁଗାଁ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଗୋଟିଏ ଜାତୀୟ ଦଳର ଦି’ ଦିଇଟା ଛାମୁଆଁ ସଂଗଠନ ମୁଖ୍ୟ ଏକାଥରେ ବାହାରି ଯାଇ ଶତ୍ରୁ ଶିବିରର ଶରଣାପନ୍ନ ହେବା ଏ ନିର୍ବାଚନରେ ଏକ ବିରଳ ଘଟନା । ସେମିତି ଶତ୍ରୁ ଶିବିର ତୁରନ୍ତ ସେମାନଙ୍କୁ ଗ୍ରହଣ କରିନେଇ ସେମାନଙ୍କ ସର୍ତରେ ରାଜିହେବା ମଧ୍ୟ ଏଥରର ଆଉ ଏକ ବିରଳ ଘଟନା । ସେହିପରି ଅନ୍ୟ ଯେଉଁ ଜଣାଶୁଣା କଂଗ୍ରେସ ନେତା ଯାଇ ଭାଜପାରେ ମିଶିଛନ୍ତି ସିଏ ହେଲେ ତାରାପ୍ରସାଦ ବାହିନୀପତି । ତାଙ୍କ ଅଭିଯୋଗ ହେଲା, ଗିରିଧର ଗମାଙ୍ଗ କୋରାପୁଟ ଜିଲ୍ଲାର ସବୁ ଆସନକୁ ଦଖଲ କରି ବସିଛନ୍ତି । ବାହିନୀପତିଙ୍କ କୋରାପୁଟ ଆସନଟି ସଂରକ୍ଷିତ ହୋଇଯବା ଯୋଗୁଁ ସେ ଜୟପୁରରୁ ଲଢ଼ିବା ଲାଗି ଚାହୁଁଥିଲେ । ମାତ୍ର ସେ ଆସନରୁ ଲଢ଼ିବା ପାଇଁ ଗିରିଧର ଗମାଙ୍ଗଙ୍କ ବ୍ୟକ୍ତିଗତ ସହକାରୀ କେ. ନାଗରାଜ ଦୋରାଙ୍କୁ ଟିକେଟ୍‌ ଦିଆଯିବାରୁ ବାହିନୀପତି ବାଧ୍ୟହୋଇ ଦଳ ଛାଡ଼ିଲେ । ତାଙ୍କର ଅଭିଯୋଗ ହେଲା ଯେ ଚଳିତ ନିର୍ବାଚନରେ ନିଜେ ଗିରିଧର ଗମାଙ୍ଗ କୋରାପୁଟ ଲୋକସଭା ଆସନରୁ ଲଢୁଥିବା ବେଳେ ପୁଅ ଶିଶିର ଗମାଙ୍ଗ ଗୁଣୁପୁରରୁ ଏବଂ ପତ୍ନୀ ହେମା ଗମାଙ୍ଗ ଲକ୍ଷ୍ମୀପୁରରୁ ଲଢୁଛନ୍ତି । ଗିରିଧରଙ୍କ ସ୍ୱାର୍ଥ ପାଇଁ ଲକ୍ଷ୍ମୀପୁରର କଂଗ୍ରେସ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ବଳି ପକାଯାଇଛି ଏବଂ ତାଙ୍କୁ ମଧ୍ୟ ଟିକେଟ୍‌ରୁ ବଞ୍ଚିତ କରାଯାଇଛି । ସେହିପରି ଚଳିତ ନିର୍ବାଚନ ସମୟରେ ଦଳବଦଳ କରିଥିବା ଅନ୍ୟ ଦି’ଜଣ ଜଣାଶୁଣା କଂଗ୍ରେସ ନେତା ହେଲେ ମୁସ୍ତାଫିଜ ଅହମ୍ମଦ ଏବଂ ଯୁଗଳ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କଂଗ୍ରେସ ଦଳର ଜଣେ ପୁରୁଣା ନେତା ଏବଂ ୧୯୮୦ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ରାଜସ୍ୱ ମନ୍ତ୍ରୀ ଥିଲେ । ସେ ଏଇ ପରିଣତ ବୟସରେ ବିଜେଡି ଦଳକୁ ଡେଇଁଛନ୍ତି । କଟକର ପୂର୍ବତନ ବିଧାୟକ ମୁସ୍ତାଫିଜ ଅହମ୍ମଦ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବା ପରେ ସେ ଓହରି ଯାଇ କଂଗ୍ରେସରେ ମିଶିଥିଲେ । ଏଥର ନବୀନବାବୁ ଭାଜପାର ହାତ ଛାଡ଼ି ଦେବା ପରେ ମୁସ୍ତାଫିଜ ନିଜ ଦଳକୁ ଫେରିଆସିବା ଲାଗି ବାଟ ପାଇଗଲେ । ସେ କିଛିବର୍ଷ ହେଲା ଶ୍ୱାସରୁଦ୍ଧ ଅବସ୍ଥା ଅନୁଭବ କରୁଥିଲେ ।

 

ଚଳିତ ନିର୍ବାଚନରେ ଭାଜପାର ବହୁ ନେତା ନିଜର ପୁରୁଣା ଦଳ ଛାଡ଼ିଛନ୍ତି । ତାଳଚେର ବିଧାୟକ ମହେଶ୍ୱର ସାହୁ ଧର୍ମେନ୍ଦ୍ର ପ୍ରଧାନଙ୍କ ହମ୍‌ବଡ଼ା ନୀତିର ପ୍ରତିବାଦରେ ଦଳ ଛାଡ଼ିଥିବାବେଳେ ପ୍ରମିଳା ଗିରି, ବୃନ୍ଦାବନ ମାଝୀ, ସୁଦାମ ମାରାଣ୍ଡି ଏବଂ ପ୍ରହ୍ଲାଦ ଦୋରା ପ୍ରମୁଖ ଓଡ଼ିଶାରେ ଭାଜପାର ଭବିଷ୍ୟତ ସଙ୍କଟାପନ୍ନ ବିଚାରି ବିଜେଡିରେ ଯୋଗ ଦେଇଛନ୍ତି । ଶ୍ରୀ ଦୋରା ଅବଶ୍ୟ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦଳରେ ଯୋଗ ଦେଇନାହାନ୍ତି । ଅନ୍ୟପକ୍ଷରେ କଂଗ୍ରେସରୁ ବିଜେଡିକୁ ଯାଇଥିବା ଆସ୍କାର ଏମ୍‌.ପି. ହରି ସ୍ୱାଇଁ ପୁଣି କଂଗ୍ରେସକୁ ଫେରିଆସିଛନ୍ତି । ତାଙ୍କର ଯୁକ୍ତି ହେଲା, ଏମିତି କରିବା ଦ୍ୱାରା ସେ ନବୀନ ପଟ୍ଟନାୟକଙ୍କୁ ପାନେ ଦେଇପାରିଛନ୍ତି । ଶ୍ରୀ ସ୍ୱାଇଁ ଗତ ୨୦୦୪ରେ ବିଜେଡିକୁ ଚାଲିଯାଇ କଂଗ୍ରେସକୁ ‘ପାନେ’ ଦେଇଥିଲେ । ମନମୋହନ ସିଂହ ପାର୍ଲାମେଣ୍ଟରେ ଆସ୍ଥା ଭୋଟ୍‌ ଲୋଡ଼ିବା ବେଳେ ହରିସ୍ୱାଇଁ ଦଳୀୟ ହୁଇପ୍‌ ବିରୋଧରେ ଯାଇ ସରକାରକୁ ସମର୍ଥନ କରଥିଲେ ଓ ସେହିଦିନୁ ବିଜେଡି ଛାଡ଼ିବେ ବୋଲି ଗୋଡ଼ ଟେକି ବସିଥିଲେ । ଏଥର କୁଜଙ୍ଗ ବ୍ଲକ୍‌ କଂଗ୍ରେସ ସଭାପତି ବିଭୁପ୍ରସାଦ ତରାଇ ଜଗତସିଂହପୁର ଲୋକସଭା ଆସନରୁ ସିପିଆଇ ପ୍ରାର୍ଥୀ ଭାବେ ଲଢୁଛନ୍ତି । କୁହାଯାଏ କୌଣସି ନେତା ରାତାରାତି କମ୍ୟୁନିଷ୍ଟ ନେତା ପାଲଟି ଯାଆନ୍ତି ନାହିଁ । ଶ୍ରୀ ତରାଇଙ୍କ କ୍ଷେତ୍ରରେ କିନ୍ତୁ ଏଭଳି କଟକଣା କାଟୁ କରିନାହିଁ । ଶ୍ରୀ ତରାଇ ଯୁକ୍ତି କରିପାରନ୍ତି ଯେ ତାଙ୍କ ପିତା କମ୍ୟୁନିଷ୍ଟ ନେତା ଥିଲେ ଏବଂ ପିଲାଦିନୁ ସେ କମ୍ୟୁନିଷ୍ଟ ଚିନ୍ତାଧାରାରେ ଉଦ୍‌ବୁଦ୍ଧ । ତାହା ଅବଶ୍ୟ ଭିନ୍ନ କଥା ।

 

କଥା କଥାକେ ଓଡ଼ିଶାର ନେତାମାନେ କହନ୍ତି ଯେ ସେମାନେ ନିର୍ଦ୍ଦିଷ୍ଟ ନୀତି ଏବଂ ଆଦର୍ଶ ଯୋଗୁଁ ଗୋଟିଏ ଗୋଟିଏ ଦଳରେ ରହିଛନ୍ତି । ସେମାନଙ୍କ ଲାଗି ଦଳ ହିଁ ମୁଖ୍ୟ ଓ ଦଳର ନିଷ୍ପତ୍ତି ତାଙ୍କର ନିଷ୍ପତ୍ତି । ମାତ୍ର ଉପରୋକ୍ତ ଆଲୋଚନାରୁ ଜଣାଯାଉଛି, କେବଳ କମ୍ୟୁନିଷ୍ଟ ଦଳକୁ ଛାଡ଼ିଦେଲେ ଅନ୍ୟ କୌଣସି ଦଳ ‘ଆୟାରାମ ଗୟାରାମ’ଙ୍କ ପାଇଁ ବିଶେଷ ଅସୁବିଧାଜନକ ନୁହେଁ-। ପୁଣି ଜଗତସିଂହପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ବାଛିବାବେଳେ କମ୍ୟୁନିଷ୍ଟ ଦଳ ମଧ୍ୟ ନିଜ ଦଳର ବ୍ୟବସ୍ଥା ସହ ଏଥର ସାଲିସ କରିବସିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର କହୁଛନ୍ତି ଯେ ଭାଜପା ଏକ ସାଂପ୍ରଦାୟିକ ଦଳ । ତେବେ ଏହି ଦଳର ବିଧାୟକମାନେ ବୋଧହୁଏ ତାଙ୍କ ଦୃଷ୍ଟିରେ ସାଂପ୍ରଦାୟିକ ଭାବାଦର୍ଶୀ ନୁହନ୍ତି । କାରଣ ଭାଜପାର ବହୁ ବିଧାୟକଙ୍କୁ ସେ ଦୁଇ ବାହୁ ମେଲେଇ ଆଲିଙ୍ଗନ କରିଛନ୍ତି । ତାହାହେଲେ କ’ଣ ପାର୍ଟି ଅଫିସ୍‌ର ସାଇନବୋର୍ଡଟି କେବଳ ସାଂପ୍ରଦାୟିକ ? ସେ ଯାହାହେଉ ନେତାମାନଙ୍କର ଏହି ଦଳ ବଦଳକୁ ଲକ୍ଷ୍ୟ କରି ଲୋକେ କହୁଛନ୍ତି ଏମାନେ ସମସ୍ତେ ଗୋଟିଏ ଲାଉର ମଂଜି । ଯାହାଙ୍କୁ ଯୋଉଠି ସୁବିଧା ହେଲା ସିଏ ସିଆଡ଼େ ଚାଲିଲା । ନିଜ ସ୍ୱାର୍ଥ ପାଇଁ ଏଠି ଯେମିତି ଆଜନ୍ମ ଶତ୍ରୁର ପାଦ ଧରାଯାଇପାରେ, ସେମିତି ପରମ ମିତ୍ରକୁ ମଧ୍ୟ ପଛରୁ ଠେଲି ଦିଆଯାଇପାରେ । ଏ କାରବାରରେ ଆଦର୍ଶ, ଅଙ୍ଗୀକାର କିମ୍ବା ଭାବପ୍ରବଣତାର କିଛି ଅର୍ଥ ନାହିଁ । କିଛି କିଛି ଅଭିନେତା ଓଡ଼ିଶାର ରାଜନୀତିକୁ ପଶି ନେତା ହେବାକୁ ଚେଷ୍ଟା କରୁଛନ୍ତି । ମାତ୍ର ଆମର ନେତାମାନେ ବେଶପୋଷାକ ବଦଳେଇବାରେ ଏବଂ ନୂଆ ଡାଇଲଗ୍‌ କହିବାରେ ଯେ ବହୁ କୁଶଳୀ ଅଭିନେତାଙ୍କୁ ପଛରେ ପକେଇଦେବେ ଏଥିରେ ସନ୍ଦେହ ନାହିଁ ।

 

‘ରବିବାର ସମ୍ବାଦ’, ୧୯ ଅପ୍ରେଲ, ୨୦୦୯

Image

 

Unknown

ସମସ୍ତେ ପରିବାରକୁ ଭଲ ପାଆନ୍ତି

 

ଡକ୍ଟର ରାମଚନ୍ଦ୍ର ଗୁହା ଆମ ଦେଶର ଜଣେ ଜଣାଶୁଣା ଐତିହାସିକ ଏବଂ ସମାଜଶାସ୍ତ୍ରୀ-। ନିକଟରେ ତାଙ୍କର ଗୋଟିଏ ପ୍ରବନ୍ଧ ପ୍ରକାଶ ପାଇଛି । ଭାରତୀୟ ନିର୍ବାଚନର ଅତୀତ ଏବଂ ଭବିଷ୍ୟତ (ଦ ପାଷ୍ଟ ଆଣ୍ଡ୍‌ ଫ୍ୟୁଚର୍‌ ଅଫ୍‌ ଇଣ୍ଡିଆନ୍‌ ଇଲେକ୍ସନ : ଆଉଟ୍‌ଲୁକ୍‌, ୨୦ ଏପ୍ରିଲ୍‌ ୨୦୦୯) ଶିରୋନାମାରେ ପ୍ରକାଶିତ ଏହି ପ୍ରବନ୍ଧରେ ସେ ଭାରତକୁ ନେଇ କେତୋଟି ସ୍ୱପ୍ନ ଦେଖିଛନ୍ତି । ସେଗୁଡ଼ିକ ହେଲା ବାମପନ୍ଥୀ ଦଳଗୁଡ଼ିକ ଏକଜୁଟ୍‌ ହୋଇ ସଂସ୍କାରମନସ୍କ ହେବେ; ଭାରତୀୟ ଜନତା ପାର୍ଟି ମନ ଭିତରୁ ଅନ୍ୟ ଧର୍ମ ପ୍ରତି ତା’ର ଘୃଣାଭାବ କାଢ଼ିଦେବ ଏବଂ ଅନ୍ୟଟି ହେଲା କଂଗ୍ରେସ ଦଳ ପରିବାରବାଦ ବିନା ମଧ୍ୟ ଅଗ୍ରଗତି କରିପାରିବ । ‘ଆଉଟ୍‌ଲୁକ୍‌’ ପତ୍ରିକାର ସୁଯୋଗ୍ୟ ପ୍ରତିଦ୍ୱନ୍ଦ୍ୱୀ ‘ଇଣ୍ଡିଆ ଟୁଡେ’ । ଏହି ପତ୍ରିକା ତା’ର ସେହି ୨୦ ଏପ୍ରିଲ ସଂଖ୍ୟାକୁ ‘ଯୁବ ବିଶେଷାଙ୍କ’ ଭାବେ ପ୍ରକାଶ କରିଥିଲା । ସେଥିରେ ଭାରତୀୟ ଯୁବକମାନଙ୍କ ସ୍ୱପ୍ନ, ଅଭିଳାଷ ଏବଂ ବାସ୍ତବ ଅଭିଜ୍ଞତାକୁ ନେଇ କେତେଗୁଡ଼ିଏ ଲେଖା ସାଙ୍ଗକୁ ଗୋଟେ ଦଳଗତ ଆଲୋଚନାର ବିବରଣୀ ଥିଲା । ରାଜନୀତି, ଶିଳ୍ପ-ବାଣିଜ୍ୟ, କଳା-ସଂସ୍କୃତି ଓ ସ୍ୱେଚ୍ଛାସେବୀ ସଂଗଠନ ପରି ଭିନ୍ନ ଭିନ୍ନ କ୍ଷେତ୍ରରେ କାମ କରୁଥିବା ଚାରିଜଣ ଯୁବକ ଯୁବତୀଙ୍କ ମତାମତ ଏଥିରେ ସ୍ଥାନ ପାଇଥିଲା । ତା ଭିତରୁ ଜଣେ ଥିଲେ ‘ଇଣ୍ଡିଆ ଫାଉଣ୍ଡେସନ୍‌ ଫର୍‌ ଦ ଆର୍ଟସ୍‌’ର ଡେପୁଟି ଡିରେକ୍‌ଟର ଅରୁନ୍ଧତୀ ଘୋଷ । ସିଏ କହିଥିଲେ ଯେ, ଭାତରୀୟ ରାଜନୀତି ବର୍ତ୍ତମାନ ଏଭଳି ପରିସ୍ଥିତିରେ ଆସି ପହଞ୍ଚିଛି ଯେ ଜଣଙ୍କର ପରିବାରରେ ଯଦି ଆଗରୁ କେହି ରାଜନୀତିରେ ପ୍ରତିଷ୍ଠା ପାଇନାହିଁ ତାହାହେଲେ ସିଏ ଏ କ୍ଷେତ୍ରରେ ସଫଳ ହେବା ଏକଦମ୍‌ ଅସମ୍ଭବ ।

 

ଉଲ୍ଲେଖନୀୟ କଥା ହେଉଛି ପରିବାରବାଦର ବିସ୍ତାର ପାଇଁ ଡ. ରାମଚନ୍ଦ୍ର ଗୁହା କଂଗ୍ରେସକୁ ଯେମିତି ଦାୟୀ କରିଛନ୍ତି ଅରୁନ୍ଧତୀ ଘୋଷ ସେମିତି ନିର୍ଦ୍ଦିଷ୍ଟ ଦଳକୁ ଦାୟୀ କରିନାହାନ୍ତି-। ବସ୍ତୁତଃ ଅରୁନ୍ଧତୀ ବାସ୍ତବ କଥାଟି କହିଛନ୍ତି । ତା’ର କାରଣ ହେଲା, ଉପରକୁ ସମସ୍ତେ ଆପତ୍ତି ଅଭିଯୋଗ କରୁଥିଲେ ବି ପ୍ରକୃତରେ ସମସ୍ତେ ପାରିବାରିକ ରାଜନୀତିକୁ ଭଲ ପାଆନ୍ତି । ଏ କ୍ଷେତ୍ରରେ କେବେ ହୁଏତ କଂଗ୍ରେସ ଦଳ ଆଗରେ ଥିଲା, ମାତ୍ର ଆଜି ପରିସ୍ଥିତି ସର୍ବବ୍ୟାପୀ, ସର୍ବଦଳୀୟ ।

 

ବିଶିଷ୍ଟ ସାମ୍ବାଦିକ ଇନ୍ଦର ମାଲହୋତ୍ରା ରାଜନୀତିରେ ପରିବାରବାଦ ସମ୍ବନ୍ଧରେ ଖଣ୍ଡିଏ ବହି ଲେଖିଛନ୍ତି । ତାଙ୍କର ସେ ବହିର ନାଁ ହେଲା ‘ଡାଇନାଷ୍ଟିଜ୍‌ ଅଫ୍‌ ଇଣ୍ଡିଆ ଆଣ୍ଡ୍‌ ବିୟଣ୍ଡ’ (ହାର୍ପର କଲିନ୍‌ସ, ୨୦୦୩) । ସେଥିରେ ଠାଏ ସେ ଲେଖିଛନ୍ତି ଯେ ଭାରତୀୟମାନେ ଇଂରେଜମାନଙ୍କ ଠାରୁ ଅନେକ କଥା ଶିକ୍ଷା କରିଛନ୍ତି । ଶାସକ ଜାତିର ଠାଣିବାଣୀ, ଭାଷା ଓ ସଂସ୍କୃତି ସବୁବେଳେ ଶାସିତ ଲୋକଙ୍କୁ ପ୍ରଭାବିତ କରେ । ତେଣୁ ଏ କ୍ଷେତ୍ରରେ କିଛି ଅସ୍ୱାଭାବିକତା ନାହିଁ । ତେବେ ଭାରତୀୟମାନେ ଇଂରେଜମାନଙ୍କର ଗୋଟିଏ ଭଲ ଗୁଣ ଶିଖିପାରିଲେ ନାହିଁ । ଇଂଲଣ୍ଡର ରାଜନୀତିରେ, ଭାରତ-ପାକିସ୍ତାନ-ବାଲାଂଦେଶ ଇତ୍ୟାଦି ଏସୀୟ ଦେଶ ପରି ‘ବଂଶବାଦ’ ପ୍ରତି ଏଭଳି ମୋହ ନାହିଁ । ସେଇ ଦୃଷ୍ଟିରୁ ଏକଦା ବ୍ରିଟିଶ ଶାସିତ ଏହିସବୁ ଏସୀୟ ଦେଶର ଗଣତନ୍ତ୍ର ଅଦ୍ୟାବଧି ଅର୍ଧବିକଶିତ ସ୍ତରରେ ରହିଛି ବୋଲି ତାଙ୍କର ମତ । ଯୁକ୍ତି ପାଇଁ ସେ ଦର୍ଶାଇଛନ୍ତି ଯେ ଉଇନ୍‌ଷ୍ଟନ୍‌ ଚର୍ଚିଲ ଇଂଲଣ୍ଡର ପ୍ରସିଦ୍ଧ ପ୍ରଧାନମନ୍ତ୍ରୀ ଥିଲେ । ମାତ୍ର ବ୍ରିଟିଶ ସମାଜରେ ପାରିବାରିକ ରାଜନୀତି ପ୍ରତି ସମର୍ଥନ ନଥିବା କାରଣରୁ ତାଙ୍କ ପିଲାଏ ପଛ ଧାଡ଼ିର ଏମ୍‌.ପି. ହୋଇ ହିଁ ବିଦାୟ ନେଲେ ।

 

ତେବେ ଭାରତୀୟମାନେ କାହିଁକି ପାରିବାରିକ ଶାସନକୁ ଏତେ ସୁଖ ପାଆନ୍ତି ? ଏଠାରେ ଜଣେ ମନ୍ତ୍ରୀଙ୍କ ପୁଅ ମନ୍ତ୍ରୀ ହେବା, ସାଂସଦଙ୍କ ଝିଅ ସାଂସଦ ହେବା କି ବିଧାୟକଙ୍କ ପୁଅ ବିଧାୟକ ହେବା କଥାଟିକୁ ନେତା ଓ ଜନତା ଉଭୟ ଅତି ସହଜ ଓ ସ୍ୱାଭାବିକ ଘଟନା ଭାବରେ କାହିଁକି ଗ୍ରହଣ କରି ନିଅନ୍ତି ? ଏହା ପଛରେ କେଉଁ କେଉଁ ସାମାଜିକ, ଅର୍ଥନୀତିକ, ମନସ୍ତାତ୍ତ୍ୱିକ ଏବଂ ରାଜନୈତିକ କାରଣଗୁଡ଼ିକ ଦାୟୀ ?

 

ଏ ସଂପର୍କରେ ପ୍ରାୟ ପାଞ୍ଚ ବର୍ଷ ତଳେ ସାମ୍ବାଦିକ ବିଶ୍ୱନାଥ ଘୋଷ ଗୋଟିଏ ପ୍ରବନ୍ଧ ଲେଖି ଭାରତର ପରୀ କାହାଣୀକୁ ଏଥିନିମନ୍ତେ ଦାୟୀ କରିଥିଲେ । ଅଧିକାଂଶ ଭାରତୀୟ ନିଜ ନିଜ ପିଲାଦିନେ ଏମିତି ଗପସବୁ ଶୁଣିଥିବେ, ଯେଉଁଥିରେ ଜଣେ ରାଜା ଥାଆନ୍ତି ଓ ତାଙ୍କର ଜଣେ ସୁନ୍ଦର ରାଣୀ ଥାଆନ୍ତି । ସେମାନଙ୍କର ମଧ୍ୟ ଥାଏ ଜଣେ ସୁନ୍ଦର ସୁଠାମ ରାଜପୁତ୍ର ଯାହକୁ ଯୁବରାଜ ବୋଲି ସମ୍ବୋଧନ କରାଯାଏ । ରାଜା ମରିଗଲା ପରେ ଯୁବରାଜ ସିଂହାସନରେ ବସନ୍ତି-। ରାଜ୍ୟସାରା ଲୋକେ ଖୁସି ପାଳନ୍ତି ଏବଂ ଯୁବରାଜଙ୍କୁ ସମ୍ବର୍ଧନା ଜଣାଇବା ପାଇଁ ଉତ୍ସବ ଆୟୋଜନ କରନ୍ତି ।

 

ସବୁବେଳେ ଅବଶ୍ୟ ଏ ପରୀ କାହାଣୀ ସମାନ ତାଳରେ ଆଗାଏ ନାହିଁ । ବେଳେ ବେଳେ କାହାଣୀର ମୋଡ଼ ଅଲଗା ହୁଏ । ସେ କାହାଣୀରେ ଦେବଦେବୀ ପୂଜା ଓ ବାର ଓଷାବ୍ରତ ସତ୍ତ୍ୱେ ରାଣୀଙ୍କର ପୁଅଟିଏ ହୁଏ ନାହିଁ । ରାଜା ମରିଗଲା ପରେ ପାଟହାତୀ ସୁନାକଳସୀ ଧରି ରାଜ୍ୟସାରା ଘୂରେ । ସିଏ ଯାହା ମୁଣ୍ଡରେ ସୁନା କଳସୀର ପାଣି ଢାଳେ ତାକୁ ରାଜ୍ୟବାସୀ ନୂଆ ରାଜା ରୂପେ ଗ୍ରହଣ କରନ୍ତି । ତେବେ ଏପରି ଘଟନା ଘଟିବା ଖୁବ୍‌ ବିରଳ ।

 

ଆଜି ଭାରତର ସବୁ ରାଜ୍ୟ, ସବୁ ଦଳ ଏବଂ ସବୁ ପ୍ରତିଷ୍ଠିତ ନେତାଙ୍କ ପରିବାରରେ ଏହି ବଂଶବାଦର ପ୍ରଚଣ୍ଡ ପ୍ରଭାବ । ସେସବୁ ଏପରି ସ୍ଥିତିକୁ ଗଲାଣି, ଯେଉଁଠି କଂଗ୍ରେସର ଉଦାହରଣ ନିଷ୍ପ୍ରଭ ନହେଲେ ବି ଅନେକଟା ପୁରୁଣା ହୋଇଗଲାଣି । କାରଣ ୧୯୬୪ରେ ନେହରୁଙ୍କ ପରେ ପରେ ଇନ୍ଦିରା ଗାନ୍ଧି ସିଧାସଳଖ କ୍ଷମତାକୁ ଆସି ନଥିଲେ । ନେହରୁଙ୍କ ପରେ ଲାଲବାହାଦୁର ଶାସ୍ତ୍ରୀ ଏ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଯଦି ତାସ୍‌କେଣ୍ଟ ଠାରେ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କର ହୃଦ୍‌ଘାତରେ ପରଲୋକ ହୋଇ ନଥାନ୍ତା ତାହାହେଲେ ଶାସ୍ତ୍ରୀଙ୍କ ଶାସନ ଦୀର୍ଘଦିନ ଧରି ଚାଲିବାରେ ସମସ୍ୟା ନଥିଲା । ସେତେବେଳକୁ, ଭାରତ-ପାକିସ୍ତାନ ଯୁଦ୍ଧ ପରେ, ଶାସ୍ତ୍ରୀ ତାଙ୍କର ‘ଜୟ ଯବାନ, ଜୟ କିଶାନ’ ଡାକରା ପାଇଁ ସାରା ଭାରତର ଆଦର ଲାଭ କରିସାରିଥିଲେ । ତାଙ୍କର ମୃତ୍ୟୁ ପରେ ଯାଇ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ହେଲେ । କିନ୍ତୁ ୧୯୯୭ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଯେମିତି ଭାବରେ ନିଜ ସ୍ତ୍ରୀଙ୍କୁ ରାଜନୀତିକୁ ଆଣିଲେ ତାହା ସେପର୍ଯ୍ୟନ୍ତ ଅକଳ୍ପନୀୟ ଥିଲା । ଗୋଖାଦ୍ୟ ଦୁର୍ନୀତିରେ ସି.ବି.ଆଇ ଦ୍ୱାରା ଅଭିଯୁକ୍ତ ହେବା ଯୋଗୁଁ ଲାଲୁଙ୍କୁ ଜେଲ୍‌ ଯିବାକୁ ପଡ଼ିଲା । ତାଙ୍କ ଅନୁପସ୍ଥିତିର ରାଜ୍ୟଭାର କିଏ ସମ୍ଭାଳିବ ସେ ପ୍ରଶ୍ନ ଉଠିବାରୁ ଲାଲୁ ତାଙ୍କ ଦଳର ଅନ୍ୟ ସବୁ ନେତାଙ୍କୁ ଆଡ଼େଇଦେଇ ରାଜନୀତିର ଧାର୍‌ ଧରି ନ ଥିବା ନିଜର ଧର୍ମପତ୍ନୀ ରାବ୍ରୀଦେବୀଙ୍କୁ ଆଣି ସିଧାସଳଖ ବିହାରର ମୁଖ୍ୟମନ୍ତ୍ରୀ ଆସନରେ ବସେଇଦେଲେ । ଯେତେବେଳେ ତାଙ୍କର ଯୋଗ୍ୟତାର ପ୍ରଶ୍ନ ଉଠିଲା, କୁହାଗଲା ଯେ ଯେଉଁ ମହିଳା ଲାଲୁ ଯାଦବଙ୍କ ପରିବାର ସମ୍ଭାଳିପାରୁଛି ସିଏ ‘ବିହାର’ ସମ୍ଭାଳି ପାରିବ ନାହିଁ କାହିଁକି !

 

ବିହାରର ଲାଲୁପ୍ରସାଦ ଯାଦବଙ୍କ ପୂର୍ବରୁ ଯେ ଭାରତୀୟ ରାଜନୀତିରେ ପାରବାରିକ ଶାସନ ଆସି ନଥିଲା ତାହା ନୁହେଁ । ଲାଲୁ ପ୍ରସାଦ କେବଳ ତାକୁ ଏକ ଉଦ୍ଭଟ-ନାଟକୀୟ ମୋଡ଼ ଦେଲେ । କର୍ଣାଟକରେ ଦେବେଗୌଡ଼ା ଏବଂ ବାଙ୍ଗରପ୍ପା, କେରଳରେ କରୁଣାକରନ୍‌, ମଧ୍ୟପ୍ରଦେଶରେ ଶୁକ୍ଳା ପରିବାର, ତାମିଲନାଡୁରେ କରୁଣାନିଧି, କାଶ୍ମୀରରେ ଅବ୍‌ଦୁଲ୍ଲା ଏବଂ ଆନ୍ଧ୍ରପ୍ରଦେଶରେ ଏନ୍‌ଟି ରାମାରାଓ ପ୍ରଭୃତିଙ୍କର ପରିବାର ଏ କ୍ଷେତ୍ରରେ ଜଣାଶୁଣା । ଓଡ଼ିଶାରେ ଏକଦା ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଏହି ଶୃଙ୍ଖଳାରେ ନିଆଯାଉଥିଲା । ମାତ୍ର ନବୀନ ପଟ୍ଟନାୟକ ଓଡ଼ିଶାର ରାଜନୀତିକୁ ଆସିବା ପରେ ଜାନକୀବାବୁଙ୍କ ଉଦାହରଣ ପୁରୁଣା ହୋଇଯାଇଛି । ଇନ୍ଦର ମାଲହୋତ୍ରାଙ୍କ ଭାଷାରେ, ‘ନବୀନ ପଟ୍ଟନାୟକଙ୍କର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବା ଘଟନା ଭାରତୀୟ ରାଜନୀତିର ଅନ୍ୟ ଏକ ଉଦ୍ଭଟ ଘଟନା ।’

 

Even more bizarre is the case of Navin Patnaik, another jet-set son of a classic Indian politician to be propelled into high political office suddenly, unexpectedly and all too smoothly. His father, the legendary Biju Patnaik, dominated the politics of the eastern state of Orissa for nearly four decades, first as a member of the Congress and then in opposition to it. He was Chief Minister for long years and twice a Central Minister. Unlike him, Navin was no politician but a member of high society who would have been perfectly at home in the world of The Great Gatsby. In any case, he used to flit between New York and New Delhi, with little time to spare for Bhubaneswar, Orissa’s capital. To cap it all, even today, when he has been Orissa’s Chief Minister for more than three years, he finds it difficult to speak his mother tongue. Indeed, the joke is that his ‘command over Oriya is no better than Sonia Gandhi’s mastery of Hindi.’ Because of his name and lineage he was needed to defeat the Congress (I) in his home state. This requirement he did fulfill. He was a senior minister in Vajpayee’s earlier cabinet in New Delhi before he had to shift to the state capital to head the government run by his party named, after his father, as Biju Janata Dal, in partnership with the BJP. Never mind that he has neither the aptitude nor the will to establish any rapport with the unwashed masses.

 

ଶ୍ରୀ ମାଲହୋତ୍ରାଙ୍କର ଏ ବହିଟି ୨୦୦୩ରେ ପ୍ରକାଶ ପାଇଥିଲା । ଆଜି ୬ ବର୍ଷ ପରେ ମଧ୍ୟ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ଶିକ୍ଷା କରିପାରି ନାହାନ୍ତି । ଅଥଚ ସୋନିଆ ଗାନ୍ଧି ଏହା ଭିତରେ ବିନା କାଗଜପତ୍ର ସହାୟତାରେ ହିନ୍ଦୀ ଭାଷଣ ଦେବାର କଳା ଆୟତ୍ତ କରିସାରିଲେଣି । ସବୁଠାରୁ ତାତ୍ପର୍ଯ୍ୟର କଥା ହେଲା, ନବୀନବାବୁଙ୍କ ଦଳଟି ମହାନ୍‌ ହେଲେ ମଧ୍ୟ ଜଣେ ବ୍ୟକ୍ତିଙ୍କ ନାମ ଅନୁସାରେ ନାମିତ ହୋଇଛି ଏବଂ ଏ କଥାର ମଧ୍ୟ ଇସାରା ମିଳି ସାରିଲାଣି ଯେ କାଲି ଯଦି କୌଣସି କାରଣରୁ ନବୀନବାବୁ ଏ ଦଳର ସଭାପତି ପଦରୁ ଅବ୍ୟାହତି ନିଅନ୍ତି ତାହାହେଲେ ତାଙ୍କରି ପରିବାରର ଅନ୍ୟ କେହି ଏହି ଦାୟିତ୍ୱ ନେବେ । ଅବିବାହିତ ନବୀନଙ୍କ ପୁତୁରା ବରୁଣ ପଟ୍ଟନାୟକ ସେଇ ବ୍ୟକ୍ତି ହୋଇପାରନ୍ତି ବୋଲି ସୁଦ୍ଧା ବିଜେଡିର କିଛି ନେତା ଏବେଠାରୁ କହିବାକୁ ଆରମ୍ଭ କଲେଣି ।

 

ରାଜାଘର ରାଜନୀତି: ନିକଟରେ ଗୋଟିଏ ଓଡ଼ିଆ ପତ୍ରିକା ଏଇ ଶିରୋନାମାରେ ଏକ ଦୀର୍ଘ ରିପୋର୍ଟ ପ୍ରକାଶ କରିଥିଲା । ସେଥିରେ ଦର୍ଶାଯାଇଥିଲା ଯେ, ଓଡ଼ିଶାରୁ ବହୁଦିନ ହେଲା ରାଜତନ୍ତ୍ର ଲୋପ ପାଇଯାଇଥିଲେ ମଧ୍ୟ ବାସ୍ତବରେ ତାହା ଭିନ୍ନ ଭାବରେ ଏବେ ବି ବଳବତ୍ତର ରହିଛି । କାଲି ଯେଉଁମାନେ ମୁକୁଟ ପିନ୍ଧି ରାଜ୍ୟ ଶାସନ କରୁଥିଲେ ଆଜି ସେମାନେ ଟୋପି ପିନ୍ଧି ବା ନ ପିନ୍ଧି ରାଜ୍ୟ ଶାସନ କରୁଛନ୍ତି । ସେମାନଙ୍କର ସଫଳତାର ଅନେକ କାରଣ ଅଛି, ତା ଭିତରୁ ଗୋଟିଏ ହେଉଛି ସେଇ ‘ପରୀ କାହାଣୀ’ର ପ୍ରଭାବ । ଚଳିତବର୍ଷ ଯେଉଁ ଯେଉଁ ରାଜପରିବାରର ସଦସ୍ୟମାନେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ସେମାନେ ହେଲେ ଉଷାଦେବୀ (ଚିକିଟି), ଭି. ସୁଜ୍ଞାନକୁମାରୀ ଦେଓ (କବିସୂର୍ଯ୍ୟନଗର), ପ୍ରକୃତି ଦେବୀ ସିଂହଦେଓ, ଅନଙ୍ଗଉଦୟ ସିଂହଦେଓ, ସଂଗୀତା ସିଂହଦେଓ, କନକ ବର୍ଧନ ସିଂହଦେଓ ଏବଂ କଳିକେଶ ସିଂହଦେଓ । (ଏହି ପାଞ୍ଚଜଣ ଯାକ ସମସ୍ତେ ବଲାଙ୍ଗୀରର ଗୋଟିଏ ରାଜପରିବାରର ସଦସ୍ୟ) । ଏମାନଙ୍କ ଛଡ଼ା ରାଜା ଓ ଜମିଦାର ପରିବାରର ଅନ୍ୟ ନେତାମାନେ ପୁଷ୍ପେନ୍ଦ୍ର ସିଂହଦେଓ (ଧର୍ମଗଡ଼), ବିକ୍ରମ କେଶରୀ ରାଓ (କଳାହାଣ୍ଡି), ପ୍ରତାପ କେଶରୀ ଦେଓ (ଆଳି), ବିଜୟରଂଜନ ସିଂହ ବରିହା (ପଦ୍ମପୁର), ଯୋଗେଶ କୁମାର ସିଂହ (ସୁନ୍ଦରଗଡ଼), ନୀତିଶ ଗଙ୍ଗଦେବ (ଦେବଗଡ଼), ହେମେନ୍ଦ୍ର ଚନ୍ଦ୍ର ସିଂହ (ନୟାଗଡ଼) ଏବଂ ସିଦ୍ଧାର୍ଥ ମର୍ଦରାଜ (ଖଣ୍ଡପଡ଼ା) । ପିସିସିର ସଭାପତି କାମାକ୍ଷା ପ୍ରସାଦ ସିଂହଦେଓ ମଧ୍ୟ ଢେଙ୍କାନାଳର ରାଜା ଏବଂ ‘ରାଜା ସାହେବ’ ନାମରେ ସମ୍ବୋଧିତ ହେବାକୁ ପସନ୍ଦ କରିଥାନ୍ତି ।

 

ସଂସ୍କୃତରେ ଏକ ଶ୍ଳୋକ ଅଛି ଯାହାର ଅର୍ଥ ହେଲା ମହାଜନ ବା ବିଶିଷ୍ଟ ଲୋକମାନେ ଯେଉଁ ମାର୍ଗରେ ଗମନ କରନ୍ତି ତାହା ହିଁ ଉତ୍ତମ ମାର୍ଗ । ଓଡ଼ିଶାର ରାଜପରିବାର ମାନଙ୍କୁ ବିଶିଷ୍ଟ ଲୋକ ବୋଲି ଧରାଯାଏ । ପ୍ରଥମ କଥା ହେଲା ସେମାନଙ୍କର ବୁନିଆଦି; ବହୁ କାଳ ଧରି ପୁରୁଷାନୁକ୍ରମେ ସେମାନେ ରାଜ୍ୟ ଶାସନ କରିଆସୁଥିଲେ, ଦ୍ୱିତୀୟ ହେଲା ସେମାନଙ୍କର ସମସ୍ତଙ୍କର ଯଥେଷ୍ଟ ସ୍ଥାବର ଅସ୍ଥାବର ସଂପତ୍ତି ଅଛି । ତୃତୀୟ ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଲା, ସେମାନଙ୍କର ସମସ୍ତଙ୍କର କିଛି କିଛି ଅନୁଗତ ନାଗରିକ-ପ୍ରଜା ଅଛନ୍ତି, ଯେଉଁମାନଙ୍କ ପୂର୍ବପୁରୁଷ ବିଶ୍ୱାସ କରୁଥିଲେ ଯେ ନର ରୂପରେ ଇନ୍ଦ୍ର ଅଂଶୀ ହେଉଛନ୍ତି ତାଙ୍କର ରାଜାରାଣୀ । ଓଡ଼ିଶାରେ ଏହି ବିଶିଷ୍ଟ ବର୍ଗର ଲୋକମାନଙ୍କୁ ଅନ୍ୟ ଜାତିର ଲୋକମାନେ ମଧ୍ୟ ଅନୁସରଣ କରିଛନ୍ତି ଏବଂ କୌତୂହଳର ବିଷୟ ହେଲା ପରିବାରବାଦ ପ୍ରତି ଓଡ଼ିଶାରେ ଏଇ ଆଗ୍ରହ ଅତି ଉନ୍ନତ ଓ ସଂଭ୍ରାନ୍ତ ରାଜପରିବାର ଠାରୁ ନେଇ ଅନୁନ୍ନତ ଆଦିବାସୀ ସଂପ୍ରଦାୟ ପର୍ଯ୍ୟନ୍ତ ସର୍ବତ୍ର ଦେଖିବାକୁ ମିଳୁଛି । ପ୍ରଥମ ବର୍ଗର ଉଦାହରଣ ଭାବେ ଯଦି ବଲାଙ୍ଗୀର ରାଜପରିବାରକୁ ନିଆଯାଏ, ତାହାହେଲେ ଦ୍ୱିତୀୟ ବର୍ଗର ଉଦାହରଣ ଭାବେ କୋରାପୁଟର ଗିରିଧର ଗମାଙ୍ଗଙ୍କୁ ଗ୍ରହଣ କରାଯାଇ ପାରିବ । ଏଥର ଶ୍ରୀ ଗମାଙ୍ଗ ନିଜେ ଲୋକସଭା ପାଇଁ ଲଢୁଥିବାବେଳେ ତାଙ୍କ ସ୍ତ୍ରୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ମଧ୍ୟ ଭିନ୍ନ ଭିନ୍ନ ଦୁଇଟି ବିଧାନସଭା ଆସନ ଲାଗି ନିର୍ବାଚନ ଲଢୁଛନ୍ତି । ଜୟପୁର ଆସନରୁ ତାଙ୍କ ପର୍ସନାଲ ଆସିଷ୍ଟାଣ୍ଟ୍‌ ମଧ୍ୟ ନିର୍ବାଚନ ଲଢୁଛନ୍ତି ।

 

୨୦୦୯ ନିର୍ବାଚନରେ ଯେଉଁ ଅନ୍ୟ ପରିବାରର ସଦସ୍ୟମାନେ ରାଜନୀତିରେ ଭାଗ ନେଉଛନ୍ତି ସେମାନଙ୍କ ମଧ୍ୟରୁ ବରଗଡ଼ର ପ୍ରସନ୍ନ ଆଚାର୍ଯ୍ୟ ଏବଂ ଆନନ୍ଦ ଆଚାର୍ଯ୍ୟ ହେଉଛନ୍ତି ଦୁଇ ଭାଇ । ବଡ଼ଭାଇ ଆନନ୍ଦ ଆଚାର୍ଯ୍ୟ ବରଗଡ଼ ବିଧାନସଭାରୁ ନିର୍ବାଚନ ଲଢୁଥିବାବେଳେ ସାନ ପ୍ରସନ୍ନ ଆଚାର୍ଯ୍ୟ ଭଟ୍ଟଲିରୁ ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ଏମ୍‌.ପି. ଥିଲେ । ଦୁଇ ଭାଇ ଯାକ ବିଜୁ ଜନତା ଦଳର ସଦସ୍ୟ । ଭାରତୀୟ ଜନତା ପାର୍ଟିର ଛାମୁଆଁ ନେତା ବିଶ୍ୱଭୂଷଣ ହରିଚନ୍ଦନ ଢେର୍‌ଦିନ ହେଲା ଏମ୍‌.ଏଲ୍‌.ଏ -ମନ୍ତ୍ରୀ ରହିଲେଣି । ଏଥର ମଧ୍ୟ ସେ ଭୁବନେଶ୍ୱରର (ମଧ୍ୟ) ଆସନରୁ ଲଢୁଛନ୍ତି । ତାଙ୍କର ଭାଇ, ତଥା ଶହେ ଛଅକୋଟି ଟଙ୍କା ମୂଲ୍ୟ ସଂପତ୍ତିର ମାଲିକ ବିଭୂତି ଭୂଷଣ ହରିଚନ୍ଦନ ବାଲୁଗାଁରୁ ଲଢୁଛନ୍ତି । ସିଏ ଆଗରୁ ମଧ୍ୟ ଏହି ଆସନରୁ ଏମ୍‌.ଏଲ୍‌.ଏ ଥିଲେ । ବିଶ୍ୱଭୂଷଣ ଏତିକିରେ ସନ୍ତୁଷ୍ଟ ନୁହନ୍ତି । ବଳ ଥାଉ ଥାଉ ସେ ନିଜ ପୁଅ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କିପରି ରାଜନୀତିରେ ଥଇଥାନ କରିଯିବେ ସେଥିଲାଗି ନିଷ୍ଠାର ସହ ଲାଗିଛନ୍ତି । ଭୁବନେଶ୍ୱର (ମଧ୍ୟ)ରୁ ସମୃଦ୍ଧ ଓଡ଼ିଶା ଟିକେଟ୍‌ରେ ଲଢୁଥିବା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଏବଂ ତାଙ୍କ ବଡ଼ଭାଇ ତ୍ରିଲୋଚନ କାନୁନ୍‌ଗୋ ଦୁଇଭାଇ । ଏକଦା ବଡ଼ଭାଇ ଦିଲ୍ଲୀରେ ଏମ୍‌.ପି. ଥିବାବେଳକୁ ଏଠି ସାନଭାଇ ଭୁ୍‌ବନେଶ୍ୱରରେ ଏମ୍‌.ଏଲ୍‌.ଏ ଥିଲେ । ଜଗତସିଂହପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ଲଢୁଥିବା ଚିରଂଜୀବୀ ଏବଂ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢୁଥିବା ରଂଜୀବ ବିଶ୍ୱାଳ ହେଲେ ଦୁଇଭାଇ । ସେମାନେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ଦୁଇପୁଅ । ସେହିପରି ଘସିପୁରା ଏବଂ ଖଣ୍ଡପଡ଼ା ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ଲଢୁଥିବା ନିରଂଜନ ପଟ୍ଟନାୟକ ଏବଂ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଦୁଇ ଭାଇ । ରାୟଗଡ଼ା ଓ ବିଷମ କଟକରୁ ଲଢୁଥିବା ରାମଚନ୍ଦ୍ର ଉଲାକା ଏବଂ ଡମ୍ବରୁଧର ଉଲାକା ଦୁଇ ଭାଇ । ଜଟଣିରୁ କଂଗ୍ରେସ ଟିକେଟ୍‌ରେ ଲଢୁଥିବା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଜଣେ ପୁରୁଣା ନେତା । ତାଙ୍କ ଜ୍ୱାଇଁ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସତ୍ୟବାଦୀ ବିଧାନସଭା ଆସନରୁ ଲଢୁଥିବା ଶ୍ରୀ ପ୍ରସାଦ ହରିଚନ୍ଦନ । ଶ୍ୱଶୁର ସୁରେଶ ଚନ୍ଦ୍ର ରାଉରତାୟ ଏବଂ ଜ୍ୱାଇଁ ପ୍ରସାଦ ହରିଚନ୍ଦନ କଥାବାର୍ତ୍ତା ଓ ଠାଣିବାଣୀ ଦୃଷ୍ଟିରୁ ଅଲଗା ଅଲଗା ଧାରାର ନେତା । ବଲାଙ୍ଗୀର କଥା ଆଗରୁ କୁହା ସରିଛି । ଚଳିତ ବର୍ଷ ବଲାଙ୍ଗୀର ରାଜପରିବାରର ନୂଆ ସଦସ୍ୟ ହେଉଛନ୍ତି ପ୍ରକୃତି ସିଂହଦେଓ ଯିଏ କି ବିଜେଡି ଟିକେଟ୍‌ରେ କନକବର୍ଧନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏମାନଙ୍କ ଭିନ୍ନ ଚଳିତ ବର୍ଷ ଆଉ ଯେଉଁ ନୂଆ ପିତା-ପୁତ୍ର ଯୋଡ଼ି ରାଜନୀତି ମଞ୍ଚରେ ଅବତୀର୍ଣ୍ଣ ହୋଇଛନ୍ତି ସେ ଯୋଡ଼ିକ ଯାକ, ଏକଦା ପାରିବାରିକ ଶାସନକୁ ତୀବ୍ର ବିରୋଧ କରୁଥିବା ବିଜେଡି ଦଳର । ସେମାନେ ହେଲେ ପ୍ରଫୁଲ୍ଲ ଘଡ଼େଇ-ପ୍ରୀତିରଂଜନ ଘଡ଼େଇ ଏବଂ କାଳିନ୍ଦୀ ବେହେରା-ଚନ୍ଦ୍ରସାରଥୀ ବେହେରା-। ପ୍ରଫୁଲ୍ଲ ଘଡ଼େଇ ଗତ ସରକାରର ଅର୍ଥମନ୍ତ୍ରୀ ଥିଲେ । ଏଥର ସେ ସୁକିନ୍ଦା ଆସନରୁ ତାଙ୍କର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଶରତ ରାଉତଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କଲାବେଳେ ପୁଅ ପ୍ରୀତିରଂଜନ କୋରେଇ ଆସନରୁ ଲଢୁଛନ୍ତି । ସେମିତି ପୂର୍ବତନ ମନ୍ତ୍ରୀ କାଳିନ୍ଦୀ ବେହେରା କଟକ ସଦର ଆସନରୁ ଲଢୁଥିବା ବେଳେ ପୁଅ ପାଇଁ ସାଲେପୁର ଆସନଟିକୁ ଛାଡ଼ି ଦେଇଛନ୍ତି । ଏହି ଦୁଇ ଆଧୁନିକ ଯୁବରାଜଙ୍କ ଉପରେ ଅନେକଙ୍କର ନଜର ରହିଛି । କାରଣ, ଏକଦା ଆଶଙ୍କା କରାଯାଉଥିଲା ଯେ ଖୋଦ୍‌ ପ୍ରଫୁଲ୍ଲ ଘଡ଼େଇ ଏବଂ କାଳିନ୍ଦୀ ବେହେରା ୨୦୦୯ ନିର୍ବାଚନ ଲଢ଼ିବା ଲାଗି ଟିକେଟ୍‌ ପାଇବେ ନାହିଁ । ମାତ୍ର ବିଜେଡି-ଭାଜପା ମେଣ୍ଟ ଭାଙ୍ଗିବା ଦ୍ୱାରା ଏଇ ଦୁଇ ପୁରୁଣା ବିଜେଡି ନେତା ସର୍ବାଧିକ ଲାଭବାନ୍‌ ହୋଇଛନ୍ତି । ଏମାନଙ୍କ କ୍ଷେତ୍ରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଗୋଟିଏ ପରିବାରରୁ ‘ଗୋଟିଏ ଟିକେଟ୍‌ ନୀତି’ ମଧ୍ୟ କାମ କରିନାହିଁ । ସେହିପରି ଯାଜପୁର ନିର୍ବାଚନ ମଣ୍ଡଳୀରୁ ଏଥର ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢୁଛନ୍ତି । ସିଏ ବିଜୁବାବୁଙ୍କ ସହଯୋଗୀ ଅଶୋକ ଦାସଙ୍କ ପୁଅ । ଅଶୋକ ଦାସ ଡାକ୍ତରଖାନାରେ ଥିବାବେଳେ ହିଁ ପ୍ରଣବ ଆସି ନବୀନଙ୍କ ଦଳରେ ମିଶିଥିଲେ । ତରୁଣ ପ୍ରଣବ ଅନ୍ୟ କିଛି ବୃତ୍ତି ବଦଳରେ ରାଜନୀତିକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଛନ୍ତି । ଶୁଣାଯାଉଥିଲା ଏଥର ଢେଙ୍କାନାଳ ଆସନରୁ ସୁପର୍ଣୋ ଶତପଥୀ କଂଗ୍ରେସ ଟିକେଟ୍‌ରେ ଠିଆ ହୋଇଥାଆନ୍ତେ । ଯଦି ତାହା ହୋଇଥାଆନ୍ତା, ତାହାହେଲେ ସିଏ ନିଜ କକା ତଥାଗତ ଶତପଥୀଙ୍କ ସହ ଲଢ଼େଇ କରିଥାଆନ୍ତେ । ଢେଙ୍କାନାଳ ସାଂସଦ ତଥାଗତ ହେଉଛନ୍ତି ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ଏବଂ ମାଆଙ୍କ ରାଜନୈତିକ ପ୍ରତିଷ୍ଠାର ଏକମାତ୍ର ହିତାଧିକାରୀ । ଭାଜପା ଦଳର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପିତା ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିଷ୍ଠାର ହିତାଧିକାରୀ । ଦେବେନ୍ଦ୍ର ପ୍ରଧାନ ଭାଜପାର ରାଜ୍ୟ ସଭାପତି ଏବଂ କେନ୍ଦ୍ର ମନ୍ତ୍ରୀ ଥିଲେ । ୨୦୦୯ ନିର୍ବାଚନରେ ଅବଶ୍ୟ ସିଏ ଅବତୀର୍ଣ୍ଣ ହୋଇନାହାନ୍ତି । ଚଳିତବର୍ଷ କୁମ୍ୟନିଷ୍ଟ ଦଳକୁ ସୁଦ୍ଧା ପାରିବାରିକ ରାଜନୀତିର ପ୍ରଭାବ ଛାଡ଼ିନାହିଁ । କିଛିଦିନ ତଳେ ରାଜ୍ୟସଭାକୁ ମନୋନୀତା ଏମ୍‌.ପି. ରେଣୁବାଳା ପ୍ରଧାନ ହେଉଛନ୍ତି ଚଳିତ ନିର୍ବାଚନରେ ଆସ୍କା ଆସନରୁ ଲୋକସଭା ପ୍ରାର୍ଥୀ ହୋଇଥିବା ନିତ୍ୟାନନ୍ଦ ପ୍ରଧାନଙ୍କର ଝିଆରୀ । ତାଙ୍କ ବାପା ସ୍ୱର୍ଗତ ଗୌରଚନ୍ଦ୍ର ପ୍ରଧାନ ଓ ନିତ୍ୟାନନ୍ଦ ପ୍ରଧାନ ଦୁଇ ଭାଇ । ଯଦି ସେ ନିର୍ବାଚିତ ହୁଅନ୍ତି ତାହାହେଲେ ଗୋଟିଏ ପରିବାରରୁ ଦି’ ଦି’ ଜଣଙ୍କୁ ପାର୍ଲାମେଣ୍ଟର ଉଭୟ ଲୋକସଭା ଓ ରାଜ୍ୟସଭାର ଦୁଇ ଏମ୍‌.ପି. ପଦରେ ବସେଇ ବିଜୁ ଜନତା ଦଳ ଗୋଟେ ନୂଆ ରେକର୍ଡ ସୃଷ୍ଟି କରିବ । ପାରିବାରିକ ରାଜନୀତି କାରବାରରେ କଂଗ୍ରେସ ଆଦୌ ପଛରେ ନାହିଁ । ଚଳିତ ବର୍ଷ କଂଗ୍ରେସ ଦଳର ରାଜ୍ୟସଭା ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ନିଜ ପତ୍ନୀ ହେମଲତା ଖୁଣ୍ଟିଆଙ୍କୁ କୋରେଇ ବିଧାନସଭା ଆସନରୁ ଟିକେଟ୍‌ ଦିଆଇବାରେ ସମର୍ଥ ହୋଇଛନ୍ତି । ଗତକାଲି ପର୍ଯ୍ୟନ୍ତ ହେମା ଖୁଣ୍ଟିଆଙ୍କର ଓଡ଼ିଶା ରାଜନୀତି ତ ଦୂରର କଥା ଯାଜପୁର ଜିଲ୍ଲା ରାଜନୀତିରେ ସୁଦ୍ଧା କୌଣସି ଭୂମିକା ଥିବା କଥା କେହି ଆଲୋଚନା କରି ନଥିବାବେଳେ ସେ କିପରି ଟିକେଟ୍‌ ପାଇଲେ ତାହା ଅବଶ୍ୟ ଭିନ୍ନ କଥା । ଅବଶ୍ୟ କେବଳ ରାମଚନ୍ଦ୍ରଙ୍କ ହେମଲତା ନୁହନ୍ତି, ଏକଦା ଗିରିଧରଙ୍କ ହେମା ମଧ୍ୟ ରାଜନୀତିରେ ଅଜଣାଅଶୁଣା ଥିଲେ । କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନ ଏଥର ନିଜ ପତ୍ନୀଙ୍କୁ ନିର୍ବାଚନ ମଞ୍ଚରେ ଅବତୀର୍ଣ୍ଣ କରାଇଛନ୍ତି । ଶ୍ରୀ ପ୍ରଧାନ ଏଥର ବିଧାନସଭା ବଦଳରେ ସମ୍ବଲପୁର ଲୋକସଭା ଆସନରୁ ଲଢୁଛନ୍ତି । ତାଙ୍କ ବିଧାନସଭା ଆସନ ଆଠମଲ୍ଲିକରୁ ଲଢୁଛନ୍ତି ପତ୍ନୀ ମୌସୁମୀ ପ୍ରଧାନ । ହେମଲତାଙ୍କ ପରି ମୌସୁମୀଙ୍କ ରାଜନୈତିକ ଦକ୍ଷତା ସଂପର୍କରେ ସ୍ଥାନୀୟ ଅଞ୍ଚଳର କେହି କିଛି ଜାଣି ନଥିଲେ ।

 

ଏହି ତାଲିକା ବାହାରେ ଆଉ କେତେକ ନେତା ଏବଂ ନେତ୍ରୀଙ୍କ ନାମ ରହିଯାଇଛି । ତେବେ ଏହି ସାମ୍ବାଦିକର ଉଦ୍ଦେଶ୍ୟ ନୁହେଁ ଯେ କେଉଁ ନେତାମାନେ ତାଙ୍କ ପରିବାର ସଦସ୍ୟଙ୍କୁ କେମିତି ଭିଡ଼ି ଓଟାରି, ଟାଣି ଘୋଷାରି, ମୁଣ୍ଡରେ ମୁଣ୍ଡେଇ କି କାନ୍ଧରେ ଲାଉ କରି ନେଇଆସିଛନ୍ତି ତାହା ଆଲୋଚନା କରିବା । ମୂଳକଥା ହେଲା ପାରିବାରିକ ରାଜନୀତିକୁ ପ୍ରତ୍ୟେକ ଦଳ ଏକ ଉପକାରୀ ଉପାୟ ଭାବେ ଗ୍ରହଣ କରିଛନ୍ତି ଏବଂ ଓଡ଼ିଶାର ଜନସାଧାରଣ ମଧ୍ୟ ଏହାକୁ ସେମାନଙ୍କର ସ୍ୱୀକୃତି ଦେଇ ସାରିଛନ୍ତି । ତେବେ କେଉଁ କାରଣଗୁଡ଼ିକ ଯୋଗୁଁ ଏହି ନେତାମାନେ ସେମାନଙ୍କ ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଥିବା ଅଭିଜ୍ଞ ଅନ୍ୟ ସହଯୋଗୀ କିମ୍ବା କର୍ମୀଙ୍କ ବଦଳରେ ନିଜ ପରିବାରର ଅନଭିଜ୍ଞ ସଦସ୍ୟଙ୍କୁ କ୍ଷମତା ରାଜନୀତି ଦଉଡ଼ରେ ସାମିଲ କରାନ୍ତି ତାହା ପ୍ରଣିଧାନଯୋଗ୍ୟ ।

 

ଇନ୍ଦର ମାଲହୋତ୍ରାଙ୍କ ମତରେ ଭାରତରେ ଗଣତନ୍ତ୍ର ଶାସନ ଅଛି ବୋଲି କୁହାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାମନ୍ତବାଦୀ ଶାସନ ହିଁ ଚାଲିଛି । ସୁତରାଂ ଆଇନ ଦୃଷ୍ଟିରେ ସମସ୍ତେ ସମାନ ବା ପ୍ରତ୍ୟେକ ନାଗରିକର ସମାନ ଅଧିକାର ରହିଛି କିମ୍ବା ସମସ୍ତଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଉଚିତ ପରି ଆଧୁନିକ ମୂଲ୍ୟବୋଧଗୁଡ଼ିକ ଏ ଦେଶରେ ପ୍ରତିଷ୍ଠିତ ହୋଇପାରିନାହିଁ । ଜନସାଧାରଣଙ୍କ ମାନସିକତା ସେଇ ପୁରୁଣା ଯୁଗରେ ରହିଛି । ସେଥିପାଇଁ ସେମାନେ କଥା କଥାକେ ‘ରାଜା ପୁଅ ରାଜା’ ବା ‘କିଏ ଗାଈଗୋରୁ ଚରଉଥିଲେ ଏମାନେ ମଣିଷ ଚରଉଛନ୍ତି’ ଭଳି ବାକ୍ୟ କହନ୍ତି । ସେଥିପାଇଁ ଆମ ଦେଶରେ ଏଭଳି କେତେକ ନିର୍ବାଚନମଣ୍ଡଳୀ ଅଛି ଯେଉଁଠି ସ୍ୱାଧୀନତା ପ୍ରାପ୍ତି ପରଠାରୁ କେବଳ ଗୋଟିଏ ଗୋଟିଏ ସଂଭ୍ରାନ୍ତ ପରିବାରର ସଦସ୍ୟମାନେ ହିଁ ତାହାର ପ୍ରତିନିଧିତ୍ୱ କରି ଆସୁଛନ୍ତି । ସେମାନେ ଯୁକ୍ତି କରନ୍ତି ଯେ ରାଜନୀତି ଏକ ବ୍ୟୟବହୁଳ ଓ ଶ୍ରମସାପେକ୍ଷ ‘ବୃତ୍ତି’ । ଏଥିପାଇଁ ପ୍ରଚୁର ସମ୍ବଳ ଆବଶ୍ୟକ । ସେ ପାଣ୍ଠିର ଦାୟିତ୍ୱ କେବଳ ନିଜର ବିଶ୍ୱସ୍ତ ଲୋକ ଉପରେ ହିଁ ଦିଆଯାଇପାରେ । ପୁଣି ପୁଅ-ଝିଅ କିମ୍ବା ପତି-ପତ୍ନୀ ଭିନ୍ନ ଆଉ କିଏ ସେଭଳି ବିଶ୍ୱସ୍ତ ହୋଇପାରିବ ? ଏକଦା ଇନ୍ଦିରା ଗାନ୍ଧି ଏକ ଆକଳନ କରି କହିଥିଲେ ଯେ ଏ ଦେଶର ଜାତୀୟସ୍ତର ରାଜନୀତିରେ ପ୍ରତିଷ୍ଠା ପାଇବା ଲାଗି ହେଲେ ଜଣଙ୍କ ପାଖରେ ଅନ୍ତତଃ ଦେଢ଼ଶହ କୋଟି ଟଙ୍କା ଥିବା ଦରକାର । ଏହା ଭିତରେ ସେ ପରିମାଣ ଯେ କେତେଗୁଣ ବଢ଼ିଗଲାଣି ତାହା ଅନୁମାନ କରିବା କଷ୍ଟ । ସେହିପରି ରାଜନୀତିକୁ ମୂଳଧନ ହେଉଛନ୍ତି ଭୋଟର ଏବଂ ଯନ୍ତ୍ରପାତି ହେଉଛନ୍ତି କର୍ମୀଙ୍କ ସଂଗଠନ । ଥରେ ଜଣେ ନେତା ଅର୍ଥ-ଶ୍ରମ ବ୍ୟୟ କରି ଏମାନଙ୍କୁ ନିଜ ଆଡକୁ ନେଇଆସିବା ପରେ, ସେସବୁ ବେଦଖଲ ହୋଇଯିବା ଚାହାନ୍ତି ନାହିଁ । ତେଣୁ ପାରିବାରିକ ରାଜୁତି ଗଡ଼ିଚାଲେ । ଆଗରୁ ଆନୁଗତ୍ୟ କଥାଟା କେବଳ ଧର୍ମ ଓ ସଂପ୍ରଦାୟ ଭିତରେ ସୀମିତ ଥିଲା । ୧୯୯୦ର ମଣ୍ଡଳ କମିସନ ରିପୋର୍ଟ କାର୍ଯ୍ୟକାରୀ ହେବାପରେ ଭାରତରେ ଉଗ୍ର ଜାତିଆଣ ଭାବ ବଢ଼ିଗଲା ଓ ନିଜ ନିଜ ଜାତି ପ୍ରତି ଆନୁଗତ୍ୟ ପ୍ରକାଶ ଉତ୍କଟ ହେଲା । ଏହାର ସଂପୂର୍ଣ୍ଣ ଫାଇଦା କିଛି ନେତା ଓ ନେତ୍ରୀ ନେଇ ଚାଲିଛନ୍ତି ।

 

ନେତାମାନେ ଯୁକ୍ତି କରିପାରନ୍ତି, ଅଭିନେତା, ଓକିଲ କି ଡାକ୍ତରମାନେ ଯଦି ନିଜ ନିଜ ବେଉସାରେ ନିଜ ପିଲାପିଲିଙ୍କୁ ପ୍ରତିଷ୍ଠିତ କରୁଛନ୍ତି ସେମାନେ ସେଇକଥା ରାଜନୀତିରେ କଲେ କ୍ଷତି କ’ଣ ? ଏ ଯୁକ୍ତି ଠିକ୍‌ । ମାତ୍ର ଏସବୁ ପେସାରେ ପ୍ରବେଶ ଲାଗି ସର୍ବନିମ୍ନ ଯୋଗ୍ୟତା ବୋଲି କିଛି ଥାଏ । ମାତ୍ର ରାଜନୀତି କ୍ଷେତ୍ରରେ ସେପରି କିଛି ମାପକାଠି ରହୁନାହିଁ । ଓଡ଼ିଶାର ଉଦାହରଣ ନିଆଯାଉ । ସ୍ୱର୍ଗତ ବିଜୁ ପଟ୍ଟନାୟକ ସାରାଜୀବନ ସଂଗ୍ରାମ ସଂଘର୍ଷ କରି ରାଜନୀତିର ଯେଉଁଠି ପହଞ୍ଚିଥିଲେ, କେବଳ ତାଙ୍କର ପୁଅ ହୋଇଥିବା କାରଣ ଯୋଗୁଁ ନବୀନ ପଟ୍ଟନାୟକ ସେଇଠୁ ତାଙ୍କ କ୍ୟାରିୟର ଆରମ୍ଭ କଲେ । ଏହି ପ୍ରକ୍ରିୟାରେ ନେତା ପରିବାରର ସଦସ୍ୟମାନଙ୍କର ଥଇଥାନ ହୁଏତ ସମ୍ଭବ ହେବ ମାତ୍ର ପ୍ରଶାସନିକ ଅଭିଜ୍ଞତା ଓ ଅନୁଭୂତିରୁ ବଞ୍ଚିତ ହୋଇ ଦିନେ ଭାରତର ଗଣତନ୍ତ୍ର ଛେଉଣ୍ଡ ହୋଇଯିବ ।

 

ସମ୍ବାଦ, ୩ ମେ, ୨୦୦୯

Image

 

ଖାକି ପୋଷାକ, ନାଲିଫିତା ଓ ଖାସି ମାଉଁସ

 

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନରେ ଗୋଟିଏ ଗାଁ କୁପୁରା । ଏହି ଗାଁର ସମସୁଲ୍‌ ଖାଁ ଗଲା ଦଶବର୍ଷ ହେଲା ଗୋଟାଏ ଅଦ୍ଭୁତ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିଜର ପ୍ରଭାବଶାଳୀ ବଡ଼ଭାଇ ଆଉରଙ୍ଗଜେବ ଦ୍ୱାରା ଅତ୍ୟାଚାରିତ ସମସୁଲ୍‌ ବର୍ତ୍ତମାନ ସାହାଯ୍ୟ ପାଇଁ ପ୍ରତିଦିନ ଥାନା, ତହସିଲ ଏବଂ କୋର୍ଟ କଚେରି ବାରନ୍ଦାରେ ସମୟ ବିତାଉଛନ୍ତି । ନିଜ ଘରକୁ ଫେରିବାରେ ବି ତାଙ୍କର ସମସ୍ୟା । ବଡ଼ଭାଇଙ୍କ ଅତ୍ୟାଚାର ଯୋଗୁଁ ସେ ନିଜ ଘରେ ରହିପାରୁନାହାନ୍ତି, ନିଜ ପୋଖରୀରୁ ମାଛ ଧରି ପାରୁନାହାନ୍ତି, ଗଛରୁ ନଡ଼ିଆ ତୋଳି ପାରୁନାହାନ୍ତି କି ବିଲରୁ ଧାନ କାଟି ପାରୁନାହାନ୍ତି ।

 

ସମସୁଲ୍‌ ଖାଁ ତାଙ୍କ ତିନିଭାଇଙ୍କ ଭିତରେ ସବା ସାନ । ତାଙ୍କ ଉପର ଦୁଇ ଭାଇ ହେଲେ ମନସୁର ଖାଁ ଏବଂ ଆଉରଙ୍ଗଜେବ ଖାଁ । ଆଉରଙ୍ଗଜେବ ସବା ବଡ଼ ଏବଂ ଖୁବ୍‌ ସ୍ୱଚ୍ଛଳ । ତାଙ୍କର ମାର୍କୋଣା ଛକରେ ଗୋଟେ ମାଂସ ଦୋକାନ ଅଛି । ଏହାଛଡ଼ା ସେ ଛେଳି ଚାଲାଣ କରନ୍ତି । ସେଇଥିରୁ ଭଲ ପଇସା ଉପାର୍ଜନ ହେଉଥିବା ଯୋଗୁଁ ଏବେ ସେ ଦୁଇ ଦୁଇଟି ଟ୍ରକ୍‌ର ମାଲିକ । ଅନ୍ୟପକ୍ଷରେ ସାନଭାଇ ସମସୁଲ୍‌ ଜଣେ ଗରିବ କାର୍ପେଟ୍‌ କାରିଗର । ଆଗରୁ ରାଜସ୍ଥାନ ଓ ଦିଲ୍ଲୀର କାର୍ପେଟ୍‌ କାରଖାନାରେ କାମ କରୁଥିଲେ । ଏବେ କିଛିବର୍ଷ ହେଲା ଭାଇର ନିର୍ଯାତନା ଏବଂ ପ୍ରଶାସନର ଉଦାସୀନତା ଭିତରେ ଛନ୍ଦିହୋଇ ବାରଦ୍ୱାର ତେର ପିଣ୍ଡା ହେଉଛନ୍ତି । ମଝିଆଁ ମନସୁର ଭଦ୍ରକରେ । ଏମାନଙ୍କର ବାପା ନସିରୁଦ୍ଦିନ ଖାଁ ଏବଂ ମା’ ରତନୁ ବିବି ବୁଢ଼ାବୁଢ଼ୀ ହେଲାପରେ କାମଧନ୍ଦା କରିପାରିଲେ ନାହିଁ । ବୁଢ଼ା ବାପମାଆଙ୍କୁ ପୋଷିବା ପୁଅମାନଙ୍କ ଦାୟିତ୍ୱ । ମାତ୍ର ବଡ଼ ପୁଅ ଆଉରଙ୍ଗଜେବ ନିଜ ବଡ଼ ପରିବାର (ତାଙ୍କର ୫ ପୁଅ, ୬ ଝିଅ)ର ଆଳ ଦେଖାଇ ବାପାମାଆଙ୍କୁ ପୋଷିବାକୁ ମନା କରିଦେଲେ । ଫଳରେ ବୁଢ଼ାବୁଢ଼ୀ ସାନପୁଅ ସମସୁଲ୍‌ ପାଖରେ ରହିଲେ । ସିଏ ମଲାପରେ ତାଙ୍କର ଜମିବାଡ଼ି ତିନି ପୁଅଙ୍କ ଭିତରେ ସମାନ ସମାନ ଭାଗ ହୋଇଯିବ ଏବଂ ଜୀବଦ୍ଦଶାରେ ତାଙ୍କର ଦାୟିତ୍ୱ ଆଦୌ ବୁଝି ନଥିବା ପୁଅ ସମାନ ଭାଗ ପାଇବେ ଏକଥା ବୃଦ୍ଧ ନସିରୁଦ୍ଦିନଙ୍କୁ ପସନ୍ଦ ହେଲାନାହିଁ । ସେ ସମସୁଲ୍‌ର ୫ ବର୍ଷର ପୁଅ ଗୁଲାମ ମୁସ୍ତାଫା ନାଁରେ ୩୭ ଡିସିମିଲ୍‌ ଜମି ଦାନ ସ୍ୱରୂପ ରେଜିଷ୍ଟ୍ରି କରିଦେଲେ । ଏଥିରୁ କଳାଡିହ ୬ ଡିସିମିଲ୍‌ ଏବଂ ଗାଡ଼ିଆ ୩୧ ଡିସିମିଲ୍‌ । ନସିରୁଦ୍ଦିନ ୧୯୯୭ ମସିହାରେ ସିମୁଳିଆ ସବ୍‌ରେଜିଷ୍ଟ୍ରି ଅଫିସ୍‌ରେ ଦଲିଲ୍‌ ନମ୍ବର ୯୪୮ ଯୋଗେ ଏହି ରେଜିଷ୍ଟ୍ରି କରିଥିଲେ । ୧୯୯୮ ଜାନୁଆରି ୭ ତାରିଖରେ ନସିରୁଦ୍ଦିନ ଖାଁ ମରିଗଲେ । ଦରିଦ୍ର ଏବଂ ଅଜ୍ଞ ସାନପୁଅ ସମସୁଲ୍‌ ସେତେବେଳକୁ ପ୍ରବାସରେ ଥିଲେ । ସିଏ କୁପୁରା ଫେରି ଅନ୍ୟ ଭାଇମାନଙ୍କ ସହ ଶୁଦ୍ଧି ହେଲେ । ତେବେ ନସିରୁଦ୍ଦିନଙ୍କ ମୃତ୍ୟୁ ଖବର କୌଣସି ସରକାରୀ କାଗଜପତ୍ରରେ ରହିଲା ନାହିଁ । ମଫସଲ ଗାଁରେ ଅନେକ ଲୋକ ଆଜି ବି ଜନ୍ମ, ବିବାହ ଏବଂ ମୃତ୍ୟୁର ରେଜିଷ୍ଟ୍ରେସନ୍‌ କରଉନାହାନ୍ତି । ଏହି ମୁସଲମାନ ପରିବାର ସେମାନଙ୍କ ଭିତରୁ ଗୋଟିଏ । ସମସୁଲ୍‌ର ପୁଅ ଗୁଲାମ ନାଁରେ ବୁଢ଼ାବାପା କିଛି ଜମି ଓ ଗୋଟିଏ ପୋଖରୀ ରେଜିଷ୍ଟ୍ରି କରିଦେଇ ଯାଇଥିବା କଥା ବଡ଼ପୁଅ ଆଉରଙ୍ଗଜେବଙ୍କୁ ଆଗରୁ ରଗେଇ ଦେଇଥିଲା । ସେ ସାନଭାଇଙ୍କୁ କଥା କଥାକେ ଗାଳି ଫଜିତ୍‌ କରିବା ଆରମ୍ଭ କରିଦେଲେ । ୨୦୦୨ ମସିହାରେ ଦିଲ୍ଲୀର ‘ମହାରାଜା ଆର୍ଟ ସୋରୁମ୍‌’ରେ ଗୋଟିଏ ଚାକିରି ଲାଗି ସମସୁଲ୍‌ ଦିଲ୍ଲୀ ଗଲେ । ସେହି ସମୟରେ ଆଉରଙ୍ଗଜେବ ଚିନ୍ତା କଲେ, କି ଉପାୟ କଲେ ସମସୁଲ୍‌କୁ ପାନେ ଦେଇହେବ । ଏସବୁର ଗନ୍ଧ ଜାଣି ପାରି କି କ’ଣ, ସମସୁଲ୍‌ ସିମୁଳିଆ ତହସିଲ ଅଫିସ୍‌ରେ ନିଜ ବାପାଙ୍କ ମୃତ୍ୟୁର ସାର୍ଟିଫିକେଟ୍‌ ପାଇଁ ପ୍ରାର୍ଥନା କଲେ । ମାତ୍ର ଆଉରଙ୍ଗଜେବ ଦୋକାନର ଖାସି ମାଉଁସ ଏଠି ତା କାମ ଦେଖାଇଲା । ନସିରୁଦ୍ଦିନ ଖାଁ ୧୯୯୮ରେ ମରିଥିଲେ ମଧ୍ୟ ତହସିଲଦାର ଉପେନ୍ଦ୍ର ମିଶ୍ର ଲେଖିଦେଲେ ଯେ ସେ ଦଶବର୍ଷ ଆଗରୁ ଅର୍ଥାତ୍‌ ୧୯୮୮ ମସିହାରେ ମରିଛନ୍ତି । ତହସିଲଦାରଙ୍କ ରିପୋର୍ଟ ଅନୁସାରେ ସିମୁଳିଆର ଡାକ୍ତର ଗୋଟେ ସାର୍ଟିଫିକେଟ୍‌ ଇସ୍ୟୁ କରିଦେଲେ । ତା’ ଅର୍ଥ ୧୯୮୮ରେ ମରିଥିବା ଲୋକ ୧୯୯୭ ରେ ତାଙ୍କ ନାତି ନାଁରେ ଜମି ରେଜିଷ୍ଟ୍ରି କରିବେ କେମିତି ? ମଲାଲୋକ ତ କବରରୁ ଉଠିଆସି ଜମି ରେଜିଷ୍ଟ୍ରି କରିବ ନାହିଁ ! ୨୦୦୨ରୁ ଆଜି ୨୦୦୯ ଏମିତି ସାତବର୍ଷ ବିତିଗଲାଣି । ମାତ୍ର ସରକାରୀ ଅଫିସର୍‌ଙ୍କର ଏହି ଇଚ୍ଛାକୃତ ତ୍ରୁଟିଟି ସଂଶୋଧନ ହୋଇନାହିଁ । ବରଂ ଏହାକୁ ଆଳ କରି ଆଉରଙ୍ଗଜେବ ନାନା ପ୍ରକାର ଜୁଲୁମ ଜାରି ରଖିଛି ଏବଂ ପୁତୁରା ଗୁଲାମ୍‌ ନାମରେ ହୋଇଥିବା କବଲାକୁ ଖାରଜ କରିବା ଲାଗି ବାଲେଶ୍ୱର ସିଭିଲ ଜଜ୍‌ଙ୍କ ଇଜଲାସରେ ଦରଖାସ୍ତ କରିଛନ୍ତି । ନସିରୁଦ୍ଦିନଙ୍କ ମୃତ୍ୟୁ ନେଇ ଡାକ୍ତରଖାନାରେ କୌଣସି ପ୍ରମାଣ ପତ୍ର ନଥିଲା । ତେଣୁ ତହସିଲଦାରଙ୍କ ଲେଖା ହିଁ ହେଲା ବେଦର ଗାର । ସମସୁଲ୍‌ ନିଜ ପୋଖରୀ ପାଖକୁ ଯାଇ ମାଡ଼ ଖାଇଲେ । ମାଡ଼ଖାଇ ସେ ଥାନାକୁ ଧାଇଁଲେ । ଥାନାବାବୁ ଥରେ ଦି’ଥର ଆସିଲେ । ତା’ପରେ କହିଲେ, ‘ଆମେ କ’ଣ କେବଳ ତୁମରି କଥା ବୁଝିବୁ ବୋଲି ଏଠି ବସିଛୁ ?’ ଖାସି ମାଉଁସ ତା କରାମତି ଏଠି ବି ଦେଖାଇଲା । ସମସୁଲ୍‌ ଉପରେ ଜୁଲୁମ୍‌ ବଢ଼ି ଚାଲିଲା । ସେ କେମିତି ତାଙ୍କ ଘର ଭିତରକୁ ପଶି ପାରିବେ ନାହିଁ, ସେଥିପାଇଁ ତାଙ୍କ ଘର ଚାରିପଟେ ବିଷ୍ଠା ପକାଗଲା । ତାଙ୍କ ଚାଳକୁ କଣା କରାଗଲା ଏବଂ ତାଙ୍କୁ ସବୁ ପ୍ରକାରେ ହଇରାଣ ହରକତ କରାଗଲା ।

 

ସମସୁଲ୍‌ ସତକୁ ସତ ପ୍ରମାଣ କରିବା ଲାଗି ତଥ୍ୟ ସଂଗ୍ରହ କଲେ । ତାଙ୍କ ବାପା ୧୭.୧୨.୧୯୯୪ରେ ଅନ୍ୟ ଜଣେ ଭଦ୍ରଲୋକ ଆକବର ଖାଁଙ୍କୁ ଦଲିଲ୍‌ ନମ୍ବର ୧୭୯୧ ଅନୁସାରେ କିଛି ଜମି ବିକ୍ରୟ କରିଥିଲେ । ମାତ୍ର ତାହାକୁ ଏପର୍ଯ୍ୟନ୍ତ କେହି ପ୍ରଶ୍ନ କରିନାହାନ୍ତି । ସମସୁଲ୍‌ ସେକଥା ଉଠେଇଲେ । ୧୯୯୪ର ଭୋଟର ପରିଚୟ ପତ୍ର ମଧ୍ୟ ଦେଖାଇଲେ । ୧୯୯୨ ଜୁନ୍‌ ୧୦ ତାରିଖରେ ଷ୍ଟେଟ୍‌ ବ୍ୟାଙ୍କ୍‌ର ସ୍ଥାନୀୟ ଶାଖାରୁ ତାଙ୍କ ବାପା ଯାଇ ୫୦୫୦ ଟଙ୍କା ଋଣ ଉଠାଇଥିଲେ । ସେହି ଋଣ ଠିକ୍‌ ସମୟରେ ପରିଶୋଧ କରି ନଥିବାରୁ ୧୯୯୭ ଜୁଲାଇ ୨୩ ତାରିଖରେ ଋଣ ଖିଲାପୀ ନୋଟିସ୍‌ ଆସିଥିଲା ଏବଂ ତାହାକୁ ବାପା ନସିରୁଦ୍ଦିନ ନିଜେ ଦସ୍ତଖତ କରି ଗ୍ରହଣ କରିଥିଲେ । ଏହାଛଡ଼ା ୧୯୯୧ ଓ ୧୯୯୫ରେ ତାଙ୍କ ଗ୍ରାମରେ ଦିଇଟି ଗ୍ରାମସଭା ହୋଇଥିଲା । ସେଇ ସଭାରେ ନସିରୁଦ୍ଦିନ ଉପସ୍ଥିତ ଥିବା ଓ ଦସ୍ତଖତ କରିଥିବାର ପ୍ରମାଣ ଅଛି । ମାତ୍ର ଏତେସବୁ ପ୍ରମାଣ ସତ୍ତ୍ୱେ ୧୯୯୮ ପର୍ଯ୍ୟନ୍ତ ବଞ୍ଚିଥିବା ଜଣେ ଲୋକଙ୍କୁ ଦଶବର୍ଷ ଆଗରୁ ମାରି ଦିଆଯାଇଛି ସରକାରୀ ରେକର୍ଡରେ । ଯେଉଁ ଅଫିସର୍‌ମାନେ ଦାୟିତ୍ୱହୀନ ଭାବେ ଏହି କାର୍ଯ୍ୟ କରି ଅକ୍ଷମଣୀୟ ଅପରାଧ କରିଛନ୍ତି ସେମାନେ ଆରାମରେ ପ୍ରମୋସନ୍‌ ପାଇ ସରକାରୀ ଚାକିରିରେ ଅଛନ୍ତି । କିନ୍ତୁ ସମସୁଲ୍‌ ସତକୁ ସତ ପ୍ରମାଣ କରିବା ପାଇଁ ବାରଦ୍ୱାର ତେର ପିଣ୍ଡା ହେଉଛନ୍ତି ଓ ନିଜ ମାଆ, ସ୍ତ୍ରୀ ଏବଂ ଚାରିପିଲାଙ୍କୁ ନେଇ କିପରି ସଂସାର ଚଳେଇବେ ସେଥିପାଇଁ ମୁଣ୍ଡ କଚାଡ଼ି ହେଉଛନ୍ତି । ଏବେ ପୁଲିସ୍‌ ପାଖକୁ ଗଲେ ପୁଲିସ୍‌ ଓଲଟି କହୁଛି, ‘ତୁ ସେ ଜମିତକ ଛାଡ଼ିଦେ, ସବୁ ସମସ୍ୟାର ସମାଧାନ ହୋଇଯିବ । ତୁ କ’ଣ ଲଢ଼ିକି ଜିତି ପାରିବୁ ?’

 

ସିମୁଳିଆର ସବୁ ଖାକିପିନ୍ଧା ଅଫିସର ଅବଶ୍ୟ ହୃଦୟହୀନ ନୁହନ୍ତି । କେତେଜଣ ଦରିଦ୍ର ସମସୁଲ୍‌ଙ୍କ ସାହାଯ୍ୟ କରିବାକୁ ଚେଷ୍ଟା କରିଛନ୍ତି । ସରଜମିନ ତଦନ୍ତରେ ଆସିଛନ୍ତି । ମାତ୍ର ସେମାନଙ୍କର ସଂଖ୍ୟା କମ୍‌ । ସେମାନେ ତଦନ୍ତ ସାରି ଫେରିଗଲା ପରେ ଆଉରଙ୍ଗଜେବ ଏବଂ ତାଙ୍କ ପୁଅମାନଙ୍କର ଜୁଲୁମ ପୁଣି ଆରମ୍ଭ ହୋଇଯାଏ । ୨୦୦୨ରୁ ଲଗାତାର ଭାବେ ଚାଲିଥିବା ଏଇ ଜୁଲୁମ ଖବର ବହୁବାର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି । ଏ ସମ୍ପର୍କରେ ସମସୁଲ୍‌ ବାଲେଶ୍ୱର ଜିଲ୍ଲାର କଲେକ୍ଟର ଓ ଏସ୍‌.ପିଙ୍କୁ ସର୍ବନିମ୍ନ ୨୫ ଥର ଭେଟିସାରିଛନ୍ତି । ଜଣେ ଦରିଦ୍ର ଲୋକ ପକ୍ଷେ ଏଇ ଅଫିସରମାନଙ୍କୁ ଭେଟିବା କେତେ କଷ୍ଟ ତାହା ସହଜରେ ଅନୁମେୟ । ଜିଲ୍ଲାପାଳ ଓ ଏସ୍‌.ପି ରୁଟିନ୍‌ କାଇଦାରେ ସମସୁଲ୍‌ର ଦରଖାସ୍ତର ତଦନ୍ତ କରିବା ଲାଗି ସିମୁଳିଆ ଥାନା ଓ ତହସିଲ ଅଫିସ୍‌କୁ ପଠେଇ ଦିଅନ୍ତି । ସେଠି ଆଉରଙ୍ଗଜେବଙ୍କର ଖାସି ମାଉଁସ ଆଗରୁ ତା’ର କରାମତି ଦେଖାଇ ସାରିଥାଏ । ସମସୁଲ୍‌ର ଦରଖାସ୍ତ ତେଣୁ ବହୁ ହତଭାଗ୍ୟ ଦରିଦ୍ରଙ୍କ ଦରଖାସ୍ତ ପରି ଫାଇଲ ତଳେ ଚପିଯାଏ । ଆଉରଙ୍ଗଜେବ ଘରକୁ ଫେରି ସମସୁଲ୍‌ ଉପରେ ଅତ୍ୟାଚାରର ପରିମାଣ, ପୁଲିସ୍‌ ଓ ତହସିଲ ଅଫିସ୍‌ରେ କରିଥିବା ଖର୍ଚ ଅନୁପାତରେ, ବଢ଼େଇ ଦିଅନ୍ତି ।

 

୨୦୦୬ ମଇ ମାସରେ ଆଉରଙ୍ଗଜେବ ଭାଇ ସମସୁଲ୍‌କୁ ହାଣି ଦେବାକୁ ଉଦ୍ୟମ କରିଥିଲେ । ଏକଥା କଲେକ୍ଟରଙ୍କ କାନ ପର୍ଯ୍ୟନ୍ତ ଯାଇଥିଲା । ମାତ୍ର ପୁଲିସ୍‌ କି ଦଫା ଲଗେଇଲେ କେଜାଣି ଆଉରଙ୍ଗଜେବ ଏବଂ ତାଙ୍କ ପୁଅ ଜାମିନ୍‌ରେ ଆସି ଆରାମରେ ତାଙ୍କ ବେପାର ବୁଝିଲେ ଓ ସମସୁଲ୍‌ ଉପରେ ଜୁଲୁମ ଚାଲୁ ରଖିଲେ । ଗଲାବର୍ଷ ଆଉଥରେ ଏହି ଘଟନାର ପୁନରାବୃତ୍ତି ହେଲା ।

 

ସମସୁଲ୍‌ ଖାଁ ଏବେ ପାଗଳ ପ୍ରାୟ । ପ୍ରତିଦିନ ଥାନାକୁ ଦଉଡୁଛନ୍ତି ଏଇ ଭଦ୍ରଲୋକ । ଯଦିଓ ସେ ଜାଣନ୍ତି, ଥାନାବାବୁଙ୍କର ତାଙ୍କ କଥା ଶୁଣିବାକୁ ସମୟ କିମ୍ବା ଆଗ୍ରହ ନାହିଁ । ସେପଟେ ମିଛ ଡେଥ୍‌ ସାର୍ଟିଫିକେଟ୍‌ ବଳରେ ଭାଇ କେସ୍‌ କରିଛନ୍ତି, ତା’ ପାଇଁ କଚେରିକୁ ଧାଇଁବାକୁ ପଡୁଛି । ନିଜର ଜମିବାଡ଼ି ଓ ପୋଖରୀ ଥାଇ ମଧ୍ୟ ପର ଘରେ ମୂଲ ଲାଗିବାକୁ ପଡୁଛି ତାଙ୍କୁ । ଏମିତି ଗୋଟିଏ ପରିବାରର ଛଅସାତ ପରାଣୀ ହନ୍ତସନ୍ତ ହେଉଛନ୍ତି । ସେମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହେଉଛି । ମାତ୍ର ଆଇନର ରକ୍ଷକ ଜିଲ୍ଲା ପ୍ରଶାସନ ଏଇ ଛୋଟ କଥାଟିର ସମାଧାନ କରିପାରୁନାହାନ୍ତି ।

 

କୁପୁରାର ସମସୁଲ୍‌ ଖାଁଙ୍କର ଏଇ ସମସ୍ୟା ଆମ ରାଜ୍ୟରେ ଥିବା ଏଭଳି ଶହ ଶହ ଘଟନା ଭିତରୁ ଗୋଟିଏ । ରାଜଧାନୀରେ ମୁଖ୍ୟମନ୍ତ୍ରୀ ଯେତେ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟିଲେ ମଧ୍ୟ, ଉତ୍କୋଚ ନେଇ କିପରି କିଛି କ୍ଷେତ୍ର ଅଧିକାରୀ ସାଧାରଣ ଲୋକଙ୍କୁ ତଳିତଳାନ୍ତ କରୁଛନ୍ତି ଏହା ତାହାର ଏକ ପ୍ରମାଣ । ଏମାନଙ୍କର ବିଷଚକ୍ର ଭିତରେ ଜଣେ ପରଲୋକଗତ ବୁଢ଼ା ମଣିଷଙ୍କ ଇଚ୍ଛା ବି ଚପି ଯାଉଛି । ଆଇନାନୁମୋଦିତ ଭାବେ ସେ ଦାନ ଦେଇଥିବା ଜମି-ପୋଖରୀ ତାଙ୍କ ନାତି ଭୋଗ କରି ପାରୁନାହିଁ । ଜିଲ୍ଲାର ସବୁ ହାକିମଙ୍କଠାରୁ ବିଫଳ ହେଲାପରେ ସମସୁଲ୍‌ ଖାଁ ଏବେ ଭୁବନେଶ୍ୱର ଆସି ରାଜପଥ ଉପରେ ଆମରଣ ଅନଶନ କରିବେ ବୋଲି ସ୍ଥିର କରିଛନ୍ତି । ସାତବର୍ଷ ହେଲା ଯାହାଙ୍କର ହାରିଗୁହାରି, ଲୁହ ଓ ଦୀର୍ଘଶ୍ୱାସ ଜିଲ୍ଲା ଶାସନର ହୃଦୟକୁ ଚହଲେଇ ପାରିଲା ନାହିଁ, ତାଙ୍କର ଅନଶନ ରାଜ୍ୟ ଶାସନର ହୃଦୟକୁ ଦୋହଲେଇ ଦେବ, ସେ ଭରସା ନାହିଁ-। ମାତ୍ର ତାଙ୍କ ପରି ଗରିବ ଲୋକଟେ ଆଉ ଅଧିକ କ’ଣ କରି ପାରିବ ?

 

ସମ୍ବାଦ, ୧୧ ଜୁନ୍‌, ୨୦୦୯

Image

 

ଗୋଟେ ଗରିବ ଝିଅର କଥା

 

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନରେ ପୁରୁଣା ଗାଁଟିଏ ବରୀ । ଗତ କିଛି ମାସ ହେଲା ସେ ଗାଁରେ ଅଶାନ୍ତି ଲାଗି ରହିଛି । ପ୍ରତି ସପ୍ତାହରେ କିଛି ନା କିଛି ଗଣ୍ଡଗୋଳ ଘଟୁଛି ଏବଂ ଗାଁ ଲୋକେ ଥାନାକୁ ଦଉଡୁଛନ୍ତି । ମାତ୍ର ସଂକୀର୍ଣ୍ଣ ରାଜନୀତି ଓ ଅପରାଧୀମାନଙ୍କ ପ୍ରତି ପୁଲିସ୍‌ର ନରମ ମନୋଭାବ ଯୋଗୁଁ ସମସ୍ୟାର ସମାଧାନ ହୋଇପାରୁ ନାହିଁ ।

 

ବରୀ ଗାଁ ସମସ୍ୟାର ଏକାଧିକ ଦିଗ ରହିଛି । ଏହା ଗୋଟିଏ ମନ୍ଦିରର ସମସ୍ୟା, ପୁଣି ଗୋଟିଏ ପରିବାରର ଓ ଆମ ସମାଜର ସମସ୍ୟା । ଏହା ଏକ ଗରିବ ଝିଅର ଦୁର୍ଭାଗ୍ୟର କାହାଣୀ, ଯାହାକୁ ଶୁଣିଲେ ପଥର ପାଣି ହୋଇଯିବ । ଭଦ୍ରକ ଜିଲ୍ଲାର ନାୟକାଣିଡିହ ଥାନା ଅଧୀନରେ ଥିବା ବୀଣାଦଣ୍ଡା ଗାଁର ଝିଅ ପ୍ରଜ୍ଞାପାରମିତା ତ୍ରିପାଠୀ (ସସ୍ମିତା ମିଶ୍ର) । ବାପା-ମା’ ନାହାନ୍ତି । ଗରିବ ଭାଇ । ପ୍ରଜ୍ଞା ଯୁକ୍ତ ଦୁଇ ପାସ୍‌ କରିଛି । ଛଅବର୍ଷ ତଳେ ତା’ର ବାହାଘର ହେଲା ଆଲୋଚ୍ୟ ବରୀ ଗାଁର ପରମାନନ୍ଦ ତ୍ରିପାଠୀ ସହ । ବାହାଘରବେଳେ ଯୌତୁକ ବାବଦରେ ପ୍ରଜ୍ଞା ଚାଳିଶହଜାର ଟଙ୍କା ଓ ଅନ୍ୟ କିଛି ଜିନିଷପତ୍ର ଆଣିଥିଲା । ବାହାଘରର ଦେଢ଼ମାସ ପରେ ତା ସ୍ୱାମୀ ପରମାନନ୍ଦ କାମ କରିବା ଜାଗା ବାଙ୍ଗାଲୋରକୁ ଗଲା । ଏହାର କିଛି ମାସ ପରେ ପ୍ରଜ୍ଞାର ଦୁର୍ଭାଗ୍ୟ ଆରମ୍ଭ ହେଲା । ତା’ର ଦେଢ଼ଶୂର, ବରୀର ପ୍ରସିଦ୍ଧ ଧୂଳେଶ୍ୱର (ଧବଳେଶ୍ୱର) ମହାଦେବ ମନ୍ଦିରର ପୂଜକ ରବି ତ୍ରିପାଠୀ ଗୋଟିଏ ନିଶାର୍ଧରେ ଭାଇବୋହୂ ପ୍ରଜ୍ଞା ଉପରେ ବଳାତ୍କାର କଲେ । ଦିନସାରା ଚନ୍ଦନ ପିନ୍ଧି ମନ୍ତ୍ର ପଢୁଥିବା ଦେଢ଼ଶୂରଙ୍କର ଏହି ଅତ୍ୟାଚାର ପ୍ରଜ୍ଞାର ଦେହ, ମନ ଓ ମାନସିକତାକୁ ବିପର୍ଯ୍ୟସ୍ତ କରିଦେଲା । ସେ କାନ୍ଦି କାନ୍ଦି ଯାଇ ଏକଥା ଶାଶୂ ଓ ଯାଆ ପଦ୍ମାବତୀଙ୍କୁ ଜଣାଇଲା । ପ୍ରତିବଦଳରେ ତା’ ଉପରେ ଗାଳିହେଲା ଓ କଥାଟାକୁ ପ୍ରଘଟ ନ କରିବାଲାଗି, ଏପରିକି ନିଜ ସ୍ୱାମୀକୁ ଏହା ନକହିବା ପାଇଁ ଧମକ ଦିଆଗଲା । ଦେଢ଼ଶୂର ଦ୍ୱାରା ନିର୍ଯ୍ୟାତିତା ପ୍ରଜ୍ଞାକୁ ପାପମୁକ୍ତ କରିବାଲାଗି ଘରେ ଶାଶୂ ଓ ଯାଆମାନେ ମିଶି ଗୋବରପାଣି ପିଆଇଲେ ! ଏହାର କିଛି ମାସ ପରେ ପୁଣି ସେଇ ବଳାତ୍କାରର ପୁନରାବୃତ୍ତି ଘଟିଲା । ପ୍ରଜ୍ଞା ବରଦାସ୍ତ କରିପାରିଲା ନାହିଁ । ସ୍ୱାମୀ ପରମାନନ୍ଦ ବର୍ଷକରେ ମାତ୍ର ଥରେ ଗାଁକୁ ଆସେ ଶିବରାତ୍ରିର ସପ୍ତାହେ ଆଗରୁ । ଧୂଳେଶ୍ୱର ମନ୍ଦିରରେ ଜାଗର ଅମାବାସ୍ୟା ପାଇଁ ପ୍ରବଳ ଭିଡ଼ ହୁଏ । ପରମାନନ୍ଦ ସେତେବେଳେ ବଡ଼ଭାଇକୁ କାମରେ ସାହାଯ୍ୟ କରେ ଓ ସପ୍ତାହେ ଖଣ୍ଡ ରହି ବାଙ୍ଗାଲୋର ଚାଲିଯାଏ । ଶିବରାତ୍ରି ସମୟରେ ପୂଜକ ପରିବାରର ସ୍ୱାମୀ-ସ୍ତ୍ରୀ ଶାରୀରିକ ସଂପର୍କ ରଖିବା ନିଷେଧ । ମାତ୍ର ଦେଢ଼ଶୂର ନିଜ ନିଷେଧାଦେଶ ନିଜେ ଲଂଘନ କରି ଭାଇବୋହୂ ଉପରେ ଅତ୍ୟାଚାର କରନ୍ତି । ପ୍ରଜ୍ଞା ଏକଥା ତା ସ୍ୱାମୀକୁ କହିଲା । ସ୍ୱାମୀ ସବୁ ଶୁଣିସାରି କହିଲା, ‘‘ତୋ ସହ ଯେତେବେଳେ ମୋ ବଡ଼ଭାଇ ସଂପର୍କ ରଖିସାରିଲେଣି, ତେଣୁ ତୁ ମୋର ସମ୍ପର୍କରେ ଭାଉଜ ହେଲୁ ! ମୁଁ ଆଉ କ’ଣ କରିବି ?’’ ଆଗରୁ ୫୦ ହଜାର ଟଙ୍କା ଅଧିକା ଯୌତୁକ ଦାବି କରି ପ୍ରଜ୍ଞା ସହ ଭଲ ସଂପର୍କ ରଖୁ ନଥିବା ପରମାନନ୍ଦ ବର୍ତ୍ତମାନ ଶେଷକଥା ଶୁଣାଇଦେଲା । ଯେଉଁ ସ୍ୱାମୀର ରାସ୍ତାକୁ ଚାହିଁ ସ୍ତ୍ରୀ ଅନେଇ ବସିଥିଲା ତା’ ଠାରୁ ଏ ଉତ୍ତର ପାଇବା ପରେ ସ୍ତ୍ରୀଟିର କି ପ୍ରତିକ୍ରିୟା ହୋଇଥିବ ତାହା ସହଜରେ ଅନୁମେୟ । ପ୍ରଜ୍ଞା ପଡ଼ିରହିଲା ବରୀ ଗାଁରେ,ଗୋଟେ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇ । ସକାଳୁ ସଂଜ ଘର କାମ, ରାତିରେ ନିର୍ଯ୍ୟାତନା । ତେବେ ଘଟନା ଏଇଠି ଅଟକିଲା ନାହିଁ । ପ୍ରଜ୍ଞାର ଅଭିଯୋଗ ଅନୁଯାୟୀ, ଦିନେ ଦେଢ଼ଶୂରଙ୍କ କଲେଜ ପଢୁଆ ପୁଅ, ସଂପର୍କରେ ପୁତୁରା ତା ଉପରେ ବଳାତ୍କାର କରିବାଲାଗି ଉଦ୍ୟମ କଲା । ପ୍ରଜ୍ଞା ପାଇଁ ଥିଲା ଏହା ପଥର ପିଠିର ଶେଷ ପାହାର । ସେ ଆଉ ଶାଶୂଘରେ ନରହି ନିଜ ଭାଇ ପାଖକୁ ପଳେଇଗଲା । ଦେଢ଼ଶୁର ଡରିଲେ । କାଳେ କଥା ପ୍ରଘଟ ହୋଇଯିବ, ଏଇ ଆଶଙ୍କା କରି ତାକୁ ଫୁସୁଲାଫୁସୁଲି କରି ସାବିତ୍ରୀ ଅମାବାସ୍ୟା ପୂର୍ବଦିନ ଡକେଇ ଆଣିଲେ । ୨୦୦୮ ସାବିତ୍ରୀ ଆଗ ଦିନ । ପ୍ରଜ୍ଞା ଆସି ସ୍ୱାମୀକୁ ଅପେକ୍ଷା କଲା । ସ୍ୱାମୀ ଆସିଲା । ମାତ୍ର ସାଙ୍ଗରେ ସଉତୁଣୀ ରେଖା । ପ୍ରଜ୍ଞା ସ୍ୱାମୀକୁ ଏହାର ରହସ୍ୟ ପଚାରିଲା । ଉତ୍ତର ମିଳିଲା ‘‘ତୋର ଦୋଷ ହେଲା ତୁ ବାଂଝ ଓ ଗରିବ ।’’ ମାତ୍ର ପ୍ରଜ୍ଞା ଏହାକୁ ଅସ୍ୱୀକାର କରି ସ୍ୱାମୀର ଦ୍ୱିତୀୟ ବିବାହର ପ୍ରତିବାଦ କଲା । ତେଣୁ ତା ଉପରେ ପ୍ରବଳ ମାଡ଼ ହେଲା । ସେତିକିରେ ସନ୍ତୁଷ୍ଟ ନ ରହି ତାକୁ ସେହି ସାବିତ୍ରୀ ଅମାବାସ୍ୟା ରାତିରେ ପୋଡ଼ି ମାରିଦେବା ଲାଗି ଯୋଜନା କରାଗଲା । ପ୍ରଜ୍ଞାର ଅଭିଯୋଗ ଅନୁସାରେ ତା ଦେହରୁ ଶାଢ଼ି ଖୋଲି ତା ଦେହରେ ନିଆଁ ଲଗେଇବା ପୂର୍ବରୁ ଗୁହାଳର ଗାଈ ରଡିଲା । ସେ ସେଇ ସୁଯୋଗରେ କେବଳ ସାୟା ବ୍ଲାଉଜ୍‌ ପିନ୍ଧା ଅବସ୍ଥାରେ ଧାଇଁ ଧାଇଁ ରାତି ଅନ୍ଧାରରେ ଲୁଚି ଯାଇଥିଲା । ଭୋର୍‌ ବେଳକୁ ଜଣକ ଓଳିରେ ଶୁଖୁଥିବା ଶାଢ଼ିଟିଏ ଚୋରି କରିନେଇ ସେ ନିଜର ଲଜ୍ଜା ନିବାରଣ କରିଥିଲା ଓ ଚାଲିଚାଲି ତା ଭାଇ ପାଖକୁ ପଳାଇଯାଇଥିଲା । ଅଥଚ ଏଣେ ଶାଶୂଘର ଲୋକେ ଥାନାରେ ଏତଲା ଦେଇଥିଲେ- ପ୍ରଜ୍ଞା ନିରଦ୍ଦିଷ୍ଟ । ଏହା ଗୋଟେ ଲମ୍ବା କାହାଣୀ । କେମିତି ଚଂପା ଗଛ ଡାଳ ଓ କୁଟା ବୁଦା ଉହାଡ଼ରେ ଲୁଚି ସେ ଏକାଧିକବାର ନିଜର ଜୀବନ ବଂଚେଇଛି ତାହା ପ୍ରଜ୍ଞା ଜାଣେ । ଶାଶୂଘରର ‘ବାଂଝ’ ଅଭିଯୋଗ ମିଥ୍ୟା ବୋଲି ଡାକ୍ତରଙ୍କ ଠାରୁ ପ୍ରମାଣପତ୍ର ଆଣିବା ପରେ ମଧ୍ୟ ସ୍ୱାମୀ ତାର ଦ୍ୱିତୀୟ ସ୍ତ୍ରୀକୁ ନେଇ ଦୂରରେ ରହେ । ଶେଷକୁ ପ୍ରଜ୍ଞା ଯେତେବେଳେ ଜାଣେ ଯେ ତାର ଘରକରଣା ଶେଷ ହୋଇଯାଇଛି, ଏବଂ ଏହା ସଜାଡ଼ି ହେବ ନାହିଁ, ସେତେବେଳେ ସେ ଯାଇ ସିମୁଳିଆ ଥାନାରେ ଏତଲା ଦିଏ, ୨୦୦୮ ଜୁନ୍‌ ୧୦ ତାରିଖରେ । ଭାଇବୋହୂର ଅଭିଯୋଗ ପରେ ପତ୍ନୀ ସହ ପୂଜକ ରବି ତ୍ରିପାଠୀ ୨୨ ଦିନ ଜେଲ୍‌ ଗଲେ । ମାତ୍ର ତା’ପରେ ଫେରିଆସିଲେ । ରବି ତ୍ରିପାଠୀ ସ୍ୱଚ୍ଛଳ ଓ ପ୍ରଭାବଶାଳୀ, ତାଙ୍କର ଆଉ ଗୋଟେ ଭାଇ ପଞ୍ଚାୟତ ସେକ୍ରେଟାରୀ । ତାଙ୍କ ପାଇଁ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମୁହଁ ଖୋଲନ୍ତି । ମାତ୍ର ପ୍ରଜ୍ଞା ପକ୍ଷରୁ ଲଢ଼ିବା ପାଇଁ ଦରିଦ୍ର ଭାଇଟି ଭିନ୍ନ କେହି ନାହାନ୍ତି, ସେ ମଧ୍ୟ ସମ୍ବଳଶୂନ୍ୟ ।

 

ଭାଇବୋହୂର ଅଭିଯୋଗ ଯୋଗୁଁ ପୂଜକର କୁକର୍ମ ପଦାକୁ ଆସିଲା ପରେ ଗାଁ ଲୋକେ ଚେତିଲେ । ବହୁବର୍ଷ ଧରି ସେମାନେ ପୂଜକଙ୍କର ବହୁ ଅନ୍ୟାୟ ଦେଖି ଆସୁଥିଲେ ମଧ୍ୟ ନିରବ ରହିଥିଲେ ବୋଲି ସ୍ଥାନୀୟ ସରପଞ୍ଚ ଏଇ ଲେଖକକୁ କହିଛନ୍ତି । ଚାପି ହୋଇ ରହିଥିବା ନୂଆ ଅଭିଯୋଗମାନ ମୁଣ୍ଡ ଟେକିଲା । ଛଅମାସ ତଳେ ମନ୍ଦିର ପୋଖରୀରୁ ଗୋଟେ ଝିଅର ଶବ ମିଳିଥିଲା । ସେ କଥା ଆଲୋଚନା ହେଲା । ମନ୍ଦିର ପରିସର ସଫାସୁତୁରା କଲାବେଳେ କଣ୍ଡୋମ ଓ ନିଶା ବଟିକା ପରି ଆପତ୍ତିଜନକ ଜିନିଷ ବରାମଦ ହେଲା । ମନ୍ଦିରର ଚଉଦ ଏକର ଜମିକୁ ପୂଜକ ପରିବାର ନିଜ ନାମରେ କରିନେଇଥିବା କଥା ମଧ୍ୟ ଉଠିଲା । ଗ୍ରାମବାସୀମାନେ ଏକାଠି ହୋଇ ସରକାରଙ୍କୁ ଆପତ୍ତି କଲେ । ଫଳରେ ଦେବୋତ୍ତର ବିଭାଗ ଗୋଟିଏ କମିଟି ଗଠନ କରି ଜଣେ ନୂଆ ପୂଜକଙ୍କୁ ପୂଜାଭାର ଦେଲେ । ମାତ୍ର ପୁରୁଣା ପୂଜକ ରବି ତ୍ରିପାଠୀ, ତାଙ୍କ ପତ୍ନୀ ପୁତ୍ର ଓ ପରିବାର ମନ୍ଦିର ପାଖରେ ରହୁଛନ୍ତି । ସେମାନେ ନୂଆ ଲୋକଙ୍କୁ କାମ କରାଇ ଦେଉନାହାନ୍ତି । ସବୁଦିନ ରାତିରେ ମନ୍ଦିରର ଆସବାବପତ୍ର ଭଙ୍ଗା ହେଉଛି । ଝରକା ବାଟେ ଲୁହାଛଡ଼ ଗଳେଇ ମନ୍ଦିରର ଗର୍ଭଗୃହରେ ଥିବା ପିତ୍ତଳ ନାଗସାପଗୁଡ଼ିକ ନେଇଯିବା ଲାଗି ଉଦ୍ୟମ ହେଉଛି । ଠାକୁରଙ୍କ ଜମିରୁ ଫସଲ କାଟିବାକୁ ଗଲେ ରକ୍ତପାତ ଘଟନା ଘଟୁଛି । ଇତିମଧ୍ୟରେ ସାହସ ପାଇ ଆଖପାଖ ଗ୍ରାମବାସୀ କେତେଜଣ ଅଭିଯୋଗ କଲେଣି । କିପରି ଏହି ପୂଜକ ଜଣକ ସନ୍ତାନ ଆଶାୟୀ ମହିଳାଙ୍କୁ ନିଶାର୍ଧରେ ନୂଆ ବିଛଣା ସହ ଆସିବାକୁ ଡାକୁଥିଲେ ଏବଂ ଠାକୁରଙ୍କ ‘ନିର୍ଦେଶ’ରେ ତାଙ୍କ ଉପରେ ବଳାତ୍କାର କରୁଥିଲେ, ସେଭଳି କଥା ମଧ୍ୟ ଶୁଣିବାକୁ ମିଳିଲାଣି । ପଡ଼ୋଶୀଙ୍କ ଘରକୁ ନିଆଁ ଲଗେଇ ପୋଡ଼ିବା, ଲୋକଙ୍କୁ ଧମକଚମକ ଦେବା, ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଅଶ୍ଳୀଳ ଗାଳିଗୁଲଜ ଦେଇ ଘଉଡ଼େଇବା କାମ ସେ ଏବେ ବି ଜାରି ରଖିଛନ୍ତି । ପୂଜକ ଜଣକ କିଛିଦିନ ତଳେ କୁଳନ୍ଦିର ଗାଁର ଅର୍ଜୁନ ମହାନ୍ତିଙ୍କ ଘରୁ ମହାଦେବ ବାହାରିବେ କହି ପୂଜାପାଠ କରି ବେକେ ପର୍ଯ୍ୟନ୍ତ ମାଟି ଖୋଳାଇ ପଇସାପତ୍ର ନେଇ ଫେରାର୍‌ ହୋଇଥିଲେ । ମାଟିରୁ ମହାଦେବ ବାହାରିବେ ଆଶା କରି ଅର୍ଥ ବ୍ୟୟ କରିଥିବା ଅର୍ଜୁନ ମହାନ୍ତି ଲୋକହସା ହୋଇ ରହିଥିଲେ ।

 

ବର୍ତ୍ତମାନ ଆମେ ପ୍ରଜ୍ଞା ପାଖକୁ ଫେରିଯିବା । ଏ ଝିଅଟି ଏବେ ଯିବ କୁଆଡ଼େ ? ପୁରାଣର ସାବିତ୍ରୀ ସତ୍ୟବାନକୁ ବଞ୍ଚେଇବାର ବ୍ୟବସ୍ଥା କରିଥିଲେ, ମାତ୍ର ବାସ୍ତବ ଜୀବନର ସତ୍ୟବାନ ପରମାନନ୍ଦ ନିଜ ସ୍ତ୍ରୀକୁ ସାବିତ୍ରୀ ଅମାବାସ୍ୟାରେ ପୋଡ଼ି ମାରିବାକୁ ଯୋଜନା କରି ସୁଦ୍ଧା ଆରାମରେ ବୁଲୁଛି । ପୁଲିସ କୁଆଡ଼େ ତାକୁ ପାଉନାହିଁ । ନିଜ ସ୍ତ୍ରୀର ଦାୟିତ୍ୱ ନେବା ତାର କର୍ତ୍ତବ୍ୟ-। ମାତ୍ର ସେ ଯୁକ୍ତି କରିଛି, ଭାଇ ଯେତେବେଳେ ସ୍ତ୍ରୀ ସହ ସଂପର୍କ ରଖି ସାରିଲେଣି ତେଣୁ ତା ସ୍ତ୍ରୀ ଏବେ ତା’ର ଭାଉଜ । ଏମିତିକା କାହାଣୀ ସିନେମା କାହାଣୀକୁ ବି ଟପିଗଲା । ସ୍ୱାମୀ ପରମାନନ୍ଦ ପ୍ରଜ୍ଞା ଉପରେ ବାଂଝ ଅପବାଦ ଲଦି ରେଖାକୁ ବାହାହେବାର ରାସ୍ତା ଖୋଜି ନେଇଛି । ଅଥଚ ପିଲାପିଲି ନହେବାର ବଡ଼ କାରଣ ଯେ ସ୍ୱୟଂ ସିଏ ନିଜେ ହୋଇପାରେ, ଏକଥା ବୁଝିବା ଲାଗି ସେ ଡାକ୍ତର ପାଖକୁ ଯାଇନାହିଁ । କାରଣ ସେଥିରେ ତା’ର ଦିଇଟା କ୍ଷତି ହୋଇଥାଆନ୍ତା । ଦ୍ୱିତୀୟକୁ ବାହା ହେବାର ସୁଯୋଗ ହାତଛଡ଼ା ହୋଇଥାଆନ୍ତା ଓ ସବୁଠୁ ବଡ଼କଥା ନିଜର ‘ପୁରୁଷ ପଣିଆ’ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଥାଆନ୍ତା । ଖୁଡ଼ୀ ଉପରେ ବଳାତ୍କାର ଉଦ୍ୟମ କରିଥିବା ପୁତୁରା ମଧ୍ୟ ଫେରାର୍‌ ଅଛି ବୋଲି ପୁଲିସ୍‌ କହୁଛି । ଗ୍ରାମବାସୀଙ୍କ ଅଭିଯୋଗ, ସେ ଯୁବକ ପାଖ ବ୍ୟାଙ୍କ୍‌କୁ ଷ୍ଟଡି ଲୋନ୍‌ ନେବାକୁ ଆସିଥିଲା, ଆମେ ତାହା ପୁଲିସ୍‌କୁ ଜଣାଇଲେ ମଧ୍ୟ ପୁଲିସ୍‌ ଆସି ତାକୁ ଧରିଲା ନାହିଁ । ଅତ୍ୟାଚାରୀ ଦେଢ଼ଶୂର, ଯାଆ ଓ ପଞ୍ଚାୟତ ସେକ୍ରେଟେରୀଙ୍କ ପାଖରେ ଟଙ୍କା ଅଛି, ସେମାନେ କୋର୍ଟ କଚେରିରେ ଲଢ଼ିବେ । ପ୍ରଜ୍ଞା ଦରିଦ୍ର ଭାଇଟି ପାଖରୁ କଷ୍ଟେମଷ୍ଟେ ଦି’ବେଳା ଖାଦ୍ୟ ଯୋଗାଡ଼ କରୁଛି, ତା ତରଫରୁ କଚେରି ଓ ପୁଲିସ୍‌ ପାଇଁ ପୁଣି ପଇସା ଖର୍ଚ କରିବ କିଏ ଓ କାହିଁକି ?

 

ଏହି ଖବରକାଗଜର ସ୍ଥାନୀୟ ପ୍ରତିନିଧି ଯାଇ ପ୍ରଜ୍ଞାକୁ ତା ଭାଇ ଘରେ ଭେଟିଥିଲେ । କଙ୍କାଳ ପରି ଦିଶୁଥିବା ପ୍ରଜ୍ଞା କହିଥିଲା, ମନ୍ଦିରକୁ ନୂଆ ପୂଜକ ଆସିବେ । ଗ୍ରାମବାସୀ ନ୍ୟାୟ ପାଇବେ । ମାତ୍ର ମୋର ତ ସବୁ ସରିଯାଇଛି । ମୋତେ କିଏ ନ୍ୟାୟ ଦେବ ? ମୋ ପାଇଁ କିଏ ବାହାରିବ ?

 

ପ୍ରଜ୍ଞା ଏବେ ସିମୁଳିଆ ଅଞ୍ଚଳର ଗୋଟେ କାହାଣୀ ପାଲଟି ଯାଇଛି । ତା ସମ୍ପର୍କରେ ଶ୍ଳୀଳ-ଅଶ୍ଳୀଳ ଚର୍ଚ୍ଚା କରି ଲୋକେ ଅବସର ସମୟ ବିତଉଛନ୍ତି । କାରଣ ଲୋକ କାହାଣୀ ଶୁଣିବାକୁ ସୁଖ ପାଆନ୍ତି, ମାତ୍ର କାହାଣୀ ପାଲଟିଥିବା ମଣିଷର ଦୁଃଖ କେହି ବୁଝନ୍ତି ନାହିଁ ।

 

ସମ୍ବାଦ, ୨୫ ନଭେମ୍ବର, ୨୦୦୮

Image

 

ରାଜକ୍ଷମା କାହିଁକି

 

ଫାଶୀ ଅପେକ୍ଷାରେ ବ୍ରହ୍ମପୁର ଜେଲ୍‌ରେ ଥିବା ହତ୍ୟାକାରୀ ଦୟାନିଧି ବିଶୋଇକୁ ରାଜ୍ୟପାଳ ରାଜକ୍ଷମା ପ୍ରଦାନ କରିଛନ୍ତି । ଏହା ଫଳରେ ଆସନ୍ତା ୨୩ ତାରିଖରେ ଫାଶୀ ପାଇବାକୁ ଯାଉଥିବା ଦୟାନିଧି ପୁନର୍ଜୀବନ ଲାଭ କରିଛି । ସେ ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ଭୋଗିବ । ଭାରତୀୟ ବିଚାରଧାରାରେ ଅନୁତାପକୁ ସବୁଠୁଁ ବଡ଼ ଶାସ୍ତି ବୋଲି କୁହାଯାଇଛି ଏବଂ ରାଜ୍ୟପାଳଙ୍କ ରାଜକ୍ଷମା ସେହି ବିଚାର ଉପରେ ଆଧାରିତ । ଗତ କିଛି ଦିନ ହେଲା ଖବରକାଗଜମାନଙ୍କରେ ହତ୍ୟାକାରୀ ଦୟାନିଧି ସପକ୍ଷରେ ଏକ ଅନୁକଂପାମୂଳକ ବାତାବରଣ ସୃଷ୍ଟି କରିବା ପରି ରିପୋର୍ଟମାନ ପ୍ରକାଶ ପାଇ ଆସୁଥିଲା । ତାହାର ପ୍ରଭାବ ରାଜ୍ୟପାଳଙ୍କ ଉପରେ ପଡ଼ିଥିବା କଥାକୁ ଏଡ଼େଇ ଯାଇହେବ ନାହିଁ ।

 

ଜଣେ ମଣିଷ ଚାହିଲେ ଗୋଟାଏ ମୁହୂର୍ତ୍ତରେ ତିନିଟି ଅମୂଲ୍ୟ ଜୀବନ ନେଇ ପାରିବ, ମାତ୍ର ତିନି ଜନ୍ମ ଚେଷ୍ଟାକଲେ ମଧ୍ୟ ଗୋଟିଏ ମୃତ ଲୋକକୁ ପୁଣି ଜୀବନ ଫେରେଇ ପାରିବ ନାହିଁ । ଏ କଥାକୁ ପୃଥିବୀର ସବୁ ଧର୍ମର ଧର୍ମଗୁରୁ, ସେ ଯୀଶୁ ହୁଅନ୍ତୁ କି ଗୌତମବୁଦ୍ଧ, ସମସ୍ତେ ସ୍ୱୀକାର କରିଆସିଛନ୍ତି । ପ୍ରସଙ୍ଗର ଏହି ପ୍ରକାର ସ୍ପର୍ଶକାତରତା ଯୋଗୁଁ ଅନେକ ଦୟାନିଧିର ରାଜକ୍ଷମା ଉପରେ ମନ୍ତବ୍ୟ ଦେବାକୁ ଚାହିବେ ନାହିଁ । ମାତ୍ର ଏ କଥା ସତ ଯେ ଏଇ ରାଜକ୍ଷମା ଘଟନାଟି ପୁଣିଥରେ ରାଷ୍ଟ୍ରପତି ବା ରାଜ୍ୟପାଳଙ୍କ ହାତରେ ନ୍ୟସ୍ତଥିବା ଅଖଣ୍ଡକ୍ଷମତାର ଯୌକ୍ତିକତା ଉପରେ ପ୍ରଶ୍ନଚିହ୍ନ ଉଠାଇଛି ।

 

ଦୟାନିଧିର ଅପରାଧ ପ୍ରସଙ୍ଗକୁ ଯିବା । ୧୯୯୮ ମସିହାରେ ସେ ନିଜର ସଂପର୍କୀୟ ଅନିରୁଦ୍ଧ ବିଶୋଇ, ତାଙ୍କର ସ୍ତ୍ରୀ ଓ ତିନିବର୍ଷର ଦୁଧଖିଆ ଛୁଆକୁ ଜୟପୁର ଇରିଗେସନ କଲୋନିରେ ହତ୍ୟା କରିଥିଲା । ବନ୍ଧୁର ପରିଚୟ ଢାଙ୍କିହୋଇ ସେ ଯେଉଁ ନୃଶଂସ ଓ ଅମାନୁଷିକ ଆଚରଣ ଦେଖାଇଥିଲା, ତାହାକୁ ନିନ୍ଦା କରିବାଲାଗି ଭାଷା ନାହିଁ । ଚାହୁଁ ଚାହୁଁ ଗୋଟାଏ ପରିବାର ମୂଳପୋଛ ହୋଇଗଲା । ଆଜି ଅନିରୁଦ୍ଧ ବିଶୋଇ ବା ତାଙ୍କର ପତ୍ନୀଙ୍କ ଭିତରୁ କେହି ଜଣେ ବଞ୍ଚିଥିଲେ, ଅନ୍ୟ ଦି’ ଜଣଙ୍କୁ ହତ୍ୟା କରିଥିବା ଦୟାନିଧି ବିଶୋଇର ରାଜକ୍ଷମା ପାଇବା ଘଟନାରେ କି ପ୍ରତିକ୍ରିୟା ପ୍ରକାଶ କରିଥାଆନ୍ତେ ତାହା ଅବଶ୍ୟ ବିଚାରଣୀୟ ।

 

ଭାରତ ସମ୍ବିଧାନର ଧାରା ୭୨ ଅନୁସାରେ ରାଷ୍ଟ୍ରପତିଙ୍କୁ କେତେକ ନ୍ୟାୟିକ କ୍ଷମତା ପ୍ରଦାନ କରାଯାଇଅଛି । ଯେଉଁ କ୍ଷେତ୍ରରେ ଦଣ୍ଡ ବା ଦଣ୍ଡାଦେଶ ସାମରିକ ଅଦାଲତ ଦ୍ୱାରା ପ୍ରଦତ୍ତ ହୋଇଥିବ ବା ଯେଉଁ ସ୍ଥଳରେ କେନ୍ଦ୍ର ସରକାର ଅଧିକାରଭୁକ୍ତ ବିଷୟ ସଂପର୍କୀୟ ଆଇନ ଭଙ୍ଗ ଲାଗି ଦଣ୍ଡାଦେଶ ପ୍ରଦତ୍ତ ହୋଇଥିବ ଏବଂ ଯେଉଁଠି ମୃତ୍ୟୁ ଦଣ୍ଡ ଦିଆଯାଇଥିବ, ସେହି କ୍ଷେତ୍ରରେ ରାଷ୍ଟ୍ରପତି ଏହି କ୍ଷମତା ପ୍ରୟୋଗ କରିପାରିବେ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି । ଏହି ଅପରାଧ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଥିଲେ, ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥା’ନ୍ତି । ଦୟାନିଧି କ୍ଷେତ୍ରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ରାଜକ୍ଷମା ପାଇଁ ସୁପାରିଶ କରିଥିବେ । ମାତ୍ର ଆକ୍ଷରିକ ଦୃଷ୍ଟିରୁ ହେଲେ ମଧ୍ୟ ଆଇନର ଉଦ୍ଦେଶ୍ୟ ଠିକ୍‌ ଭାବେ ଦୟାନିଧି କ୍ଷେତ୍ରରେ ବ୍ୟବହାର ହୋଇ ନାହିଁ ବୋଲି ଏହି ଲେଖକର ମତ ।

 

ଦୟାନିଧିର ଏଇ ରାଜକ୍ଷମା ପ୍ରସଙ୍ଗ ତଳକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯେଉଁ ବିଚାରପତିମାନେ ନିଜର ଆବେଗ ଓ ଭାବପ୍ରବଣତା ଉପରେ ପଥରଢାଙ୍କି ଆଇନ, ଯୁକ୍ତି ଓ ବିଚାରବ୍ୟବସ୍ଥାର ନଜିର ଦେଇ ସେମାନଙ୍କର ରାୟ ଶୁଣାଇଥିଲେ, ସେମାନଙ୍କୁ କିଭଳି ଲାଗିଥିବ ? ଯଦି ରାଷ୍ଟ୍ରପତି ବା ରାଜ୍ୟପାଳ ଏକମାତ୍ର ବିବେକବାନ୍‌ ଓ ଦୟାଶୀଳ ବ୍ୟକ୍ତି, ତାହାହେଲେ ସେହି ବିଚାରପତିମାନେ କ’ଣ ସବୁ ନିର୍ଦୟ ମଣିଷ ଥିଲେ ? ମୃତ ଅନିରୁଦ୍ଧ ଓ ତାଙ୍କର ପରିବାର ତରଫରୁ କେଶ୍‌ ଲଢ଼ିଥିବା ଓକିଲମାନେ କ’ଣ ସବୁ ପଥର ସିମେଣ୍ଟର ମୂର୍ତ୍ତି ଥିଲେ ? ସେମାନଙ୍କ ଭିତରେ ଦୟା ବା ଅନୁକମ୍ପା କିଛି ନ ଥିଲା ? ଭାରତର ବିଚାର ବ୍ୟବସ୍ଥାର ଚୂଡ଼ାନ୍ତ ରାୟକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପରି ଜଣେ ବୟସ୍କ ଲୋକ (ଏ ପଦବୀରେ ବୟସ୍କମାନେ ନିଯୁକ୍ତ ହୁଅନ୍ତି) ଓଲଟପାଲଟ କରିଦେବା ଦ୍ୱାରା ସମାଜ କି ସଙ୍କେତ ପାଉଅଛି ? ରାଜକ୍ଷମା ନିଷ୍ପତ୍ତିଟି ଦୟାନିଧି ପରି ଘୃଣ୍ୟ ଅପରାଧ କରିଥିବା ଅପରାଧୀମାନଙ୍କୁ ଅପରାଧ ଲାଗି ଉତ୍ସାହ ଦେବ ନା ନାହିଁ ତାହା ମଧ୍ୟ ବିଚାରର ଅପେକ୍ଷା ରଖେ । ଶାସ୍ତିର ଉଦ୍ଦେଶ୍ୟ କ’ଣ ? କେବଳ ଦୋଷୀକୁ ଦଣ୍ଡଦେବା ନା ତା’ ସାଙ୍ଗରେ ଅନୁରୂପ ଅପରାଧକୁ ନିରୁତ୍ସାହିତ କରିବା ଓ ଅପରାଧୀଙ୍କ ମନରେ ଆତଙ୍କ ଓ ଭୟ ସୃଷ୍ଟି କରିବା ? ଆମ ବିଚାରରେ ଅପରାଧ ଲାଗି କଠୋର ଶାସ୍ତିର ବ୍ୟବସ୍ଥା ରହିବା ଦରକାର, ଯାହା ଫଳରେ ଏଭଳି ଅପରାଧ କରିବା ପୂର୍ବରୁ ଅପରାଧୀ ଦି’ ଥର ଭାବିବ । ମାତ୍ର ଦୟାନିଧି କ୍ଷେତ୍ରରେ ତାହା ହେଲା ନାହିଁ । ଆଜୀବନ କାରାଦଣ୍ଡର ଅବଧି ୧୪ ବର୍ଷ ଓ ଚାରିବର୍ଷ ବିତି ଯାଇଥିବାରୁ ସେ ହୁଏତ ଆଉ କିଛି ବର୍ଷ ପରେ ମୁକୁଳିଯାଇପାରେ । ତା’ର ଏହି ନିଷ୍କୃତି ଅନୁରୂପ ଅପରାଧ ଘଟଉଥିବା ଅପରାଧୀଙ୍କୁ ମାନସିକ ମଦତ୍‌ ଦେବ ନା ନାହିଁ ?

 

ଦୟାନିଧିର ରାଜକ୍ଷମା ପ୍ରସଙ୍ଗ ଆହୁରି କେତେକ ପ୍ରଶ୍ନ ଉତ୍‌ଥାପନ କରିଛି । ଦୟାନିଧି ପୂର୍ବରୁ ଅନ୍ୟଯେଉଁମାନେ ଏ ପ୍ରକାର ଚରମଦଣ୍ଡ ଭୋଗ କରିଛନ୍ତି ସେମାନେ ସରକାରଙ୍କର ଏ ପ୍ରକାର ଅନୁକମ୍ପା ଲାଭକଲେ ନାହିଁ କାହିଁକି ? କିଛି ବର୍ଷ ତଳେ ୧୯୯୭ରେ ବ୍ରହ୍ମପୁର ଜେଲ୍‌ରେ ଅପରାଧୀ ଲକ୍ଷ୍ମଣ ନାୟକ ଫାଶୀ ପାଇଥିଲା । ତାକୁ କାହିଁକି ରାଜକ୍ଷମା ମିଳିଲା ନାହିଁ ? କୁହାଯାଏ ବିଚାର ଓ ଆଇନ ଦୃଷ୍ଟିରେ ସମସ୍ତେ ସମାନ । ମାତ୍ର ଏ କ୍ଷେତ୍ରରେ ଲକ୍ଷ୍ମଣ ନାୟକ ଓ ଦୟାନିଧି ବିଶୋଇ ତ ଶାସନକ୍ଷମତାର ସମାନ ବିଚାର ପାଇପାରିଲେ ନାହିଁ ? ଯଦି ପାଠକମାନଙ୍କର ମନେଥିବ ଲକ୍ଷ୍ମଣ ନାୟକ ତା’ର ଅପରାଧଲାଗି କମ୍‌ ପଶ୍ଚାତାପ କରି ନଥିଲା । ଫାଶୀ ପାଇବା ଆଗରୁ ସେ ପ୍ରାୟ ଗୋଟେ ଜୀବନ୍ତ କଙ୍କାଳ ପାଲଟି ଯାଇଥିଲା । ମାତ୍ର ନ୍ୟାୟାଳୟରେ ବିଚାର ଆବେଗର ଚାପରେ ହୁଏ ନାହିଁ । ସେପରି ହେଲେ ବିଚାରପତି ଓ ଧର୍ମଗୁରୁମାନଙ୍କ ଭିତରେ ଫରକ ରହିବ ନାହିଁ । ପାଠକମାନେ କେହି ଭାବିବା ଉଚିତ ନୁହେଁ ଯେ ଏଇ ଲେଖକର ଦୟାନିଧି ଉପରେ କୌଣସି ଆକ୍ରୋଶ ରହିଛି । ଦୟାନିଧି ଏଇ ଲେଖକର ସେତିକି ଅପରିଚିତ ଯେମିତି ଅପରିଚିତ ଥିଲେ ଅନିରୁଦ୍ଧ ବିଶୋଇ ଓ ତା’ର ପରିବାର । କିନ୍ତୁ ଦୟାନିଧି ବିଶୋଇ ୧୯୯୮ରେ ମାନବିକତାର ହତ୍ୟା କରିଥିଲା, ଯାହା ପାଇଁ ଭାରତୀୟ ବିଚାରବ୍ୟବସ୍ଥା ତା’ର ରାୟ ଶୁଣାଇଥିଲା । ମାତ୍ର ରାଜ୍ୟପାଳଙ୍କ ରାଜକ୍ଷମା ଭାରତୀୟ ବିଚାର ବ୍ୟବସ୍ଥାର ରାୟକୁ ବଦଳେଇ ଦେଇଛି । ଏ ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ମନ୍ତବ୍ୟ ଦେବା, ସମ୍ଭବତଃ ପ୍ରଚଳିତ ବ୍ୟବସ୍ଥାରେ ନାହିଁ-। ବର୍ତ୍ତମାନ ସମୟ ଆସିଛି, ଯେତେବେଳେ ଏ ପ୍ରକାର ରାଜକ୍ଷମା ଅଧିକାର କୌଣସି ବ୍ୟକ୍ତି ହାତରେ ରହିବା ଉଚିତ କି ନୁହେଁ ତା’ର ବିଚାର ହେବା ଦରକାର । କୁହାଯାଇପାରେ, ଦୟାନିଧି ଖୁବ୍‌ ଅନୁତାପ କରୁଥିଲା, ସେଇ ଘଟନା ପାଇଁ ପଶ୍ଚାତାପ କରିଥିଲା । କିନ୍ତୁ ତା ଆଗରୁ ଏ ଦେଶର ଭିନ୍ନ ଭିନ୍ନ ହତ୍ୟାକାଣ୍ଡ ଘଟାଇଥିବା ଅପରାଧୀଙ୍କ ମଧ୍ୟରୁ ଅଧିକାଂଶ ହତ୍ୟା କରିବାର କିଛି ମାସ ପରେ ନିଜର କୁକର୍ମ ଲାଗି ପଶ୍ଚାତାପ କରିଥିଲେ, ଅନୁତାପ କରିଥିଲେ । ମାତ୍ର ସେମାନେ ରାଜକ୍ଷମା ପାଇ ନଥିଲେ ।

 

ବର୍ତ୍ତମାନ ଜେଲ୍‌ ସଂସ୍କାର ନାଁରେ ଓଡ଼ିଶାରେ ଅନେକ ଉଦ୍ଭଟ କାର୍ଯ୍ୟ ହେଉଛି । ଶାସ୍ତି ଭୋଗୁଥିବା କଏଦୀମାନଙ୍କୁ ବୁଲିବା ଲାଗି ସୁଯୋଗ ଦିଆଯାଉଛି ଓ ସେମାନେ ଆଉ ଜେଲ୍‌କୁ ଫେରୁନାହାନ୍ତି । ପୁଲିସ ବିଭାଗର କେତେକ କର୍ତ୍ତବ୍ୟନିଷ୍ଠ ଅଫିସର ଏ ଧରଣର ଘଟନାରେ ଉଦ୍‌ବେଗ ପ୍ରକାଶ କରିବା ସ୍ୱାଭାବିକ । ଯେଉଁ ପୁଲିସ ନିଜର ଜୀବନକୁ ବିପନ୍ନ କରି ଅପରାଧୀକୁ ଧରୁଛନ୍ତି, ଜେଲ୍‌ ଅଫିସରଙ୍କ ଦୟା କିମ୍ବା ଅବହେଳା ଯୋଗୁଁ ସେଭଳି ଅପରାଧୀ ଖସି ପଳଉଥିବା ଘଟନାରେ ସେମାନେ କି ପ୍ରକାର ମାନସିକ ଯନ୍ତ୍ରଣା ପାଉଥିବେ, ତାହା ସହଜେ ଅନୁମେୟ । ସେମାନେ କାହିଁକି ତାହାହେଲେ ଅପରାଧୀକୁ ଧରୁଥିଲେ ? ଛୁଟି କାଟିବାକୁ ଯାଇଥିବା ଅପରାଧୀଙ୍କ ଭିତରୁ କେତେକ ବାହାରକୁ ଯାଇ ପୁଣି ନୂଆ ଅପରାଧ ଘଟାଉଛନ୍ତି । ଏଥିପାଇଁ ଦାୟୀ କିଏ ?

 

ଭାରତର ବିଚାରବ୍ୟବସ୍ଥା ଏଭଳି ଯେ ଏଠି କେଶ୍‌ଟିଏ ଫଇସଲା ହେବା ଲାଗି ବର୍ଷବର୍ଷ ଲାଗିଥାଏ । ଅଧିକାଂଶ କ୍ଷେତ୍ରରେ ସାକ୍ଷ୍ୟପ୍ରମାଣ ଅଭାବରୁ ଖୁନୀ ଆସାମୀ ସୁଦ୍ଧା ଖସିଯିବା କଥା ଦେଖିବାକୁ ମିଳିଥାଏ । ଏପରି ଘଟନାକୁ ଦେଖି ବହୁ ବିଚାରପତି ଅତୀତରେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏଭଳି କାହିଁକି ଘଟୁଛି, ଏହା ପଛରେ କି ପ୍ରକାର ବିଷଚକ୍ର କାମ କରୁଛି, ତାହା ଏକ ଭିନ୍ନ ପ୍ରସଙ୍ଗ । ମାତ୍ର ଯେଉଁ ମୋକଦ୍ଦମା ନେଇ ତଳ କୋର୍ଟଠାରୁ ସର୍ବୋଚ୍ଚ କୋର୍ଟ ପର୍ଯ୍ୟନ୍ତ ସବୁ ବିଚାରପତିଙ୍କର ଗୋଟିଏ ରାୟ, ତାହାକୁ ଗୋଟିଏ କଲମଗାରରେ, ମୋକଦ୍ଦମାର ଘଟନାକ୍ରମ ସହ ଅସମ୍ପୃକ୍ତ ଜଣେ ବ୍ୟକ୍ତି ବଦଳେଇଦେବା ଗ୍ରହଣଯୋଗ୍ୟ ହୋଇ ନ ପାରେ ।

 

ଦୟାନିଧିର ଜୀବନ ଫେରିପାଇବା ଘଟନାକୁ ନେଇ କୌଣସି ଭାରତୀୟ ପ୍ରଶ୍ନ ଉଠେଇବେ ନାହିଁ । କାରଣ ସେମାନେ ଜାଣନ୍ତି, କାହାକୁ ଜୀବନ ଫେରେଇବା ତାଙ୍କର ସାଧ୍ୟାତୀତ ହୋଇଥିବାରୁ ରାଜ୍ୟପାଳଙ୍କ ଦୟା ଯୋଗେ ବଞ୍ଚି ଯାଇଥିବା ଦୟାନିଧି ମାମଲାର ବିରୋଧ କରି ସେମାନେ କାହିଁକି ଗୋଟିଏ ଜୀବନର କ୍ଷତି କରିବେ ? ମାତ୍ର ଏହାର ଅର୍ଥ ନୁହେଁ ଯେ ସେଇ ନିରବ ଗୋଷ୍ଠୀଟି ରାଜକ୍ଷମା ବ୍ୟବସ୍ଥାକୁ ଗ୍ରହଣ କରୁଛି ବା ଦୟାନିଧିର ଅକ୍ଷମଣୀୟ ଅପରାଧକୁ କ୍ଷମା କରିଦେଇଛି । ପ୍ରସଙ୍ଗର ଏ ପ୍ରକାର ସ୍ପର୍ଶକାତରତା, ରାଜ୍ୟପାଳଙ୍କୁ ତାଙ୍କର କ୍ଷମତା ପ୍ରୟୋଗ ପୂର୍ବରୁ ସଚେତନ କରିଦେବା ଆବଶ୍ୟକ । ଅପରାଧୀର ବିଚାର କରିବା କ୍ଷମତା କେବଳ ବିଚାର ବ୍ୟବସ୍ଥା ଉପରେ ନ୍ୟସ୍ତ ରହୁ, ଲୋକପ୍ରିୟତା ଅର୍ଜନ ଲାଗି ଉଦ୍ୟମରତ ସରକାରୀ କଳ କି ଅନ୍ୟ କୌଣସି ପଦବୀ ହାତରେ ନୁହେଁ ।

ସମ୍ବାଦ, ୨୧ ଅଗଷ୍ଟ, ୨୦୦୩

Image

 

ଯଥେଷ୍ଟ ହେଲାଣି

 

ଗତ ୩ ଜୁଲାଇ ୨୦୦୩ ଦିନ ସରକାର ୫୪ତମ ବନମହୋତ୍ସବ ପାଳିଲେ । ସରକାର ପାଳିଲେ ବୋଲି ଏ ଲେଖକ କହୁଛି, କାରଣ ଏ ପ୍ରକାର କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସାମିଲ କରାଯାଉ ନାହିଁ କିମ୍ବା ସେମାନେ ମଧ୍ୟ ଆଗ୍ରହ ଦେଖାଉନାହାନ୍ତି । ପ୍ରତିବର୍ଷ ଜୁଲାଇ ମାସ ଆସିଲେ ସରକାରଙ୍କର ଗଛ ଲଗେଇବା କଥା ମନେପଡ଼େ, ଅଗଷ୍ଟ ବେଳକୁ ସେ ସଂକ୍ରାନ୍ତ ଫାଇଲମାନ ଟେବୁଲ ଉପରୁ ଉଭାନ୍‌ ହେଲାପରି ଲଗାଯାଇଥିବା ଗଛମାନ ବି ମାଟିରୁ ଉଭାନ ହୋଇଯାଆନ୍ତି । ବନମହୋତ୍ସବ ଯୋଜନାର ବିଫଳତା କ୍ଷେତ୍ରରେ ଆଉ ଏକ ବଡ଼ କାରଣ ହେଲା, ଏଥିରେ ଖର୍ଚ ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ହିସାବ ଲୋକେ ଜାଣନ୍ତି ନାହିଁ । ଏହା ପଛରେ ମଞ୍ଜି, ଚାରା, ତାରଜାଲି ଓ ବାଉଁଶ କିଣା କାରବାରରେ ଯେଉଁ ବଡ଼ ଧରଣର ଦୁର୍ନୀତି ହୁଏ ସେ କଥା ଖବରକାଗଜ ପଢୁଥିବା ସାଧାରଣ ଲୋକେ ଜାଣନ୍ତି । ତେଣୁ ଚିରାଚରିତ ରୀତିରେ ସରକାର ଗଛ ଲଗଉଛନ୍ତି, ଉତ୍ସବ ପାଳୁଛନ୍ତି । ଲୋକେ ଏ ଉତ୍ସବରୁ ଆଗ୍ରହ ହରେଇଲେଣି । ତେବେ ଏଭଳି ସରକାରୀ କାମରେ ସାନ ସାନ ପିଲାମାନଙ୍କୁ ବିନା କାରଣରେ କାହିଁକି ଗୋତିଶ୍ରମିକ ପରି ବ୍ୟବହାର କରାଯାଉଛି ତାହା ବୁଝି ହେଉନାହିଁ ।

 

ସରକାରୀ ଉତ୍ସବ ହେଉ ବା କୌଣସି ମହାମହିମ ଅତିଥିଙ୍କ ଆଗମନ ହେଉ କି ସଭାସମିତି ହେଉ, ସବୁଠାରେ ସାନ ସାନ ପିଲାମାନଙ୍କୁ କାହିଁକି ଶ୍ରୋତା-ଦେଖଣାହାରୀ ରୂପେ ବ୍ୟବହାର କରାଯାଉଛି ତାହା ବୁଝିବା କଷ୍ଟ । କଥାଟିକୁ ସ୍ପଷ୍ଟ କରିବା ପାଇଁ ଗତ ତିନି ତାରିଖର ଘଟନାଟି ବିଷୟରେ କୁହେ । ସେଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ହତାରେ ଗଛ ଲଗେଇବାର ଥିଲା । ବନ ମହୋତ୍ସବ ଯୋଜନାର ଇଏ ଥିଲା ଏକ ଅଂଶବିଶେଷ । ମୁଖ୍ୟମନ୍ତ୍ରୀଙ୍କର ପହଞ୍ଚିବାର ନିର୍ଧାରିତ ସମୟ ଥିଲା ସକାଳ ସାଢ଼େ ଦଶଟା । ସେଥିପାଇଁ ଶହ ଶହ ପିଲା ସକାଳ ସାଢ଼େ ଆଠଟାରୁ ଆସି ଅପେକ୍ଷା କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ଆସି ସ୍କୁଲରେ ପହଞ୍ଚିଲେ ! କେଉଁ ବିଶେଷ କାରଣରୁ ମୁଖ୍ୟମନ୍ତ୍ରୀଙ୍କର ଏଭଳି ବିଳମ୍ବ ହେଲା ଆମେ ଜାଣିନାହୁଁ । ମାତ୍ର ମୁଖ୍ୟମନ୍ତ୍ରୀ ତା’ର ଜବାବ ଦେବା ଉଚିତ । ତାଙ୍କ ପାଖେ ଗାଡ଼ିମଟର, ଥାଟପାଟ ଓ ସହକାରୀଙ୍କର ଅଭାବ ନାହିଁ । ତାଙ୍କ ଗାଡ଼ି ରାସ୍ତାକୁ ଓହ୍ଲେଇଲେ ଆଗପଛରେ ପାଇଲଟ୍‌ ଗାଡ଼ି ସାଇରନ୍‌ ବଜେଇ ବାଟଚଲା ଲୋକଙ୍କୁ ଗୋରୁ ଗାଈ ହୁରୁଡ଼େଇଲା ପରି ହୁରୁଡ଼େଇ ଦେଉଛି । ତା’ ସତ୍ତ୍ୱେ ସଚିବାଳୟରୁ କ୍ୟାପିଟାଲ ହାଇସ୍କୁଲରେ ପହଞ୍ଚିବା ପାଇଁ ଘଣ୍ଟାଏ ବିଳମ୍ବ ହେଲା । ମୁଖ୍ୟମନ୍ତ୍ରୀଙ୍କ ପିତା ବିଜୁ ପଟ୍ଟନାୟକ ନିଜର ସମୟାନୁବର୍ତିତା ପାଇଁ ଭାରତ ପ୍ରସିଦ୍ଧ ଥିଲେ । ତାଙ୍କରି ଆଦର୍ଶ ପ୍ରଚାର କରିବା କଥା ସବୁଦିନ ଦୋହରଉଥିବା ମୁଖ୍ୟମନ୍ତ୍ରୀ ନିଜ ଆଚରଣରେ ବାପାଙ୍କ ଆଦର୍ଶର ଗଳା ଟିପୁଛନ୍ତି କାହିଁକି ?

 

କ୍ୟାପିଟାଲ ହାଇସ୍କୁଲରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରୁଥିବା ପିଲାଏ ଭୋକ ବିକଳରେ ଘରକୁ ଫେରିଯିବାକୁ ଚାହିଁଲେ । ମାତ୍ର ଶିକ୍ଷକମାନେ ସେମାନଙ୍କୁ ଛାଡ଼ିଲେ ନାହିଁ । କାହାକୁ ମାଡ଼ ଦିଆଗଲା, କାହାକୁ ଧମକ । ଶେଷକୁ ବାପା-ମାଆମାନେ ହସ୍ତକ୍ଷେପ କରିବା ପରେ ସେମାନଙ୍କୁ ଏଗାରଟା ପନ୍ଦର ବେଳକୁ ଯିବା ପାଇଁ ଅନୁମତି ମିଳିଲା । ସାନ ସାନ ପିଲାଏ, ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗଛ ଲଗାଯାଉଥିବାର ‘ବିରଳ’ ଦୃଶ୍ୟ ଦେଖିଥାନ୍ତେ ସେମାନେ ସେଥିରୁ ବଞ୍ଚିତ ହେଲେ ।

 

ଓଡ଼ିଶାର ବିଭିନ୍ନ ସ୍ଥାନରେ ପିଲାମାନଙ୍କୁ ଏହିପରି ବ୍ୟବହାର କରାଯାଉଥିବାର ଦେଖାଯାଉଛି । କେଉଁଠି ଶ୍ରୋତା-ଦର୍ଶକ ଆସିବେ ନାହିଁ ଆଶଙ୍କା କରି ଆୟୋଜକ, ଅମଲା ଓ ନେତା ଛୁଆମାନଙ୍କୁ ‘ଆଗ୍ରହୀ ଶ୍ରୋତା’ ଭୂମିକାରେ ବ୍ୟବହାର କରୁଛନ୍ତି ତ କେଉଁଠି ସାନ ପିଲାମାନଙ୍କର କୁନି ଚେହେରା, ମିଠା ହସ ଓ ନରମ ବ୍ୟବହାରକୁ ଉପଯୋଗ କରିବା ପାଇଁ ଏବଂ ମିଛଟାରେ ଅତିଥି-ନେତାଙ୍କ ଲୋକପ୍ରିୟତାର ଢୋଲ ପିଟିବା ଲାଗି ଛୁଆମାନଙ୍କୁ ଘଣ୍ଟା ଘଣ୍ଟା ଧରି ଜାତୀୟପତାକା, ଫୁଲମାଳ, ଫୁଲତୋଡ଼ା ଧରେଇ ଛିଡ଼ା କରି ରଖାଯାଉଛି । ବଡ଼ ବଡ଼ ଲୋକଙ୍କ ‘ଚାଚା ନେହେରୁ’ ଭାବମୂର୍ତ୍ତି ତିଆରି ପ୍ରତିଯୋଗିତାରେ ଭୋକିଲା ପେଟ ଓ ଶୁଖିଲା ଓଠର ପିଲାଏ ଘଣ୍ଟା ଘଣ୍ଟା ଧରି ନିର୍ଯାତିତ ହେଉଛନ୍ତି ।

 

କିଛି ଦିନ ତଳେ ସାଲେପୁରର ଗୋଟିଏ ଉତ୍ସବକୁ ଏହି ଲେଖକ ଯାଇଥିଲା । ସେଠାରେ ଏହି ଉତ୍ସବ ସାଲେପୁର ହାଇସ୍କୁଲରେ ଆୟୋଜନ ହୋଇଥିଲା । ସ୍କୁଲର ପିଲାମାନଙ୍କୁ ହଲ୍‌ ଭିତରେ ବସାଯାଇଥିଲା । ଯେତେବେଳେ ସଭା ଆରମ୍ଭ ହେବା କଥା ହେଲାନାହିଁ, ଯଥେଷ୍ଟ ବିଳମ୍ବରେ ଆରମ୍ଭ ହେଲା । ପିଲାମାନେ ସ୍ୱଭାବରେ ଚଞ୍ଚଳ, ପୁଣି ଏପରି କାର୍ଯ୍ୟକ୍ରମ ପ୍ରତି ସେମାନଙ୍କର ଆଗ୍ରହ ନ ଥିବାରୁ ସେମାନେ ପାଟିତୁଣ୍ଡ କଲେ । ମୁଖ୍ୟ ଅତିଥି, ସଭାପତି ଓ ମୁଖ୍ୟବକ୍ତା ସମସ୍ତେ ଆୟୋଜକଙ୍କୁ ଅନୁରୋଧ କଲେ, ପିଲାମାନଙ୍କୁ ଛାଡ଼ି ଦିଆଯାଉ, ସେମାନେ ତାଙ୍କ ରାସ୍ତାରେ ଯାଆନ୍ତୁ । ଏମିତି ଜୋର୍‌ ଜବରଦସ୍ତି ବସେଇ କାହାକୁ ପ୍ରବଚନ ଦିଆଯାଏ ନାହିଁ । ମାତ୍ର ଆୟୋଜକମାନଙ୍କର ମତ, ପାଟତୁଣ୍ଡ କରୁଥାନ୍ତୁ ପଛକେ ପିଲାଏ ବସିଥାଆନ୍ତୁ, ତାହାହେଲେ ଟି.ଭି. ଚିତ୍ରରେ ଜନସମାଗମର ଉତ୍ସାହଜନକ ଦୃଶ୍ୟ ଦିଶିବ ! ନିଜର ପ୍ରଚାର ପାଇଁ ଶହ ଶହ ପିଲାଙ୍କର ସ୍ୱାଧୀନତା ଓ ଆତ୍ମମର୍ଯ୍ୟାଦା କ୍ଷୁଣ୍ଣ ହେଲେ କିଛି ଯାଏ ଆସେ ନାହିଁ ।

 

ଏଭଳି କାହିଁକି ହେଉଛି ? ଆମେ ଗୋଟିଏ ପଟେ ଶୈଶବର ସ୍ୱାଧୀନତା, ପିଲାଙ୍କର ଅଧିକାର ପ୍ରସଙ୍ଗ ଉପରେ କର୍ମଶାଳା ଓ ଆଲୋଚନାଚକ୍ର ଆୟୋଜନ କରୁଛୁ । ଆରପଟେ ତା’ର ଠିକ୍‌ ଓଲଟା ଆଚରଣ ଦେଖଉଛୁ । ପିଲାମାନଙ୍କୁ ଏଭଳି ବ୍ୟବହାର କରିବାର ପ୍ରତିକ୍ରିୟା ଯେ କେତେ ବିପଜ୍ଜନକ ତାହା ଆମେ ଚିନ୍ତା କରୁନାହୁଁ । ଏହାଦ୍ୱାରା ସେମାନେ ସାନ ଦିନରୁ ବିଦ୍ରୋହୀ ହେଉଛନ୍ତି । ଆଜି ତାଙ୍କର ବଳ ନାହିଁ, ବାପ-ମା’ କି ଶିକ୍ଷକଙ୍କ ଉପରେ ନିର୍ଭରଶୀଳ ବୋଲି ଏସବୁ ନିରବରେ ସହୁଛନ୍ତି । ମାତ୍ର ତାହାକୁ ଅନ୍ତରର ସହ ଗ୍ରହଣ କରୁନାହାନ୍ତି । ଆଜି ଯିଏ ପିଲା ସିଏ ହୁଏତ ଏ ତତ୍ତ୍ୱକୁ ବୁଝି ପାରିବ ନାହିଁ, ମାତ୍ର ଆଜି ଯିଏ ବୟସ୍କ ସେମାନେ ତ ଦିନେ ଶିଶୁ/କିଶୋର ଥିଲେ ! ସେମାନେ କାହିଁକି ବୁଝୁନାହାନ୍ତି ?

 

ପ୍ରସଙ୍ଗତଃ ଆଉ ଗୋଟିଏ କଥା ମନକୁ ଆସୁଛି । ଏବେ ଦେଖାଯାଉଛି ଓଡ଼ିଶାର ଚାରିଆଡ଼େ ଉତ୍ସବ ଚାଲିଛି । ବନ ଉତ୍ସବ, ବହି ଉତ୍ସବ, ଧଉଳି ଉତ୍ସବ, କଟକ ଉତ୍ସବ, ଜଗତସିଂହପୁର ଉତ୍ସବ, କେନ୍ଦ୍ରାପଡ଼ା ଉତ୍ସବ ଓ ଯାଜପୁର ଉତ୍ସବ - ଓଡ଼ିଶା ଏବେ ଉତ୍ସବମୟ । ବାର ମାସରେ ତେର ପର୍ବ ଥିଲା, ତା’ ସାଙ୍ଗକୁ ସରକାରୀ ପର୍ବ, ବଡ଼ ବଡ଼ ନେତାଙ୍କ ଶ୍ରାଦ୍ଧ ଦିବସ ଉତ୍ସବ ମିଶି ଆହୁରି ତିରିଶ ହେଲାଣି । ତା’ ଉପରେ ଏସବୁ ଆଧୁନିକ ଉତ୍ସବ । ସବୁଦିନ ଉତ୍ସବ ମଞ୍ଚଗୁଡ଼ିକରେ ସେଇ ସେଇ ମନ୍ତ୍ରୀ ନେତାଙ୍କୁ ଟି.ଭି. ପରଦାରେ ଦେଖି ଦେଖି ଓ ଖବରକାଗଜରେ ସେମାନଙ୍କର ଭାଷଣ ପଢ଼ିପଢ଼ି ଲୋକଙ୍କର କ୍ଳାନ୍ତି ଆସିଗଲାଣି । ମାତ୍ର ସେମାନଙ୍କର କ୍ଳାନ୍ତି ଆସୁନାହିଁ । ଜଣେ ବିଡିଓ ଦୈନିକ ଆଠଘଣ୍ଟା କାମ କଲେ ତାଙ୍କ କାମ ସରୁ ନାହିଁ । ଚାରି ପାଞ୍ଚଟା ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ହାତରେ ରଖିଥିବା ମନ୍ତ୍ରୀମାନେ ଏମିତି କି ବିଶେଷ ଦକ୍ଷତାର ସହ କାମ କରୁଛନ୍ତି ଯେ, ପ୍ରତ୍ୟହ ସେମାନଙ୍କୁ ଅଧଡ଼ଜନେ ଲେଖା ସଭା ସମିତିରେ ଯୋଗ ଦେବା ପାଇଁ ସମୟ ବଳୁଛି ? ପୁଣି କି ମୂଲ୍ୟବାନ ଭାଷଣ ସେମାନେ ଦେଉଛନ୍ତି ? ନିଜେ ଜାଣୁନାହାନ୍ତି ଯେ ପ୍ରକୃତରେ ତାଙ୍କର ଭାଷଣ ସେତିକି ମହତ୍ୱପୂର୍ଣ୍ଣ ହେଉଥିଲେ, ସେମାନେ କ୍ଷମତାହୀନ ହୋଇ ସହଜଲଭ୍ୟ ଥିବାବେଳେ, ସେମାନଙ୍କୁ କେହି ଡାକନ୍ତି ନାହିଁ କାହିଁକି ?

 

ଏସବୁ ଶୂନ୍ୟଗର୍ଭ ଉତ୍ସବ, ସମାବେଶ, ମହୋତ୍ସବ ଓ ଆଲୋଚନାଚକ୍ର ହୁଏତ ମୁଷ୍ଟିମେୟ ଲୋକଙ୍କର ଉପକାର କରୁଥାଇପାରେ, ମାତ୍ର ଏହାଦ୍ୱାରା ଏ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ଅସଲ ସମସ୍ୟାକୁ ପରିହାସ କରାଯାଉଛି । ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ପାଖେ କର୍ମ ନିଯୁକ୍ତିର ସମ୍ଭାବନା ନାହିଁ, କଳକାରଖାନା ବନ୍ଦ ହେଇଯାଉଛି । ବାତ୍ୟାଗ୍ରସ୍ତ ଉପକୂଳ ଓଡ଼ିଶା ତଥାପି ଅଣ୍ଟା ସଳଖି ନାହିଁ । ଆମ ଅଫିସର ଓ କର୍ମଚାରୀମାନେ ଲାଞ୍ଚ, ଚୋରି ଓ ଠକେଇରେ ନୂଆ ରେକର୍ଡ ତିଆରି କରୁଛନ୍ତି । ନିତି ନିତି ଝିଅମାନେ ଦଲାଲଙ୍କ ହାବୁଡ଼େ, କେନ୍ଦ୍ରାପଡ଼ାରୁ ନେଇ ରାଜଧାନୀ ପର୍ଯ୍ୟନ୍ତ, ଅପମାନିତା ହେଉଥିବା କଥା ବଡ଼ ବଡ଼ ହରଫରେ ବାହାରୁଛି । ଦାରିଦ୍ର୍ୟରେ, ଦୁଃଖରେ ଆମେ ଭାରତବର୍ଷର ସବୁ ରାଜ୍ୟଙ୍କ ତଳେ । କ’ଣ ଏଇ କଥା ଦୁନିଆ ଲୋକଙ୍କୁ ଜଣେଇବା ଲାଗି ଆମେ ନିତି ନିତି ଉତ୍ସବ ପାଳୁଥିବା ? ଏସବୁ ଯଥେଷ୍ଟ ହେଲାଣି । ଏତିକିରେ ନ ଅଟକିଲେ ଦୁନିଆ ଆମକୁ ଅନେଇ ହସିବ ।

 

ସମ୍ବାଦ, ୧୧ ଜୁଲାଇ, ୨୦୦୩

Image

 

ଭୋକିଲା ଲୋକକୁ ରଗେଇବା ସହଜ

 

ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ତାଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଫେରିଯାଇଛନ୍ତି । ଲଗାଣ ବର୍ଷା ଏବଂ ଝଡ଼ତୋଫାନ ଯୋଗୁ ଡ. ସିଂହ ୨୮ ତାରିଖରେ କଣିହାଁ ଯାଇପାରିଲେ ନାହିଁ କି ତା ପରଦିନ କେବିକେ ଜିଲ୍ଲା ଗସ୍ତ କରିପାରିଲେ ନାହିଁ । ଭୁବନେଶ୍ୱରର ରାଜଭବନରେ ବସି ବସି ଡ. ସିଂହ ଫେରିଗଲେ । ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀଙ୍କୁ ପାଣିପାଗ ଏତେ ହଇରାଣ କରିନଥିଲା । ଏହାର ସୁଯୋଗ ନେଇ ଡ. ସିଂହଙ୍କ ଏହି ଗସ୍ତକୁ ନୈରାଶ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି । କହିବାରେ ଦ୍ୱିଧା ନାହିଁ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯାହା ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ତାହାକୁ ଏହି ବିଶେଷଣ ଦେଇଥାଆନ୍ତେ । କାରଣ ଢେର୍‌ ଆଗରୁ ସେ ତାଙ୍କର ଏହି କଥାକୁ ତାଙ୍କ ଉପଦେଷ୍ଟା ସାଂସଦ ପ୍ୟାରୀମୋହନ ମହାପାତ୍ର, ଅନୁଗତ ବୈଜୟନ୍ତ ପଣ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ କହି ସାରିଥିଲେ ।

 

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅସମ୍ପୂର୍ଣ୍ଣ ରହିବା ରାଜ୍ୟ କଂଗ୍ରେସ ପ୍ରତି ଶକ୍ତ ଧକ୍କା ହୋଇଛି । ସେମାନେ ଖୁବ୍‌ ଦୁଃଖ ପାଇଛନ୍ତି ଏବଂ ତାଙ୍କୁ ସହାନୁଭୂତି ଜଣାଇବାକୁ ମଧ୍ୟ କେହିନାହିଁ-। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିଜୁ କେବିକେ ଏବଂ ଗୋପବନ୍ଧୁ ଗ୍ରାମୀଣ ଯୋଜନା ଘୋଷଣା କରିନଥିଲେ, ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥାନ୍ତେ କି ନାହିଁ ସିଏ ମଧ୍ୟ ଏକ ପ୍ରାସଙ୍ଗିକ ପ୍ରଶ୍ନ । ପ୍ରଧାନମନ୍ତ୍ରୀ ସେସବୁ ଅଞ୍ଚଳ ଗସ୍ତ କରିଥିଲେ କଂଗ୍ରେସର ତୁଙ୍ଗ ନେତାମାନେ ତାଙ୍କ ସହ ଯାଇ ତାଙ୍କୁ ରାଜ୍ୟ ସରକାରଙ୍କ ବିଫଳତା ସଂପର୍କରେ ସୂଚନା ଦେଇଥାଆନ୍ତେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଆସିବା ଆଗରୁ ‘ଚତୁର୍ଥ ହେଲିକପ୍‌ଟର’ ବ୍ୟବସ୍ଥା କରାଯାଇଥିଲା । ମାତ୍ର କଂଗ୍ରେସର ବହୁଧା ବିଭକ୍ତ ଶିବିର ଏହି ଗସ୍ତରୁ ଲାଭ ପାଇନାହିଁ । ବରଂ ଏୟାରପୋର୍ଟରେ ହଟହଟା ହେବାଠାରୁ କେବିକେ ଯାଇ ନପାରିବା ପର୍ଯ୍ୟନ୍ତ ସବୁଠି ସେମାନଙ୍କ ନୈରାଶ୍ୟର ପ୍ରତିଫଳନ ଦେଖିବାକୁ ମିଳୁଛି ।

 

ଅନ୍ୟପକ୍ଷରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନବୀନବାବୁ ଯେଭଳି ସମ୍ବର୍ଧନା ଜଣାଇବା କଥା ସେଭଳି ଜଣାଇଲେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏୟାରପୋର୍ଟରେ ଏକ ମାମୁଲି ଫୁଲତୋଡ଼ା (ରାଜ୍ୟପାଳଙ୍କ ଫୁଲତୋଡ଼ା ବରଂ ସୁନ୍ଦର ଥିଲା)ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ସାକ୍ଷାତ ସମୟରେ ନବୀନଙ୍କର ଶୀତଳ ବ୍ୟବହାର ବେଶ୍‌ ବାରି ହୋଇପଡୁଥିଲା । ମାତ୍ର ସିଏ ଚାହିଁଥିଲେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଏହି ପ୍ରଥମ ଗସ୍ତ ସମୟରେ ଭବ୍ୟ ସମ୍ବର୍ଧନା ଜଣାଇ ତାଙ୍କ ହୃଦୟ ଜିଣିପାରିଥାନ୍ତେ ଓ ପ୍ରତିକୂଳ ପାଗ ଯୋଗୁଁ ଡ. ସିଂହ ରାଜଭବନରେ ବସି ରହିଥିବା ବେଳେ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାର ସମସ୍ୟା ସଂପର୍କରେ ଅଧିକ ଯୁକ୍ତି ଦେଇ ତାଙ୍କର ମସ୍ତିଷ୍କକୁ ଜିଣିପାରିଥାନ୍ତେ ।

 

ଏବେ ମୁଖ୍ୟମନ୍ତ୍ରୀଙ୍କ ‘ନୈରାଶ୍ୟଜନକ’ ବିଶେଷଣ ପ୍ରସଙ୍ଗକୁ ଆସିବା । ଜାଣିବା ଶୁଣିବା ମହଲ କହୁଛନ୍ତି ଯେ ଡ. ମନମୋହନ ସିଂହ ଓଡ଼ିଶା ପାଇଁ ଯେଉଁଭଳି ଦରଦ ଦେଖାଇଛନ୍ତି ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ସେଭଳି ଦରଦ ଦେଖାଇନଥିଲେ । ଡ. ସିଂହ ବନ୍ୟାଗ୍ରସ୍ତ ଅଞ୍ଚଳ ପାଇଁ ପ୍ରଥମ କିସ୍ତି ସାହାଯ୍ୟ ଭାବେ ୨୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ବନ୍ୟା ଅନୁଧ୍ୟାନକାରୀ ଦଳ ଆସି ରିପୋର୍ଟ ଦେବାପରେ ଅବଶିଷ୍ଟ ସାହାଯ୍ୟ ଘୋଷଣା ହେବ । ସେହିପରି ବହୁଦିନର ଦାବି ଜାତୀୟ ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନର ପ୍ରତିଷ୍ଠା କଥା ସେ ଘୋଷଣା କରିଛନ୍ତି । ଏଥିପାଇଁ ଓଡ଼ିଆଏ ବହୁ ଦିନରୁ ଦାବି କରୁଥିଲେ । ଏହା ବିଜ୍ଞାନ ଗବେଷଣାର ‘ମକ୍କା’ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଜେଡି-ବିଜେପି ଦଳର ନେତାମାନେ ଏହା ପୁନେ କି କୋଲକାତା ଢାଞ୍ଚାର ଜାତୀୟ ଗବେଷଣା ପ୍ରତିଷ୍ଠାନ ନୁହେଁ ବୋଲି କହୁଥିବା ବେଳେ ଡ. ତ୍ରିଲୋଚନ ପ୍ରଧାନଙ୍କ ପରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ଏହାକୁ ଉଚ୍ଚକୋଟୀର ପ୍ରତିଷ୍ଠାନ ଏବଂ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନିଷ୍ଠାପର ଓ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିଜ ଅଧୀନରେ ଥିବା ଆଣବିକ ଶକ୍ତି ବିଭାଗ ଅଧୀନରେ ଏହା କାମ କରିବ । ସେହିପରି ଏନ୍‌ଟିପିସିରୁ ଉତ୍ପାଦିତ ବିଜୁଳିର ୧୦ ଭାଗ ଓଡ଼ିଶା ପାଇବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ପୂର୍ବପରି କେବିକେକୁ ବାର୍ଷିକ ୨୫୦ କୋଟି ଟଙ୍କା ଦିଆଯିବା ଏବଂ ୧୫ ହଜାର କୋଟି ଟଙ୍କାର ଦୀର୍ଘମିଆଦି ସହାୟତା କଥା ମଧ୍ୟ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ଏହାଛଡ଼ା ବରଗଡ଼ରେ ଜାତୀୟ ହସ୍ତତନ୍ତ ପ୍ରତିଷ୍ଠାନ ପ୍ରତିଷ୍ଠା ଏବଂ ୨୦୧୦ ସୁଦ୍ଧା ପାରାଦୀପ ବିଶୋଧନାଗାର କାମ ସଂପୂର୍ଣ୍ଣ ହେବା କଥା ପ୍ରଧାନମନ୍ତ୍ରୀ ଘୋଷଣା କରିଯାଇଛନ୍ତି ।

 

ବର୍ତ୍ତମାନ ପୁଣିଥରେ ଆମ ମୁଖ୍ୟମନ୍ତ୍ରୀଙ୍କ ‘ନୈରାଶ୍ୟଜନକ’ ବିଶେଷଣର ବିଶ୍ଳେଷଣ କରାଯାଉ । ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଓଡ଼ିଶା ଲାଗି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରୁଛନ୍ତି । କଂଗ୍ରେସ ତାଙ୍କର ମିତ୍ର ଦଳ ନୁହେଁ । କିନ୍ତୁ ଏନ୍‌ଡିଏ ଅମଳରେ ନବୀନବାବୁ ନିଜେ ଦିଲ୍ଲୀରେ ଶାସନ କରୁଥିଲେ । ସେତେବେଳେ ସେ ଏହି ଦାବି ପୂରଣ କରେଇ ପାରିଲେ ନାହିଁ କାହିଁକି ? ସେତେବେଳକୁ ୧୯୯୯ ମହାବାତ୍ୟା ଓଡ଼ିଶା ଉପର ଦେଇ ବହିଯାଇଥାଏ ଏବଂ ଅଧା ଓଡ଼ିଶା ଭାଙ୍ଗିରୁଜି ଛାରଖାର ହୋଇଯାଇଥାଏ । ନିଜେ ପ୍ରଧାନମନ୍ତ୍ରୀ ବାଜପେୟୀ ଏଠିକି ଆସି ଅବସ୍ଥା ଦେଖିଯାଇଥିଲେ । ତାହାହେଲେ କାହିଁକି ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଲା ନାହିଁ । ସେତେବେଳେ କୁହାଗଲା ଯେଉଁ ରାଜ୍ୟ ଦୁଇ ଦେଶ ସୀମାକୁ ଲାଗିଥିବ ସେହି ରାଜ୍ୟ ସ୍ପେଶାଲ ଷ୍ଟେଟ୍‌ ଷ୍ଟାଟସ୍‌ ପାଇବ, ଅନ୍ୟଥା ନୁହେଁ । ଯଦି ଏ କଥାଟି ସତ, ବର୍ତ୍ତମାନ କ’ଣ ଭାରତର ଭୂଗୋଳ ବଦଳି ଗଲାଣି କି ?

 

ଦ୍ୱିତୀୟରେ, ନବୀନବାବୁ କହିଛନ୍ତି ଯେ ଜାତୀୟ ବିଜ୍ଞାନ ପ୍ରତିଷ୍ଠାନ କଥା ତାଙ୍କ ଏନ୍‌ଡିଏ ଅମଳରେ ଘୋଷିତ ହୋଇଥିଲା । ତେଣୁ ଡ. ସିଂହ ଏକଥା ଘୋଷଣା କରି ବଡ଼କଥା କଲେ ନାହିଁ । ଏନ୍‌ଡିଏ ଅମଳରେ ଏକଥା ଘୋଷଣା ହୋଇଥିଲା ସତ, ମାତ୍ର କେନ୍ଦ୍ର ବଜେଟ୍‌ରେ ଏଥିପାଇଁ କାହିଁକି ତାଙ୍କ ସରକାର ୧୦୦ କି ୨୦୦ କୋଟିର ବ୍ୟବସ୍ଥା କରିଗଲେ ନାହିଁ ? ତାହାହେଲେ ତ କାମ ସୁରୁଖୁରୁରେ ଆରମ୍ଭ ହୋଇଯାଇଥାଆନ୍ତା । ବାଜପେୟୀଙ୍କ ଅମଳରେ ଘୋଷିତ ପାରାଦୀପ ବିଶୋଧନାଗାରର ନୂତନ ସୂର୍ଯ୍ୟୋଦୟ ବା ସିଜୁଆର ଏମ୍‌ସ ଶାଖା ସବୁ କିଛି କାହିଁକି ଅଧାପନ୍ତରିଆ ଭାବେ ପଡ଼ି ରହିଲା ? ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ନିଶ୍ଚୟ ଜାଣିଥିବେ । କାରଣ ସେ ନିଜେ ଏନ୍‌ଡିଏ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ, ତାଙ୍କ ଦଳ ଏନ୍‌ଡିଏର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରହିଛି ।

 

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଅମଲାଙ୍କ ଭାଷାରେ କଥା କହୁଛନ୍ତି । କେବିକେ ଯୋଜନା ଯଦି ଅଭିଳଷିତ ଲକ୍ଷ୍ୟ ହାସଲ କରିପାରି ନଥାଏ, ସେଥିପାଇଁ କେନ୍ଦ୍ର ଅପେକ୍ଷା ଓଡ଼ିଶାର ଅମଲାତନ୍ତ୍ର ଅଧିକ ଦାୟୀ । ମୁଖ୍ୟମନ୍ତ୍ରୀ ଭାବେ ନବୀନବାବୁ ଛଅବର୍ଷ ହେଲା କାମ କଲେଣି । ଆଜି ପର୍ଯ୍ୟନ୍ତ କେବିକେ ପ୍ରକଳ୍ପର ମୁଖ୍ୟ ପ୍ରଶାସକ ଦପ୍ତର କାହିଁକି ଭୁବନେଶ୍ୱରରେ ଅଛି ? କାହିଁକି କେବିକେ ପଇସାରେ ଗାଡ଼ି ମଟର ଓ ଏୟାର କଣ୍ଡିସନର କିଣାଯାଇ ଭୁବନେଶ୍ୱରରେ ବ୍ୟବହାର ହେଉଛି ? ଡ. ସିଂହ କହିଗଲେ ଯେ ଓଡ଼ିଶାର ୪୫୦୦ରୁ ଅଧିକ ଗାଁକୁ ଏବେ ବି ରାସ୍ତା ନାହିଁ । ୯୦୦୦ରୁ ଅଧିକ ଜନବସତିରେ ବିଜୁଳି ନାହିଁ । ୫ ହଜାରରୁ ଅଧିକ ଗାଁରେ ଟେଲିଫୋନ୍‌ ନାହିଁ । ଏହାର ଉତ୍ତର ରାଜ୍ୟ ସରକାର ଦେବେ ନା କେନ୍ଦ୍ର ସରକାର-?

 

ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପାରମ୍ପରିକ ଅର୍ଥରେ ରାଜନୈତିକ ନେତା ନୁହନ୍ତି । ତେଣୁ ସେ କଣ୍ଠଫଟା ଚିତ୍କାର କରି କିଛି କହିନାହାନ୍ତି । ମାତ୍ର ସେ ଚୁମ୍ବକରେ ଦର୍ଶାଇ ଯାଇଛନ୍ତି ଯେ ବର୍ଷ ବର୍ଷ ହେଲା କେବିକେ ଯୋଜନାର ଅର୍ଥକୁ ଠିକଣା ଭାବରେ ବିନିଯୋଗ କରାଯାଇନାହିଁ । କେଉଁଠି ପ୍ରକଳ୍ପର ମୂଲ୍ୟ ମନଇଚ୍ଛା ବଢ଼େଇ ଦିଆଯାଇଛି, କେଉଁଠି ଆଦୌ କାମ ହୋଇନାହିଁ । କେଉଁଠି କାମ ହୋଇଥିଲେ ତା’ର ବିନିଯୋଗ ପ୍ରମାଣପତ୍ର ଦିଆଯାଇନାହିଁ । ଏ ନେଇ ଅତୀତରେ ଏକାଧିକ ବାର କେନ୍ଦ୍ର ଅନୁଧ୍ୟାନକାରୀ ଦଳ ଆପତ୍ତି ଦର୍ଶାଇ ଆସିଥିଲେ । ସେକଥା ମୁଖ୍ୟମନ୍ତ୍ରୀ ଭଲ ଭାବେ ଜାଣନ୍ତି । ଆଜି ମୁଖ୍ୟମନ୍ତ୍ରୀ ଉପକୂଳ ଓଡ଼ିଶା ପାଇଁ ଗୋପବନ୍ଧୁ ଯୋଜନା ଆରମ୍ଭ କରିଛନ୍ତି । ମାତ୍ର ଇନ୍ଦିରା ଆବାସ ଯୋଜନାରେ ୭୦୦ କୋଟିରୁ ଅଧିକା ଟଙ୍କାର ଦୁର୍ନୀତି ତାଙ୍କରି ଅମଳରେ ହୋଇଛି । କେନ୍ଦ୍ରରୁ ମିଳୁଥିବା ଅର୍ଥର ସୁବିନିଯୋଗ କରାଯିବା ଦାୟିତ୍ୱ କାହାର ? ଏବେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ସେ ଯୋଜନା କମିସନଙ୍କୁ ୫୦୦ କୋଟି ଟଙ୍କାର ବାର୍ଷିକ ସହାୟତା ମାଗିଥିଲେ । ମାତ୍ର ଉପାଧ୍ୟକ୍ଷ ଡ. ମଣ୍ଟେକ ସିଂହ ଆଲୁୱାଲିଆ ଚିଠି ଲେଖି କହିଛନ୍ତି ଯେ ୨୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇପାରିବ ନାହିଁ । ଉଲ୍ଲେଖନୀୟ ଯେ ପ୍ରଥମେ ୧୯୯୫-୯୬ରେ ୨୦ କୋଟିରୁ କେବିକେ ଯୋଜନା ଆରମ୍ଭ ହୋଇ ୧୯୯୭-୯୮ରେ ଏହା ୨୪୪ କୋଟି ରହିଥିଲା ଏବଂ ୨୦୦୧-୦୨ରୁ ଏହାର ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟ ଅଂଶ ଦେଇ ପାରିଲେ ରାଜୀବ ଗାନ୍ଧି ବିଦ୍ୟୁତୀକରଣ ଯୋଜନା ଠାରୁ ନେଇ ଜାତୀୟ ଉଦ୍ୟାନ କୃଷି ମିଶନ ପରି କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ରାଜ୍ୟ ଅଧିକ ଟଙ୍କା ଆଣିପାରନ୍ତା ବୋଲି ତାଙ୍କରି ସରକାରର ବରିଷ୍ଠ ହାକିମମାନେ ଆଲୋଚନାରେ ମତ ଦେଇଛନ୍ତି ।

 

ଏସବୁ ଉଲ୍ଲେଖ କରିବାର ଅର୍ଥ ନୁହେଁ ଯେ କେନ୍ଦ୍ର ଓଡ଼ିଶାକୁ ବହୁତ କିଛି ଦେଇଦେଇଛି ବା ମନମୋହନ ଆସି ଟଙ୍କା ଗଛ ଲଗେଇ ଦେଇଗଲେ । ବର୍ଷ ବର୍ଷ ଧରି ଏହି ରାଜ୍ୟ କେନ୍ଦ୍ର ଦ୍ୱାରା ଉପେକ୍ଷିତ ହୋଇ ଆସିଛି । ମାତ୍ର କେବିକେ କ୍ଷେତ୍ରରେ ନବୀନବାବୁଙ୍କ ଯୁକ୍ତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜାଣି ହେଉଛି । ଆଜି ନବୀନ ଯେଭଳି ତତ୍ପରତା ଦେଖାଉଛନ୍ତି ସେତିକି ତତ୍ପରତା ଏନ୍‌ଡିଏ ସରକାର ଅମଳରେ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ଅନେକ କିଛି କରିପାରିଥାନ୍ତେ । ମାତ୍ର ସେତେବେଳେ ସେ କେଉଁ ଉଦ୍ଦେଶ୍ୟ ପାଇଁ ‘ସୁଧାର କିଶୋର’ ଭୂମିକାରେ ରହିଲେ ତାହା ତାଙ୍କୁ ଜଣା । ଅତୀତର ନିଷ୍କ୍ରିୟତାକୁ ବର୍ତ୍ତମାନର ସକ୍ରିୟତା ଯୋଗେ ଭରଣା କରିବା ଉତ୍ତମ କଥା । ମାତ୍ର ସେଥିପାଇଁ ଭୁଲ୍‌ କଥା କହିବା ଭଲ ନୁହେଁ ।

 

ନବୀନବାବୁ ଜଣେ ଆଦରଣୀୟ ନେତା । ତାଙ୍କର ଦୁର୍ନୀତି ବିରୋଧୀ ଭୂମିକା ଏବଂ ନିଷ୍କଳଙ୍କ ବ୍ୟକ୍ତିତ୍ୱ ପାଇଁ ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ମଧ୍ୟ ସାହସୀ ନେତା । ମାତ୍ର ଦଳ ପରିଚାଳନାରେ ଯେମିତି ଦକ୍ଷତା ଦେଖାଇଛନ୍ତି ସରକାର ପରିଚାଳନାରେ ସେ ଦକ୍ଷତା ଏପର୍ଯ୍ୟନ୍ତ ସେ ଦେଖେଇ ପାରିନାହାନ୍ତି । ତାଙ୍କ ଅମଳରେ ମଧ୍ୟ ଓଡ଼ିଶାର ଅମଲାତନ୍ତ୍ର ସେଇ ଗେଣ୍ଡା ଗତିରେ ଚାଲିଛି । ନିକଟରେ ବିଶ୍ୱ ବ୍ୟାଙ୍କ ରିପୋର୍ଟ ପ୍ରକାଶ ପାଇଛି । ସେଥିରେ ଦର୍ଶାଯାଇଛି ଓଡ଼ିଶାର ୪୭ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ଭାରତର ମୁଣ୍ଡପିଛା ଆୟ ୧୨ ହଜାର ଟଙ୍କା ଥିବାବେଳେ ଆମ ରାଜ୍ୟର ୬୫୦୦ ଟଙ୍କା । ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାରରେ ଓଡ଼ିଶା ସବୁଠୁ ଆଗରେ !

 

ନବୀନବାବୁ ଯେଉଁ କେବିକେ ଜିଲ୍ଲା ସମସ୍ୟାକୁ ନେଇ ବର୍ତ୍ତମାନ ବିଜୁ କେବିକେ ଯୋଜନା ଘୋଷଣା କରିଛନ୍ତି ସେହି ଜିଲ୍ଲାଗୁଡ଼ିକର କଥା ଆଉ ଟିକେ ଦେଖାଯାଉ । ନିକଟରେ ଫାନୁସ ପୁଞ୍ଜିର ଦୁର୍ଦଶା କଥା ଖବରକାଗଜ ମାନଙ୍କରେ ବାହାରିଛି । ୧୯୮୫ରେ ଫାନୁସ ତା’ର ୧୨ ବର୍ଷର ନଣନ୍ଦ ବନିତାକୁ ମାତ୍ର ୪୦ ଟଙ୍କା ଓ ଖଣ୍ଡେ ଶାଢ଼ି ବିନିମୟରେ ଜଣେ ଅନ୍ଧଲୋକକୁ ବିକିବା ଯୋଗୁଁ ସାରା ଦେଶରେ ଚହଳ ପଡ଼ିଯାଇଥିଲା । ତା’ପରେ ରାଜୀବ ଗାନ୍ଧିଙ୍କଠାରୁ ନେଇ ନରସିଂହ ରାଓ, ଚନ୍ଦ୍ରଶେଖର, ଦେବେଗୌଡ଼ା ଏବଂ ବାଜପେୟୀଙ୍କ ପର୍ଯ୍ୟନ୍ତ ସବୁ ମୁଖ୍ୟମନ୍ତ୍ରୀ କେବିକେ ଜିଲ୍ଲା ଗସ୍ତରେ ଆସିଛନ୍ତି । ମାତ୍ର ତା ସତ୍ତ୍ୱେ ସେଠିକାର ଅବସ୍ଥା ଯେମିତି ଥିଲା ସେମିତି ରହିଛି କାହିଁକି ? ସବୁ କଥାରେ ମୁଖ୍ୟମନ୍ତ୍ରୀ କଂଗ୍ରେସକୁ ଗାଳିଦେଇ ନିଜ ଦାୟିତ୍ୱ ଆଡ଼େଇ ପାରିବେ ନାହିଁ । ସେମାନେ ଭଲ କାମ କଲେ ନାହିଁ ବୋଲି ତ ଓଡ଼ିଶାର ଲୋକେ ତାଙ୍କୁ ତଡ଼ିଦେଇ ନବୀନଙ୍କୁ ବରଣ କରିଛନ୍ତି । ତାଙ୍କର ଭାଷାଗତ ଦୌର୍ବଲ୍ୟ, ଅଭିଜ୍ଞତାର ଅଭାବ ଏବଂ ଗ୍ରାମାଞ୍ଚଳ ସହ ସଂପର୍କର ଅଭାବ ସତ୍ତ୍ୱେ ତାଙ୍କୁ ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିଛନ୍ତି । ସେ ଏହି ଜିଲ୍ଲାଗୁଡ଼ିକର ଉନ୍ନତି ପାଇଁ କି ପଦକ୍ଷେପ ନେଉଛନ୍ତି ? କାହିଁକି କେବିକେରେ ନିର୍ମିତ ହେଉଥିବା ବନ୍ଧବାଡ଼ ପ୍ରତିବର୍ଷ କାଦୁଅ ତିଆରି ବନ୍ଧବାଡ଼ ପରି ଧୋଇଯାଉଛି ? କାହିଁକି କେବିକେ ଇଂଜିନିୟର-ଅଫିସର ଓ ଠିକାଦାରମାନଙ୍କ ଅର୍ଥଆୟର ଉର୍ବର କ୍ଷେତ ପାଲଟିଛି ?

 

ଅନେକ ସମୟରେ ଚତୁର ଲୋକ ଭୋକିଲା ଲୋକର ସମସ୍ୟା ସମାଧାନ କରି ନପାରି ଅଲଗା ରାସ୍ତା ଧରନ୍ତି । ଅମୁକ ଲୋକ ତୁମ ଥାଳି ଛଡ଼େଇ ନେଲା ବୋଲି କହନ୍ତି । ତାକୁ ଗାଳିଦିଅ, ଢେଲା ମାର । ଭୋକିଲା ଲୋକକୁ ରଗେଇବା ସହଜ । ମାତ୍ର ଏହାଦ୍ୱାରା ଚତୁର ନେତା ସିନା ନିରାପଦ ରହନ୍ତି, କିନ୍ତୁ ଭୋକିଲା ଲୋକଙ୍କର କିଛି ଲାଭ ହୁଏ ନାହିଁ । ନବୀନବାବୁଙ୍କ ଭଳି ଭଲ ନେତା ସେ କାମ ନ କରନ୍ତୁ ।

୧ ସେପ୍‌ଟେମ୍ବର, ୨୦୦୬

Image

 

Unknown

ଓଡ଼ିଆ ସମାଜ : ଶିକ୍ଷା ଓ ସଂସ୍କୃତି

 

ଯେଉଁମାନେ ସମାଜ, ଶିକ୍ଷା ଓ ସଂସ୍କୃତିକୁ ଅଲଗା ଅଲଗା ପ୍ରସଙ୍ଗ ଭାବରେ ଦେଖନ୍ତି, ଏହି ଲେଖକ ସେମାନଙ୍କ ତରଫରେ ନାହିଁ । କାରଣ ଜଣେ ବ୍ୟକ୍ତିକୁ ମିଳିଥିବା ଶିକ୍ଷା ତା’ ନିଜର କର୍ମ ସଂସ୍କୃତିକୁ ପୁଷ୍ଟ କଲେ ଯାଇ ସମାଜର ବିକାଶ ସାଧନ ହୁଏ । କେହି ଜଣେ ସଂସ୍କୃତିର ଗୋଟିଏ ପରିଭାଷା ଦେବାକୁ ଯାଇ କହିଥିଲେ ଯେ ଆମେ ଯାହା ଆଲୋଚନା କରୁ ତାହା ସଂସ୍କୃତି ନୁହେଁ, ଆମେ ଯେଭଳି ବଞ୍ଚୁ ତାହା ହିଁ ଆମର ସଂସ୍କୃତି । ଜଣେ ଓଡ଼ିଆ ଭାବରେ ଆମର ସଂସ୍କୃତି କ’ଣ, ସେ କଥା ଆମ ଜୀବନଧାରାରୁ ଜଣାପଡ଼ିବ । ଆମର ସାମଗ୍ରିକ ଜୀବନଧାରାରୁ ସେ କଥାର ପରିଚୟ ମିଳିବ । ଜଣେ କେହି ପ୍ରଶ୍ନ ପଚାରିପାରନ୍ତି ଯେ ଓଡ଼ିଆ ସଂସ୍କୃତି କହିଲେ ଓଡ଼ିଶାର କେଉଁ ଲୋକର ସଂସ୍କୃତି- ଏରସମାର ସବୁ ହଜେଇଥିବା ସତ୍ତ୍ୱେ କିଛି ଆଶା କରୁ ନଥିବା ଲୋକର ସଂସ୍କୃତି ନା କଟକ-ଭୁବନେଶ୍ୱରର କିଛି ନ ହଜେଇ ସବୁକିଛି ଆଶା କରୁଥିବା ଲୋକର ସଂସ୍କୃତି । ପୁଣି ବିଶ୍ୱ ମଣିଷର ସଂସ୍କୃତି ଅଥବା ଭାରତୀୟ ସଂସ୍କୃତିଠାରୁ ଓଡ଼ିଆ ଲୋକର ସଂସ୍କୃତି କେତେ ନିକଟତର ବା ଦୂର ତାହା ମଧ୍ୟ ଆଲୋଚନାର ଅପେକ୍ଷା ରଖେ । ସଂସ୍କୃତି ପଛକୁ ଆସୁଛି ଶିକ୍ଷାର କଥା । ଏହି ପ୍ରସଙ୍ଗରେ ଗୋଟିଏ କଥା ମନେପଡୁଛି । ଜଣେ ମଣିଷ ସାନପିଲା ଥିଲାବେଳେ ତା’ର ଆବେଗ ଭଣ୍ଡାର ପରିପୂର୍ଣ୍ଣ ଓ ମସ୍ତିଷ୍କ ଭଣ୍ଡାର ପ୍ରାୟ ଶୂନ୍ୟ ଥାଏ । ସେତେବେଳେ ସେ ଧୂଳିଘର, କଙ୍କି-ପ୍ରଜାପତି, ଫୁଲ ଓ ଖେଳଣା ଏହି ସବୁକୁ ବେଶି ଆଦର କରେ; ଲୁହା, ସିମେଣ୍ଟ୍‌, ବାଲି, ଚିପ୍‌ସ ଏସବୁକୁ ଆଦୌ ଆଦର କରେ ନାହିଁ । ଏସବୁ ତା’ ପାଇଁ ସେତେବେଳେ ଅର୍ଥହୀନ ମନେହୁଅନ୍ତି । ମାତ୍ର କ୍ରମେ ସେହି ପିଲା ପ୍ରାଥମିକ, ତା’ପରେ ମଧ୍ୟଇଂରାଜି ଓ ଉଚ୍ଚଇଂରାଜି ବିଦ୍ୟାଳୟ ହୋଇ ମହାବିଦ୍ୟାଳୟକୁ ଯାଏ ଏବଂ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଫେରିଲାବେଳକୁ ତା’ ଭିତରୁ ଆବେଗ ଓ ଭାବପ୍ରବଣତାର ଭଣ୍ଡାର ଶୂନ୍ୟ ହୋଇ ସାରିଥାଏ, ଅଥଚ ବୁଦ୍ଧି ଓ ତର୍କର ଭଣ୍ଡାର ପୂର୍ଣ୍ଣ ହୋଇଥାଏ । ସେତେବେଳେ ସିଏ ବଡ଼ ବଡ଼ ସମସ୍ୟାର ସମାଧାନ କରିପାରେ, ମାତ୍ର ସାନ ସାନ ଆବେଗିକ ସମସ୍ୟାର ସାମନା କରିପାରେ ନାହିଁ । ଦୁଃଖୀ, ଦରିଦ୍ର ଓ ଅସହାୟଙ୍କ ଦୁଃଖ ବୁଝେ କମ୍‌, ଯୋଜନା, ଅର୍ଥନୀତି ଓ ପଦୋନ୍ନତି ଆଦିର କଥା ବୁଝେ ବେଶି । ଆମର ସାଧାରଣରେ ଧାରଣା ହେଉଛି ଯେ ସାଧାରଣ ଓ ସରଳ ଲୋକମାନେ ଏ ରାଜ୍ୟର ଦୁଃଖୀ ମଣିଷଙ୍କ କଥା ଯେମିତି ଭାବରେ ବୁଝି ପାରୁଛନ୍ତି, ଅଧିକ ଶିକ୍ଷା ଓ ତାଲିମ ପାଇଥିବା ବଡ଼ ବଡ଼ ଲୋକମାନେ ତାହା ବୁଝିପାରୁ ନାହାନ୍ତି ।

 

ଓଡ଼ିଆ ସମାଜ ଯଦି ଶିକ୍ଷିତ, ସଂସ୍କୃତି ସଂପନ୍ନ ହୋଇପାରନ୍ତା ବା ହୋଇଥାଆନ୍ତା ତାହାହେଲେ ଏ ସମାଜର ଅବସ୍ଥା ଏଭଳି ଭାବେ କାହିଁକି ହୋଇଥାଆନ୍ତା ? ସାଧାରଣ ମଣିଷ ସବୁ କଥାର ଗୁରୁତ୍ୱ ପରିଣତିରୁ ହିଁ ବୁଝେ । ବର୍ତ୍ତମାନର ପରିଣତିରୁ ହିଁ ସେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ପ୍ରୟୋଗ ଓ ସେସବୁର ଗୁରୁତ୍ୱ ବୁଝିବ । ଯଦି ଅତ୍ୟନ୍ତ ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ଓ ତତୋଽଧିକ ଉଚ୍ଚମାନର ସୁଦୀର୍ଘ ପରମ୍ପରା ସତ୍ତ୍ୱେ ଓଡ଼ିଆ ସମାଜର ଅବସ୍ଥା ଦିନକୁ ଦିନ ତଳିତଳାନ୍ତ ହୋଇ ଚାଲିଥାଏ ତାହାହେଲେ ସେ ଶିକ୍ଷା ଓ ସଂସ୍କୃତିର ମୂଲ୍ୟ ଜଣେ ସାଧାରଣ ମଣିଷ ପାଇଁ ସେତିକି, ବେଲ ପାଚିବାର ଖବର ସହ କୁଆର ସଂପର୍କ ଯେତିକି ।

 

ଅନେକ ସମୟରେ ବୁଦ୍ଧିଜୀବୀମାନେ ଧୂଳି, କାଦୁଅ, ଖରା ଓ ବର୍ଷାଠୁଁ ଦୂରରେ ରହି ଯୋଜନାର କଥା କୁହନ୍ତି ଏବଂ ସାଧାରଣ ଲୋକ ତାହାର ଠିକଣା ଉପଯୋଗ କରିପାରୁ ନଥିବାରୁ ହଇରାଣ ହେଉଛନ୍ତି- ଏ ଧରଣର ସିଦ୍ଧାନ୍ତରେ ଉପନୀତ ହୁଅନ୍ତି । ଶିକ୍ଷିତ ସମାଜ କହୁଛନ୍ତି ଯେ, ସେମାନଙ୍କର ଯାହା ଜ୍ଞାନ ବିଜ୍ଞାନ ଦେବାର କଥା ତାହା ଦେଇ ସାରିଛନ୍ତି । ସଂସ୍କୃତି ବିଶାରଦମାନେ କହୁଛନତି ଯେ, ଆମେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ସାମ୍ନାରେ ଥୋଇ ଦେଇଛୁ । ସାଧାରଣ ଲୋକମାନେ ତା’ର ପ୍ରୟୋଗ କରିବାର ଦରକାର । ଏକଥା ଶୁଣି ସେଇ ଚତୁର ବିଞ୍ଚଣା ବିକାଳୀ ଓ ଅସହାୟ ରାଜାଙ୍କର ଗପଟି ମନେପଡ଼େ । ଜଣେ ଚତୁର ବିଞ୍ଚଣା ବିକାଳୀ ଦିନେ ରାଜଉଆସ ସାମ୍ନା ରାସ୍ତାରେ ଡାକି ଡାକି ଯାଉତିଲା, ‘‘ବିଞ୍ଚଣା ନିଅ, ବିଞ୍ଚଣା । ଏମିତି ବିଞ୍ଚଣା ଯେ ଶହେ ବର୍ଷ ଯାଏ ଭାଙ୍ଗିବ ନାହିଁ ।’’ ଏକଥା ଶୁଣି ରାଜା ବିଞ୍ଚଣା ବିକାଳୀକୁ ଡକେଇ ପଠେଇଲେ ଓ ଶହେ ଟଙ୍କା ଦେଇ ଶହେ ବର୍ଷ ପାଇଁ ବିଞ୍ଚଣାଟି କିଣିନେଲେ । ନିଜେ ତ ଭୋଗ କରିବେ, ପୁଣି ନିଜ ପୁଅନାତିଙ୍କ ପାଇଁ ବି ଏଇଟିକୁ ରଖି ଦେଇ ଯିବେ । ବିଞ୍ଚଣା ଗୋଟାକର ଦାମ୍‌ ଯେତେବେଳେ ଦି’ଅଣା କି ଚାରଣା ଥିଲା, ସେତେବେଳେ ବିଞ୍ଚଣା ବିକାଳୀ ରାଜାଙ୍କଠାରୁ ଶହେ ଟଙ୍କା ଆଦାୟ କରି ଚାଲିଗଲା-। ରାଜା ତାଙ୍କର ବିଞ୍ଚଣାଟିକୁ ଧରି ବିଞ୍ଚିହେଲେ । ଦିନେ, ଦି’ ଦିନ, ତିନି ଦିନ- ଚତୁର୍ଥ ଦିନ ବେଳକୁ ବିଞ୍ଚଣାଟି ଯେମିତି ଜଖମ ହେବାର କଥା ସେମିତି ଜଖମ ହେଲା ଓ ସପ୍ତାହର ଶେଷ ଦିନ ବେଳକୁ ତାହା ଭାଙ୍ଗିଗଲା । ଶହେ ଟଙ୍କା ଦେଇ ଶହେ ବର୍ଷ ପାଇଁ ବିଞ୍ଚଣା କିଣିଥିବା ରାଜା ରାଗିପାଚି ଲାଲ୍‌ ହେଲେ । ତେବେ ବିଞ୍ଚଣା ବିକାଳୀ ସେଠି ନଥିଲା । କିଛିଦିନ ଗଲା ପରେ ହଠାତ୍‌ ରାଜା ଶୁଣିଲେ, ସେଇ ବିଞ୍ଚଣା ବିକାଳୀଟି ରାସ୍ତାରେ ଡାକି ଡାକି ଯାଉଛି । ରାଜା ଲୋକ ପଠେଇ ତାକୁ ଧରିନେଲେ ଓ ତାକୁ ବହେ ଶୋଧିଲେ । ମାତ୍ର ଚତୁର ବିଞ୍ଚଣା ବିକାଳୀ କହିଲା, ‘‘ଆପଣ ଭୁଲ୍‌ ଭାବେ ବିଞ୍ଚଣା ବ୍ୟବହାର କରିଥିବେ । କହିଲେ, କେମିତି ଆପଣ ବିଞ୍ଚଣାକୁ ବ୍ୟବହାର କରୁଥିଲେ ?’’ ରାଜା ଯେମିତି ବିଞ୍ଚି ହେଉଥିଲେ ସେମିତି ବିଞ୍ଚଣା ହଲେଇ ବିଞ୍ଚି ହେଲେ । ଲୋକଟି ତାଙ୍କ ହାତ ଧରି ପକେଇ କହିଲା, ‘‘ଏଇଠି ଆପଣ ଭୁଲ୍‌ କଲେ । ଆପଣଙ୍କର ସେମିତି ବିଞ୍ଚି ହେବାର ନଥିଲା । ବିଞ୍ଚଣାଟିକୁ ହାତରେ ଧରି ଏମିତି ସିଧା ରଖିଥା’ନ୍ତେ ଓ ତା’ପରେ ଆପଣ ନିଜ ମୁଣ୍ଡଟିକୁ ବାଁରୁ ଡାହାଣକୁ ଓ ଡାହାଣରୁ ବାଁକୁ ହଲେଇ ଥାଆନ୍ତେ । ତାହାହେଲେ ଦେଖିଥା’ନ୍ତେ, ଏ ବିଞ୍ଚଣା ଶହେ ବର୍ଷ ଯାଏ ସେମିତି ଅତୁଟ ରହିଥାଆନ୍ତା !’’

 

ଓଡ଼ିଶାର ଶିକ୍ଷିତ ସମାଜ ସବୁବେଳେ ସବୁ ପ୍ରକାର ଦୁର୍ଗତି ପାଇଁ ସାଧାରଣ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି । ଆମେରିକାରେ ରହିଥିବା ଓଡ଼ିଆଏ ହୁଅନ୍ତୁ କି ଦିଲ୍ଲୀରେ ଥିବା ଓଡ଼ିଆ ହୁଅନ୍ତୁ, ସଚିବାଳୟରେ କି ବାଣୀବିହାରରେ ଥିବା ବୁଦ୍ଧିଜୀବୀ ହୁଅନ୍ତୁ, ସମସ୍ତେ କହୁଛନ୍ତି ଯେ ଓଡ଼ିଆଙ୍କୁ ନେଇ କିଛି କରିହେବ ନାହିଁ । ଏମାନେ କୋଢ଼ିଆ, ଅଳସୁଆ, କଙ୍କଡ଼ା । ଏ ରାଜ୍ୟରେ ଜନ୍ମ ନେବା ପାପ । ଏଠି ଦୂବଘାସଟେ ଯେ କଅଁଳୁଛି ସେଇ ବଡ଼ କଥା । ଏଠିକାର ଲୋକମାନେ ଧନୀ ଲୋକଙ୍କ ପାପୀ ଭାବନ୍ତି, ସଫଳତାକୁ ଈର୍ଷା କରନ୍ତି ଓ ନିଜ ଛଡ଼ା ଅନ୍ୟ ସମସ୍ତଙ୍କୁ ଚୋର କି ଠକ ବୋଲି ଭାବନ୍ତି । ଊଣେଇଶ ଅନେଶତର ବାତ୍ୟା କ’ଣ କେବଳ ସାଧାରଣ ଲୋକଙ୍କ ଭିତରର ଖାଲିପଣ ଦେଖେଇଲା, ବଡ଼ ବଡ଼ ଲୋକଙ୍କ ଭିତରର ବିକଳପଣ ଦେଖାଇଦେଲା ନାହିଁ ? ଏ ବାତ୍ୟା କେବଳ ଓଡ଼ିଶାର ଦାରିଦ୍ର୍ୟକୁ ନୁହେଁ, ଆମର ସାମଗ୍ରିକ ଅସାମର୍ଥ୍ୟକୁ ମଧ୍ୟ ଦେଖେଇ ଦେଇଗଲା । ମାତ୍ର ସେଇ ଅସାମର୍ଥ୍ୟର କଥା କହି କୁହାଇ ଓ ଚନ୍ଦ୍ରବାବୁ ନାଇଡୁଙ୍କ ସାମର୍ଥ୍ୟ କଥା ଶୁଣି ଶୁଣେଇ ନିଷ୍କ୍ରିୟ ରହିବା କେବେ ଓଡ଼ିଆ ସଂସ୍କୃତି ହୋଇ ନ ପାରେ ।

 

ଦୁଃଖର ସହ କହିବାକୁ ହୁଏ ଯେ ଓଡ଼ିଶାର ଅଧିକାଂଶ ବୁଦ୍ଧିଜୀବୀଙ୍କ କର୍ମ ସଂସ୍କୃତି ହେଉଛି ଡ୍ରଇଂରୁମ୍‌ ଆଲୋଚନା ଓ ଆଲୋଚନା ଶେଷରେ ନିଷ୍କ୍ରିୟତା । ଏ ପ୍ରକାର ପଳାୟନପନ୍ଥୀ ମନୋବୃତ୍ତିରୁ ଆମର ଶିକ୍ଷକ-ଅଧ୍ୟାପକ-ସାମ୍ବାଦିକ ସମାଜ ମଧ୍ୟ ମୁକ୍ତ ନୁହେଁ ।

 

ଓଡ଼ିଶାରେ ଅନେକ ଗୁଡ଼ିଏ ବିଶ୍ୱବିଦ୍ୟାଳୟ ଅଛି । ମାତ୍ର ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଓଡ଼ିଆ ସମାଜକୁ ଦିଗ୍‌ଦର୍ଶନ ଦେଲା ଭଳି କି ଧରଣର ବିଶ୍ୱଦୃଷ୍ଟି ଦେଖିବାକୁ ବା ପଢ଼ିବାକୁ ମିଳିଥାଏ-? ସମୟେ ସମୟେ ମନେହୁଏ ଯେ ଏସବୁ ବିହାର (ବାଣୀବିହାର, ଜ୍ୟୋତିବିହାର, ଭଞ୍ଜବିହାର, କୃଷିବିହାର ଇତ୍ୟାଦି) ଗୋଟିଏ ଗୋଟିଏ ନିବୁଜ ଉପଦ୍ୱୀପ । ସେଠି କ’ଣ ହେଉଛି ତା’ ସହ ବାହାର ସମାଜର କିଛି ସଂପର୍କ ନାହିଁ କି ବାହାରେ କି ଧରଣର ଝଡ଼ ବୋହୁଛି, ତା’ ସହ ‘ବିହାର’ ଭିତରେ ଥିବା ବୁଦ୍ଧିଜୀବୀମାନଙ୍କର ସୁଦ୍ଧା ସଂପର୍କ ନାହିଁ । ପ୍ରଫେସର ବିଧୁଭୂଷଣ ଦାସ, ଡକ୍ଟର ଶ୍ରୀରାମଚନ୍ଦ୍ର ଦାସ, ଡ. ସଦାଶିବ ମିଶ୍ର ଏବଂ ଡ. ସୂର୍ଯ୍ୟକାନ୍ତ ଦାସଙ୍କ ପରି ପ୍ରଫେସରମାନେ ସାଧାରଣ ଲୋକଙ୍କୁ କିଛି କିଛି ପରାମର୍ଶ ଦେଉଥିଲେ । ମାତ୍ର ଏବେ ପ୍ରଫେସରମାନେ ଅବସର ନେବା ପରେ ସୁଦ୍ଧା ସାମ୍ପ୍ରତିକ ଘଟଣାକୁ ନେଇ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି । ବଦଳିପ୍ରବଣ ଘରୋଇ/ସରକାରୀ କଲେଜର ଅଧ୍ୟାପକମାନଙ୍କଠାରୁ ଆହୁରି ଭୀରୁ ବ୍ୟବହାର ସେମାନଙ୍କର । ତାହାହେଲେ ରାଜନୀତିକୁ, ଶିଳ୍ପ ପ୍ରଗତିକୁ ଓ ଅର୍ଥନୀତିକୁ ସୁଧାରିବା ପାଇଁ ତୁଣ୍ଡ ଖୋଲିବ କିଏ ?

 

ଓଡ଼ିଶାର ଦାରିଦ୍ର୍ୟ ଏ ରାଜ୍ୟର ଲୋକମାନଙ୍କୁ ଭାଗ୍ୟବାଦୀ ଏବଂ ଅନ୍ଧବିଶ୍ୱାସୀ କରିଦେଇଛି । ଏଠି ଲୋକମାନେ ଆଜି ଗୋଜବାୟାଣୀ, କାଲି ରନ୍ତଳେଇଙ୍କ ପାଖକୁ ଦଉଡ଼ିବା ବିଚିତ୍ର ନୁହେଁ, ଯେତେବେଳେ କି ବଡ଼ ବଡ଼ ନେତା, ହାକିମ ଓ କମ୍ପ୍ୟୁଟର ବିଜ୍ଞାନୀମାନେ ତାବିଜ, ଡେଉଁରିଆ ବାନ୍ଧି ଜ୍ୟୋତିଷଙ୍କ ଦ୍ୱାରସ୍ଥ ହେଉଛନ୍ତି । ଆମ ନେତାଙ୍କ ନିର୍ବାଚନ ପ୍ରଚାର ତ ଦେବଦେବୀଙ୍କ ଆଶୀର୍ବାଦ ଭିକ୍ଷାଠୁଁ ଆରମ୍ଭ ହେଉଛି । ଦାରିଦ୍ର୍ୟରୁ ଭାଗ୍ୟବାଦ ଓ ନିଷ୍କ୍ରିୟତା । ରାଜ୍ୟର ଅମଲାତନ୍ତ୍ର ଆଦୌ ସ୍ୱଚ୍ଛ ଓ ସ୍ପଷ୍ଟବାଦୀ ନୁହନ୍ତି । ସାଧାରଣ ଲୋକଙ୍କଠୁ ତଥ୍ୟ ଲୁଚେଇ ରଖିବା, ବାରମ୍ବାର ଦଉଡ଼େଇବା, ଫାଇଲ୍‌କୁ ଚପେଇ ରଖିବା ଓ କୌଣସି ଗୋଟିଏ କାର୍ଯ୍ୟକୁ କେତେ ଡେରିଯାଏ ପକେଇ ରଖାଯାଇ ପାରିବ ତାହା ଦେଖିବା ଅମଲାତନ୍ତ୍ରର ବୈଶିଷ୍ଟ୍ୟ । ବରିଷ୍ଠ ରାଜନେତାମାନେ ରାଷ୍ଟ୍ରନେତା ପର୍ଯ୍ୟାୟକୁ ଉଠିବାଲାଗି ଚାହୁଁ ନାହାନ୍ତି । ସେମାନେ ପରବର୍ତୀ ପ୍ରଜନ୍ମର କଥା ଦୂରର, ପରବର୍ତୀ ନିର୍ବାଚନର କଥା ହିଁ କେବଳ ଭାବି ଚାଲିଛନ୍ତି । ସମ୍ବାଦପତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ଦ୍ଦିଷ୍ଟ ରାଜନୈତିକ ମତବାଦ ବା ମତବିଭ୍ରାନ୍ତିର ପ୍ରବକ୍ତା । ରାଜନୀତି କ୍ଷେତ୍ରକୁ ବେଶି ଶିକ୍ଷିତ, ଦୂରଦୃଷ୍ଟି ସଂପନ୍ନ ଲୋକ ଆସୁନାହାନ୍ତି ଏବଂ ଯେଉଁମାନେ ଆସୁଛନ୍ତି ସେମାନେ ନର୍ସରି ସ୍କୁଲ୍‌ର ପିଲାଏ ‘ଏ ଫର୍‌ ଆପଲ୍‌, ବି ଫର୍‌ ବ୍ୟାଟ୍‌’ ପଢ଼ିବା ପରି ‘ଜ’ରେ ଜିନ୍ଦାବାଦ ଓ ‘ମ’ରେ ମୁର୍ଦାବାଦ ପରି ଶବ୍ଦ ଘୋଷୁଛନ୍ତି । ଏ ଅବସ୍ଥାରେ ଶିକ୍ଷାନୁଷ୍ଠାନ, ଶିକ୍ଷିତ ସଂପ୍ରଦାୟ ଓ ବୁଦ୍ଧିଜୀବୀମାନେ ନିରବ ରହିଲେ ଲୋକଙ୍କୁ ବାଟ ଦେଖାଇବ କିଏ ? ନିଜେ ନିଜକୁ ସମାଲୋଚନା କରି ଆନନ୍ଦ ପାଇବାର ମାନସିକତାରୁ ମୁକ୍ତିର ପଥ ଦେଖାଇବ କିଏ ?

 

ଏହି ଲେଖକର ବ୍ୟକ୍ତିଗତ ଧାରଣା ଯେ ଓଡ଼ିଶାର ଶିକ୍ଷିତ ସଂପ୍ରଦାୟ ଅଧିକ ସକ୍ରିୟ ହେବା ପ୍ରୟୋଜନ ଏବଂ ଅଧିକରୁ ଅଧିକ ସଫଳ ବ୍ୟକ୍ତି ରାଜନୀତି କ୍ଷେତ୍ରକୁ ଆସିବା ଦରକାର । ରାଜନୀତି କହିଲେ କେବଳ କ୍ଷମତା ରାଜନୀତି ତ ନୁହେଁ ! ଅନେକ ଲୋକ ମନେ କରନ୍ତି ଯେ ରାଜନୀତି ଆଉ ଭଲ ଲୋକଙ୍କ ଜାଗା ହୋଇ ରହିନାହିଁ । ଏ ସଂପର୍କରେ ଟୟନ୍‌ବୀ ମହାତ୍ମା ଗାନ୍ଧିଙ୍କର ଉଦାହରଣ ଦେଇଛନ୍ତି । ମହାତ୍ମା ଗାନ୍ଧି ଜୀବନର ଶେଷ ପର୍ଯ୍ୟନ୍ତ ରାଜନୀତିରେ ଥିଲେ । ସେ ପୁଣି କିଭଳି ନିଷ୍କଳଙ୍କ ରହିପାରିଲେ ? ଶିକ୍ଷିତ ଲୋକଙ୍କର ସକ୍ରିୟତା ସାଙ୍ଗକୁ ଓଡ଼ିଶାରେ ମୁକ୍ତମତ ପ୍ରକାଶର ପରିବେଶ ଓ ପ୍ରସାରର ପରିସର ନିର୍ମାଣ ହେବା ଦରକାର । ଉଭୟ ବୈଷୟିକ ଏବଂ ବୌଦ୍ଧିକ ଭିତ୍ତିଭୂମିର ନିର୍ମାଣ ପାଇଁ ପ୍ରତ୍ୟେକଙ୍କୁ ସକ୍ରିୟ ହେବାକୁ ପଡ଼ିବ । ଅଠାବନ ବର୍ଷ ନ ପୂରିବା ଯାଏ ସରକାରୀ ଅଫିସରମାନେ ମୁହଁ ଖୋଲିବେ ନାହିଁ, ଦଳୀୟ ଶୃଙ୍ଖଳାକୁ ଏଡ଼େଇ ରାଜନେତାମାନେ ସତ କଥା କହିବେ ନାହିଁ ଏବଂ ବଦଳିକୁ ଡରି କନିଷ୍ଠ କର୍ମଚାରୀମାନେ ବରିଷ୍ଠଙ୍କ ଅନ୍ୟାୟ କଥାକୁ ମାନି ଚାଲିଥିବେ- ଏହା କଦାପି ଓଡ଼ିଆ ସଂସ୍କୃତି ନୁହେଁ । ଏକଥା ସତ ଯେ ଓଡ଼ିଶାର ପରିସ୍ଥିତି ଏବେ ଖୁବ୍‌ ନୈରାଶ୍ୟଜନକ ମନେ ହେଉଛି । ମାତ୍ର ବୁଦ୍ଧିଜୀବୀ ଓ ଶିକ୍ଷିତ ସମାଜର କାମ ହେଉଛି ନୈରାଶ୍ୟଜନକ ପରିବେଶରେ ଆଶା ଓ ସମ୍ଭାବନାର ଆଲୋକ ବିକିରଣ କରିବା, ସାହସ ଓ ଆତ୍ମପ୍ରତ୍ୟୟ ଯୋଗାଇ ଦେବା । ଏ କାମ ହେଉଛି ମହମବତି ବିକାଳିର କାମ ପରି । ମହମବତି ବିକାଳି ପାଇଁ କିଟି କିଟି ଅନ୍ଧାର ପରିବେଶଠାରୁ ଅନୁକୂଳ ପରିବେଶ ଆଉ ବା କ’ଣ ହୋଇପାରେ ?

 

ସମ୍ବାଦ, ୩ ଫେବ୍ରୁଆରି, ୨୦୦୦

Image

 

ଉତ୍କଳ ଦିବସ: ଉଜୁଡ଼ା ପାଦଟୀକା

 

ଆଜି ମୋର ନୂଆ କିଛି କହିବାର ନାହିଁ । ଜଣେ ଓଡ଼ିଆ ଭାବରେ ମୁଁ କେବଳ ମୋର ପୂର୍ବଜମାନଙ୍କର କିଛି ଉଜୁଡ଼ି ଯାଇଥିବା ସ୍ୱପ୍ନ, କିଛି ମୁରୁଝି ମଉଳି ଯାଇଥିବା ଆଶା ଏବଂ କିଛି ଭାଙ୍ଗିରୁଜି ଯାଇଥିବା କଳ୍ପନାର କଥା କହିବି । ମୁଁ ଜାଣେ, ସେହି ଭଙ୍ଗାରୁଜା କଳ୍ପନା, ମୁରୁଝି ମଉଳି ଯାଇଥିବା ଆଶା ଓ ଉଜୁଡ଼ି ଯାଇଥିବା ସ୍ୱପ୍ନରେ ଆମ ସମସ୍ତଙ୍କର ଚେହେରା ବିଭଙ୍ଗ ବିଷଣ୍ଣ ଦିଶିବ; କରୁଣ ହେବ ସେସବୁକୁ ପୁଣି ଥରେ ପଢ଼ି ବସିବାର ଅନୁଭବ; କିନ୍ତୁ ଉପାୟ ନାହିଁ । କୌଣସି ଜିନିଷ ଭାଙ୍ଗିରୁଜି ଗଲାବେଳେ, ସେ ହେଉପଛେ କାଚ ଗିଲାସ କି ମାଟି କଣ୍ଢେଇଟିଏ, କେବଳ ସେ ଜିନିଷର ମାଲିକକୁ କଷ୍ଟ ହୁଏ ନାହିଁ, ଭାଙ୍ଗି ଯାଉଥିବା କାଚ ଗିଲାସକୁ ବି କଷ୍ଟ ହୁଏ, ମାଟି କଣ୍ଢେଇଟିକୁ ମଧ୍ୟ କଷ୍ଟ ହୁଏ ।

 

ଆଜି ଅପ୍ରେଲ୍‌ ପହିଲା, ଉତ୍କଳ ଦିବସ । ବର୍ଷ ବର୍ଷ ଧରି ଆମେ ଏହି ଅପ୍ରେଲ୍‌ ପହିଲାକୁ ଏକ ପର୍ବ ରୂପେ ପାଳନ କରିଆସୁଛୁ କଟକ, ଭୁବନେଶ୍ୱରରେ, ବ୍ରହ୍ମପୁର ଓ ରାୟଗଡ଼ାରେ । ୧୯୩୬ ମସିହାରେ ଏହି ପର୍ବ ପାଳନ କରିବା ପଛରେ ଯେଉଁ ଶ୍ରଦ୍ଧା ଓ ଆଦର, ଯେଉଁ ଆବେଗ ଓ ଭାବପ୍ରବଣତା ଥିଲା, ଆଜି ସେସବୁ କିଛି ନାହିଁ । ଆଜି ଅପ୍ରେଲ୍‌ ପହିଲା କେବଳ ଏକ ଉପଚାର, ଓଡ଼ିଶାର ଏକ ଦାପ୍ତରିକ ଉତ୍ସବ । ସେତିକି ହୋଇ ଯଦି ଅପ୍ରେଲ୍‌ ପହିଲା ଓଡ଼ିଶାର ସବୁ ଜିଲ୍ଲା, ସବୁ ସବ୍‌ଡିଭିଜନ୍‌ରେ ପାଳିତ ହୁଅନ୍ତା, ତାହାହେଲେ ସୁଦ୍ଧା ସାନ୍ତ୍ୱନାର କିଛି ଅବକାଶ ରହନ୍ତା । ମାତ୍ର ସେତକ ସୁଦ୍ଧା ହେଉନାହିଁ । ଦିନେ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସମ୍ବଲପୁରରେ ଉତ୍କଳ ଦିବସ ପାଳିତ ହୁଏନାହିଁ । ଇଏ ବିଡ଼ମ୍ବନା କେବଳ ଆଜିର ନୁହେଁ କି କାଲିର ନୁହେଁ, ବର୍ଷ ବର୍ଷର । ବର୍ଷ ବର୍ଷ ଧରି ଅପ୍ରେଲ୍‌ ପହିଲା ଓଡ଼ିଶାର ପଶ୍ଚିମ ଭୂଖଣ୍ଡରୁ ନିର୍ବାସିତ ।

 

ଆଜି ଏକଥା ଶୁଣିଲାବେଳେ ଆପଣଙ୍କର ବିଶ୍ୱାସ ହୋଇ ନପାରେ, ଏକଥା କହିଲା ବେଳେ ମୋର ବି ବିଶ୍ୱାସ ହେଉନାହିଁ; କାରଣ, ଯେଉଁ ଓଡ଼ିଶାର ଅନେକ ଅଞ୍ଚଳ ଏବେବି ରହିଛି ଆନ୍ଧ୍ର ଓ ମଧ୍ୟପ୍ରଦେଶରେ, ବିହାର ଓ ପଶ୍ଚିମବଙ୍ଗରେ, ଯେଉଁ ଓଡ଼ିଶାର ଅସମ୍ପୂର୍ଣ୍ଣ ଚେହେରା ଏବେ ବି ସମ୍ପୂର୍ଣ୍ଣ ହୋଇନାହିଁ, ସେହି ଓଡ଼ିଶାର ଭାଗଭାଗ ହେବାର ପ୍ରକ୍ରିୟା ଆରମ୍ଭ ହୋଇଯିବାର ଦୁଃସମ୍ବାଦ ଆମର କାହାରି ବିଶ୍ୱାସ ହେବନାହିଁ । ମାତ୍ର ତାହାହିଁ ତଥ୍ୟ ଓ ସତ୍ୟ । କାରଣ ଯାହା ହୋଇଥାଉ ନା କାହିଁକି, ଆଜି ବିଚ୍ଛିନ୍ନତାବାଦର ସ୍ୱର କୋଶଳ ପାଇଁ, ଝାଡ଼ଖଣ୍ଡ ପାଇଁ । ଓଡ଼ିଶାର ମିଶ୍ରଣ ପ୍ରଶ୍ନ ପୁରୁଣା ହୋଇଗଲାଣି ।

 

ଓଡ଼ିଶା କ’ଣ କେବଳ ଗୋଟିଏ ଭୌଗୋଳିକ ଭୂଖଣ୍ଡ ? ନିର୍ଦ୍ଦିଷ୍ଟ ଭାଷାଭାଷୀ ସାଢ଼େ ତିନିକୋଟି ଲୋକଙ୍କର ଗୋଟେ ମେଲଣ ? କିଛି ପାହାଡ଼, ପର୍ବତ ଓ ନଈର ମାନଚିତ୍ର ? ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ପରି କିଛି ମନ୍ଦିରର ପର୍ଯ୍ୟଟନ କ୍ଷେତ୍ର ? ୫୩୦ କିଲୋମିଟରର ବିସ୍ତୀର୍ଣ୍ଣ ବେଳାଭୂମି ? ଓଡ଼ିଶା କ’ଣ ? ଏଗୁଡ଼ିକ ଭିତରୁ କେଉଁଠି ଅଛି ଓଡ଼ିଶା ? ଏ ସବୁଥିରେ ଓଡ଼ିଶା ଅଛି, ଅଥଚ କେଉଁଟି ସମ୍ପୂର୍ଣ୍ଣ ଓଡ଼ିଶା ନୁହେଁ । କାରଣ ଓଡ଼ିଶା ହେଉଛି ଜଗନ୍ନାଥ ବିଗ୍ରହର ସେଇ ନାଭିବ୍ରହ୍ମ, ଯାହା ଥିଲେ ଦାରୁ ପାଲଟନ୍ତି ଦେବତା, ଯାହା ନଥିଲେ ଦେବ ବିଗ୍ରହ ପାଲଟେ ଦାରୁଖଣ୍ଡ-। ଓଡ଼ିଶା ସେହି ସାଂସ୍କୃତିକ ଆବେଗ, ସେଇ ଭାବପ୍ରବଣତା ଯାହା ଥିଲେ ହିଁ ଭୂଗୋଳ, ମାନଚିତ୍ର ଓ ଲୋକ ସମଷ୍ଟିକୁ ତାହା ଗୋଟେ ଜାତିରେ ପରିଣତ କରିଦିଏ ଓ ଯାହା ଅନ୍ତର୍ହିତ ହୋଇଗଲେ ଗୋଟେ ଜାତି ପାଲଟିଯାଏ ସଂପୃକ୍ତିହୀନ ପ୍ଲାଟ୍‌ଫର୍ମ, ମେଳା କି ମେଲଣ ।

 

ସମ୍ବଲପୁର କଥା କହିଲାବେଳେ ଗଙ୍ଗାଧର ମେହେରଙ୍କର କଥା ମନେପଡୁଛି । ଆପଣମାନେ ସମସ୍ତେ ଜାଣନ୍ତି, କିଭଳି ଭାବରେ ଏ ରାଜ୍ୟରୁ ଓଡ଼ିଆ ଭାଷାକୁ ବିଦାୟ ଦେବାର ଷଡ଼ଯନ୍ତ୍ର ହୋଇଥିଲା, କିଭଳି ଭାବରେ ଓଡ଼ିଆ ଭାଷାର ଫାଶୀମଞ୍ଚ ତିଆରି ହୋଇଥିଲା କଲିକତାରେ, ଛୋଟନାଗପୁରରେ ଓ ମାନ୍ଦ୍ରାଜରେ । ସେତେବେଳେ ହିନ୍ଦୀ ଭାଷାକୁ ଜୋରଜବରଦସ୍ତ ଲଦି ଦିଆଯିବାକୁ ଚେଷ୍ଟା କରାଯାଇଥିଲା ସମ୍ବଲପୁର ଉପରେ । କାରଣ ସମ୍ବଲପୁର ସେତେବେଳେ ନାଗପୁର ଶାସନର ଅଧୀନ । ଏହା ପୂର୍ବରୁ ଓଡ଼ିଶାର ଇତିହାସ ସଂପର୍କରେ ଦୁଇ ଚାରି ପଦ କଥା କହିବି । ଓଡ଼ିଶାର ରାଜପରମ୍ପରା ଅସ୍ତମିତ ହୋଇଗଲା ପରେ ପ୍ରଥମେ ଏ ରାଜ୍ୟକୁ ଆସିଛନ୍ତି ଆଫଗାନ୍‌ ଶାସକ, ତାଙ୍କ ପରେ ମୋଗଲ, ମୋଗଲଙ୍କ ପରେ ମରହଟ୍ଟା ଓ ମରହଟ୍ଟାଙ୍କ ପରେ ୧୮୦୩ରେ ଇଂରେଜ ଶାସନ । ୧୮୩୮ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଉଲ୍ଲେଖନୀୟ ସ୍କୁଲ୍‌ ନଥିଲା । ସେତେବେଳେ ପାର୍ସୀ ଥିଲା ଓଡ଼ିଶାର ସରକାରୀ ଭାଷା । ଓଡ଼ିଆମାନେ ନିଜ ପରମ୍ପରା, ନିଜର ଐତିହ୍ୟ ବିଷୟରେ ବେଶି କିଛି ଜାଣିବାର ସୁଯୋଗ ପାଉ ନଥିଲେ, ଯାହାର ସୁଯୋଗ ନେଇ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମଧ୍ୟ ସେମାନଙ୍କ ଶିଳ୍ପୀକୁଳର କୀର୍ତ୍ତି ବୋଲି ପ୍ରତିବେଶୀମାନେ ଦାବି କରୁଥିଲେ । ୧୮୫୦ ପର୍ଯ୍ୟନ୍ତ ଓଡ଼ିଶାର ଅବସ୍ଥା ଏଭଳି ଥିଲା, ଯେଉଁ ରାଜ୍ୟରେ ମାସକୁ ୧୦ ଟଙ୍କା ଉପାର୍ଜନ କଲାଭଳି କୌଣସି ରାଜ କର୍ମଚାରୀ ନଥିଲେ । ସେତେବେଳେ ଓଡ଼ିଆଙ୍କ ଉପରେ କୁସଂସ୍କାର ଲଦି ଦିଆଯାଇଥିଲା । ସେମାନେ ମ୍ଳେଚ୍ଛ ଭାଷା କହି ଇଂରାଜି ଭାଷା ଶିକ୍ଷା କରୁ ନଥିଲେ । ଇଂରାଜି ଭାଷା ଶିକ୍ଷା କରୁ ନଥିବାରୁ ନିଜର ସୁଖଦୁଃଖ, ସମସ୍ୟା ଓ ସଂକଟର କଥା ପ୍ରତ୍ୟକ୍ଷ ଭାବେ ସରକାରଙ୍କୁ ଜଣାଇପାରୁ ନଥିଲେ ଏବଂ ଏହି ସୁଯୋଗର ସମ୍ପୂର୍ଣ୍ଣ ସଦୁପଯୋଗ କରି ପ୍ରତିବେଶୀମାନେ ଓଡ଼ିଆ ଭାଷାକୁ ଜୀବନ୍ତ ସମାଧି ଦେବାପାଇଁ ଉଦ୍ୟମ କରିଥିଲେ ।

 

ସେ ଥିଲା ୧୮୯୪ ମସିହା । କଟକର କଲେକ୍ଟର ଥାଆନ୍ତି ମିଷ୍ଟର ବାଉରିଙ୍ଗ । ସେ ନିର୍ଦେଶ ଦେଲେ, ଓଡ଼ିଆମାନେ ବଙ୍ଗଳା ଭାଷା ଶିଖନ୍ତୁ । ୧୮୫୦ ମସିହାରେ ମେମ୍ବର ବୋର୍ଡ଼ ଅଫ୍‌ ରେଭେନ୍ୟୁ ମିଃ ହେନେରି ରିକେଟ୍‌ ଯୁକ୍ତି କଲେ, ଏମାନେ ହିନ୍ଦୀ ଶିଖନ୍ତୁ । ୧୮୬୯ ମସିହାରେ ବାଲେଶ୍ୱର ଗଭର୍ଣ୍ଣମେଣ୍ଟ ସ୍କୁଲ୍‌ରେ କାର୍ଯ୍ୟ କରୁଥିବା ଜନୈକ ଶିକ୍ଷକ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ଯୁକ୍ତି କଲେ, ଓଡ଼ିଆ ଗୋଟିଏ ସ୍ୱତନ୍ତ୍ର ଭାଷା ନୁହେଁ । କିନ୍ତୁ ଏହା ଯେ କେବଳ ସେହି ଶିକ୍ଷକଙ୍କର ଯୁକ୍ତି ଥିଲା, ତାହା ଭାବିବା ଭୁଲ୍‌ । ଏହା ପଛରେ ଏକ ବିଧିବଦ୍ଧ ଯୋଜନା ଥିଲା । କାରଣ ଏହା ପରେ ପରେ ବଙ୍ଗଳାର ପ୍ରସିଦ୍ଧ ବିଦ୍ୱାନ ରାଜେନ୍ଦ୍ରଲାଲ ମିତ୍ର କଟକ ଡିବେଟିଂ ସୋସାଇଟିରେ ଭାଷଣ ଦେଇ କହିଲେ, ଉତ୍କଳର ହିତାକାଂକ୍ଷୀମାନେ ଓଡ଼ିଆ ଭାଷା ଉଠେଇ ଦେଇ ବଙ୍ଗଳା ଭାଷା ପ୍ରଚଳନ ଲାଗି ଉଦ୍ୟମ କରିବା ଦରକାର । ତାଙ୍କର ଯୁକ୍ତି ହେଲା, ଓଡ଼ିଆ ଭାଷାରେ କିଛି ନାହିଁ, ଏ ଭାଷାରେ ବର୍ଷକୁ ତିନି ଚାରିଟା ବହି ବାହାରିବା ବେଳକୁ ବଙ୍ଗଳା ଭାଷାରେ ତିନିଶହ କି ଚାରିଶହ ବହି ବାହାରୁଛି । ତେଣୁ ଓଡ଼ିଆ ପରି ଏକ ଦୁର୍ବଳ ଭାଷାର ଭବିଷ୍ୟତ ଅନ୍ଧାର ! ଏ ପ୍ରକାର ଯୁକ୍ତି ଦ୍ୱାରା ଯେତେବେଳେ ଓଡ଼ିଶାର ପୂର୍ବାଞ୍ଚଳ ଓ ଉପକୂଳ ଓଡ଼ିଶା ଉପରେ ବଙ୍ଗଳା ଭାଷାକୁ ଲଦି ଦିଆଯାଉଥିଲା, ସେତେବେଳେ ପଶ୍ଚିମ ଓଡ଼ିଶାରେ ହିନ୍ଦୀକୁ ମଧ୍ୟ ଲଦି ଦିଆଯାଉଥିଲା-। ମଧ୍ୟପ୍ରଦେଶର ଚିଫ୍‌ କମିସନର ମିଷ୍ଟର ଉଡ୍‌ବରଣ ସେଠାରୁ ବିଦାୟ ନେବା ଆଗରୁ ଓଡ଼ିଆ ଭାଷା କିପରି ଲୋପ ପାଇଯିବ, ତା’ର ସମସ୍ତ ବ୍ୟବସ୍ଥା କରିଯାଇଥିଲେ । ସେତିକିବେଳେ କବି ଗଙ୍ଗାଧର ମେହେର ଲେଖିଥିଲେ –

 

ନିଜ ଘରେ ବସି ନିର୍ବାସନ ଦୁଃଖ ଆମ୍ଭ କି ଲଲାଟ ଲେଖନ

ମାତୃଭାଷା ମନା ଭାଇ ସଙ୍ଗ ବିନା ବିକଳ ହେଉଛି ଜୀବନ ।

ହିନ୍ଦୀ ସରସ୍ୱତୀ ମୋ ଛାତିରେ ବସି କରିବ ପରା ରାଜତ୍ୱ

ମୋ ଆଶାକାନନ ଭସ୍ମରାଶି ହେବ ତା’ ନବ ଉଦ୍ୟାନେ ଖତ ।

 

ସ୍ୱତନ୍ତ୍ର ଓଡ଼ିଶା ଗଠନର ଇତିହାସ ଏବଂ ଆଧୁନିକ ଓଡ଼ିଶାର ଦୁର୍ଭାଗ୍ୟ ପ୍ରସଙ୍ଗକୁ ଆସିବା ଆଗରୁ ମୁଁ ଆଉଥରେ ଓଡ଼ିଶାର ଇତିହାସ ପାଖକୁ ଆପଣମାନଙ୍କୁ ନେଇଯିବା ଲାଗି ଚାହେଁ । ମୋର ବକ୍ତବ୍ୟ ଆରମ୍ଭରେ ମୁଁ ଆପଣଙ୍କ ଆଗରେ ଏକ ପ୍ରଶ୍ନ ରଖିଥିଲି - ଓଡ଼ିଶା କ’ଣ ? ଏ ରାଜ୍ୟର ଇତିହାସ କ’ଣ ? ଉତ୍କଳ, କଳିଙ୍ଗ ଓ ଉଡ୍ରହୋଇ ଓଡ଼ିଶାର ଅସ୍ତିତ୍ୱ ମହାଭାରତରେ ମଧ୍ୟ ଦେଖିବାକୁ ମିଳେ । ଏହା ଏକ ବହୁ ପ୍ରାଚୀନ ରାଜ୍ୟ । କଳିଙ୍ଗର ରାଜା ଶ୍ରୁତିଯୁଦ୍ଧ ମହାଭାରତ ଯୁଦ୍ଧରେ କୌରବମାନଙ୍କ ପକ୍ଷରୁ ଲଢ଼େଇ କରି ପୁତ୍ର ଭାନୁମାନ ଓ କେତୁମାନ୍‌ ସହ ଭୀମଙ୍କ ହାତରେ ନିହତ ହୋଇଥିଲେ । ମହାଭାରତ ଯୁଦ୍ଧ ପରେ କ୍ଷତ୍ରିୟ ରାଜବଂଶୀମାନେ ଏଠାରେ ଶାସନ କରୁଥିଲେ ଏବଂ ଖ୍ରୀଷ୍ଟପୂର୍ବ ୩୬୨ରେ ମଗଧର ରାଜା ମହାପଦ୍ମାନନ୍ଦ, କଳିଙ୍ଗର ଶେଷ କ୍ଷତ୍ରିୟ ରାଜାଙ୍କୁ ପରାହତ କରି କଳିଙ୍ଗକୁ ଦଖଲ କରିଥିଲେ । ତା’ପରଠାରୁ କଳିଙ୍ଗ ହେଲା ମଗଧର ଗୋଟିଏ ଅଂଶ । ନନ୍ଦବଂଶର ଉତ୍ତରାଧିକାରୀମାନେ କଳିଙ୍ଗ ଭୋଗ କରୁଥିବା ବେଳେ, ଶେଷ ନନ୍ଦରାଜାଙ୍କ ସମୟରେ ଚାଣକ୍ୟ ଶିଷ୍ୟ ଚନ୍ଦ୍ରଗୁପ୍ତ ବିଦ୍ରୋହ କରିଥିଲେ । ମଗଧରେ ବିପ୍ଳବ ଆରମ୍ଭ ହେଲା ଓ ସେହି ସୁଯୋଗରେ କଳିଙ୍ଗ ନିଜକୁ ସ୍ୱାଧୀନ ରାଜ୍ୟ ଭାବେ ଘୋଷଣା କଲା । ଚନ୍ଦ୍ରଗୁପ୍ତଙ୍କ ସମୟ ଚାଲିଗଲା, ତାଙ୍କ ପରେ ତାଙ୍କର ପୁଅ ବିମ୍ବିସାର ହେଲେ ମଗଧର ରାଜା । ସେ କିନ୍ତୁ କଳିଙ୍ଗ ଦଖଲ ପାଇଁ ସାହସ କରି ନଥିଲେ । କେତେକ ମତ ଦିଅନ୍ତି, କଳିଙ୍ଗର ସାମରିକ ସାମର୍ଥ୍ୟ ସଂପର୍କରେ ସ୍ପଷ୍ଟ ଧାରଣା ନଥିବାରୁ ସେ ଦୁଃସାହସ କରି ନଥିଲେ; ଆଉ କେତେକ କହନ୍ତି କଳିଙ୍ଗର ଶକ୍ତି ସାମର୍ଥ୍ୟ ସମ୍ପର୍କରେ ସ୍ପଷ୍ଟ ଧାରଣା ଥିବାରୁ ସେ ଏଥିରୁ ନିବୃତ୍ତ ରହିଥିଲେ । ବିମ୍ବିସାରଙ୍କ ପରେ ତାଙ୍କ ପୁଅ ଅଶୋକ ହେଲେ ମଗଧର ସମ୍ରାଟ । ସେ କଳିଙ୍ଗ ଆକ୍ରମଣ କରି ଏହାକୁ ଜୟ କଲେ ଏବଂ କଳିଙ୍ଗ ଜୀନ ମୂର୍ତ୍ତିକୁ ମଗଧ ନେଇଯାଇଥିଲେ ।

 

କଳିଙ୍ଗ ଯୁଦ୍ଧ ବିଷୟରେ ଆପଣମାନଙ୍କୁ ବିଶେଷ କିଛି କହିବାର ନାହିଁ । ତାହା ଆମମାନଙ୍କର ସମସ୍ତଙ୍କର ପରିଚିତ ଏକ କରୁଣ ଇତିହାସ । କିନ୍ତୁ ମୁଁ କଳିଙ୍ଗର ସ୍ୱାଭିମାନ କଥା କହିବାକୁ ଚାହେଁ । ଯେଉଁ କଳିଙ୍ଗ ଅଶୋକଙ୍କ ସହ ଯୁଦ୍ଧ କରି ନିଜର ଲକ୍ଷେ ନାଗରିକଙ୍କୁ ହରାଇଥିଲା ଓ ଦେଢ଼ ଲକ୍ଷ ନାଗରିକଙ୍କୁ ବନ୍ଦୀ ଅବସ୍ଥାରେ ଦେଖିଥିଲା, ସେହି କଳିଙ୍ଗ ତା’ର ଏ ଅପମାନକୁ ସହଜରେ ଭୁଲି ନଥିଲା । ଦୁଇ ଶହ ବର୍ଷ ପରେ ମହାବେଘବାହନ ଖାରବେଳଙ୍କ ଜରିଆରେ ମଗଧ-ବିଜୟର ସ୍ପର୍ଧା ପୋଷଣ କରିପାରିଲା କଳିଙ୍ଗ । ଐର ଖାରବେଳ ମଗଧ ଜିଣିଲେ ଓ ମଗଧର ରାଜା ବୃହସ୍ପତି ମିତ୍ର ତାଙ୍କ ନିକଟରେ ଆସି ଆତ୍ମସମର୍ପଣ କଲେ । ଏହା ପରେ କଳିଙ୍ଗର ଶାସନ ଭାର ଗ୍ରହଣ କରିଛନ୍ତି ବହୁ ରାଜା ଓ ସମ୍ରାଟ । ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜା ଅନଙ୍ଗଭୀମଦେବ ଓ କପିଳେନ୍ଦ୍ର ଦେବଙ୍କ ରାଜତ୍ୱରେ ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି । ପୁଣି ପ୍ରତାପରୁଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଛି ଅବକ୍ଷୟ, ଯେତେବେଳେ ସଂଗ୍ରାମ ନୁହେଁ ସଂକୀର୍ତନ ହୋଇପଡ଼ିଛି ରାଜାଙ୍କର ପ୍ରଥମ ପ୍ରାଥମିକତା-। ପୁରୁଷୋତ୍ତମ ଦେବ ଓ ପଦ୍ମାବତୀଙ୍କ ପ୍ରେମ-ପ୍ରଣୟରୁ ଜନ୍ମ ପ୍ରତାପରୁଦ୍ରଙ୍କ ସମୟରୁ କଳିଙ୍ଗ ସାମ୍ରାଜ୍ୟ ଖଣ୍ଡବିଖଣ୍ଡିତ ହେବା ଆରମ୍ଭ ହୋଇଛି ଏବଂ ଯାଜପୁର ଗୋହିରାଟିକିରୀ ଯୁଦ୍ଧରେ ସୁଲେମାନ କରଣୀଙ୍କ ଦ୍ୱାରା ପରାଜିତ ମୁକୁନ୍ଦଦେବଙ୍କ ମୃତ୍ୟୁ ହିଁ ଓଡ଼ିଶାର ଶେଷ ସ୍ୱାଧୀନ ସମ୍ରାଟଙ୍କ ରାଜତ୍ୱରେ ଯବନିକା ଟାଣିଛି । ଇଏ ହେଉଛି ୧୫୬୭-୬୮ର କଥା ।

 

ଏହା ପରର ଓଡ଼ିଶାର ଇତିହାସ ଦୁର୍ଭାଗ୍ୟର ଇତିହାସ । ଆପଣମାନେ ବିଶ୍ୱାସ କରିପାରିବେ ନାହିଁ, ଯେଉଁ ଓଡ଼ିଶାର ସୀମାନ୍ତ ଆଡ଼କୁ ଚାହିଁବା ଲାଗି ଦିନେ କାହାର ସାହସ ହେଉ ନଥିଲା, ସେହି ଓଡ଼ିଶାର ଗଜପତିଙ୍କୁ ପରାସ୍ତ କରି ତାଙ୍କ ଝିଅକୁ ମୋଗଲ ଦରବାରକୁ ପଠେଇବା ଲାଗି ପ୍ରସ୍ତାବ ଦେବାର ଦୁଃସାହସ ହୋଇଥିଲା ୧୬୦୭ରେ । ସେତେବେଳେ ଜାହାଙ୍ଗୀର ଥାଆନ୍ତି ଦିଲ୍ଲୀର ସମ୍ରାଟ୍‌ । ବର୍ଷ ବର୍ଷ ଧରି ଓଡ଼ିଶାକୁ ଜିଣିବାର କାମନା ପୋଷଣ କରିଆସୁଥିବା ଶକ୍ତିମାନେ ଏହା ପରଠୁଁ ପ୍ରବଳ ହୋଇଥିଲେ । ତା’ପରେ ଚାଲିଲା ଓଡ଼ିଶାକୁ ଖଣ୍ଡ ଖଣ୍ଡ କରିବାର ଯୋଜନା । ୧୫୭୧ରେ ପ୍ରଥମ ଗଞ୍ଜାମ ଗୋଲକୋଣ୍ଡାମାନଙ୍କ ଦ୍ୱାରା ଅଧୀକୃତ ହେଲା । ସେହିଦିନଠାରୁ ୩୬୫ ବର୍ଷ ପର୍ଯ୍ୟନ୍ତ ଗଞ୍ଜାମ ଅଲଗା ହୋଇ ରହିଲା ଓଡ଼ିଶାର କେନ୍ଦ୍ର ଭୂଖଣ୍ଡରୁ । ସପ୍ତଦଶ ଶତାବ୍ଦୀରେ ସୁବର୍ଣ୍ଣରେଖା ସେପଟ ଅଞ୍ଚଳ ମୁସଲମାନଙ୍କ ଶାସନକୁ ଚାଲିଗଲା । ଏହାପରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଯେତିକି ରହିଲା ତାକୁ ମଧ୍ୟ ବ୍ରିଟିଶ ସରକାର ଭାଗ ଭାଗ କରି ୫ଟି ଶାସନ ଅଧୀନରେ ରଖିଦେଲେ–

 

୧.

ବେଙ୍ଗଲ-ଓଡ଼ିଶା ଡିଭିଜନ୍‌

୨.

ଛୋଟନାଗପୁର ଡିଭିଜନ୍‌

୩.

ସେଣ୍ଟ୍ରାଲ ପ୍ରଭିନ୍‌ସ

୪.

ମାଡ୍ରାସ୍‌ ପ୍ରଭିନ୍‌ସ

୫.

ଗଡ଼ଜାତ ଅଞ୍ଚଳ

 

ଏଭଳି ଭାବରେ ଗଙ୍ଗାଠୁଁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଓଡ଼ିଶା ଭାଗ ଭାଗ ହୋଇ କ୍ଷୁଦ୍ର ଅଂଶମାନଙ୍କରେ ପରିଣତ ହେଲା । ଏହି ପ୍ରକ୍ରିୟାରେ କେବଳ ଭୂଗୋଳ ନୁହେଁ, ସେମାନଙ୍କର ଶକ୍ତି, ସାମର୍ଥ୍ୟ, ଅଭିମାନ ଓ ସଂଗଠନ ଦକ୍ଷତା ମଧ୍ୟ ଖଣ୍ଡ ଖଣ୍ଡ ହୋଇଗଲା ।

 

ସମୟେ ସମୟେ ଦୁର୍ଯ୍ୟୋଗ ମଧ୍ୟ ଗୋଟିଏ ସୁଯୋଗର ସୂତ୍ରପାତ କରେ । ଦୁର୍ଘଟଣାର ଭିଡ଼ ଭିତରୁ ମୁକ୍ତିର ସୂତ୍ର ମିଳେ । ୧୮୬୬ରେ ସେଇଆ ହୋଇଥିଲା । ୧୮୬୬ର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଏକ ତୃତୀୟାଂଶ ଲୋକଙ୍କୁ ମାରିଦେଇଥିଲା । କୁକୁର, ବିଲୁଆ ପରି ମଣିଷମାନେ ବାଟରେ ଘାଟରେ ପଡ଼ି ମରିଗଲେ । କାରଣ ବ୍ରିଟିଶ୍‌ ସରକାର ଏଭଳି ଅବସ୍ଥାର ପୂର୍ବାନୁମାନ କରିପାରିଲେ ନାହିଁ । ଓଡ଼ିଶାରେ ଖବରକାଗଜ ନଥିଲା, ଯୋଗାଯୋଗ ବ୍ୟବସ୍ଥା ନଥିଲା, ଓଡ଼ିଶା ସେତେବେଳେ ବଙ୍ଗଳାର ଗୋଟିଏ ଦୟନୀୟ ଉପାଙ୍ଗ ମାତ୍ର । ଦୁର୍ଭିକ୍ଷର ମୁକାବିଲା ପାଇଁ କେବଳ ଜଳପଥରେ ଚାଉଳ ଆସିବା ସୁବିଧା ଥିଲା । କିନ୍ତୁ ସରକାରୀ କାଇଦା କଟକଣାରେ ଚାଉଳ ଆସି ପହଞ୍ଚିଲା ବେଳକୁ ବର୍ଷା ଦିନ ଆସିଯାଇଥିଲା । ଫଳ ସ୍ୱରୂପ ସେସବୁ ଜାହାଜରୁ ଓହ୍ଲାଯାଇ ପାରିଲା ନାହିଁ । ଲୋକମାନେ ପୋକମାଛି ପରି ମଲେ । ଇଂରେଜ ସରକାର ନିଜେ ସ୍ୱୀକାର କଲେ ଯେ ଏ ଘଟଣା ତାଙ୍କ ଶାସନର ଏକ କଳା ଦାଗ । ଗ୍ଲାନିଜର୍ଜରିତ ବ୍ରିଟିଶ ଶାସକ ଟି.ଇ. ରେଭେନ୍‌ସା ଓଡ଼ିଶା ପ୍ରତି ଉଦାର ଭାବ ପୋଷଣ କଲେ । ଉତ୍କଳ ଦୀପିକା ପ୍ରକାଶ ପାଇଲା ଏବଂ ଓଡ଼ିଶା ବୋଲି ଗୋଟିଏ ଅଞ୍ଚଳ ଅଛି, ସେକଥା ଇଂରେଜ ଶାସକମାନେ ଗୁରୁତ୍ୱର ସହ ହେଜିଲେ ।

 

ମାତ୍ର ଓଡ଼ିଆ ଭାଷାର ସୁରକ୍ଷା ପ୍ରଶ୍ନ ସେତେବେଳ ପର୍ଯ୍ୟନ୍ତ ସମାଧିତ ହୋଇ ସାରି ନଥିଲା । ହିନ୍ଦୀ ଓ ବଙ୍ଗଳାକୁ ଲଦି ଦେବାର ଷଡ଼ଯନ୍ତ୍ର ଶେଷ ହୋଇ ନଥିଲା । ତା’ର ପ୍ରତିବାଦ କରିବା ପାଇଁ ୧୮୮୨ରେ ଗଠିତ ହେଲା ଉତ୍କଳ ସଭା । ଉତ୍କଳ ସଭାର ପ୍ରାଚୀନତା ପାଖରେ ଜାତୀୟ କଂଗ୍ରେସ ମଧ୍ୟ ଅର୍ବାଚୀନ, କାରଣ ଜାତୀୟ କଂଗ୍ରେସ ଜନ୍ମ ନେଲା ୧୮୮୫ରେ । ୧୯୦୩ରେ ଜନ୍ମ ନେଲା ଉତ୍କଳ ସମ୍ମିଳନୀ ।

 

୧୯୦୩ ଡିସେମ୍ବର ୩୦ ଓ ୩୧ ତାରିଖରେ କଟକର କନିକାକୋଠିରେ ଉତ୍କଳ ସମ୍ମିଳନୀର ଯେଉଁ ପ୍ରଥମ ଅଧିବେଶନ ବସିଥିଲା, ସେଇଥିରେ ପ୍ରଥମ ଥର ଲାଗି ମାନ୍ଦ୍ରାଜ, ବଙ୍ଗଳା, ବିହାର ଓ ମଧ୍ୟପ୍ରଦେଶ ଅନ୍ତର୍ଗତ ଓଡ଼ିଆ ଭାଷୀ ଅଞ୍ଚଳର ରାଜା ଜମିଦାରଙ୍କ ସହ ଓଡ଼ିଶାର ରାଜା ଜମିଦାର ଯୋଗ ଦେଲେ । ୩୩୫ ଜଣ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ପଗଡ଼ିର ବ୍ୟବସ୍ଥା କରାଯାଇଥିଲା । (ଏହି ପଗଡ଼ି ବନ୍ଧା ଅବସ୍ଥାରେ ମଧୁବାବୁଙ୍କର ଫଟୋ ଆମେ ବରାବର ଦେଖିଥାଉ ।) ସେ ସମ୍ମିଳନୀର ସଭାପତି ଥିଲେ ମୟୂରଭଞ୍ଜର ରାଜା ରାମଚନ୍ଦ୍ର ଭଞ୍ଜଦେଓ, ଅଭ୍ୟର୍ଥନା କମିଟିର ସଭାପତି ଥିଲେ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ସେକ୍ରେଟାରୀ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଅନ୍ୟତମ ସ୍ୱେଚ୍ଛାସେବୀ ଥିଲେ ପରବର୍ତୀ ସମୟର ଉତ୍କଳମଣି ଦରଦୀ ଗୋପବନ୍ଧୁ ଦାସ ।

 

୧୯୦୩ ବେଳକୁ ବଙ୍ଗଭଙ୍ଗ ଆନ୍ଦୋଳନରେ ଦେଶର ପୂର୍ବଭାଗ ଉଠୁଥାଏ ପଡୁଥାଏ । ଜାତୀୟ କଂଗ୍ରେସ ସମର୍ଥନ କରୁଥାଏ ଆନ୍ଦୋଳନକୁ । ଅଥଚ ଓଡ଼ିଶାର ଦୁର୍ଭାଗ୍ୟ ଦେଖନ୍ତୁ, ସେଠି ଏକ ଭାଷାଭାଷୀ ଗୋଟିଏ ରାଜ୍ୟରେ ରହିବାର ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଭିନ୍ନ ମତ ପୋଷଣ କରୁଥାଏ । ଗଞ୍ଜାମ ଓ ଭାଇଜାଗ ମିଶ୍ରଣ ପ୍ରସ୍ତାବକୁ କଂଗ୍ରେସ ସମର୍ଥନ କରୁ ନଥାଏ । କଂଗ୍ରେସ ସଭାପତି ସୁରେନ୍ଦ୍ର ନାଥ ବାନାର୍ଜୀଙ୍କର ଏହି ଦୋମୁହାଁ ନୀତିରେ କ୍ଷୁବ୍ଧ ହୋଇ ମଧୁସୂଦନ ଦାସ କଂଗ୍ରେସ ଛାଡ଼ି ଚାଲିଆସିଲେ । ସେ ଅନୁଭବ କରିଥିଲେ, କଂଗ୍ରେସ ମଞ୍ଚ ଜରିଆରେ ଓଡ଼ିଶାର ସ୍ୱାର୍ଥ ହାସଲ ହୋଇପାରିବ ନାହିଁ । ଅଥଚ ଏହି ମଧୁସୂଦନ ଦାସ ଥିଲେ କଂଗ୍ରେସ ପାଇଁ ଓଡ଼ିଶାର ଭଗୀରଥ !

 

ଏହା ପରର ଘଟଣା ସବୁ ଇତିହାସ । କିଭଳି ୧୯୦୫ରେ ଗଞ୍ଜାମ ଓ ଭାଇଜାଗକୁ ବାଦ୍‌ ଦେଇ ସମ୍ବଲପୁରର ୫ଟି ଗଡ଼ଜାତ ଓଡ଼ିଶାରେ ମିଶିଲା, କିପରି ମଧୁସୂଦନ, ପାରଳା ରାଜା, ଜୟପୁର ରାଜା, ମୟୂରଭଞ୍ଜ ରାଜା ପ୍ରମୁଖଙ୍କ ଶତଚେଷ୍ଟା ସତ୍ତ୍ୱେ ଓଡ଼ିଶା ବାହାରେ ରହିଗଲା ମଧ୍ୟପ୍ରଦେଶରେ ଫୁଲଝର, ଚନ୍ଦ୍ରପୁର ଜମିଦାରୀ, ରାୟପୁର, ବିଳାସପୁର ବସ୍ତର ପ୍ରଭୃତି; ଦକ୍ଷିଣ ଓଡ଼ିଶାରୁ ଚାଲିଗଲା ମଞ୍ଜୁଷା, ଟିକିଲି, ଜଳନ୍ତର ଓ ବିଶାଖାପାଟଣା, ବଙ୍ଗ ପ୍ରଦେଶରେ ରହିଗଲା ମେଦିନୀପୁର ଓ ବିହାରରେ ଷଢ଼େଇକଳା, ଖରସୁଆଁ । କିପରି ଓଡ଼ିଶାକୁ ବ୍ରିଟିଶ ସରକାର ବିଲେଇ ତା’ ଛୁଆକୁ ଏଘର ସେଘର କଲା ପରି କେବେ ବିହାର ସାଙ୍ଗରେ ତ କେବେ ବଙ୍ଗଳା ସାଙ୍ଗରେ ମିଶାଇ ଦେଉଥିଲେ । କେତେବେଳେ ରାଞ୍ଚି ହେଉଥିଲା ଓଡ଼ିଶାର ରାଜଧାନୀ ତ କେତେବେଳେ ପାଟନା । ୧୯୧୯ରେ ଓଡ଼ିଶା ହେଲା ଗୋଟିଏ ସବ୍‌-ପ୍ରଭିନ୍ସ । ୧୯୩୧ରେ ମଧୁବାବୁଙ୍କ ଅସୁସ୍ଥତା ବେଳେ ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ପ୍ରଥମ ଗୋଲଟେବୁଲ୍‌ ବୈଠକରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ପାଇଁ ଯୁକ୍ତି ବାଢ଼ିଲେ । ବହୁ ତ୍ୟାଗ ତପସ୍ୟା ଓ ମେଜର୍‌ ଅଟ୍‌ଲି ସବ୍‌କମିଟି ସୁପାରିସ ପରେ ୧୯୩୬ ଅପ୍ରେଲ୍‌ ପହିଲାରେ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ରୂପେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା । ସେତେବେଳେ ଓଡ଼ିଶାରେ ଥିଲା ୬ଟି ଜିଲ୍ଲା । ଦେଶ ସ୍ୱାଧୀନ ହେଲା ପରେ ମଧ୍ୟ ସେହି ଅନ୍ୟାୟର ପୁନରାବୃତ୍ତି ହେଲା । ବିହାରର ସୁଯୋଗ୍ୟ ସନ୍ତାନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଥିବାବେଳେ ଚିରଦିନ ପାଇଁ ଓଡ଼ିଶାର ଷଢ଼େଇକଳା-ଖରସୁଆଁ ବିହାରକୁ ଚାଲିଗଲା ।

 

ଆପଣଙ୍କ ସାମ୍ନାରେ ଏହି ଇତିହାସ ବାଢ଼ିବାର ଗୋଟିଏ ଉଦ୍ଦେଶ୍ୟ ହେଲା ଉଜୁଡ଼ି ଯାଇଥିବା ସେଇ ସ୍ୱପ୍ନକୁ ଖୋଜିବା, ମଉଳି ମୁରୁଝି ଯାଇଥିବା ସେଇ ଆଶାକୁ ନିରିଖେଇ ଦେଖିବା-। ଯେଉଁ ମନୀଷୀମାନେ ନିଜ ଜୀବନକୁ ହୋମାଗ୍ନିର ହବିଃ ପରି ଆହୂତି ଦେଇଥିଲେ ସେମାନେ କ’ଣ ଆଶା କରିଥିଲେ ? ମଧୁସୂଦନ ୧୯୩୬ ପର୍ଯ୍ୟନ୍ତ ବଞ୍ଚି ନଥିଲେ, ସେ ଚାଲିଗଲେ ୧୯୩୪ରେ । ନିଜର ଦାୟିତ୍ୱ ଯାହା କାନ୍ଧରେ ଦେଇଯିବେ ବୋଲି ଭାବିଥିଲେ, ସେହି ଉତ୍କଳମଣି ତାଙ୍କ ଆଗରୁ ୧୯୨୮ରୁ ଚାଲିଯାଇଥିଲେ । ପ୍ରଚାରକ ଅନନ୍ତ ମିଶ୍ର ଆଖି ବୁଜିବା ଆଗରୁ ବଡ଼ ବିକଳରେ କହିଯାଇଥିଲେ, ‘ଷଢ଼େଇକଳା-ଖରସୁଆଁ ଫେରିନାହିଁ, କାମ ସରିନାହିଁ’ । ସିଏ ଚାଲିଗଲେ । ୧୯୩୬ରେ ଯେଉଁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଢ଼ିଉଠିଲା ତହିଁରେ ୨୬ ଗଡ଼ଜାତ ମିଶି ନଥିଲା । ସେସବୁ ମିଶିଲା ଦେଶ ସ୍ୱାଧୀନ ହେବା ପରେ, ୧୯୪୯ରେ । ଆଶା କରାଯାଉଥିଲା ନବ ଉତ୍କଳର ନେତୃବର୍ଗ ଏକ ମନ ଏକ ପ୍ରାଣରେ ସମୃଦ୍ଧ ଓଡ଼ିଶା ଗଠନରେ ଲାଗି ପଡ଼ିବେ । ମାତ୍ର ତାହା ହେଲାନାହିଁ । ଯେଉଁ ପାରଳା ରାଜା ଓଡ଼ିଶାର ସ୍ୱାତନ୍ତ୍ର୍ୟ ପାଇଁ ସକଳ ପ୍ରକାର ଉଦ୍ୟମ କରିଥିଲେ, ପାର୍ଲାମେଣ୍ଟ ନିର୍ବାଚନରୁ ତାଙ୍କୁ ଦୂରେଇ ରଖାଗଲା । ଅପ୍ରକାଶ୍ୟ ଅଭିମାନରେ ସେ ମାଡ୍ରାସ୍‌ରେ ଯାଇ ରହିଲେ ସିନା, ଆଉ ଓଡ଼ିଶାକୁ ଫେରିଲେ ନାହିଁ । ସେତେବେଳେ ଯଦି ପାରଳାର ରାଜା ଜିଣିଥାଆନ୍ତେ, ନେହରୁଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ହୋଇଥାଆନ୍ତେ । କେବଳ ପାରଳାର ରାଜା ନୁହନ୍ତି, ନବକୃଷ୍ଣ ଚୌଧୁରୀଙ୍କ କ୍ଷେତ୍ରରେ ମଧ୍ୟ ସେଇ ଘଟଣା ଘଟିଥିଲା । ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରନୀତିଜ୍ଞମାନଙ୍କୁ ଓଡ଼ିଶାର କୁତ୍ସିତ ରାଜନୀତି ଓ ତା’ର ପ୍ରୟୋଗକର୍ତାମାନେ ସବୁବେଳେ ଦୂରେଇ ରଖିଲେ । ଓଡ଼ିଶା ଖର୍ବକାୟ ନେତାମାନଙ୍କର ଆଖଡ଼ାଶାଳ ହୋଇପଡ଼ିଲା ।

 

ଆଜି ଓଡ଼ିଶାର ପରିଚୟ ଭାରତର ଦରିଦ୍ରତମ ରାଜ୍ୟ । ଆଜି ଓଡ଼ିଆଙ୍କର ପରିଚୟ ମାତୃଭାଷାକୁ ହେୟଜ୍ଞାନ କରୁଥିବା ଗୋଟିଏ ସ୍ୱାଭିମାନହୀନ ଜାତି । ଆଜି ଓଡ଼ିଶାର ପରିଚୟ କର୍ମସଂସ୍କୃତିହୀନ ଗୋଟେ ଟାଙ୍ଗରା ଭୂଇଁ । କିନ୍ତୁ ଏହି ପରିଚୟ ପାଇଁ କ’ଣ ଓଡ଼ିଶାର ଇତିହାସ ସେଦିନ ଖୋଜୁଥିଲା ସ୍ୱତନ୍ତ୍ର ରାଜ୍ୟର ପରିଚୟ ? ଏହି ପ୍ରଶ୍ନର ଉତ୍ତର ଭିତରେ ଅଛି ଆମର ପୂର୍ବ ପ୍ରଶ୍ନର ସମାଧାନ । ଆଜି କାହିଁକି ଉତ୍କଳ ଦିବସ ପାଲଟିଛି ଏକ ଆବେଗହୀନ ଉପଚାର ? ସଂପୃକ୍ତି ଓ ଉଲ୍ଲାସହୀନ ଏକ ଦାପ୍ତରିକ ଛୁଟି ଦିବସ, କାହିଁକି ?

 

ଓଡ଼ିଶାର ଅଭିମାନ ଓ ଆତ୍ମମର୍ଯ୍ୟାଦାର ଅବକ୍ଷୟ ଆରମ୍ଭ ହୋଇଯାଇଥିଲା ବହୁଦିନରୁ-। ତା’ ପଛରେ ଐତିହାସିକ କାରଣମାନ ମଧ୍ୟ ରହିଛି । କାରଣ ଗୋଟିଏ ସମୟରେ ଏ ରାଜ୍ୟକୁ ଏଭଳି ଶାସକ ଶାସନ କଲେ ଯେଉଁମାନେ ପରସ୍ୱ ଅପହରଣ ଓ ଲୁଣ୍ଠନକୁ ହିଁ ପ୍ରକୃତ ଶାସନ ବୋଲି ଭାବି ବସିଲେ । ଖଜଣା ଆଦାୟ ଓ କ୍ଷମତାର ଉପଭୋଗ ହେଲା ସେଇ ଶାସକମାନଙ୍କର ମୁଖ୍ୟ କର୍ମ । ବର୍ଗୀ ଆତଙ୍କ କଥା ଓଡ଼ିଶାର ଏକ ଲୋକପ୍ରିୟ କାହାଣୀ । ଏହିପରି ପ୍ରଭାବହୀନ ଶାସନରେ ଅତିଷ୍ଠ ଓଡ଼ିଆଏ ସେଦିନ ବ୍ରିଟିଶ ଫଉଜର ପ୍ରତିରୋଧ କରି ପାରି ନଥାନ୍ତେ । ସେଇଥିପାଇଁ ପୁରୀର ପଣ୍ଡାମାନେ ମଞ୍ଜୁଳ ସ୍ତୋତ୍ର ପାଠ କରି ସେମାନଙ୍କର ବନ୍ଦାପନା କରିଥିଲେ ପୁରୀ ବଡ଼ଦାଣ୍ଡରେ । ୧୮୦୬ରେ ଜୟୀ ରାଜଗୁରୁ ବିଦ୍ରୋହ ପାଇଁ ଫାଶୀ ପାଇଲେ । ଓଡ଼ିଆ ସାମରିକ ଶକ୍ତିର ଅବସାନ ଘଟିଲା । ଅବଶେଷ ଯାହା ଥିଲା ୧୮୫୭ ସିପାହୀ ବିଦ୍ରୋହର ବିଫଳତା ତାକୁ ମଧ୍ୟ ନିଃଶେଷ କରିଦେଲା । ଓଡ଼ିଶାର ବଡ଼ ବଡ଼ ଜମିଦାରୀ ନିଲାମ ହେଲା କଲିକତା ବଜାରରେ । କେବଳ ୫ ହଜାର ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଜମିଦାରୀର ନିଲାମ କଟକରେ ହେଲା ଓ ଆଉସବୁ କଲିକତାରେ । କୁହାଗଲା, ଓଡ଼ିଶାରେ ସେପରି ଧନୀ କେହି ନାହାନ୍ତି ଯେ କି ପାଞ୍ଚ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଜମିଦାରୀ ନିଲାମ ଧରିବେ । ଥରେ ଚିନ୍ତା କରନ୍ତୁ, କୋଣାର୍କ, ଲିଙ୍ଗରାଜ ଓ ଶ୍ରୀମନ୍ଦିର ଗଢ଼ି ପାରିଥିବା ଗୋଟିଏ ରାଜ୍ୟର ପରିଚୟ ଆସି କେଉଁଠି ପହଞ୍ଚିଲା । ଅସଲ କଥା ହୁଏତ ଥିଲା ପ୍ରତିବେଶୀଙ୍କ ଷଡ଼ଯନ୍ତ୍ର । ରେଳ ଲାଇନ୍‌ ନଥିଲା, ନୋଟିସ୍‌ଟିଏ ପାଇ କଲିକତା ଯିବାକୁ ବାହାରିଲେ, କଟକରୁ କଲିକତା ଲାଗୁଥିଲା କୋଡ଼ିଏ ଦିନ, ଫଳରେ କଲିକତାର ନିମ୍ନ ଶ୍ରେଣୀୟ କିଛି ରାଜ କର୍ମଚାରୀ ରାତାରାତି ଜମିଦାର ପାଲଟିଗଲେ । ଓଡ଼ିଶାରେ ସମ୍ଭ୍ରାନ୍ତବର୍ଗର ଅବସାନ ଘଟିଲା । ସ୍ୱାଭିମାନ କ୍ଷୁଣ୍ଣ ହୋଇ ଚାଲିଲା ।

 

କଲିକତା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ପ୍ରାୟ ନବେ ବର୍ଷ ପରେ ହୁଏ ଉତ୍କଳ ବିଶ୍ୱବିଦ୍ୟାଳୟର ଜନ୍ମ । ସେତେବେଳେ କିନ୍ତୁ ଓଡ଼ିଶାରେ ଶିକ୍ଷାର ପ୍ରସାର ନାହିଁ, ଯୋଗାଯୋଗ ବ୍ୟବସ୍ଥା ନାହିଁ, ସମ୍ବାଦପତ୍ର-ସାହିତ୍ୟର ବିକାଶ ନାହିଁ, ଉଚ୍ଚଶିକ୍ଷିତ ସମ୍ଭ୍ରାନ୍ତ ଗୋଷ୍ଠୀ ନାହାନ୍ତି, ଶିଳ୍ପ ବାଣିଜ୍ୟ ନାହିଁ କିମ୍ବା ଆଗାମୀ ଦିନ ପାଇଁ କୌଣସି ଯୋଜନା ମଧ୍ୟ ନାହିଁ । ମୋର ବେଳେ ବେଳେ ସନ୍ଦେହ ହୁଏ, ଓଡ଼ିଶା ଯଦି କଲିକତା ଓ ମାନ୍ଦ୍ରାଜ ମଝିରେ ଆସୁନଥାନ୍ତା ହୁଏତ ଦକ୍ଷିଣ ପୂର୍ବ ରେଳପଥ ଏ ରାଜ୍ୟ ଦେଇ ଯାଇ ନଥାନ୍ତା । କାରଣ ଆଜି ସ୍ୱାଧୀନତାର ୫୩ ବର୍ଷ ପରେ ମଧ୍ୟ ଓଡ଼ିଶାରେ ରେଳ ଯୋଗାଯୋଗର ସ୍ଥିତି ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ନୈରାଶ୍ୟଜନକ ।

 

ତେଣୁ ଓଡ଼ିଶାର ସ୍ୱାଭିମାନର ପ୍ରତିଷ୍ଠା ସେତେବେଳେ ଅସମ୍ଭବ ହୋଇ ପଡ଼ିଥିଲା । ଏକଦା ଐଶ୍ୱର୍ଯ୍ୟର ତୁଙ୍ଗ ଦେଶରେ ପହଞ୍ଚିଥିବା ଓଡ଼ିଶାର ସାରସ୍ୱତ ଦୁର୍ଭାଗ୍ୟ ଦେଖି ରାଧାନାଥ ରାୟ ଯେଉଁ ବିଳାପ କରିଥିଲେ ତାହା ଅନ୍ୟାନ୍ୟ କ୍ଷେତ୍ର ପାଇଁ ମଧ୍ୟ ପ୍ରଯୋଜ୍ୟ ।

 

ଦେବୀ ବୀଣାପାଣି କେଉଁ ପାପ ଫଳେ,

କରୁଣା ତୋହର ଊଣା ଏ ଉତ୍କଳେ ।

କ୍ଷୁଦ୍ର ଶିପ୍ରାସ୍ରୋତ ବିଖ୍ୟାତ ଜଗତେ

ମହାନଦୀ ନାମ ରହିଲା ଗୁପତେ ।

ସ୍ୱରୂପା ଅଂଶୁପା ଲୋକେ ଅଗୋଚର

ପୂଜାସ୍ପଦ ହେଲା ଗୋସ୍ପଦ ପୁଷ୍କର ।

 

ରାଧାନାଥ ଏ କବିତା ଲେଖିବା ପରଠୁଁ ସୁବର୍ଣ୍ଣରେଖା ଓ ଋଷିକୁଲ୍ୟାରେ ବହୁ ପାଣି ବୋହିଗଲାଣି । ମାତ୍ର ତା’ ସତ୍ତ୍ୱେ ଓଡ଼ିଶାର ସ୍ୱାଭିମାନର ପୁନଃପ୍ରତିଷ୍ଠା ହୋଇପାରି ନାହିଁ କାହିଁକି ? ଏହାର କାରଣଗୁଡ଼ିକ କ’ଣ ? ମୋର ମନେହୁଏ ଏହି କାରଣଗୁଡ଼ିକର ନିର୍ଣ୍ଣୟ ହିଁ ଆମର ଆତ୍ମସମୀକ୍ଷା ପାଇଁ ଅବକାଶ ଆଣିଦେବ ।

 

ପୂର୍ବରୁ ଉଲ୍ଲେଖ କରିଛି ଓଡ଼ିଶା ଏବେ ଭାରତର ଦରିଦ୍ରତମ ରାଜ୍ୟ । ଦୁଇ ହଜାର କୋଟି ଟଙ୍କା ଆୟ ହେଲା ବେଳକୁ ପୁରୁଣା ଋଣର ସୁଧ ଶୁଝିବାରେ ଅଧିକ ଦୁଇ ଶହ କୋଟି ଟଙ୍କା ବ୍ୟୟ ହୋଇଯାଉଛି । ପାଞ୍ଚ ଦିନ ତଳେ ଅର୍ଥମନ୍ତ୍ରୀ ବିଧାନସଭାରେ କହିଛନ୍ତି, ଏକାଦଶ ଅର୍ଥ କମିସନ ଯେଉଁ କୋଡ଼ିଏ ହଜାର କୋଟି ଟଙ୍କା ଋଣ ଦେବେ ସିଏ କେବଳ ଋଣର ସୁଧ ପରିଶୋଧ କରିବାରେ ଖର୍ଚ ହୋଇଯିବ । ଚାକିରି ନିଯୁକ୍ତିର ସୁଯୋଗ ପ୍ରାୟ ନାହିଁ । ସରକାର ପରେ ସରକାର ଆସୁଛନ୍ତି ଏବଂ ନିର୍ବାଚନ ଇସ୍ତାହାରରେ ନିଯୁକ୍ତିର ସୁବିଧା କଥା ଉଲ୍ଲେଖ କରିବା ସତ୍ତ୍ୱେ ଛଟେଇକୁ ସରକାରୀ ନୀତି ରୂପେ ଗ୍ରହଣ କରୁଛନ୍ତି । ଶିଳ୍ପାଞ୍ଚଳଗୁଡ଼ିକର ଚିମିନିରୁ ଧୂଆଁ ବାହାରୁ ନାହିଁ । ଅଥଚ କ’ଣ କରାଗଲେ ଏ ସମସ୍ୟାର ନିରାକରଣ ନହେଲେ ସୁଦ୍ଧା ନିୟନ୍ତ୍ରଣ ହୋଇପାରିବ ସେକଥା ଆମର ନେତାମାନେ ଚିନ୍ତା କରୁନାହାନ୍ତି । କାରଣ ସେମାନେ ଓଡ଼ିଶାକୁ ପାଇଚାଷ କ୍ଷେତ୍ର ବୋଲି ବିଚାରୁଛନ୍ତି । କୃଷି ଉପରେ ଯେମିତି ଗୁରୁତ୍ୱ ଦିଆଯିବା କଥା ଦିଆଯାଉ ନାହିଁ । ଜମି ପାଖେ ଜଳ କଥାଟି ଆଜି ମଧ୍ୟ ଦୂରନ୍ତ ପ୍ରତିଧ୍ୱନି ହୋଇ ରହିଯାଇଛି । ମହାରାଷ୍ଟ୍ରର ଚାଷୀ ଫୁଲ ଉତ୍ପାଦନ ଓ ରପ୍ତାନି କରି ବଡ଼ଲୋକ; ଆନ୍ଧ୍ରରୁ କଦଳୀ କି ମାଛ ନଆସିଲେ ଭୁବନେଶ୍ୱରରେ ବାହାଘର ଭୋଜି ହେଉନାହିଁ - ତା’ ସତ୍ତ୍ୱେ ଆମର ଯୋଜନା ତିଆରୁଥିବା ନେତାମାନଙ୍କର ନିଦ ଭାଙ୍ଗିନାହିଁ ।

 

ବର୍ଷ ବର୍ଷ ଧରି ଅପରିଣାମଦର୍ଶୀ ଦୁର୍ବଳ ନେତୃତ୍ୱ ଓଡ଼ିଶାର ଦୁର୍ଭାଗ୍ୟ ପାଇଁ ବେଶି ଦାୟୀ-। ଆମମାନଙ୍କର ସ୍ୱର ଦିଲ୍ଲୀରେ ଶୁଭେନାହିଁ । କାରଣ ଆମର କିଛି ବକ୍ତବ୍ୟ ନଥାଏ । ଶିକ୍ଷିତ ଦୂରଦୃଷ୍ଟିସଂପନ୍ନ ଲୋକ କେହି ରାଜନୀତି କ୍ଷେତ୍ରକୁ ଆସୁନାହାନ୍ତି । ସେମାନଙ୍କ ପାଇଁ ମହାଭାରତର ଅଭିମନ୍ୟୁକୁ ସପ୍ତରଥୀ ଘେରି ରହିବା ପରି ବାହୁବଳ, କଳାଟଙ୍କା, ଜାତିଆଣ ମନୋଭାବ, ଦାସତ୍ୱ ମନୋବୃତ୍ତି, କୁସଂସ୍କାର, ଅଜ୍ଞତା ଓ ଭାଗ୍ୟବାଦ ପଥ ଓଗାଳି ଅଟକଉଛି । ବାରମ୍ବାର ପ୍ରତାରିତ ହେବା ଭିତରେ ସାଧାରଣ ନାଗରିକର ଭାଗ୍ୟ ବିଡ଼ମ୍ବିତ ହୋଇଯାଇଛି । ମାନ ସରୋବରର ହଂସ ଯେମିତି ସେଦିନ କପଟ ସାଧୁମାନଙ୍କୁ ଚିହ୍ନି ନପାରି ପ୍ରାଣ ହରାଇଲା, ଆଜି ଓଡ଼ିଶାର ଜନସାଧାରଣ ସେହିପରି କପଟ ଦେଶଭକ୍ତମାନଙ୍କ ଦ୍ୱାରା ପ୍ରତାରିତ ହେଉଛନ୍ତି ।

 

ଓଡ଼ିଶା ଏଭଳି ଗୋଟିଏ ଭୂଇଁ, ଯେଉଁଠାରେ ନେତାମାନେ ଅନ୍ୟର ଉଦାହରଣ ଦିଅନ୍ତି, କିନ୍ତୁ ନିଜେ ଉଦାହରଣ ହୋଇପାରନ୍ତି ନାହିଁ । ଓଡ଼ିଶାର ଆବଶ୍ୟକ ଜଣେ ମହାନାୟକ । ଯିଏ ଅଶୋକଙ୍କ ଅପମାନର ପ୍ରତିଶୋଧ ଖାରବେଳଙ୍କ ଦିଗ୍‌ବିଜୟରେ ନେଇପାରିବ, ସଂକୀର୍ତନିଆଙ୍କ ପରି ନିଜ ଧୈର୍ଯ୍ୟକୁ ଲଜ୍ଜାହୀନ ଉଦାହରଣ ଦେବନାହିଁ । ଯେଉଁମାନେ ନିଜ ପୌରୁଷର ପରିଚୟ ଦେବାକୁ ଚାହାନ୍ତି, ସେମାନେ ନିଜେ ଉଦାହରଣ ସାଜନ୍ତି । ଯୋଗ୍ୟତା ନଥିବା ନିଜର ପୁତ୍ର-ପତ୍ନୀ ପାଇଁ ବିଧାନସଭା କି ପାର୍ଲାମେଣ୍ଟର ଆସନ, କୋଟି କୋଟି ଟଙ୍କାର କଳାଧନ ବିନିମୟରେ ଦାମୀ କମ୍ପାନିର ଏଜେନ୍ସି ଓ ତେହେଲ୍‌କା ଡଟ୍‌କମ୍‌ର ଦୁର୍ନୀତି କରି କେହି ରାଜନେତା କେବେ କୌଣସି ଦିନ ଉଦାହରଣ ହୋଇପାରିବେ ନାହିଁ ।

 

ଆମର ଜନନାୟକମାନେ ଯେତେବେଳେ ଭାଷଣ ଦିଅନ୍ତି, ସେସବୁ ଶୁଣିଲେ କଷ୍ଟ ହୁଏ-। ସେମାନେ କହନ୍ତି, ଏ ରାଜ୍ୟରେ କିଛି ହେବ ନାହିଁ । ଏଠିକାର ଲୋକମାନେ କାଳେ ତାଙ୍କୁ କିଛି କରେଇ ଦେବେ ନାହିଁ । ଯେମିତି ଖରାପ ଲୋକଙ୍କ ମେଳରେ ଜଣେ ଭଲ ଲୋକ ରହିପାରିବ ନାହିଁ, ସେମିତି ଭଲ ଲୋକଙ୍କ ମେଳରେ ଜଣେ ଖରାପ ଲୋକ ବି ରହିପାରିବ ନାହିଁ । ଆମେମାନେ ଆଜି ଟି.ଭି. ଚ୍ୟାନେଲ୍‌ରେ ତେହେଲ୍‌କାର ଧାରା ବିବରଣୀ ଦେଖି ଖୁସି ହେଉଛୁ । ଲାଜ ଲାଗୁଛି ଯେ ଗୋଟେ ଦେଶର ସ୍ୱାଭିମାନ ଓ ଜାତୀୟତା ଦୟନୀୟ ଭାବରେ ନିଲାମ ହେଉଥିବା ଦୃଶ୍ୟକୁ ଆମେ ମନୋରଞ୍ଜନର ମାଧ୍ୟମ କରିଦେଇଛୁ । ଯେଉଁମାନେ ନିଜ ନିଜ ଡ୍ରଇଂରୁମ୍‌ରେ ବସି ଏସବୁ ଦେଖୁଛନ୍ତି, ସେମାନେ ନିଜ ଛାତି ଉପରେ ହାତ ରଖି କୁହନ୍ତୁ, ସେମାନେ କ’ଣ ସମସ୍ତେ ଧର୍ମରାଜ ଯୁଧିଷ୍ଠିର ! ସେମାନଙ୍କ ଭିତରୁ ଅଧିକାଂଶ ସୁଯୋଗ ପାଇ ନଥିବା ବ୍ରହ୍ମଚାରୀ, ଧରା ପଡ଼ିନଥିବା ପ୍ରତାରକ ନହେଲେ ବ୍ରହ୍ମଚର୍ଯ୍ୟ ଜାହିର କରୁଥିବା ବଳଦ । ଯଦି ଭାରତବର୍ଷର ଅର୍ଧାଧିକ ଲୋକ ସଚ୍ଚୋଟ, ଜାତିପ୍ରେମୀ ଓ ଦେଶପ୍ରେମୀ ହୋଇଥାଆନ୍ତେ ତାହାହେଲେ ତେହେଲ୍‌କା ଭଳିଆ ଘଟଣା କଦାପି ଘଟି ନଥାନ୍ତା ।

 

ଆଜି ଓଡ଼ିଶାରେ ଆମର ନାୟକ ହୋଇ କେହି ନାହାନ୍ତି- ନା ରାଜନୀତିରେ ନା ଖେଳରେ ନା ସନ୍ତରଣରେ ନା ଆରୋହଣରେ । ଯେଉଁମାନେ ଅଛନ୍ତି ସେମାନଙ୍କୁ ଆମେ ଯେପରି ସମ୍ମାନ ଦେବା କଥା ଦେଇପାରୁନାହୁଁ । କାରଣ ଆମର ଶିକ୍ଷା ଓ ତାଲିମରେ ନିଜ ଜାତିକୁ ବା ଦେଶକୁ ଶ୍ରଦ୍ଧା କରିବାର ଉପାଦାନର ଅଭାବ । ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜଣେ ଓଡ଼ିଆ - ଲଳିତ ମାନସିଂହ । ଏକଥା ଆମ ପ୍ରାଥମିକ ଶିକ୍ଷକମାନେ ପିଲାଙ୍କୁ ଜଣାଇବା ଦରକାର । ଓଡ଼ିଶାର ଲୋକ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ହୋଇଛନ୍ତି, ଓଡ଼ିଆ ଲେଖକ ବାରମ୍ବାର ପାଇଛନ୍ତି ଜ୍ଞାନପୀଠ ଓ ସରସ୍ୱତୀ ସମ୍ମାନ, ଓଡ଼ିଆ ରାଜନେତା ହୋଇଛନ୍ତି ଲୋକସଭାର ବାଚସ୍ପତି - ଏକଥା ପିଲାମାନେ ଜାଣିବା ଦରକାର । ସଫଳ କାହାଣୀ ଶୁଣିଲେ ପିଲାଙ୍କ ମନରେ ସାହସ ଜାଗିବ, ସେମାନେ ବି ସଫଳ ହେବାଲାଗି ସ୍ୱପ୍ନ ଦେଖିବେ । ଭାରତବର୍ଷରେ ଭାରତ ଓ ଇଣ୍ଡିଆ ଦୁଇଟି ଦେଶ ରହିବା ପରି ଓଡ଼ିଶାରେ ବି ଦୁଇଟି ରାଜ୍ୟ ରହିଛି । ଏଠି ମାଲକାନଗିରି ପରି ଜିଲ୍ଲା ଅଛି, ଯେଉଁଠି ଏପର୍ଯ୍ୟନ୍ତ ସବ୍‌ଡିଭିଜନ୍‌କୁ ଟେଲିଫୋନ୍‌ ଯାଇନାହିଁ, ଏଭଳି ସ୍କୁଲ୍‌ ଅଛି ଯେଉଁଠି ଶିକ୍ଷକ ନାହାନ୍ତି କି ଛପର ନାହିଁ, ଅଥଚ ଅଳ୍ପ କିଛି ଲୋକଙ୍କ ସୁଖ ସୁବିଧା ପାଇଁ ସବୁ କିଛି କରାଯାଉଛି ବଡ଼ ସହରରେ !

 

କୁସଂସ୍କାର ଓ ଅଜ୍ଞତା ଓଡ଼ିଶାର କର୍ମସଂସ୍କୃତିକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛି । ଏହାର ବେଶି ଉଦାହରଣ ଉପକୂଳବର୍ତୀ ଓଡ଼ିଶାରେ ଦେଖିବାକୁ ମିଳେ । କିଛି ମାସ ତଳେ ‘ଓଡ଼ିଶାକୁ କିଏ କାହିଁକି ଆସିବ’ ବୋଲି ଲେଖାଟିଏ ଲେଖିଥିଲି । ପୁରୀର ଘଟଣା । ବାହାରୁ ଆସିଥିବା ଜଣେ ଭଦ୍ରଲୋକଙ୍କୁ ନିଶା ଖୁଆଇ ତାଙ୍କର ସର୍ବସ୍ୱ ଲୁଟ୍‌ କରିଥିଲେ ଆମରି ଲୋକମାନେ । ସେ ଲୋକଟି ଓଡ଼ିଶାରୁ ଫେରି ତା’ ରାଜ୍ୟର ଲୋକମାନଙ୍କୁ କ’ଣ କହିଥିବ ? ବାତ୍ୟା ସମୟରେ ରିଲିଫ୍‌ ଦାବି କରିବା ହୋଇପଡ଼ିଥିଲା ସ୍ୱଚ୍ଛଳ ଲୋକଙ୍କ ସାମ୍ବିଧାନିକ ଅଧିକାର । ଦିନରାତି ପଶା କି ତାସ୍‌ ପାଲି ପକାଉଥିବା ଯୁବକ ରିଲିଫ୍‌ ପାଇଁ ହାତ ପାତିବାର ଦେଖିଲେ ଲଜ୍ଜାରେ ମୁଣ୍ଡ ତଳକୁ ନୋଇଁଯାଏ । ମୂଲ୍ୟବୋଧକୁ ଆମେମାନେ ସମାଧି ଦେଇସାରିଲୁଣି । ଆତ୍ମବିଶ୍ୱାସର ଏପରି ଅଭାବ ଯେ, ଚାକିରି ନମିଳିଲେ ଯୁବକମାନେ ଆତ୍ମହତ୍ୟା କରିଦେଉଛନ୍ତି । ଆମର ପୁଣି ଅନ୍ୟ ଚାକିରି ନୁହେଁ, କେବଳ ସରକାରୀ ଚାକିରି ଲୋଡ଼ା । ପିଲାଙ୍କୁ ସଂଗ୍ରାମ ଓ ସଂଘର୍ଷ କ’ଣ ଜାଣିବାକୁ ସୁଯୋଗ ଦେବା ଦରକାର । ଏହି ଓଡ଼ିଶାର ପିଲାମାନେ ବାହାରେ ସଫଳ ହେଉଛନ୍ତି, ମାତ୍ର ନିଜ ରାଜ୍ୟରେ ସଫଳ ହୋଇପାରୁ ନାହାନ୍ତି କାହିଁକି ? କାହିଁକି ଆମ ପିଲାଏ ଆଦର୍ଶ ଚାଷୀ, ଆଦର୍ଶ ବ୍ୟବସାୟୀ କି ଆଦର୍ଶ ଶିଳ୍ପପତି ହୋଇପାରୁ ନାହାନ୍ତି ?

 

ଓଡ଼ିଶାର ଭାଗ୍ୟବାଦ ଆଉ କୋଉଠି ଦେଖାଯାଏ ନାହିଁ । କୁହାଯାଏ ଅଳସୁଆ ସିଂହର ପାଟିକୁ ଶିକାର କେବେ ଆସେ ନାହିଁ । ନିଜର ସ୍ଥିତାବସ୍ଥାର ଉନ୍ନତି ପାଇଁ ଉଦ୍ୟମ ନକରି ଆମେ ଭାଗ୍ୟ ଉପରେ ଦୋଷ ଦେଉ । ଅନ୍ୟ କାହାକୁ ଧନୀ ହେବାର ଦେଖିଲେ ଈର୍ଷା ହୁଏ । ତା’ର ଗୋଡ଼ ଟାଣୁ । ଜଣେ କହୁଥିଲେ, ଓଡ଼ିଶାରେ ଆମେ ଭାବୁ ଧନ ସମ୍ପତ୍ତି ଖରାପ, ସଫଳତା ପାପ ଏବଂ ମୋ ଛଡ଼ା ଆଉ ସମସ୍ତେ ଚୋର । ନକାରାତ୍ମକ ଚିନ୍ତାଧାରା ମଣିଷକୁ ପଙ୍ଗୁ କରିଦିଏ । ପୃଥିବୀ ଇତିହାସରେ ଏଭଳି ବହୁ ଉଦାହରଣ ଅଛି, ଯେଉଁଠି ସାଧାରଣ ଲୋକ ଅସାଧାରଣ କାମ କରି ଦେଖାଇ ପାରୁଛନ୍ତି । ଲିଙ୍କନ, ଟମାସ ଏଡିସନ୍‌, ୱାଲ୍‌ଟ ଡିସ୍‌ନି, ରାଇଟ୍‌ ବ୍ରଦର୍ସଙ୍କଠୁଁ ନେଇ ଭାରତର ଧୀରୁଭାଇ ଅମ୍ବାନି ଏବଂ ଓଡ଼ିଶାର ଗୁରୁ କେଳୁଚରଣ ମହାପାତ୍ରଙ୍କ ପର୍ଯ୍ୟନ୍ତ ଶହ ଶହ ଉଦାହରଣ ଅଛି ।

 

ଭାଗ୍ୟବାଦ ଓଡ଼ିଆଙ୍କୁ ଅତି ପରିମାଣରେ କୁସଂସ୍କାରଗ୍ରସ୍ତ କରିଦେଇଛି । ଆଧ୍ୟାତ୍ମିକ ବିଶ୍ୱାସ ଓ କୁସଂସ୍କାର ଦିଇଟି ଭିନ୍ନ ଭିନ୍ନ କଥା । ଗୋଟିଏ ସକାରାତ୍ମକ ଓ ଗୋଟିଏ ନକାରାତ୍ମକ । ନକାରାତ୍ମକ ଭିତରୁ ଆସୁଛି ତନ୍ତ୍ରମନ୍ତ୍ର, ଗୁଣିଗାରେଡ଼ି ଓ କାହାକୁ ଡାଆଣୀ କହି ମାରି ଗୋଡ଼ାଇବା । ପୁତ୍ର କାମନାରେ ମନ୍ଦିରରେ ଅଧିଆ ପଡ଼ି ଧର୍ଷିତା ହେବା ହେଉଛି ଏହି ଅନ୍ଧ ବିଶ୍ୱାସର ପରିଣତି ।

 

ଦେଶ ସ୍ୱାଧୀନ ହେବାର ପାଞ୍ଚଟି ଦଶନ୍ଧି ଭିତରେ ଆମେ ଅନୁଭବ କଲୁଣି ଯେ ଗାଡ଼ିଟି ଯେଉଁ ରାସ୍ତାରେ ଯିବାର ଥିଲା ସେଇ ରାସ୍ତାରେ ଯାଉନାହିଁ । ଏ ଦେଶର ଯେଉଁ ଆଇନ ବ୍ୟବସ୍ଥା ତାହା ପ୍ରଭାବଶାଳୀ ଓ ଧନୀଲୋକମାନଙ୍କର କିଛି କ୍ଷତି କରିପାରୁ ନାହିଁ । ଆଇନ ତିଆରୁଥିବା ଲୋକମାନେ ସବା ଆଗେ ଆଇନ ଭାଙ୍ଗୁଛନ୍ତି । ଗତକାଲିର ରେଳ ଧର୍ମଘଟ କଥା ନିଅନ୍ତୁ । କିଛିଦିନ ଆଗରୁ କଂଗ୍ରେସ ବି ଏମିତି ଡାକରା ଦେଇଥିଲା । ଗୋଟିଏ ଦିନ ରେଳ ଧର୍ମଘଟ ହେଲେ, ଗାଡ଼ିଘୋଡ଼ା ଚଳାଚଳ ବନ୍ଦ ହେଲେ ଲକ୍ଷ ଲକ୍ଷ ଲୋକ କିପ୍ରକାର ଦୁର୍ଦଶା ଭୋଗନ୍ତି ଏମାନେ କ’ଣ ଜାଣନ୍ତି ନାହିଁ ? ରୋଗୀ ଡାକ୍ତରଖାନା ଯାଇପାରେ ନାହିଁ, ପିଲାଏ ଇଣ୍ଟର୍‌ଭ୍ୟୁ ଦେବାକୁ ଯାଇପାରନ୍ତି ନାହିଁ, ବାପ ମାଆଙ୍କ ଦେହ ଖରାପ ଖବର ଶୁଣି ସୁଦ୍ଧା ପୁଅ ଘରକୁ ଯାଇପାରେ ନାହିଁ । ଅଥଚ ଏଇମାନେ ବିରୋଧୀ ଦଳରେ ଥିଲାବେଳେ ବନ୍ଦ ଡାକରା ଦିଅନ୍ତି, ସରକାରକୁ ଗଲେ ବନ୍ଦ ବେଆଇନ ବୋଲି ନାଲିଆଖି ଦେଖାନ୍ତି । ରାତାରାତି କିପରି ଦୃଷ୍ଟିଭଙ୍ଗୀ ବଦଳିଯାଏ ? ବାହାର ଦେଶର ଲୋକମାନେ ଆମକୁ କହନ୍ତି, ଆପଣଙ୍କ ଦେଶରେ ଧନୀ ଲୋକଙ୍କ ପାଇଁ ଅଲଗା ଆଇନ, ଗରିବ ଲୋକଙ୍କ ପାଇଁ ଅଲଗା ଆଇନ । ଆମେରିକାର ରାଷ୍ଟ୍ରପତି କ୍ଲିଣ୍ଟନ ମୋନିକା ପ୍ରଣୟ ବ୍ୟାପାରରେ ଯେମିତି ଅବସ୍ଥା ଭୋଗିଲେ ଆମ ଦେଶରେ କେବେ ସେମିତି ହୋଇ ନଥାନ୍ତା । ଆମର ନେତାମାନଙ୍କୁ ଦେଖନ୍ତୁ, ତାଙ୍କ ନିରାପତ୍ତା, ଚିକିତ୍ସା ଓ ବିଳାସବ୍ୟସନ ପାଇଁ କିପରି ଅର୍ଥ ଶ୍ରାଦ୍ଧ କରୁଛି ଲକ୍ଷ୍ୟ କରନ୍ତୁ । ଏଇମାନଙ୍କ ଡାହାଣ ହାତରେ ଆଇନ ବହି, ବାଁ ହାତରେ କଳାଟଙ୍କା ଓ ସାଙ୍ଗରେ ପଶୁବଳ । ସମଗ୍ର ଦେଶ ବର୍ତ୍ତମାନ ସମାନ୍ତରାଳ ଅର୍ଥନୀତିର ବିଷବଳୟ ଭିତରେ ବନ୍ଦୀ । ପ୍ରତିବାଦ କରୁଥିବା ଲୋକର ମୁହଁ ବନ୍ଦ କରିଦିଆଯାଉଛି । ଏଥିରେ ସ୍ୱାଧୀନତା ଉଧେଇବ କିପରି ? ଭାରତର କଥା ଯାହା, ଓଡ଼ିଶାର କଥା ତାହାଠାରୁ ଆହୁରି ଖରାପ-। ଦିନ ଦି’ପହରେ ଲୋକଙ୍କ ଆଖିରେ ଶୁଖୁଆ କଣ୍ଟା ଗେଞ୍ଜି ଚାରିବର୍ଷ ତଳେ ରାସ୍ତାରେ ବୁଲୁଥିବା ଲୋକମାନେ ଆସି ରାଜଧାନୀରେ ଚାରିମହଲା କୋଠା ପିଟୁଛନ୍ତି, କିନ୍ତୁ ଭିଜିଲାନ୍ସ ଓ ଆୟକରବାଲାଏ ଧରୁଛନ୍ତି କାହାକୁ ? ମୁଁ ସେମାନଙ୍କୁ ବି ଦୋଷ ଦେଉନାହିଁ । କାରଣ ପଇସା ପାଖରେ ଚାଟାର୍ଡ଼ ଆକାଉଣ୍ଟ ଓ ଓକିଲ ସମସ୍ତେ ପଣ୍ୟ । ଅର୍ଥ ଉପାର୍ଜନ ଖରାପ ନୁହେଁ । କିନ୍ତୁ ସକ୍ରେଟିସ୍‌ଙ୍କ କଥାକୁ ମଧ୍ୟ ଶୁଣିବା ବି ପ୍ରୟୋଜନ । ସେ କହିଥିଲେ- ‘‘କେବଳ ବଞ୍ଚିବାଟା ବଡ଼ କଥା ନୁହେଁ, ଠିକଣା ଢଙ୍ଗରେ ବଞ୍ଚିବାଟା ହେଉଛି ବଡ଼ କଥା ।’’

 

ଆମର କଥା ଓ କାର୍ଯ୍ୟ ଭିତରର ବ୍ୟବଧାନ ବଢ଼ି ବଢ଼ି ଯାଉଛି । ସାଂପ୍ରଦାୟିକତାର ସୌହାର୍ଦ୍ୟ କଥା ଆମେ କହୁଛୁ, କିନ୍ତୁ ସେଥିରେ ବିଶ୍ୱାସ କରୁନୁ । ଫଳରେ ଯେଉଁ ସାନ ସାନ ପିଲାମାନେ ଆମକୁ ନିରୀକ୍ଷଣ କରୁଛନ୍ତି, ସେମାନଙ୍କର ଆମ ଉପରେ ଆସ୍ଥା ରହୁନାହିଁ । ସେମାନେ ଆମକୁ ସନ୍ଦେହ କରୁଛନ୍ତି । ଆମେ ବି ପିଲାମାନଙ୍କୁ ଅର୍ଥ ଉପାର୍ଜନର ମେସିନ୍‌ ଭାବରେ ଗଢ଼ିବାକୁ ଚାହୁଁଛୁ । ତାଙ୍କ ଭିତରେ ଆବେଗ, ଦେଶପ୍ରୀତି ଓ ମୂଲ୍ୟବୋଧ ରହିବା ନ ରହିବା ଉପରେ ଗୁରୁତ୍ୱ ଦେଉନାହୁଁ । ଉଚ୍ଚାଭିଳାଷୀ ଏବଂ ସ୍ୱାଭିମାନୀ ପିଲାଏ ଦେଶ ଛାଡ଼ି ପଳଉଛନ୍ତି, ଆଉ ଫେରୁନାହାନ୍ତି-। ସେମାନଙ୍କୁ ଦୋଷ ଦେଇ ଲାଭନାହିଁ । କାରଣ ସେମାନେ କହୁଛନ୍ତି, ଏ ରାଜ୍ୟର ଉଦାସୀନ ଅମଲାତନ୍ତ୍ର, ସ୍ୱାର୍ଥାନ୍ଧ ରାଜନୀତି ଓ ସଚେତନତାର ଅଭାବ ଭିତରେ ସେମାନେ କିଛି କରିପାରିବେ ନାହିଁ । ସେମାନଙ୍କ କଥା ଅନେକ ପରିମାଣରେ ସତ । ହାଇଦ୍ରାବାଦ ଓ ବାଙ୍ଗାଲୋର କଥା ଦେଖନ୍ତୁ । ପୁଞ୍ଜିନିବେଶକାରୀମାନଙ୍କୁ ଆମନ୍ତ୍ରଣ କରିବା କ୍ଷେତ୍ରରେ ସେମାନେ ପରସ୍ପର ସହ ରୀତିମତ ପ୍ରତିଯୋଗିତା କରୁଛନ୍ତି । ମାତ୍ର ଆମର ଏଠିକି କେହି ଆସିଲେ ଆମେ ତା’ ପ୍ରତି ଏପରି ବ୍ୟବହାର ଦେଖଉଛୁ ଯେ ସେ ଛାଡ଼ି ପଳେଇ ଯିବା ଲାଗି ବାଟ ଖୋଜି ପାଉନାହିଁ ।

 

ଏସବୁ କଥା କହିଚାଲିଲେ ରାତି ପାହିଯିବ, କଥା ସହିବ ନାହିଁ । ଏସବୁ କଥା ଆପଣମାନେ ସମସ୍ତେ ଜାଣନ୍ତି, ତେଣୁ ପୁନରାବୃତ୍ତି କରି ଲାଭନାହିଁ । କିନ୍ତୁ ମୂଳ ପ୍ରଶ୍ନ ହେଉଛି, ଏ ପ୍ରକାର ଅବସ୍ଥା ଭିତରୁ ମୁକ୍ତି ଅଛି ନା ନାହିଁ ! ମୋର ବିଶ୍ୱାସ, ଅଛି । ମୋ ବିଶ୍ୱାସର ଆଧାର ହେଉଛି, ଏ ଜାତିର ସମୃଦ୍ଧ ଇତିହାସ, ଏ ରାଜ୍ୟର ପ୍ରାକୃତିକ ବିଭବ, ପୃଥିବୀର ବିଭିନ୍ନ ସ୍ଥାନରେ ନିଜର ପ୍ରତିଷ୍ଠା ଜାହିର କରିଥିବା ଏ ରାଜ୍ୟବାସୀଙ୍କ ଦକ୍ଷତା । ସେଇ ଦୃଷ୍ଟିରୁ ଚିନ୍ତା କରିବା କଥା, ଏଠି କାହିଁକି ଆମର ସ୍ୱପ୍ନଗୁଡ଼ିକ ଏଭଳି ଦୁର୍ଦଶା ଭୋଗିଲା । କେଉଁଠି କ’ଣ ଭୁଲ୍‌ ହେଲା ? ଭିତ୍ତିଭୂମି ନିର୍ମାଣରେ ? ଯୋଜନା ପ୍ରସ୍ତୁତିରେ ? ପୁଞ୍ଜି ଯୋଗାଡ଼ରେ ? ମାନସିକତା ନିର୍ମାଣରେ ନା ଅନ୍ୟମାନଙ୍କ ସାଙ୍ଗେ ପ୍ରତିଯୋଗିତା କରି ହାରିଯିବାରେ ? ଲକ୍ଷ୍ୟ ଓ କାରଣ ସ୍ଥିର ନକରି କୌଣସି ଜାତି ଆଗେଇ ପାରିବ ନାହିଁ । ଚନ୍ଦ୍ରବାବୁ ନାଇଡୁ ସିଙ୍ଗାପୁର ପରି ଭିଜନ୍‌ ୨୦୨୦ ପ୍ରସ୍ତୁତ କରୁଛନ୍ତି-। ଓଡ଼ିଶା ସେଭଳି ଖସଡ଼ା ପ୍ରସ୍ତୁତ କରିବା ଦରକାର । କେବଳ ଅନୁକରଣ କଲା ପରି ସଭାସମିତି କରିଦେଲେ ହେବନାହିଁ । ତା’ ପଛରେ ଅଙ୍ଗୀକାରବଦ୍ଧତା ରହିବା ଦରକାର । ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଯେଉଁ ନିଷ୍ପତ୍ତି ନେବା ଦରକାର, ତାହା ନେବାକୁ ହିଁ ହେବ - ତାହା ଯେତେ ଅପ୍ରୀତିକର ହେଉ ନା କାହିଁକି ? ଗୁଜୁରାଟ ସରକାର ଶାମ ପିଟ୍ରୋଡା ଗ୍ରୁପ୍‌କୁ ତାଙ୍କ ରାଜ୍ୟର ବିକାଶ ପାଇଁ ଯୋଜନା ତିଆରି କରିବାର ଦାୟିତ୍ୱ ଦେଇଛନ୍ତି । ଆମେ ମଧ୍ୟ ଦେଇପାରିବା-। ଆମେ ବି ଦାବି କରିବା । ଓଡ଼ିଶା କ’ଣ ଭାରତର ଅଂଶ ନୁହେଁ ? ଓଡ଼ିଶାର ଖଣିଜ ସଂପଦ କ’ଣ ଭାରତର ଅର୍ଥନୀତିକୁ ସମୃଦ୍ଧ କରୁନାହିଁ ? ସର୍ବୋପରି ଭାଗ୍ୟବାଦ, କୁସଂସ୍କାର, କ୍ଳୀବତ୍ୱ ଓ ଉଦାସୀନତାରୁ ମୁକ୍ତି ପାଇଁ ଓଡ଼ିଶାର ସବୁ ସଚେତନ ଅନୁଷ୍ଠାନ ନିଜର ସବୁ ଶକ୍ତି ବ୍ୟୟ କରି ଉଦ୍ୟମ କରିବା ଦରକାର । ଶିବ ଖେରା କହୁଛନ୍ତି, ‘‘ଉଇନର୍‌ସ ଡୁ ନଟ୍‌ ଡୁ ଡିଫରେଣ୍ଟ୍‌ ଥିଙ୍ଗ୍‌ସ, ଦେ ଡୁ ଥିଙ୍ଗ୍‌ସ ଡିଫରେଣ୍ଟଲି ।’’ ଯଦି ଏପର୍ଯ୍ୟନ୍ତ ଆମେ ଆସିଥିବା ରାସ୍ତା ଭୁଲ୍‌ ବୋଲି ଆମର ହୃଦ୍‌ବୋଧ ହେଉଛି, ତାହାହେଲେ ଆମେ ଭୁଲ୍‌କୁ ସ୍ୱୀକାର କରି ଠିକ୍‌ ରାସ୍ତା ଧରିବା ଦରକାର । ନିଜ ଦୋଷକୁ ଲୁଚେଇବାକୁ ଯାଇ ସେହି ଭୁଲ୍‌ ରାସ୍ତାରେ ଚାଲିଲେ, ଜୀବନ ସରିଯିବ ଅଥଚ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା ନାହିଁ ।

 

ଏହିସବୁ କାରଣରୁ ଉତ୍କଳ ଦିବସ ପାଳନ ସବୁ ଓଡ଼ିଆଙ୍କ ପାଇଁ ଆତ୍ମନିରୀକ୍ଷଣର ଗୋଟିଏ ଗୋଟିଏ ଅବକାଶ । ଥରେ ମନେ ପକାନ୍ତୁ, ଛପରହୀନ ଘରେ ଖାଇବା ପିନ୍ଧିବାକୁ ନପାଇ ହଜାର ହଜାର ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି, ମନେ ପକାନ୍ତୁ ହଜାର ହଜାର ଶିକ୍ଷିତ ଯୁବକ କୌଣସି ସ୍ୱପ୍ନ, ଲକ୍ଷ୍ୟ ନଥାଇ ରାଜଧାନୀର ରାଜପଥରେ ଉଦ୍‌ବାସ୍ତୁଙ୍କ ପରି ଘୂରି ବୁଲୁଛନ୍ତି, ଶହ ଶହ ଗାଁରେ ପିଇବା ପାଣି ନାହିଁ, ସ୍କୁଲ୍‌ ନାହିଁ, ଡାକ୍ତରଖାନା ନାହିଁ; ଅଭାବ ଯୋଗୁଁ ମା’ ପୁଅକୁ ବିକି ଦେଉଛି, ଡାଆଣୀ ସନ୍ଦେହରେ ପୁତୁରା ଖୁଡ଼ୀକୁ ମାରିଦେଉଛି, ପ୍ରତିଦିନ ଶହ ଶହ ରୋଗୀ ମରୁଛନ୍ତି ବଟିକାଟିଏ ନପାଇ । ଏଇ ହେଉଛି ଆମର ଦେଶ, ଆମରି ରାଜ୍ୟ । ଏହି ରାଜ୍ୟର ସମୃଦ୍ଧି ପାଇ ଆମର ପୂର୍ବପୁରୁଷ ନିଜ ନିଜର ଜୀବନ ଓ ସ୍ୱପ୍ନ ବଳି ପକେଇ ଦେଇଛନ୍ତି । ଆମକୁ ସେ କଥାକୁ ବାରମ୍ବାର ମନେ ପକେଇବାକୁ ପଡ଼ିବ । ଏ କଥାକୁ ମନେ ରଖିଲେ ଆସନ୍ତାକାଲିର ଓଡ଼ିଶା ଆଜିର ଓଡ଼ିଶାଠାରୁ ସମୃଦ୍ଧ ହେବ, ବିକଶିତ ହେବ, ଆଗୁଆ ହେବ ଏବଂ ଆମମାନଙ୍କର ଉତ୍କଳ ଦିବସ ପାଳନ ଅର୍ଥପୂର୍ଣ୍ଣ ହେବ ।

 

୧ ଏପ୍ରିଲ ୨୦୦୦, ରାୟଗଡ଼ା

Image

 

ନିରୁଦ୍ଦିଷ୍ଟ ଶ୍ରବଣକୁମାର

 

ରାମାୟଣର ‘ଶ୍ରବଣକୁମାର’ ଉପାଖ୍ୟାନ ଭାରତୀୟ ମୂଲ୍ୟବୋଧର ଏକ ଉଜ୍ଜ୍ୱଳ ଉଦାହରଣ । ନିଜର ଚକ୍ଷୁହୀନ ବୃଦ୍ଧ ପିତାମାତାଙ୍କ ତୀର୍ଥ ଦର୍ଶନ ଲାଗି ପୁତ୍ର ଶ୍ରବଣକୁମାରର କୁଚ୍ଛ୍ର ସାଧନା ଏବଂ ସରଯୁ ତୀରରେ ରାଜା ଦଶରଥଙ୍କ ଶରାଘାତରେ ତାଙ୍କର ଅକାଳ ମୃତ୍ୟୁ ରାମାୟଣର ପାଠକ ଆଖିରେ ଲୁହ ଭରିଦିଏ । ସେଥିପାଇଁ, ଆଜି ସୁଦ୍ଧା କୌଣସି ଗ୍ରାମ କି ସହରର କେହି ପୁତ୍ର କନ୍ୟା, ନିଜ ବୃଦ୍ଧ ପିତାମାତାଙ୍କ ସେବାଯତ୍ନ କରିବାର ଦେଖିଲେ ତାହାଙ୍କୁ ଶ୍ରବଣକୁମାର ବୋଲି ଶ୍ରଦ୍ଧାରେ ଅଭିହିତ କରାଯାଇଥାଏ । ମାତ୍ର ବିଡ଼ମ୍ବନାର ବିଷୟ, ଯେଉଁ ଭାରତବର୍ଷ ଏକଦା ଶ୍ରବଣକୁମାରର ଦେଶ ଭାବେ ପ୍ରଶଂସିତ ହେଉଥିଲା ସେହି ଦେଶରେ ଆଜି ବୃଦ୍ଧ ପିତାମାତା ଅଧିକ ଅବହେଳିତ । ଶ୍ରବଣକୁମାର ମାନେ ଆଜି ଆଉ ସହର କି ଗାଁ କେଉଁଠାରେ ଦିଶୁ ନାହାନ୍ତି । କାନାଡା, ଡେନମାର୍କ, ନରୱେ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରି ଦେଶ ତୁଳନାରେ ଭାରତରେ ବରିଷ୍ଠ ନାଗରିକମାନଙ୍କର ଜୀବନଧାରଣ ମାନ ଆଦୌ ସମ୍ମାନଜନକ ନୁହେଁ । ଗୋଟିଏ ପଟେ ସ୍ୱାସ୍ଥ୍ୟ ସେବାର ଉନ୍ନତି ଓ ସ୍ୱାସ୍ଥ୍ୟ ସଚେତନତା ଯୋଗୁଁ ସାଧାରଣ ମଣିଷର ହାରାହାରି ଆୟୁଷ୍କାଳ, ଯାହା ୧୯୬୦ ମସିହାରେ ୫୭ ଥିଲା ତାହା ଏବେ ୬୫ରେ ପହଞ୍ଚିଥିବା ବେଳେ ଅନ୍ୟ ପଟେ ସର୍ବନିମ୍ନ ସେବାଯତ୍ନ ଏବଂ ଖାଦ୍ୟ, ପୋଷାକ ପାଉନଥିବା ଅସହାୟ ବୁଢ଼ାବୁଢ଼ୀଙ୍କ ସଂଖ୍ୟା ୩ କୋଟିରେ ପହଞ୍ଚିଲାଣି । ଅଶି ବର୍ଷ ବୟସରୁ ଊର୍ଧ୍ୱ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବର୍ତ୍ତମାନ ୮୦ ଲକ୍ଷ, ସତୁରି ବୟସରୁ ଊର୍ଧ୍ୱ ଲୋକଙ୍କ ସଂଖ୍ୟା ପ୍ରାୟ ତିନିକୋଟି ଏବଂ ଷାଠିଏରୁ ଊର୍ଧ୍ୱ ଲୋକଙ୍କ ସଂଖ୍ୟା ପ୍ରାୟ ଆଠ କୋଟି । ଏମାନଙ୍କ ମଧ୍ୟରୁ ଶତକଡ଼ା ୬୪ ଭାଗ ବୟସ୍କ ମହିଳା ଏବଂ ୪୬ ପ୍ରତିଶତ ବୟସ୍କ ପୁରୁଷ ନିଜ ନିଜର ଖାଦ୍ୟ, ବସ୍ତ୍ର ଏବଂ ସ୍ୱାସ୍ଥ୍ୟ ସେବା ଲାଗି ସମ୍ପୂର୍ଣ୍ଣ ଭାବେ ଅନ୍ୟ ଉପରେ ନିର୍ଭରଶୀଳ । ଏହି ବୟସ୍କ ମଣିଷଙ୍କ ଭିତରୁ ଶହେରେ ଦଶ ଜଣଙ୍କ ଯତ୍ନ ନେବା ଲାଗି କେହି ଜଣେ ହେଲେ ନାହିଁ । ସେମାନଙ୍କ ଦୁଃଖ ଏବଂ ଅସହାୟତା ସହଜରେ ଅନୁମେୟ । ସେଥିପାଇଁ ଜନସଂଖ୍ୟା ବଢ଼ି ଚାଲୁଥିବା ଏହି ଭାରତର ଦୁଇଟି ଚେହେରା ସମାନ୍ତରାଳ ଭାବେ ଗଢ଼ି ଉଠୁଛି । ଗୋଟିଏ ପଟେ କାନଫଟା କୋଳାହଳ, ଆରପଟେ ନିରବ ନିଃସଙ୍ଗତା । ଧୀରେ ଧୀରେ ଏହି ନିଃସଙ୍ଗ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ସେମାନଙ୍କ ମଧ୍ୟରୁ ସମସ୍ତେ ଯେ ନିଃସ୍ୱ, ଅଲୋଡ଼ା କିମ୍ବା ଅନ୍ୟ ଉପରେ ନିର୍ଭରଶୀଳ ତାହା ମଧ୍ୟ ନୁହେଁ । ମାତ୍ର ବୁଢ଼ା କାଳେ ଯିଏ ସେମାନଙ୍କ ଅବଲମ୍ବନ ହେବ ବୋଲି ସେମାନେ ଭାବି ଆସିଥିଲେ ସେଇ ପୁଅ କି ଝିଅ ଏବେ ସେମାନଙ୍କ ପାଖରେ ରହୁନାହାନ୍ତି । ପ୍ରବାସରେ ରହୁଥିବା ନିଜ ପିଲାମାନଙ୍କ ସହ ପିତାମାତାଙ୍କ ସମ୍ପର୍କ ଇ-ମେଲ କିମ୍ବା ଟେଲିଫୋନ୍‌ରେ ହିଁ ସୀମିତ । ଆଜି ଯେଉଁ ପିଲାଟି ଯୋଗ୍ୟ ହେଲା ସିଏ ଗାଁରୁ ସହର ଏବଂ ସୁବିଧା ପାଇଲେ ସହରରୁ ପ୍ରବାସକୁ ଚାଲିଯିବା ଲାଗି ତତ୍ପର । ସତ୍ୟଜିତ ରାୟଙ୍କ ‘ଶାଖାପ୍ରଶାଖା’ ସିନେମାର ପାଗଳ ପୁଅଟି ହିଁ ଆଜି ପିତାମାତାଙ୍କର ଶେଷ ଆଶା-! ତେବେ ସିନେମା ଓ ବାସ୍ତବତା ଭିତରେ ଏତିକି ବ୍ୟତିକ୍ରମ ଯେ, ଆଜି କୌଣସି ପରିବାରରେ ଆଉ ଏକାଧିକ ସନ୍ତାନସନ୍ତତିଙ୍କ କୋଳାହଳ ପ୍ରାୟ ନାହିଁ କହିଲେ ଚଳେ । ଯୋଡ଼ିଏ ବା ଅଧିକାଂଶ କ୍ଷେତ୍ରରେ ଗୋଟିଏ ପିଲାର ପିତାମାତା, ବାର୍ଧକ୍ୟରେ ସେମାନଙ୍କର ପିଲାମାନଙ୍କ ସେବାରୁ ବଞ୍ଚିତ ହେବା ଏକରକମର ଅବଧାରିତ ହୋଇଗଲାଣି ।

 

ଭାରତର ଧନୀ, ଶିକ୍ଷିତ ଏବଂ ସମ୍ଭ୍ରାନ୍ତ ପରିବାରରେ ଏ ପ୍ରକାର ଚିତ୍ର ଅଧିକରୁ ଅଧିକ ବିସ୍ତୃତ ହେଉଥିବା ବେଳେ ଗ୍ରାମୀଣ ଭାରତରେ ଅଭାବ- ଅସୁବିଧା ଏବଂ ମୂଲ୍ୟବୋଧ ହୁଗୁଳି ଯିବାର ଉପସର୍ଗ ପରିବାରର ବୟସ୍କ ନାଗରିକମାନଙ୍କୁ ନିର୍ଯାତନା ଭିତରକୁ ନିକ୍ଷିପ୍ତ କରୁଛି । ସେମାନେ ଜୀଅନ୍ତା ମୁର୍ଦାର ପରି, ରାତିଦିନ ଆଖିରୁ ଲୁହ ଢାଳି, ନାମକୁ ମାତ୍ର ବଞ୍ଚି ରହୁଛନ୍ତି ସିନା, ପ୍ରତି ମୁହୂର୍ତ୍ତରେ ନିଜର ଭାଗ୍ୟକୁ ନିନ୍ଦା କରୁଛନ୍ତି । ଏମାନଙ୍କ ଭିତରେ ପୁଣି ମହିଳା ମାନଙ୍କର ସଂଖ୍ୟା ଅଧିକ । ଶତକଡ଼ା ପଚାଶ ଭାଗ ବୟସ୍କା ମହିଳା ଏ ଦେଶରେ ନିଃସଙ୍ଗ ଓ ଅଲୋଡ଼ା ହୋଇ ପଡ଼ିବାର ଅନୁଭବ ଓ ଦରିଦ୍ର ବା ମଧ୍ୟବର୍ଗ ବୟସ୍କ ମାନଙ୍କର ପର ଉପରେ ନିର୍ଭରଶୀଳ, ଆତ୍ମସମ୍ମାନହୀନ ଜୀବନଯାପନ ଭାରତବର୍ଷର ବର୍ତ୍ତମାନ ଗୋଟିଏ ବଡ଼ ସମସ୍ୟା । ସେଥିପାଇଁ ଭାରତବର୍ଷରେ ଏବେ ପିତାମାତାଙ୍କ ଭରଣପୋଷଣ ଓ ବରିଷ୍ଠ ନାଗରିକ ବିଲ୍‌ ୨୦୦୭ ପାର୍ଲାମେଣ୍ଟର ଅନୁମୋଦନ ଅପେକ୍ଷାରେ ରହିଛି, ଯାହାର ପ୍ରୟୋଜନୀୟତା ପୂର୍ବରୁ ଅଚିନ୍ତନୀୟ ଥିଲା । ଏହି ବିଲ୍‌ ଆଇନ ହେବା ପରେ ଷାଠିଏ ବୟସରୁ ଊର୍ଧ୍ୱ ପିତାମାତାଙ୍କୁ ଅବହେଳା କରୁଥିବା ସନ୍ତାନ ସନ୍ତତି ଦଣ୍ଡିତ ହେବେ ।

 

ସମ୍ବାଦପତ୍ରଠାରୁ ଟେଲିଭିଜନ ପର୍ଯ୍ୟନ୍ତ ସର୍ବତ୍ର ଚର୍ଚ୍ଚା ହେଉଛି ଯେ ଭାରତ ଏବେ ଯୌବନର ଦେଶ । କାରଣ ଆମ ଲୋକସଂଖ୍ୟାର ଅର୍ଧେକଙ୍କ ହାରାହାରି ବୟସ ଏବେ ଚବିଶ । ମାତ୍ର ଏହି ଅର୍ଧେକ ଯଦି ଅବଶିଷ୍ଟ ଅର୍ଧେକଙ୍କର ଯତ୍ନ ନ ନେବେ, ତାହାହେଲେ କେବଳ ଆଇନ ପ୍ରଣୟନ ଦ୍ୱାରା ସେ ସମସ୍ୟାର ମୁକାବିଲା କରି ହେବ ନାହିଁ । ଅନେକ ସମୟରେ ଅସହାୟ ବୁଢ଼ା ବା ବୁଢ଼ୀ କେବଳ ଭାତ, ରୁଟି କି ଲୁଗାପଟା ଲୋଡ଼ନ୍ତି ନାହିଁ, ସେମାନଙ୍କ ପାଇଁ ସମ୍ପର୍କର ସାନ୍ନିଧ୍ୟ ମଧ୍ୟ ପ୍ରୟୋଜନ । ଏହି ବର୍ଗର ମଣିଷଙ୍କୁ ଯତ୍ନ ନେବା ପାଇଁ ଆଇନରେ ଯେତେ ପ୍ରକାର ବ୍ୟବସ୍ଥା ରଖାଯିବାର କଥା ରଖାଯାଉ, ମାତ୍ର ଆମ ସମସ୍ତଙ୍କୁ ଯେ ଦିନେ ଜୀବନର ସେହି ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିବ, ସେ ଧରଣର ସମାନୁଭୂତି ଯୁବକ ଯୁବତୀଙ୍କ ଭିତରେ ଉଦ୍ରେକ ହେଉ ।

 

ସମ୍ବାଦ, ୧୭ ଜୁଲାଇ, ୨୦୦୭

Image

 

ପାପ ନା ପୁଣ୍ୟ !

 

ଖବରଟି ଭିନ୍ନ ଭିନ୍ନ ପତ୍ର ପତ୍ରିକା ଏବଂ ଖବରକାଗଜରେ ବାହାରିଚି । ପଞ୍ଜାବର ଗୋଟିଏ ଗରିବ ଘରର ସ୍ତ୍ରୀ (ଧରାଯାଉ ତା’ ନାଁ ନିର୍ମଳା) ତା’ ସ୍ୱାମୀର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନିୟୋଜନ ନିମନ୍ତେ ନିଜର ଗର୍ଭାଶୟକୁ ଭଡ଼ାରେ ଦେବା ପାଇଁ ମନସ୍ଥ କରିଛନ୍ତି । ତାଙ୍କର ସ୍ୱାମୀ ଦୀର୍ଘ ଦିନ ହେଲା ଡାକ୍ତରଖାନାରେ ପକ୍ଷାଘାତ ରୋଗର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି, ପ୍ରତି ମାସରେ ହଜାରେ ଦି’ ହଜାର ଟଙ୍କା ଲୋଡ଼ା ପଡୁଛି, ଯାହାକି ନିର୍ମଳା ପରି ଗରିବ ସ୍ତ୍ରୀଟି ପକ୍ଷେ ଯୋଗାଡ଼ କରିବା ଅସମ୍ଭବ । ଆମ ସମାଜ ବ୍ୟବସ୍ଥାରେ ସ୍ୱାମୀ ହିଁ ମୁଖ୍ୟତଃ ପରିବାର ପୋଷଣର ଦାୟିତ୍ୱ ଗ୍ରହଣ କରିଥାଏ, କାରଣ ସେ ହିଁ ନିଜକୁ ପରିବାରର କର୍ତା ବୋଲି ଦାବି କରେ-। ମାତ୍ର ଏହି ପରିବାରଟି କ୍ଷେତ୍ରରେ ସମସ୍ୟା ହୋଇଛି ଯେ ସ୍ୱାମୀ ତା’ ପରିବାର ପୋଷଣ ଦାୟିତ୍ୱ ତୁଲେଇବା ଦୂରେ ଥାଉ ନିଜ ଚିକିତ୍ସା ପାଇଁ ସ୍ତ୍ରୀ ଉପରେ ନିର୍ଭର କରୁଛି ।

 

ଏହି ସ୍ତ୍ରୀ ଲୋକଟିର ସୌଭାଗ୍ୟକୁ ଏଭଳି ଜଣେ ଗର୍ଭାଶୟ ଭଡ଼ା ନେବାବାଲା ମଧ୍ୟ ମିଳି ଯାଇଛନ୍ତି । ଅପୁତ୍ରକ ଭଦ୍ରଲୋକ ପଚାଶ ହଜାର ଟଙ୍କା ଦେଇ ନିର୍ମଳାର ଗର୍ଭାଶୟକୁ ଭଡ଼ାରେ ନେବେ ।

 

ଗର୍ଭାଶୟରେ ଭ୍ରୂଣ ସଞ୍ଚାର ପାଇଁ ବିଜ୍ଞାନ ସମ୍ଭବତଃ ଏ ପର୍ଯ୍ୟନ୍ତ ଦୁଇଟି ଉପାୟ ଆବିଷ୍କାର କରିଛି । ନାରୀ ସହ ପୁରୁଷର ସହବାସ ପରି ପ୍ରାକୃତିକ ପ୍ରକ୍ରିୟା ଭିନ୍ନ ଅନ୍ୟ ଯୋଡ଼ିକ ଉପାୟ ହେଲା, ଛୁଆ ଚାହୁଁଥିବା ବାପା ମା’ଙ୍କ ଶୁକ୍ରାଣୁ ଓ ଡିମ୍ବାଣୁର ମିଶ୍ରଣକୁ ବିକଳ୍ପ ଜନନୀର ଗର୍ଭାଶୟରେ କୃତ୍ରିମ ଉପାୟରେ ରୋପଣ କରାଯିବ ଅଥବା ଭଡ଼ାରେ ନେଉଥିବା ଭଦ୍ରଲୋକଙ୍କ ସ୍ତ୍ରୀ ବନ୍ଧ୍ୟା ହୋଇଥିଲେ କେବଳ ସ୍ୱାମୀର ଶୁକ୍ରାଣୁ ସହ ବିକଳ୍ପ ଜନନୀର ଡିମ୍ବାଣୁର ମିଶ୍ରଣକୁ ତା’ ଗର୍ଭାଶୟରେ ରୋପଣ କରାଯିବ । ମାତ୍ର ପଞ୍ଜାବର ଏଇ ଯୋଉ ସ୍ତ୍ରୀ କଥା ଏଠି ଆଲୋଚନା କରାଯାଉଛି, ସେ ବିଜ୍ଞାନ ସମ୍ବନ୍ଧରେ ଏତେ କଥା ଜାଣେ ନାହିଁ । ଏହି ପରୀକ୍ଷା ନିରୀକ୍ଷା କଥା ଶୁଣି ସେ ଭୟ ପାଉଥିବାରୁ ପ୍ରାକୃତିକ ବ୍ୟବସ୍ଥା ବା ପରପୁରୁଷ ସାଙ୍ଗେ ସହବାସ ପରି ସହଜ ବ୍ୟବସ୍ଥା ନିମନ୍ତେ ଆଗ୍ରହ ପ୍ରକାଶ କରିଛି । ତା’ର ଭୟ କରିବାର ଆଉ ଗୋଟିଏ କାରଣ ହେଲା ଯେ ସେ ଅନିଶ୍ଚିତତା ମୁଣ୍ଡେଇବାକୁ ଚାହୁଁ ନାହିଁ । ବିଜ୍ଞାନର ପରୀକ୍ଷା ନିରୀକ୍ଷାର ମାଧ୍ୟମଟିଏ ହେବା ତା’ର ଉଦ୍ଦେଶ୍ୟ ନୁହେଁ, ଉଦ୍ଦେଶ୍ୟ ଅର୍ଥ ଯୋଗାଡ଼ ।

 

ଏ ପ୍ରସଙ୍ଗକୁ ନେଇ ଏବେ ଭାରତର ବୁଦ୍ଧିଜୀବୀ ମହଲରେ ଝଡ଼ ଉଠିଛି । କାରଣ ଆମ ସମାଜ ବ୍ୟବସ୍ଥାରେ ଯୋଉ ନୀତିନିୟମ ଅଛି ସେଥିରେ ସନ୍ତାନ ଆଶାରେ ହେଉ, ଅର୍ଥ ଆଶାରେ ହେଉ ବା ଯୌନସୁଖ ଆଶାରେ ହେଉ ପରପୁରୁଷ ସାଙ୍ଗେ ସହବାସ ଘୋର ଅପରାଧ । ବେଶ୍ୟାବୃତ୍ତିଠାରୁ ମଧ୍ୟ ତାହା ଅଧିକ ଘୃଣ୍ୟ ବୋଲି ସମାଜର ନୀତିବାଗୀଶମାନେ ଯୁକ୍ତି କରିଛନ୍ତି । ହୁଏତ ପରୀକ୍ଷାଗାରରେ ଇଂଜେକ୍‌ସନ୍‌ ସିରିଞ୍ଜ୍‌ ଜରିଆରେ ଭ୍ରୂଣ ସଞ୍ଚାରକୁ ସେମାନେ କ୍ଷମା କରି ଦେଇ ପାରନ୍ତେ, ମାତ୍ର ସିଧାସଳଖ ସହବାସକୁ କଦାପି ଗ୍ରହଣ କରିପାରିବେ ନାହିଁ । କେବଳ ନୀତି ଓ ନୈତିକତା ଦୃଷ୍ଟିରୁ ନୁହେଁ, ପ୍ରଚଳିତ ଆଇନ ବ୍ୟବସ୍ଥା ମଧ୍ୟ ଏହାକୁ ସ୍ୱୀକୃତି ଦେବାପାଇଁ ନାରାଜ । ଭାରତୀୟ ପିଙ୍ଗଳ କୋର୍ଡର ବ୍ୟବସ୍ଥାନୁସାରେ ଏ ପ୍ରକାର ଆଚରଣକୁ ‘ଅନୈତିକ ଆଚରଣ ନିଷେଧ ନୀତି’ ବା ସପ୍ରେସନ୍‌ ଅଫ୍‌ ଇମୋରାଲ୍‌ ଟ୍ରାଫିକ୍‌ ଆକ୍ଟ ଅନୁସାରେ ବିରୋଧ କରାଯାଇପାରିବ । ଏହା ଏକ ପ୍ରକାର ଖୋଲାଖୋଲି ବେଶ୍ୟାବୃତ୍ତି ଭିନ୍ନ ଅନ୍ୟ କିଛି ନୁହେଁ ବୋଲି ଆଇନ କହିବ । ଦ୍ୱିତୀୟ ସମସ୍ୟା ହେଲା ବିବାହ ବନ୍ଧନରେ ବନ୍ଧା ହୋଇ ନଥିବା ଗୋଟିଏ ସ୍ତ୍ରୀ ଓ ଅପରିଚିତ ପୁରୁଷର ସଙ୍ଗମରୁ ଉତ୍ପନ୍ନ ସନ୍ତାନଟିର ପ୍ରକୃତ ଦାବିଦାର କିଏ ହେବ ? ବା ସେହି ପିଲାଟିର ପିତା ଓ ମାତା ନାଁ ଜାଗାରେ କାହାର ନାମ ରହିବ ? ଯଦି ଦେଶର ଆଇନ ପିଲାଟିକୁ ସ୍ୱୀକୃତି ନଦିଏ ତାହାହେଲେ ସେ ପିଲାଟି ସବୁଦିନ ପାଇଁ ସାମାଜିକ ଘୃଣା, ଅନାଦର ଓ ଉପେକ୍ଷାର ଶିକାର ହୋଇ ରହିବ ।

 

ଏହି ପଞ୍ଜାବୀ ସ୍ତ୍ରୀ ଲୋକଟିର ପ୍ରଚଳିତ ଆଇନ ବ୍ୟବସ୍ଥା ପାଇଁ ଗୋଟିଏ ଆହ୍ୱାନ ହୋଇଛି । ଆଇନ ଅନୁସାରେ ମଣିଷର ଶରୀରକୁ ବ୍ୟାବସାୟିକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ । ଯଦିଓ କିଡ୍‌ନୀ ବିକ୍ରୟ ଏବେ ସାଧାରଣ କଥା ହେଲାଣି ଏବଂ କିଡ୍‌ନୀ ଦାନ କରୁଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଅର୍ଥ ବଦଳରେ ତାହା ଦାନ କରୁଛନ୍ତି । ଅବଶ୍ୟ କିଡ୍‌ନୀ ବିକିବା ଓ ଗର୍ଭାଶୟ ଭଡ଼ାରେ ଦେବା ଏକା କଥା ନୁହେଁ । ଗୋଟିଏ କ୍ଷେତ୍ରରେ ପ୍ରତ୍ୟଙ୍ଗଟିକୁ ମଣିଷଠୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରାଯାଇ ପାରୁଥିବାବେଳେ ଆରଟି ତା’ ସାଙ୍ଗରେ ସବୁଦିନ ରହିବ ଏବଂ ବଡ଼କଥା ହେଲା ନିଜ ସ୍ୱାମୀ ଥାଉ ଥାଉ ଅନ୍ୟ ପୁରୁଷଟି ସାଙ୍ଗରେ ତା’ ବିଛଣାରେ ଯାଇ ସ୍ତ୍ରୀଟି ଶୋଇବ ।

 

ବିଂଶ ଶତାବ୍ଦୀ ଏ ଧରଣର ବହୁ ବିଚିତ୍ର ପ୍ରଶ୍ନର ସମ୍ମୁଖୀନ ହୋଇଛି । ବିଜ୍ଞାନର ଜୟଯାତ୍ରା ପଥରେ ଏ ଧରଣର ନୈତିକ, ସାମାଜିକ ଏବଂ ଆବେଗିକ ଏକାଧିକ ପ୍ରଶ୍ନ ପଛରେ ରହିଯାଉଛି । ନିକଟରେ ‘କ୍ଲୋନିଂ’କୁ ନେଇ ଅନେକ ବିତର୍କ ହୋଇଛି । ଗୋଟିଏ ପ୍ରକାର ସୃଷ୍ଟି (ପଶୁ ହେଉ ବା ମଣିଷ)କୁ ବହୁଗୁଣିତ କରିବାର ଏହି ଯାନ୍ତ୍ରିକ ଉପାୟ ଉଦ୍ଭାବନ କେତେଗୁଡ଼ିଏ ପ୍ରଶ୍ନ ଉତ୍‌ଥାପନ କରିଛି । ଯାହା ଜଣାପଡୁଛି କଳକବ୍‌ଜା ଓ ଯନ୍ତ୍ରପାତିଗୁଡ଼ିକର ମାନବୀକରଣ ହୋଇ ଚାଲୁଥିବାବେଳେ ମଣିଷର ଯାନ୍ତ୍ରୀକରଣ ପ୍ରକ୍ରିୟା ଦ୍ରୁତଗତିରେ ଘଟିଚାଲିଛି । ଯନ୍ତ୍ରପାତି ଏବେ ଅଧିକ ବିଚକ୍ଷଣ ମଣିଷ ପରି ବୁଦ୍ଧି ଖଟେଇ ପାରିବ ଓ ଚଳପ୍ରଚଳ ହେବାକୁ ସମର୍ଥ ହେବ ବୋଲି ନୂଆ ଜାପାନୀ ମଡେଲ୍‌ ରୋବଟ ପି-୨ ପ୍ରମାଣିତ କରିସାରିଲାଣି । ହୁଏତ ସମୟ ଆସିବ, ଆଉ କିଛି କିଛି ଅସମ୍ଭବ କାର୍ଯ୍ୟ ମଧ୍ୟ ଯନ୍ତ୍ର କରିବସିବ । ଯନ୍ତ୍ର ସମ୍ବେଦନଶୀଳ ହେଲାବେଳକୁ ମଣିଷ ‘କ୍ଲୋନିଂ’ ଓ ଗର୍ଭାଶୟ ଭଡ଼ାରେ ଦେବା ପରି ନିଷ୍ପତ୍ତି ଜରିଆରେ ସେ ଯେ ଗୋଟିଏ କଳକବ୍‌ଜା ବିଶିଷ୍ଟ ପରୀକ୍ଷାଗାର ସେପରି ଧାରଣାକୁ ସ୍ୱୀକୃତି ଦେଇ ବସିଲାଣି । ମାତ୍ର ଏଭଳି ପ୍ରସଙ୍ଗଗୁଡ଼ିକୁ ଭାରତୀୟ ପ୍ରାଚ୍ୟ ଦର୍ଶନ ଓ ସାମାଜିକ ମୂଲ୍ୟବୋଧ ଗ୍ରହଣ କରିପାରେ ନାହିଁ । ସେଥିପାଇଁ ପଞ୍ଜାବୀ ସ୍ତ୍ରୀ ଲୋକଟି ତା’ର ଗର୍ଭାଶୟ ନିମନ୍ତେ ଭଡ଼ାଟିଆ ପାଇ ମଧ୍ୟ ଗର୍ଭାଶୟ ଭଡ଼ା ଲଗେଇ ପାରୁନାହିଁ ।

 

ବର୍ତ୍ତମାନ ପ୍ରଶ୍ନ ଉଠୁଛି ନିର୍ମଳାର ଏହି ନିଷ୍ପତ୍ତିଟି ପାପ ନା ପୂଣ୍ୟ ? ସେ ଭାବୁଛି ଯେ ଏହା ପୁଣ୍ୟ ଏବଂ ଏ କାର୍ଯ୍ୟ ଫଳରେ ଦୁଇଟି ପରିବାର ଉପକୃତ ହେବେ । ପ୍ରଥମ ହେଲା ସେ ନିଜେ ପଚାଶ ହଜାର ଟଙ୍କା ପାଇବ ଓ ସେଇ ଟଙ୍କାରେ ସେ ତା’ ସ୍ୱାମୀର ଚିକିତ୍ସା ବ୍ୟବସ୍ଥା କରିପାରିବ । ଦ୍ୱିତୀୟ ହେଲା ଆଉ ଗୋଟେ ସନ୍ତାନଶୂନ୍ୟ ପରିବାରକୁ ପିଲାଟିଏ ଆସିବ ଓ ସେମାନେ ଖୁସି ହେବେ । ଏଥିରେ ପାପର ପ୍ରଶ୍ନ ଉଠୁନାହିଁ, କାରଣ ସେ ବେଶ୍ୟାବୃତ୍ତି କରୁନାହିଁ । ଯଦି ଆଇନରେ ଗର୍ଭାଶୟ ଭଡ଼ା ଦେଲା ପରି ବ୍ୟବସ୍ଥା ନାହିଁ, ତାହାହେଲେ ଆବଶ୍ୟକ ସଂସ୍କାର ଓ ସଂଶୋଧନ ଅଣାଯିବା ଦରକାର ।

 

ଆଇନ ଓ ସମାଜ କିନ୍ତୁ ଏହା ଗ୍ରହଣ କରିବାକୁ ରାଜି ନୁହେଁ । ଏ ପ୍ରକାର ଘଟଣା ଯଦି ଆହୁରି ଅନେକ ନାରୀଙ୍କୁ ଗର୍ଭାଶୟ ଭଡ଼ାରେ ଦେବାପାଇଁ ଉତ୍ସାହିତ କରେ ତାହାହେଲେ ହୁଏତ ଘୋର ଅନର୍ଥ ଘଟିବ । ହୁଏତ ସନ୍ତାନଧାରଣକ୍ଷମ ବିଧବାମାନେ ସଂଶୋଧିତ ଆଇନର ସାହାଯ୍ୟ ନେଇ ପରପୁରୁଷ ଭାବେ ବେଶ୍ୟାବୃତ୍ତିକୁ ଆଇନଗତ ସ୍ୱୀକୃତି ଦେଇଦେବ । ପାରିବାରିକ ଶୃଙ୍ଖଳା, ସାମାଜିକ ଧର୍ମରକ୍ଷା ସମ୍ଭବ ହେବନାହିଁ । ତେଣୁ ଏ ଧରଣର କାର୍ଯ୍ୟ ଘୋର ପାପ ।

 

ଯୋଉମାନେ ଏହାକୁ ପାପ କିମ୍ବା ପୁଣ୍ୟ ଏ ଦିଇଟି ବିଭାଗ ଭିତରୁ କୌଣସି ଗୋଟିଏ ବିଭାଗରେ ଅନ୍ତର୍ଭୁକ୍ତ କରିବାକୁ ଚାହାନ୍ତି ନାହିଁ ସେଭଳି ସଂଖ୍ୟାଗରିଷ୍ଠ ମଧ୍ୟପନ୍ଥୀମାନେ ପ୍ରଶ୍ନଠାରୁ ନିଜକୁ ନିରାପଦ ଦୂରତ୍ୱରେ ରଖି ବିକଳ୍ପ ପନ୍ଥାଗୁଡ଼ିକର ତାଲିକା ବଢ଼ଉଛନ୍ତି । ଯଥା, ସେ ଭଦ୍ରଲୋକ କାହିଁକି ପୋଷ୍ୟପୁତ୍ର ଗ୍ରହଣ କରୁନାହାନ୍ତି ? କାହିଁକି କେହି ଜଣେ ଏହି ଗରିବ ସ୍ତ୍ରୀଲୋକକୁ ପଚାଶ ହଜାର ଟଙ୍କା ଦାନ ଦେଉନାହାନ୍ତି ? କାହିଁକି ସନ୍ତାନହୀନ ଭଦ୍ରଲୋକ ତାଙ୍କ ପତ୍ନୀଙ୍କ ସମ୍ମତି ନେଇ ଦ୍ୱିତୀୟ ବିବାହ କରୁନାହାନ୍ତି ଇତ୍ୟାଦି ଇତ୍ୟାଦି । ମାତ୍ର ସେ ଭଦ୍ରଲୋକ ତାଙ୍କ ଶୁକ୍ରାଣୁର ସନ୍ତାନ ହିଁ ଚାହୁଁଛନ୍ତି, ଯାହାକୁ ସେ ନିଜର ସନ୍ତାନ ଭାବେ ଆନନ୍ଦରେ ଗ୍ରହଣ କରିପାରିବେ । ସେ ତାଙ୍କ ବନ୍ଧ୍ୟା ପତ୍ନୀଙ୍କୁ ଖୁବ୍‌ ଆଦର କରୁଛନ୍ତି ଓ ଆଉ ଗୋଟିଏ ସ୍ତ୍ରୀ ବିବାହ କରି ତାଙ୍କ ପାରିବାରିକ ଶାନ୍ତି ବ୍ୟାହତ କରିବାକୁ ଚାହାନ୍ତି ନାହିଁ । ତେଣୁ ଏ ବ୍ୟବସ୍ଥା ତାଙ୍କ ପାଇଁ ଅଧିକ ସହାୟକ । ଏଣେ ଏ ଗରିବ ସ୍ତ୍ରୀ ନିର୍ମଳା ମଧ୍ୟ କାହାର ଦୟା ଭିକ୍ଷା କରିବାକୁ ଚାହୁଁ ନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ସମାଜ ଏ ଘଟଣାକୁ ଦେଖି ନଦେଖିଲା ପରି ରହିଯିବ ନା ଏହାକୁ ଗ୍ରହଣ କରିନେବା ପାଇଁ ଆଇନରେ ଆବଶ୍ୟକ ସଂସ୍କାର ଆଣିବ ନା ଏହାକୁ ଦୃଢ଼ ହସ୍ତରେ ଦମନ କରିବ-?

 

‘ଦମନ’ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କେବଳ କଠିନ ନୁହେଁ ଅସମ୍ଭବ । ଆମ ସମାଜ ବେଶ୍ୟାବୃତ୍ତି, ଯୌତୁକ ନିର୍ଯାତନା, ନାରୀ ନିର୍ଯାତନା, ଚୋରା ମାଦକଦ୍ରବ୍ୟ କାରବାର ଓ ଚୋର କାଠ ଚାଲାଣଠୁ ନେଇ ଅନେକ ଅପକର୍ମକୁ ଦମନ କରିପାରି ନାହିଁ । କାରଣ ବଜାର ନିୟମ ଅନୁସାରେ ଯୋଉଠି ଚାହିଦା ଅଛି ସେଇଠି ଯୋଗାଣ ମଧ୍ୟ ରହିଛି । ଆମ ଦେଶରେ ଏବେ ପ୍ରାୟ ଦେଢ଼କୋଟି ଏଭଳି ଦମ୍ପତ୍ତି ଅଛନ୍ତି ଯୋଉମାନେ ସନ୍ତାନ ଉତ୍ପାଦନ କରିବାକୁ ଅସମର୍ଥ । ସେମାନେ ଅବଶ୍ୟ ଚାହିଁଲେ ପୋଷ୍ୟପୁତ୍ର ଗ୍ରହଣ କରିପାରନ୍ତେ । ମାତ୍ର ସବୁ ପିତାମାତା ପୋଷ୍ୟପୁତ୍ର ଗ୍ରହଣ କରିପାରି ନାହାନ୍ତି । ତେଣୁ ଏ ଦେଢ଼କୋଟି ସନ୍ତାନଶୂନ୍ୟ ପରିବାର ଯଦି ବିକଳ୍ପ ଜନନୀମାନଙ୍କର ଗର୍ଭାଶୟ ଭଡ଼ାରେ ନେବାକୁ ଚାହାନ୍ତି ତାହାହେଲେ ପରିସ୍ଥିତି କି ପ୍ରକାର ହେବ ? ଅନେକେ ଏଭଳି ପ୍ରସଙ୍ଗକୁ ଉଦ୍ଭଟ କହି ଏଡ଼େଇ ଯିବାର ସମ୍ଭାବନା ଅଛି । କାରଣ ବିକଳ୍ପ ଜନନୀ କେବଳ ସନ୍ତାନ ଧାରଣକ୍ଷମ ଗୋଟେ ନାରୀ ନୁହେଁ; ସେ ମଧ୍ୟ କାହାର ନା କାହାର ପତ୍ନୀ ହୋଇଥିବେ । ସେ କ୍ଷେତ୍ରରେ ସେମାନେ ରାଜିହେଲେ ମଧ୍ୟ ତାଙ୍କର ସ୍ୱାମୀ ଯେ ଏଥିପାଇଁ ରାଜି ହେବେ ସେ କଥା କୁହାଯାଇପାରିବ ନାହିଁ ।

 

ଏହି ପ୍ରଶ୍ନ ଆଲୋଚନା କଲାବେଳେ ଭାରତୀୟ ମହାପୁରାଣ ମହାଭାରତର ଦୁଇଟି ଉପାଖ୍ୟାନ ମନକୁ ଆସୁଛି । ପାଠକପାଠିକାମାନେ ସେ ଉପାଖ୍ୟାନ ଯୋଡ଼ିକ ଜାଣନ୍ତି, କେବଳ ପ୍ରାସଙ୍ଗିକତା ଦୃଷ୍ଟିରୁ ତାହାର ଅବତାରଣା କରାଯାଉଛି । ପ୍ରଥମ ପ୍ରସଙ୍ଗ ହେଲା ଉଦ୍ଦାଳକ-ଶ୍ୱେତକେତୁ ପ୍ରସଙ୍ଗ । ଉଦ୍ଦାଳକ ଋଷି ପାଞ୍ଚାଳଦେଶୀ ବ୍ରାହ୍ମଣ । ଗୁରୁ ଧୌମ୍ୟଙ୍କ ଶସ୍ୟକ୍ଷେତ୍ରର ଉଦ୍ଧାର କାର୍ଯ୍ୟରେ ଅପୂର୍ବ ନିଷ୍ଠା ଦେଖାଇଥିବାରୁ ଏହାଙ୍କ ନାମ ଆରୁଣିରୁ ଉଦ୍ଦାଳକ ହୋଇଥିଲା । ସେତେବେଳକାର ନିୟମ ଅନୁସାରେ ଜଣେ ନାରୀକୁ ଏକାଧିକ ପୁରୁଷ ରମଣ କରିବା ଅପରାଧ ଭାବେ ଗଣା ହେଉ ନଥିଲା । ଥରେ ଉଦ୍ଦାଳକ ତାଙ୍କର ପତ୍ନୀ ଓ ପୁତ୍ର ଶ୍ୱେତକେତୁଙ୍କ ସହ ବସିଥିବା ସମୟରେ ଜଣେ ବ୍ରାହ୍ମଣ ଆସି ତାଙ୍କ ପତ୍ନୀଙ୍କ ସହ ରମଣ ପାଇଁ ଆଗ୍ରହ ପ୍ରକାଶ କଲା ଓ ଭଦ୍ରମହିଳାଙ୍କ ହାତ ଧରି ବଳପୂର୍ବକ ଭିଡ଼ିବାରେ ଲାଗିଲା । ପିତା ଉଦ୍ଦାଳକ, ଯିଏ କି କୈଶୋରରେ ଗୁରୁଙ୍କ ଶସ୍ୟକ୍ଷେତ୍ରକୁ ରକ୍ଷା କରିବା ଦିଗରେ ଅପୂର୍ବ ନିଷ୍ଠା ଦେଖେଇଥିଲେ, ସେ କିନ୍ତୁ ନିଜ ସ୍ତ୍ରୀଙ୍କ କରୁଣ ମିନତି ପ୍ରତି କର୍ଣ୍ଣପାତ କଲେନାହିଁ । ଏଥିରେ ଉତ୍‌କ୍ଷିପ୍ତ ଶ୍ୱେତକେତୁ ଉଠିପଡ଼ି ଅନୁପ୍ରବେଶକାରୀ ବ୍ରାହ୍ମଣଙ୍କ ପଥରୋଧ କଲେ ଏବଂ କହିଲେ, ଏହା ଅନ୍ୟାୟ । ଏପରି କାର୍ଯ୍ୟକୁ କଦାପି ସେ ଗ୍ରହଣ କରିପାରିବେ ନାହିଁ । ପିତା ଉଦ୍ଦାଳକ ଶ୍ୱେତକେତୁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ସ୍ତ୍ରୀମାନେ ଶତ ସହସ୍ର ପୁରୁଷଙ୍କ ପ୍ରତି ଆସକ୍ତ ହେଲେ ସୁଦ୍ଧା ଦୋଷ ନାହିଁ । ଏହି ହିଁ ସନାତନ ଧର୍ମ । ମାତ୍ର ପୁତ୍ର ଶ୍ୱେତକେତୁ ଏଥିରେ ରାଜି ହେଲେ ନାହିଁ । ସେ ଘୋଷଣା କଲେ ଯେ ‘ବ୍ୟୁଚରନ୍ତ୍ୟାଃ ପତି ନ କାର୍ଯ୍ୟା ଅଦ୍ୟ ପ୍ରଭୃତି ପାତକମ୍‌ । ଭ୍ରୂଣ ହତ୍ୟା ସମଂ ଘୋରଂ ଭବିଷ୍ୟତ୍ୟସୁଖାବହମ୍‌’ ଅର୍ଥାତ୍‌ ଆଜିଠାରୁ ଯେଉଁ ସ୍ତ୍ରୀ ପତି ଭିନ୍ନ ପରପୁରୁଷ ପ୍ରତି ଆସକ୍ତ ହେବ ଏବଂ ଯେଉଁ ପୁରୁଷ ପତିବ୍ରତା ସ୍ତ୍ରୀକୁ ପରିତ୍ୟାଗ କରି ନୀଚ ସ୍ତ୍ରୀ ଅଭିଳାଷୀ ହେବ ସେମାନଙ୍କୁ ଭ୍ରୂଣହତ୍ୟା ରୂପୀ ଘୋର ପାପ ପଙ୍କରେ ଘାଣ୍ଟିହେବାକୁ ପଡ଼ିବ । ଏହି ନୀତି ପ୍ରଣୟନ ଜରିଆରେ ସାମାଜିକ ଶୃଙ୍ଖଳା ପ୍ରବର୍ତନ ପାଇଁ ଉଦ୍ୟମ କରିଥିବାରୁ ଶ୍ୱେତକେତୁ ଜଗତ ବିଖ୍ୟାତ ହୋଇଥିଲେ ।

 

ଦ୍ୱିତୀୟ ପ୍ରସଙ୍ଗ ହେଲା ବେଦବ୍ୟାସ, ଅମ୍ବିକା ଓ ଅମ୍ବାଳିକା ପ୍ରସଙ୍ଗ । ରାଜା ଶାନ୍ତନୁଙ୍କ ପୁତ୍ର ବିଚିତ୍ରବୀର୍ଯ୍ୟ ଅମ୍ବିକା ଓ ଅମ୍ବାଳିକାଙ୍କୁ ବିବାହ କରିଥିଲେ । ନିଃସନ୍ତାନ ଅବସ୍ଥାରେ ବିଚିତ୍ରବୀର୍ଯ୍ୟଙ୍କ ମୃତ୍ୟୁ ଘଟିଥିଲା । ବଂଶ ଲୋପ ପାଇଯିବା ଆଶଙ୍କାରେ ମାତା ସତ୍ୟବତୀ ନିଜେ ତାଙ୍କର କାନୀନପୁତ୍ର (ଅବିବାହିତା ଅବସ୍ଥାରେ ଜନ୍ମ କରିଥିବା ପୁତ୍ର) ମହାମୁନୀ ବ୍ୟାସଦେବଙ୍କୁ ଡାକି ତାଙ୍କର ଦୁଇ ପୁତ୍ରବଧୂଙ୍କୁ ରମଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ଉଲ୍ଲେଖ ନିଷ୍ପ୍ରୟୋଜନ ମହର୍ଷି ବ୍ୟାସଙ୍କ ବୀଭତ୍ସ ରୂପ ଦେଖି ଅମ୍ବାଳିକା ପାଣ୍ଡୁବର୍ଣ୍ଣ ବିଶିଷ୍ଟ ହେବାରୁ ତାଙ୍କ ଗର୍ଭରୁ ପାଣ୍ଡୁ ଜନ୍ମ ହେଲେ ଓ ଭୟରେ ଆଖିବୁଜି ଦେବାରୁ ଅମ୍ବିକାଙ୍କ ଗର୍ଭରୁ ଜନ୍ମାନ୍ଧ ଧ୍ରୁତରାଷ୍ଟ୍ର ଜନ୍ମ ହେଲେ ବୋଲି ମହାଭାରତରେ କୁହାଯାଇଛି । ଏହାପରେ ମଧ୍ୟ ସତ୍ୟବାଦୀ ବ୍ୟାସଙ୍କ ସହ ସହବାସ କରିବା ନିମନ୍ତେ ଅମ୍ବିକାଙ୍କୁ ଆଉ ଥରେ ବାଧ୍ୟ କରିଥିଲେ । ମାତ୍ର ଅମ୍ବିକା ନିଜେ ନଯାଇ ତାଙ୍କ ଦାସୀଙ୍କୁ ପଠେଇ ଦେଇଥିଲେ । ସେହି ଦାସୀଙ୍କ ଗର୍ଭରୁ ବିଦୁର ଜନ୍ମ ହୋଇଥିଲେ ।

 

ମହାଭାରତର ଏ ଦୁଇଟି ଉପାଖ୍ୟାନ ଅବତାରଣାର ଅର୍ଥ ସହଜରେ ବୁଝି ହେଉଥିବ । ବଂଶ ରକ୍ଷା ନିମନ୍ତେ ଘରର ବୋହୂମାନଙ୍କୁ ପତି ଭିନ୍ନ ଅନ୍ୟ ପୁରୁଷ ରମଣ ପାଇଁ ବାଧ୍ୟ କରି ପଠେଇବା ପୁଣ୍ୟ ନା ପାପ ? ଯଦି ସେ ଧରଣର ନିୟୋଗ ପୁଣ୍ୟ ଏବଂ ସେହି ନିୟୋଗରୁ ଉତ୍ପନ୍ନ ସନ୍ତାନମାନେ ରାଜା ମହାରାଜାର ସ୍ୱୀକୃତି ପାଇଥିଲେ ତାହାହେଲେ ୧୯୯୭ ମସିହାରେ ନିଜ ଗର୍ଭାଶୟକୁ ଭଡ଼ାରେ ଦେବାପାଇଁ ଆଗେଇ ଆସୁଥିବା ନିର୍ମଳାର କାର୍ଯ୍ୟ ପାପ କାହିଁକି ହେବ ? ଆମେ ଗ୍ରହଣ କରୁ ବା ନକରୁ ଶ୍ୱେତକେତୁଙ୍କ କଠୋର ଅନୁଶାସନ ସତ୍ତ୍ୱେ ପରସ୍ତ୍ରୀ ସହ ସଂପର୍କ ରଖିବା ବା ପରପୁରୁଷ ସହ ସଂପର୍କ ରକ୍ଷା କାର୍ଯ୍ୟ ଭାରତୀୟ ସମାଜରୁ ଦୂରେଇ ଯାଇନାହିଁ । ପୃଥିବୀର କେତେକ ରାଷ୍ଟ୍ର ତ ବେଶ୍ୟାବୃତ୍ତିକୁ ସେମାନଙ୍କ ଜାତୀୟ ରାଜକୋଷର ସମୃଦ୍ଧି ନିମନ୍ତେ ଉପଯୋଗ କରୁଛନ୍ତି । ଭାରତରେ ବେଶ୍ୟାବୃତ୍ତି ବଢ଼ି ବଢ଼ି ଚାଲିଛି ଓ ଏ ସଂପର୍କରେ ଯେତେ କମ୍‌ ଆଲୋଚନା କରାଯିବ ସେତେ ଭଲ । ସୁତରାଂ ଶ୍ୱେତକେତୁ ପୁରୁଣାକାଳିଆ, ରକ୍ଷଣଶୀଳ ହୋଇପଡ଼ିଛନ୍ତି । ତାହାହେଲେ ସତ୍ୟବତୀଙ୍କ ନୀତିକୁ ସମାଜ ଗ୍ରହଣ କରିବାରେ ଅସୁବିଧା କ’ଣ ? ମନେ ରଖିବାକୁ ହେବ ଯେ, ଆଲୋଚ୍ୟ ଘଟଣାଟି ଶ୍ୱେତକେତୁ ଓ ସତ୍ୟବତୀ ଉପାଖ୍ୟାନଠାରୁ ଆହୁରି ସହଜ ଓ ସରଳ । ସେଠାରେ ବାଧ୍ୟବାଧକତା ଥିବାବେଳେ ଏ କ୍ଷେତ୍ରରେ କାହା ଉପରେ କାହାରି ବାଧ୍ୟବାଧକତା ନାହିଁ । ଏପରିକି ନିର୍ମଳାର ସ୍ୱାମୀ ମଧ୍ୟ ଏ ପ୍ରସ୍ତାବରେ ସମ୍ମତି ପ୍ରକାଶ କରିଛି । ଶ୍ୱେତକେତୁଙ୍କ ଜନନୀ ଅମ୍ବିକା ବା ଅମ୍ବାଳିକାଙ୍କ ଅସମ୍ମତି ପରି ବନ୍ଧନ ଏଠି ନାହିଁ । ତାହାହେଲେ ସମାଜ ଏ ବ୍ୟବସ୍ଥାକୁ ସ୍ୱୀକୃତି ଦେବା ପାପ ହେବ ନା ପୁଣ୍ୟ ? ଏ ପ୍ରଶ୍ନର ଉତ୍ତର ସଂପୃକ୍ତ ପୁରୁଷ ଏବଂ ନାରୀମାନଙ୍କ ପାଇଁ ଯେତିକି ଆବଶ୍ୟକ ନୁହେଁ, ଏମାନଙ୍କ ସହବାସରୁ ଉତ୍ପନ୍ନ ହେବାକୁ ଯାଉଥିବା ସନ୍ତାନଟି ପାଇଁ ତଦୁପେକ୍ଷା ବେଶି ଆବଶ୍ୟକ । କାରଣ ସେ ଶିଶୁଟି ଏକବିଂଶ ଶତାବ୍ଦୀର ପୃଥିବୀରେ ବଢ଼ିବ, ପଢ଼ିବ ଓ ଜିଇଁବ । ଜୀବନରେ ଶହ ଶହ ଲୋକଙ୍କ ସଂସ୍ପର୍ଶରେ ସେ ଆସିବ । ସେତେବେଳେ ଯଦି ତାକୁ ଏ ସମାଜ ଗ୍ରହଣ ନକରେ କିମ୍ବା ପ୍ରତି କ୍ଷେତ୍ରରେ ତାକୁ ଲା‚ନା ଓ ଅପମାନ ମିଳେ ତାହାହେଲେ ସେ ବିଂଶ ଶତାବ୍ଦୀକୁ କ୍ଷମା କରିପାରିବ ନାହିଁ । ଏହି ଶତାବ୍ଦୀର ସମସ୍ୟା ତେଣୁ ଏହି ଶତାବ୍ଦୀରେ ହିଁ ସମାଧିତ ହୋଇଯିବା ପ୍ରୟୋଜନ ।

 

ସମ୍ବାଦ, ୨ଡିସେମ୍ବର, ୧୯୯୭

Image

 

ଠାକୁର ଅଛନ୍ତି କି ?

 

୧୯୯୭ ଜୁଲାଇ ୨୮ ତାରିଖ ଦିନ ରଗଡ଼ିମଡ଼ା ଗାଁରେ ଡମଘରର ବୋହୂଟିଏ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଧୀନରେ ଥିବା ମହିତମା ଗାଁର ଶିବ ମନ୍ଦିରକୁ ଯାଇଥିଲା । ନିଜ ଇଚ୍ଛାରେ ସେ ଯାଇଥିଲା ବୋଲି କହିଲେ କଥାଟା ଷୋଳପଣ ଠିକ୍‌ ହେବ ନାହିଁ, ଶିବ ମନ୍ଦିରର ପୂଜକ ତା’ର ସରଳତାର ସୁଯୋଗ ନେଇ ଡକେଇଥିଲା । ବୋହୂଟି ବାହା ହେବାର ଆଠଦିନ ବିତି ନଥିଲା । ପ୍ରକାଶିତ ଖବର ଅନୁଯାୟୀ ନିଛାଟିଆ ମନ୍ଦିରର ଗମ୍ଭୀରା ଭିତରେ ଶିବଲିଙ୍ଗ ସାମ୍ନାରେ ଅତି ଜଘନ୍ୟ ଭାବରେ ମନ୍ଦିରର ପୂଜକ ପଞ୍ଚାନନ ମହାପାତ୍ର ବୋହୂଟିର ସର୍ବନାଶ କରିଦେଲା । ରିଷ୍ଟ ଖଣ୍ଡନ ଓ ପୁତ୍ରଲାଭ ଆଶାରେ ପ୍ରାର୍ଥନା କରିବାକୁ ଯାଇ ବୋହୂଟି ଧର୍ଷିତା ହେଲା । ଏହି ଖବରଟି ଓଡ଼ିଶାର ବିଭିନ୍ନ ସମ୍ବାଦପତ୍ରରେ ବାହାରିଛି ଓ ଏ ପ୍ରକାର ଖବରଗୁଡ଼ିକର ଲାଞ୍ଜରେ ଯେମିତି ଯାହା ଉଲ୍ଲେଖ ଥାଏ, ଖବର ଶେଷରେ ମଧ୍ୟ ପୁଲିସ ଅନୁସନ୍ଧାନ ଚାଲିଥିବା ଉଲ୍ଲେଖ ରହିଛି ।

 

ଏ ଖବର ବାହାରିବାର ଦି’ ତିନିଦିନ ଆଗରୁ ଆଉ ଗୋଟିଏ ସମ୍ବାଦ କେତେକ କାଗଜରେ ପ୍ରକାଶ ପାଇଥିଲା । ନୀଳଗିରି ଥାନା ସଜନାଗଡ଼ ଗାଁର ନିମ୍ନବର୍ଗ ଖଦଳା ସଂପ୍ରଦାୟର ମହିଳା ରାଧାରାଣୀ ବିଶ୍ୱାଳ ଠାକୁରଙ୍କ ରଥ ଉପରକୁ ଉଠିବାର ‘ଅକ୍ଷମଣୀୟ’ ଅପରାଧ କରି ବସିବାରୁ ପୂଜକ ଶ୍ରୀନିବାସ ପଣ୍ଡା ଓ ତା’ର ଭାଇ ମିଶି ରାଧାରାଣୀଙ୍କର ମଥାର କେଶ କାଟିଦେଲେ ଏବଂ ତାହାକୁ ସମସ୍ତଙ୍କ ସାମ୍ନାରେ ଟାଙ୍ଗିଦେଇ ଅନୁରୂପ ‘ଅକ୍ଷମଣୀୟ’ ଅପରାଧ କରିବାକୁ ସାହସ ସଞ୍ଚୟ କରୁଥିବା ନାରୀମାନଙ୍କୁ ସତର୍କ କରିଦେଲେ । ଏ ଖବର ପାଇ ପୁଲିସ ନିରବ ରହୁଥିବାରୁ ସାମ୍ବାଦିକମାନେ ତାଙ୍କ ସମ୍ବାଦପତ୍ର ଜରିଆରେ ଉଦ୍‌ବେଗ ପ୍ରକାଶ କରିଥିଲେ ।

 

ପୁଲିସ ନିରବ ରହୁ ବା ଅନୁସନ୍ଧାନ କରୁ ତା’ର ପରିଣତି ଏହି ଧର୍ଷିତା ଓ ଅପମାନିତା ମହିଳାଙ୍କର ଲା‚ନାକୁ ଦୂରେଇ ପାରିବ ନାହିଁ । ଯୋଉ ବୋହୂଟିର ଘରକରଣା ଆରମ୍ଭ ହେବା ପୂର୍ବରୁ ତା’ର ସବୁ ସମ୍ମାନ ଉଜୁଡ଼ି ଗଲା ସେ କୌଣସିଦିନ ପୂର୍ବର ସମ୍ମାନ ଫେରି ପାଇବ ନାହିଁ । ଯୋଉ ମହିଳାଟିର ଚୁଟି ଭିଡ଼ି ଧରି ଶହ ଶହ ଲୋକଙ୍କ ସାମ୍ନାରେ ବେଜ୍ଜିତ କରାଗଲା ସେ ତାଙ୍କର ମାନସିକ ସନ୍ତୁଳନ ଓ ଆବେଗିକ ସୁସ୍ଥତା ଫେରି ପାଇବେ ନାହିଁ । କିଛି ଦିନ ପୁଲିସ ହୁଏତ ଅନୁସନ୍ଧାନ କରିବ, ଆସାମୀ ଧରାପଡ଼ି ପୁଣି ଜାମିନ୍‌ରେ ଯିବ । ଯଦି ସେ ସେଭଳି ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ତାହାହେଲେ ଡମଘରର ବୋହୂଟିକୁ ମାନସିକ ବିକାରଗ୍ରସ୍ତ ରୋଗୀ ବା ଆଧୁନିକ ମନୋବିଜ୍ଞାନ ବାବଦରେ ଧାରଣା ଥିଲେ ‘ସିଜୋଫ୍ରେନିକ୍‌’ ଆଖ୍ୟା ମଧ୍ୟ ଦେଇପାରିବ ଏବଂ ଏଥିପାଇଁ ଆବଶ୍ୟକ ହେଲେ ସେ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକାର ସାହାଯ୍ୟ ଲୋଡ଼ି ଅଭିଯୋଗକାରିଣୀଙ୍କୁ ସବୁଦିନ ଲାଗି ଚୁପ୍‌ କରାଇ ଦେଇ ପାରିବ । ପ୍ରଭାବଶାଳୀ ଲୋକମାନଙ୍କୁ ଦୋଷ ଦେଇ ଲାଭ ନାହିଁ, କାରଣ ସେମାନେ ତାଙ୍କ ପ୍ରଭାବର ଅଶ୍ଳୀଳ ପ୍ରଦର୍ଶନ ଅବଶ୍ୟ କରିବେ । ମାତ୍ର ଏହି ଡମଘରର ବୋହୂ ଏବଂ ଖଦଳା ସଂପ୍ରଦାୟର ଝିଅ ଠାକୁରଙ୍କ ଉପରେ ଏତେ ବେଶି ଭରସା କରୁଥିଲେ କାହିଁକି ?

 

ଠାକୁର ଅଛନ୍ତି କି ନାହାନ୍ତି ବୋଲି ଯଦି କେହି ପ୍ରଶ୍ନ ପଚାରନ୍ତି ତାହା ହେଲେ ସକଳ ନମ୍ରତାର ସହ ଏହି ଲେଖକ ଉତ୍ତର ଦେବ, ‘ନା’ । ଠାକୁର ନଥିଲେ କିମ୍ବା ନାହାନ୍ତି । ଏହି ଉତ୍ତର ଭୁଲ୍‌ ହୋଇପାରେ, ଏହାକୁ କେହି କେହି ଦାର୍ଶନିକ ପ୍ରଶ୍ନ କହି ଉତ୍ତରକୁ ଏଡ଼ାଇ ଯାଇପାରନ୍ତି । ମାତ୍ର ଠାକୁର ଯଦି ଅଛନ୍ତି ତାହାହେଲେ ତାଙ୍କରି ସାମ୍ନାରେ ଗୋଟିଏ ସରଳା, ନିରକ୍ଷରା ବୋହୂ ତାଙ୍କର ପ୍ରିୟ ପୂଜକ ଦ୍ୱାରା ଧର୍ଷିତା ହେବାର ଅପରାଧକୁ ସେ ଦେଖି ଚାହିଁ ନିଷ୍କ୍ରିୟ ହୋଇ ବସି ରହିଲେ କାହିଁକି ? ଏକାଧିକ ସିନେମାରେ ଅବଶ୍ୟ ଏଭଳି ଘଟଣା ବେଳେ ଶିବଙ୍କ ମୁଣ୍ଡରୁ ସାପ ଖସି ଆସି ଅପରାଧୀକୁ ଚୋଟ ମାରିଛି, ତ୍ରିଶୂଳ ଖସିପଡ଼ି ତା’ ଛାତିରେ ବିଦ୍ଧ ହୋଇଯାଇଛି, ମାତ୍ର ବାସ୍ତବ କ୍ଷେତ୍ରରେ ତ କାହିଁ ସେଭଳି ଘଟଣା ଘଟିଲା ନାହିଁ ? ଠାକୁର ନାହାନ୍ତି ବୋଲି ପୂଜକ ପଞ୍ଚାନନ ମହାପାତ୍ର ଓ ଶ୍ରୀନିବାସ ପଣ୍ଡାମାନେ ଭଲ ଭାବେ ଜାଣିଛନ୍ତି । ଯଦି ବର୍ଷ ବର୍ଷ ଧରି ପୂଜା ଅର୍ଚନା କରୁଥିବା ଏହି ପୂଜକ ଦ୍ୱୟ ଠାକୁରଙ୍କ ଅବର୍ତ୍ତମାନ ନେଇ ଶତ ପ୍ରତିଶତ ନିଶ୍ଚିତ ନ ଥାଆନ୍ତେ ତାହାହେଲେ ସେମାନେ ଆରାଧ୍ୟ ଦେବତାଙ୍କ ଆଖି ସାମ୍ନାରେ ସ୍ତ୍ରୀଲୋକମାନଙ୍କୁ ବେଇଜ୍ଜତ କରିବା ଭଳି ନୃଶଂସ, ବର୍ବର, ଅମାନୁଷିକ ଓ ଜଘନ୍ୟ କାର୍ଯ୍ୟ କରିବାକୁ କଦାପି ସାହସ କରି ନଥାନ୍ତେ । ଅଥଚ ଦୁର୍ଭାଗ୍ୟ, ଯୋଉ ପୂଜକ ଓ ପୁରୋହିତମାନେ ଠାକୁର ନାହାନ୍ତି ବୋଲି ସ୍ଥିର ନିଶ୍ଚିତ, ସାଧାରଣ ଲୋକମାନେ ସେଇମାନଙ୍କ ମାଧ୍ୟମରେ ହିଁ ଠାକୁରଙ୍କ ଉପସ୍ଥିତି ଏବଂ ଆଶୀର୍ବାଦ ଲୋଡ଼ି ଆସିଛନ୍ତି !

 

ରଗଡ଼ିମଡ଼ା ଗାଁର ଡମ ଝିଅ ଓ ସଜନାଗଡ଼ ଗାଁର ଖଦାଳ ବୋହୂ ଅବଶ୍ୟ ଏପ୍ରକାର ନିର୍ଯାତନାର ଶିକାର ହୋଇଥିବା ବିରଳ ଉଦାହରଣ ନୁହନ୍ତି । ଏପ୍ରକାର ଘଟଣା ଆମ ସମାଜରେ ବରାବର ଘଟୁଛି । ସାଧାରଣ ଲୋକଙ୍କ ସରଳତା, ଅସହାୟତା, ଆତ୍ମବିଶ୍ୱାସର ଅଭାବ ଏବଂ ଦାରିଦ୍ର୍ୟର ସୁଯୋଗ ନେଇ ଏ ଧରଣର ଭଣ୍ଡାମି ଯୁଗ ଯୁଗ ଧରି ଚାଲିଆସିଛି । ଦିନରାତି ଅନୈତିକ କାର୍ଯ୍ୟରେ ଲିପ୍ତ କିଛି ରାଜନୈତିକ ନେତା, ପରସ୍ୱ ଅପହରଣ କରୁଥିବା କଳାବଜାରୀ, ମୁନାଫାଖୋର ବେପାରୀ ଓ ପରାଙ୍ଗପୁଷ୍ଟ ଦଲାଲମାନଙ୍କ ଅସାଧୁ ମେଣ୍ଟ ବଳରେ ଓ ଆଧ୍ୟାତ୍ମିକତାର କପଟ ପ୍ରଚାର ନାଁରେ ଏହି ଧରଣର ଅନୈତିକ କାର୍ଯ୍ୟ ସବୁଠି ଚାଲିଛି । ମାତ୍ର ସଂଖ୍ୟା ଗରିଷ୍ଠ ବୁଦ୍ଧିଜୀବୀ ତା’ର ପ୍ରତିବାଦ କରୁନାହାନ୍ତି । କାରଣ ଆମ ରାଜ୍ୟର ବୁଦ୍ଧିଜୀବୀମାନେ ଡ୍ରଇଂରୁମ୍‌ ଆଲୋଚନା ପାଇଁ ବେଶି ବ୍ୟାକୁଳ । ସେମାନଙ୍କ ଭିତରୁ ଅଧିକାଂଶ ସରକାରୀ ଚାକିରି କରିଥିବାରୁ ସତ୍ତା-ବିରୋଧୀ ମନ୍ତବ୍ୟ ଦେବାପାଇଁ କୁଣ୍ଠିତ ।

 

ଆମ ସମାଜରେ ଅଧିକାଂଶ ଜମିର ଜବରଦଖଲକାରୀ ହେଲେ ଖୋଦ୍‌ ଠାକୁର । ସେ ଶିବ ହୁଅନ୍ତୁ, ବିଷ୍ଣୁ ହୁଅନ୍ତୁ, ରାମ ହୁଅନ୍ତୁ, ହନୁମାନ ହୁଅନ୍ତୁ ବା ଆଧୁନିକ ଯୁଗର ଅନ୍ୟ ମହାପୁରୁଷମାନେ ହୁଅନ୍ତୁ । ରାଜରାସ୍ତା, ଗଳି ମୋଡ଼, ହାଟ, ଘାଟ ସବୁଠି ଠାକୁରମାନଙ୍କ ଆବିର୍ଭାବ-। ଭକ୍ତି ଆଜି ଭୟର ଶବ୍ଦାନ୍ତର ମାତ୍ର । ରାଜନୈତିକ ଶଠତା ସାଙ୍ଗକୁ ଗଣତନ୍ତ୍ର ନାମରେ ଏକଛତ୍ରବାଦ ଓ ସାମନ୍ତବାଦର ଅଶ୍ଳୀଳ ବିଜ୍ଞାପନ, ଅର୍ଥନୈତିକ ସମସ୍ୟା ଓ ସର୍ବୋପରି ଦୃଢ଼ ବ୍ୟକ୍ତିତ୍ୱ ଗଠନ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବର ସୁଯୋଗ ନେଇ ଏହି ମଠାଧୀଶ, ପୂଜକ, ଧର୍ମଗୁରୁ ଓ ଧର୍ମ ପ୍ରଚାରକମାନେ ଏ ସମାଜକୁ ପ୍ରତିଦିନ ଦୁର୍ବଳରୁ ଦୁର୍ବଳତର କରୁଛନ୍ତି । ମାତ୍ର ସେମାନଙ୍କୁ ଶାସ୍ତି ଦେବା ବଦଳରେ ଲୋକମାନେ ମୁଣ୍ଡିଆ ମାରୁଛନ୍ତି । ତାଙ୍କ ଚାରିପଟେ ସଂକୀର୍ତନ କରି ପାଳି ଧରୁଛନ୍ତି ।

 

ଆଜି ପରିସ୍ଥିତି ଏଭଳି ହୋଇଛି ଯେ, କେହି ଏସବୁ ବିରୋଧରେ କହିଲେ ତାହାକୁ ନାସ୍ତିକ ଓ ଅନ୍ୟ ଅର୍ଥରେ ଅମଣିଷ ବୋଲି କୁହାଯାଉଛି । ଠାକୁରଙ୍କ ମହିମା ପ୍ରଚାର ପାଇଁ ଗୁଡ଼ାଏ ଅବାସ୍ତବ ଓ କାଳ୍ପନିକ କାହାଣୀ ସୃଷ୍ଟି କରାଯାଉଛି । ଯଦି କାହାର ମାନସିକ ପୂରଣ ହେଲା ତେବେ ତାହା ଠାକୁରଙ୍କ ମହିମା ଯୋଗୁଁ ହେଲା ଓ ଯାହାର ମାନସିକ ପୂରଣ ନହେଲା ତେବେ ତା’ର ନିଜର ପାପ ଯୋଗୁଁ ସେପରି ହେଲା ବୋଲି କୁହାଯାଉଛି । କେତେକ ଲୋକ ତ ଠାକୁରଙ୍କୁ ଓକିଲ କିମ୍ବା ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ପଦବୀରେ ବସେଇ ଦେଇ ସାରିଲେଣି । ଓକିଲ ଯେମିତି ଜବାବ ସୁଆଲ କରି ଅପରାଧୀକୁ ମୁକୁଳେଇ ଦିଅନ୍ତି ଠାକୁର ସେମିତି ଭୋଗରାଗ ପାଇଲେ ଭକ୍ତକୁ ମୁକୁଳେଇ ଦେବେ ! ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ତାଙ୍କ ବିଦ୍ୟାବୁଦ୍ଧି ବଳରେ ଯେମିତି କଳାଟଙ୍କାକୁ ଧଳା ଟଙ୍କାରେ ପରିଣତ କରିବାର ଇଲମ ବତେଇ ଦିଅନ୍ତି ଠାକୁର ସେମିତି ପାପଧନକୁ ପୁଣ୍ୟଧନରେ ପରିଣତ କରିଦେବେ ! ଓକିଲ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ତାଙ୍କର ଫିସ୍‌ ଦେବା ଭଳି ଠାକୁରଙ୍କୁ କିଛି ଦାନ ଦକ୍ଷିଣା ଦେଇଦେଲେ ଭକ୍ତ ନିଶ୍ଚିନ୍ତ । ଆଉ କିଛି ଭକ୍ତ ଠାକୁରଙ୍କୁ ମ୍ୟାଜିସିଆନ୍‌ ବା ଯାଦୁକର ପର୍ଯ୍ୟାୟରେ ବସେଇଛନ୍ତି । ସେମାନଙ୍କର ଯୁକ୍ତି ହେଲା ଠାକୁର ହିଁ ଅସମ୍ଭବକୁ ସମ୍ଭବ କରିଦେବେ । ବନ୍ଧ୍ୟାକୁ ପୁତ୍ରଦାନ, ନିର୍ଧନକୁ ଧନ ଓ ଅପରାଧୀକୁ ମୁକ୍ତି ଦେଲା ଭଳି ମ୍ୟାଜିକ୍‌ ସେ କରିପାରିବେ !

 

ଏହି ପ୍ରସଙ୍ଗରେ ଗୋଟିଏ ଛୋଟିଆ ଲଘୁକଥା ମନକୁ ଆସୁଛି । ଗୋଟିଏ ଗାଁରେ ଜଣେ ବାବା ଥିଲେ । ସେ ବାବା ତାଙ୍କର ମନ୍ତ୍ର ବଳରେ କାହାର ପୁଅ ହେବ କି ଝିଅ ହେବ ତାହା କହିଦେଉଥିଲେ । ବହୁ ଦୂରରୁ ଯୋଡ଼ି ଯୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଆସି ସେମାନଙ୍କ ଭବିଷ୍ୟତ ସଂପର୍କରେ ବାବାଙ୍କୁ ପ୍ରଶ୍ନ ପଚାରୁଥିଲେ । ଦେଖାଯାଉଥିଲା ଯେ, ବାବାଙ୍କ କଥା ଶହେରେ ଶହେ ସତ ହେଉଛି । କେହି କୌଣସି ଦିନ ଅସନ୍ତୋଷ ପ୍ରକାଶ କରୁନାହିଁ । ବର୍ଷ ବର୍ଷ ଧରି ଏକଥା ଲକ୍ଷ୍ୟ କରି ଆସୁଥିବା ବାବାଙ୍କର ଯୁବକ ପୁତ୍ର ଥରେ ନିଜ ପିତାଙ୍କୁ ଏପ୍ରକାର ଅସାଧାରଣ ଦକ୍ଷତାର ରହସ୍ୟ ସଂପର୍କରେ ପଚାରି ବସିଲା । ପୁତ୍ରବତ୍ସଳ ପିତା ପୁଅକୁ ଗୋଟିଏ ଖାତା ଦେଖାଇ କହିଲେ, ‘ଦେଖ୍‌ । ମୋ ପାଖକୁ ଯୋଉ ତାରିଖରେ ଯୋଉ ଲୋକମାନେ ଆସନ୍ତି ମୁଁ ସେସବୁ ଏହି ଟିପାଖାତାରେ ଟିପି ରଖିଛି । ଧରି ନେ ଆଜି ତାରିଖରେ ଗୋଟେ ଦମ୍ପତ୍ତି ଆସି ମୋତେ ପଚାରିଲେ, ତାଙ୍କର ପୁଅ ହେବ କି ଝିଅ ହେବ । ମୁଁ ସେମାନଙ୍କ କହିବି ପୁଅ ହେବ । ଏକଥା ସିନା ପାଟିରେ କହିବି କିନ୍ତୁ ଖାତାରେ ଲେଖିଲା ବେଳେ ସେମାନଙ୍କ ନାଁ କଡ଼ରେ ‘ଝିଅ ହେବ’ ବୋଲି ଟିପି ରଖିବି । ସେମାନେ ଚାଲିଯିବେ । ଯଦି ତାଙ୍କର ପୁଅ ହେଲା ତାହାହେଲେ ମୋ କଥା ସତ ହେଲା ଭାବି ମୋତେ ପ୍ରଶଂସା କରିବେ, ମୋର ସୁନାମ ବଖାଣିବେ ଓ ଆନନ୍ଦରେ ରହିବେ । ଯଦି ପୁଅ ନ ହୋଇ ଝିଅ ହେଲା ତାହାହେଲେ ସେମାନେ ମୋ ପାଖକୁ ଆସି ମୋ ସାଙ୍ଗେ ଯୁକ୍ତିତର୍କ କରିବାକୁ ବାହାରିବେ । ସେତେବେଳେ ମୁଁ ତାଙ୍କୁ ମୋ ଟିପା ଖାତା ଖୋଲି ଦେଖେଇବି ଓ କହିବି, ଏଇଠି ଦେଖ, ମୁଁ ପୂରା ଟିକିନିଖି ଟିପି ରଖିଛି । ତୁମେମାନେ ସଂସାର ସୁଖ ଓ ବିଷୟ ବାସନାରେ ମୋ କଥା ଭୁଲି ଯାଇଥିବ !’’

 

ପିତାଙ୍କର ଏ ଧରଣର ବୁଦ୍ଧି ଓ କୌଶଳରେ ପୁଅ ନିଶ୍ଚୟ ଗର୍ବ ଓ ଗୌରବ ଲାଭ କରିଥିବ ! ଆମ ସମାଜର ଅଧିକାଂଶ ବାବା, ମାତା, ଗୁରୁ ଓ ପୂଜକଙ୍କ ପାଇଁ ଏହି ଲଘୁ କଥାଟି ପ୍ରଯୋଜ୍ୟ । ଅଧିକାଂଶ ଲୋକ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦୁର୍ବଳ । ସେମାନେ ଏତେ ଭୟାଳୁ ଯେ କାଠ ପଥରକୁ ତ ମୁଣ୍ଡିଆ ମାରିବେ, ଗେରୁଆ ଲୁଗାପିନ୍ଧା ସିନ୍ଦୂର କଲି ଲଗେଇ ଡକେଇତ ଆସିଲେ ବି ତା’ ପାଦତଳେ ପଡ଼ିଯିବେ । ଆଦିବାସୀ ସମାଜରେ ତାଙ୍କର ପୁରୋହିତର ଯେମିତି ଅନାବଶ୍ୟକ ଗୁରୁତ୍ୱ, ସହର ବଜାରରେ ଏହି ଧରଣର ଭଣ୍ଡମାନଙ୍କ ସେହି ଧରଣର ଗୁରୁତ୍ୱ ।

 

ଦେଶ ସ୍ୱାଧୀନ ହେବାର ପଚାଶ ବର୍ଷ ବିତିଗଲା । ଆଜି ବି ଯୋଉମାନେ ଶାସକ ବା ମୁଖ୍ୟ ପଦରେ ବସିଛନ୍ତି ସେମାନଙ୍କୁ ନିରକ୍ଷର ମଳିମୁଣ୍ଡିଆ ଗ୍ରାମବାସୀମାନେ ଇନ୍ଦ୍ର ବୋଲି ଭାବି ବସୁଛନ୍ତି । କିଏ ଛେଳି ମେଣ୍ଢା ଚରଉଥିଲେ ଅମୁକ ବାବୁ ମଣିଷ ଚରଉଛନ୍ତି ଭଳି ଅତ୍ୟନ୍ତ ଲଜ୍ଜାକର ବାକ୍ୟକୁ ସାରୀ ଘୋଷିଲା ପରି ଘୋଷି ସେମାନେ ଅବା‚ତ ଲୋକଙ୍କୁ ଅତ୍ୟଧିକ ଗୁରୁତ୍ୱ ଦେଉଥିଲା ବେଳେ ନିଜର ବ୍ୟକ୍ତିତ୍ୱ ଏବଂ ଆତ୍ମସମ୍ମାନକୁ ଦୟନୀୟ ଭାବେ ତଳେଇ ଧରୁଛନ୍ତି । ପ୍ରଚଣ୍ଡ ଭାଗ୍ୟବାଦ, ପରାଙ୍‌ମୁଖତା ଓ ହୀନମନ୍ୟତା ଓଡ଼ିଆ ଜାତିକୁ ତଳିତଳାନ୍ତ କରିଦେବାକୁ ବସିଲାଣି । କଳାଟଙ୍କା ଓ ବାହୁବଳ ପ୍ରୟୋଗ କରି ମୁଷ୍ଟିମେୟ ଲୋକ ଶାସନ ଗାଦିରେ ବସିଲା ପରି ଅନୈତିକ, ଅମାନବିକ ଓ ଅଶ୍ଳୀଳ ଉପଚାରଗୁଡ଼ିକୁ ପୂଜା, ନୈବେଦ୍ୟ ଓ ଆରାଧନାର ରୂପ ଦେଇ ମଠ, ମନ୍ଦିରର ମଠାଧୀଶ ପୂଜକ ଓ ପୁରୋହିତମାନେ ଶୋଷଣ କରିଚାଲିଛନ୍ତି । ରଗଡ଼ିମଡ଼ା ଗାଁର ଡମବୋହୂ ଓ ସଜନାଗଡ଼ ଗାଁର ଖଦାଳଘର ଝିଅ ପରି ଓଡ଼ିଶାର ଆତ୍ମବିଶ୍ୱାସ, ପରମ୍ପରା ଓ ଐତିହ୍ୟ ଆଜି ଲୁଣ୍ଠିତ ଓ ଧର୍ଷିତ ହେଉଛି । ମନ୍ଦିର ଭିତରର ଠାକୁର ଓ ଗଣତନ୍ତ୍ରର ଶାସକ ଉଭୟ ଆଜି ଅନୁପସ୍ଥିତ, ନିରବ ଏବଂ ନିଷ୍କ୍ରିୟ । ତେଣୁ ସାଧାରଣ ମଣିଷମାନଙ୍କୁ ହିଁ ଆଗେଇ ଆସିବାକୁ ପଡ଼ିବ । ଏହି ଅନ୍ୟାୟ ବିରୋଧରେ ସେମାନଙ୍କୁ ସ୍ୱର ଉତ୍ତୋଳନ କରିବା ପାଇଁ ହେବ ଏବଂ ପ୍ରୟୋଜନ ହେଲେ ଏଭଳି ନିଷ୍କର୍ମା ଦେବତାମାନଙ୍କୁ ଚିର ନିର୍ବାସନ ଦେବାପାଇଁ ପଡ଼ିବ ।

 

ସମ୍ବାଦ, ୯ ଅଗଷ୍ଟ, ୧୯୯୭

 

(୨୦୦୦ ମସିହା ନଭେମ୍ବର ମାସରେ ମଧ୍ୟ ଏହିପରି ଆଉ ଗୋଟିଏ କଥା ଜଗତସିଂହପୁର ଜିଲ୍ଲାରେ ଘଟିଥିଲା । ମନ୍ଦିରରେ ଅଧିଆ ପଡ଼ିଥିବା ଜଣେ ମହିଳାଙ୍କୁ ନିଶା ମିଶିଥିବା ପଣା ପିଆଇ ସେହି ମନ୍ଦିରର ପୂଜକ ତାଙ୍କୁ ଧର୍ଷଣ କରିଥିବା ଅଭିଯୋଗ ହୋଇଥିଲା ।)

Image

 

Unknown

ମଣିଷ ସବୁଦିନେ ଠାକୁରଙ୍କଠୁଁ ବଡ଼

 

ଭଗବାନ କାହିଁକି ଅଛନ୍ତି ? ଯେହେତୁ ମଣିଷ ମନରେ ଭୟ ଅଛି, ସେହେତୁ ଭଗବାନ ଅଛନ୍ତି । - ଚଳିତ ଶତାବ୍ଦୀର ବିଶିଷ୍ଟ ଓ ବିବଦମାନ ଧର୍ମଗୁରୁ ରଜନୀଶଙ୍କର ଏହି ଯୁକ୍ତି ସହ ଲେଖକ ଏକମତ । ଭଗବାନଙ୍କର ଜନ୍ମ ମଣିଷର ଭୟରୁ, ଆତ୍ମବିଶ୍ୱାସହୀନତାରୁ, ନିରାପତ୍ତାଶୂନ୍ୟତାରୁ ଏବଂ କିଛି ପରିମାଣରେ କୃତଜ୍ଞତାବୋଧରୁ । ମଣିଷ ହିଁ ଭଗବାନଙ୍କୁ ଗଢ଼ିଛି, ଭଗବାନ କଦାପି ମଣିଷକୁ ଗଢ଼ିନାହାନ୍ତି । ସେ ଦୁର୍ଗା ହୁଅନ୍ତୁ କି କାଳୀ, ସିଏ ଶିବ ହୁଅନ୍ତୁ କି ବିଷ୍ଣୁ, ସିଏ ହନୁମାନ ହୁଅନ୍ତୁ କି ଜଗନ୍ନାଥ ସମସ୍ତଙ୍କର ଜନ୍ମ ମଣିଷର କଳ୍ପନାରୁ । ତା’ ନିଜର କଳ୍ପନାରେ ସେ ଠାକୁରମାନଙ୍କୁ ଗଢ଼ିଛି । ସେମାନଙ୍କୁ ଦେଇଛି ଆକୃତି, ରଙ୍ଗ, ଆୟୁଧ ଓ ଅଳଙ୍କାର । ସେମାନଙ୍କ ପାଇଁ ଜଣାଣ, ଶ୍ଳୋକ ଓ ସ୍ତୁତି ଲେଖିଛି, ଭୋଗରାଗ ପାଇଁ ନୀତିନିୟମ ଖଞ୍ଜି ଦେଇଛି-। ଏ ବ୍ୟବସ୍ଥା ମଣିଷର ଇତିହାସ ପାଇଁ କେତେ ଲାଭଦାୟକ ହୋଇଛି କିମ୍ବା କେତେ କ୍ଷତିକାରକ ହୋଇଛି ତାହା ଭିନ୍ନ ପ୍ରସଙ୍ଗ । ସେଭଳି ଗୂଢ଼ ଅଧ୍ୟାତ୍ମ୍ୟବାଦ କିମ୍ବା ସୃଷ୍ଟି ତତ୍ତ୍ୱର ଆଲୋଚନା ପାଇଁ ଲେଖକର ସାମର୍ଥ୍ୟ ନାହିଁ । ମାତ୍ର ସମସ୍ୟା ହେଉଛି ଯେ ଅଧ୍ୟାତ୍ମବାଦ ଏବେ ସଂପୂର୍ଣ୍ଣ ଧର୍ମାନ୍ଧତାରେ ପରିଣତ ହୋଇପଡ଼ିଛି ଓ ସେହି ପ୍ରକ୍ରିୟାରେ ମଣିଷର କଳ୍ପନାରୁ ତିଆରି ଠାକୁର ଠାକୁରାଣୀଙ୍କ ଆଗରେ ଖୋଦ୍‌ ମଣିଷକୁ ଲାଞ୍ଛିତ କରାଯାଉଛି ।

 

ଭାରତବର୍ଷର ଦୁର୍ଭାଗ୍ୟ ଯେ ଧର୍ମାନ୍ଧତା ଏହି ସବୁ ମୂଳ ବ୍ୟବସ୍ଥାକୁ ଜାବୋଡ଼ି ଧରିଛି । ଯେଉଁଦିନ ଭାରତ ଜିଏସ୍‌ଏଲ୍‌ଭି-ଡି୧ ଉତ୍‌କ୍ଷେପଣ କରି ‘ସ୍ପେସ୍‌କ୍ଲବ୍‌’ର ସମ୍ମାନଜନକ ସଦସ୍ୟତା ଲାଭ କରିବାର ସମ୍ବାଦ ପ୍ରକାଶ ପାଉଛି ସେହିଦିନ ମଧ୍ୟ ଖବରକାଗଜରେ ‘ବାଇଗଣ ଭିତରେ ଜଗନ୍ନାଥ’ ପରି ସମ୍ବାଦ ସ୍ଥାନ ପାଉଛି । ପ୍ରତିଦିନ ଦୂରଦର୍ଶନରେ ପୌରାଣିକ ଆଖ୍ୟାନ ଚିତ୍ରାୟନ ନାଁରେ ପ୍ରାଚ୍ୟ ବିଶ୍ୱାସ ଓ ପାଶ୍ଚାତ୍ୟ ଫାଣ୍ଟାସିର ହାସ୍ୟାସ୍ପଦ ମିଶ୍ରଣ ଘଣ୍ଟା ଘଣ୍ଟା ଧରି ପ୍ରସାରିତ ହେଉଛି । ଆଧୁନିକ ମଣିଷର ସକାଳ ଆରମ୍ଭ ହେଉଛି କପଟ - ରାଶିଫଳରୁ ଓ ରାତି ଶେଷ ହେଉଛି ଉଦ୍ଭଟ ପୌରାଣିକ ସିରିଏଲ୍‌ରେ । ଏହାର ପ୍ରତିଫଳନ ଆମର ସାମାଜିକ ଜୀବନକୁ ଭୟଙ୍କର ଭାବେ ପ୍ରଭାବିତ କରୁଛି । ସରକାରୀ ଜମି ହଡ଼ପ କରିବାକୁ ଚାହୁଁଥିବା ଧୂର୍ତ ବ୍ୟବସାୟୀ/ଧର୍ମଗୁରୁମାନେ ଠାକୁର ଠାକୁରାଣୀ ବା ସେମାନଙ୍କ ଗୁରୁ ଗୁରୁଦେବଙ୍କ ନାଁରେ ମନ୍ଦିର ତୋଳେଇ ବ୍ୟବସାୟ କରୁଛନ୍ତି । ଜଣାପଡୁଛି, ଠାକୁର ଠାକୁରାଣୀଙ୍କ ପାଇଁ ଆଇନର କୌଣସିଟି ଅଙ୍କୁଶ ନାହିଁ-। ଗୋଟିଏ ଗାଁରେ କେତୋଟି ନଳକୂପ ବସିବ, ତା’ ଉପରେ କଟକଣା ଅଛି । ମାତ୍ର ଗୋଟିଏ ସହରରେ ଜଣେ ଠାକୁର ଠାକୁରାଣୀଙ୍କର କେତୋଟି ମନ୍ଦିର ରହିପାରିବ ସେ ନେଇ କୌଣସି କଟକଣା ନାହିଁ । ଫଳରେ ପ୍ରତିଦିନ ଭୂଇଁଫୋଡ଼ ଠାକୁରମାନେ ଜାତୀୟ ରାଜପଥ, କଲୋନି ଛକ, ମଶାଣିମୁଣ୍ଡ ଓ ଖାଲି ପଡ଼ିଥିବା ଜାଗାରେ ଆବିର୍ଭୂତ ହେଉଛନ୍ତି । ସେମାନଙ୍କ ଭରଣ ପୋଷଣ ପାଇଁ ସାମ୍ନା ଜମିରେ ଦୋକାନ ଘର ତିଆରି ହେଉଛି । ଦୋକାନ ଘର ବାବଦକୁ ଠାକୁର ଠାକୁରାଣୀ ବି ବ୍ୟବସାୟୀଙ୍କ ପରି ସଲାମି ନେଉଛନ୍ତି ଏବଂ ତା’ପରେ ମନ୍ଦିର ଚାରିପଟେ ଈଶ୍ୱରଙ୍କ ଇଷ୍ଟେଟ୍‌ ମୁଣ୍ଡ ଟେକୁଛି । ଏସବୁର ପ୍ରତିବାଦ କରିବାକୁ କେହି ନାହିଁ । କାରଣ ଲୋକମାନେ ଯେଉଁ ଜିଲ୍ଲାପାଳ, ତହସିଲଦାର, ହାକିମ, ବିଧାୟକ ବା ମନ୍ତ୍ରୀଙ୍କ ପାଖରେ ଗୁହାରି କରିବେ, ସେମାନେ ସମସ୍ତେ କୌଣସି ନା କୌଣସି ବାବାଙ୍କର ଶିଷ୍ୟ, ଠାକୁର ଠାକୁରାଣୀଙ୍କର ଭକ୍ତ । ସେମାନେ ସାମ୍ନା ଧାଡ଼ିରେ ଠିଆ ହୋଇ ଠାକୁରଙ୍କ ଛତ୍ର ଧରନ୍ତି । ବଡ଼ଲୋକ ଯାଉଥିବା ମାର୍ଗ ହିଁ ପ୍ରକୃତ ମାର୍ଗ ଭାବି ସାଧାରଣ ଲୋକ ବି ତାହାକୁ ପ୍ରକୃତ ମାର୍ଗ ଭାବନ୍ତି ।

 

ଆମର ମଠ ମନ୍ଦିର ଭିତରକୁ ଟିକିଏ ଅନେଇଲେ ଏହି ଧର୍ମ ଯେ କେତେ ଭୟଙ୍କର ତାହା ସାଙ୍ଗେ ସାଙ୍ଗେ ବୁଝିହୁଏ । କଟକ ଓ ଭୁବନେଶ୍ୱରର କେତେକ ମନ୍ଦିରର ପ୍ରବେଶ ଦ୍ୱାରରେ ଅତ୍ୟନ୍ତ ଭୟଙ୍କର ମୁଖାମାନ ସ୍ଥାପିତ ହୋଇଛି । ଯୁକ୍ତି କରାଯାଇପାରେ, ବାହାରର ଅପଶକ୍ତିକୁ ପ୍ରତିରୋଧ କରିବା ପାଇଁ ଏହି କାଳମୁଖ ବ୍ୟବସ୍ଥା ରହିଛି । ମାତ୍ର ରାସ୍ତା ଉପର ଦେଇ ଯା’ଆସ କରୁଥିବା ହଜାର ହଜାର ଲୋକ, ସାନ ସାନ ପିଲା ଏଥିରୁ କି ଶିକ୍ଷା ପାଆନ୍ତି ? ମନ୍ଦିର ଯଦି ଆମର ତ୍ରାଣକର୍ତା ଓ ପିତାମାତା ସମ ଠାକୁର ଠାକୁରାଣୀଙ୍କ ଆବାସସ୍ଥଳୀ, ତାହାହେଲେ ତାହାର ପ୍ରବେଶଦ୍ୱାର ଏଭଳି ଭୟଙ୍କର କାହିଁକି ? ରକ୍ତମୁଖ, ରକ୍ତଚକ୍ଷୁ, ଲହ ଲହ କରୁଥିବା ବିରାଟକାୟ ଜିହ୍ୱାକୁ ଦେଖି ସାନ ପିଲାଏ ଡରିଯାଆନ୍ତି, ଲୋକମାନେ ମୁହଁ ବୁଲାଇ ନିଅନ୍ତି । ହିନ୍ଦୁ ଧର୍ମ କ’ଣ ଏତେ ଭୟଙ୍କର ?

 

ଯୁଗ ଯୁଗ ଧରି ଶହ ଶହ ମହାପୁରୁଷ ଏହାର ପ୍ରତିବାଦ କରିଛନ୍ତି । ବହୁ କଥା ଲେଖାଯାଇଛି, ପ୍ରତିଦିନ ସେସବୁ କୁହାଯାଉଛି । ମାତ୍ର ତା’ ସତ୍ତ୍ୱେ ଭାରତ ବର୍ଷରୁ ଧର୍ମାନ୍ଧତା ଦୂର ହେବା ଦୂରେ ଥାଉ ବରଂ କ୍ରମେ ଏହା ଶାସନ ବ୍ୟବସ୍ଥାକୁ କବଳିତ କରି ସାରିଲାଣି । ଅଥଚ ଯେଉଁ କଥାଟି ପ୍ରତି ସମଗ୍ର ସମାଜ ସବା ଆଗେ ଦୃଷ୍ଟି ଦେବା କଥା ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ । କୋଣଠେସା ହୋଇ ପଡ଼ିଥିବା ମଣିଷଟି ସେହିପରି ଅନ୍ଧାରି କୋଣରେ ପଡ଼ି ରହିଛି । ତା’ ଆଖିରୁ ବୋହୁଥିବା ଲୁହକୁ ପୋଛି ଦେବାଲାଗି କାହାର ସମୟ ନାହିଁ ।

 

ନିକଟରେ ଏହିପରି ଗୋଟେ ଘଟଣା ଘଟିଛି ଓଡ଼ିଶାରେ । ୨୦୦୧ ଅପ୍ରେଲ ୩ ତାରିଖ (ଭୁବନେଶ୍ୱର ସଂସ୍କରଣ) ‘ସମ୍ବାଦ’ରେ ପ୍ରକାଶିତ ଖବର ଅନୁଯାୟୀ କଟକ ଜିଲ୍ଲା ଝଙ୍କଡ଼ ଶାରଳା ମନ୍ଦିର ଭିତରେ ଜଣେ ହରିଜନ ମହିଳା ପ୍ରବେଶ କରି ଠାକୁରାଣୀଙ୍କ ଗଳାରେ ଫୁଲହାରଟିଏ ପିନେ୍ଧଇ ଦେଇଥିବାରୁ ସେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରରେ ଉଲ୍ଲେଖ ଥିଲା ଯେ ମନ୍ଦିର ଦ୍ୱାରରେ ପହରା ନ ଥିବାର ସୁଯୋଗ ନେଇ ସେ ଭିତରେ ପ୍ରବେଶ କରିଯାଇଥିଲା । ଏହି ଘଟଣାକୁ ନେଇ ବହୁ ପ୍ରତିକ୍ରିୟା ପ୍ରକାଶ ପରେ ମହାସ୍ନାନ କରାଯାଇ ମନ୍ଦିରକୁ ଶୁଦ୍ଧ ପବିତ୍ର କରାଯାଇଥିଲା । ମାତ୍ର ପ୍ରଶ୍ନ ହେଉଛି, ହରିଜନ ମହିଳାଟି ଠାକୁରାଣୀଙ୍କ ବେକରେ ଫୁଲମାଳ ପକେଇବାରେ ସମସ୍ୟା କେଉଁଠି ? ଯେଉଁ ମନ୍ଦିରରେ ରକ୍ତମାଂସର ମଣିଷର ପ୍ରବେଶାଧିକାର ନାହିଁ ସେପରି ମନ୍ଦିରରେ ପ୍ରକୃତରେ ଠାକୁର ଠାକୁରାଣୀ ରହନ୍ତି କି ? କୁହାଯାଏ ଯେ ମଣିଷର ମନ, ବୁଦ୍ଧି ଓ ବିବେକକୁ ଈଶ୍ୱର ପରିଚାଳିତ କରନ୍ତି । ଭକ୍ତକବି ମଧୁସୂଦନ ରାଓ, ‘ବର୍ଣ୍ଣବୋଧ’ରେ ଲେଖିଥିଲେ ‘ଯାହା ମୁଁ କହଇ, ଯାହା ମୁଁ କରଇ ଯାହା ଚିନ୍ତଇ ମନେ/ ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ ।’ ଯଦି ପରମ କର୍ତା ସବୁକଥା ଜାଣନ୍ତି ଓ ନିୟନ୍ତ୍ରଣ କରନ୍ତି, ତାହାହେଲେ ସେ ସେଇ ସ୍ତ୍ରୀଲୋକଟିର ମନକୁ ନିୟନ୍ତ୍ରଣ କରି ତାକୁ ଏଭଳି କର୍ମରୁ ନିବୃତ୍ତ କଲେ ନାହିଁ କାହିଁକି ? କବି ରାଧାମୋହନ ଗଡ଼ନାୟକ ବହୁ ବର୍ଷ ତଳେ ତାଙ୍କ ‘ଶାମୁକାର ସ୍ୱପ୍ନ’ କାବ୍ୟର ‘ଶ୍ରମଣା’ ଚରିତ୍ର ଜରିଆରେ ଏହି ଯୁକ୍ତି ବାଢ଼ିଥିଲେ । ସେ କହିଥିଲେ ଯେ ଯଦି କୌଣସି ଦଳିତ ନାରୀର ଆରାଧନା କରିବାର ଅଧିକାର ନାହିଁ, ତାହାହେଲେ ସେପରି ଇଚ୍ଛାଟିଏ ତା’ ଭିତରେ ଜାଗିଉଠୁଛି କାହିଁକି ? ହରିଜନ ମହିଳାଟି ତୋଳି ଆଣିଥିବା ଫୁଲମାଳ ପୂଜକଙ୍କ ହାତ ଦେଇ ଠାକୁରାଣୀଙ୍କ ଗଳାରେ ଝୁଲିପାରିବ, ଅଥଚ ଯେଉଁ ମହିଳାଟି ପ୍ରାଣ ଶ୍ରଦ୍ଧା, ମନର ବ୍ୟାକୁଳତା ଓ ଶରୀରର ଶ୍ରମ ଖଟେଇ ଫୁଲମାଳଟି ଗୁନ୍ଥିଥିବ ସିଏ ସେ ମାଳାଟିକୁ ଠାକୁରାଣୀ ଗଳାରେ ଦେଇପାରିବ ନାହିଁ, ଇଏ କି ପ୍ରକାର ଯୁକ୍ତି ? ଠାକୁର ମନ୍ଦିରକୁ ଯାଉଥିବା ଫୁଲ ଭିତରୁ ହୁଏତ ଅନେକ ମଇଳା ଖତଗଦାରେ ଫୁଟିଥିବ, ଅରମା ପଡ଼ିଆରେ ଫୁଟିଥିବ । ମଇଳା ପଡ଼ିଆରେ ଫୁଟିଥିବା ଫୁଲ ମନ୍ଦିରକୁ ଯାଇପାରିବ, ମାତ୍ର ମଣିଷ ଯାଇପାରିବ ନାହିଁ ! ଫୁଲଟିଏରୁ ହୀନ କ’ଣ ମଣିଷର ଜନ୍ମ ଓ ଜୀବନ ? କେବଳ ଯେ ଓଡ଼ିଶାରେ ହରିଜନଙ୍କ ପାଇଁ ଏହି ସମସ୍ୟା ରହିଛି ତା’ ନୁହେଁ, ଭାରତର ବିଭିନ୍ନ ପ୍ରଦେଶରେ ରହିଛି । ମହାତ୍ମା ଗାନ୍ଧିଙ୍କଠୁ ନେଇ ସ୍ୱାମୀ ଅଗ୍ନିବେଶଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଆନ୍ଦୋଳନ ସତ୍ତ୍ୱେ ଆଜି ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କର୍ଣାଟକ ଓ ମହାରାଷ୍ଟ୍ର ପରି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଘୃଣ୍ୟ ବ୍ୟବସ୍ଥା ରହିଛି । ମାତ୍ର ସେ ରାଜ୍ୟରେ କୁସଂସ୍କାର ଅଛି ବୋଲି ଓଡ଼ିଶାରେ ରହିବ ତାହାର କୌଣସି ଯୁକ୍ତି ନାହିଁ । ପୁଣିଥରେ ଜଗତସିଂହପୁରର ଶାରଳା ମନ୍ଦିର ପ୍ରସଙ୍ଗକୁ ଫେରିଆସୁଛି । ଏହି ଜିଲ୍ଲାକୁ ଓଡ଼ିଶାର ଜ୍ଞାନଦୀପ କୁହାଯାଏ । ପ୍ରାଣକୃଷ୍ଣ ପରିଜାଙ୍କଠୁଁ ଶ୍ରୀରାମ ଦାସଙ୍କ ଯାଏଁ ବହୁ ବିଖ୍ୟାତ ଲୋକଙ୍କ ଜନ୍ମ ଏହି ଜିଲ୍ଲାରେ । ଏଠାରେ ଏପରି ଘଟଣା ଘଟିଲା, ମାତ୍ର କୌଣସି ସଂଗଠନ, ରାଜନେତା ତାହାର ପ୍ରତିବାଦ କଲେ ନାହିଁ ? କେହି ଏ ବ୍ୟବସ୍ଥାର ସଂସ୍କାର ପାଇଁ ଆମରଣ ଅନଶନ କଲେ ନାହିଁ । ଆଉ କଥା ଦୂରେ ଥାଉ, ଘଟଣା ଘଟିବାର ପ୍ରାୟ ତିନି ସପ୍ତାହ ପରେ, ଏନେଇ କୌଣସି ସ୍ତମ୍ଭକାର ଓ ସମ୍ବାଦଦାତାଙ୍କ ପ୍ରତିକ୍ରିୟା ମଧ୍ୟ ପଢ଼ିବାକୁ ମିଳିଲା ନାହିଁ । ଆମର ନେତାମାନେ ଏ ବିଷୟରେ କଦାପି ଚର୍ଚ୍ଚା କରିବେ ନାହିଁ । ଦଳିତମାନଙ୍କ ସଭାରେ ସେମାନେ ବଡ଼ ପାଟିରେ ଶାସନର ସୁଫଳ ସମାଜର ନିମ୍ନବର୍ଗ ପାଖରେ ପହଞ୍ଚିପାରିଲା ନାହିଁ ବୋଲି ଯେତେ କହିଲେ ବି ବାସ୍ତବରେ ସେମାନେ ତାହାକୁ ପହଞ୍ଚେଇବା ପାଇଁ କିଛି କରିବେ ନାହିଁ । ମାତ୍ର ଆମ ସମାଜର ବୁଦ୍ଧିଜୀବୀମାନେ କୁଆଡ଼େ ଗଲେ ? ଓଡ଼ିଶାର ସାମାଜିକ ଜୀବନକୁ ଦିଗ୍‌ଦର୍ଶନ ଦେବା ପାଇଁ ଆଜି କ’ଣ କେହି ନାହାନ୍ତି ? ଓଡ଼ିଶା କ’ଣ ମୁରବିଶୂନ୍ୟ ?

 

ଦୁଃଖର କଥା ହେଉଛି ଯେ ଉଚ୍ଚବର୍ଣ୍ଣ ଓ ଉଚ୍ଚବର୍ଗର ଏହି ଅନ୍ୟାୟ ବିରୋଧରେ ସଂଗ୍ରାମ କରିବା ପାଇଁ ନିର୍ଯାତିତ ଲୋକଙ୍କ ମେଳରେ ମଧ୍ୟ ଅଙ୍ଗୀକାରବଦ୍ଧ ପ୍ରତିନିଧି ବେଶି ନାହାନ୍ତି-। ଯେଉଁମାନେ ସେହି ବର୍ଗରୁ ଆସି ବଡ଼ ହୋଇଛନ୍ତି, ସେମାନେ ସଂସ୍କୃତାୟିତ ପ୍ରକ୍ରିୟାରେ ଛନ୍ଦିହୋଇ ଉଚ୍ଚବର୍ଗ ଲୋକଙ୍କ ପରି ବ୍ୟବହାର କରୁଛନ୍ତି । ତାଙ୍କର ଚାଲିଚଳଣ, ହାବଭାବ, ବେଶ ପୋଷାକ, କଥାବାର୍ତ୍ତା ସବୁ ବଦଳି ଯାଉଛି । ବାହାର ବଦଳିଲେ ବିଶେଷ କ୍ଷତି ହୁଅନ୍ତା ନାହିଁ; ମାତ୍ର ବାହାର ସାଙ୍ଗରେ ଭିତର ବି ବଦଳିଯାଉଛି । ଏବଂ ଏସବୁ ସାଙ୍ଗକୁ ରହୁଛି ସେଇ ଦଳିତ ସମାଜ ଭିତରେ ଅନ୍ତର୍ବିରୋଧ, ଅନ୍ତଦ୍ୱର୍ନ୍ଦ୍ୱ । ଗୋଟିଏ ଉଦାହରଣ ନିଆଯାଇପାରେ । ଏ ଖବରଟି ବି ‘ସମ୍ବାଦ’ର ସେଇ ଏକା ଦିନରେ ପ୍ରକାଶ ପାଇଛି । ୪୨ ବର୍ଷ ତଳେ ଦାମୋଦର ଭେଲି (ପଶ୍ଚିମବଙ୍ଗ) କର୍ପୋରେସନ୍‌ର ବନ୍ଧ ଉଦ୍‌ଘାଟନ କରିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆସିଥିଲେ । ଅତିଥି ନେହେରୁଙ୍କ ବେକରେ ଫୁଲମାଳଟିଏ ଦେବା ପାଇଁ ଉତ୍ସବର ଆୟୋଜକମାନେ ପୁରୁଲିଆରେ ବୁଧୁନୀ କିଶୋରୀଟିଏକୁ ଦାୟିତ୍ୱ ଦେଇଥିଲେ । ବୁଧୁନୀ ନିଷ୍ଠାର ସହ ଏ କାମଟି କଲା । ନେହେରୁ ବନ୍ଧ ଉଦ୍‌ଘାଟନ କରି ଚାଲିଗଲେ । କିନ୍ତୁ ବୁଧୁନୀର ଦୁର୍ଦିନ ଆରମ୍ଭ ହୋଇଗଲା । ତା’ ସାନ୍ତାଳ ଜାତିର ପ୍ରଥା ଅନୁଯାୟୀ କେବଳ ସ୍ୱାମୀ ଗଳାରେ ସ୍ତ୍ରୀ ବରଣମାଳା ପକାଏ । ସିଏ ନେହେରୁଙ୍କ ବେକରେ ବରଣମାଳା (ଅତିଥିଙ୍କ ପାଇଁ ଫୁଲହାର ଓ ବରଣମାଳା ଯେମିତି କି ଏକା କଥା !) କାହିଁକି ପକେଇଲା ? ଏହାଦ୍ୱାରା ସେ ନେହେରୁଙ୍କୁ ବାହା ହେଇଛି ! ଦ୍ୱିତୀୟ ଦୋଷ ହେଲା, ନେହରୁ ସାନ୍ତାଳ ସଂପ୍ରଦାୟର ହୋଇ ନଥିବାରୁ ବୁଧୁନୀ ଜଣେ ଅଜାତିଆକୁ ବାହାହୋଇ ! ନିଜ ସଂପ୍ରଦାୟର ମୁହଁ ତଳକୁ କରିଦେଇଛି । ଆଜି ୪୨ ବର୍ଷ ପରେ ମଧ୍ୟ ବୁଧୁନୀର ଏହି ନିର୍ଯାତନା ସରିନାହିଁ । ସେଦିନ ଅନ୍ୟ ସଂପ୍ରଦାୟର କୌଣସି ସାହସୀ ଯୁବକକୁ ବାହା ହୋଇ ପାରିଥିବା ବୁଧୁନୀର ଝିଅ ରତ୍ନାକୁ ବାହାହେବା ଲାଗି ଆଜି ବି ନିଜ ସାନ୍ତାଳ ସଂପ୍ରଦାୟର କେହି ରାଜି ନୁହନ୍ତି । ଅନ୍ୟମାନଙ୍କ କଥା ଦୂରେ ଥାଉ, ବୁଧୁନୀର ନିଜ ବାପା ମା’ ମଧ୍ୟ ତା’ ପଛରେ ଠିଆ ହେବାକୁ ପ୍ରସ୍ତୁତ ନୁହନ୍ତି । ସମାଜର ନିମ୍ନ ବର୍ଗରେ ଥିବା ଲୋକମାନେ ଯଦି ତାଙ୍କର ପ୍ରାଥମିକତା ଭୁଲି ଏହିଭଳି ଅନ୍ତର୍ବିରୋଧରେ ଲାଗି ରହିବେ, ତାହାହେଲେ ସେମାନେ ଉଚ୍ଚବର୍ଗ ବିରୋଧରେ ଲଢ଼େଇ କରିବେ କେମିତି ? ଅଥଚ ଏ ଦେଶରେ ହରିଜନ, ଆଦିବାସୀ ଉନ୍ନୟନ ଓ ସଚେତନତା ସୃଷ୍ଟି ନାଆଁରେ ହଜାର ହଜାର କୋଟି ଟଙ୍କା ଖର୍ଚ ହେଉଛି । ସେଇ ସଂପ୍ରଦାୟର ନେତାମାନେ ପାର୍ଲାମେଣ୍ଟ ଓ ବିଧାନସଭାରେ ଅଧିକ ଅଧିକାର ଉପଭୋଗ କରୁଛନ୍ତି-। କିନ୍ତୁ ଯେଉଁ ଦିଗଗୁଡ଼ିକ ପ୍ରତି ଆଗେ ଧ୍ୟାନ ଦେବାକଥା ନ ଦେଇ ସେମାନେ ଅଳ୍ପ କେତେଜଣଙ୍କ ସ୍ୱାର୍ଥକୁ ସୁହାଇଲା ଭଳି କାମ କରୁଛନ୍ତି । ଫଳରେ ୪୨ ବର୍ଷ ତଳେ ପୁରୁଲିଆର କିଶୋରୀଟିଏର ଅତିଥି ଗଳାରେ ଫୁଲମାଳ ପକେଇବାର ଅଧିକାର ନଥିଲା, ୪୨ ବର୍ଷ ପରେ ଜଗତସିଂହପୁରର ହରିଜନ ବୋହୂଟି ଠାକୁରାଣୀ ଗଳାରେ ଫୁଲମାଳଟିଏ ପକେଇବାର ଅଧିକାର ପାଉନାହିଁ ।

 

ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଓଡ଼ିଶା ପୃଥିବୀ ଆଗରେ ଗର୍ବ କରିଥାଏ । ଶ୍ରୀ ଜଗନ୍ନାଥ ମନ୍ଦିର ବେଢ଼ାର ମୁକ୍ତିମଣ୍ଡପ ମଧ୍ୟ ଏକଥା ଉପରେ ନିଜର ମନ୍ତବ୍ୟ ରଖିବା ଦରକାର । ହରିଜନମାନେ ହିନ୍ଦୁ କି ନୁହେଁ, ସେ ମୀମାଂଶା ହେବାର କ’ଣ ସମୟ ଆସିନାହିଁ ? ହିନ୍ଦୁ ଧର୍ମର ଏହି ଦୁର୍ବଳତା ଯୋଗୁଁ ଏକଦା କଳାପାହାଡ଼ର ଅଭ୍ୟୁଦୟ ଘଟିଥିଲା । ଧର୍ମାନ୍ତରୀକରଣ ପ୍ରଶ୍ନର ଜନ୍ମହୁଏ ଏହି ଭେଦଭାବ ମଞ୍ଜିରୁ । ଓଡ଼ିଶାକୁ ଭଲ ପାଉଥିବା କୌଣସି ବ୍ୟକ୍ତି ଏଭଳି ଘଟଣାକୁ ନ୍ୟୂନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ । ନିକଟରେ ବିହାର-ଝାଡ଼ଖଣ୍ଡ ଜନବାଦୀ ଲେଖକ ସଂଘର ମୁଖପତ୍ର ‘ଯୁଦ୍ଧରତ ଆମ୍‌ ଆଦମୀ’ର ସଂପାଦକ, ପୂର୍ବତନ ସାଂସଦ ରମଣିକା ଗୁପ୍ତା ଓଡ଼ିଶା ଆସିଥିଲେ । ଆଲୋଚନା ସମୟରେ ଓଡ଼ିଶାର ‘ଦଳିତ ସାହିତ୍ୟ’ର ସ୍ଥିତି ସଂପର୍କରେ ସେ ଏହି ଲେଖକକୁ ପ୍ରଶ୍ନ ପଚାରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିର ଆବେଦନ ହେତୁ ଏଠାରେ ଆକ୍ଷରିକ ଅର୍ଥରେ ଦଳିତ ସାହିତ୍ୟର ପ୍ରୟୋଜନ ପଡ଼ିନାହିଁ ବୋଲି ଲେଖକ କହିଥିଲା ।

 

କିନ୍ତୁ ଏବେ ଅନୁଭବ ହେଉଛି, ଏ ସଂପର୍କରେ ସଚେତନତା ସୃଷ୍ଟି ଲାଗି ସତୀର୍ଥ ଲେଖକମାନେ ଲେଖନୀ ଉତ୍ତୋଳନ କରିବା ଦରକାର । କିଛି ସମୀକ୍ଷକ ଓ ବୁଦ୍ଧିଜୀବୀ ସେମାନଙ୍କୁ ‘ପ୍ରଚାରଧର୍ମୀ, ସଂସ୍କାରବାଦୀ’ କହି ନଜର ବୁଲେଇନେଇ ପାରନ୍ତି । ମାତ୍ର ତାହା ସେମାନଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ । କାରଣ ଏକଥା ସତ ଯେ ସବୁ ଉପରେ ମଣିଷ ହିଁ ସତ୍ୟ । ମଣିଷଠୁଁ ବଳି ବଡ଼ କିଛି ନାହିଁ; ନା ଗୁରୁ ନା ଦେବତା ।

 

ସମ୍ବାଦ, ୨୭ ଅପ୍ରେଲ୍‌, ୨୦୦୧

Image

 

ସକ୍ରିୟ ଅନ୍ଧବିଶ୍ୱାସ, ନିଷ୍କ୍ରିୟ ପ୍ରଶାସନ

 

୨୦୧୧ ମେ ୧୦ ତାରିଖରେ, ଯେତେବେଳେ ଆମ ରାଜ୍ୟର ପଛୁଆ ବର୍ଗ ବିକାଶ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶ୍ରୀ ଲାଲବିହାରୀ ହିମିରିକା ‘ରାଜଭବନ’ର ‘ଅଭିଷେକ’ ହଲ୍‌ରେ ଶପଥ ଗ୍ରହଣ କରୁଥିଲେ ସେତିକିବେଳେ ମୟୂରଭଞ୍ଜ ବିଶୋଇ ଥାନା ଅନ୍ତର୍ଗତ ରେଙ୍ଗାଲବେଡ଼ା ଗାଁରେ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ସ୍କୁଲ୍‌ ଛାତ୍ରୀ ଗୌରାଙ୍ଗୀ ମୁର୍ମୁ ସେହି ଗ୍ରାମର ୫୬ ବର୍ଷର ବୁଢ଼ୀ ରତନୀ ମୁର୍ମୁଙ୍କୁ ଟାଙ୍ଗିଆରେ ହାଣି କଟାମୁଣ୍ଡଟାକୁ ଗୋଟେ ଡେକ୍‌ଚିରେ ପୂରେଇ ଗାଁଠାରୁ ତିନି କିଲୋମିଟର ଦୂରରେ ଥିବା ମଣଦା ଫାଣ୍ଡିରେ ପହଞ୍ଚିଥିଲା । ଗୌରାଙ୍ଗୀର ଅନ୍ଧବିଶ୍ୱାସ ଯେ ରତନୀ ଗୋଟେ ଡାଆଣୀ ଓ ତା’ର ଚକ୍ରାନ୍ତ ଯୋଗୁଁ ସେ ଗତବର୍ଷ ମାଟ୍ରିକ୍‌ରେ ଫେଲ୍‌ ହେଇଥିଲା ଏବଂ ତା’ ପରିବାରର ଲୋକମାନେ ବାରମ୍ବାର ରୋଗରେ ପଡୁଛନ୍ତି । ସୂଚନାଯୋଗ୍ୟ ଯେ ରତନୀ ମୁର୍ମୁ ରେଙ୍ଗାଲବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୋଷେଇଆ କାମ କରୁଥିବା ଜଣେ ଗରିବ ମହିଳା । ତାଙ୍କୁ ହତ୍ୟା କରାଯିବା ବେଳକୁ ସେ ବିଚାରୀ ସ୍କୁଲ୍‌ ଚଟାଣରେ ଶୋଇପଡ଼ି ହାଲିଆ ମେଣ୍ଟଉଥିଲେ । ତାଙ୍କର ସେ ନିଦ ଭାଙ୍ଗିଲା ନାହିଁ ।

 

ଗଲା ୧୦ ତାରିଖରେ ଘଟିଥିବା ଏଇ ହତ୍ୟାକାଣ୍ଡର ତଦନ୍ତ ଗତି କୁଆଡ଼େ ଯିବ ତାହା ଜଣାଶୁଣା । ନାବାଳିକା ଗୌରାଙ୍ଗୀକୁ ନିଶ୍ଚୟ କିଛି ବର୍ଷ ଜେଲ୍‌ ହେବ ଏବଂ ତା’ର ଭବିଷ୍ୟତ ଉପରେ ପ୍ରଶ୍ନବାଚୀଟିଏ ଆଙ୍କି ହୋଇଯିବ । ଅନ୍ୟ ପକ୍ଷରେ ଡାଆଣୀ ସନ୍ଦେହରେ ମରୁଥିବା ଲୋକଙ୍କ ପାଇଁ ଓଡ଼ିଶା ସରକାରଙ୍କର କୌଣସି କ୍ଷତିପୂରଣ ବ୍ୟବସ୍ଥା ନାହିଁ । ତେଣୁ ରତନୀର ପରିବାର କୌଣସି ସହାୟତା ପାଇବେ ନାହିଁ । କର୍ମକୁ ଆଦରି ପଡ଼ି ରହିବେ ।

 

ଏଭଳି ଦୁର୍ଘଟଣା ପାଇଁ ଆମେ କାହାକୁ ଦାୟୀ କରିବା ? କେବଳ ଗୌରାଙ୍ଗୀକୁ ନା ଏଇପ୍ରକାର ଅନ୍ଧବିଶ୍ୱାସ ଲାଳନପାଳନ କରୁଥିବା ପଛୁଆବର୍ଗର ସଂସ୍କୃତିକୁ ନା ପ୍ରଶାସନର ଉଦାସୀନତାକୁ ନା ନାଗରିକ ସମାଜର ନିଷ୍କ୍ରିୟତାକୁ ? ଆଦିବାସୀ ହରିଜନଙ୍କ ଉନ୍ନତି ପାଇଁ ପ୍ରତିଦିନ ନୂଆ ନୂଆ କଥା କହାଯାଉଥିଲା ବେଳେ ଏ ପ୍ରକାର ଘଟଣା କମିବା ବଦଳରେ ବଢ଼ୁଛି କାହିଁକି ? ପୁଣି ପ୍ରଥମରୁ ଦଶମ ଶ୍ରେଣୀଯାଏ ପାଠ ପଢ଼ି ଆସିଥିବା ଗୌରାଙ୍ଗୀ ପରି ଛାତ୍ରୀଟିଏ ମନ ଭିତରୁ ଏ ଧରଣର ଅନ୍ଧବିଶ୍ୱାସକୁ କଢ଼ାଯାଇ ପାରିଲା ନାହିଁ କାହିଁକି ? ଆମ ଶିକ୍ଷା ପାଠ୍ୟକ୍ରମ ଏ ଦିଗ ପ୍ରତି ଧ୍ୟାନ ଦେଉଛି କି ନାହିଁ ? ଏବଂ ଯଦି ଦେଉନାହିଁ, କାହିଁକି ଦେଉନାହିଁ ?

 

ଗତ ମାର୍ଚ ମାସ ୨୭ ତାରିଖରେ ସେଇ ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ୍‌ ଥାନା ଅନ୍ତର୍ଗତ ବରାଝିଆଣୀ ଗାଁର ୨୫ ବର୍ଷର ଯୁବକ ଫକୀର ମୁର୍ମୁ ଡାଆଣୀ ସନ୍ଦେହରେ ୫୫ ବର୍ଷ ବୟସ୍କା ନିଜର ଖୁଡ଼ୀ କାପୁରା ମୁର୍ମୁଙ୍କୁ ଏକ କୁରାଢ଼ିରେ ହାଣି ହତ୍ୟା କରିଥିଲା । ଏହାପରେ ଖୁଡ଼ୀର କଟାମୁଣ୍ଡ ଧରି ସେ ରାଇରଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଥିଲା । ଉଭୟ ଗୌରାଙ୍ଗୀ ଏବଂ ଫକୀର, ହତ୍ୟାକାଣ୍ଡ ଘଟାଇବା ପରେ ସ୍ୱଇଚ୍ଛାରେ ଯାଇ ଥାନାରେ ଆତ୍ମସମର୍ପଣ କରିବା କଥାରୁ ସ୍ପଷ୍ଟ ହେଉଛି, ସେମାନେ ଘଟଣା ଘଟେଇ ଖସିଯିବାକୁ ଚାହିଁନାହାନ୍ତି । ଉଭୟ କ୍ଷେତ୍ରରେ, ହତ୍ୟାକାରୀ ଦ୍ୱୟଙ୍କର ଅନ୍ଧବିଶ୍ୱାସ ହେଲା, ଡାଆଣୀର ଦୁଷ୍ଟ ଦୃଷ୍ଟି ଯୋଗୁଁ ତାଙ୍କ ପରିବାରର ଲୋକେ ରୋଗରେ ପଡୁଛନ୍ତି ଓ ତାଙ୍କର ଉନ୍ନତି ହେଉ ନାହିଁ । ସେଇ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନାର ମିରିଗିନେଣ୍ଡି ଗାଁର ସୁନ୍ଦର କିସ୍କୁ ଓ କୁନା କିସ୍କୁ ଗତ ମାର୍ଚ ୨୫ ତାରିଖରେ ଗୁଣିଗାରେଡ଼ି ସନ୍ଦେହ କରି ନିଜ ସମ୍ପର୍କୀୟ କକା ସାନବିଦା କିସ୍କୁର ବେକରେ ଗାମୁଛା ଭିଡ଼ି ନୃଶଂସ ଭାବେ ହତ୍ୟା କରିଥିଲେ । ସାନବିଦା ନାଁରେ ଅଭିଯୋାଗ ଯେ, ସେ ଗୁଣିଗାରେଡ଼ି କରି ବହୁ ଲୋକଙ୍କୁ ମାରି ପକଉଥିଲା ।

 

ମୟୂରଭଞ୍ଜ ପରି ସୁନ୍ଦରଗଡ଼ ଜିଲ୍ଲାରେ ବି ଗୁଣିଗାରେଡ଼ି ସନ୍ଦେହରେ ବହୁସଂଖ୍ୟକ ଲୋକଙ୍କୁ ହତ୍ୟା କରାଯାଇଥାଏ । ଗତ ମାର୍ଚ ମାସ ୨୩ ତାରିଖରେ ଗୁରୁଣ୍ଡିଆ ବ୍ଲକ୍‌ରେ ଆଲଫାସ ମୁଣ୍ଡା (୪୧) ଓ ତାଙ୍କ ପତ୍ନୀ ଫ୍ଲୋରିଆ ମୁଣ୍ଡା (୩୮)ଙ୍କୁ ଗାଁ ଲୋକେ ଏଇଥିପାଇଁ ଜୀବନରୁ ମାରିଦେଲେ, କାରଣ ଗାଁର ଜଣେ ଲୋକ ସନ୍ଦେହ କଲା ଯେ ଏମାନଙ୍କ ବିଷ ଦୃଷ୍ଟି ଯୋଗୁଁ ତା’ ପୁଅ ଝାଡ଼ାବାନ୍ତିରେ ପଡ଼ି ମରିଛି । ୨୦୧୦ ମସିହାରେ, କେବଳ ସୁନ୍ଦରଗଡ଼ରେ ୧୦ ଜଣ ଲୋକଙ୍କୁ ଏମିତି ଗୁଣିଗାରେଡ଼ି ସନ୍ଦେହରେ ମାରି ଦିଆଯାଇଥିବା ରେକର୍ଡ ହୋଇଛି ।

 

ଗତ ଫେବ୍ରୁଆରି ୧ ତାରିଖରେ କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଖସାପଦା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦି’ ଜଣ ଭାଇ ଭଉଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଭଉଣୀ ସମବାରୀ ପୁର୍ତି (୫୦ ବର୍ଷ) ଓ ଭାଇ ଉତ୍ସବ ପୁର୍ତି (୪୦ ବର୍ଷ)ଙ୍କ ଉପରେ ହତ୍ୟାକାରୀ ଚାନ୍ଦା ହେମ୍ବ୍ରମ୍‌ ସନ୍ଦେହ କରିଥିଲା ଯେ, ତା’ ପୁଅର ଦେହ ଭଲ ନ ହେବାର କାରଣ ଏଇ ଦି’ ଜଣଙ୍କ ଗୁଣିଗାରେଡ଼ି । ସେଇ କେନ୍ଦୁଝର ଜିଲ୍ଲାରେ ଗଲା ବର୍ଷ ଡିସେମ୍ବର ମାସ ୧୦ ତାରିଖରେ ଗୁଣିଗାରେଡ଼ି ସନ୍ଦେହରେ ବାଂଶପାଳ ବ୍ଲକ୍‌ ଅଧୀନ ନୟାକୋଟ ଥାନାର ଲୁହାକଳା ଗାଁର ସ୍ୱପ୍ନ ଦେହୁରୀ ଓ ତାଙ୍କ ସ୍ତ୍ରୀ ଫୁଲମଣି ଦେହୁରୀଙ୍କୁ ମାରି ଦିଆଯାଇଥିଲା । ୨୦୦୯ରେ କେବଳ କେନ୍ଦୁଝର ଜିଲ୍ଲାରେ ଏଭଳି ୧୨ଟି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ରେକର୍ଡ କହୁଛି । ଏଇ ରେକର୍ଡ ବାହାରେ ଆହୁରି ଅନେକ ଘଟଣା ଲୁଚି ରହିଥିବା ଅସମ୍ଭବ ନୁହେଁ । ଓଡ଼ିଶାର ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ, ଯେଉଁଠି ଆଦିବାସୀ-ହରିଜନଙ୍କ ସଂଖ୍ୟା ବେଶି, ସେଇଠି ଏ ପ୍ରକାର ଘଟଣା ବେଶି ଘଟୁଛି । କେବଳ ସୁନ୍ଦରଗଡ଼ରେ ୨୦୦୫ରୁ ୨୦୧୦ ଭିତରେ ୩୫ଟି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ରେକର୍ଡରେ ଦରଜ ହୋଇଥିଲା ।

 

୨୦୦୯ରେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଧୀନରେ ଥିବା କଳିଙ୍ଗରେ ଗୋଟେ ବୀଭତ୍ସ ଘଟଣା ଘଟିଥିଲା । ଝାଟିମାଟି ଘରେ ରହୁଥିବା ଅସହାୟ ବୁଢ଼ାବୁଢ଼ୀଙ୍କୁ ପାଞ୍ଚଘଣ୍ଟା ଧରି ଶାସ୍ତି ଦେବା ପରେ ସେମାନଙ୍କୁ ଜୀବନରେ ମାରି ଦିଆଯାଇଥିଲା । ଅଭିଯୋଗ ହେଲା ଏହିମାନଙ୍କ ଗୁଣିଗାରେଡ଼ି ଯୋଗୁଁ ସେଇ ଗାଁର ବୁଧୁରାମର ପିଲାପିଲି ହେଉ ନ ଥିଲେ । ସେଦିନ ଏଇ ବୃଦ୍ଧ ଦମ୍ପତି ରାଉତ ଓ ମାର୍ସା ମରିବା ଆଗରୁ ପାଞ୍ଚ ଘଣ୍ଟା କାଳ ଅକଥନୀୟ ନର୍ଯାତନା ହେତୁ ଯେଉଁ ଧରଣର ଆର୍ତ ଚିତ୍କାର କରୁଥିଲେ ତାହା ଆମର ସମାଜ ସଂସ୍କାର, ଶିକ୍ଷା ଓ ଆଦିବାସୀ ଉନ୍ନୟନ କାର୍ଯ୍ୟକ୍ରମକୁ ସତେ କି ଉପହାସ କରୁଥିଲା ! ଓଡ଼ିଶାରେ ଏ ପ୍ରକାର ଅଘଟଣ ଏଇ ଗୋଟିଏ ନୁହେଁ । ଗୋଟିଏ ସାଧାରଣ ହିସାବରୁ ଜଣାପଡ଼ିଛି, ପ୍ରତି ବର୍ଷ ପ୍ରାୟ ଦୁଇ ଶହରୁ ଊର୍ଧ୍ୱ ଲୋକ ଏ ପ୍ରକାର ଅନ୍ଧବିଶ୍ୱାସର ଶିକାର ହୋଇ ମରୁଛନ୍ତି । ଏହାଛଡ଼ା ପ୍ରାୟ ଦୁଇ ଶହରୁ ଅଧିକ ଲୋକ ଜୀବନରେ ମରୁ ନ ଥିଲେ ମଧ୍ୟ ମଲାପରି ଜିଇ ରହୁଛନ୍ତି । କାରଣ ସେମାନଙ୍କୁ ସାତବେଣ୍ଟିଆ କରାଇ, ବିଷ୍ଠା ଖୁଆଇ, ଲଙ୍ଗଳା କରି ଓ ଗାଁରେ ବୁଲାଇ ଏଭଳି ଭାବେ ସେମାନଙ୍କର ଆତ୍ମସମ୍ମାନକୁ ତଳିତଳାନ୍ତ କରି ଦିଆଯାଉଛି ଯେ, ଏହାପରେ ସେମାନେ ସ୍ୱାଭିମାନର ସହ ମୁଣ୍ଡ ଟେକି ଚାଲିବା ସମ୍ଭବ ହେଉ ନାହିଁ । ୨୦୧୦ ମାର୍ଚ ୧୪ ତାରିଖ ରାତିରେ ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକ୍‌ ବାଲିଚୁଆଁପଡ଼ାରେ କିଛି ଲୋକ ଗରିବ ବୁଢ଼ୀ ବୈଦେହୀଙ୍କୁ ବାହାରକୁ ଭିଡ଼ିଆଣି ଉଧୁଲଙ୍ଗଳା କରି ତାଙ୍କ ଅଣ୍ଟାରେ ଝାଡୁ ବାନ୍ଧି ଘୋଷାରି ଘୋଷାରି ନେଇ ଘୁଷୁରି ଖାଉଥିବା କୁଣ୍ଡରେ ତାଙ୍କୁ ବିଷ୍ଠା ଖୁଆଇଥିଲେ । ବୈଦେହୀ ମାନସିକ ଓ ଶାରୀରିକ ନର୍ଯାତନାରେ ଚିତ୍କାର କରୁଥିବା ବେଳେ ତାଙ୍କୁ ନିର୍ଯାତନା ଦେଉଥିବା ଲୋକମାନେ ବାଜା ବଜେଇ ସଂକୀର୍ତନ କରୁଥିଲେ-। ସେମାନଙ୍କର ଅଭିଯୋଗ ଥିଲା, ବୈଦେହୀ ଗୋଟେ ଡାଆଣୀ ।

 

ଗତବର୍ଷ (୨୦୧୦) ରାଜଧାନୀ ଭୁବନେଶ୍ୱର ପାଖ ନୟାଗଡ଼ ଜିଲ୍ଲାରେ ମଧ୍ୟ ଘଟିଥିଲା ଏକ ଲଜ୍ଜାଜନକ ଘଟଣା । ଗଣିଆ ଥାନା ଅଧୀନରେ ଥିବା କନ୍ଧ ଜିଲିଣ୍ଡା ଗାଁର ଜୟକୃଷ୍ଣ ବେହେରାଙ୍କୁ ନିଆଁପାଣି ବାସନ୍ଦ କରିବା ସହିତ ତାଙ୍କ ଘରେ ନିଆଁ ଲଗେଇ ଦିଆଯାଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଥିଲା ଯେ ଜୟକୃଷ୍ଣ ଗୁଣିଗାରେଡ଼ି ଜାଣିଛି ଏବଂ ‘ଖଟ ବୁଲେଇ’ ସେମାନେ ତାକୁ ଧରିପାରିଛନ୍ତି । ସେହିପରି ଚଳିତ ବର୍ଷ ଏପ୍ରିଲ୍‌ ମାସ ୨୧ ତାରିଖରେ ଦେବଗଡ଼ ଜିଲ୍ଲାର ସୁନାମୁଣ୍ଡା ଗାଁର ଦୁଇଟି ପରିବାର ଏଇ ପ୍ରକାର ଅନ୍ଧବିଶ୍ୱାସଜନିତ ଅମାନୁଷିକ ଅତ୍ୟାଚାରର ଶିକାର ହୋଇଛନ୍ତି । ସୁନାମୁଣ୍ଡା ଗାଁରେ ଦେଖା ଦେଇଥିବା ତଥାକଥିତ ‘ଭୂତ ଆତଙ୍କ’ର କାରଣ ସେହି ଗାଁର ମଧୁସୂଦନ ରଣା ଓ ପଲସାକୁଦର ଈଶ୍ୱର ମାଝୀ ବୋଲି ‘ଖଟ ବୁଲା’ ପ୍ରକ୍ରିୟାରେ ସାବ୍ୟସ୍ତ କରାଯାଇଥିଳା । ତା’ପରେ ଗ୍ରାମବାସୀମାନେ ଈଶ୍ୱର ମାଝୀ, ତାଙ୍କ ସ୍ତ୍ରୀ ଓ ତିନି ଝିଅଙ୍କୁ ଧରି ନେଇ ବିଷ୍ଠା ଖୁଆଇଥିଲେ । ଏହାଛଡ଼ା ସେମାନଙ୍କୁ ଗାଳିମନ୍ଦ, ବାଡ଼ାପିଟା କରାଯିବା ଓ ନାନା ପ୍ରକାର ନିର୍ଯାତନା ମଧ୍ୟ ଦିଆଯାଇଥିଲା ।

 

ଏ ପ୍ରକାର ଉଦାହରଣ ଦେଇ ଚାଲିଲେ ଏ ପ୍ରବନ୍ଧ ସରିବ ନାହିଁ । ରାଜ୍ୟ ସରକାରଙ୍କ ସର୍ବଶିକ୍ଷା ଅଭିଯାନ, ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ ସୁରକ୍ଷା ପରି ଯୋଜନା ସତ୍ତ୍ୱେ ଏଭଳି ଅଘଟଣ ବଢ଼ି ବଢ଼ି ଚାଲିଛି । ଅଧିକାଂଶ କ୍ଷେତ୍ରରେ ଡାଆଣୀ ଅଭିଯୋଗରେ ଅଭିଯୁକ୍ତ ହେଉଛନ୍ତି ନିଃସହାୟ ବୁଢ଼ାବୁଢ଼ୀ । ଏମାନଙ୍କୁ ବିଷ୍ଠା ଖୁଆଇବା ପରି ଅମାନୁଷିକ ଓ ଘୃଣ୍ୟ ନିର୍ଯାତନା ଦେବାର କାରଣ ହେଲା, ଅନ୍ଧବିଶ୍ୱାସୀମାନଙ୍କର ଧାରଣା, ବିଷ୍ଠା ଖୁଆଇଲେ ଡାଆଣୀ ସତକଥା କହିଦେବା ସବୁଠାରୁ ଦୁଃଖର କଥା ହେଉଛି, ଏ ପ୍ରକାର ଘଟଣା ଆମର ସାମାଜିକ ଜୀବନ ପାଇଁ ଗୋଟିଏ ଗୋଟିଏ କଳଙ୍କ ହୋଇଥିଲେ ମଧ୍ୟ ଏ ସବୁ ସମ୍ପର୍କରେ ସରକାରୀ କଳ ପ୍ରତିକ୍ରିୟାଶୂନ୍ୟ । ଏଭଳି ଘଟଣାରେ ମୃତାହତ କୌଣସି କ୍ଷତିପୂରଣ ପାଆନ୍ତି ନାହିଁ । ଖବରକାଗଜଗୁଡ଼ିକ ଦିନେ ଦି’ ଦିନ ଏ ସମ୍ପର୍କୀୟ ଖବର ପ୍ରକାଶ କରି ତାକୁ ଭୁଲିଯାଆନ୍ତି ଓ କୌଣସି ସରକାରୀ ବା ବେସରକାରୀ ସଂସ୍ଥା ଏହାର ନିରାକରଣ ଲାଗି କୌଣସି ଦୀର୍ଘମିଆଦୀ ଯୋଜନା ହାତକୁ ନିଅନ୍ତି ନାହିଁ ।

 

ଏ କଥା ଜଣାଶୁଣା ଯେ ମଣିଷ ତା’ର ନିଜ ସଫଳତାର ଶ୍ରେୟ ନିଜକୁ ଦେଇଥିବା ବେଳେ ବିଫଳତାର କାରଣ ପାଇଁ ଅନ୍ୟର କାନ୍ଧ ଖୋଜିଥାଏ । କୌଣସି ମଣିଷ ତା’ ବିଫଳର କାରଣ ସିଏ ନିଜେ ବା ତା’ର ଅନ୍ଧବିଶ୍ୱାସ, ଏ କଥାକୁ ଗ୍ରହଣ କରିପାରେ ନାହିଁ । ପୁଣି ଦାରିଦ୍ର୍ୟ, ଅଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଅଭାବ ତାକୁ ବିଚାରବୋଧରହିତ ହିତାହିତଜ୍ଞାନଶୂନ୍ୟ ଗୋଟେ ଅନ୍ଧବିଶ୍ୱାସପ୍ରବଣ ସ୍ଥିତିକୁ ନେଇଯାଏ । ଦାରିଦ୍ର୍ୟ ଓ ଅନ୍ଧବିଶ୍ୱାସ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍, ଯଦିଓ ଭଲ ପାଠଶାଠ ପଢ଼ିଥିବା ବିଖ୍ୟାତ ଲୋକମାନଙ୍କ ମଧ୍ୟରେ ଅନ୍ଧବିଶ୍ୱାସର ପ୍ରଭାବ କିଛି ଊଣା ନୁହେଁ !

 

ଏଇ ଗୁଣିଗାରେଡ଼ି ସାଙ୍ଗକୁ ଆଉ ଗୋଟେ ଭୟଙ୍କର ଅନ୍ଧବିଶ୍ୱାସ ହେଉଛି ‘ବଳି’ ପକେଇ ଦୁଷ୍ଟ ଗ୍ରହର ଶାନ୍ତିବିଧାନ । ଗୁଣିଗାରେଡ଼ି ସନ୍ଦେହ ବ୍ୟାପାରରେ ଅଧିକ ସଂଖ୍ୟାରେ ବୁଢ଼ାବୁଢ଼ୀ ପ୍ରାଣ ହରଉଥିବା ବେଳେ ‘ବଳି’ କ୍ଷେତ୍ରରେ ନିରୀହ ସାନ ପିଲାମାନେ ମରିଥାଆନ୍ତି । ସମୟେ ସମୟେ ଏ ପ୍ରକାର ଖବର ଲୋକଲୋଚନକୁ ଆସିଥାଏ, ମାତ୍ର ଅଧିକାଂଶ କ୍ଷେତ୍ରରେ ଏହା ଆସେ ନାହିଁ । ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ଦିଗରେ ସରକାରୀ ସ୍ତରରେ କୌଣସି ଉଦ୍ୟମ ନାହିଁ କି ପିଲାମାନଙ୍କ ପାଠ୍ୟକ୍ରମରେ ଏହି ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ କିଛି ଶିକ୍ଷା ଦିଆଯାଉନାହିଁ । ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକର କରୁଣ ଅର୍ଥନୈତିକ ଚିତ୍ର ଏହି ପ୍ରକାର ଅନ୍ଧବିଶ୍ୱାସ ପାଇଁ ମୁଖ୍ୟତଃ ଦାୟୀ । ସ୍ୱାସ୍ଥ୍ୟସେବା ଯେଉଁଠି ଆଦୌ ପହଞ୍ଚି ନାହିଁ, ସେଠାରେ ଲୋକେ ଜ୍ୱର-ଝାଡ଼ାରେ ମରିବା ସ୍ୱାଭାବିକ । ଅଥଚ ଗରିବ ଲୋକଟିଏ ଏ କଥା ବୁଝିବା ବଦଳରେ ଆଉ ଗୋଟେ ନିଃସହାୟ ବୁଢ଼ା କି ବୁଢ଼ୀକୁ ଏଥିପାଇଁ ଦାୟୀ କରି ତାକୁ ହତ୍ୟା କରୁଛି ।

 

ଏହି ଲେଖକର ଧାରଣା, ଆଦିବାସୀ-ହରିଜନ ବିଭାଗ ଦାୟିତ୍ୱରେ ରହୁଥିବା ସେହି ବର୍ଗର ନେତାମାନେ ଏ ପ୍ରକାର ଘଟଣାରେ ଯେଉଁଭଳି ବିବ୍ରତ ହେବା କଥା ସେମିତି ହେଉନାହାନ୍ତି-। ଏଭଳି ସ୍ୱାଭାବିକ ଘଟଣାଗୁଡ଼ିକୁ ସେମାନେ ସ୍ୱାଭାବିକ ଭାବେ ଗ୍ରହଣ କରି ନିଅନ୍ତି-। ଏହି ବିଭାଗର ନେତୃତ୍ୱ ନେବା ଲାଗି ଯୋଗ୍ୟତାଟି କେବଳ ସେହି ବର୍ଗରେ ଜନ୍ମ ହେବା ନୁହେଁ ବରଂ ଏକ ବିଜ୍ଞାନସମ୍ମତ ଓ ଦୂରଦୃଷ୍ଟି ସମ୍ପନ୍ନ ହେତୁବାଦୀ ଚିନ୍ତାଧାରା ରହିବା ଦରକାର । ଥରେ ଏହି ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ, ସଚିବ ଓ ନିର୍ଦେଶକ ଏ ଦିଗରେ ଚିନ୍ତା କରନ୍ତୁ । ଗୋଟେ ସମୟରେ ହଳଦୀ କ୍ଷେତରେ ‘ମେରିଆ ବଳି’ ପ୍ରଥା ଥିଲା, ତାକୁ ଇଂରେଜ ସରକାର ବନ୍ଦ କରାଇଳେ । ‘ସତୀ’ ଭଳି ଘୃଣ୍ୟ ପ୍ରଥାକୁ ମଧ୍ୟ ସେହି ଇଂରେଜ ଶାସନ ଅମଳରେ ଉଠାଯାଇ ପାରିଲା । ତାହାହେଲେ ସ୍ୱାଧୀନ ଦେଶର ଜନମଙ୍ଗଳ ସରକାର ଡାଆଣୀ ଓ ବଳି ଭଳି କୁସଂସ୍କାରକୁ ବନ୍ଦ କରିପାରିବେ ନାହିଁ କାହିଁକି ?

 

ସମ୍ବାଦ, ୨୪ ମେ, ୨୦୧୧

Image

 

ଶହେ ବର୍ଷ ବିତିଗଲା, ରେବତୀର ଭାଗ୍ୟ ବଦଳିଲା ନାହିଁ

 

ଫକୀରମୋହନ ସେନାପତି ଲେଖିଥିବା ‘ରେବତୀ’ ଗଳ୍ପକୁ ଶହେ ବର୍ଷ ପୂରିଗଲାଣି ଦୁଇ ବର୍ଷ ତଳୁ । ସେଇ ଗପର ରେବତୀ ପାଠ ପଢ଼ିବାକୁ ମନ କରିଥିବା ଯୋଗୁ କୁଆଡ଼େ ତା’ ପରିବାରରେ ବିପର୍ଯ୍ୟୟ ମାଡ଼ି ଆସିଥିଲା ! ଆଜି ବି ସେଇ ଗପଟି ପଢ଼ିଲାବେଳେ ବହି ପୃଷ୍ଠାର ଅକ୍ଷରମାନଙ୍କ ଭିତରୁ ଗୋଟେ ନିରିମାଖୀ ଝିଅର ବିଡ଼ମ୍ବିତ କୈଶୋର, ଫୁଲ ଫୁଟିବା ଆଗରୁ ମଉଳି ଯାଇଥିବା ତା’ର ପ୍ରେମ, ତା’ର ସ୍ୱପ୍ନ ଏବଂ ବେଦନାଗ୍ରସ୍ତ ଜୀବନର ଚିତ୍ର ଝଲସି ଉଠେ । ଏହା ଭିତରେ କେତେ ପାଣି ସୁବର୍ଣ୍ଣରେଖା ଓ ମହାନଦୀରେ ବୋହିଗଲାଣି । ମାତ୍ର ରେବତୀ ସଗୋତ୍ରମାନଙ୍କର ଭାଗ୍ୟ ତଥାପି ଯେମିତି ପଥର ତଳେ ଥିଲା, ସେମିତି ପଥର ତଳେ ଚାପିହୋଇ ରହିଛି ।

 

ଖବରକାଗଜ ପୃଷ୍ଠା ଓଲଟେଇଲେ ପ୍ରତିଦିନ ଏମିତି ହତଭାଗିନୀ ରେବତୀମାନଙ୍କର ଦୁର୍ଭାଗ୍ୟ ପଢ଼ିବାକୁ ମିଳୁଛି । ଏଇ ଦି’ଦିନ ତଳର ଖବରକାଗଜ କଥା ଦେଖନ୍ତୁ । ଧାନନଗର ଥାନାର କରଦା ଗାଁର ଆଉ ଜଣେ ରେବତୀକୁ ୨୦ ହଜାର ଟଙ୍କାର ଯୌତୁକ ପାଇଁ ମାରି ଦିଆଯାଇଥିବାର କଥା ପ୍ରକାଶ ପାଇଛି । ତିନି ବର୍ଷ ତଳେ ଏଇ ରେବତୀ ବାହା ହୋଇ ଶାଶୂ ଘରକୁ ଆସିଥିଲା । ଘରକରଣାର ସ୍ୱପ୍ନ ବଉଳିବାକୁ ଆରମ୍ଭ ନ କରୁଣୁ ତା’ର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଯାଇଛି ।

 

ଅନୁଗୁଳ ଅଞ୍ଚଳର ମୀନାକ୍ଷି ଦେହୁରିର ଭାଗ୍ୟ ଆହୁରି କରୁଣ । ଖବରକାଗଜରେ ପ୍ରକାଶିତ ସମ୍ବାଦଟି ଯଦି ସତ ହୋଇଥାଏ, ତାହାହେଲେ ବିଚାରୀକୁ ତା’ର ଚାରିବର୍ଷର ପୁଅର ଆଖି ଆଗରେ ତଣ୍ଟି ଚିପି ମାରି ଦିଆଯାଇଛି । ମୀନାକ୍ଷିର ଅପରାଧ, ତା’ ବାପଘରୁ ସେ ଅଧିକା ପାଞ୍ଚ ହଜାର ଟଙ୍କା ଯୌତୁକ ଆଣିବାରେ ବିଫଳ ହୋଇଥିଲା । ଏଇ ବିଫଳତା ଯୋଗୁଁ ବରାବର ତା’ ଉପରେ ନିର୍ଯାତନା ହୋଇ ଆସୁଥିଲା । ମୀନାକ୍ଷି ସେସବୁ ଧୈର୍ଯ୍ୟର ସହ ସହି ଆସୁଥିଲା, ମାତ୍ର ନିର୍ଯାତନା ଦେଉଥିବା ମଣିଷମାନଙ୍କର ଆଉ ଧେର୍ଯ୍ୟ ନଥିଲା । ରାତି ଅନ୍ଧାରରେ ଶାଶୁଘର ଲୋକେ ମିଳିମିଶି ବୋହୂଟିର ତଣ୍ଟିରେ ଦଉଡ଼ି ଭିଡ଼ି ତାକୁ ମାରି ଦେଇଥିଲେ । ସେ ମରିଗଲା ପରେ ତା’ର ନିର୍ଜୀବ ଦେହକୁ ପଙ୍ଖା ଦେହରେ ଝୁଲେଇ ଦେଇଥିଲେ । ଏସବୁ ଘଟଣା ଘଟୁଥିବା ବେଳେ ଚାରି ବର୍ଷର ପୁଅଟି ସବୁ ଦେଖୁଥିଲା । ମାତ୍ର ତା’ ସତ୍ତ୍ୱେ ନୃଶଂସ ମଣିଷମାନଙ୍କ ହାତ ଥରି ଉଠିଲା ନାହିଁ । ସତେ କି ତାଙ୍କ ଆଖି ଆଗରେ ଗୋଟେ ଛେଳି, ମେଣ୍ଢା କି କୁକୁଡ଼ା ଓ ମଣିଷ ଭିତରେ କିଛି ବି ପ୍ରଭେ ଦ ଥିଲା । ସେମାନେ ନିର୍ବିକାର ଭାବରେ ଗୋଟେ ମା’କୁ ତା’ ପୁଅ ଆଗରେ ମାରିଦେଲେ ।

 

ବଣାଇଁଗଡ଼ର ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଘଟିଛି ଆଉ ଗୋଟେ ଲଜ୍ଜାକର କରୁଣ ଘଟଣା । ଭୁରୁଡ଼ା କଲୋନିରେ ରହୁଥିବା ଗୋଟେ ଆଦିବାସୀ ଘରର ବୋହୂ ଭାଲେଣ୍ଟିନା । ଢେର୍‌ ଦିନ ହେଲା ବାହାଘର ହୋଇଥିଲେ ବି ଭାଲେଣ୍ଟିନା ଥିଲା ପୁତ୍ରକନ୍ୟାହୀନା । ସେଇ ଥିଲା ତା’ର ଦୋଷ । ସତେ ଯେମିତି ଏ ଦିଗରେ ତା’ର ସ୍ୱାମୀଟିର କୌଣସି ଭୂମିକା ନ ଥିଲା ! ଦିନେ ରାତିରେ ତା’ର ସ୍ୱାମୀ ଓ ଦିଅର ଗୋଟେ କାଠ ଫାଳିଆରେ ପିଟି ପିଟି ଭାଲେଣ୍ଟିନାକୁ ମାରିଦେଲେ । ରକ୍ତ ଜୁଡୁବୁଡୁ ଭାଲେଣ୍ଟିନା ନେହୁରା ହୋଇ ପ୍ରାଣଭିକ୍ଷା କରିଥିଲା । ମାତ୍ର ନିଜର ପୌରୁଷ ଜାହରି କରିବାରେ ପାଗଳ ପାଲଟିଥିବା ପୁରୁଷ ଦି’ଜଣ ସେକଥା ପ୍ରତି ଆଦୌ କାନ ଦେଇ ନଥିଲେ । କାଠ ଫାଳିଆର ପାହାର ଖାଇ ଚାଳିଶ ବର୍ଷର ସ୍ତ୍ରୀ ଲୋକଟି ଟଳିପଡ଼ିଲା ।

 

ଖବରକାଗଜରେ ବାହାରିଛି, ଏଇ ସବୁଯାକ ଘଟଣାରେ ପୋଲିସ ତାଙ୍କର ତଦନ୍ତ କରୁଛନ୍ତି । ସେ ତଦନ୍ତ ପରିଣତି ଆଉ ଯାହା ହେଉ ବା ନ ହେଉ, ରେବତୀ, ମୀନାକ୍ଷି କିମ୍ବା ଭାଲେଣ୍ଟିନା ଆଉ ଫେରି ଆସିବେ ନାହିଁ । ସେମାନଙ୍କର ଅତୃପ୍ତ ଆତ୍ମା ଓଡ଼ିଶାର ପାଣି ପବନରେ ଘୂରି ବୁଲିବ ଏବଂ ରାଜ୍ୟର ସାମାଜିକ ଓ ପ୍ରାଶାସନିକ ବ୍ୟବସ୍ଥାକୁ ଉପହାସ କରୁଥିବ ।

 

ପାରଳାଖେମୁଣ୍ଡି ଅଞ୍ଚଳର ରାମଗିରି ଥାନାରେ ଘଟିଛି ଆଉ ଗୋଟିଏ କରୁଣ ଘଟଣା । ମଙ୍ଗରାଜପୁର ପଞ୍ଚାୟତ ଫୁକା ଗାଁର ଜଣେ ଆଦିବାସୀ ଯୁବତୀକୁ ଗୁଣିଆ ସନ୍ଦେହରେ ସେ ଗାଁର କେତେଜଣ ଯୁବକ ମାରିଦେଇ କୂଅ ଭିତରେ ପକେଇ ଦେଇଛନ୍ତି । ଚବିଶ ବର୍ଷର ସ୍ତ୍ରୀ ଲୋକ ଦୁଃଖୀ ଭୂୟାଠୁଁ ଆଉ ‘ଶକ୍ତିଶାଳୀ’ ଲୋକଟେ ବା କୋଉଠୁ ମିଳିଥା’ନ୍ତା ଏ ଯୁବକଙ୍କୁ, ଯାହା ଉପରେ ସେମାନେ ତାଙ୍କର ପୁରୁଷପଣିଆ ଜାହିର କରିପାରିଥାଆନ୍ତେ ! ପ୍ରଥମେ ନିଜର ବିକୃତ କାମ ବାସନା ଚରିତାର୍ଥ କରିବା ପରେ ସେମାନେ ଦୁଃଖୀକୁ ହତ୍ୟା କରିଛନ୍ତି ଏବଂ ମୋର ଗଭୀର ଆଶଙ୍କା ଯେ ନିଜର ଜଘନ୍ୟ କାର୍ଯ୍ୟକୁ ଯଥାର୍ଥ ରୂପ ଦେବା ପାଇଁ ଏବେ ସେଇ ଝିଅଟି ଉପରେ ଗୁଣିଆର ଅପଯଶ ଲଦି ଦେଉଛନ୍ତି । ଦୁଇ ତିନି ଦିନ ତଳର ଖବରକାଗଜରୁ ସାଉଁଟିଥିବା ଏଇ ଘଟଣା କେତୋଟି ଓଡ଼ିଶାର ଘଟଣାକ୍ରମରେ ଆଦୌ ବିରଳ ବ୍ୟତିକ୍ରମ ନୁହେଁ । ବରଂ ସ୍ୱୀକାର କରିବାକୁ ହେବ ଯେ ଏସବୁ ଏବେ ପ୍ରାତ୍ୟହିକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ସମୟେ ସମୟେ ଏତେ ସାଧାରଣ ଯେ ସେ ନେଇ କୌଣସି ଚାଞ୍ଚଲ୍ୟ ସୃଷ୍ଟି ହେଉ ନାହିଁ କି ପ୍ରଶାସନରେ ତରଙ୍ଗ ଖେଳିଯାଉ ନାହିଁ ।

 

ବାହାଘର ସମୟରେ ଯୌତୁକ ଆଣି ନ ପାରିବା ବୋହୂର ଦୋଷ, ପିଲାଛୁଆର ମାଆ ହୋଇ ନ ପାରିବା ନାରୀର ଅକ୍ଷମତା, ନିଜ ସ୍ୱାମୀକୁ ପରକୀୟାରୁ ନିବୃତ୍ତ କରିବାକୁ ବାହାରିବା ସ୍ତ୍ରୀର ଧୃଷ୍ଟତା, ସ୍ୱାମୀ ଚାହୁଁଥିବା ମୁତାବକ ପୁଅ ଜନ୍ମ ନ କରି କେବଳ ଝିଅ ଜନ୍ମ କରିବା ସୁଦ୍ଧା ତା’ର ପାପକର୍ମର ପରିଣତି ! ଏଭଳି ବିଚାର, ଏଭଳି ଆଚରଣ ଏବଂ ଏଭଳି ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀ ଯେ ଗୋଟିଏ ସଭ୍ୟ ସମାଜରେ ରହିପାରେ ତାହା ସମୟେ ସମୟେ କଳ୍ପନା କରିହୁଏ ନାହିଁ । ମାତ୍ର ଏଭଳି ଘଟଣା ବରାବର ଘଟୁଛି ଏବଂ ପ୍ରତି ଘଟଣାରେ ଜଣେ ନା ଜଣେ ଝିଅ ବଳି ପଡୁଛନ୍ତି । ପାଦରୁ ଅଳତାର ଦାଗ ଲିଭି ଯାଇ ନଥିବ, ମଥାର ଓଢ଼ଣା ବେକଯାଏ ଖସି ନଥିବ, କିରାସିନି ବା ପେଟ୍ରୋଲ ନିଆଁରେ ତା’ର ଜୁଇ ଜଳୁଛି । କାଠ ଫାଳିଆ ଓ ପଥର ପାହାରରେ ସିନ୍ଦୂର ଦାଗ ନିଭିଯାଉଛି । ଅନ୍ଧାରୀ କୂଅର ଅତଳ ପାଣିରେ ତା’ର ଘରକରଣାର ସ୍ୱପ୍ନ ସଲିଳ ସମାଧି ଘେନୁଛି ।

ଅଥଚ ଏଇ ନାରୀଟି ଯେ ଜୀବନ ସାରା ପୁରୁଷର ଅହଙ୍କାର, ଔଦ୍ଧତ୍ୟ ଏବଂ ଅବିମୃଶ୍ୟକାରିତା ସତ୍ତ୍ୱେ ତାକୁ ଜନନୀ, ଭଗିନୀ, କନ୍ୟା ଓ ଜାୟା ହୋଇ ଗ୍ରହଣ କରି ଆସିଛି, ସେକଥା ସେଇ ଆତତାୟୀମାନଙ୍କ ମନ ଭିତରକୁ ଥରୁଟିଏ ଲାଗି ହେଲେ ଆସୁନାହିଁ ।

ଅନେକ ଦିନ ତଳେ ପଢ଼ିଥିବା ଗପଟିଏ ମନେ ପଡୁଛି । ସେ ଗପର ଗରିବ ପୁଅଟିଏ ରାଜା ଝିଅକୁ ବାହା ହେବା ପାଇଁ ପାଗଳ ପାଲଟିଥିଲା । ରାଜା ଝିଅ ପ୍ରସ୍ତାବ ଦେଇଥିଲା, ଯଦି ସେ ପୁଅଟି ନିଜ ହାତରେ ତା’ ମା’କୁ ମାରି ତା’ର କଲିଜାଟିକୁ ଆଣି ତାକୁ ଦିଏ ତାହାହେଲେ ସେ ତାକୁ ବାହା ହେବ । ରାଜା ଝିଅ ପାଇଁ ପାଗଳ ପୁଅ ମାଆକୁ ମାରି ଗୋଟେ ସାରୁପତ୍ରରେ ମାଆର କଲିଜାକୁ ନେଇ ଯାଉଥିଲା । ବାଟରେ ବେଣା ମୂଳରେ ପାଦ ବାଜି ସେ ଝୁଣ୍ଟି ପଡ଼ିଲା ଏବଂ ହାତରୁ ମାଆର କଲିଜା ଛିଟିକି ତଳେ ପଡ଼ିଗଲା । ରାଜାପୁଅ ସେଇଟିକୁ ଗୋଟେଇ ଆଣିବାକୁ ଗଲାବେଳେ ମାଆର କଲିଜ କହିଲା, ‘ଧନରେ ! ଏତେ ଜୋର୍‌ରେ ଝୁଣ୍ଟି ପଡ଼ିଲୁ, ତୋତେ କଷ୍ଟ ହେଲାନି ତ !’ ମାଆ କଲିଜାର କଥା ଶୁଣି ପାଗଳ ପୁଅର ମୁଣ୍ଡ ଘୂରେଇ ଦେଇଥିଲା ।

ସତ୍ୟବାଦ ସାବିତ୍ରୀର କଥା ସବୁବର୍ଷ ପଢ଼ା ହେଉଛି । ଘରେ ଘରେ ପୂଜା ହେଉଛି ସାବିତ୍ରୀଙ୍କର । କେତେ ଜନ୍ମ ପରେ ସୁଦ୍ଧା ପୁରୁଷ ଜଣେ ସାବିତ୍ରୀଙ୍କର ସେଇ ଋଣକୁ ଶୁଝିପାରିବ ଚିନ୍ତା କରିହୁଏ ନାହିଁ । ନିଜର ପାତିବ୍ରତ୍ୟ ପାଇଁ ସେଦିନ ଯମ ହାତରୁ ସୁଦ୍ଧା ସ୍ୱାମୀ ସତ୍ୟବାନଙ୍କୁ ଫେରେଇ ଆଣିଥିଲେ ସାବିତ୍ରୀ । ନାରୀର ପ୍ରେମ ଉପାଖ୍ୟାନର ଶେଷ ନାହିଁ । କୃଷ୍ଣଙ୍କୁ ନେଇଯିବା ଲାଗି ମଥୁରାରୁ ଆସଛନ୍ତି ଅକ୍ରୁର । ଗୋପାଙ୍ଗନାମାନେ ନ ଯିବା ଲାଗି ବାରମ୍ବାର କହି ନିରାଶ ହେଲେଣି । ସବା ଶେଷରେ ସେମାନେ ରାଧାଙ୍କ ପାଖରେ ପହଞ୍ଚୁଛନ୍ତି । କହିଛନ୍ତି, ଆମେ ସିନା କୃଷ୍ଣଙ୍କର ସାଧାରଣ ସଖୀ, ତୁମେ କିନ୍ତୁ ତାଙ୍କର ସଖୀ ଶିରୋମଣି । ତୁମେ ବାରଣ କଲେ କୃଷ୍ଣଙ୍କର ପାଦ ଚଳିବନି, ସେ ଆଉ ମଥୁରାକୁ ଯିବେ ନାହିଁ । ବିରସବଦନା ଶ୍ରୀରାଧାଙ୍କ ଓଠରେ ଲୁହଠୁଁ କରୁଣ ହସଟିଏ ଫୁଟି ଉଠୁଛି । କହିଛନ୍ତି, ଆକାଶରେ ଚନ୍ଦ୍ର ଉଇଁଲେ ପୃଥିବୀର ସମୁଦ୍ର, ନଈ, ପୋଖରୀ ଏପରିକି ଗିନା ଭିତରର ଆଞ୍ଜୁଳାଏ ପାଣି ଭିତରେ ସୁଦ୍ଧା ଚନ୍ଦ୍ରର ଛବି ପ୍ରତିଫଳିତ ହୁଏ । କିନ୍ତୁ ଚନ୍ଦ୍ର ନା ସମୁଦ୍ରର, ନା ନଈର ନା ପୋଖରୀରର ନା ସେ ଆଞ୍ଜୁଳାଏ ପାଣିର । ସେମିତି ଶ୍ରୀକୃଷ୍ଣ । ସେ ତୁମର ନୁହନ୍ତି କି ମୋର ନୁହନ୍ତି । ତୁମେମାନେ ଯଦି କହୁଛ ଯେ ମୁଁ ତାଙ୍କୁ ମୋ ଭିତରେ ବାନ୍ଧି ରଖିଛି, ତାହାହେଲେ ଏଇ ମୁହୂର୍ତ୍ତରୁ ମୁଁ ତାଙ୍କୁ ମୁକ୍ତ କରିଦେଲି । ସେ ରାଧାର ପ୍ରେମକୁ ଅତିକ୍ରମ କରିଯାଆନ୍ତୁ । କାରଣ ପ୍ରେମ ମଣିଷକୁ ବନ୍ଦୀ କରି ରଖେ ନାହିଁ, ତାଙ୍କୁ ଅଧିକ ମୁକ୍ତ କରିଦିଏ ।

ଯେଉଁ ନାରୀର ପାତିବ୍ରତ୍ୟର ନିଷ୍ଠାରେ ଯମ ଦେବତାର ଫାଶ ହୁଗୁଳା ହୋଇଯାଏ, ଯାହାର ସ୍ନେହ ଓ ଆଦର ପାଇଁ ପୁଅମାନଙ୍କୁ ଜନ୍ମ ପରେ ଜନ୍ମ ନେବାକୁ ପଡୁଥାଏ, ଯାହାର ଛାତି ଚିରି ପୁରୁଷ ନିଜର ଅସ୍ତିତ୍ୱର ଉପାଦାନ ସଂଗ୍ରହ କରେ, ସେଇ ନାରୀକୁ ପଥରରେ ଛେଚି, କାଠଫାଳିଆରେ ପିଟି, ପେଟ୍ରୋଲ୍‌ ବା କିରାସିନିରେ ପୋଡ଼ି କେମିତି ଯେ ସେ ଋଣ ପରିଶୋଧ କରେ ତାହା ଚିନ୍ତା କରାଯାଇପାରେ ନାହିଁ । ଭାବିଲେ ବିସ୍ମିତ ହେବାକୁ ପଡ଼େ କେଉଁଠି ଆମ ବ୍ୟବସ୍ଥାରେ କ’ଣ ସବୁ ଭୁଲ୍‌ଭଟ୍‌କା ରହିଗଲା । ଆମ ପାଠପଢ଼ା, ତାଲିମ ଓ ବିଚାର ପ୍ରକ୍ରିୟାରେ ଏତେବଡ଼ ତ୍ରୁଟି ରହିଗଲା ଯେ ଯେଉଁ ଗଛ ଆମକୁ ତା’ର ଛାଇ ଦେଇ ନିଦାଘ କବଳରୁ ରକ୍ଷା କରେ, ପବନ ଦେଇ ଆମର କ୍ଳାନ୍ତି ପୋଛିନିଏ, ଫଳ ଦେଇ ଆମର କ୍ଷୁଧା ତୃଷ୍ଣା ଦୂରେଇ ଦିଏ, ସେଇ ଗଛ ଦେହରେ ହିଁ ଆମେ ଆଗେ ଆମ କୁରାଢ଼ିରେ ଚୋଟ ବସାଉ । ସେଇଥିପାଇଁ ବେଳେବେଳେ ଧାରଣା ହୁଏ ନୃଶଂସ ମଣିଷର କର୍ମକୁ ପାଶବିକ ଆଖ୍ୟା ଦେବା ଏକ ଚରମ ଭ୍ରାନ୍ତି-। ଗୋଟେ ପଶୁ ଯେତେ ଖରାପ ହେଲେ ବି ଏଭଳି ସ୍ତରକୁ ଓହ୍ଲେଇ ଆସିପାରେ ନାହିଁ । ସେଥିପାଇଁ ପଶୁଟିଏ କୋଉଠି କଦର୍ଯ୍ୟ ବ୍ୟବହାର କଲେ ବରଂ ତା’ର ସେ ଆଚରଣକୁ ମାନବିକ କାର୍ଯ୍ୟ କହି ନିନ୍ଦା କରାଯାଉ, ମାତ୍ର ମିଥ୍ୟା ଓ କପଟାଚାରକୁ ନେଇ ବଞ୍ଚୁଥିବା ମଣିଷର ଅପକର୍ମକୁ ପାଶବିକ କହି ବିଚରା ପଶୁର ଅପମାନ କରା ନଯାଉ ।

ରେବତୀ ଗପକୁ ଶହେ ବର୍ଷ ପୂରିଛି, ଦେଢ଼ଶହ ବର୍ଷ ବି ପୂରିବ । କିନ୍ତୁ ଏ ରାଜ୍ୟର ହଜାର ହଜାର ରେବତୀମାନଙ୍କ ଭାଗ୍ୟ କେତେଦିନ ପର୍ଯ୍ୟନ୍ତ ଏମିତି ପଥର ତଳେ ଚାପି ହୋଇ ରହିଥିବ କିଏ ଜାଣେ ?

ସମ୍ବାଦ, ୨୭ ଏପ୍ରିଲ୍‌, ୨୦୦୦

Image

 

କବି ହଳଧର, ‘ବାଟୁଆ ବାସ୍‌’ ଓ ଗର୍ଭଣା ଗାଁ

 

ବରଗଡ଼ରୁ ପଦ୍ମପୁର ଯିବା ବାଟରେ, ସୋହେଲୀଠାରୁ ମାତ୍ର ସତର କିଲୋମିଟର ଯିବା ପରେ ପଡ଼େ ଘେଁସ । ଏ ସ୍ଥାନଟିର ନାଁ ସ୍ୱାଧୀନତା ସଂଗ୍ରାମର ଇତିହାସରେ ସମ୍ମାନଜନକ ଭାବେ ଉତ୍କୀର୍ଣ୍ଣ । ଏବେ କିନ୍ତୁ ଆଉ ଦୁଇଟି କାରଣ ପାଇଁ ଘେଁସ ଓଡ଼ିଶାର ସମସାମୟିକ ଇତିହାସରେ ବିରଳ ମର୍ଯାଦା ଦାବି କରୁଛି । ପ୍ରଥମ କାରଣ ଲୋକକବି ହଳଧର ନାଗ । କବି ହଳଧର ପଶ୍ଚିମ ଓଡ଼ିଶାରେ ଯେଉଁଭଳି ପରିଚିତ, ଅବଶିଷ୍ଟ ଓଡ଼ିଶାରେ ଅବଶ୍ୟ ସେଭଳି ପରିଚିତ ନୁହଁନ୍ତି । ଆର୍ଥିକ ଦୁସ୍ଥିତି ଯୋଗୁଁ ଏହି ଅସାଧାରଣ ବ୍ୟକ୍ତି ଜଣକ ଦାରିଦ୍ର୍ୟ ଭିତରେ କାଳ କାଟନ୍ତି । ସେଦିନ ପୌଷର ପାଉଁଶିଆ ଅପରାହ୍ନରେ ଅନାକର୍ଷଣୀୟ ବେଶଭୂଷା ଓ ଦୁର୍ବଳ ଚେହେରାର ଏଇ କବି ଜଣକ ବିମର୍ଷ ଦିଶୁଥିଲେ । ମାତ୍ର କବିତା ଓ ସାହିତ୍ୟ କଥା ଆଲୋଚନା ହେବାକ୍ଷଣି ତାଙ୍କର ସେ ବିମର୍ଷ ଭାବ ତୁଟିଗଲା ।

 

କବି ହଳଧର ଏକ ଜୀବନ୍ତ କିମ୍ବଦନ୍ତୀ । ଗପ ଉପନ୍ୟାସ କି ପରୀ କାହାଣୀରେ ଆମେ ଯେମିତି ସବୁ କାହାଣୀ ପଢ଼ିଥାଉ, ତାଙ୍କର ଜୀବନ ସେହିପରି ଏକ କାହାଣୀ । ୧୯୫୦ରେ ତାଙ୍କର ଜନ୍ମ, ଅତି ଦରିଦ୍ର ପରିବାରରେ । ହଳଧର ଦଶବର୍ଷର ହୋଇଥିବାବେଳେ ବାପା-ମା’ ମରିଗଲେ । ତୃତୀୟ ଶ୍ରେଣୀରୁ ପାଠପଢ଼ା ବନ୍ଦ । ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଅନାଥ ହଳଧର ଆସି ଗୋଟେ ହାଇସ୍କୁଲ୍‌ ହଷ୍ଟେଲ୍‌ର ରୋଷେଇଆଙ୍କୁ ବାସନମଜା କାମରେ ସାହାଯ୍ୟ କରନ୍ତି । ହାଇସ୍କୁଲ୍‌ର ପିଲାମାନେ କବିତା ପଢ଼ିଲାବେଳେ କିଶୋର ହଳଧର ତାହାର ପଙ୍‌କ୍ତି ଓ ଶବ୍ଦଗୁଡ଼ିକ ମନଦେଇ ଶୁଣନ୍ତି । ପିଲାମାନଙ୍କର ‘କବିତା ପ୍ରବେଶ’ ବହି ଏବଂ ବିଶେଷକରି କବି ବିନୋଦ ନାୟକଙ୍କର ‘ଗ୍ରାମପଥ’ କବିତାଟି ତାଙ୍କୁ ଉଦ୍‌ବୁଦ୍ଧ କରେ । ଷୋଳ ବର୍ଷ କାଳ ସେଇ ହଷ୍ଟେଲର ସେବା କଲାପରେ ଛବିଶ ବର୍ଷ ବୟସରେ ହଳଧର କିଛି ଟଙ୍କା ଋଣ କରି ଚଣା, ଚିନାବାଦାମ ବିକା ବେଉସା ଆରମ୍ଭ କରନ୍ତି ଓ ସମୟ ପାଇଲେ କବିତା ଲେଖନ୍ତି । ଧୀରେ ଧୀରେ ତାଙ୍କର ପ୍ରତିଷ୍ଠା ବଢ଼େ ଓ ଦରିଦ୍ର କବିଙ୍କୁ ଗୋଟିଏ ଏକର ଜମି ଲିଜ୍‌ରେ ମିଳେ । ସେଇଥିରେ ଚାଷବାସ କରି କବି ନିଜର ତିନି ପରାଣୀ କୁଟୁମ୍ବ ପାଳନ୍ତି ।

 

କବି ହଳଧର ସମ୍ବଲପୁରୀ-କୋଶଳୀ ଭାଷାରେ କବିତା ଲେଖନ୍ତି । ଗଙ୍ଗାଧର ମେହେରଙ୍କ ପରି ଓଡ଼ିଆ ଭାଷାରେ କାହିଁକି ଆପଣ ଲେଖିଲେ ନାହିଁ ବୋଲି ଥରେ ତାଙ୍କୁ ପଚରା ହୋଇଥିଲା । ସରଳ ଭାବେ ସେ କହିଥିଲେ, ମୁଁ ଯେଉଁ ଭାଷା ଜାଣିଥିଲି ସେଇ ଭାଷାରେ କବିତା ଲେଖିଲି । ଇତିମଧ୍ୟରେ ସେ ଅଜସ୍ର କବିତା ଲେଖିଛନ୍ତି । ତେବେ ତାଙ୍କର ବଡ଼ ବୈଶିଷ୍ଟ୍ୟ ହେଲା ଅସାଧାରଣ ସ୍ମୃତିଶକ୍ତି । ସେ କେତେକ କାବ୍ୟ ପୁସ୍ତକକୁ ସଂପୂର୍ଣ୍ଣ ମନେରଖିପାରନ୍ତି ଏବଂ ଆଠରୁ ଦଶଘଣ୍ଟା ପର୍ଯ୍ୟନ୍ତ ସ୍ମୃତିରୁ ତାହା ଉଦ୍ଧାର କରି ଆବୃତ୍ତି କରିପାରନ୍ତି । ଗଙ୍ଗାଧର ମେହେରଙ୍କୁ ଜନ୍ମ ଦେଇଥିବା ବରଗଡ଼ ମାଟି କବି ହଳଧରଙ୍କ ପାଇଁ ଆଜି ଗର୍ବ କରେ । ତେବେ କବି ହଳଧର କେବଳ ବରଗଡ଼ ନୁହେଁ, ସମଗ୍ର ଓଡ଼ିଶାର ଗୌରବ । ମାତ୍ର ସେ ଯେଉଁ ଦୁସ୍ଥିତି ଭିତରେ କାଳାତିପାତ କରୁଛନ୍ତି ତାହା ଦେଖି କଷ୍ଟ ଲାଗିଲା ।

 

ସେଇ ଘେଁସରେ ନୂଆ କଥାଟିଏ ଦେଖିବାକୁ ମିଳିଲା । ଏଠି ‘ବାଟୁଆ ବାସ୍‌’ ନାମରେ ଗୋଟେ ପଥପ୍ରାନ୍ତ ପତ୍ରିକା ପତ୍ରିଦିନ ପ୍ରକାଶ ପାଉଛି । ‘ବାଟୁଆ ବାସ୍‌’ର ଅର୍ଥ ହେଲା ‘ବାଟୋଇ ସୁବାସ’ । ରାସ୍ତା କଡ଼ରେ ସିମେଣ୍ଟ ତିଆରି ଗୋଟେ ସାଇନବୋର୍ଡ ପୋତା ଯାଇଛି । ପ୍ରତିଦିନ ସେଇ ବୋର୍ଡ୍‌ର ଦି’ ପଟେ ଦି’ ଧାଡ଼ି କବିତା ଲେଖିଦିଆଯାଏ । ଗତ ୬ ବର୍ଷ ହେଲା ପ୍ରତିଦିନ ଏଇ ବ୍ୟବସ୍ଥା ଚାଲିଛି । ଗତ ୧୭ ତାରିଖରେ ଏଇ ସିଲଟରେ ଲେଖାଥିବା ଧାଡ଼ିଟି ହେଲା ‘‘ଚାଲ୍‌ନି ବଲୁଛେ ସୁଜିକେ ତୋର୍‌ ପଛଆଡ଼େଁ ଗୁଁଟେ କନ୍‌ହା, ତା’ର ପଛଆଡ଼େ କେତେ ଯେ କନ୍‌ହା ତାହାକେ ନାଇଁ ନା ଜନା ।’ ଏ ଧାଡ଼ିଯୋଡ଼ିକ ଲେଖିଥିଲେ ସୌରାଜ ପ୍ରଧାନ । ଏହି ପଥପ୍ରାନ୍ତ ପତ୍ରିକାଟିର ସଂପାଦକ ହେଲେ ଅଧ୍ୟାପକ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ । ତାଙ୍କ ଦ୍ୱାରା ଉଦ୍‌ବୁଦ୍ଧ କିଛି ଲେଖକ ଗତ ଛଅ ବର୍ଷ ହେଲା ଏଇ ପରଂପରାକୁ ଚଳେଇ ଆସିଛନ୍ତି । ପ୍ରତି ସଂଧ୍ୟାରେ ଚକ୍‌ରେ ଲେଖା ପୁରୁଣା ପାଠ ଲିଭେଇ ଦିଆଯାଇ ତା ଜାଗାରେ ନୂଆ ପାଠ ଲେଖି ଦିଆଯାଏ । ଆସନ୍ତା ଜାନୁଆରି ୨୫ରେ ଏହି ପତ୍ରିକାକୁ ଛଅବର୍ଷ ପୂରି ସାତବର୍ଷ ଚାଲିବ । ଏପରି ଏକ ପରିକଳ୍ପନା ଆପଣଙ୍କ ମନକୁ କେମିତି ଓ କାହିଁକି ଆସିଲା ବୋଲି ଏହି ଲେଖକ ‘ବାଟୁଆ ବାସ୍‌’ର ସଂପାଦକ ଅଧ୍ୟାପକ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀଙ୍କୁ ପଚାରିଥିଲା । ଶ୍ରୀ ପାଣିଗ୍ରାହୀ ଘେଁସ କଲେଜର ଅଧ୍ୟାପକ-। ସେ କହିଲେ, ‘‘ଜଣେ ଅଧ୍ୟାପକ ଭାବେ ମୁଁ ଅନୁଭବ କରିଛି ଯେ ଆଜିକାଲି କେହି ଲାଇବ୍ରେରୀ ଯାଇ ବହି ପଢ଼ୁନାହାନ୍ତି । ତେଣୁ ଆମେ ଏ ବ୍ୟବସ୍ଥା କଲୁ । ସାହିତ୍ୟ ଯଦି ସମାଜର ବୃହତ୍ତର ବର୍ଗ ପାଖେ ନ ପହଞ୍ଚିଲା ତାହାହେଲେ ଲାଭ ନାହିଁ ।’ ‘ବାଟୁଆ ବାସ୍‌’ ଦିଇଟି କାମ କରିଛି-। ପ୍ରଥମ ହେଲା ସାହିତ୍ୟ ପ୍ରତି ଶ୍ରଦ୍ଧା ସୃଷ୍ଟି । ଆଜିକାଲି ଘେଁସ ଦେଇ ଯାଆସ କରୁଥିବା ବସ୍‌ ଯାତ୍ରୀମାନେ ସୁଦ୍ଧା ଓହ୍ଲେଇ ପଡ଼ି ଆଜି କ’ଣ ଲେଖାଯାଇଛି ତାହା ପଢୁଛନ୍ତି । ଦ୍ୱିତୀୟ କଥା, ଏହି ପତ୍ରିକା ମାଧ୍ୟମରେ ସ୍ଥାନୀୟ ସାଧାରଣ ଲୋକଙ୍କ ଭିତରେ ଥିବା ସୃଜନଶୀଳ ପ୍ରତିଭା ପ୍ରକାଶ ପାଇପାରୁଛି । ଖବର ମିଳିଲା ଏହି ଅଞ୍ଚଳର ଜଣେ ଇଟା ଶ୍ରମିକ ମଧ୍ୟ ଥରେ ଏହି ପତ୍ରିକା ଲାଗି କବିତାଟିଏ ଲେଖିଥିଲେ ଓ ସମ୍ପାଦକ ତାହାକୁ ଗ୍ରହଣ କରି ଏଥିରେ ତାହାକୁ ସ୍ଥାନ ଦେଇଥିଲେ । ବରଗଡ଼ ତା’ର ଧନୁଯାତ୍ରା ଲାଗି ପ୍ରସିଦ୍ଧ । ତା’ର ବଡ଼ ଉପଲବ୍‌ଧି ହେଉଛି ବାସ୍ତବତା ସହ କଳ୍ପନାର ଚମତ୍କାର ସମନ୍ୱୟ । ‘ବାଟୁଆ ବାସ୍‌’ର ଉପଲବ୍ଧି ହେଲା, ସାହିତ୍ୟ ପାଇଁ ସାଧାରଣ ଲୋକଙ୍କ ସ୍ୱୀକୃତି ସଂଗ୍ରହ । ଯଦି କୌଣସି ସାହିତ୍ୟ ଜନଗଣର ମନକୁ ସ୍ପର୍ଶ କରିପାରିଲା, ତାହାହେଲେ ତାହା ସାମାଜିକ ଆନ୍ଦୋଳନ ଆଣିପାରିବ । ଅଧ୍ୟାପକ ପାଣିଗ୍ରାହୀ ଏବଂ ତାଙ୍କର ସହଯୋଗୀମାନେ ଖରା, ବର୍ଷା, ଶୀତ, ବସନ୍ତ ସତ୍ତ୍ୱେ ପ୍ରତି ସନ୍ଧ୍ୟାରେ ଏହି ଉଦ୍ୟମ ଜାରି ରଖିଛନ୍ତି ଏବଂ ସବୁଯାକ କବିତାକୁ ମିଶେଇ ବର୍ଷ ଶେଷକୁ ଖଣ୍ଡିଏ ବହି ଆକାରରେ ସେଗୁଡ଼ିକ ପ୍ରକାଶ କରୁଛନ୍ତି ।

 

ଘେଁସଠାରୁ ଅଳ୍ପ ଦୂରରେ ଗର୍ଭଣା ଗାଁ । ଏହି ପ୍ରାଚୀନ ଗାଁକୁ ନେଇ ଗୋଟିଏ କିମ୍ବଦନ୍ତୀ ରହିଛି । କେତେକ କହନ୍ତି ଗୁଡ଼ଭଣା ଶବ୍ଦଟି ଅପଭ୍ରଂଶ ହୋଇ ଗର୍ଭଣା ହୋଇଛି । ବ୍ରିଟିଶ୍‌ ଶାସନକାଳରେ ଜଣେ ନିର୍ଦୟ ପୁଲିସ୍‌ ଅଫିସରଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଗ୍ରାମବାସୀମାନେ ତାଙ୍କୁ ଗୁଡ଼ ରନ୍ଧା ଯାଉଥିବା ତତଲା ଭାଣ୍ଡରେ ପକେଇ ହତ୍ୟା କରିଥିଲେ । ଏହି ହତ୍ୟାକୁ ସେମାନେ ଅପରାଧ ନଭାବି ଦୋଷୀ ପାଇଁ ଉପଯୁକ୍ତ ଶାସ୍ତି ବୋଲି ବୁଝିଥିଲେ ଏବଂ କଥାଟା ଯେମିତି ଗାଁରୁ ପଦାକୁ ନଯାଏ ସେଥିପାଇଁ ସମସ୍ତେ ସଂକଳ୍ପ କରିଥିଲେ । ତେବେ ଏଇ ଗାଁର ଗ୍ରାମବାସୀମାନେ ଏଭଳି କିମ୍ବଦନ୍ତୀର ଗୌରବ ସହ ବର୍ଷେ ହେଲା ଆଉ ଏକ ବାସ୍ତବ ଓ ବିରଳ ଉପଲବ୍‌ଧିର ଗୌରବ ଅର୍ଜନ କରିପାରିଛନ୍ତି । ଗାଁଟି ଗତ ୧୭ ତାରିଖରେ ଓଡ଼ିଶାର ଏକମାତ୍ର ମଦମୁକ୍ତ ଗାଁ ଭାବେ ତା’ର ପ୍ରଥମ ବାର୍ଷିକୀ ପାଳନ କରିଛି । ୨୦୦୮ ଡିସେମ୍ବର ୧୭ ତାରିଖରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଗ୍ରାମବାସୀମାନେ ନିଜ ନିଜର ଉପଲବ୍‌ଧି ବର୍ଣ୍ଣନା କଲାବେଳେ ଏଇ ଲେଖକ ସେସବୁ ଶୁଣି ବାସ୍ତବରେ ବିସ୍ମିତ ହୋଇଥିଲା । ଗାଁ ପାଖଦେଇ ଜାତୀୟ ରାଜପଥ ଯାଇଛି ଏବଂ ଆଖପାଖରେ ଏକାଧିକ ଦେଶୀ-ବିଦେଶୀ ମଦ ଦୋକାନ ରହିଛି । ସେଇ ଦୋକାନରୁ ନିଶା ଖାଇ ଗାଁର ଗରିବ ଲୋକମାନେ ସର୍ବସ୍ୱାନ୍ତ ହେଉଥିଲେ । ଗାଁ ଭିତରେ ମଦର ସୁଅ ଛୁଟୁଥିଲା । ପରିବାରରେ ଅଶାନ୍ତି ବଢୁଥିଲା । ଏସବୁ ଦେଖି ଦେଖି କିଛି ଯୁବକ ଏକାଠି ହେଲେ ଏବଂ ଗାଁକୁ ମଦମୁକ୍ତ କରିବା ପାଇଁ ସଂକଳ୍ପ ନେଲେ । ମାତ୍ର ରାଜସ୍ୱ ବୃଦ୍ଧି ପାଇଁ ମଦ ଦୋକାନର ସଂଖ୍ୟା ବଢ଼େଇବା ଯେଉଁଠି ରାଜ୍ୟ ସରକାରଙ୍କ ଯୋଜନାର ଅଂଶବିଶେଷ, ସେଠି ଏଭଳି ଗୋଟିଏ ଗ୍ରାମର କିଛି ଗ୍ରାମବାସୀଙ୍କ ଯୋଜନା କ’ଣ ସତରେ ସଫଳ ହେବ ?

 

ଏଇ ପ୍ରକାର ସଂଶୟ ସେଦିନ ସଭାରେ ଯୋଗଦେଇଥିବା ଦୁଇଜଣ ବିଶିଷ୍ଟ ଅତିଥିଙ୍କ ବକ୍ତୃତାରେ ପ୍ରକାଶ ପାଇଥିଲା । ତେବେ ଏଇ ଉଦ୍ୟମର ସଫଳତା ଅପେକ୍ଷା, ଏଭଳି କାର୍ଯ୍ୟଟିଏ କରିବା ଲାଗି ଗ୍ରାମର ଜନସାଧାରଣଙ୍କ ଆଗ୍ରହ ଏବଂ ସଂକଳ୍ପ ଗୁରୁତ୍ୱପୂର୍ଣ୍ଣ । ଏକଦା ଦେଶକୁ ସ୍ୱାଧୀନ କରିବା ପାଇଁ ଯେଉଁ ବ୍ୟକ୍ତିମାନେ ଅଣ୍ଟା ଭିଡୁଥିଲେ, ସେମାନଙ୍କର ସବୁଠାରୁ ବଡ଼ ଯୋଗ୍ୟତା ଶିକ୍ଷାର ସ୍ତର ବା ଧନସଂପଦର ପରିମାଣରେ ମପାଯାଉ ନଥିଲା । ସର୍ବପ୍ରଥମ ଯୋଗ୍ୟତା ଥିଲା ଦେଶପ୍ରେମ । ଦେଶ ସ୍ୱାଧୀନ ହେବାକ୍ଷଣି ଏଇ ସ୍ୱେଚ୍ଛାସେବୀ ଦେଶପ୍ରେମୀମାନେ ବେକାର ହୋଇପଡ଼ିଲେ । କାରଣ ତା’ପରେ କେହି ଦେଶପ୍ରେମୀ ସ୍ୱେଚ୍ଛାସେବୀ ଯଦି ଯାଇ ଅଭିଯୋଗ କଲା ଯେ ସ୍କୁଲ୍‌ରେ ଶିକ୍ଷକ ନାହାନ୍ତି କି ଅମୁକ ରାସ୍ତା ଖରାପ ହେଲାଣି, ତାହାହେଲେ ନୂଆ ଭାରତର ସରକାରୀ ଅଫିସରମାନେ କହିଲେ, ଏ କଥା ଚିନ୍ତା କରିବାଲାଗି ଶିକ୍ଷା ବିଭାଗ ଅଛି ଓ ପୂର୍ତ ବିଭାଗ ଅଛି । ତୁମେ କାହିଁକି ସେଥିରେ ମୁଣ୍ଡ ଖେଳଉଛ ? ନିଜ ଜୀବନ ଯୌବନକୁ ତୁଚ୍ଛ କରି ଦେଶପାଇଁ ଲଢ଼ିଥିବା ଏଇ ମଣିଷମାନେ ସ୍ୱାଧୀନ ଭାରତରେ ଅଦରକାରୀ ହୋଇପଡ଼ିଲେ । ସେଇଠୁ ଗୋଟେ ବିଶ୍ୱାସ ଜନ୍ମ ହେଲା, ଦେଶର କାମ ବୁଝିବା ଦାୟିତ୍ୱ ଖାଲି ସରକାରଙ୍କର । ସରକାରୀ ଅଫିସରମାନେ ଏକଥା ବୁଝିବେ । ତା’ପରେ ଦେଶପାଇଁ ‘ଅଯଥା’ ଚିନ୍ତା କରୁଥିବା ଲୋକଙ୍କୁ କୁହାଗଲା ପାଗଳ, ନ ହେଲେ ଇଏ ବେଶି ‘ରାଜନୀତି’ କରୁଛି । ‘ରାଜନୀତି’ର ଅର୍ଥ କ୍ରମେ ହୋଇପଡ଼ିଲା ‘ଅନଧିକାର ଚର୍ଚ୍ଚା’ କିଂବା ‘ଟାଉଟରି’ । ଏକଦା ସବୁ ପ୍ରକାର ଯୋଗ୍ୟତା ଥିବା ଲୋକ ସବୁ ସୁଯୋଗ ଛାଡ଼ି ରାଜନୀତିକୁ ଆସୁଥିଲେ । କ୍ରମେ, କୁଆଡ଼କୁ ଯୋଗ୍ୟ ହେଉ ନଥିବା ଲୋକମାନେ ହେଲେ ରାଜନୀତିର ମୁଖ୍ୟ ମଣିଷ । ଦେଶ କଥା ସେଇ ପ୍ରକାର ମଣିଷ, ନ ହେଲେ ସରକାରୀ କର୍ମଚାରୀ ଚିନ୍ତା କରିବେ, ଆଉ କେହି ନୁହେଁ । ଆଜି ସାରା ଦେଶରେ ଏଇପ୍ରକାର ଭାବନା । ଯେଉଁମାନେ ନିଜ ଘର, ନିଜ ପରିବାର, ନିଜ କ୍ୟାରିୟର ଓ ନିଜ ସଂପର୍କୀୟମାନଙ୍କୁ ନେଇ ନିର୍ମିତ ସୀମିତି ପରିଧି ଭିତରେ ବୁଲୁଛନ୍ତି, ସେମାନେ ଯୋଗ୍ୟ, ବୁଦ୍ଧିମାନ । ଯେଉଁମାନେ ଏହା ବାହାରେ କିଛି ଚିନ୍ତା କରୁଛନ୍ତି, ସେମାନେ ପାଗଳ ! ଏଭଳି ମାନସିକତାର ପୃଷ୍ଠଭୂମିରେ ଗର୍ଭଣା ଗାଁ ଏକ ବିରଳ ଉପଲବ୍‌ଧି । ମଦମୁକ୍ତି ଅଭିଯାନ ସଫଳ ହେବ କି ନହେବ ତାହା ସମୟ କହିବ । ମାତ୍ର ସମାଜର କାମ କରିବା ପାଇଁ ଯୁବ ସମାଜର ଆଗ୍ରହକୁ ସର୍ବସାଧାରଣ ଓ ବୁଦ୍ଧିଜୀବୀ ଏପରିକି ସ୍ଥାନୀୟ ପୁଲିସ୍‌ ମଧ୍ୟ ସମର୍ଥନ କରୁଛି, ଏହା ଊଣା ସଫଳତାର କାହାଣୀ ନୁହେଁ ।

 

ସେଦିନ ଘେଁସ ଓ ଗର୍ଭଣାରୁ ଫେରିବା ବାଟରେ ଆକାଶର ନକ୍ଷତ୍ରମାନେ ଉଜ୍ଜ୍ୱଳ ଦିଶୁଥିଲେ । ଉତ୍କଟ ଦାରିଦ୍ର୍ୟ ଓ ପ୍ରତିକୂଳ ପରିବେଶ ଭିତରେ କବି ହଳଧରଙ୍କ କବିତ୍ୱ, ଆନୁଷ୍ଠାନିକ ଭିତ୍ତିଭୂମି ଅଭାବ ସତ୍ତ୍ୱେ ‘ବାଟୁଆ ବାସ୍‌’ର ସଫଳତା ଏବଂ ସ୍ରୋତର ପ୍ରତିକୂଳରେ ଗର୍ଭଣା ଗ୍ରାମବାସୀଙ୍କ ମଦମୁକ୍ତି ଆନ୍ଦୋଳନର ଅଗ୍ରଗତି ଏଇ ଲେଖକର ମନ ଭିତରେ କେତୋଟି ଆଶାର ରେଖା ଟାଣି ଦେଉଥିଲା ।

 

ସମ୍ବାଦ, ୩୦ ଡିସେମ୍ବର, ୨୦୦୮

Image

 

ଖବରକାଗଜରେ ଖବର କାହିଁ

 

ସେଦିନ ଜଣେ ବୟସ୍କ ଭଦ୍ରବ୍ୟକ୍ତି ଏହି ଲେଖକ କାମ କରୁଥିବା ଖବରକାଗଜ ଅଫିସ୍‌କୁ ଆସିଥିଲେ । ସେ ଅତୀତରେ ଜଣେ ବିଧାୟକ ଥିଲେ । ଆସୁ ଆସୁ ପ୍ରଶ୍ନ କଲେ, ‘ଆଜିକାଲି ଖବରକାଗଜରେ ଖବର କାହିଁ ?’ ତା’ପରେ ଯୋଡ଼ିଲେ, ‘ତେବେ ଆପଣ ମାନେ ଟି.ଭି. ବାଲାଙ୍କ ଠାରୁ ଭାଗ୍ୟବାନ ।’ ଭଦ୍ରଲୋକ ଭୁଲ୍‌ କହୁ ନଥିଲେ । କାରଣ ଗତ ମାସକ ଭିତରେ ଅନେକ ଟି.ଭି. ଦର୍ଶକ ନିଜ ନିଜର ଟି.ଭି. ସେଟ୍‌ରୁ ନଜର ହଟେଇ ଖବରକାଗଜ ପାଖକୁ ଫେରିଥିବା ମୁଁ ନିଜ ଅନୁଭୂତିରୁ ଜାଣିଛି । ତାର କାରଣ ହେଉଛି, ବିଶ୍ୱକପ୍‌ କ୍ରିକେଟ୍‌ରେ ଭାରତର ଶୋଚନୀୟ ପ୍ରଦର୍ଶନ ପରେ ଆଉ ସେ ମ୍ୟାଚ୍‌ ଦେଖିବା ଲାଗି ପୂର୍ବର ଆଗ୍ରହ ରହିଲା ନାହିଁ । ମାତ୍ର ଟି.ଭି. ଚ୍ୟାନେଲ୍‌ ଗୁଡ଼ିକ ପୂର୍ବପରି ମ୍ୟାଚ୍‌ ସମ୍ବନ୍ଧରେ ଚର୍ଚ୍ଚା ଜାରି ରଖିଲେ । କାହିଁକି ଭାରତ ହାରିଲା, ଏଥିପାଇଁ ଚାପେଲ କେତେ ଦାୟୀ ଓ କେତେ ଦାୟୀ ତେନ୍ଦୁଲକର ବା ସୌରଭ ଗାଙ୍ଗୁଲି, ସେ ବିଷୟରେ ଦିନ ରାତି ଚର୍ଚ୍ଚା ଚାଲିଲା । ଅନ୍ୟ ସମୟ ହୋଇଥିଲେ ହୁଏତ ଏଗୁଡ଼ିକ ଲୋକଙ୍କୁ ଭଲ ଲାଗି ଥାଆନ୍ତା । ମାତ୍ର ମଲା ପୁଅର ଗଳା ମାପି ଲାଭ କ’ଣ ? ତା’ପରେ ଆସିଲା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କ ସହ ଐଶ୍ଚର୍ଯ୍ୟା ରାୟଙ୍କ ବାହାଘର । କନ୍ୟାଦେଖା ଠାରୁ ନିର୍ବନ୍ଧ ଓ ଶେଷରେ ବାହାଘର ପର୍ଯ୍ୟନ୍ତ ସେ ଦୃଶ୍ୟ ଲୋକଙ୍କୁ ଏମିତି ଦେଖାଇ ଦିଆଗଲା ଯେ ନିଜ ସମ୍ପର୍କୀୟଙ୍କ ବାହାଘରର ଦୃଶ୍ୟ ସୁଦ୍ଧା ସେମିତି ବିଶଦ ଭାବେ ଜଣେ ଦେଖି ନଥିବେ । ତା’ପରେ ଶିଳ୍ପା ସେଟ୍ଟୀଙ୍କୁ ହଲିଉଡ୍‌ ଅଭିନେତା ରିଚାର୍ଡ ଗେରେ ମଞ୍ଚ ଉପରେ ଘନ ଘନ ଗାଢ଼ ଚୁମ୍ବନ ଦେବାର ଦୃଶ୍ୟ । ସେ ସନ୍ଧ୍ୟା ସାରା ଏହା ହିଁ ଚର୍ଚ୍ଚା ଚାଲିଲା । ଖବରକାଗଜ ଗୁଡ଼ିକ ଯେ ଏସବୁ ଘଟନାର ଖବର ପ୍ରସାର ଦିଗରେ ପଛରେ ଥିଲେ ତା ନୁହେଁ, ମାତ୍ର ଖବରକାଗଜ ପଢୁଥିବା ଲୋକର କିଛି ସୁବିଧା ଥାଏ । ସେ ଚାହିଁଲେ ଗୋଟିଏ ଖବରକୁ ଏଡ଼ାଇ ଯାଇପାରେ । ମାତ୍ର ଟି.ଭି. ଦର୍ଶକ କରିବ କ’ଣ ? ତାକୁ ଯାହା ଦେଖିବାକୁ ଦିଆଯିବ, ସେ ସେହିକଥା ହିଁ ଦେଖିବ । ଖବରକାଗଜ ପାଠକ ପରି ପୃଷ୍ଠା ଆଡ଼େଇ ଯିବାର ସ୍ୱାଧୀନତା ତା’ର ନାହିଁ । ଭଦ୍ର ଲୋକଙ୍କର ଏ ପ୍ରକାର ଅଭିଯୋଗର ନିଶ୍ଚୟ କିଛି ସତ୍ୟତା ଅଛି । ଭାରତର ସବୁଠାରୁ ବଡ଼ କାଗଜର ଗୋଟିଏ ମାସର ପ୍ରଥମ ପୃଷ୍ଠାରେ ଖବର ଦେଖନ୍ତୁ । କ୍ରିକେଟ୍‌ ଖେଳାଳି ମାନେ ମଡେଲିଂ କରିବେ ନା ନାହିଁ, ଜିନ୍‌ ପ୍ୟାଣ୍ଟ ପିନ୍ଧିଲେ ପୌରୁଷ ହାନି ଘଟିବ କି ନାହିଁ, ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କ ବାହାଘରରେ ସଲମାନ୍‌ ଯୋଗ ଦେବେ ନା ନାହିଁ ଇତ୍ୟାଦି ଖବର ପ୍ରଥମ ପୃଷ୍ଠାରେ ବଡ଼ ବଡ଼ ଆକାରରେ ସ୍ଥାନ ପାଇଛି । ଏହା ଗୋଟିଏ କଥା ପ୍ରମାଣ କରୁଛି ଯେ ବଡ଼ ବଡ଼ ଖବରକାଗଜ ଗୁଡ଼ିକ ଆଉ ଦାରିଦ୍ର୍ୟ, ବେକାରି ସମସ୍ୟା, ପାଣି-ବିଜୁଳି-ସଡ଼କ ସମସ୍ୟାକୁ ବଡ଼ ଖବର ବୋଲି ଭାବୁ ନାହାନ୍ତି ବା ସେମାନେ ଭାବୁଛନ୍ତି ଯେ ତାଙ୍କର ପାଠକ ପାଠିକା ସେଭଳି ଖବର ପଢ଼ିବେ ନାହିଁ । ତେଣୁ ସେମାନେ ମନୋରଂଜନକୁ ବଡ଼ ଖବର ଭାବୁଛନ୍ତି । କାରଣ ମନୋରଂଜନ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥାମାନେ ଖବରକାଗଜକୁ କୋଟି କୋଟି ଟଙ୍କାର ବିଜ୍ଞାପନ ଦିଅନ୍ତି । ଗରିବ ଓ ବେକାର ମଣିଷ ଖୁବ୍‌ ବେଶିରେ ସେହି କାଗଜ ଖଣ୍ଡିଏ କିଣି ପଢ଼ିବ । ତାହା ଠାରୁ ଅଧିକ ସେ କିଛି କରି ପାରିବ ନାହିଁ । ତେଣୁ ମିଡିଆର କାମ ଖବର ଦେବା, ବୁଦ୍ଧିଦୀପ୍ତ କରିବା ଓ ମନୋରଂଜନ ଯୋଗାଇବାରୁ ଦୂରେଇ ଯାଇ କେବଳ ଶେଷ କଥାଟି ପାଖରେ ପହଞ୍ଚିଲାଣି ।

 

ସମୟ ଯେତିକି ଯେତିକି ବଦଳୁଛି ପରିସ୍ଥିତିର ଚିତ୍ର ମଧ୍ୟ ସେତିକି ସେତିକି ବଦଳି ଯାଉଛି । ଗୋଟିଏ ସମୟ ଥିଲା ଯେତେବେଳେ ସାମ୍ବାଦିକ ମାନେ ବଡ଼ ଖବର ପାଖକୁ ଯାଉଥିଲେ-। ମାତ୍ର ଆଜି ବଡ଼ ବଡ଼ ସାମ୍ବାଦିକ ମାନେ ଆଶା କରୁଛନ୍ତି ଯେ ଖବର ସେମାନଙ୍କୁ ପାଖକୁ ଆସୁ । ଆସୁଛି ମଧ୍ୟ । ତେବେ ସେସବୁ ଖବର ବଡ଼ ବଡ଼ କମ୍ପାନି ଏବଂ ଶିଳ୍ପ ସଂସ୍ଥା ମାନଙ୍କର ପ୍ରଚାରଧର୍ମୀ ଖବର । ଏହି ସଂସ୍ଥା ଗୁଡ଼ିକ ଖବରକାଗଜକୁ ଲକ୍ଷ ଲକ୍ଷ ଟଙ୍କା ବିଜ୍ଞାପନ ଦେଇ ସେମାନଙ୍କୁ ଖୁସି ରଖିଥା’ନ୍ତି । ତାହାହେଲେ ସେମାନଙ୍କ କାରଖାନା ପାଇଁ ଶହ ଶହ ଲୋକଙ୍କୁ ବିସ୍ଥାପନ କଲେ ଅନ୍ତତଃ ସେ ଖବରଟି ଖବରକାଗଜର ପ୍ରଥମ ପୃଷ୍ଠାରେ ବାହାରିବ ନାହିଁ-। ଭାରତ ସରକାର ସୂଚନା ଅଧିକାର ଆଇନ ପାସ୍‌ କରେଇ ନେବା ପରେ କୁହାଗଲା ଯେ ଏହା ହେଉଛି ଭାରତର ଦ୍ୱିତୀୟ ସ୍ୱାଧୀନତା ଆନ୍ଦୋଳନ । ମାତ୍ର ଏବେ ଏସ.ଇ.ଜେଡ ବ୍ୟବସ୍ଥାକୁ ସାଧାରଣ ଲୋକେ ଦ୍ୱିତୀୟ ଉପନିବେଶବାଦ ବୋଲି କହିଲେଣି । ମାତ୍ର ଏକଥା କିଏ ଛାପିବ ? କଳିଙ୍ଗ ନଗର ବା ନନ୍ଦିଗ୍ରାମର ସାଧାରଣ ଲୋକଙ୍କର କେତେ ବା ସାମର୍ଥ୍ୟ ଅଛି ? ଏ ଦେଶର କମ୍ୟୁନିଷ୍ଟ ସରକାର ତ ପ୍ରମାଣ କରି ଦେଲେଣି ଯେ ଗୁଳି ଚଳାଇବା କ୍ଷେତ୍ରରେ ସେମାନେ ସୁଦ୍ଧା ଅନ୍ୟ ସରକାର ଠାରୁ ପଛରେ ନାହାନ୍ତି ।

 

ଭାରତବର୍ଷର ବର୍ତ୍ତମାନର ସ୍ଥିତି ଦେଖି ଅନେକ ବୁଦ୍ଧିଜୀବୀ କହିବାକୁ ଆରମ୍ଭ କଲେଣି ଯେ ଆଉ ପଚାଶ ବର୍ଷ ଭିତରେ ଏହି ଦେଶ ସଂପୂର୍ଣ୍ଣ ଭାବେ ପୁଞ୍ଜିପତିଙ୍କ ହାତକୁ ଚାଲିଯିବ । ପାର୍ଲାମେଣ୍ଟ, ବିଚାର ବ୍ୟବସ୍ଥା, ସରକାର ଏବଂ ଖବରକାଗଜ ସବୁ କେବଳ ଧନୀ ଲୋକଙ୍କ କଥା ବୁଝିବେ । ଗୁଳିକାଣ୍ଡ ହେଲେ ତଦନ୍ତ ହୁଏ ଏବଂ ସେ ତଦନ୍ତ ରିପୋର୍ଟ କିପରି ବିଧାନସଭାରେ ଉପସ୍ଥାପନ କରାଯାଏ ନାହିଁ ସେକଥା ଓଡ଼ିଶାର ସୋରଣ ଗୁଳିକାଣ୍ଡ ରିପୋର୍ଟ ଘଟନାରୁ ଜଣା ପଡୁଛି । ଏବେ ପୁଣି ସେହି ପ୍ରଶ୍ନକୁ ନେଇ ଲୋକେ ସୂଚନା କମିସନକୁ ଗଲେ ଲୋକଙ୍କ ମଙ୍ଗଳ ପାଇଁ ଗଠିତ ଦୁଇ ସାମ୍ବିଧାନିକ ସଂସ୍ଥା ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ଯେହେତୁ ବିଧାନସଭା ସେ ରିପୋର୍ଟ ଦେଖି ନାହିଁ ତେଣୁ ତାହା ସାଧାରଣ ଲୋକେ ଦେଖି ପାରିବେ ନାହିଁ ! ଅଥଚ କୁହାଯାଉଛି ନିର୍ବାଚିତ ପ୍ରତିନିଧିମାନେ ସାଧାରଣ ଲୋକଙ୍କ ପ୍ରତିନିଧି, ସେବକ !

 

ପୁଣି ପୂର୍ବ ପ୍ରସଙ୍ଗକୁ ଫେରି ଆସିବା । ସମ୍ବାଦପତ୍ର ଗୁଡ଼ିକ ଗୋଟିଏ ଗୋଟିଏ ଶିଳ୍ପ । ସେମାନେ ଲାଭ ନ କଲେ ଚଳି ପାରିବେ ନାହିଁ । ସେମିତି ସାମ୍ବାଦିକ ମାନେ ଜଣେ ଜଣେ ଘର ସଂସାର କରିଥିବା ଲୋକ । ସେମାନଙ୍କର ମଧ୍ୟ ଲୋଭ ଅଛି, ଭୟ ଅଛି । ସେମାନେ ମଧ୍ୟ ସ୍ୱଚ୍ଛନ୍ଦରେ ରହିବାକୁ ହକ୍‌ଦାର । ମାତ୍ର ତା ସତ୍ତ୍ୱେ ମନେ ରଖିବାକୁ ପଡ଼ିବ ଯେ ଲୋକ କାଗଜ କିଣନ୍ତି ବୋଲି କମ୍ପାନି ଗୁଡ଼ିକ ପୃଷ୍ଠପୋଷକତା ଦେବା ଲାଗି ଆଗେଇ ଆସନ୍ତି । ସେହିଭଳି କୋଟି କୋଟି ସାଧାରଣ ଲୋକ ଟି.ଭି. ଦେଖନ୍ତି ବୋଲି ସେଥିରେ ବିଭିନ୍ନ ବସ୍ତୁର ବିଜ୍ଞାପନ ପ୍ରଚାର ହୁଏ । ଏହି ଲୋକମାନେ ହେଉଛନ୍ତି ବଡ଼ ବଡ଼ କମ୍ପାନିର ବଜାର । ତେଣୁ ଦେଶର ମୁଖ୍ୟ ସମସ୍ୟାକୁ ବାଦ୍‌ ଦେଇ ଆମେ ଯଦି ଗୋଲାପୀ ପରଦା ଉହାଡ଼ରେ ରହିବା ତାହା ଆମର ଭୁଲ୍‌ ଭିନ୍ନ ଆଉ କିଛି ନୁହେଁ । ସରକାର କୋଟି କୋଟି ଟଙ୍କା ଖର୍ଚ କଲେ, ମାତ୍ର ତା ସତ୍ତ୍ୱେ ସମସ୍ତଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା ହେଲା ନାହିଁ । ବେକାର ଯୁବକ ଚାକିରି ପାଇଲା ନାହିଁ । ଗରିବ ଲୋକ ଅପମାନ ପାଇ ଦପ୍ତରରୁ ଫେରିଲା । କୋର୍ଟ କଚେରିର ଭାଷା ସେ ବୁଝି ପାରିଲା ନାହିଁ । ଯଦି ସେମିତି ହୋଇ ନ ଥାଆନ୍ତା ତା’ ହେଲେ ପ୍ରତି ଦିନ ହଜାର ହଜାର ନକ୍ସଲ ବା ମାଓବାଦୀ ସୃଷ୍ଟି ହୁଅନ୍ତେ ନାହିଁ । ଦେଶର ଅବସ୍ଥା ଏପରି ଜଣେ ଲୋକ ମାସକୁ ୯୦୦ ଟଙ୍କା ସୁଦ୍ଧା ରୋଜଗାର କରି ପାରୁ ନାହିଁ । ରୋଗ ବଇରାଗ ହେଲେ ସେ କରିବ କ’ଣ ? ଆଦିବାସୀ ଲୋକମାନଙ୍କୁ ହିସାବକୁ ନେଲେ ଏହି ହିସାବ ଆହୁରି ବିକଳ ଦିଶିବ । ଜମି ପାଖରେ ଜଳ ନାହିଁ । ତେଣୁ କ୍ଷେତରେ ଫଳ ନାହିଁ । ଗରିବ ଲୋକ ଇନ୍ଦିରା ଆବାସ ପାଉ ନାହାନ୍ତି । ସରକାରୀ ଡାକ୍ତରଖାନାକୁ ଆସୁଥିବା ଔଷଧପତ୍ର କୁଆଡ଼େ ଯାଉଛି କେହି ଜାଣନ୍ତି ନାହିଁ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ଗାଁ ସ୍କୁଲ୍‌ରେ ଶିକ୍ଷକ ନାହାନ୍ତି । ଯେତିକି ଭିଜିଲାନ୍‌ସ କେସ୍‌ ରୁଜୁ ହେଉଛି ତାଠାରୁ ଶହେ ଗୁଣ ଦୁର୍ନୀତି ବଢ଼ୁଛି । ସାଧାରଣ ମଣିଷ ଅଧିକରୁ ଅଧିକ ଭାଗ୍ୟବାଦୀ ହେଉଛନ୍ତି ଏବଂ କିଛି ଚାଲାକ ଲୋକ ସେମାନଙ୍କୁ ଧର୍ମ, ପ୍ରବଚନ ଏବଂ ପ୍ରାର୍ଥନା ନାମରେ ଭଣ୍ଡଉଛନ୍ତି । ଗରିବ ଲୋକ ଏଠି ମଧ୍ୟ ଅଣ୍ଟିରୁ ପଇସା ଗଣି ଗଣି ସର୍ବସ୍ୱାନ୍ତ ହେଉଛି । ଓଡ଼ିଶା କଥା ନିଅନ୍ତୁ । ଦାରିଦ୍ର୍ୟରେ ପ୍ରଥମ, ମ୍ୟାଲେରିଆରେ ପ୍ରଥମ, ସରକାରୀ ଟଙ୍କା ଖର୍ଚ କରି ନ ପାରିବାରେ ବି ଆମେ ପ୍ରଥମ ! ପରିଣତିକୁ ଦୃଷ୍ଟିରେ ନ ରଖି କେବଳ ଚୁକ୍ତିପତ୍ର ଦସ୍ତଖତ କରାଯାଉଛି । ତାଳଚେର ଓ ଅନୁଗୁଳରେ ଆଉରି ୧୧ଟି ତାପଜ ବିଦ୍ୟୁତ୍‌ କେନ୍ଦ୍ର ବସିବ ବୋଲି କୁହାଯାଉଛି । ବର୍ତ୍ତମାନର ପରିବେଶ ଅବସ୍ଥା ଯାହା ଲୋକେ ଏଠୁ ପଳାଇ ଯିବା ଲାଗି ବାହାରିଲେଣି । ଆଉ ଏଗାରଟି ତାପଜ ବିଦ୍ୟୁତ୍‌ କେନ୍ଦ୍ର ହେଲେ ଏଠାରେ ମଣିଷ ଓ ଗଛପତ୍ର ରହିବେ ତ ? ଆଜି ଯୋଡ଼ା, ବଡ଼ବିଲ ଅବସ୍ଥା ଯାହା ହେଇଛି ତାହା ଲୋକେ ଦେଖୁଛନ୍ତି । ସାରା ଓଡ଼ିଶାକୁ ସେଭଳି ଏକ ପୋଡ଼ାଭୂଇଁ କରି କି ପ୍ରଗତି ମିଳିବ ? ସେ ପ୍ରଗତି କାହା କାମରେ ଆସିବ-? ଖଣିରୁ ପଥର ସରିଗଲେ ଯେଉଁ କମ୍ପାନି ମାନେ ଆଜି ହସି ହସି ଆସୁଛନ୍ତି ସେମାନେ କିଏ କୁଆଡ଼େ ପଳେଇବେ । ବାହାଘର ଭୋଜି ପରଦିନ କଲ୍ୟାଣ ମଣ୍ଡପର ଅବସ୍ଥା ଯାହା ହୋଇଥାଏ ସେହି ଅବସ୍ଥା ଏ ରାଜ୍ୟର ହେବ । ଚାରିଆଡ଼େ ଟନ୍‌ଟନ୍‌ ପାଉଁଶ ଏବଂ ତା’ ଭିତରେ କଙ୍କାଳସାର ମଣିଷ ପଲେ ବୁଲୁଥିବେ । ତେଣୁ ବିକାଶର କେଉଁ ଖସଡ଼ା ଏ ରାଜ୍ୟରେ କାର୍ଯ୍ୟକାରୀ ହେବା ଦରକାର ତାହା ସାମ୍ବାଦିକ ମାନେ ପ୍ରଶ୍ନ କରିବା ଦରକାର । ଏବେ ବି ଅନେକ ଖବର ସଡ଼କ କଡ଼ରେ, ଅଚଳ ନଳକୂପ ପାଖରେ, ପଦା ହୋଇଥିବା ଜଙ୍ଗଲ ପାଖରେ ପଡ଼ି ରହିଛି । ସେମାନେ ରୋଗିଣା, ଦୁର୍ବଳ ଏବଂ ବାକ୍‌ଶକ୍ତିହୀନ । ତାଙ୍କ ଦେହରେ ବଳ ନାହିଁ । ସେମାନେ ଖବରକାଗଜ ପାଖକୁ ଆସି ପାରିବେ ନାହିଁ । ଖବରକାଗଜମାନଙ୍କୁ ସେମାନଙ୍କ ପାଖକୁ ଯିବାକୁ ପଡ଼ିବ ।

 

ସମ୍ବାଦ, ୨୬ ଅପ୍ରେଲ୍‌ ୨୦୦୭,

(ଅନୁଗୁଳ ସଂସ୍କରଣ)

Image

 

ସମ୍ବାଦପତ୍ର କେତେ ସ୍ୱାଧୀନ

 

୧୯୯୭ ଅଗଷ୍ଟ ୩୦ ତାରିଖରେ ପ୍ୟାରିସ୍‌ଠାରେ ଇଂଲଣ୍ଡର ରାଜକୁମାରୀ ଡାଏନାଙ୍କର କାର୍‌ ଆକ୍ସିଡେଣ୍ଟ୍‌ରେ ଯେତେବେଳେ ମୃତ୍ୟୁ ହେଲା, ସେତେବେଳେ ଡାଏନା ଏବଂ ତାଙ୍କର ବନ୍ଧୁଙ୍କ ଫଟୋ ଉଠାଇବା ପାଇଁ ଅନୁସରଣ କରୁଥିବା ଫଟୋ-ସାମ୍ବାଦିକଙ୍କ ବିରୋଧରେ ଆମେରିକା, ୟୁରୋପ ଏବଂ ଅନ୍ୟାନ୍ୟ ଦେଶ ମୁଖର ହୋଇଉଠିଥିଲେ । ସାଧାରଣ ଜୀବନରେ ଥିବା ନାମୀ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ଜୀବନ ଉପରେ ଫଟୋ-ସାମ୍ବାଦିକଙ୍କ ଏ ଧରଣର ଅନୁପ୍ରବେଶ ଅତ୍ୟନ୍ତ ଅନୁଚିତ ବୋଲି ସବୁଆଡ଼େ ମତପ୍ରକାଶ ପାଇଲା । ଏହି ଫଟୋ ସାମ୍ବାଦିକମାନେ ଡାଏନାଙ୍କ ହତ୍ୟାକାରୀ ବୋଲି ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ଚର୍ଚ୍ଚା ହେଲା । ତେବେ ଏ କ୍ଷେତ୍ରରେ ସେହି ଅଭିଯୁକ୍ତ ସାମ୍ବାଦିକମାନେ ତାଙ୍କ ସ୍ୱାଧୀନତାର ଅପବ୍ୟବହାର କରିଥିଲେ କି ? ନା ସେମାନେ ଏଭଳି ଆକର୍ଷଣୀୟ ଓ ଚମକ୍‌ଦାର ଫଟୋ ଦେଖିବାକୁ ଆଗ୍ରହୀ ପାଠକ ପାଠିକାଙ୍କ ଇଚ୍ଛା ପୂରଣର ସାମାଜିକ ଦାୟିତ୍ୱ କେବଳ ପୂରଣ କରୁଥିଲେ ? ସେ କ୍ଷେତ୍ରରେ ଜଣେ ସାଧାରଣ ବ୍ୟକ୍ତିର ଭୂମିକାଠାରୁ ଜଣେ ଫଟୋ ସାମ୍ବାଦିକର ଭୂମିକାକୁ କିଭଳି ଅଲଗା ଦେଖାଯାଇପାରିବ ?

 

ଆଉ ଗୋଟିଏ ଉଦାହରଣ । ୧୯୯୬ର ଲୋକସଭା ଉପ-ନିର୍ବାଚନ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଏକ ସମ୍ବାଦପତ୍ର ତାଙ୍କର ୧୯୯୬ ଅକ୍‌ଟୋବର ୭ ତାରିଖ ସଂସ୍କରଣରେ ପ୍ରଥମ ପୃଷ୍ଠାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ସମ୍ବାଦ ପ୍ରକାଶ କଲେ । ଆସ୍କା ଓ କଟକ ଉପନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ୪ କୋଟି ଟଙ୍କା ଖର୍ଚ କରିପାରନ୍ତି ବୋଲି ତତ୍କାଳୀନ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଲେଖିଥିବା ଗୋଟିଏ ଚିଠିର ନକଲ ମଧ୍ୟ ସେଇ ସମ୍ବାଦ ସାଙ୍ଗରେ ପ୍ରକାଶ ପାଇଲା । ନିର୍ବାଚନର କେଇଟି ଦିନ ଆଗରୁ ଏଭଳି ଚିଠି ପ୍ରକାଶ ପାଇଥିବାରୁ, ତା’ର ସତ୍ୟତା କେତେଦୂର, ସେ ନେଇ ଅନେକ ମହଲରେ ସନ୍ଦେହ ପ୍ରକାଶ ପାଇଲା । ମାତ୍ର ସଂପୃକ୍ତ ସମ୍ବାଦପତ୍ର ପକ୍ଷରୁ ଏ ସଂପର୍କରେ ଆଉ କିଛି ତଥ୍ୟ ପ୍ରକାଶ ପାଇଲା ନାହିଁ । ଏକ ସନ୍ଦିଗ୍ଧ ନିରବତା ବା ଯିଏ ଯେମିତି ବୁଝୁଛି ବୁଝୁ ଭିତରେ ଘଟଣାଟିକୁ ଛାଡ଼ିଦିଆଗଲା ।

 

ଏହାଦ୍ୱାରା ସଂପୃକ୍ତ ସମ୍ବାଦପତ୍ରଟି ଠିକଣା ଢଙ୍ଗରେ ତା’ର ସାମାଜିକ ଦାୟିତ୍ୱ ପାଳନ କଲା କି ? ଯଦି ସେପରି ଏକ ସମ୍ବାଦ ଭିତ୍ତିହୀନ ଓ ଅସତ୍ୟ ହୋଇଥାଏ, ତାହାହେଲେ ସମ୍ବାଦପତ୍ରଟି ତା’ର ସ୍ୱାଧୀନତାର ଅପବ୍ୟବହାର କରି ନଥିଲା କି ?

 

ଏ ଦୁଇଟି ଉଦାହରଣ ଦେବାର ଅର୍ଥ ହେଉଛି, ସମ୍ବାଦପତ୍ରର ଦାୟିତ୍ୱ କେବଳ ଗୋଟିଏ ପୁରୁଣା ପ୍ରଶ୍ନ ନୁହେଁ । ଉପରକୁ ସରଳ ଦିଶୁଥିବା ଅତ୍ୟନ୍ତ ଏକ ଜଟିଳ ପ୍ରଶ୍ନ ମଧ୍ୟ । ବସ୍ତୁତଃ ସାମାଜିକ ଦାୟିତ୍ୱ ନିର୍ବାହ ପାଇଁ ହିଁ ବିଭିନ୍ନ ଦେଶର ସମ୍ବାଦପତ୍ରଗୁଡ଼ିକ ପ୍ରଥମେ ମୁଣ୍ଡଟେକି ଉଠିଥିଲେ । କେବଳ ବ୍ୟବସାୟ ପାଇଁ କେହି ସେତେବେଳେ ସମ୍ବାଦପତ୍ର ପ୍ରକାଶ କରିବା କଥା ଚିନ୍ତା କରି ନଥିଲେ । ରାଜନୈତିକ ଅଥବା ସାମାଜିକ ପ୍ରତିବଦ୍ଧତା କିମ୍ବା ବୌଦ୍ଧିକ ଅଭିରୁଚି ହିଁ ଥିଲା ସମ୍ବାଦପତ୍ର ପ୍ରକାଶନର ପୃଷ୍ଠଭୂମି । ଆମେରିକା ହେଉ କିମ୍ବା ଭାରତ, ସ୍ୱାଧୀନତା ପାଇଁ ସଂଗ୍ରାମ ପରିପ୍ରେକ୍ଷୀରେ ସମ୍ବାଦପତ୍ର ପ୍ରକାଶନ ଅନିବାର୍ଯ୍ୟ ହୋଇପଡ଼ିଥିଲା । ନିଜର ରାଜନୈତିକ ଅଧିକାର ସାବ୍ୟସ୍ତ ପାଇଁ ଏହି ସମ୍ବାଦପତ୍ରଗୁଡ଼ିକ ଗୋଟିଏ ଗୋଟିଏ ଦେଶର, ସମାଜର ମୁଖପତ୍ର ହୋଇଥିଲା ଏବଂ ସମ୍ବାଦପତ୍ର ଆନ୍ଦୋଳନର ଏକ ଆୟୁଧ ହୋଇପଡ଼ିଥିଲା । ଭାରତବର୍ଷର ବହୁ ରାଷ୍ଟ୍ରନୀତିଜ୍ଞ- ମହାତ୍ମାଗାନ୍ଧୀ, ନେହେରୁଙ୍କଠାରୁ ନେଇ ତିଳକ ଏବଂ ଗୋପବନ୍ଧୁ ଦାସଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୃଷ୍ଟିକୋଣରୁ ସମ୍ବାଦପତ୍ର ପ୍ରକାଶନ କରିଥିଲେ । କେବଳ ବ୍ୟବସାୟ ପାଇଁ ସେମାନେ ଖବରକାଗଜ ପ୍ରକାଶନ ପରି ଏକ କୃଚ୍ଛ୍ର ସାଧନାକୁ କଦାପି ଗ୍ରହଣ କରିନେଇ ନଥିଲେ । ସେଥିପାଇଁ ପ୍ରଥମରୁ ହିଁ ସମ୍ବାଦପତ୍ରଗୁଡ଼ିକ ସତ୍ତା-ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ସମ୍ବାଦପତ୍ରଗୁଡ଼ିକ ହୋଇଥିଲା ଜନମତ ସାବ୍ୟସ୍ତର ମୁକ୍ତ ମଞ୍ଚ ।

 

ମାତ୍ର ଦେଶ ସ୍ୱାଧୀନ ହେବା ପରେ ଶାସକ ଏବଂ ଶାସିତଙ୍କ ଭିତରେ ସେଭଳି ଦୁର୍ଭେଦ୍ୟ ପ୍ରାଚୀର ରହିଲା ନାହିଁ । ଗତକାଲିର ଶାସିତ ଆଜି ଶାସକ ହେଲା ପରେ ତାଙ୍କର ମତିଗତିରେ ପରିବର୍ତନ ଦେଖାଦେବାକୁ ଲାଗିଲା । ସ୍ୱାଧୀନ ଦେଶର ସମ୍ବାଦପତ୍ରଗୁଡ଼ିକ ଏହାର ସମାଲୋଚନା କଲେ ଏବଂ ନେହେରୁଙ୍କ ପର୍ଯ୍ୟନ୍ତ ଏହି ସମାଲୋଚନାକୁ ତଥାପି ଗୋଟିଏ ପ୍ରକାର ଗ୍ରହଣ କରାଯାଇଥିଲା । ମାତ୍ର ସମ୍ବାଦପତ୍ରର ସ୍ୱାଧୀନ ସମାଲୋଚନା କେତେ କଠୋର ହୋଇପାରେ, ସେ କଥା ୧୯୭୫ ମସିହା ବେଳକୁ ଅର୍ଥାତ୍‌ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୩୦ ବର୍ଷ ବେଳକୁ ଇନ୍ଦିରାଗାନ୍ଧୀ ସରକାର ବୁଝି ସାରିଲେଣି । ସେଥିପାଇଁ ଜରୁରୀ ପରିସ୍ଥିତି ଜାରି ବେଳେ ପ୍ରେସ୍‌ ବିରୋଧରେ କଡ଼ା କଟକଣା ଲାଗିଲା । ଗୋଟିଏ ବାକ୍ୟରେ କହିବାକୁ ଗଲେ, ସମ୍ବାଦପତ୍ରର ସ୍ୱାଧୀନତା ସଂପୂର୍ଣ୍ଣ ଭାବରେ ସରକାରଙ୍କ ମର୍ଜି ଉପରେ ହିଁ ନିର୍ଭରଶୀଳ ବୋଲି ଆଇନଗତ ଭାବେ ବ୍ୟବସ୍ଥା କରିଦିଆଗଲା । ତେବେ ଇନ୍ଦିରାଗାନ୍ଧୀଙ୍କ ବିଦାୟ ପରେ ୧୯୭୭ରେ ଜନତା ସରକାର ଏହି ବ୍ୟବସ୍ଥାକୁ ଅବଶ୍ୟ ଉଠେଇ ଦେଲେ । ପୁଣିଥରେ ପୂର୍ବର ବ୍ୟବସ୍ଥା ଫେରିଆସିଲା । ମାତ୍ର ଜରୁରୀକାଳୀନ ପରିସ୍ଥିତି ସମ୍ବାଦପତ୍ର ସାମ୍ନାରେ ଗୋଟିଏ କଠୋର ଉଦାହରଣ ରଖିଦେଲା ଯେ, ଭାରତ ସରକାର ଚାହିଁଲେ ଅନାୟାସରେ ପ୍ରେସ୍‌ ଓ ସାମ୍ବାଦିକତାର କଣ୍ଠରୋଧ କରିପାରନ୍ତି ।

 

ଆଜି ଅବଶ୍ୟ ଆପାତଃ ଦୃଷ୍ଟିରୁ ସମ୍ବାଦପତ୍ର ପାଇଁ ସେଭଳି ଶୃଙ୍ଖଳ ନାହିଁ । ମାତ୍ର ବାସ୍ତବ କ୍ଷେତ୍ରରେ ଏଭଳି ବହୁ ଅଦୃଶ୍ୟ ଶୃଙ୍ଖଳ ରହିଛି, ଯାହା ପରେ ଆଲୋଚନା କରାଯିବ । ମାତ୍ର ତା’ ସତ୍ତ୍ୱେ ସମ୍ବାଦପତ୍ରଗୁଡ଼ିକ ସ୍ୱାଧୀନ କି ? ସେମାନେ ନିଜ ନିଜର କର୍ତ୍ତବ୍ୟ ଠିକଣା ଭାବେ ସଂପାଦନ କରିପାରୁଛନ୍ତି କି ? ଓଡ଼ିଶାା ଉଦାହରଣରେ ଏ ପ୍ରସଙ୍ଗର ଆଲୋଚନା କାଯାଇପାରେ । ଓଡ଼ିଶାରୁ ପ୍ରକାଶ ପାଉଥିବା ପ୍ରାୟ ସମସ୍ତ ସମ୍ବାଦପତ୍ରର ମୁଖ୍ୟ କୌଣସି ନା କୌଣସି ରାଜନୈତିକ ଦଳର ସଦସ୍ୟ କିମ୍ବା ସମର୍ଥକ ବୋଲି ଆମେ ଜାଣୁ । ଯେଉଁମାନେ ଏବେ ସୁଦ୍ଧା କୌଣସି ରାଜନୈତିକ ଦଳରେ ସାମିଲ୍‌ ହୋଇନାହାନ୍ତି ସେମାନେ ଆଗାମୀ ଦିନରେ ନିଜର ଗ୍ରହଣଯୋଗ୍ୟତା ବଢ଼େଇବାର ବ୍ୟବସ୍ଥା କରୁଛନ୍ତି । ଏହି ଧରଣର ସମ୍ବାଦପତ୍ରଗୁଡ଼ିକ ସଂପୂର୍ଣ୍ଣ ସ୍ୱାଧୀନ ଭାବେ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବା ସମ୍ଭବ ନୁହେଁ । ସେମାନେ କେବଳ କ୍ଷେତ୍ର ବିଶେଷରେ ନିରପେକ୍ଷ ହୋଇପାରିବେ । ଅବଶ୍ୟ ଏକଥା ମଧ୍ୟ ସତ୍ୟ ଯେ, ରାଜନୈତିକ ଅଭିଳାଷ ନଥିଲେ ଅଧିକାଂଶ ଖବରକାଗଜ ମାଲିକ ଆଦୌ ସମ୍ବାଦପତ୍ର ପ୍ରକାଶ କରି ନଥାନ୍ତେ । କିଛି ବର୍ଷ ହେଲା ଆଉ କିଛି ମାଲିକ ସେମାନଙ୍କର ଅନ୍ୟାନ୍ୟ ବ୍ୟବସାୟକୁ ପ୍ରୋତ୍ସାହନ ଦେବାପାଇଁ ଏବଂ ନିଜର ଦୁର୍ବଳତାକୁ ଢାଙ୍କିବା ପାଇଁ ସମ୍ବାଦପତ୍ର ପ୍ରକାଶନ କରୁଛନ୍ତି । ସେହି ମାଲିକମାନେ ସମ୍ବାଦପତ୍ରର ସ୍ୱାଧୀନତାର ଅପବ୍ୟବହାର କରି ତାହାକୁ ବିଭ୍ରାନ୍ତିକର କୌଶଳ ବା ଆୟୁଧ ଭାବେ ବ୍ୟବହାର କରୁଛନ୍ତି । ଏହାକୁ ସମ୍ବାଦପତ୍ରର ସ୍ୱାଧୀନତା କୁହାଯିବ କି ?

 

ଓଡ଼ିଶାର ମୁଷ୍ଟିମେୟ ସମ୍ବାଦପତ୍ରକୁ ବାଦ୍‌‌ ଦେଲେ ଅନ୍ୟ ସବୁ ସମ୍ବାଦପତ୍ରର ସାମ୍ବାଦିକମାନେ ଅର୍ଥନୈତିକ ଦିଗରୁ ଅତ୍ୟନ୍ତ ଦୁର୍ବଳ । ସେମାନଙ୍କର ଚାକିରିର ନିରାପତ୍ତା ନାହିଁ କିମ୍ବା ଭଲ ଦରମା ବା ଭତ୍ତାର ବ୍ୟବସ୍ଥା ନାହିଁ । ଅଭାବୀ ଲୋକ ପାଖରୁ ସମୃଦ୍ଧ ଗଣତନ୍ତ୍ର ଆଶା କରିବା ପରି ଏଭଳି ସାମ୍ବାଦିକମାନଙ୍କ ପାଖରୁ ସାମାଜିକ କର୍ତ୍ତବ୍ୟ ଆଶା କରିବା ଠିକ୍‌ ନୁହେଁ । ଯଦିଓ ବହୁ ସାମ୍ବାଦିକ ବ୍ୟକ୍ତିଗତ ଜୀବନର ଦୁଃଖ, ଦୁର୍ଦଶା ସତ୍ତ୍ୱେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାର ଉଦାହରଣ ରଖିଯାଇଛନ୍ତି, ସେମାନଙ୍କର ସଂଖ୍ୟା ଅଙ୍ଗୁଳିମେୟ । ସମ୍ବାଦପତ୍ରଗୁଡ଼ିକ ସଂପୂର୍ଣ୍ଣ ଭାବେ ବିଜ୍ଞାପନଦାତାଙ୍କ ଉପରେ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବନାହିଁ । ସେମାନଙ୍କ ଆୟର ତିନି ଚତୁର୍ଥାଂଶ ବିଜ୍ଞାପନରୁ ଆସିଥାଏ । ଏହି ଆୟ ନିର୍ଦ୍ଦିଷ୍ଟ କୌଣସି ଗୋଟିଏ ବା ଦୁଇଟି ସଂସ୍ଥାରୁ ଆସୁ ନଥିଲେ ମଧ୍ୟ ଓଡ଼ିଶା ପରି ରାଜ୍ୟରେ ସରକାର ହିଁ ମୋଟା ବିଜ୍ଞାପନଦାତା । ସରକାରୀ ବିଜ୍ଞାପନ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି, ତଥାପି ସବୁ ସରକାର ଏହାକୁ ସେମାନଙ୍କର ଏକ ଅଙ୍କୁଶ ଭାବେ ବ୍ୟବହାର କରି ଆସିଛନ୍ତି । କିଛି ମାସ ହେଲା ପ୍ରକାଶ ପାଉଥିବା ଗୋଟିଏ ନୂଆ ରଙ୍ଗୀନ ସମ୍ବାଦପତ୍ରକୁ ଜଳସେଚନ ବିଭାଗର ସବୁ ବିଜ୍ଞାପନ ଦେବାର ସରକାରୀ ନିର୍ଦେଶ ଏହି ଅଙ୍କୁଶର ଆଉ ଗୋଟାଏ ରୂପ । ଡି.ଏ.ଭି.ପି. ବିଜ୍ଞାପନ ଜରିଆରେ କେନ୍ଦ୍ର ସରକାର ଓ ସୂଚନା ଲୋକ ସଂପର୍କ ବିଭାଗ ଜରିଆରେ ରାଜ୍ୟ ସରକାର ସମ୍ବାଦପତ୍ରଗୁଡ଼ିକ ଉପରେ ନିଜର କଟକଣା ଜାରି ରଖିଛନ୍ତି ।

 

ନ୍ୟୁଜ୍‌ପ୍ରିଣ୍ଟ୍‌ ନୀତି: ଏପର୍ଯ୍ୟନ୍ତ ଭାରତ ସରକାର ନ୍ୟୁଜ୍‌ପ୍ରିଣ୍ଟ୍‌ ଆମଦାନୀ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । କେବଳ ସେତିକି ନୁହେଁ, କେଉଁ ସମ୍ବାଦପତ୍ର କେତେ ଟନ୍‌ କାଗଜ ଆମଦାନୀ କରିପାରିବ, ତା’ର ସାର୍ଟିଫିକେଟ୍‌ ଦେବା ଓ ପ୍ରସାର ସଂଖ୍ୟା ଯାଞ୍ଚ କରିବା କ୍ଷମତା ସରକାରଙ୍କ ହାତରେ ରହିଛି । ନ୍ୟୁଜ୍‌ପ୍ରିଣ୍ଟ୍‌ ହିଁ ହେଉଛି ଯେ କୌଣସି ସମ୍ବାଦପତ୍ରର ଜୀବନରେଖା । ଆବଶ୍ୟକ ପରିମାଣରେ ନ୍ୟୁଜ୍‌ପ୍ରିଣ୍ଟ୍‌ ନ ମିଳିଲେ କୌଣସି କାଗଜ ପୃଷ୍ଠା ବଢ଼ାଇପାରିବେ ନାହିଁ ।

 

ସାମ୍ବାଦିକଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧା: ସରକାରଙ୍କ ଦ୍ୱାରା ସାମ୍ବାଦିକମାନଙ୍କ ପାଇଁ ସରକାରୀ ସ୍ତରରେ କେତେକ ସୁବିଧା ସୁଯୋଗ ରହିଛି । ଏଭଳି ବ୍ୟବସ୍ଥା ଜରିଆରେ ସରକାର ସମ୍ବାଦ ସରବରାହର ବ୍ୟବସ୍ଥାକୁ ନିଜର ପରୋକ୍ଷ ତତ୍ତ୍ୱାବଧାନରେ ରଖିପାରିଛନ୍ତି । ସାମ୍ବାଦିକମାନଙ୍କ ପାଇଁ ୱେଜ୍‌ବୋର୍ଡ ଗଠନ ଓ ସେମାନଙ୍କୁ ସୁପାରିଶ ଲାଗୁ କରିବାର ଦାୟିତ୍ୱ ସରକାର ହାତରେ ରଖିଛନ୍ତି । ଗୋଟିଏ ବାକ୍ୟରେ କହିବାକୁ ଗଲେ ସମ୍ବାଦପତ୍ରଗୁଡ଼ିକ ନିଜ ନିଜ ଭିତରେ ପ୍ରତିଯୋଗିତା ପାଇଁ ନିଜର ବିକ୍ରୟ ମୂଲ୍ୟ କିମ୍ବା ବିଜ୍ଞାପନ ମୂଲ୍ୟ ମନଇଚ୍ଛା ବଢ଼େଇବାର ସ୍ୱାଧୀନତା ହରେଇ ବସୁଥିବା ବେଳେ ସରକାରୀ ବିଜ୍ଞାପନ, ନ୍ୟୁଜ୍‌ପ୍ରିଣ୍ଟ୍‌, ଆମଦାନୀ କରାଯାଉଥିବା ଯନ୍ତ୍ରପାତିର ଶୁଳ୍କ, ଏପରିକି ସାମ୍ବାଦିକଙ୍କ ଦରମା ପରି ପ୍ରସଙ୍ଗରେ ସରକାରୀ ନିର୍ଦେଶ ମାନିବାକୁ ସେମାନେ ବାଧ୍ୟ ହେଉଛନ୍ତି । ଭାରତୀୟ ସମ୍ବାଦପତ୍ର ସଂଘ ବା ଆଇ.ଏନ୍‌.ଏସ୍‌.ର ସଦ୍ୟସମାପ୍ତ ବାଙ୍ଗାଲୋର ଅଧିବେଶନରେ ବିଦାୟୀ ଅଧ୍ୟକ୍ଷ ଶ୍ରୀ ବିବେକ ଗୋଏଙ୍କା କହିଛନ୍ତି ‘‘I can not think of anything more ridiculous than a situation in which our revenue will be determined by our competitiveness but costs will be determined by the Government. Almost 70% to 80% of our costs are newsprint plus wages, and these are largely determined by the Government.’’

 

ଶ୍ରୀ ଗୋଏଙ୍କା ସାମ୍ବାଦିକଙ୍କ ଦରମା ପ୍ରସଙ୍ଗରେ ଆଉ ଗୋଟିଏ କଥା ମଧ୍ୟ କହିଛନ୍ତି । ତାଙ୍କ ବକ୍ତବ୍ୟ ହେଲା ବର୍ତ୍ତମାନର ଅର୍ଥନୈତିକ ଭୂଗୋଳିକରଣ ପରେ ପ୍ରତିଦ୍ୱନ୍ଦ୍ୱିତାର ମାତ୍ରା ବହୁ ପରିମାଣରେ ବଢ଼ିଯାଇଛି । ପରିସ୍ଥିତି ‘ମର କି ମାର’ ଭଳି ହୋଇପଡ଼ିଛି । ଏହାର ସାମ୍ନା କରିବା ପାଇଁ ଦକ୍ଷ ସାମ୍ବାଦିକ ଓ ଅପରେଟରଙ୍କର ଆବଶ୍ୟକ, ଯାହାଙ୍କୁ ଯେ କୌଣସି ସମ୍ବାଦପତ୍ର କର୍ତ୍ତୃପକ୍ଷ ଉତ୍ସାହଜନକ ଦରମା ଦେବାକୁ ଚାହିଁବେ । ମାତ୍ର ସେଭଳି ସ୍ୱାଧୀନତା ମଧ୍ୟ ସେମାନଙ୍କର ନାହିଁ । କାରଣ ଏଭଳି କଲେ, ଅନ୍ୟମାନେ ସାଙ୍ଗେ ସାଙ୍ଗେ ଲେବର କୋର୍ଟ ଏବଂ ନ୍ୟାୟାଳୟର ଦ୍ୱାରସ୍ଥ ହୋଇପାରିବେ ।

 

ଏହି ପୃଷ୍ଠଭୂମିରେ ଦେଖିବାକୁ ଗଲେ, ସମ୍ବାଦପତ୍ରର ସ୍ୱାଧୀନତାକୁ କିଭଳି ବିଚାର କରାଯାଇପାରିବ ? ଭାରତବର୍ଷର ସମ୍ବାଦପତ୍ର ମୂଳରୁ ଦୁଇଭାଗରେ ବିଭକ୍ତ । ପ୍ରଥମ ଭାଗ ହେଲା ଇଂରାଜୀ ଭାଷାର ସମ୍ବାଦପତ୍ର, ଯେଉଁମାନେ ପ୍ରତିଷ୍ଠିତ ଏବଂ ପ୍ରଭାବଶାଳୀ । ଆପଣମାନେ ନିଶ୍ଚୟ ଜାଣିଥିବେ ଯେ, ଭାରତବର୍ଷରୁ ଯେତିକି ସଂଖ୍ୟାରେ ଇଂରାଜୀ ଖବରକାଗଜ ପ୍ରକାଶ ପାଉଛି, ସମଗ୍ର ଏସିଆର ଅନ୍ୟ କୌଣସି ଦେଶରୁ ସେତେ ସଂଖ୍ୟାରେ ଇଂରାଜୀ ସମ୍ବାଦପତ୍ର ପ୍ରକାଶ ପାଏ ନାହିଁ । ଦ୍ୱିତୀୟ ଭାଗ ହେଲା ଆଞ୍ଚଳିକ ଭାଷାର ସମ୍ବାଦପତ୍ର । ଦୂରଦର୍ଶନ ଏବଂ ଅନ୍ୟାନ୍ୟ ଚ୍ୟାନେଲ୍‌ର ପ୍ରବେଶ ପରେ ଖବରକାଗଜ ବିଜ୍ଞାପନ ପରିମାଣ ଶତକଡ଼ା ୩ ଭାଗ କମିଯାଇଛି ବୋଲି ଆଇ.ଏନ୍‌.ଏସ୍‌. ମତ ଦେଇଛି । ବିଜ୍ଞାପନର କଲମ ସେଣ୍ଟିମିଟରର ଦର ବଢ଼େଇ ଏହି ଅକୁଳାଣ ଅର୍ଥର ଭରଣା କରିବାକୁ ଚାହିଁଲେ ମଧ୍ୟ ଆଞ୍ଚଳିକ ଭାଷାର ସମ୍ବାଦପତ୍ର କ୍ଷେତ୍ରରେ ଏହା ସହଜସାଧ୍ୟ ନୁହେଁ । ଟେଲିଭିଜନ୍‌ ଏବେ ଖବରକାଗଜ ପାଇଁ ବିଜ୍ଞାପନ ବଜାରରେ ଏକ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇ ଛିଡ଼ା ହୋଇଛି ।

 

ସମ୍ବାଦପତ୍ର ଦାୟିତ୍ୱ ସମ୍ବନ୍ଧରେ ବିଭିନ୍ନ ମଞ୍ଚରେ ବହୁବାର ଆଲୋଚନା କରାଯାଇଛି । ଗୋଟିଏ ଗଣତନ୍ତ୍ରର କାର୍ଯ୍ୟକାରିତା ପାଇଁ ମୁକ୍ତ ଓ ଅବାଧ ସମ୍ବାଦପତ୍ରର ଭୂମିକା କଥା ପୃଥିବୀର ବହୁ ମହାନ ନେତା ମୁକ୍ତ କଣ୍ଠରେ ସ୍ୱୀକାର କରିଯାଇଛନ୍ତି । ମାତ୍ର ଭାରତ ପରିପ୍ରେକ୍ଷୀରେ ଏହି ସ୍ୱାଧୀନତା ଏପର୍ଯ୍ୟନ୍ତ ଏକ ଆପେକ୍ଷିକ ସ୍ୱାଧୀନତା ହୋଇ ହିଁ ରହିଯାଇଛି ।

 

ଏହି ପୃଷ୍ଠଭୂମିରେ ସାମାଜିକ ଦାୟିତ୍ୱର ପ୍ରଶ୍ନ । ସାମାଜିକ ଦାୟିତ୍ୱ କାହାର ? ସମ୍ବାଦପତ୍ର ମାଲିକଙ୍କର ? ସଂପାଦକଙ୍କର ନା ସାମ୍ବାଦିକମାନଙ୍କର ? ଅଧିକାଂଶ କ୍ଷେତ୍ରରେ ସମ୍ବାଦପତ୍ରର ସାମର୍ଥ୍ୟ ନୁହେଁ, ସମାଜର ପ୍ରତ୍ୟାଶା ହିଁ କର୍ତ୍ତବ୍ୟର ପରିଭାଷା ନିର୍ମାଣ କରିଥାଏ । ସମାଜର ଆଶାକୁ ମହାତ୍ମା ଗାନ୍ଧୀଙ୍କ ଭାଷାରେ ନିମ୍ନମତେ ପ୍ରକାଶ କରାଯାଇପାରେ । ମହାତ୍ମା ଗାନ୍ଧୀ କହିଥିଲେ, ‘‘One of the objects of a newspaper is to understand the popular feeling and give expression to it, another is to arouse in people certain desirable sentiments, the third is fearlessly to expose popular defects.’’

 

ଯୋଉମାନେ ସମ୍ବାଦପତ୍ରକୁ ଏକ ସ୍ୱାଧୀନ ଅନୁଷ୍ଠାନ ଭାବେ ଗ୍ରହଣ କରିନେଉଛନ୍ତି, ସେମାନେ ପିଠି ଥାପୁଡ଼େଇଲା ପରି ଆହୁରି କହିଛନ୍ତି, ‘‘କୌଣସ ସମ୍ବାଦପତ୍ରର ସ୍ୱାଧୀନତା ସରକାର ଉପରେ ନିର୍ଭର କରେ ନାହିଁ । ଏହା ତା’ର ପାଠକବର୍ଗର ଇଚ୍ଛା ଅନିଚ୍ଛା ଉପରେ ନିର୍ଭର କରେ, ଆଗେଇଚାଲେ ।’’

 

ମାତ୍ର ପ୍ରକୃତ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ । ଭାରତର ସମ୍ବାଦପତ୍ରଗୁଡ଼ିକ ଯେଉଁ କିଛି ସ୍ୱାଧୀନତା ଉପଭୋଗ କରୁଛନ୍ତି ସେଗୁଡ଼ିକ ନିୟନ୍ତ୍ରିତ ସ୍ୱାଧୀନତା । ତା’ର କାରଣ ହେଲା ଆମର ସମ୍ବାଦ ସରବରାହ ସଂସ୍ଥା ଏବଂ ସାମ୍ବାଦିକମାନେ ସବୁବେଳେ ସରକାରୀ ସୂତ୍ର ଉପରେ ନିର୍ଭରଶୀଳ ହୋଇ ଆସିଛନ୍ତି । ବର୍ଷ ବର୍ଷର ଅଭ୍ୟାସ ଫଳରେ ସେମାନଙ୍କୁ ଏଭଳି ଢାଞ୍ଚାରେ ପକେଇ ଦିଆଯାଇଛି ଯେ, ସେମାନେ ନୂଆ ମାର୍ଗ ଅନୁସନ୍ଧାନର ଉଦ୍ୟମ କରିବାକୁ ଚାହୁଁନାହାନ୍ତି । ଆଜି ମଧ୍ୟ ସାଧାରଣ ସାମ୍ବାଦିକମାନେ କୌଣସି ମାମଲାରେ ଅଭିଯୁକ୍ତ ଲୋକଟିର ଅପରାଧ କ’ଣ ତାହା ଜାଣିବା ପାଇଁ ଲୋକଟିକୁ ନୁହେଁ, ପୋଲିସକୁ ପଚାରନ୍ତି । ବନ୍ୟା ମରୁଡ଼ିର କ୍ଷୟକ୍ଷତି ପରିମାଣ ଜାଣିବା ପାଇଁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ତଥ୍ୟ ଏବଂ ପରିସଂଖ୍ୟାନ ଉପରେ ନିର୍ଭର କରନ୍ତି ।

 

ସମ୍ବାଦପତ୍ର ଆଜି ଜନମତର ଅସ୍ତ୍ର ନୁହେଁ ବରଂ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ର ଆଉ ଗୋଟିଏ ଅଙ୍ଗ ହୋଇପଡ଼ିଲାଣି ବୋଲି ଆଶଙ୍କା ହେଉଛି । ଏହାର ପ୍ରଥମ ପୃଷ୍ଠାଗୁଡ଼ିକ ସେଇ ରାଜନତୋମାନଙ୍କ ପାଇଁ ସଂରକ୍ଷିତ ରଖାଯାଉଛି, ଯେଉଁମାନେ କ୍ଷମତାରୁ ଗଲାପରେ ଦାରିଦ୍ର୍ୟ ଓ ଦୁର୍ନୀତିର କଥା ଏବଂ କ୍ଷମତାକୁ ଫେରିବା ପରେ ଯୋଜନା ଓ ବିକାଶର କଥା କହନ୍ତି । ସମ୍ବାଦପତ୍ରମାନେ ଗୋଟିଏ ମାନକ ନିର୍ଦ୍ଦିଷ୍ଟ କରିସାରିଲେଣି ଯେ, ଭଲ କରନ୍ତୁ ବା ଖରାପ କରନ୍ତୁ, ସେହିମାନେ ହିଁ ସମ୍ବାଦପତ୍ରର ଅଗ୍ରପୂଜ୍ୟ । ସ୍ୱାଧୀନତାର ପଚାଶ ବର୍ଷ ପରେ ମଧ୍ୟ ସାଧାରଣ ଲୋକର ସମସ୍ୟାକୁ ସେତିକି ଗୁରୁତ୍ୱ ଦିଆଯାଇନାହିଁ, ଯେତିକି ଗୁରୁତ୍ୱ ଯେ କୌଣସି ତୃତୀୟ ଶ୍ରେଣୀୟ ରାଜନେତାର ବିବୃତି ବା ମନ୍ତବ୍ୟକୁ ଦିଆଯାଇଛି ।

 

ଆଜି ସରକାର, ଶିଳ୍ପପତି ଏବଂ ପ୍ରଭାବଶାଳୀ ଲୋକଙ୍କ ପାଇଁ ହିଁ ସମ୍ବାଦପତ୍ର ଉଦ୍ଦିଷ୍ଟ ବୋଲି ଧାରଣା ସୃଷ୍ଟି ହୋଇଛି । ଅନେକ କ୍ଷେତ୍ରରେ କେତେକ ସାମ୍ବାଦିକମାନଙ୍କ ଆଚରଣ ଏହି ବୃତ୍ତି ପ୍ରତି ସାଧାରଣରେ ବିଦ୍ୱେଷ ସୃଷ୍ଟି କରୁଛି । ସମ୍ବାଦପତ୍ର ମାଲିକମାନେ ତାଙ୍କ ଘର ଉପରେ ଆୟକର ବିଭାଗର ଚଢ଼ାଉକୁ ଯେମିତି ପ୍ରେସ୍‌ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିବାରେ କୌଣସି ଯୁକ୍ତି ନାହିଁ, ବହୁବିଧ କାର୍ଯ୍ୟକଳାପରେ ଲିପ୍ତ ଜଣେ ସାମ୍ବାଦିକଙ୍କ ପ୍ରତି ସମାଜର ଅନୁଦାର ଦୃଷ୍ଟିକୁ ସାମ୍ବାଦିକତା ପ୍ରତି ବିଷଦୃଷ୍ଟି କହିବାରେ ମଧ୍ୟ ଯୁକ୍ତି ନାହିଁ । ଓଡ଼ିଶାର ସମ୍ବାଦପତ୍ର ଆଜି ରାଜନୀତିସର୍ବସ୍ୱ ଏବଂ ସହରକୈନ୍ଦ୍ରିକ । ସେମାନଙ୍କ ମଧ୍ୟରୁ ପ୍ରଭାବଶାଳୀ ସାମ୍ବାଦିକମାନେ ପ୍ରାୟତଃ ଭିନ୍ନ ଭିନ୍ନ ଅଞ୍ଚଳରେ ନିଜର ସ୍ୱାଧୀନତାକୁ ଜଳାଞ୍ଜଳି ଦେଇଛନ୍ତି ଏବଂ ସେଇ ମାର୍ଗରେ କେତେ କନିଷ୍ଠ ସଦସ୍ୟମାନଙ୍କୁ ଦୀକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ଅସନ୍ତୁଷ୍ଟ କନିଷ୍ଠମାନେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଅଣସୁରକ୍ଷିତ ବ୍ୟକ୍ତି ଓ ବ୍ୟବସ୍ଥା ସମ୍ବନ୍ଧରେ ଅତିମାତ୍ରାରେ ପ୍ରତିକ୍ରିୟାଶୀଳ ହୋଇପଡୁଛନ୍ତି ଏବଂ ତାହାକୁ ଆମେ ସମ୍ବାଦପତ୍ରର ସ୍ୱାଧୀନତା ବୋଲି ସମୟେ ସମୟେ ଭାବିନେଉଛୁ । ମାତ୍ର ଯାହା ସ୍ୱାଧୀନତା ବୋଲି ଉପରକୁ ଦିଶୁଛି, ତାହା ଅସହାୟତାର ଚିତ୍କାର ଭିନ୍ନ ଅନ୍ୟ କିଛି ନୁହେଁ । ଭାରତବର୍ଷର ବ୍ୟାଧିଗ୍ରସ୍ତ ଅବ୍ୟବସ୍ଥା ପାଇଁ ସମ୍ବାଦପତ୍ରର ମଧ୍ୟ ନିର୍ଦ୍ଦିଷ୍ଟ ଅବଦାନ ରହିଛି, ସେ କଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।

 

ଓଡ଼ିଶାର ସମ୍ବାଦପତ୍ରଗୁଡ଼ିକ ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ଦିଗରେ ଯଥେଷ୍ଟ ଭୂମିକା ନିର୍ବାହ କରିଛନ୍ତି କି ? ଏହା ଗୋଟିଏ ପ୍ରଶ୍ନ । ଓଡ଼ିଶାର ଲୋକସଂଖ୍ୟା, ପ୍ରସାରିତ ସମ୍ବାଦପତ୍ରର ସଂଖ୍ୟା ଏବଂ ସାକ୍ଷରତା ହାର ବିଚାରକୁ ନେଲେ, ପ୍ରାୟ ପଚାଶ ଜଣରେ ଖଣ୍ଡିଏ କାଗଜ ବିକ୍ରି ହୁଏ ବୋଲି ଜଣାପଡ଼ିବ । ପଛୁଆ ଅଞ୍ଚଳରେ ଏହା ଶହେରୁ ଅଧିକ । ଅଧିକାଂଶ ସମୟରେ ସମ୍ବାଦପତ୍ରଗୁଡ଼ିକ ଠାକୁର, ଠାକୁରାଣୀଙ୍କ ମହିମା ପ୍ରଚାର କ୍ଷେତ୍ରରେ ଏଭଳି ବ୍ୟଗ୍ରତା ପ୍ରକାଶ କରିଥାନ୍ତି ଯେ, ସେମାନଙ୍କର ବ୍ୟଗ୍ରତା ଭକ୍ତମାନଙ୍କ ବ୍ୟଗ୍ରତାକୁ ମଧ୍ୟ ଟପିଯାଇଥାଏ । ଏ ଧରଣର ପରିସ୍ଥିତି ଗୋଟିଏ ସମାଜକୁ କିଭଳି ଭାବେ ନଷ୍ଟଭ୍ରଷ୍ଟ କରେ, ତା’ର ଉଦାହରଣ ଦେବା ପ୍ରୟୋଜନ ନାହିଁ । ଏହାଦ୍ୱାରା ସମ୍ବାଦପତ୍ର ତା’ର ସାମାଜିକ ଦାୟିତ୍ୱ ପୂରଣ କରେ କି ?

 

ସମ୍ବାଦପତ୍ରର ଦାୟିତ୍ୱ ସତ୍ୟ ପ୍ରକାଶ କରିବା । ମାତ୍ର ଓଡ଼ିଶାର ଅଧିକାଂଶ ସମ୍ବାଦପତ୍ର ଓ ସାମ୍ବାଦିକ ପ୍ରଥମେ ନିଜର ମତ ଓ ମନ୍ତବ୍ୟ ପାଠକ ଉପରେ ଲଦି ଦେଉଛନ୍ତି ଏବଂ ତା’ ଭିତରେ ସମ୍ବାଦଟିକୁ ଲୁଚେଇ ଦେବାର ଚେଷ୍ଟା କରୁଛନ୍ତି । ଫଳରେ ପାଠକର ମତ ପ୍ରଥମରୁ ଏପରି ପ୍ରଭାବିତ ହେଉଛି ବା ହେବ ବୋଲି ଆଶା କରାଯାଉଛି ଯେ, ତା’ ପାଖରୁ ମହାତ୍ମାଗାନ୍ଧୀଙ୍କ ଈପ୍‌ସିତ ଯଥାର୍ଥ ପ୍ରତିକ୍ରିୟା ପ୍ରକାଶ ପାଉନାହିଁ ।

 

କୌଣସି ଗୋଟିଏ ଘଟଣାର ପରବର୍ତୀ ଅବସ୍ଥା କ’ଣ ହେଲା, ସେ ସମ୍ବନ୍ଧରେ ପ୍ରାୟ ଅଧିକାଂଶ ସମ୍ବାଦପତ୍ର ନିରବ । ହତ୍ୟାକାଣ୍ଡ, ରହାଜାନି, ଯୌତୁକ ହତ୍ୟାଠୁଁ ନେଇ ଯାବତୀୟ ଦୁର୍ନୀତି ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାର ଆରମ୍ଭ ପ୍ରଥମ ପୃଷ୍ଠାରୁ ହୁଏ, ମାତ୍ର ତାହାର ଶେଷ କୋଉଠି ହୁଏ ସେକଥା ଜଣାପଡ଼େ ନାହିଁ । ମଦମୃତ୍ୟୁ ପରି କେତେକ ଘଟଣାର ପରବର୍ତୀ ବିବରଣୀ ଯଦି ଭଲ ଭାବେ ପ୍ରକାଶ ପାଇଥାଏ, ତା’ର କାରଣ ଅନେକାଂଶରେ ରାଜନୈତିକ । ବିରୋଧୀ ଦଳର ପୃଷ୍ଠପୋଷକତା ଭିନ୍ନ ଏହା ସମ୍ଭବ ହୋଇ ନଥାନ୍ତା । ମାତ୍ର ତା’ ସତ୍ତ୍ୱେ ଏପର୍ଯ୍ୟନ୍ତ ଓଡ଼ିଶାର ପାଠକମାନେ ଏହି ଦୁର୍ଘଟଣା ପାଇଁ କେଉଁ କେଉଁମାନେ ଦାୟୀ, ସେ କଥା ଜାଣନ୍ତି ନାହିଁ ।

 

ଅନେକ କ୍ଷେତ୍ରରେ ସାମ୍ବାଦିକମାନେ କୌଣସି ବ୍ୟକ୍ତି ଦୋଷୀ ହେବା ପୂର୍ବରୁ ଖବରକାଗଜରେ ତାକୁ ଦୋଷୀ ବୋଲି ଚିତ୍ରଣ କରିଦେଉଛନ୍ତି । ପରବର୍ତୀ ସମୟରେ ତାହା ଅସତ୍ୟ ବୋଲି ଜଣାପଡ଼ିଲେ, ନିଜର ଜିଦ୍‌ ରଖିବା ପାଇଁ ପ୍ରତିବାଦକୁ ଚାପି ଦେଉଛନ୍ତି କିମ୍ବା କୁଣ୍ଠିତ ଭାବରେ ପ୍ରକାଶ କରୁଛନ୍ତି । ଏହା କେବଳ ଅନ୍ୟାୟ ନୁହେଁ, ଅପରାଧ । ଏଭଳି ପରିସ୍ଥିତିର ସମ୍ମୁଖୀନ ସବୁ ବ୍ୟକ୍ତି ନ୍ୟାୟାଳୟକୁ ଯିବା ସମ୍ଭବ ନୁହେଁ । ସମ୍ବାଦପତ୍ରଗୁଡ଼ିକ କାହାରି ବିରୋଧରେ ସମ୍ବାଦ ପ୍ରକାଶ କରିବା ପାଇଁ ଯିବା ପୂର୍ବରୁ ତା’ର ମତାମତ କିମ୍ବା ପ୍ରତିକ୍ରିୟା ମଧ୍ୟ ଲୋଡ଼ୁନାହାନ୍ତି । ଏ ଧରଣର ସାମ୍ବାଦିକତା ଏକଛତ୍ରବାଦୀ ଶାସନଠୁଁ ବେଶି ଦୂରବର୍ତୀ ନୁହେଁ, ଯେଉଁଠି ପ୍ରେସ୍‌ ସ୍ୱାଧୀନତା ପାଖରେ ବ୍ୟକ୍ତି ସ୍ୱାଧୀନତା ମର୍ମନ୍ତୁଦ ଭାବରେ ବଳି ପଡ଼ିଯାଏ ।

 

ଏ ପ୍ରକାର ପରିସ୍ଥିତି ପାଇଁ ଅନେକଗୁଡ଼ିକ କାରଣ ଦାୟୀ । ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ଅର୍ଥନୈତିକ ଦୁଃସ୍ଥିତି, କିଛି ସାମ୍ବାଦିକଙ୍କର ହୀନମଣ୍ୟତା ଓ ସବ୍‌ଜାନ୍‌ତା ଦୃଷ୍ଟିଭଙ୍ଗୀ ଏବଂ ସମ୍ବାଦପତ୍ର ମାଲିକମାନଙ୍କର ରାଜନୈତିକ ସଂପୃକ୍ତି ଏହି ଶିଳ୍ପକୁ ନିୟନ୍ତ୍ରିତ କରି ଆସିଛି । ଆଜି ସମ୍ବାଦପତ୍ର ରାଜଶକ୍ତି ଓ ସାମର୍ଥ୍ୟ ହାତରେ ଆଉ ଗୋଟିଏ ଆୟୁଧ ହୋଇ ଛିଡ଼ା ହୋଇଛି । ସାମ୍ବାଦିକମାନଙ୍କର ତାଲିମ୍‌ ପାଇଁ କୌଣସି ବ୍ୟବସ୍ଥା ସମ୍ବାଦପତ୍ର ଗ୍ରହଣ କରୁ ନଥିବାରୁ ଦିନକୁ ଦିନ ସାମ୍ବାଦିକତା ସମ୍ବନ୍ଧରେ ଗୋଟିଏ ଅଦ୍ଭୁତ ଧାରଣା ଦୃଢ଼ୀଭୂତ ହେବାରେ ଲାଗିଛି । କେତେକ ସାମ୍ବାଦିକ ଭାବି ନେଇଛନ୍ତି ଯେ, ସେମାନେ ପ୍ରାୟ ସବୁକଥା ଜାଣନ୍ତି । ସେମାନଙ୍କର ଏପ୍ରକାର ମାନସିକ ଅବସ୍ଥା ତାଙ୍କୁ ଜଣେ ଜଣେ knowledge-proof ବ୍ୟକ୍ତିରେ ପରିଣତ କରିଦେଇଛି-। ମାତ୍ର ପ୍ରକୃତ ପରିସ୍ଥିତି ତାହାଠାରୁ ଭିନ୍ନ । ଫଳରେ ସାମ୍ବାଦିକର ଅଧିକାର ଅପବ୍ୟବହୃତ ହେଉଛି-। ଏହି ସ୍ୱାଧୀନତାର ଅପବ୍ୟବହାର ଅଭିଯୋଗ କେବଳ ଆଜି ନୁହେଁ, ଦ୍ୱିତୀୟ ମହାଯୁଦ୍ଧ ସମୟରେ ଫ୍ରାନ୍‌ସରେ ବି ହୋଇଥିଲା । କ୍ଷମତା ମଣିଷକୁ ଦୁର୍ନୀତିଗ୍ରସ୍ତ କରେ ଏବଂ ଅବାଧ କ୍ଷମତା ଅବାଧ ଦୁର୍ନୀତିଗ୍ରସ୍ତ କରିବା କଥା ସାମ୍ବାଦିକମାନଙ୍କର କ୍ଷେତ୍ରରେ ମଧ୍ୟ ପ୍ରଯୋଜ୍ୟ ବୋଲି ସେଠାରେ ମତପ୍ରକାଶ ପାଇଥିଲା । Every human instution is liable to be abused and every liberty, if left unbridled, has the tendency to become a licence.

 

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜେଫରସନ୍‌ ଏକଦା କହିଥିଲେ, ଯଦି ତାଙ୍କୁ ସମ୍ବାଦପତ୍ରବିହୀନ ସରକାର ଏବଂ ସରକାର ବିହୀନ ସମ୍ବାଦପତ୍ର ଭିତରୁ କୌଣସି ଗୋଟିଏକୁ ବାଛିବାକୁ କୁହାଯାଏ, ତାହାହେଲେ ସେ ନିର୍ବିବାଦରେ ଦ୍ୱିତୀୟଟିକୁ ଅର୍ଥାତ୍‌ ସରକାରବିହୀନ ସମ୍ବାଦପତ୍ର ପରି ଏକ ବ୍ୟବସ୍ଥାକୁ ଅଧିକ ପସନ୍ଦ କରିବେ । ଜେଫରସନ୍‌ଙ୍କ ଏହି ଯୁକ୍ତିରୁ ଗୋଟିଏ ସୁସ୍ଥ, କାର୍ଯ୍ୟକ୍ଷମ ଏବଂ ବିକଶିତ ଗଣତନ୍ତ୍ର ପାଇଁ ସମ୍ବାଦପତ୍ରର ଅନିବାର୍ଯ୍ୟତା ସହଜରେ ବୁଝିହୁଏ । ଏହି ପ୍ରକାର ଏକ ଉପଲବ୍‌ଧି ଯୋଗୁଁ ୧୯୭୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନର ପ୍ରଥମ ସଂଶୋଧନରେ ସମ୍ବାଦପତ୍ରକୁ ଅକୁଣ୍ଠ ସ୍ୱାଧୀନତା ଦେବାର ସାମ୍ବିଧାନିକ ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ଉଲ୍ଲେଖ ଥିଲା ଯେ, The Congress shall make no law abridging the freedom of speech of the press. ସମ୍ଭବତଃ କେବଳ ଆମେରିକା ହିଁ ସମ୍ବାଦପତ୍ରକୁ ଏପ୍ରକାର ଅବାଧ ସ୍ୱାଧୀନତା ଦେବା କ୍ଷେତ୍ରରେ ପ୍ରଥମ ରାଷ୍ଟ୍ର ।

 

ଭାରତବର୍ଷର ସମ୍ବାଦପତ୍ରମାନଙ୍କ ପାଇଁ ସମ୍ବିଧାନରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ମୌଳିକ ଅଧିକାର ସଂପର୍କରେ ଉଲ୍ଲିଖିତ ଧାରା ୧୯(କ)ରେ ନାଗରିକମାନଙ୍କ ପାଇଁ ଯେଉଁ ବାକ୍‌ ସ୍ୱାଧୀନତାର ଅଧିକାର ପ୍ରଦତ୍ତ କରାଯାଇଛି, ସେଇଥିରୁ ହିଁ ସମ୍ବାଦପତ୍ର ତା’ର ସ୍ୱାଧୀନତା ଆହରଣ କରିଛି । ୧୯୫୦ ମସିହାରେ ରମେଶ ଥାପ୍ପର ବନାମ ମଧ୍ୟପ୍ରଦେଶ ସରକାର ମାମଲାରେ ରାୟ ଦେଇ ମାନ୍ୟବର ସୁପ୍ରିମ୍‌ କୋର୍ଟ ଅବଶ୍ୟ ଏହାକୁ ଆଇନଗତ ମାନ୍ୟତା ପ୍ରଦାନ କରିଛନ୍ତି । ମାତ୍ର ସ୍ୱାଧୀନତା କହିଲେ ଯଦି ପରାଧୀନତାର ଅନୁପସ୍ଥିତି କଥା କୁହାଯାଏ, ତାହାହେଲେ ଭାରତବର୍ଷର ସମ୍ବାଦପତ୍ରଗୁଡ଼ିକ ଯେ ସ୍ୱାଧୀନ ନୁହନ୍ତି, ତାହା ସ୍ପଷ୍ଟ ବୁଝାପଡ଼ିବ । କାରଣ:

 

୧.

ଜଣେ ସାଧାରଣ ନାଗରିକ ଅପେକ୍ଷା ସରକାର ତଥ୍ୟ ସଂଗ୍ରହ ନିମନ୍ତେ ସମ୍ବାଦପତ୍ରର କୌଣସି ଅଧିକ ସାମ୍ବିଧାନିକ ଅଧିକାର ନାହିଁ ।

 

 

୨.

ସମ୍ବାଦପତ୍ରରେ ପ୍ରକାଶିତ କୌଣସି ସମ୍ବାଦକୁ ଯଦି କେହି ନ୍ୟାୟାଳୟରେ ଚ୍ୟାଲେଞ୍ଜ କରେ, ତାହାହେଲେ ସମ୍ବାଦଟିର ଉତ୍ସ ଗୋପନ ରଖିବାର ଅଧିକାର ସମ୍ବାଦପତ୍ରର ନାହିଁ ।

 

 

୩.

ସମ୍ବାଦପତ୍ର କାର୍ଯ୍ୟାଳୟ ବା ସାମ୍ବାଦିକଙ୍କ ବାସଭବନରେ ପ୍ରଶାସନର ଚଢ଼ାଉ ଅଥବା ତା’ର ଗୋପନ କାଗଜପତ୍ର ଜବତ ହେବା ପରି ଘଟଣା ଘଟିଲେ ତାହାକୁ ବିରୋଧ କରିବାର କୌଣସି ସାମ୍ବିଧାନିକ ଅଧିକାର ସମ୍ବାଦପତ୍ର ବା ସାମ୍ବାଦିକଙ୍କର ନାହିଁ ।

 

ସମ୍ବାଦପତ୍ର ବା ସମ୍ବାଦପତ୍ର ଶିଳ୍ପକୁ ଅନେକେ ଏକ ଉଦ୍ଭଟ କାରବାର ବୋଲି ଅଭିହିତ କରିଛନ୍ତି । ଏଭଳି ଭାବେ ଅଭିହିତ କରିବାର କାରଣ ହେଲା:

 

୧.

ସମ୍ବାଦପତ୍ର ନିର୍ଦ୍ଦିଷ୍ଟ ରୂପେ ଏକ ବ୍ୟବସାୟ ନୁହେଁ । କାରଣ ଏହା କେବଳ ବ୍ୟବସାୟ ହୋଇଥିଲେ ଲାଭ-କ୍ଷତିର ପରିଭାଷାରେ ହିଁ ଏହାର କାର୍ଯ୍ୟ ସୀମିତ ରହନ୍ତା । ଔଚିତ୍ୟବୋଧ, ସଂଯମ ଏବଂ ମୂଲ୍ୟବୋଧ ପ୍ରତିଷ୍ଠା ପରି ସାମାଜିକ ଦାୟିତ୍ୱ ଏହା ଉପରେ ରହନ୍ତା ନାହିଁ ।

 

 

୨.

ଏହା ମଧ୍ୟ କେବଳ ଏକ ଜନସେବାକାରୀ ଅନୁଷ୍ଠାନ ନୁହେଁ । ତାହା ହୋଇଥିଲେ ମାଗଣାରେ ସମ୍ବାଦପତ୍ର ପ୍ରକାଶ ପାଆନ୍ତା ଏବଂ ବଣ୍ଟା ହୁଅନ୍ତା । ସାମ୍ବାଦିକମାନେ ମଧ୍ୟ ସ୍ୱେଚ୍ଛାସେବୀ ଭାବେ କାମ କରିଚାଲନ୍ତେ ।

 

 

୩.

ଏହା ମଧ୍ୟ ଏକ ରାଜନୈତିକ ମଞ୍ଚ ନୁହେଁ । ରାଜନୈତିକ ମଞ୍ଚ ହୋଇଥିଲେ ଏହା କେବଳ ନିର୍ଦ୍ଦିଷ୍ଟ ଦଳର ନୀତି ଓ ଆଦର୍ଶକୁ ହିଁ କାର୍ଯ୍ୟକାରୀ କରନ୍ତା । ତାହାହେଲେ ସମ୍ବାଦପତ୍ର କ’ଣ-? ଏହାର ଅନେକ ପ୍ରକାର ପରିଭାଷା ରହିଛି । ଆମେରିକାର ଗ୍ରହଣୀୟ ଏକ ପରିଭାଷା ଅନୁସାରେ ଏହା ଆଧୁନିକ ସଭ୍ୟତାରୁ ଉଦ୍ଭୁତ ଏଭଳି ଏକ ଅନୁଷ୍ଠାନ ଯାହା ଦୈନନ୍ଦିନ ଘଟଣାର ବିବରଣୀ ପ୍ରକାଶ କରିବ, ବିଜ୍ଞାପନ ପ୍ରକାଶ ମାଧ୍ୟମରେ ସମାଜର ଶିଳ୍ପ ଓ ବାଣିଜ୍ୟର ବିକାଶ ସାଧନ କରିବ, ସମାଜର ଜନମତକୁ ନେତୃତ୍ୱ ଦେବ ଏବଂ ପୃଥିବୀର କୌଣସି ସମ୍ବିଧାନ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରି ନଥିବା ଏକ ଅଙ୍କୁଶ ଭାବେ ସରକାରର ସାମ୍ନା କରିବ ।

 

ସମ୍ବାଦପତ୍ର ଶିଳ୍ପ କ୍ଷେତ୍ରରେ ଜୋସେଫ ପୁଲିଜର ଜଣେ ଅତ୍ୟନ୍ତ ସମ୍ମାନାସ୍ପଦ ବ୍ୟକ୍ତି । ୧୮୬୪ ମସିହାରେ ସେ କପର୍ଦକଶୂନ୍ୟ ଭାବେ ହଙ୍ଗେରୀରୁ ଆସି ଆମେରିକାରେ ପହଞ୍ଚିଥିଲେ । ୧୮୭୮ରେ ସେ ସେଣ୍ଟ୍‌ଲୁଇ ଡେସ୍‌ପାଚର ପ୍ରତିଷ୍ଠା କରିଥିଲେ ଓ ତା’ପରେ ନ୍ୟୁୟର୍କର ପ୍ରସିଦ୍ଧ ‘‘ନ୍ୟୁୟର୍କ ୱାର୍ଲଡ୍‌’’ ଦଖଲ କରିଥିଲେ । ସମ୍ବାଦପତ୍ର ଶିଳ୍ପକୁ କିଭଳି ସଫଳତାର ଶିଖରକୁ ନିଆଯାଇପାରେ, ଏକଥା ପୁଲିଜର ନ୍ୟୁୟର୍କ ୱାର୍ଲଡ୍‌ ଦଖଲ କରିବାର ମାତ୍ର ୪ ବର୍ଷ ଭିତରେ ଏହି ସମ୍ବାଦପତ୍ରର ପ୍ରସାର ସଂଖ୍ୟା ୨୦ ହଜାରରୁ ୨ଲକ୍ଷ ୫୦ ହଜାରକୁ ବୃଦ୍ଧି କରାଇ ପ୍ରମାଣିତ କରିଥିଲେ । ସେ କହିଥିଲେ, There is room for journal that is not only cheap but bright, not only bright but large, not only large but truely democratic dedicated to the cause of the people rather than to that of the purse of the potentates-devoted more to the news of the New World than the Old World-that will expose all fraud and sham, all public evils and abuses-that will battle for the people with earnest sincerity.

 

ଏ ଉଦ୍ଧୃତିରୁ ସମ୍ବାଦପତ୍ର ପାଖରୁ ସମାଜର ସୁଦୀର୍ଘ ପ୍ରତ୍ୟାଶାର ପରିଚୟ ମିଳେ । ଏହି ସାଧାରଣ କଥାକୁ ବହୁ ବ୍ୟକ୍ତି, ବହୁ ଅନୁଷ୍ଠାନ ଏବଂ ବିଭିନ୍ନ ନ୍ୟାୟାଳୟ ଭିନ୍ନ ଭିନ୍ନ ଭାବରେ ଉପସ୍ଥାପନ କରିଛନ୍ତି । ଏହି ପ୍ରତ୍ୟାଶାମାନଙ୍କ ମଧ୍ୟରୁ ହିଁ ସାମାଜିକ କର୍ତ୍ତବ୍ୟ ପ୍ରଶ୍ନ ଆପେ ଆପେ ଆସୁଛି ଏବଂ ସେହି କର୍ତ୍ତବ୍ୟଗୁଡ଼ିକ ହେଲା:

 

୧.

ସମ୍ବାଦପତ୍ରର କାମ ହେଲା ତା’ର ସଂପାଦକ ଓ ସହ-ସଂପାଦକମାନେ ନିର୍ଦ୍ଦିଷ୍ଟ ପ୍ରଶ୍ନ ଉପରେ କ’ଣ ବିଚାର କରୁଛନ୍ତି, ତାହା ସମଗ୍ର ଜାତିକୁ ଜଣାଇବେ । ସେଥିପାଇଁ ସାମ୍ବାଦିକମାନେ ବିଚକ୍ଷଣ, ଧୀଶକ୍ତି ସମ୍ପନ୍ନ ଏବଂ ବୁଦ୍ଧିମାନ୍‌ ହେବା ଆବଶ୍ୟକ । ସେମାନଙ୍କର ବୌଦ୍ଧିକ ତାଲିମ ଓ ଜ୍ଞାନ ଅନାସକ୍ତ ଭାବେ ଯେକୌଣସି ପ୍ରସଙ୍ଗ ଅନୁଶୀଳନ ପାଇଁ ସମର୍ଥ ହେବା ପ୍ରୟୋଜନ ।

 

 

୨.

ସମ୍ବାଦପତ୍ର ତା’ର କର୍ତ୍ତବ୍ୟ ସମ୍ପାଦନ ବେଳେ ତାହା ସମାଜ ଉପରେ କି ପ୍ରଭାବ ପକାଇବ, ସେ ସମ୍ବନ୍ଧରେ ପୂର୍ବାନୁମାନ କରିବା ଏକାନ୍ତ ଆବଶ୍ୟକ ।

 

 

୩.

ସମ୍ବାଦପତ୍ରର ସ୍ୱାଧୀନତା ସମଗ୍ର ମଣିଷ ଜାତିର ସ୍ୱାଧୀନତା । ଏହି ସ୍ୱାଧୀନତାର ବ୍ୟବହାର ବେଳେ ସାମ୍ବାଦିକ ସମସ୍ତ ପ୍ରକାର ସଂକୀର୍ଣ୍ଣ ସ୍ୱାର୍ଥ ଓ ତାତ୍‌କାଳିକ ପ୍ରୟୋଜନର ଊଧ୍ୱର୍କୁ ଉଠିବା ଉଚିତ ଇତ୍ୟାଦି ଇତ୍ୟାଦି ।

 

ମାତ୍ର ଏସବୁ କିଭଳି ସମ୍ଭବ ? ମୁକ୍ତ ବଜାର ଅର୍ଥନୀତି ପରେ ସମ୍ବାଦପତ୍ର ପାଇଁ ଗୋଟିଏ ବଡ଼ ସମସ୍ୟା ଆସି ପହଞ୍ଚିଛି । କ୍ରମେ ବିଦେଶୀ ମଲ୍‌ଟିନ୍ୟାସ୍‌ନାଲ୍‌ କମ୍ପାନୀଗୁଡ଼ିକ ଭାରତକୁ ସମ୍ବାଦପତ୍ର ବ୍ୟବସାୟ କରିବାକୁ ଆଗେଇ ଆସୁଛନ୍ତି । ସେହି ମାଲିକମାନଙ୍କର ସାମାଜିକ କର୍ତ୍ତବ୍ୟ କ’ଣ ହେବ ? କୋଉ ସମାଜ ପାଇଁ ସେମାନେ ଅଙ୍ଗୀକାରବଦ୍ଧ ହେବେ ? ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ଇଂଲଣ୍ଡ୍‌ ନା ଭାରତ କେଉଁ ଦେଶ ପ୍ରତି ଅଧିକ ଅନୁଗତ ଥିଲା ? ଏବେଠାରୁ ଭାରତବର୍ଷର ଖବରକାଗଜମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଲାଣି । ‘ଆଉଟ୍‌ଲୁକ୍‌’ ପତ୍ରିକା ପ୍ରକାଶ ପାଇବା ପରେ ଦୀର୍ଘ ଦିନର ପ୍ରତିଷ୍ଠିତ ପାକ୍ଷିକ ପତ୍ରିକା ‘ଇଣ୍ଡିଆ ଟୁଡେ’ ସାପ୍ତାହିକ ହେବାକୁ ବାଧ୍ୟ ହେଲା । ୨୦୦୦ ମସିହା ସୁଦ୍ଧା ‘ଇଣ୍ଡିଆ ଟୁଡେ’ ତା’ର ନାମକରଣର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଯଦି ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଏ, ତାହାହେଲେ ଆମେ ଆଶ୍ଚର୍ଯ୍ୟ ହେବାନାହିଁ । ଏହି ସମ୍ବାଦପତ୍ରଗୁଡ଼ିକ ବର୍ତ୍ତମାନ ମାଗଣାରେ ବଣ୍ଟା ହେଲା ପରି ବଣ୍ଟା ହେଉଛନ୍ତି । ତା’ର କାରଣ, ଏ ବ୍ୟବସାୟ ଯେ ରାତାରାତି ଲାଭଜନକ ହୋଇପଡ଼ିଛି ତାହା ନୁହେଁ, ଏହା ପଛରେ ପ୍ରଭାବଶାଳୀ ଟଙ୍କା କାମ କରୁଛି । ହିନ୍ଦୀ ସିନେମା ସହ ଅଣ୍ଡରୱାର୍ଲଡ୍‌ ସଂପର୍କ ପରିଏହି ସମ୍ବାଦପତ୍ର ଶିଳ୍ପ ଦିନେ କଳାଟଙ୍କାର କବଳିତ ହେବ କି ନା ତାହା କହିହେବ ନାହିଁ । କାରଣ ସମ୍ବାଦପତ୍ର ହାତରେ ସେହି ଶକ୍ତି ଅଛି ଯାହାକୁ ବ୍ୟବହାର କରି ଜଣେ ଶାସନଗାଦିକୁ ଆଉଁସି ପାରିବ, କିମ୍ବା ତାକୁ ଆମ୍ପୁଡ଼ି ପାରିବ ।

 

ଆଗାମୀ ଶତାବ୍ଦୀର ମଣିଷ ସମାଜକୁ କିଏ ନିୟନ୍ତ୍ରଣ କରିବ ? ଏଭଳି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେପ୍ଟେମ୍ବର-ଅକ୍ଟୋବର ‘SPAN’ ପତ୍ରିକାରେ ବିଶ୍ୱବ୍ୟାଙ୍କର ପରାମର୍ଶଦାତା ବେନ୍‌ ବି. ବ୍ରୁଥ କହିଛନ୍ତି, Not America, China, India or Japan, if present trends continue, the giant multinational corporations will hold the power in the 21st Century.

 

ସେ ଧରଣର ବହୁଜାତୀୟ କମ୍ପାନୀ ଦ୍ୱାରା ପ୍ରକାଶିତ ସମ୍ବାଦପତ୍ର ଭାରତର ମୂଲ୍ୟବୋଧ, ସାମାଜିକ ବ୍ୟବସ୍ଥା ପ୍ରତି ନୁହେଁ, ବର୍ତ୍ତମାନର ଭାରତୀୟ ସମ୍ବାଦପତ୍ର ଶିଳ୍ପ ପାଇଁ ଯେ ଏକ ଚ୍ୟାଲେଞ୍ଜ ହୋଇଉଠିବ, ସେଥିରେ ଦ୍ୱିମତର ଅବକାଶ ନାହିଁ । ବିଭିନ୍ନ ସମୟରେ ଦେଖାଦେଇଛି ଯେ ଭାରତୀୟମାନେ ଖୁବ୍‌ ଭାବପ୍ରବଣ ଜାତି । ଅନ୍ଧ ଭାବପ୍ରବଣତା ସାଙ୍ଗକୁ ଭାରତୀୟ ସମାଜର ଦାରିଦ୍ର୍ୟ ତାହାକୁ ଏଭଳି ସ୍ପର୍ଶାତୁର ଅବସ୍ଥାରେ ନେଇ ଥୋଇଛି, ଯୋଉଠି ସାମାନ୍ୟ ସାମାନ୍ୟ ଆକର୍ଷଣ ଅନେକ ମ୍ୟାଜିକ୍‌ ଦେଖାଇପାରେ ।

 

ଆଉଥରେ ପୁନରାବୃତ୍ତି କରୁଛି, ସମ୍ବାଦପତ୍ରର ସ୍ୱାଧୀନତା ଏବଂ ସାମାଜିକ ଦାୟିତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ କେବଳ ନୁହେଁ, ଏକ ଜଟିଳ ପ୍ରଶ୍ନ । ଦୁଃଖର କଥା, ଏ ଦିଗ ପ୍ରତି ସାମ୍ବାଦିକ ଓ ସମ୍ବାଦପତ୍ର କର୍ମଚାରୀମାନେ ଯେତିକି ଗୁରୁତ୍ୱ ଦେବା କଥା ଦେଉନାହାନ୍ତି । ଅଳ୍ପ ଦରମା, ସ୍ୱଳ୍ପ ପ୍ରସାରଣ, ଅଳ୍ପ ମୁନାଫା ଓ ସ୍ୱଳ୍ପ ଦରମାର ଗୋଟେ ବିଷଚକ୍ର ଭିତରେ ସେମାନେ ଆବଦ୍ଧ । ଏ ଦିଗରେ ମୋର କେତୋଟି ପ୍ରସ୍ତାବ ନିମ୍ନମତେ ଉଲ୍ଲେଖ କରୁଛି-

 

୧.

କୌଣସି ଗଣତନ୍ତ୍ର ମୁକ୍ତ ଓ ଅବାଧ ସମ୍ବାଦପତ୍ର ବିନା ବର୍ତିପାରିବ ନାହିଁ । ସମ୍ବାଦପତ୍ରଗୁଡ଼ିକ କେବଳ ବ୍ୟବସାୟ କରନ୍ତି ନାହିଁ, ସେମାନେ ସାକ୍ଷରତା ଅଭିଯାନ ପରି ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରନ୍ତି । କାରଣ ଏପର୍ଯ୍ୟନ୍ତ ଅନେକ ଗାଁ ପାଇଁ ସମ୍ବାଦପତ୍ର ହିଁ ହେଉଛି ଏକମାତ୍ର ଉପଲବ୍‌ଧ ପଠନ ସାମଗ୍ରୀ । ସରକାର ସେ ଦୃଷ୍ଟିରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରି ନ୍ୟୁଜ୍‌ପ୍ରିଣ୍ଟ୍‌କୁ ଲେଭିମୁକ୍ତ କରିବା ପ୍ରୟୋଜନ । ବିଭିନ୍ନ ଯୋଜନାରେ ବିନର୍ବ୍ୟୟ ହେଉଥିବା କୋଟି କୋଟି ଟଙ୍କାରୁ କିଛି ସମ୍ବାଦପତ୍ର ଶିଳ୍ପର ଉନ୍ନତି ନିମନ୍ତେ ଖର୍ଚ ହେବା ପ୍ରୟୋଜନ ।

 

 

୨.

ସାମ୍ବାଦିକଙ୍କ ସ୍ୱାଧୀନତା ପାଇଁ ସେମାନଙ୍କୁ ତଥ୍ୟ ଜାଣିବାର ସାମ୍ବିଧାନିକ ଅଧିକାର ମିଳିବା ଆବଶ୍ୟକ । ପ୍ରତ୍ୟେକ ସାମ୍ବାଦିକଙ୍କୁ ସମାନ ପ୍ରକାର ସରକାରୀ ସ୍ୱୀକୃତି ମିଳିବା ପ୍ରୟୋଜନ । କେତେକଙ୍କୁ ଆକ୍ରେଡିଟେଡ୍‌ ଓ ଆଉ କେତେକଙ୍କୁ ଅଣଆକ୍ରେଡିଟେଡ୍‌ କରି ସେମାନଙ୍କ ଭିତରେ ବିଭାଜନ ସୃଷ୍ଟି କରିବା ଅପେକ୍ଷା ସମସ୍ତଙ୍କୁ ସର୍ବନିମ୍ନ ସୁବିଧା ଦେଇ ବାସଗୃହ, ଗାଡ଼ିଭଡ଼ା ପରି ଖର୍ଚ ସଂପୃକ୍ତ ସମ୍ପାଦପତ୍ର ମାଲିକଙ୍କ ଉପରେ ନ୍ୟସ୍ତ କରିଦିଆଯିବା ପ୍ରୟୋଜନ ।

 

 

୩.

ବିଜ୍ଞାପନ ନୀତିରେ ପରିବର୍ତନ ହେବା ଉଚିତ ଏବଂ ପ୍ରସାର ସଂଖ୍ୟା ଲୋକପ୍ରିୟତାହିଁ ଏହି ଦର ନିର୍ଧାରଣର ମାପକାଠି ହେବା ଆବଶ୍ୟକ ।

 

 

୪.

କେତେ ପୃଷ୍ଠାର ସମ୍ବାଦପତ୍ରର ମୂଲ୍ୟ କେତେ ରହିବ, ସେ ନେଇ ଭାରତୀୟ ସମ୍ବାଦପତ୍ର ସଂଘ ଏକ ମତୈକ ସୃଷ୍ଟି କରିବା ଆବଶ୍ୟକ । ପରସ୍ପର ଭିତରେ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା ଏବେ ଖବରକାଗଜକୁ ମାଗଣା ବାଣ୍ଟିବା ସ୍ତରକୁ ନେଇଆସିବା ଫଳରେ କଳାଟଙ୍କାର କରାମତି ଅନୁଭୂତ ହେଉଛି । ଏଭଳି ପ୍ରତିଯୋଗିତା ଭାରତୀୟ ସମ୍ବାଦପତ୍ର ଶିଳ୍ପ ପାଇଁ ଶୁଭଙ୍କର ନୁହେଁ ।

 

 

୫.

ଆଞ୍ଚଳିକ ଭାଷାର ସମ୍ବାଦପତ୍ରମାନଙ୍କ ପାଇଁ ସରକାରଙ୍କ ବିଜ୍ଞାପନ ନୀତି ନିର୍ଦ୍ଦିଷ୍ଟ ହେବା ପ୍ରୟୋଜନ । ପ୍ରସାର ସଂଖ୍ୟାର ତନଖି କାମ ଓ ପ୍ରେସ୍‌ ରେଜିଷ୍ଟ୍ରେସନ୍‌ ଆଇନ ମଧ୍ୟ ସରଳ ହେବା ପ୍ରୟୋଜନ ।

 

 

୬.

ସମ୍ବାଦପତ୍ରଗୁଡ଼ିକ ସରକାରୀ ତଥ୍ୟ ଓ ବ୍ୟବସ୍ଥା ଉପରୁ ନିର୍ଭରଶୀଳତା କମେଇ ନିଜେ ସେସବୁ ସଂଗ୍ରହ କରିବାର ବ୍ୟବସ୍ଥା କରିବା ପ୍ରୟୋଜନ । ଏଥିପାଇଁ ଦକ୍ଷ ସାମ୍ବାଦିକଙ୍କୁ ସମ୍ମାନଜନକ ବେତନ ଦେଇ ନିଯୁକ୍ତ କରାଯିବା ଆବଶ୍ୟକ । କାରଣ ଦୁର୍ବଳ ସାମ୍ବାଦିକ ଅପେକ୍ଷା ଅନୁପସ୍ଥିତ-ସାମ୍ବାଦିକ ଅଧିକ ସ୍ପୃହଣୀୟ ।

 

 

୭.

ବରିଷ୍ଠତା ନୁହେଁ, ଦକ୍ଷତା ଭିତ୍ତିରେ ହିଁ ସମ୍ବାଦପତ୍ର କର୍ମଚାରୀମାନଙ୍କ ଦରମା, ଭତ୍ତା ଓ ପେନ୍‌ସନ୍‌ ନିର୍ଧାରିତ ହେବା ଆବଶ୍ୟକ । ତାହା ନହେଲେ ଭଲ ସାମ୍ବାଦିକ କଦାପି କମ୍‌ ଦରମାରେ ରହିବେ ନାହିଁ । ବରିଷ୍ଠତାର ଦ୍ୱାହି ଦେଇ ସାମ୍ବାଦିକ ଓ କର୍ମଚାରୀଙ୍କ ସ୍ୱାର୍ଥ କଥା ଉଠାଉଥିବା ବ୍ୟକ୍ତି ପ୍ରକୃତପକ୍ଷେ ସମ୍ବାଦପତ୍ରର ହିଁ କ୍ଷତି ସାଧନ କରନ୍ତି ।

 

 

୮.

ସମ୍ବାଦପତ୍ରଗୁଡ଼ିକ ରାଜନୀତି-ମୁକ୍ତ ହେବା ପ୍ରୟୋଜନ । ତାହା ନହେଲେ ସେମାନେ କଦାପି ପୂର୍ଣ୍ଣ ଗ୍ରହଣଯୋଗ୍ୟ ହାସଲ କରିପାରିବେ ନାହିଁ । ସାମ୍ବାଦିକମାନେ ଅଣସାମ୍ବାଦିକ ବୃତ୍ତିରୁ ନିବୃତ୍ତ ହେବା ପ୍ରୟୋଜନ ।

 

 

୯.

ଗ୍ରାମାଞ୍ଚଳଠୁ ନେଇ ନଗରାଞ୍ଚଳ ସାମ୍ବାଦିକଙ୍କ ବୌଦ୍ଧିକ ବିକାଶ ନିମନ୍ତେ ପ୍ରତି ବର୍ଷ ତାଲିମ ଆବଶ୍ୟକ ଏବଂ ସାମ୍ବାଦିକମାନେ ନିଜକୁ ସାମନ୍ତବାଦୀ ଧାରଣାଠାରୁ ମୁକ୍ତ କରିବା ଆବଶ୍ୟକ । ଅଧିକାଂଶ ସମୟରେ ସାମ୍ବାଦିକମାନେ ପ୍ରାୟତଃ ଅତିଥିସୁଲଭ ଚର୍ଚ୍ଚା ପାଖାପାଖି ସେବା ଦାବି କରିଥାନ୍ତି । ମାତ୍ର ସେମାନେ ସ୍ମରଣ ରଖିବା ଆବଶ୍ୟକ ଯେ, ସେହିମାନେ କେବଳ କଷ୍ଟ କରୁନାହାନ୍ତି, ଭାରତର ବହୁ ଲୋକ ସେମାନଙ୍କଠାରୁ ଅଧିକ ପରିଶ୍ରମ କରୁଛନ୍ତି । ସିଆଚୀନ ଅଞ୍ଚଳରେ ସୀମାନ୍ତ ଜଗୁଥିବା ସୈନିକ ଚରମ ଶୀତରେ ନ ଖାଇ, ନ ଗାଧୋଇ, ପ୍ରାୟ ତିନି ତିନିମାସ ଘର ପରିବାରରୁ ଦୂରରେ ରହି ସୁଦ୍ଧା କାମ କରିଥାନ୍ତି ।

 

 

୧୦.

ସାମ୍ବାଦିକମାନେ ସାଧାରଣ ବ୍ୟକ୍ତିର ସ୍ୱାଧୀନତା, ତା’ର ଆପତ୍ତି ଅଭିଯୋଗ, ଦୁଃଖଦୈନ୍ୟ ଏବଂ ସବୁଠୁ ଘୃଣ୍ୟ ବ୍ୟକ୍ତିର ମତାମତ ଶୁଣିବାର ମାନସିକତା ରଖିବା ଆବଶ୍ୟକ । ନିଜର କଲମକୁ ନାଦିରଶାହର ତରବାରୀ ଭାବେ ବ୍ୟବହାର କରିବାର ପ୍ରବଣତାଠାରୁ ସାମ୍ବାଦିକ ବିରତ ହେବା ପ୍ରୟୋଜନ । ପ୍ରସଙ୍ଗତଃ ଉଲ୍ଲେଖ କରିବାକୁ ଚାହୁଁଛି ଯେ, ପ୍ରଥମେ ପ୍ରାୟ ଖ୍ରୀଷ୍ଟପୂର୍ବ ୪୪୯ ବେଳକୁ ରୋମ୍‌ର ସିନେଟ୍‌ ତା’ର କାର୍ଯ୍ୟାବଳୀର ପ୍ରସାର ପାଇଁ ଯେଉଁ ପଦକ୍ଷେପ ନେଇଥିଲା, ତହିଁରୁ ସମ୍ବାଦପତ୍ର ପରିକଳ୍ପନା ଜନ୍ମ ନେଇଥିଲା । ସେତେବେଳେ ଛାପା ମେସିନ୍‌ ବାହାରି ନଥିଲା । ଶିକ୍ଷିତ କ୍ରୀତଦାସମାନେ ହିଁ ସେହି କାମ କରୁଥିଲେ । ଆଜିର ସାମ୍ବାଦିକମାନେ ନିଜ ମହତ୍ୱାକାଂକ୍ଷା ଏବଂ ସବ୍‌ଜାନ୍‌ତା ଭାବର କ୍ରୀତଦାସ ହୋଇ ନପଡ଼ନ୍ତୁ । ସେତିକି ହୋଇପାରିଲେ ସାମ୍ବାଦିକ ତା’ର ସାମାଜିକ ଦାୟିତ୍ୱ ପୂରଣ କ୍ଷେତ୍ରରେ ଅନେକଟା ଅବଦାନ ଦେଇପାରିବ ।

 

ସମ୍ବାଦ, ୪ ଅକ୍ଟୋବର, ୧୯୯୭

Image

 

ସନ୍ଦେହ-ଅବିଶ୍ୱାସ

 

୨୦୧୧ ଜୁଲାଇ ୨୧ ତାରିଖରେ ସିଣ୍ଢୋଲ ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ବୁଝାମଣାପତ୍ର ଦସ୍ତଖତ ହୋଇଥିବା ଖବର ପ୍ରଚାରିତ ହେବାମାତ୍ରେ, ଦଳମତ ନିର୍ବିଶେଷରେ ପଶ୍ଚିମ ଓଡ଼ିଶାରେ ଯେଉଁ ପ୍ରତିକୂଳ ପ୍ରତିକ୍ରିୟା ପ୍ରକାଶ ପାଇଛି ତାହା ଯେମିତି ଅଦ୍ଭୂତପୂର୍ବ, ସେମିତି ଉଦ୍‌ବେଗଜନକ । ପଶ୍ଚିମ ଓଡ଼ିଶାର ବିଭିନ୍ନ କ୍ରିୟାନୁଷ୍ଠାନ ଖୋଲାଖୋଲି କହିସାରିଲେଣି, କୌଣସି ପ୍ରକାରେ ସେମାନେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦେବେ ନାହିଁ । ସେମାନେ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ମିଥ୍ୟା କହୁଛନ୍ତି, ଭୁଆଁ ବୁଲଉଛନ୍ତି ଏବଂ ସେମାନଙ୍କ ସହ ପ୍ରତାରଣା କରୁଛନ୍ତି । ଗୋଟିଏ ଗାଣତନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ସରକାର ହେଉଛନ୍ତି ଜନସାଧାରଣଙ୍କ ପ୍ରତିନିଧି । ଲୋକଙ୍କ ପକ୍ଷରୁ ଏହି ପ୍ରତିନିଧି ହିଁ ରାଜ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥାଆନ୍ତି । ମାତ୍ର ଯେଉଁଠି ସରକାରଙ୍କ ପ୍ରତି ଜନସାଧାରଣଙ୍କ ମନରେ ଏଭଳି ଭୟଙ୍କର ସନ୍ଦେହ ଓ ଅବିଶ୍ୱାସ ସେଠାରେ କିଭଳି ସରକାର ନିଜର ଯୋଜନାକୁ କାର୍ଯ୍ୟକାରୀ କରିବେ ?

 

ପଶ୍ଚିମ ଓଡ଼ିଶାରେ ଏହି ଯେଉଁ ସନ୍ଦେହ ଓ ଅବିଶ୍ୱାସ ରହିଛି ତାହାର ମୂଳ କାରଣ, ହୀରାକୁଦ ବିସ୍ଥାପିତଙ୍କ ପ୍ରତି ଅନ୍ୟାୟ ଆଚରଣ ହେଲେ ମଧ୍ୟ ସେ ତାଲିକା ସେଇଠି ସରିନାହିଁ ।

 

ଝାରସୁଗୁଡ଼ାଠାରୁ ପାର୍ବତୀନଗରର ଦୂରତା ପଚାଶ କିଲୋମିଟର ଭିତରେ ହେବ । ନାଁଟା ସହ ନଗର ଶବ୍ଦ ଯୋଡ଼ି ହୋଇ ରହିଥିଲେ ମଧ୍ୟ ଏଇ ବସତି ସହ ନଗର- ସୁବିଧାର କୌଣସି ସମ୍ପର୍କ ନାହିଁ । ଏଇଟି ଗୋଟିଏ ଉଦ୍‌ବାସ୍ତୁମାନଙ୍କ ବସତି । ମହାନଦୀ କୋଲ୍‌ ଫିଲ୍‌ଡର ଲଖନପୁର ଖଣି ପାଇଁ ଦର୍ଲିପାଲିରୁ ବିସ୍ଥାପିତ ହୋଇଥିବା ବାରଟି ହତଭାଗ୍ୟ ପରିବାର ଏଇଠି ରହୁଛନ୍ତି ପ୍ରାୟ ଅଠର ବର୍ଷ ହେଲା । ସେମାନଙ୍କର ଅପରାଧ, ତାଙ୍କର ଗରିବ ଘରକରଣା ତଳେ ମହଜୁଦ୍‌ ଥିଲା ମୂଲ୍ୟବାନ କୋଇଲା । ତେଣୁ ସେମାନଙ୍କୁ ଗାଁରୁ ଉଠିବାକୁ ପଡ଼ିଲା । ଉଠାଗଲା ବେଳେ ସରକାରଙ୍କ ତରଫରୁ ଅନେକ ସ୍ୱପ୍ନ ଦେଖାଇ ଦିଆଯାଇଥିଲା- ତୁମେମାନେ ଯେଉଁଠିକୁ ଯିବ ସେଇଠି ପକ୍କାଘର, ସ୍କୁଲ୍‌, କମ୍ୟୁନିଟି ସେଣ୍ଟର, ଡାକ୍ତରଖାନା, ଦିନରାତି ବିଜୁଳି ସେବା, ପାଇପ୍‌ ପାଣି ମଧ୍ୟ । ତା’ଛଡ଼ା ସମସ୍ତଙ୍କୁ ଦଶ ଡେସିମିଲ୍‌ ଲେଖା ଜମିର ପଟା ମିଳିବ । ସେଇ ଜମିରେ ତୁମେମାନେ ନିଜ ନିଜର ଘର ତୋଳି ଆନନ୍ଦରେ ରହିବ ।

 

କେବେ ନିଜ ଘରକରଣାକୁ ପିଠି କରି ସରକାରଙ୍କର ଟ୍ରକ୍‌ଡାଲା ଉପରେ ଆଳିମାଳିକା ବସ୍ତାଟିଏ ପରି ବସି ଏଠିକି ଆସିଥିଲା ସେ ତାରିଖ ସୁରୁବାଲି ପ୍ରଧାନର ମନେ ନାହିଁ । ଖାଲି କହେ, ଆଜିକୁ ୧୫ ବର୍ଷ ତଳେ ଖଣ୍ଡେ ଖଣ୍ଡେ ପଟା ମିଳିଥିଲା । ସରକାରୀ ବାବୁମାନେ ଏଇ ସାମ୍ନାର ଖଣ୍ଡେ ଇଜମାଲି ପଡ଼ିଆକୁ ଦେଖେଇ ଦେଇ କହିଲେ–ହେଇ, ସେଇ ପଡ଼ିଆରେ ଅଛି ତୁମର ଘରର ଜମି । ତୁମକୁ ମିଳିବ । ଏହା ଭିତରେ କେତେ ଖରା ବର୍ଷା ଶୀତ ବସନ୍ତ ବାହୁଡ଼ି ଗଲେଣି । ସୁରୁବାଲି ଆଉ ଘର କରିପାରି ନାହିଁ, ଘର ପାଇଁ ଜାଗା ପାଇ ନାହିଁ ।

 

ପାର୍ବତୀନଗରର ବିସ୍ଥାପିତ ବସ୍ତିକୁ ଫଟୋରେ ଦେଖିଲେ ଅବଶ୍ୟ ଲାଗିବ ଏଠି ସବୁ ଅଛି । ଗୋଟେ ପକ୍କା ଘରର କାନ୍ଥରେ ବଡ଼ ବଡ଼ ହରଫରେ ଇଂରାଜିରେ ଠାଏ ଲେଖାଯାଇଛି ସପିଙ୍ଗ୍‌ ସେଣ୍ଟର । ମାତ୍ର ପ୍ରକୃତରେ ତାହା ସପିଂ ସେଣ୍ଟର ନୁହେଁ । ସପିଂ ସେଣ୍ଟର ଲାଗି ତିଆରି ହୋଇଥିବା ଗୋଟେ ଘର - ଯାହା ଭିତରେ ଏଇ ବିସ୍ଥାପିତମାନେ ସେହିଦିନୁ ଗୁଞ୍ଜିଗାଞ୍ଜି ହୋଇ ରହୁଛନ୍ତି । ଚଉଦ ବର୍ଷ ତଳେ ଯେଉଁଠି ବାପମା’ ରହୁଥିଲେ ଆଜି ସେଇଠି ସେତିକି ଜାଗାରେ ବାପ-ମାଆ ଓ ସାଙ୍ଗରେ ତାଙ୍କ ପୁଅ ଝିଅ । ସେଇ ଘରେ ସେମାନଙ୍କର ଘରକରଣା, ବାହା ପୁନିଅଁ ଓ ଜନମ ମରଣ । ସେମିତି ଟିକିଏ ଦୂରରେ ଖଡ଼ାମ ପୁନର୍ବସତି କଲୋନି । ତା’ ଅବସ୍ଥା ମଧ୍ୟ ତଦ୍ରୂପ । ଗୋଟେ ପକ୍କାଘର କାନ୍ଥରେ ଲେଖା ହେଇଛି ସ୍କୁଲ୍‌ । ତଳକୁ ‘ଶୁଭ ବିବାହ’ ଓ ଅମୁକର ଅମୁକ ସଙ୍ଗେ ବାହାଘର । ଏଇଥିରୁ କଥାଟି ବୁଝି ହୁଏ । ଏଇଟି ସ୍କୁଲ୍‌ ପାଇଁ ତିଆରି ହୋଇଥିଲା । ମାତ୍ର ସେଠାରେ କେବେ ପାଠ ପଢ଼ାଯାଇ ନାହିଁ । ଏହି ପୁନର୍ବାସ କଲୋନିର ଢଙ୍ଗରଙ୍ଗ ‘ଫିଲ୍ମ ଷ୍ଟୁଡିଓ’ର ଢଙ୍ଗରଙ୍ଗ ପରି । ଷ୍ଟୁଡିଓ ଭିତରେ ବିଭିନ୍ନ ଜାଗାରେ ମିଛିମିଛିକା ଜେଲ୍‌, ଡାକ୍ତରଖାନା, ସ୍କୁଲ୍‌ ଇତ୍ୟାଦି ସାଇନ୍‌ ବୋର୍ଡ ତିଆରି ହୋଇଥାଏ । ଏଠି ବି ସେମିତି । ଠାଏ ଠାଏ ସ୍କୁଲ୍‌, ସପିଂ ସେଣ୍ଟର, ଡିସ୍‌ପେନ୍‌ସାରି ଇତ୍ୟାଦି ଲେଖାଯାଇଥିଲେ ବି ବସ୍ତୁତଃ ସେଗୁଡ଼ିକ ସେହି କାମରେ କୌଣସି ଦିନ ବ୍ୟବହାର ହୋଇନାହାନ୍ତି । ତା’ ଭିତରେ ଟେବୁଲ୍‌ ବେଞ୍ଚ୍‌, କଳାପଟା, ଶିକ୍ଷକ କି ଔଷଧ-ଡାକ୍ତର ନାହାନ୍ତି । ସେସବୁ ଘର ଭିତରେ ଅଲୋଡ଼ା ଜିନିଷପତ୍ର ପରି ମହାନଦୀ କୋଇଲା ଖଣି ଅଞ୍ଚଳର ଲୋକମାନଙ୍କୁ ଆଣି ପକେଇ ଦିଆଯାଇଛି ଚଉଦ ବର୍ଷ ହେଲା । ଚଉଦ ବର୍ଷ ବନବାସରୁ ଫେରି ଆସିଥିଲେ ରାମାୟଣର ରାମଚନ୍ଦ୍ର । ମାତ୍ର ଏମାନଙ୍କ ପୁନର୍ବାସ କଥା ସରକାର ଥରୁଟେ ପାଇଁ ମନେ ପକାଇ ନାହାନ୍ତି ଏଇ ଚଉଦ ବର୍ଷ ଭିତରେ ।

 

ଗୋଟିଏ ଗୋଟିଏ କୋଠରିରେ ବାର ତେର ଜଣ କିପରି ଚଳୁଛନ୍ତି ? ଆମର ପ୍ରଶ୍ନ ଶୁଣି ସ୍ୱର୍ଣ୍ଣ ବାଗର ସ୍ତ୍ରୀ ନିରବ ରହିଥିଲା । ଅଜା-ଆଈ, ମା’-ବାପା, ପୁଅ-ବୋହୂ ସବୁ ଗୋଟିଏ କୋଠରିରେ । ତା’ରି ଭିତରେ ତାଙ୍କର ବିବାହ, ମଧୁଚନ୍ଦ୍ରିକା, ପର୍ବପର୍ବାଣି ଓ ଶ୍ରାଦ୍ଧ ଦିବସ । ବର୍ଷା ପାଣି ଗଳୁଥିବା ଦୁର୍ବଳ ଛାତକୁ ଦେଖେଇ ଦୁବରାଜ କହିଲା- ବର୍ଷା ରାତିରେ ଶୋଇଗଲେ ସମସ୍ୟା-। ପାଣି ଗଳୁଥିବାରୁ ଆମେମାନେ ଚେଇଁକି ବସୁ । ସମସ୍ୟା ହେଲା, ଓଦା କାନ୍ଥରେ ବିଜୁଳି ତାର ଲାଗି ଆମ ପାଇଁ ବିପଦ ଡାକି ଆଣେ । ତା’ ମାଆ କହନ୍ତି, ଏମିତି ଗୋଟେ ବର୍ଷା ଦିନ ସକାଳେ ଆମକୁ ଦର୍ଲିପାଲିରୁ ଉଠେଇ ଆଣି ପକେଇ ଦେଇଥିଲେ । ତା’ପରେ ସମସ୍ତେ ଭୁଲି ଯାଇଛନ୍ତି ଆମକୁ । ଆମର ଜମି ଗଲା, ଘର ଗଲା, ସବୁକଥା ଚାଲିଗଲା । ଆଜି ଆମର ଜାଗା ନାହିଁ, ଘର ନାହିଁ, ଚାକିରି ନାହିଁ, ବିପିଏଲ୍‌ କାର୍ଡ ନାହିଁ, ସ୍କୁଲ୍‌ ନାହିଁ, ଡାକ୍ତରଖାନା ନାହିଁ, ଭବିଷ୍ୟତ ନାହିଁ ...ଆମେ ରାସ୍ତା କଡ଼ର ଭିକାରି ।

 

କିନ୍ତୁ ତୁମକୁ ତ ଘର ପାଇଁ ଜାଗା ମିଳିଥିବ ?

 

ଏ ପ୍ରଶ୍ନର ଉତ୍ତରରେ ସେ କହିଲା, ‘ଶୁଣିଛୁ, ଆମକୁ ଯୋଉ ଜାଗା ମିଳିବା କଥା ତା’ ଉପରେ ୩୩ କେଭି ଲାଇନ୍‌ର ଖୁଣ୍ଟ ପୋତା ଯାଇଛି । ସେ ଜାଗା କିନ୍ତୁ ଦେଖିନୁ । ଆମର ତ ଆଜ୍ଞା କାଠିଖଣ୍ଡିଏ ଉଠେଇବାର ବଳ ନାହିଁ, କଂପାନିର ଲୁହାଖୁଣ୍ଟକୁ କିମିତି ଉଠେଇବୁ ? ଦୁଃଖ ସାଙ୍ଗରେ ବ୍ୟଙ୍ଗ ମିଶେଇ ନିଜ କଷ୍ଟକୁ କିଛି କାଳ ଲାଗି ଭୁଲିବାକୁ ଚାହୁଥିଲା ଭଦ୍ର ମହିଳାଟି । ଏହାପରେ ଆମେ ଆଉ ଗୋଟେ ଗାଁକୁ ଗଲୁ । ସେଇଟିର ନାଁ ମୁଣ୍ଡାପଡ଼ା । ରାସ୍ତାରେ ଗୋଟେ ପଟେ ପୁଞ୍ଜାଏ ଘର ଓ ବାଁ ପଟେ ଅଧା ତିଆରି ଛୋଟ ଛୋଟ ପକ୍କାଘର । ଏଠି ପାଖରେ ଗଢ଼ି ଉଠୁଛି ଇଣ୍ଡ୍‌-ବରାତ ଏନର୍ଜି (ଉତ୍କଳ)ର କାରଖାନା । ଏଥିପାଇଁ ମୁଣ୍ଡାପଡ଼ା ଲୋକଙ୍କର ଚାଷ ଜମିତକ ଚାଲିଯାଇଛି । ସମାରୁ ମୁଣ୍ଡା ସାଙ୍ଗେ ଦେଖାହେଲା । ବୟସ ସତୁରି ଛୁଇଁବ । ତେଲଚିକିଟା କାଳିଆ ଚେହେରା, ଆଖି ପେଜୁଆ । ତେର ଚଉଦ ବୟସ ହେଇଥିଲା, ହୀରାକୁଦ ବନ୍ଧ ପାଇଁ ମାଟି ବୋହିଥିଲେ ସମାରୁ । ସେହିଦିନୁ ଦେଖି ଆସୁଛନ୍ତି କେମିତି ଗୋଟିଏ ପରେ ଗୋଟେ ବନ୍ଧ, କାରଖାନା ଓ ଖଣି ପାଇଁ ଗରିବ ଲୋକମାନେ ଉଦ୍‌ବାସ୍ତୁ ହେଉଛନ୍ତି । ତାଙ୍କ ଘର ପଛ ଯାଏ କଂପାନିର ପାଚିରି (ଜି.ଆଇ ସିଟ୍‌) ମାଡ଼ିଆସିଲାଣି । ଘର ଆଗପଟେ ସାଧାରଣ ରାସ୍ତା । ଝିଅ ବୋହୂମାନେ ଶୌଚ ଯିବା ପାଇଁ ସୁଦ୍ଧା ଟିକିଏ ଆଢୁଆଳ ଜାଗା ନାହିଁ ବୋଲି ବଡ଼ ବିକଳରେ କହନ୍ତି ସେ । ତୁମର ଜମି କୋଉଠି ଥିଲା ବୋଲି ପଚାରିଲେ ସମାରୁ ‘ହେଇ’ କହି ଦେଖେଇ ଦିଅନ୍ତି, ଯେଉଁଠି କଂପାନିର ଲୁହା ତିଆରି ଟାୱାର ଗର୍ବର ସହ ଛିଡ଼ା ହେଇଛି । ଆମକୁ ଦେଖି ପଡ଼ାର ଅନ୍ୟ ଲୋକମାନେ ବି ପାଖକୁ ଆସିଲେ । ସେଇ ଏକାକଥା । ପଚାରିଲୁ, ରାସ୍ତା ସେପଟେ ଯେଉଁ ପକ୍କାଘର ତିଆରି ହେଉଛି ସେଗୁଡ଼ା କାହିଁକି ତିଆରି ହେଉଛି ? ତା’ର ଉତ୍ତର ତାଙ୍କ ପାଖେ ନାହିଁ । ଆମ ଅନୁସନ୍ଧାନରୁ ଜଣାପଡ଼ିଲା, ପ୍ରଥମେ ଚାଷଜମି ଓ ବଗିଚାତକ ନେବା ପରେ ଶେଷକୁ ଏଇ ପଡ଼ାର ଲୋକମାନଙ୍କୁ ଏଠୁ ଉଠେଇ ସେଇଠି ଥୋଇବା ପାଇଁ ବ୍ୟବସ୍ଥା ହେଉଛି ? ମାତ୍ର ସେଠି ଯାଇ ସେମାନେ କରିବେ କ’ଣ ? ଗୋଟେ ଗୋଟେ ବଖୁରିକିଆ ମିଳିଗଲେ କ’ଣ ସବୁ ମିଳିଯିବ ? ଚାଷ ପାଇଁ ଜମି ନାହିଁ, ବାଡ଼ିବଗିଚା ନାହିଁ, ପାଣି ପବନ ନାହିଁ । କ୍ଷତିପୂରଣ ଟଙ୍କା ତ ଚାହୁଁ ଚାହୁଁ ସରିଯିବ । କିନ୍ତୁ ଜୀବନ କ’ଣ ଏତେ ଶୀଘ୍ର ସରିବ ? ମାତ୍ର ତା’ର ଉତ୍ତର କାହାପାଖେ ନାହିଁ । ଏହି ପଡ଼ା ପାଖରୁ ତିଲିଆ ଅଳ୍ପ ଦୂର । ସେଠିକାର ଲୋକମାନଙ୍କ ଭିତରେ ଆତଙ୍କ ଓପିଜିସି ଲାଗି ତାଙ୍କ ଗାଁର ଜମିବାଡ଼ି ଚାଲିଯିବ । ଏଇ କଥାଟି ବାହାରିଛି ଗୋଟେ ଛୋଟିଆ ଖବରକାଗଜରେ, ଯେଉଁଟା ସେ ଅଞ୍ଚଳକୁ ଆଦୌ ଯାଏ ନାହିଁ । ହୀରାକୁଦ ପ୍ରକଳ୍ପ ବେଳେ ବିସ୍ଥାପିତ ଲୋକେ ପୁଣି ଓପିଜିସି ପାଇଁ ବିସ୍ଥାପିତ ହେବେ ! ଦୋହରା ଦୁଃଖ । ଜମିବାଡ଼ିତକ ଚାଲିଗଲେ ସେମାନେ ବଞ୍ଚିବେ କେମିତି ? କଂପାନି ଏଠି ପାଉଁଶ ପୋଖରୀ (ଆସ୍‌ପଣ୍ଡ୍‌) କରିବ, ଆମ ଭାତ ଥାଳି ଉପରେ ପାଉଁଶ ପକେଇ - ତିଲିଆ ସ୍କୁଲ୍‌ର ଶିକ୍ଷକ ଜଣକ ଅଭିଯୋଗ ବାଢୁଥିଲେ ।

 

ଓପିଜିସିକୁ ନେଇ ସବୁଠୁ ବେଶି ଅଭିଯୋଗ ରୁଦ୍ରପ୍ରତାପ ପଣ୍ଡାଙ୍କର । ଏହାଙ୍କ ବିଷୟରେ ‘ସମ୍ବାଦ’ ପ୍ରତିନିଧି ସଂଗ୍ରାମ ସିଂହ କିଛି ଦିନ ତଳେ ବିସ୍ତୃତ ରିପୋର୍ଟ ଲେଖିଛନ୍ତି । ତାଙ୍କ ବୟସ ପାକଳ । ହୀରାକୁଦ ବନ୍ଧ ଯୋଜନାରେ ବୁଡ଼ିଯାଇଥିବା ଅନେକ ଗାଁ ଭିତରୁ ତାଙ୍କ ଗାଁ ଥିଲା ଗୋଟିଏ - ଅଢ଼ାପଢ଼ା । ଚାରି ପାଞ୍ଚ ବର୍ଷର ହେଇଥିଲେ ତାଙ୍କୁ ଗାଁରୁ ଉଠିବାକୁ ପଡ଼ିଲା । ବାବା ବିକ୍ରମ ପଣ୍ଡା ଚାଲିଆସି ବନହରପାଲିରେ ରହିଥିଲେ । ତିନି ଏକର ଜମିରେ ଚାଷବାସ କରି ତାଙ୍କର ପରିବାର ଚଳୁଥିଲେ । ରୁଦ୍ରଙ୍କର ପିଅନ ଚାକିରି ଖଣ୍ଡକ ବି ଥିଲା । ମାତ୍ର ଓପିଜିସି ପାଚେରି ପାଇଁ ତାଙ୍କ ଘର ଉପରେ ବୁଲ୍‌ଡୋଜର୍‌ ଚଳେଇ ଦିଆଗଲା ଗଲା ଜୁନ୍‌ ମାସ ୨୧ ତାରିଖରେ । ଏବେ ସେ ନିରାଶ୍ରୟଙ୍କ ପରି ପଡ଼ିଛନ୍ତି ନିଜ ଝିଅ ଘରେ । ଝିଅ ଆଖିରେ ଆତଙ୍କ - କେଉଁଦିନ ବାପାଙ୍କର ପାଞ୍ଚଜଣିଆ ପରିବାର ଏଠୁ ଯାଇ ଥଇଥାନ ହେବେ । ରୁଦ୍ରଙ୍କର ଅଭିଯୋଗ ସରକାରୀ ଲୋକେ ତାଙ୍କ ସୁନା ଟଙ୍କା ନେଇଗଲେ, ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଗାଡ଼ିରେ ବୋହିଆଣି ଏଇଠି ଛାଡ଼ି ଦେଇଗଲେ । ଏ ପର୍ଯ୍ୟନ୍ତ କିଛି କ୍ଷତିପୂରଣ ପାଇନାହିଁ । ଏ କଥା କହିବାବେଳେ ରୁଢ଼ଭର୍ତି ବୁଢ଼ା ମଣିଷଙ୍କ ଆଖିରେ ଆଖିଏ ଲୁହ । ସାମ୍ନାରେ ଅଳିଆଗଦା ପରି କୁଢ଼ ହେଇଯାଏ ତାଙ୍କ ଭଙ୍ଗାରୁଜା ଘରକରଣାର ଅବଶେଷ । ତାକୁ ନେଇ ସେ କ’ଣ କରିବେ ତାହା ବୁଝିବାକୁ ଅସମର୍ଥ । ସତୁରି ବର୍ଷର ସଂସାର ତାଙ୍କର ସାତ ମିନିଟ୍‌ରେ ଚୂନା ହେଇଗଲା । ତା’ ଭିତରେ ତାଙ୍କର ଛୋଟ ପାଣିପମ୍ପ, ପୁରୁଣା କୁଲର୍‌ଟିଏ ଓ ପଇସାପତ୍ର କୁଆଡ଼େ ହଜିଗଲା । ଏ ସନ ପୁଅଟିର ବାହାଘର କରିବେ ବୋଲି ପ୍ରସ୍ତୁତ ହେଉଥିଲେ । ଏବେ ତ ନିଜ ରକ୍ଷଣ ଅସମ୍ଭବ, ବୋହୂକୁ ଆଣି କୋଉଠି ବାସ ଦେବେ ? ପୂଜାପାଠ କରି ଚଳୁଥିବା ରୁଦ୍ରପ୍ରତାପଙ୍କର କୌଣସି ପିଲା ଚାକିରି ବାକିରି କରିନାହାନ୍ତି । ସମସ୍ତେ କର୍ମହୀନ ।

 

ଏଇ ଅଞ୍ଚଳ ବୁଲୁଥିବା ବେଳେ ଆଗରୁ ଇବ୍‌ଭ୍ୟାଲି କଲେଜର ଇଂରାଜି ଅଧ୍ୟାପକ ଥିବା ଆଦିବାସୀ ସଚ୍ଚିଦାନନ୍ଦ ଓରାମଙ୍କ ସହ ଦେଖା ହେଲା । ଏବେ ତାଙ୍କର ଆଉ ସେ ଚାକିରି ନାହିଁ । ବେକାର । ତାଙ୍କୁ ଆଜି ଦେଖିଲେ ଏକଦା ସେ ଜଣେ ଅଧ୍ୟାପକ ଥିଲେ ବୋଲି କେହି କହିବ ନାହିଁ । ଦାରିଦ୍ର୍ୟ ଓ ଅବହେଳାର ଜୀବନ୍ତ ମୂର୍ତ୍ତିଟିଏ । ତାଙ୍କ ଗାଁର ଚାଷ ଜମିତକ ଚାଲିଯାଇଛି କୋଇଲା ଖଣି ଖୋଳାରେ । ବହୁ ଆଗରୁ ଜଙ୍ଗଲ ଯାଇଥିଲା, ଜମି ଚାଲିଗଲା ପରେ ଏହି ଅଞ୍ଚଳ ଏବେ ଗୋଟେ ଗୋଟେ ନଷ୍ଟ ଉପତ୍ୟକା । ମଝିରେ ମଝିରେ ବାଘ ହେଣ୍ଟାଳ ପରି କୋଇଲା ଖଣି ଫଟେଇ ଚାଲିଥିବା ଡିନାମାଇଟ୍‌ର କାନତାବଦା ଶବ୍ଦ । ‘‘ଅନେକ ଲୋକ ଗାଁରୁ ଉଠିଯାଇଛନ୍ତି । ଆମେ ଯେଉଁମାନେ ଅଛୁ, କେତେ ଦିନ ଏଠି ରହିବୁ ଜାଣିନୁ । ସବୁଦିନେ ଅନିଶ୍ଚିତତା ଭିତରେ ବିତୁଛି । ସେ ପକ୍କା ଘରଗୁଡ଼ାକୁ ଅନେଇଲେ ଭୟରେ ଆମ ଦେହରୁ ରକ୍ତ ଶୁଖିଯାଉଛି ।’’

 

ଏତେ ସବୁ କରୁଣ ଅଭିଜ୍ଞତା ଶୁଣିଲା ପରେ ଆଉ କିଛି ଶୁଣିବା ଲାଗି ଧୈର୍ଯ୍ୟ ନ ଥିଲା-। କିନ୍ତୁ ଖୁଣ୍ଟମୁଣ୍ଡାର ରବୀନ୍ଦ୍ର ସାହୁ ଆମକୁ ବହୁତ କରି କହିଯାଇଥିଲେ, ଯେମିତି ହେଲେ ତାଙ୍କ ଗାଁ ବାଟ ଦେଇ ଯିବୁ । ମହାନଦୀ କୂଳରେଏଇ ଗାଁ । ଲୋକମାନଙ୍କର ଏବେ ମୁଖ୍ୟ ଜୀବିକା ହେଇଛି ମାଛ ମାରିବା । ‘ଖୁଣ୍ଟମୁଣ୍ଡାକୁ ନିଶ୍ଚୟ ଯିବୁ’ କହି ଆମେ ଭୁଲ୍‌ କରିଥିଲୁ । କାରଣ ଗାଁଠାରୁ ତିନି କିଲୋମିଟର ଦୂରରୁ ରାସ୍ତା ଆମ ସାଙ୍ଗ ଛାଡ଼ିଦେଲା । ତେଣିକି ଉଠାପକା, ଉଠାଣି ଗଡ଼ାଣି ହୋଇ ଚଲାବାଟ, ଯହିଁରେ ଗାଡ଼ି ତ ଦୂରର କଥା, ମୋଟର୍‌ସାଇକଲ୍‌ ସୁଦ୍ଧା ଯିବା ଅସମ୍ଭବ । ଚାଲି ଚାଲି ଯିବାକୁ ପଡ଼ିଲା ।

 

ନିରଂଜନ ସାହୁଙ୍କ ପୁଅ ରବୀନ୍ଦ୍ର ସାହୁଙ୍କର ପରିବାର ଏକଦା ଗୋଟେ ସୁଖୀ ଓ ସ୍ୱଚ୍ଛଳ ପରିବାର ଥିଲା । ମାତ୍ର ଏବେ ସେମାନେ ଭାଗ୍ୟହୀନ । ହୀରାକୁଦ ନଦୀବନ୍ଧ ଯୋଜନାରେ ଘରବାଡ଼ି ହରେଇଥିବା ରବୀନ୍ଦ୍ରନାଥଙ୍କ ବାପା ବନହରପାଲି ଉଠିଯାଇଥିଲେ । ସେଠାରେ ତାଙ୍କର ପ୍ରାୟ ଏକାବନ ଏକର ଜମି ଥିଲା । ମାତ୍ର ସେତକ ଜମି ଓପିଜିସିର କାରଖାନା ପାଇଁ ଚାଲିଗଲା । ଦ୍ୱିତୀୟଥର ପାଇଁ ତାଙ୍କ ପରିବାର ନିରାଶ୍ର୍ରୟ ହେଲା । ଅଥଚ ଆଜି ପର୍ଯ୍ୟନ୍ତ ସେ ଜମି ପାଇଁ ସରକାରୀ କ୍ଷତିପୂରଣ ମିଳିଲା ନାହିଁ କି ପରିବାରରୁ କାହାରିକୁ ଖଣ୍ଡିଏ ଚାକିରି ମିଳିଲା ନାହିଁ । ଏ ସଂପର୍କରେ କଲେକ୍ଟର ଓ ଆର୍‌ଡିସି ପ୍ରମୁଖଙ୍କ ନିଷ୍ପତ୍ତି ଥିବା ସତ୍ତ୍ୱେ ତାଙ୍କ ଦୁଃଖ କେହି ଶୁଣିବାକୁ ନାହାନ୍ତି । ବିଭିନ୍ନ ଦପ୍ତରକୁ ପଠେଇଥିବା ମେଞ୍ଚାଏ ଦରଖାସ୍ତର ଜେରକ୍ସ ନକଲ ଏବଂ ପୁରୁଣା ଖାତାଖତିଆନ ଧରି ରବୀନ୍ଦ୍ର ସାହୁ ପ୍ରତିଦିନ ଏ ଅଫିସ୍‌ରୁ ସେ ଅଫିସ୍‌ ବୁଲୁଛନ୍ତି । ଭାଗ୍ୟ ତାଙ୍କ ସହ ଏମିତି ପରିହାସ କରିଛି ଯେ ଏକଦା ଚାଷବାସ କରି ସଂସାର ଚଳଉଥିବା ରବୀନ୍ଦ୍ର ଏବେ ମାଛଧରାଳି ପାଲଟି ଯାଇଛନ୍ତି । ସେତକ ବିକି ପଇସା କିଛି ଆଣିଲେ ଘର ଚଳିବ । ଆମକୁ ଦେଖି ସେ ତାଙ୍କ ଦୁଃଖତକ ଗାଇଗଲେ । ସତେ କି ଏହାଦ୍ୱାରା ତାଙ୍କ ସମସ୍ୟାର ସମାଧାନ ହେବ !

 

କିନ୍ତୁ ଗରିବ ଲୋକଙ୍କ ସମସ୍ୟାର ସମାଧାନ ଯଦି ଏତିକି ଶୀଘ୍ର ଓଡ଼ିଶାରେ ହେଉଥାଆନ୍ତା ତାହାହେଲେ ଆଜି ଲୋକଙ୍କ ମନରେ ଏତେ ସନ୍ଦେହ ଓ ଅବିଶ୍ୱାସ ଉଠନ୍ତା କାହିଁକି-?

 

କ୍ରମାଗତ ସେମାନଙ୍କର ଏହି ଅବହେଳା ଓ ପ୍ରତାରଣା ସାଧାରଣ ଲୋକଙ୍କ ଭିତରୁ ବିଶ୍ୱାସକୁ କାଢ଼ି ଫିଙ୍ଗି ଦେଇଛି । ସେମାନେ ଯେ ଜୀବନରେ ଆଉ କୌଣସି କଂପାନି ବା ସରକାରୀ ଲୋକଙ୍କୁ ବିଶ୍ୱାସ କରିବେ ନାହିଁ, ତାହା ତାଙ୍କ ଚେହେରା ଦେଖିଲେ ଆଜି ବୁଝିହୁଏ । ପଶ୍ଚିମ ଓଡ଼ିଶାରେ ଉପକୂଳ ବିଦ୍ୱେଷୀ ମନୋଭାବର ଇଏ ଗୋଟିଏ ଗୋଟିଏ କାରଣ । ଆଜି ଓଡ଼ିଶାର ଅବସ୍ଥା ଏମିତି ଯେ ପଶ୍ଚିମ ବିଶ୍ୱାସ କରୁ ନାହିଁ ପୂର୍ବକୁ । ଏଠି କେବଳ ଗୋଟିଏ ଜିଲ୍ଲାର କଥା କୁହାଗଲା । ଝାରସୁଗୁଡ଼ାରେ ହୀରାକୁଦ ଯୋଜନାକୁ ଛାଡ଼ି ମହାନଦୀ କୋଲ୍‌ ଫିଲ୍‌ଡ, ଓପିଜିସି, ବେଦାନ୍ତ, ଭୂଷଣ, ହିଣ୍ଡାଲ୍‌କୋ, ରେଙ୍ଗାଲି ଓ ଟାଟା ରିଫ୍ୟାକ୍‌ଟ୍ରି ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ମାତ୍ର ଏହା ଭିତରୁ ପ୍ରାୟ ପ୍ରତ୍ୟେକ ଯୋଜନାର ନେପଥ୍ୟରେ ଏହିଭଳି କରୁଣ କାହାଣୀ । ରକ୍ତମାଂସର ମଣିଷଙ୍କୁ, ସେମାନଙ୍କର ଚଳଚଞ୍ଚଳ ଘରକରଣା ଓ ସବୁଜ ସ୍ୱପ୍ନିଳ ଚାଷବାସକୁ ଏହିପରି ରାସ୍ତାର ଆବର୍ଜନା ପରି ଉଠେଇ ଏଠି ସେଠି ଫିଙ୍ଗି ଦିଆଯାଇଛି । ତା’ପରେ ସେମାନେ କୁଆଡ଼େ ଗଲେ, ବଞ୍ଚିଲେ କି ମରିଲେ କେହି ତା’ର ଖୋଜଖବର ରଖିବାକୁ ଚାହିଁନାହିଁ ।

 

‘ରବିବାର ସମ୍ବାଦ’, ୧୪ ଅଗଷ୍ଟ, ୨୦୧୧

Image

 

ଶ୍ରୀମନ୍ଦିରକୁ ନେଇ ଗୋଟେ ଭଲ ଖବର

 

ଗତ କିଛି ବର୍ଷ ହେଲା ପୁରୀର ଶ୍ରୀମନ୍ଦିରକୁ ନେଇ ବରାବର ଖରାପ ଖବର ପଢ଼ି ପଢ଼ି ଚିଡ଼ି ମାରୁଥିଲା । ଏଭଳି ପରିସ୍ଥିତିରେ ଗତ ୫ ତାରିଖର ଖବରକାଗଜ ମାନଙ୍କରେ ଏକ ଭଲ ଖବର ପଢ଼ିବାକୁ ମିଳିଲା । ତା ପୂର୍ବଦିନ ଅର୍ଥାତ୍‌ ୪ ତାରିଖରେ ଘଟିଥିବା ସେଇ ଘଟନାଟିକୁ ନେଇ ଆଜିର ଏ ଆଲୋଚନା ।

 

୨୦୧୦ ଡିସେମ୍ବର ୪ ତାରିଖରେ ପୁରୀ ଶ୍ରୀମନ୍ଦିରର ପ୍ରାୟ ୪୦ ହଜାର ଟଙ୍କାର (କେତେକ କାଗଜ ଏହାର ମୂଲ୍ୟ ୫୦ ହଜାର ଟଙ୍କା ବୋଲି ମଧ୍ୟ ଲେଖିଛନ୍ତି) ମହାପ୍ରସାଦକୁ ଏହି ଅନୁଷ୍ଠାନର ପ୍ରଶାସକ ଜବତ କରିନେଲେ । ମହାପ୍ରସାଦ, ଡାଲି, ବେସର କୁଡୁଆ (ଭୋଗ ରଖାଯାଉଥିବା ମାଟିହାଣ୍ଡି) ଗୁଡ଼ିକୁ ସେ ଟ୍ରଲିରେ ଲଦି ନେଇ ପୁରୀର ଅନାଥାଶ୍ରମ ଏବଂ ଜେଲ୍‌ ଅନ୍ତେଃବାସୀମାନଙ୍କ ଭିତରେ ବାଣ୍ଟି ଦେଇଥିଲେ । ଉଲ୍ଲେଖ ନିଷ୍ପ୍ରୟୋଜନ ଏହି ଭୋକିଲା ମଣିଷମାନେ ପରମ ଆନନ୍ଦରେ ସେସବୁ ସୁଆଦିଆ ଖାଦ୍ୟ ଖାଇଥିବେ । କ୍ରମାଗତ ଭାବେ ସ୍ୱାଦହୀନ ଖାଦ୍ୟ ଖାଉଥିବା ଏଇ ଲୋକମାନଙ୍କ ଲାଗି ସତେ କି ଜଗନ୍ନାଥ ସେଦିନ ତାଙ୍କର ଭୋଗ ପଠେଇଦେଲେ !

 

‘ସମ୍ବାଦ’ର ପାଠକପାଠିକାମାନେ ମଧ୍ୟ ଗତ ୫ ତାରିଖ ସଂସ୍କରଣରେ ଏ ଖବରଟି ପଢ଼ିଥିବେ । କେଉଁ ସମୟରେ କେତେ ଭୋଗ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ନିୟମ ଲାଗୁ କରିଛନ୍ତି । ବହୁ ବର୍ଷ ହେଲା ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ହେଉଥିବା ନେଇ ଅଭିଯୋଗମାନ ଶୁଣାଯାଇ ଆସୁଛି । ଅଧିକାଂଶ ସମୟରେ ଠିକ୍‌ ସମୟରେ ଭୋଗ ଉଠେନାହିଁ । ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମହାପ୍ରସାଦ ନ ପାଇ ନିରାଶରେ ଫେରନ୍ତି । ସେସବୁ ଦିନରେ ମନ୍ଦିରର ନୀତି ଯଥାରୀତି ପାଳିତ ହୁଏନାହିଁ । ସେବାୟତମାନେ ଭକ୍ତମାନଙ୍କୁ ଦୁର୍ବ୍ୟବହାର କରନ୍ତି । ସମୟେ ସମୟେ ବଡ଼ ଠାକୁରଙ୍କ ଅତି ପାଖରେ ଥିବା କିଛି ସେବାୟତ ଯେଭଳି କଦର୍ଯ୍ୟ ବ୍ୟବହାର କରନ୍ତି ସେଭଳି ବ୍ୟବହାର ଇତରଙ୍କ ଠାରୁ ମଧ୍ୟ ଆଶା କରାଯାଏ ନାହିଁ । ବର୍ଷ ବର୍ଷ ଧରି ଏହି ପ୍ରକାର ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ପ୍ରଶାସନ ତହିଁରେ ହସ୍ତକ୍ଷେପ କରି ପାରୁନଥିଲା । ଗଲା ୪ ତାରିଖ ଦିନ ମଧ୍ୟ ସେଇ ପ୍ରକାର ଏକ ବିଭ୍ରାଟ ଘଟିଥିଲା । ମହାପ୍ରଭୁଙ୍କର ସକାଳ ଧୂପ ସମୟରେ ସୀମିତ ପରିମାଣର ଭୋଗ (କୋଠଭୋଗ) ଲଗାଯିବାର କଥା । ଏହି ସମୟରେ ବ୍ୟବସାୟ ଲାଗି ଭୋଗ ଲଗାଯିବା କଥା ନୁହେଁ । ଏ ନେଇ ଶ୍ରୀମନ୍ଦିର ପ୍ରଶାସକ ବିଜ୍ଞପ୍ତି ସୁଦ୍ଧା ଜାରି କରିଥିଲେ । କାର୍ତିକ ମାସରେ ଏହି ବିଜ୍ଞପ୍ତି ଅନୁସାରେ ଯଥାରୀତି କାର୍ଯ୍ୟ ଚାଲିଥିଲା । କିନ୍ତୁ ମାର୍ଗଶୀର ଆରମ୍ଭରୁ ଏଥିରେ ବ୍ୟତିକ୍ରମ ଦେଖାଗଲା । ସକାଳ ଧୂପ ସମୟରେ ଯେତିକି ପରିମାଣର ଭୋଗ ଲଗାଯିବା କଥା ତାହାଠାରୁ ବହୁ ଅଧିକ ପରିମାଣର ଭୋଗ ଚଢ଼ାଯାଉଥିଲା । ଫଳରେ ମନ୍ଦିରର ନୀତିରେ ବିଳମ୍ବ ଦେଖାହେଲା । ଆଗରୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ତଥା କେନ୍ଦ୍ରାଞ୍ଚଳ ଆର୍‌.ଡି.ସି ପ୍ରଦୀପ୍ତ କୁମାର ମହାପାତ୍ର ଏ ନେଇ କଡ଼ା ନିର୍ଦେଶ ଦେଇଥିଲେ । ମାତ୍ର କିଛି ଲାଭଖୋର ବ୍ୟକ୍ତି ଏ ନିର୍ଦେଶକୁ ମାନିବାଲାଗି ପ୍ରସ୍ତୁତ ନଥିଲେ । ତେଣୁ ୪ ତାରିଖରେ ମଧ୍ୟ ଅଧିକ ଭୋଗ ବଢ଼ାଗଲା । ଏଭଳି ଘଟିବ ବୋଲି ଆଶଙ୍କା କରି ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶ ମୁତାବକ ପୁରୀ ଜିଲ୍ଲାପାଳ ଫକୀର ଶତପଥୀ, ଏସ୍‌.ପି ସଂଜୟ କୁମାର ଏବଂ ପ୍ରଶାସକ (ନୀତି) ଦେବୀପ୍ରସାଦ ପଣ୍ଡା ସଦଳବଳେ ଶ୍ରୀମନ୍ଦିର ଭିତରେ ଉପସ୍ଥିତ ଥିଲେ । ଦେଖିଲେ, ଯେତିକି ଭୋଗ ଲାଗିବା କଥା ତା’ଠାରୁ ଅଧିକ ଅନ୍ନ, ଡାଲି, ବେସର ଇତ୍ୟାଦି ବଢ଼ାଯାଇଛି । ସେମାନେ ଅପେକ୍ଷା କଲେ, କିଏ ଏସବୁ ବାଢ଼ିଛି, ତା’ର ହିସାବ ନେବେ । ମାତ୍ର ସେମାନଙ୍କ ଉପସ୍ଥିତି ଖବର ପାଇଯିବାରୁ ସେହି ଲୋକମାନେ ଆସିଲେ ନାହିଁ । ସେମାନଙ୍କର ଅନୁପସ୍ଥିତି ହିଁ ଏହି ଘଟନା ପଛରେ ଥିବା ଦୋଷତ୍ରୁଟିର ପ୍ରମାଣ ଦେଲା । ଫଳରେ ଜିଲ୍ଲା ପ୍ରଶାସନ ଭୋଗଗୁଡ଼ିକୁ ଜବତ କରିନେଲେ । ଏହାଦ୍ୱାରା ପ୍ରଶାସନର ସାହସ ପ୍ରମାଣିତ ହେଲା ।

 

ଆଉ ଗୋଟିଏ ଦୃଷ୍ଟିରୁ ମଧ୍ୟ ଏଇଟି ଏକ ବହୁତ ଭଲ ଖବର । ଅନ୍ୟ ଦିନମାନଙ୍କରେ ଜବତ ଭୋଗର ଅବସ୍ଥା ଭିନ୍ନ ହୋଇଥାଆନ୍ତା । ୨୦୦୭ ମସିହା ମାର୍ଚ ୧ ତାରିଖରେ ଜଣେ ଆମେରିକୀୟ ଶ୍ରୀମନ୍ଦିର ଭିତରେ ପଶିଯାଇଥିଲେ ବୋଲି ଖବର ପ୍ରଚାରିତ ହେବାରୁ ପ୍ରାୟ ସାତହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ଲକ୍ଷାଧିକ ଟଙ୍କା ମୂଲ୍ୟର ମହାପ୍ରସାଦ (ଡାଲି, ବେସର ସବୁ ମିଶି)କୁ ଆବର୍ଜନା ଭଳି ଫିଙ୍ଗି ଦିଆଯାଇଥିଲା । ଏ ଘଟନା ସେତେବେଳେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏଇ ଲେଖକ ମଧ୍ୟ ୨୦୦୭ ମାର୍ଚ ୭ ତାରିଖ ‘ସମ୍ବାଦ’ରେ ‘ଭୋଗ ନହେଲା ଭାତ ତ ?’ ଶିରୋନାମାରେ ଲେଖାଟିଏ ଲେଖି, ଏତେ ପରିମାଣର ମହାପ୍ରସାଦ ଅଳିଆ ଗଦାରେ ଫିଙ୍ଗିଦେବାର ଔଚିତ୍ୟକୁ ପ୍ରଶ୍ନ କରିଥିଲା । ଜଗନ୍ନାଥଙ୍କୁ ଧନ୍ୟବାଦ, ଗଲା ୪ ତାରିଖରେ ସେଭଳି ଅକର୍ମ କରାଯାଇନାହିଁ । ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର ଏବଂ ତାଙ୍କର ସହଯୋଗୀମାନେ ଜବତ ମହାପ୍ରସାଦକୁ ଟ୍ରଲିରେ ନେଇ ଅନାଥାଶ୍ରମ ଏବଂ ଜେଲ୍‌ର ଅନ୍ତେଃବାସୀମାନଙ୍କୁ ଖାଇବାକୁ ଦେଇଛନ୍ତି । ସ୍ୱାଭାବିକ ଭାବରେ ଏଇ ଘଟନାକୁ ନେଇ ସେବାୟତଙ୍କ ଭିତରେ କିଛି ପ୍ରତିକ୍ରିୟା ସୃଷ୍ଟି ହୋଇଛି । ମାତ୍ର ତାହାକୁ ପ୍ରଶାସନ ଭ୍ରୂକ୍ଷେପ କରିବା ଉଚିତ ନୁହେଁ । ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ଲାଗି ବହୁ ପୂର୍ବରୁ ଏଭଳି କଠୋର ପଦକ୍ଷେପ ନିଆଯିବା ଜରୁରି ଥିଲା ।

 

ଅନେକ ସମୟରେ ଶ୍ରୀମନ୍ଦିର କାର୍ଯ୍ୟରେ ପ୍ରଶାସକମାନେ ଯେତିକି ସାହସ ଦେଖେଇବା କଥା ଦେଖାନ୍ତି ନାହିଁ । ଏହାର କାରଣ ହେଲା ଅଫିସର ଏବଂ ରାଜନେତାମାନଙ୍କ ଭିତରେ ସମନ୍ୱୟ ଓ ଆତ୍ମବିଶ୍ୱାସର ଘୋର ଅଭାବ । ସେବାୟତମାନଙ୍କୁ ରଗେଇଲେ କାଳେ ହାତରୁ ଭୋଟ୍‌ ଚାଲିଯିବ, ସୁବିଧାବାଦୀ ସ୍ଥାନୀୟ ନେତାଙ୍କର ଇଏ ବି ଗୋଟେ ଚିନ୍ତା । ଆଉ କିଛି ନେତା-ଅଫିସର୍‌ ଅଛନ୍ତି, ଯିଏ ନିଜର ସ୍ୱାର୍ଥ ପାଇଁ ଜଗନ୍ନାଥଙ୍କ ସ୍ୱାର୍ଥକୁ ସୁଦ୍ଧା ଜଳାଂଜଳି ଦେଇଦିଅନ୍ତି-। ସିଏ କିମ୍ବା ତାଙ୍କ ସ୍ତ୍ରୀ-ପିଲା ବା ବନ୍ଧୁବାନ୍ଧବ ଯାଇ ଭଲରେ ଭଲରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆସିଲେ ତାଙ୍କ ଚିନ୍ତା ସରିଲା । ସେବାୟତମାନେ କୁଶଳୀ ବ୍ୟବସାୟୀ ପରି ଏମାନଙ୍କ ଆଗ୍ରହ ଜାଣନ୍ତି ଏବଂ ଦକ୍ଷ ଲୋକସଂପର୍କ ଅଧିକାରୀଙ୍କ ପରି ଏମାନଙ୍କୁ ମାଗଣାରେ ଦର୍ଶନ କରାଇଦେଇ ନିଜ ଚେର ଦୃଢ଼ କରାନ୍ତି । ତା’ପରେ ସାଧାରଣ ଭକ୍ତମାନେ ଗୁହାରି କଲେ ଫଳ ସେଇଆ ହୁଏ - ତୁ ଗୁହାରି କରିବୁ ଯାହାକୁ, ମୁଁ ଗେରସ୍ତ କରିଛି ତାହାକୁ । ଏଇ ପ୍ରକାର ମନୋବୃତ୍ତି ଯୋଗୁଁ, ଆଜି ପର୍ଯ୍ୟନ୍ତ ରଥାଯାତ୍ରାରେ ରଥ ଉପରୁ ସେବାୟତଙ୍କ ଭିଡ଼ କମୁନାହିଁ । ଭକ୍ତମାନେ ଜଗନ୍ନାଥଙ୍କ ଚକା ଆଖି ଦେଖିବା ବଦଳରେ ସେବାୟତଙ୍କ ଚକା ଉଦର ଦେଖି ନେତ୍ର ‘ପବିତ୍ର’ କରୁଛନ୍ତି । ଏ ରାଜ୍ୟରେ ପ୍ରଶାସନ ଥିଲେ ଏମିତି ହୁଅନ୍ତା ନାହିଁ ବୋଲି ବହୁ ତୀର୍ଥ ଭ୍ରମଣ କରିଥିବା ବହିରାଗତ ଯାତ୍ରୀମାନେ ଅଭିଯୋଗ କରିଥାଆନ୍ତି । ସେମାନଙ୍କ ଲାଗି ଗତ ୪ ତାରିଖର ଘଟଣା ଏକ ବିରାଟ ସାନ୍ତ୍ୱନା ।

 

ଏହି ପ୍ରସଙ୍ଗରେ ଆଉ ଗୋଟିଏ କଥା ଏଇ ଲେଖକ ସରକାର ଏବଂ ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟିକୁ ଆଣିବା ଲାଗି ଚାହୁଁଅଛି । ଏଥର ଜବତ ଭୋଗକୁ ଯେମିତି ଟ୍ରଲିରେ ନିଆଯାଇ ସାଧାରଣ ଲୋକଙ୍କ ଭିତରେ ବାଣ୍ଟିଦିଆଗଲା ତାହା ଏକ ଆଦର୍ଶ ଉଦାହରଣ ହୋଇ ରହୁ । ଏଣିକି, ଯେତେବେଳେ, କୌଣସି ପ୍ରକାର ନୀତିବିଭ୍ରାଟ ବା ନିୟମ ବହିର୍ଭୂତ କାରଣ ହେତୁ ମହାପ୍ରସାଦ ଦିଅଁଙ୍କ ପାଖକୁ କିମ୍ବା ‘ଆନନ୍ଦ ବଜାର’କୁ ଯିବାର ଯୋଗ୍ୟତା ହରେଇବ, ସେତେବେଳେ ତାହାକୁ ଫିଙ୍ଗାଫୋପଡ଼ା କରା ନଯାଇ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିଦିଆଯାଉ । ହତଭାଗ୍ୟମାନେ ‘ଭୋଗ’ ନ ପାଇଲେ ନାହିଁ, ଭାତ ଖାଇ ବକତକ ଭୋକ ମେଣ୍ଟାନ୍ତୁ । ଆମେ ଜାଣୁ ଯେ ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ଏଭଳି କ୍ଷେତ୍ରରେ ଭିତର ଛୁ ମହାପାତ୍ରଙ୍କର ନିଷ୍ପତ୍ତି ସର୍ବମାନ୍ୟ । ମାତ୍ର ସିଏ ମଧ୍ୟ ଆମ ଯୁକ୍ତିର ଯଥାର୍ଥତା ବିଚାର କରନ୍ତୁ ।

 

ସମାଜଶାସ୍ତ୍ରୀମାନେ ଜାଣନ୍ତି ଗୋଟିଏ ସମୟରେ ଯେଉଁ ନିୟମ ପ୍ରଣୟନ ହୋଇଥିଲା, ତାହା ସବୁ ସମୟ ଲାଗି ଉପଯୋଗୀ ରହିବ, ଏହା ଭାବିବା ଭୁଲ୍‌ । ଟିକିଏ ପ୍ରସଙ୍ଗ ବାହାରକୁ ଯାଇ କଥାଟିଏ କହୁଛି । ଗୋଟିଏ ସମୟରେ ନିୟମ ଥିଲା, ବ୍ରାହ୍ମଣଙ୍କ ଭିନ୍ନ ଅନ୍ୟ କେହି ନଡ଼ିଆ କି ଗୁଆ ଗଛ ବାଡ଼ିରେ ଲଗେଇବେ ନାହିଁ । ଏହା ପଛରେ ଯୁକ୍ତି କ’ଣ ? ଆମର ମନେହୁଏ, ଯୁକ୍ତିଟି ସ୍ୱାର୍ଥକୈନ୍ଦ୍ରିକ । ବ୍ରାହ୍ମଣମାନଙ୍କ ସ୍ୱାର୍ଥସାଧନ ହିଁ ଏହାର ଯୁକ୍ତି । ଜଣେ ଗରିବ ଲୋକ ଦଶଟି ନଡ଼ିଆ ଗଛ ଲଗେଇ କୁଟୁମ୍ବ ଚଳେଇ ପାରିବ, ସେ କଥା ବୁଦ୍ଧିମାନ ବ୍ରାହ୍ମଣ ବରଦାସ୍ତ କରିପାରନ୍ତେ କାହିଁକି-? ପୁଣି ଶ୍ରୀମନ୍ଦିର ପ୍ରସଙ୍ଗକୁ ଫେରିଆସୁଛି । ଅନେକ ସମୟରେ ଦେଖୁଛୁ ନୀତି ବିଭ୍ରାଟ ନାଆଁରେ ଅନେକ ସମୟରେ ଦ୍ୱିପହର ମହାପ୍ରସାଦ ଚାରିଟା ବେଳକୁ ଉଠେ । ଅଭିଯୋଗ ହୁଏ, ଏହା ପଛରେ କିଛି ହୋଟେଲ ଏବଂ ସେବାୟତଙ୍କ ଭିତରର ସଲାସୁତୁରା ଅଛି । ପୁରୀ ମନ୍ଦିରକୁ ଯାଉଥିବା ଅଧିକାଂଶ ଭକ୍ତ ମହାପ୍ରସାଦ ଖାଇବାକୁ ଭଲ ପାଆନ୍ତି । ଯଦି ସବୁଦିନ ମଧ୍ୟାହ୍ନ ଗୋଟାଏ ବେଳକୁ ଭୋଗ ମିଳିପାରନ୍ତା, ତାହାହେଲେ ବଡ଼ଦାଣ୍ଡର ଅନେକ ହୋଟେଲ କୁଆଡ଼େ କ୍ଷତିଗ୍ରସ୍ତ ହୁଅନ୍ତେ ! ଏ ଅଭିଯୋଗ ସଂପୂର୍ଣ୍ଣ ସତ୍ୟ ହୋଇ ନ ପାରେ । ମାତ୍ର ଶ୍ରୀମନ୍ଦିର ପରି ଏକ ପୁରୁଣା ଅନୁଷ୍ଠାନର ଦୈନନ୍ଦିନ ନୀତିରେ କୌଣସି ବିଭ୍ରାଟ ହେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଜଗନ୍ନାଥଙ୍କୁ ଯଦି ସେବାୟତମାନେ ପ୍ରକୃତରେ ଭଲ ପାଆନ୍ତି, ତାହା ହେଲେ ନିଜ ପିଲାଙ୍କୁ ପ୍ରତିଦିନ ଠିକଣା ସମୟରେ ଖାଇବାପିଇବାକୁ ଦେବା ପରି ଜଗନ୍ନାଥଙ୍କୁ ମଧ୍ୟ ଠିକଣା ସମୟରେ ଖାଇବାକୁ ଦିଅନ୍ତୁ । ଦିନେ ଦେଢ଼ଟା ବେଳେ ଓ ଦିନେ ଚାରିଟା ବେଳେ ଖାଇବାକୁ ଦେଲେ, ଜଗନ୍ନାଥ କିଭଳି ସୁସ୍ଥ ରହିବେ !

 

ଆମେ ମାନୁ ବା ନ ମାନୁ ଓଡ଼ିଶାର ପ୍ରମୁଖ ପରିଚୟ ପୁରୀ ଶ୍ରୀମନ୍ଦିର । ଏହାର ଯଶ ଓ ଖ୍ୟାତି ଅକ୍ଷୁଣ୍ଣ ରଖିବା ପ୍ରଶାସକ, ସେବାୟତ, ଭକ୍ତ ଓ ସାଧାରଣ ଓଡ଼ିଆ ସମସ୍ତଙ୍କର ଦାୟିତ୍ୱ । ଏହା କେବଳ ଗଜପତି, ମୁଖ୍ୟମନ୍ତ୍ରୀ ବା ଏଥିରୁ ନେଇ ଚଳୁଥିବା ସେବାୟତଙ୍କର ଏକଚାଟିଆ ଅଧିକାର ନୁହେଁ ।

 

ସମ୍ବାଦ, ୯ ଡିସେମ୍ବର, ୨୦୧୦

Image

 

କି ଥିଲା ଏ ରାଜ, କି ହୋଇଛି ଆଜ

 

କିଏ ଜଣେ କହିଥିଲେ, ଓଡ଼ିଶାର ପ୍ରତିଟି ପଥର ଖଣ୍ଡ ତଳେ ଛପି ରହିଛି ଗୋଟେ ଗୋଟେ ଇତିହାସ । ରତ୍ନଗିରି, ଉଦୟଗିରି ଓ ବିଶେଷ କରି ଲଳିତଗିରିର ମାଟି ତଳୁ ବାହାରିଥିବା ବୌଦ୍ଧ ବିହାର ବୁଲି ଦେଖିବାବେଳେ ଏ କଥାର ସତ୍ୟତାକୁ ଉପଲବ୍ଧି କରିହୁଏ । ଦିନେ ଯେ ଓଡ଼ିଶା ସମଗ୍ର ଭାରତବର୍ଷର ଏକ ସମୃଦ୍ଧ ଓ ବିଖ୍ୟାତ ରାଜ୍ୟ ଥିଲା ଏକଥା ଲଳିତଗିରିର ବୌଦ୍ଧସ୍ତୂପ, ମାଟି ତଳୁ ବାହାରିଥିବା ମୂର୍ତ୍ତିମାନଙ୍କର ନିର୍ମାଣ କଳା ଓ ଲଳିତଗିରି ଗାଁର କୁଶଳୀ ଶିଳ୍ପୀମାନଙ୍କ ପଥରକାମ ଦେଖିଲେ ଅନୁଭବ କରିହୁଏ । ମାତ୍ର ସବୁ ପ୍ରକାର ଯୋଗ୍ୟତା ଓ ସମ୍ଭାବନା ଥିବା ସତ୍ତ୍ୱେ ଲଳିତଗିରି ଆଜି ମଧ୍ୟ ଅବହେଳିତ । ସାମୟିକ ଖବରକାଗଜ ରିପୋର୍ଟ, କାଁ ଭାଁ ଫଟୋଚିତ୍ର ପ୍ରକାଶ ଓ ଔପଚାରିକ ଚର୍ଚ୍ଚା ଭିତରେ ଲଳିତଗିରି ଏବେ ମଧ୍ୟ ପାଷାଣ ଅହଲ୍ୟାର ଅଭିଶାପ ମୁଣ୍ଡେଇ ବିରୂପା ଓ ଗୋମତୀର ଆଲିଙ୍ଗନ ଭିତରେ ପଡ଼ି ରହିଛି ।

 

ଭୁବନେଶ୍ୱରରୁ ପାଞ୍ଚ ନମ୍ବର ଜାତୀୟ ରାଜପଥରେ ଚଣ୍ଡୀଖୋଲ ପର୍ଯ୍ୟନ୍ତ ଯାଇ ସେଇଠୁ ଏକ୍‌ପ୍ରେସ୍‌ ହାଇୱେରେ ପାରାଦୀପ ଆଡ଼କୁ ମୋର ୯୦ କି.ମି. ଯିବା ପରେ ହାଇୱେର ଡାହାଣ କଡ଼କୁ ପାଖାପାଖି ତିନିଟି ପାହାଡ଼ ପଡ଼େ । ପ୍ରଥମ ଥର ପାଇଁ ସେଆଡ଼କୁ ଯାଇଥିବା ଯାଉଥିବା ବ୍ୟକ୍ତି ପାଇଁ ଏହି ପାହାଡ଼ଗୁଡ଼ିକ ଓଡ଼ିଶାର ବହୁ ପାହାଡ଼ ପରି ତିନିଟି ସାଧାରଣ ପାହାଡ଼ ବୋଲି ମନେହେବା ସ୍ୱାଭାବିକ । ଆଗରେ ଗୋବରୀ ନଈ (କେହି କେହି ତା’ର ନାଁ ଗୋମତୀ ବୋଲି କୁହନ୍ତି), ପଛରେ ବିରୂପା, ଚାରିକଡ଼େ ବିସ୍ତୀର୍ଣ୍ଣ ଧାନକ୍ଷେତ । ତେବେ ଯଦି ତାଙ୍କ ହାତରେ ସମୟ ଥାଏ ଓ କୌତୂହଳବଶତଃ ସେ ସେହି ପାହାଡ଼ଗୁଡ଼ିକର ପାଖକୁ ଯାଆନ୍ତି, ତାହା ହେଲେ ପାହାଡ଼ ଉପରକୁ ଉଠିବା ପୂର୍ବରୁ ଟିକେ ଅଟକିଯିବା ପାଇଁ ଏହି ଲେଖକ ଅନୁରୋଧ କରିବ । କାରଣ ସେ କେବଳ ମାମୁଲି ପାହାଡ଼ ନୁହେଁ ଗୋଟାଏ ଇତିହାସର ଛାତି ଉପରେ ପାଦ ପକେଇବାକୁ ଯାଉଛନ୍ତି-

 

୧୮୭୬ ମସିହାରେ ଭାରତ ବ୍ରିଟିଶ ଶାସନାଧୀନ ଥିବାବେଳେ କଟକ କଲେକ୍ଟର ଜନ ବୀମ୍‌ସ ଥରେ ଲଳିତଗିରି ଆସିଥିଲେ । ବୌଦ୍ଧଧର୍ମର ଅସପତ୍ନ ପ୍ରତିଷ୍ଠା ଯେତେବେଳେ ସମଗ୍ର ବିଶ୍ୱରେ ଖେଳେଇ ହୋଇ ରହିଥିଲା ସେତେବେଳେ ଓଡ଼ିଶା ତହିଁରୁ ବାଦ୍‌ ପଡ଼ି ନଥିଲା, ଅଧିକନ୍ତୁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଗଣିତ ହେଉଥିଲା । ଇତିହାସ ପୃଷ୍ଠାରୁ ଏ ବାବଦରେ ସମ୍ୟକ ଧାରଣା ସଂଗ୍ରହ କରିଥିବା ଜନ୍‌ ବିମ୍‌ସ ପ୍ରଥମେ ଏହି କୀର୍ତ୍ତିର ସୁରକ୍ଷା ପାଇଁ ବେଙ୍ଗଲ ଏସିଅଟିକ୍‌ ସୋସାଇଟି ଓ ପରେ ବ୍ରିଟିଶ ସରକାରଙ୍କୁ ଜଣାଇଲେ । ଏହାକୁ ସଂରକ୍ଷିତ କୀର୍ତ୍ତି ତାଲିକାଭୁକ୍ତ କରିବାକୁ ସେ ଅନୁରୋଧ କରିଥିଲେ ।

 

ମାତ୍ର ଜନ୍‌ ବିମ୍‌ସଙ୍କର ସେହି ଆଗ୍ରହ ସତ୍ତ୍ୱେ ଲଳିତଗିରି ତଥାପି ପାଷାଣୀ ଅହଲ୍ୟା ପରି ମାଟିତଳେ, ଲଣ୍ଡା ପାରାଭାଡ଼ି ଓ ଓଳାଶୁଣି ପାହାଡ଼ ମଝିରେ ପଡ଼ିରହିଲା । ଇତିହାସ ଓ ସଂସ୍କୃତି ନିସ୍ପୃହ ସ୍ଥାନୀୟ ଜନସାଧାରଣ ଓ ବାହାରୁ ଆସୁଥିବା ବାଟୋଇ ଏହି ପାହାଡ଼ ପାଦଦେଶରୁ ଯେତେବେଳେ ଯାହା ପାଉଥିଲେ ନିଦ୍ୱର୍ନ୍ଦ୍ୱରେ ଗୋଟେଇ ନେଇ ଚାଲିଯାଉଥିଲେ । ଆଜି ଯଦି ସେସବୁ ଥାଆନ୍ତା, ତାହାହେଲେ ଲଳିତଗିରି ଭିତରେ ଲୁଚି ରହିଥିବା ପୁଷ୍ପଗିରି ବିହାରର ପରିଚୟ ପାଇବା ହୁଏତ ସହଜ ହୁଅନ୍ତା ବୋଲି ପ୍ରତ୍ନତତ୍ତ୍ୱବିତ୍‌ ଶ୍ରୀ ଜି.ସି. ଚାୱଲେ କ୍ଷୋଭର ସହ କହନ୍ତି ।

 

୧୯୭୭ ମସିହାରେ ମାହାଙ୍ଗାର ତତ୍କାଳୀନ ବିଧାୟକ ଓ ମନ୍ତ୍ରୀ ସେକ୍‌ ମତଲୁବ ଅଲ୍ଲୀଙ୍କ ଆଗ୍ରହ ଫଳରେ ଲଳିତଗିରିର ଉତ୍‌ଖନନ କାର୍ଯ୍ୟ ଆରମ୍ଭ ହୁଏ । ସେହି ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପ୍ରଫେସର ଡକ୍ଟର କରୁଣା ସାଗର ବେହେରା କେତେଜଣ ଛାତ୍ରଙ୍କ ସହାୟତାରେ, ସୀମିତ କ୍ଷେତ୍ରରେ ଉତ୍‌ଖନନ କାର୍ଯ୍ୟ ଆରମ୍ଭ କରନ୍ତି । ଏ ବାବଦରେ ମତଲୁବ ଅଲ୍ଲୀ ଯାହା କହନ୍ତି ଯେ, ଲଳିତଗିରି ଉତ୍‌ଖନନ ପାଇଁ ସେତେବେଳେ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୟଦ ନୁରୁଲ ହାସାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଆକବର ଅଲ୍ଲୀ ଖାଁଙ୍କ ଉପସ୍ଥିତିରେ ଏ ପ୍ରସଙ୍ଗ ଶ୍ରୀ ଅଲ୍ଲୀ ଉଠେଇବାରୁ ସୟଦ ନୁରୁଲ ହାସାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରତ୍ନତତ୍ତ୍ୱ ବିଭାଗ ଖୋଲିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଡକ୍ଟର କରୁଣା ସାଗର ବେହେରା ପ୍ରତ୍ନତତ୍ତ୍ୱ ତାଲିମ ପାଇଁ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ଯାଇ ଆବଶ୍ୟକ ତାଲିମ ହାସଲ କରିଥିଲେ । ସେଠାରୁ ଫେରିଲା ପରେ ଲଳିତଗିରିର ପ୍ରଥମ ଉତ୍‌ଖନନ ଆରମ୍ଭ ହେଲା ।

Image

 

ଓଡ଼ିଶା ଓ ବୌଦ୍ଧଧର୍ମ

 

ଓଡ଼ିଶା ବା ତତ୍କାଳନୀ କଳିଙ୍ଗ ହିଁ ସେଦିନର ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ରୂପାନ୍ତରିତ କରିଥିଲା, ଏହା ଇତିହାସ ସମର୍ଥିକ ତଥ୍ୟ । କଳିଙ୍ଗ ଯୁଦ୍ଧର ଭୟାବହ ପରିଣତି ଅଶୋକଙ୍କୁ ଯୋଉ ଉପଲବ୍ଧି ଆଣି ଦେଇଥିଲା ତାହା ହିଁ ବୌଦ୍ଧଧର୍ମର ପ୍ରଚାର, ପ୍ରସାର ଓ ପୃଷ୍ଠପୋଷକତା ପାଇଁ ପ୍ରଚୋଦିତ କରିଥିଲା । ଉତ୍କଳ, ଉଡ୍ର ବା କଳିଙ୍ଗର ଭୌଗୋଳିକ ସୀମାରେଖା ଯେତେବେଳେ ଯେଉଁଭଳି ଭାବେ ସଂକୁଚିତ କିମ୍ବା ସଂପ୍ରସାରିତ ହେଉ ନା କଂହିଁକି ବଙ୍ଗୋପସାଗର ଉପକୂଳର ଏହି ରାଜ୍ୟରେ ପ୍ରାୟ ଷୋଡ଼ଶ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବୌଦ୍ଧଧର୍ମର ପ୍ରଭାବ ରହିଥିଲା । ବୁଦ୍ଧଦେବ ସ୍ୱୟଂ କଳିଙ୍ଗ ଭ୍ରମଣ କରିଥିବା ଅଦ୍ୟାବଧି ପ୍ରମାଣିତ ହୋଇ ନଥିଲେ ମଧ୍ୟ କଳିଙ୍ଗର ପ୍ରଖ୍ୟାତ ବଣିକ ଭାତୃଦ୍ୱୟ ତପସୁ ଓ ଉଲ୍ଲିକଙ୍କ ଦ୍ୱାରା ପ୍ରଥମେ ବୁଦ୍ଧଙ୍କ ଜୀବିତାବସ୍ଥାରେ ବୌଦ୍ଧଧର୍ମ ଏହି ପ୍ରଦେଶକୁ ଆସିଥିବାର ପ୍ରମାଣ ମିଳେ । ଓଡ଼ିଶାରେ ଏହି ଧର୍ମର କ୍ରମବିକାଶର ଧାରାବିବରଣୀ ଏବେ ମଧ୍ୟ ଗବେଷଣା ସାପେକ୍ଷ । ତେବେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ରିପୋର୍ଟ ଅନୁସାରେ ସପ୍ତମ ଖ୍ରୀଷ୍ଟାବ୍ଦରେ ଏହି ଦେଶକୁ ଆସିଥିବା ପର୍ଯ୍ୟଟକ ହୁଏନ୍‌ସାଂ ତାଙ୍କ ବିବରଣୀରେ ଉଡ୍ର ଓ କଙ୍ଗୋଦର ବୌଦ୍ଧଧର୍ମ ସଂପର୍କରେ ଆଲୋକପାତ କରିଛନ୍ତି ।

 

ଓଡ଼ିଶାର ମହାଯାନ ଏବଂ ବଜ୍ରଯାନ ପ୍ରତିମାମାନ ବହୁ ସ୍ଥାନରେ ଦେଖିବାକୁ ମିଳେ । ସେହି ସ୍ଥାନଗୁଡ଼ିକ ହେଲା ଜୟରାମପୁର, ଖଡ଼ିପଦା, ମୋହନପଡ଼ା, ସୋଲମପୁର, ଅଯୋଧ୍ୟା, ଭୂଇଁପଡ଼ା, ଖିଚିଂ, ରାଣୀବନ୍ଧ, ଉଦଳା, ଭୁବନେଶ୍ୱର, ରତ୍ନଗିରି, ଉଦୟଗିରି ଓ ଲଳିତଗିରି ପ୍ରଭୃତି । ତେବେ ଏସବୁ ସ୍ଥାନ ମଧ୍ୟରୁ ଶେଷୋକ୍ତ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ଅଧିକ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନର ସ୍ଥାନୀୟ ଅଧୀକ୍ଷକ ଡକ୍ଟର ଚାୱଲେଙ୍କ ମତରେ, ‘ବୌଦ୍ଧଧର୍ମର ପ୍ରସାର ଦିଗରେ ସମ୍ରାଟ ଅଶୋକଙ୍କ ଅବଦାନ ସର୍ବାଧିକ ଥିଲା । ଓଡ଼ିଶାର ଧଉଳି (ତୋଷାଳି) ଓ ଜଉଗଡ଼ (ସମ୍ପା) ଶିଳାଲେଖରୁ ସାରା ପୃଥିବୀରେ ବୌଦ୍ଧ ଧର୍ମ ପ୍ରଚାର ପାଇଁ ଅଶୋକଙ୍କ ଆଗ୍ରହ ପ୍ରତିଷ୍ଠିତ ହୋଇଥାଏ ।’ ତାଙ୍କ ମତ ଅନୁଯାୟୀ ପ୍ରାୟ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରଭାବ ରହିଥିଲା । ମାତ୍ର ତନ୍ତ୍ର ଓ ଶୈବ ଧର୍ମର ପ୍ରଭାବ ବୃଦ୍ଧି ପରେ ଏହା ଲୋକ ପାଇଗଲା ।’

Image

 

ଉଦୟଗିରି-ରତ୍ନଗିରି-ଲଳିତଗିରି: ହୀରକ ତ୍ରିଭୂଜ

 

ଓଡ଼ିଶାର ବିଭିନ୍ନ ସ୍ଥାନରେ ବୌଦ୍ଧ କୀର୍ତ୍ତିମାନ ଦେଖିବାକୁ ମିଳୁଥିଲେ ମଧ୍ୟ ଅବିଭକ୍ତ କଟକ ଜିଲ୍ଲାର ଉଦୟଗିରି-ରତ୍ନଗିରି ଓ ଲଳିତଗିରି ସ୍ଥାନ ତିନିଟି ବିଭିନ୍ନ କାରଣରୁ ସର୍ବାଧିକ ମହତ୍ୱପୂର୍ଣ୍ଣ । ମାତ୍ର ୧୦ କିଲୋମିଟର ବ୍ୟାସାର୍ଧ ଭିତରେ ଏହି ତିନିଟି ସ୍ଥାନ ଅବସ୍ଥିତ । ରତ୍ନଗିରି ଉତ୍‌ଖନନ କାର୍ଯ୍ୟ ପ୍ରଥମେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ଡକ୍ଟର ଦେବଲା ମିତ୍ରଙ୍କ ଦ୍ୱାରା କରାଯାଇଥିଲା । ରତ୍ନଗିରି ବୌଦ୍ଧ ବିହାରର ପ୍ରତିଷ୍ଠା ସମୟ ପ୍ରାୟ ୫ମ କିମ୍ବା ୬ଷ୍ଠ ଶତାବ୍ଦୀ ହୋଇଥିବା ଡକ୍ଟର ମିତ୍ର ଉଲ୍ଲେଖ କରିଛନ୍ତି୍‌ । ସେହିପରି ଉଦୟଗିରି ପ୍ରକୃତପକ୍ଷେ ମାଧବପୁର ମହାବିହାର ଭାବେ ପରିଚିତ ଥିଲା ଓ ତାହା ମଧ୍ୟ ସେହି ସମୟରେ ପ୍ରତିଷ୍ଠିତ ହୋଇଥିଲା । ରତ୍ନଗିରି ଓ ଉଦୟଗିରି ଦୁଇଟିଯାକ କୀର୍ତ୍ତିର ଆବିଷ୍କାର ଓଡ଼ିଶା ପାଇଁ ସବୁଠୁ ମୂଲ୍ୟବାନ ଆବିଷ୍କାର ମନେ ହେଉଥିଲା ବେଳେ ତଦୁପେକ୍ଷା ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତି ଲଳିଗିରି କୀର୍ତ୍ତି ସମୂହ ତଥାପି ମାଟିତଳେ ପୋତି ହୋଇ ରହିଥିଲା । ମାତ୍ର ବର୍ତ୍ତମାନ ଲଳିତଗିରି ଉତ୍‌ଖନନ ପରେ ଏହି ସ୍ଥାନ କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ ସମଗ୍ର ପୃଥିବୀର ଏକ ବିଖ୍ୟାତ ବୌଦ୍ଧ ତୀର୍ଥ ବୋଲି ପ୍ରମାଣ ମିଳୁଛି ।

 

ଲଳିତଗିରି କ’ଣ ପୁଷ୍ପଗିରି

 

ନାଗାର୍ଜୁନକୋଣ୍ଡାରୁ ମିଳିଥିବା ଇକ୍ଷାକୁ ରାଜା ଶ୍ରୀ ବୀର ପୁରୁଷଦତ୍ତଙ୍କର ଏକ ଶିଳାଲେଖରୁ ‘ପୁଷ୍ପଗିରି’ ନାମକ ଏକ ବୌଦ୍ଧ ମହାବିହାର ସଂପର୍କରେ ସୂଚନା ମିଳିଥାଏ । ଚୀନ୍‌ ପରିବ୍ରାଜକ ହୁଏନ୍‌ସାଂ ମଧ୍ୟ ତାଙ୍କ ଭ୍ରମଣ ବୃତ୍ତାନ୍ତରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କର ଓଡ୍ରଗସ୍ତ କାଳରେ (ପୁଷ୍ପଗିରି ମହାବିହାରର ସମସାମୟିକ) ସେ ଏକ ମହାବିହାର ଦେଖିଥିଲେ । ତା’ର ନାମ ସେ ତାଙ୍କ ଭାଷାରେ ପିଉ-ସୋ-ପୋ-କି-ଲି ବୋଲି ଉଲ୍ଲେଖ କରିଛନ୍ତି । ଏହି ଉଲ୍ଲେଖ ବହୁ ଗବେଷକଙ୍କୁ ପୁଷ୍ପଗିରିର ପ୍ରକୃତ ଅବସ୍ଥିତି ସଂପର୍କରେ କୌତୂହଳୀ କରିଥିଲା । କେତେକ ଅନୁମାନ କରି ବସିଥିଲେ ଯେ ଉଦୟଗିରି, ରତ୍ନଗିରି ଓ ଲଳିତଗିରି ମଧ୍ୟରୁ କୌଣସି ଗୋଟିଏ ହୁଏନ୍‌ସାଂଙ୍କ ଦ୍ୱାରା ଚିହ୍ନିତ ପୁଷ୍ପଗିରି ହୋଇଥିବ । ମାତ୍ର ରତ୍ନଗିରିରୁ ମିଳିଥିବା ପୋଡ଼ାମାଟିର ମୁଦ୍ରାଗୁଡ଼ିକରୁ ତାହା ରତ୍ନଗିରି ମହାବିହାର ଓ ଉଦୟଗିରିରୁ ମିଳିଥିବା ପ୍ରମାଣରୁ ତାହା ମାଧବପୁର ମହାବିହାର ବୋଲି ଜଣା ପଡ଼ିବା ପରେ କେବଳ ଲଳିତଗିରି ପ୍ରକୃତ ପରିଚୟ ବାକି ରହିଥିଲା ।

 

ଲଳିତଗିରି ଉତ୍‌ଖନନର ପ୍ରଥମ ପର୍ଯ୍ୟାୟ ବିଶେଷ ଉତ୍ସାହଜନକ ହୋଇ ନଥିଲେ ମଧ୍ୟ ପରବର୍ତୀ ଉତ୍‌ଖନନ ଚମକପ୍ରଦ ହୋଇ ପାରିଥିଲା । ଲଳିତଗିରିର ବୌଦ୍ଧସ୍ତୂପ ଓ ତା’ ଭିତରୁ ମିଳିଥିବା ବୁଦ୍ଧଦେବଙ୍କ ଅସ୍ଥି ହିଁ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲଳିତଗିରି ବୌଦ୍ଧସ୍ତୂପରୁ ଯେଉଁଭଳି ଭାବେ ବୁଦ୍ଧଙ୍କ ଅସ୍ଥି ଓ ଦେହାବଶେଷ ଉପଲବ୍ଧ ହୋଇଛି ସେଭଳି ଓଡ଼ିଶାର ଅନ୍ୟ କେଉଁଠାରୁ ଉପଲବ୍ଧ ହୋଇନାହିଁ । ସେହି ଦୃଷ୍ଟିରୁ ଓ ନିମ୍ନଲିଖିତ ଅନ୍ୟାନ୍ୟ କାରଣରୁ ଲଳିତଗିରିକୁ ପୁଷ୍ପଗିରି ମହାବିହାର ବୋଲି ଗ୍ରହଣ କରାଯାଉଛି ।

 

୧.

ହୁଏନ୍‌ସାଂ ତାଙ୍କ ଭ୍ରମଣ ବୃତ୍ତାନ୍ତରେ ପୁଷ୍ପଗିରି ମହାବିହାରର ଯୋଉ ଭୌଗୋଳିକ ବର୍ଣ୍ଣନା ଦେଇଥିଲେ ତାହା ଲଳିତଗିରିର ଅବସ୍ଥିତି ସହ ସଂପୂର୍ଣ୍ଣ ମିଶିଯାଉଛି ।

 

 

୨.

ହୁଏନ୍‌ସାଂ ତାଙ୍କ ବିବରଣୀରେ ଉଲ୍ଲେଖ କରିଥିଲେ ଯେ, ପୁଷ୍ପଗିରିର ସ୍ତୂପରୁ ଏକ ଦିବ୍ୟ ଆଲୋକରେଖା ବିଚ୍ଛୁରିତ ହେଉଥିଲା । ଏ ସଂପର୍କରେ ଡ. ଚାୱଲେଙ୍କ ମତ ହେଲା ଯେ, ନିଜେ ହୁଏନ୍‌ସାଂ ଜଣେ ପ୍ରସିଦ୍ଧ ବୌଦ୍ଧଧର୍ମୀ ଥିଲେ ଓ ସେହି କାରଣରୁ ସେ ଲଳିତଗିରି ସ୍ତୂପ ଭିତରେ ବୁଦ୍ଧଦେବଙ୍କ ଦେହାବଶେଷ ରଖାଯାଇଥିବା କଥା ମଧ୍ୟ ଜାଣିଥିଲେ । ବୁଦ୍ଧଙ୍କ ପ୍ରତି ଭକ୍ତି ଓ ସମ୍ମାନ ଦୃଷ୍ଟିରୁ ଏହି ସ୍ତୂପର ଅସାଧାରଣତ୍ୱ ପ୍ରତିଷ୍ଠିତ କରିବା ପାଇଁ ସେ ଏଭଳି ଉଲ୍ଲେଖ କରିଥିଲେ । ସ୍ମରଣୀୟ ଯେ ଅଶୋକଙ୍କ ସମୟରେ ବୁଦ୍ଧଙ୍କ ଦେହାବଶେଷକୁ ଅଧିକ ଭାଗରେ ପରିଣତ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଇଥିଲା । ତେଣୁ ସେଇଥିରୁ ପୁଷ୍ପଗିରିକୁ ଏହା ଆସିଥିବା ବିଶ୍ୱାସ କରାଯାଏ ।

 

 

୩.

ଲଳିତଗିରିରୁ ମିଳିଥିବା ପ୍ରାଚୀନ ପାତ୍ରର ଭଗ୍ନାବଶେଷ ଓ ଏଥିରେ ଭୀତକୀର୍ଣ୍ଣ ବ୍ରାହ୍ମଲିପି ତଥ୍ୟ ମଧ୍ୟ ଏ ଦିଗରେ ସହାୟକ ହୋଇଥାଏ ।

 

 

୪.

ଏହି ସ୍ତୂପରୁ ମିଳିଥିବା ଦେହବଶେଷ ବୁଦ୍ଧଙ୍କର ବୋଲି ବିଶ୍ୱାସ କରାଯାଉଛି । ତା’ର କାରଣ ହେଲା ସ୍ତୂପରୁ ମୋଟ ତିନିଟି ପଥର ମଞ୍ଜୁଷା (କ୍ୟାସ୍କେଟ୍‌) ମିଳିଛି । ସବୁଗୁଡ଼ିକର ନିର୍ମାଣ କୌଶଳ ଏକାପ୍ରକାର । ପ୍ରଥମେ ପଥରର ମଂଜୁଷା, ତା’ ଭିତରେ ରୁପାର ଓ ରୁପା ଭିତରେ ସୁନାର ମଂଜୁଷା । (ଚୀନା କଣ୍ଢେଇ ନିର୍ମାଣ କୌଶଳ ପରି ଗୋଟିକ ଭିତରୁ ଆଉ ଗୋଟିଏ ପେଟରା ବାହାରିବା କ୍ରମରେ) ପ୍ରଥମ ମଂଜୁଷାାରୁ କିଛି ମିଳିନାହିଁ । ଦ୍ୱିତୀୟ ସୁନା ପେଟରା ଭିତରେ କେବଳ ଖଣ୍ଡିଏ ଅସ୍ଥି ଖୋଲା ରହିଥିବା ଅବସ୍ଥାରେ ମିଳିଛି । ମାତ୍ର ତୃତୀୟଟିରେ ଯେଉଁ ଅସ୍ଥି ଅଛି ତାହା ସୁନା ତାରରେ ଗୁଡ଼ାଯାଇଛି । ଏହି ଅସ୍ଥି ଅବଶେଷକୁ ଏତେ ପ୍ରାଧାନ୍ୟ ଦିଆଯାଇଥିବାରୁ ତାହା ସ୍ୱୟଂ ବୁଦ୍ଧଙ୍କର ବୋଲି ବିଶ୍ୱାସ କରାଯାଉଛି । ତେବେ ଦୁଃଖର କଥା ଯେ ସାଞ୍ଚିରୁ ମିଳିଥିବା ପଥର ପେଟରାଗୁଡ଼ିକୁ ଉପରେ ଯେଉଁପରି ବୁଦ୍ଧସ, ସାରୀପୁତ୍ତସ ଓ ମୁଦଗଲାୟନାସ ଅର୍ଥାତ୍‌ ବୁଦ୍ଧଙ୍କର, ସାରୀପୁତ୍ତଙ୍କର ଓ ମୁଦଗଲାୟନଙ୍କର ବୋଲି ଲିପିବଦ୍ଧ ରହିଛି ଏଠାରେ ତାହା ହୋଇନାହିଁ-। ତାହା ହିଁ ଏବେ ପ୍ରମାଣ ସାପେକ୍ଷ ।

 

ତେବେ ସେ ଯାହା ହେଉନା କାହିଁକି ଏପର୍ଯ୍ୟନ୍ତ ଲଳିତଗିରିରୁ ଯେଉଁ ତଥ୍ୟ ଉପଲବ୍ଧ ହୋଇଛି ତହିଁରୁ ଏହି ସ୍ଥାନଟି ଶ୍ରୀ ଚନ୍ଦ୍ରାବତୀ ବିହାର ସମଗ୍ର ଆର୍ଯ୍ୟ ଭିକ୍ଷୁସଂଘ ବୋଲି ପ୍ରମାଣ ମିଳୁଛି । ଐତିହାସିକମାନେ ‘ସମଗ୍ର’ ଶବ୍ଦଟିକୁ ଏହି ସ୍ଥାନରର ବିଶେଷତ୍ୱ ପ୍ରମାଣିତ ହେଉଥିବା ମତ ଦେଇଛନ୍ତି । ତେବେ ଏହି ସ୍ଥାନଟି ପୁଷ୍ପଗିରି କି ନୁହେଁ ତାହା ଉତ୍‌ଖନନ କାର୍ଯ୍ୟ ଅବ୍ୟାହତ ରହିଲେ ନିଶ୍ଚୟ ଜଣାପଡ଼ିବ ବୋଲି ଗବେଷକମାନେ ଆଶା ପୋଷଣ କରିଛନ୍ତି ।

 

ଲଳିତଗିରି ଆବିଷ୍କାର

 

ଲଳିତଗିରିର ସ୍ତୂପ, ସ୍ତୂପ ଭିତରେ ଦେହାବଶେଷ ଏବଂ ଏକାଧିକ ବୁଦ୍ଧମୂର୍ତ୍ତି ଭିନ୍ନ ଏ ସ୍ଥାନରୁ ଅଦ୍ୟାବଧି ଚାରିଟି ବିହାର ଖୋଳାଯାଇ ବାହାର କରାଯାଇଛି । ଏହି ବିହାର ମଧ୍ୟରୁ ଗୋଟିଏ ବିହାର ଦ୍ୱିତଳ ବିଶିଷ୍ଟ । ସବୁଗୁଡ଼ିକ ପୋଡ଼ ଇଟାର କାନ୍ଥ ଓ ପଥର ଖମ୍ବକୁ ନେଇ ନିର୍ମିତ ହୋଇଥିଲା । ବିହାରଗୁଡ଼ିକ ବୌଦ୍ଧ ସନ୍ନ୍ୟାସୀମାନଙ୍କ ଆଶ୍ରୟସ୍ଥଳ ଥିଲା । ଚତୁର୍ମାସ୍ୟା କାଳରେ (ବର୍ଷାଋତୁ) ସନ୍ନ୍ୟାସୀମାନେ ଭିକ୍ଷା ମାଗିବାକୁ ଯାଉ ନଥିଲେ । ପାଦର ଆଘାତରେ ପୋକଯୋଗ ମରିଯିବାର ଆଶଙ୍କା ସହିତ ପ୍ରତିକୂଳ ପାଗ ଦୃଷ୍ଟିରୁ ସେମାନେ ଏଠାରେ ରହୁଥିଲେ । ବିହାରଗୁଡ଼ିକର ନିର୍ମାଣ କୌଶଳ ସବୁଠି ଏକାପରି । ପ୍ରବେଶ ଦ୍ୱାର ସମ୍ମୁଖରେ ବୁଦ୍ଧଙ୍କ ମୂର୍ତ୍ତି ଓ ଦୁଇ ପାଶ୍ୱର୍ରେ କୋଠରି । ମଝି ଜାଗାଟି ମୁକ୍ତ ଅଗଣା । ବର୍ଷାପାଣି ବାହାରି ଯିବା ପାଇଁ ଏଠାରେ ଉପଯୁକ୍ତ ବ୍ୟବସ୍ଥା ଦେଖାଯାଏ । ଲଳିତଗିରିରୁ ବୁଦ୍ଧଙ୍କର ବହୁ ମୂର୍ତ୍ତି ମିଳିଛି । ସେଗୁଡ଼ିକର ଆକାର ଯେଉଁ ଭଳି ବିରାଟ, ତା’ର ସ୍ଥାପତ୍ୟ ସେହିଭଳି ଆଦର୍ଶସ୍ଥାନୀୟ । ଲଳିତଗିରିରୁ ମିଳିଥିବା ବିଗ୍ରହଗୁଡ଼ିକର ନିର୍ମାଣ ଶୈଳୀ ଅତ୍ୟନ୍ତ ପୁରାତନ । ଏଗୁଡ଼ିକର ସମୟ ସାରନାଥ ଶିଳ୍ପକଳାର ସମୟ, ଏପରିକି ତାହାଠାରୁ ପୁରୁଣା ଗୁପ୍ତଯୁଗର ମଧ୍ୟ ହୋଇପାରେ । ଏହି ବିଗ୍ରହମାନଙ୍କର ମଧ୍ୟରେ ବିରାଟକାୟ ବୁଦ୍ଧମୂର୍ତ୍ତି ଭିନ୍ନ ଅପରାଜିତା, ଅବଲୋକିତେଶ୍ୱର, ମଂଜୁଶ୍ରୀ, ତାରା, ଜାମ୍ବଳା, ହରିତି ପ୍ରଭୃତି ଅନ୍ତୁର୍ଭୁକ୍ତ । ଏହିସବୁ ମୂର୍ତ୍ତି ଲଳିତଗିରିର ସ୍ତୂପ ପାଖେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ନିର୍ମିତ ଗୋଟିଏ ଘରେ ରହିଛନ୍ତି । ତେବେ ଏହି ଘରଟିକୁ ଏପର୍ଯ୍ୟନ୍ତ ସଂଗ୍ରହାଳୟର ସ୍ୱୀକୃତି ମିଳିନାହିଁ ।

 

ଲଳିତଗିରି ଅବହେଳିତ କାହିଁକି

 

ଲଳିତଗିରି ସମ୍ବନ୍ଧରେ ଏହି ସବୁ ବର୍ଣ୍ଣନା ପଢ଼ିସାରିବା ପରେ ସ୍ୱାଭାବିକ ଧାରଣା ହେବ ଯେ ଏହି ସ୍ଥାନଟି ଏକ ଆଦର୍ଶ ପର୍ଯ୍ୟଟନକ୍ଷେତ୍ର ରୂପେ ମର୍ଯ୍ୟାଦା ପାଇସାରିଥିବ । ମାତ୍ର ବାସ୍ତବ ଉପଲବ୍ଧି ଏ ପ୍ରକାର ଧାରଣାଠାରୁ ବହୁ ଦୂରରେ । ଲଳିତଗିରିର ଐତିହାସିକ, ପ୍ରତ୍ନତାତ୍ତ୍ୱିକ ଓ ସାଂସ୍କୃତି ବିଶେଷତ୍ୱ ସତ୍ତ୍ୱେ ଏହି ସ୍ଥାନଟି ଯେଉଁଭଳି ବିକଶିତ ହେବା କଥା ସେଭଳି ହୋଇନାହିଁ । ‘‘୧୯୭୫ରୁ ୧୯୯୫ ଭିତରେ ବର୍ମାର ପ୍ରଧାନମନ୍ତ୍ରୀ ୟୁ-ନୋଙ୍କଠାରୁ ଆରମ୍ଭ କରି ଭାରତର ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ରାଜ୍ୟ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଗବେଷକ ଓ ଅଧ୍ୟାପକ ଏଠାକୁ ଆସିଛନ୍ତିକ । ମାତ୍ର ଏଠୁ ଚାଲିଯିବା ପରେ ଏ ବିଷୟରେ ସେମାନେ ସବୁକିଛି ଭୁଲିଯାଇଛନ୍ତି । ଲଳିତଗିରି ଯୋଉ ମର୍ଯ୍ୟାଦା ପାଇବା କଥା ତାହା ପାଇ ନାହିଁ ।’’

 

ଲଳିତଗିରି ଉତ୍‌ଖନନ କାର୍ଯ୍ୟ ଜାରି ରହିବା ସଙ୍ଗେ ସଙ୍ଗେ ଏଠାରୁ ଯୋଉ ସବୁ ସଂପଦ ବାହାରିଛି ସେଗୁଡ଼ିକର ସଂରକ୍ଷଣ ଓ ପଞ୍ଜିକରଣ ହେବା ନିହାତି ଦରକାର । ଏହି ସ୍ଥାନ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ରର ମର୍ଯ୍ୟାଦା ପାଇବା ପାଇଁ ସବୁ ଦୃଷ୍ଟିରୁ ଯୋଗ୍ୟ । ମାତ୍ର ତା’ ସତ୍ତ୍ୱେ ଜାପାନ ସରକାର ଭାରତର ବୌଦ୍ଧ କ୍ଷେତ୍ରଗୁଡ଼ିକର ବିକାଶ ପାଇଁ ଯୋଉ ଶହେ କୋଟି ଟଙ୍କା ଋଣ ଦେଲେ ସେଥିରୁ ଓଡ଼ିଶା କୋଟିଏ ଟଙ୍କା ଆଣି ପାରିଲା ନାହିଁ ବୋଲି ଶ୍ରୀ ଅଲ୍ଲୀ କହନ୍ତି । ଏହି ସ୍ଥାନକୁ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦିଆଗଲେ ଚୀନ, ଜାପାନ, ଶ୍ରୀଲଙ୍କା ପ୍ରଭୃତି ଦେଶରୁ ଧନୀ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସନ୍ତେ । ଏହି ସ୍ଥାନରେ ବଡ଼ ବଡ଼ ହୋଟେଲ୍‌ ନିର୍ମାଣ, ଲଳିତଗିରିକୁ ପ୍ରଶସ୍ତ ରାସ୍ତା ଓ ଟେଲି ଯୋଗଯୋଗର ସୁବିଧା ଏହି ବ୍ୟବସ୍ଥାକୁ ତ୍ୱରାନିତ କରନ୍ତା । ଶୁଖୁଆପଡ଼ା ପାହାଡ଼ ପାଦଦେଶରେ ଅବସ୍ଥିତ ଲଳିତଗିରି ଗାଁ ଏକ ଅଦ୍ଭୁତ ଗାଁ । ଏଠାରେ ଅବସ୍ଥାନ କରୁଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଅତି ଉଚ୍ଚ ଦରର କୁଶଳୀ ଶିଳ୍ପୀ । ଏ ଗାଁଟିକୁ ‘କ୍ରାଫ୍‌ଟ ଭିଲେଜ୍‌’ ଭାବେ ଘୋଷଣା କରାଗଲେ ଏଇଟି ପର୍ଯ୍ୟଟକମାନଙ୍କର ପାଇଁ ଆଉ ଏକ ଆକର୍ଷଣ ହୋଇପାରନ୍ତା । ଅନୁରୂପ ଗମନାଗମନ, ରହଣି ଓ ଖାଦ୍ୟପେୟ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପଥରାଜପୁରଠାରେ ଥିବା ଜଳସେଚନ ବିଭାଗର ଏକ ବଙ୍ଗଳାକୁ ପାନ୍ଥ ନିବାସର ମାନ୍ୟତା ଦିଆଯାଇଥିଲେ ମଧ୍ୟ ବାସ୍ତବିକ ଏହାର ଅବସ୍ଥା ନ ତୀରେ ନ ନୀରେ ଭଳି ହୋଇ ରହିଛି । ଏଠି ରହିବା ପାଇଁ କୌଣସି ବ୍ୟବସ୍ଥା ନାହିଁ କହିଲେ ଚଳେ ।

 

ରତ୍ନଗିରି ଓ ଉଦୟଗିରି ଅଞ୍ଚଳରୁ ବାହାରିଥିବା ମୂର୍ତ୍ତି ଓ ମୂର୍ତ୍ତିଗୁଡ଼ିକରୁ ଅଂଶବିଶେଷକୁ ରତ୍ନଗିରିଠାରେ ନିର୍ମିତ ସଂଗ୍ରହାଳୟରେ ରଖାଯାଇଛି । ମାତ୍ର ଏହି ସଂଗ୍ରହାଳୟ ଏପର୍ଯ୍ୟନ୍ତ ଉଦ୍‌ଘାଟିତ ହୋଇନାହିଁ । ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ମ୍ୟୁଜିୟମ୍‌ଟି ଏବେ ଜେଲ୍‌ଖାନା ପରି ପଡ଼ି ରହିଛି୍‌ । ଅଥଚ ପ୍ରତ୍ନତତ୍ତ୍ୱ ବିଭାଗ ରତ୍ନଗିରିର ଏହି ମ୍ୟୁଜିୟମ୍‌କୁ ସ୍ୱୀକୃତି ଦେଇସାରିଥିବାରୁ ଲଳିତଗିରିଠାରେ ଥିବା ଘରକୁ ମ୍ୟୁଜିୟମ୍‌ ଭାବେ ଗ୍ରହଣ କରୁ ନାହାନ୍ତି । ଇତିମଧ୍ୟରେ ବହୁ ବୌଦ୍ଧମୂର୍ତ୍ତି ଏଠାରୁ ରାଜଧାନୀ ସଂଗ୍ରହାଳୟ ଓ ସେଠାରୁ ଦିଲ୍ଲୀ ପଠାଯାଇସାରିଲାଣି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରନ୍ତି ।

 

ଲଳିତଗିରିର ସଂଗ୍ରହାଳୟକୁ ସରକାର ସ୍ୱୀକୃତି ଦେଇ ଏହି ସ୍ତୂପରୁ ବାହାରିଥିବା ବୁଦ୍ଧଙ୍କ ଦେହାବଶେଷ ଏଠାରେ ରଖାଇଲେ ଏ ସଂଗ୍ରହାଳୟ ଆନ୍ତର୍ଜାତିକ ସ୍ୱୀକୃତି ଲାଭ କରନ୍ତା । ଯୋଉ ଜିନିଷ ଯୋଉଠି ଥିଲା ତାକୁ ସେଠାରେ ରଖା ନଯିବା ଦ୍ୱାରା ଏ ସ୍ଥାନ ପ୍ରତି ଅବହେଳା କରାଯାଉଛି ବୋଲି ସେମାନେ ମତ ଦେଇଛନ୍ତି । ଅବଶ୍ୟ ଏଭଳି ମୂଲ୍ୟବାନ ବସ୍ତୁ ପାଇଁ ଆବଶ୍ୟକ ନିରାପତ୍ତା ବର୍ତ୍ତମାନ ଏଠାରେ ନାହିଁ ବୋଲି ସେମାନେ ସ୍ୱୀକାର କରିଛନ୍ତି ।

 

ଲଳିତଗିରି ଗାଁ, ଅଦୂରବର୍ତୀ ଅରକ୍ଷିତ ଦାସ ଗୁମ୍ଫା ଓ ବୌଦ୍ଧ ବିହାରଗୁଡ଼ିକୁ ନେଇ ଏକ କମ୍ପେ୍ଲକ୍ସ ନିର୍ମାଣ ଉପରେ ପ୍ରତ୍ନତତ୍ତ୍ୱ ବିଭାଗ ଗୁରୁତ୍ୱ ଦେବା ଉଚିତ । ବର୍ତ୍ତମାନ ଲଳିତଗିରିର ଖୋଳାକାର୍ଯ୍ୟ ବନ୍ଦ ରହିଛି । ପ୍ରତ୍ନତତ୍ତ୍ୱ ବିଭାଗ ଲାଇସେନ୍ସ ନବୀକରଣ ହୋଇଆସିବା ପରେ ପୁଣି କାର୍ଯ୍ୟ ଆରମ୍ଭ ହେବ ବୋଲି ଡକ୍ଟର ଜି.ସି. ଚାୱଲେ ଏହି ପ୍ରତିନିଧିଙ୍କୁ କହିଛନ୍ତି । ତେବେ କେବଳ ଉତ୍‌ଖନନ କଥା ବଡ଼ ନୁହେଁ, ତା’ର ପଞ୍ଜିକରଣ, ରିପୋର୍ଟ ପ୍ରକାଶ, ସଂରକ୍ଷଣ ଇତ୍ୟାଦି ଅଧିକ ଗୁରୁତ୍ୱପୂର୍ଣ୍ଣ । ଏପର୍ଯ୍ୟନ୍ତ ଲଳିତଗିରି ସମ୍ବନ୍ଧରେ ଖଣ୍ଡିଏ ମାମୁଲି ଲିଫ୍‌ଲେଟ୍‌ ଛଡ଼ା ସରକାରଙ୍କ ପକ୍ଷରୁ କୌଣସି ପୁସ୍ତକ ପ୍ରକାଶ ପାଇନାହିଁ ।

 

ଆମ୍ଭେମାନେ ଫେରିବା ବେଳକୁ ସଞ୍ଜ ଗଭୀର ହୋଇସାରିଥିଲା । ଲଣ୍ଡା ପାହାଡ଼ର ଚୂଡ଼ାରେ ଶୁକ୍ଳପକ୍ଷର ଜହ୍ନ ତଥାଗତ ବୁଦ୍ଧଙ୍କ ଅଯାଚିତ କରୁଣା ପରି ଜ୍ୟୋତ୍ସ୍ନାରେଣୁ ବିଞ୍ଚିଦେଇ ସାରିଥିଲା । ଶ୍ରାବଣର ଭିଜା ପବନ ଆମ୍ଭମାନଙ୍କର କ୍ଳାନ୍ତ ଅସ୍ତିତ୍ୱକୁ ଶିହରେଇ ଦେଉଥିଲା । ଉପରେ ଜହ୍ନ ଆଲୁଅ, ତଳେ ବିସ୍ତୀର୍ଣ୍ଣ ସବୁଜିମା । ଆଗରେ ପଛରେ ପ୍ରାଚୀନ ପ୍ରସ୍ତର ଶିଳାମୂର୍ତ୍ତି । ଅଦୂରରେ ବୌଦ୍ଧବିହାର ।

 

ହଠାତ୍‌ ମନେହେଉଥିଲା ଏହି ପାଷାଣ ମୂର୍ତ୍ତିମାନେ ସଜୀବ ହୋଇଉଠୁଛନ୍ତି । ଶହ ଶହ ବୌଦ୍ଧଭିକ୍ଷୁଙ୍କ ମିଳିତ କଣ୍ଠରୁ ନିଃସୃତ ବୁଦ୍ଧଂ ଶରଣଂ ଗଚ୍ଛାମି ଓ ଧର୍ମଂ ଶରଣଂ ଗଚ୍ଛାମି ଶବ୍ଦରେ ଏ ସ୍ଥାନ ମୂର୍ଛିତ ହୋଇଠୁଛି । ତା’ ଭିତରେ ଅବଲୁପ୍ତପ୍ରାୟ ପୁଷ୍ପଗିରିର ମର୍ଯ୍ୟାଦାମଣ୍ଡିତ ଅସ୍ତିତ୍ୱ ଉଦ୍‌ଭାସିତ ହୋଇଉଠୁଛି । କିନ୍ତୁ ଏସବୁ ଥିଲା ଆମର କଳ୍ପନା ମାତ୍ର । ଚାରିପଟେ ଉଦାସୀନତାର ଟାଙ୍ଗରାଭୂଇଁ ଓ ସାଂସ୍କୃତି ନିସ୍ପୃହତାର ଇସ୍ତାହାର । ପୁଞ୍ଜାଏ ଦୀର୍ଘଶ୍ୱାସ କେବଳ ଚାରିଆଡୁ ଆମକୁ ଘେରି ଆସୁଥିଲା । କି ଥିଲା ଏ ରାଜ, କି ହୋଇଛି ଆଜ !

 

ରବିବାର ସମ୍ବାଦ, ୧୩-୧୯ ଅଗଷ୍ଟ, ୧୯୯୫

Image